ନିନ୍ଦନୀୟ

  • 04/09/2015

ଅନଶନରତ ରାମଦେବଙ୍କ ଶିବିରରେ ରାତି ଗୋଟାଏ ଦଶମିନିଟ୍ ସମୟରେ ଯେତେବେଳେ ସହସ୍ରାଧିକ ଶିବିରାର୍ଧୀ ନିଦରେ ଶୋଇଛନ୍ତି-ସେତିକିବେଳେ ଏକ ବିଶାଳ ପୁଲିସବାହିନୀ ଶିବିରରେ ପ୍ରବେଶ କରିବା ଓ ଅଶ୍ରୁବୁହା ଗ୍ୟାସ ଓ ଲାଠିଚାଳନା କରି ଶିବିରାର୍ଥୀଙ୍କୁ ଶିବିରରୁ ନିଷ୍କାସନ କରିବାକୁ କଠୋରତମ ଶବ୍ଦରେ ନିନ୍ଦା କରାଯିବା ବିଧେୟ । ଯେଉଁ କାରଣ ଦର୍ଶାଇ, ଏହିଭଳି ପଦକ୍ଷେପକୁ ସରକାରଙ୍କ ତରଫରୁ ଯଥାର୍ଥ ବୋଲି ଯୁକ୍ତି କରାଯାଉଛି-ସେହି କାରଣ ସହିତ ଏକମତ ହୋଇଥିବା ବିବେକୀ ବ୍ୟକ୍ତିମାନେ ମଧ୍ୟ ସରକାରଙ୍କ ଦ୍ୱାରା ଏତାଦୃଶ ମଧ୍ୟରାତ୍ର କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନ କରୁଛନ୍ତି । ଏହିଭଳି କାର୍ଯ୍ୟାନୁଷ୍ଠାନ ଯେ ଅମାନବିକ, ଏଥିରେ ସନେ୍ଦହ ନାହିଁ । ରାମଦେବଙ୍କୁ ବିଶ୍ୱାସ କରି ତାଙ୍କ ଶିବିରକୁ ଆସିଥିବା ବିଭିନ୍ନ ବୟସର ପୁରୁଷ ଓ ମହିଳାଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବା ଆବଶ୍ୟକ ଥିଲା, ରାମଦେବଙ୍କ ପ୍ରତି ସରକାରଙ୍କର ଆଭିମୁଖ୍ୟ ଯେତେ ପ୍ରତିକୂଳ ହୋଇଥାଉ ନା କାହିଁକି? ପୁନଶ୍ଚ ସରକାରଙ୍କର ଏହିଭଳି କାର୍ଯ୍ୟାନୁଷ୍ଠାନକୁ ଯଦି ବିରୋଧ କରାନଯାଏ ତା’ହେଲେ ବିଭିନ୍ନ ଗଣତାନ୍ତ୍ରିକ ବିକ୍ଷୋଭକୁ ଦମନ କରିବାର ସାହସ ସରକାରଙ୍କର ବୃଦ୍ଧି ପାଇବ ।
ତେବେ ରାମଦେବ ଯଦି ଲୁଚି ପଳାଇବାର ଉଦ୍ୟମ ନକରି ପୁଲିସକୁ ସହସା ଧରା ଦେଇଥାନ୍ତେ- ତା’ହେଲେ ବୋଧହୁଏ ରାମଲୀଳା ପଡ଼ିଆରେ ଯାହା ଘଟିଲା-ତାହା ଘଟିନଥାନ୍ତା ବୋଲି ଅନେକେ ପର୍ଯ୍ୟବେକ୍ଷକ ମତପୋଷଣ କରିଛନ୍ତି । ସାଧାରଣତଃ ପରିପକ୍ୱ ଓ ସର୍ବସମ୍ମୁଖରେ ପ୍ରକଟିତ ନେତା ସେମାନେ ପୁଲିସକୁ ଦେଖି ଲୁଚି ପଳାଇବାର ଉଦ୍ୟମ କରନ୍ତି ନାହିଁ । -ଶୁଦ୍ରକ

Print Friendly, PDF & Email