– ଆନ୍ନା ହଜାରେଙ୍କ ଅନଶନଠାରୁ ଆରମ୍ଭ କରି ରାମଦେବଙ୍କର ଅନଶନ ପର୍ଯ୍ୟନ୍ତ ଗଣମାଧ୍ୟମରେ ଗୋଟିଏ ଧାରଣା ସୃଷ୍ଟିକରିବାର ଉଦ୍ୟମ ଆରମ୍ଭ ହୋଇଛି ଯେ ସାରା ଭାରତବର୍ଷରେ ଯେପରି ଦୁର୍ନୀତି ବିରୋଧରେ ଜଣେ ମାତି ଉଠିଛି, ଯଦି ଭାରତବର୍ଷର ଅଧିକାଂଶ ଲୋକ ଦୁର୍ନୀତି ବିରୋଧୀ, ତା’ହେଲେ ଯେଉଁ ରାଜନୈତିକ ଦଳରେ ଦୁର୍ନୀତିଗ୍ରସ୍ତ ନେତାଙ୍କ ସଂଖ୍ୟା କମ୍ ଓ ସେମାନଙ୍କ ଶାସନ କାଳରେ ଦୁର୍ନୀତି କମ୍ ବୋଲି ପ୍ରମାଣିତ; ସେହିଭଳି ରାଜନୈତିକ ଦଳକୁ ହିଁ ଏହି ଦୁର୍ନୀତି ବିରୋଧୀ ଜନତା ଭୋଟ ଦେବାକଥା । ଯଦି ଏହା ହୁଅନ୍ତା, ତା’ହେଲେ କମୁ୍ୟନିଷ୍ଟ ଦଳର ନେତାମାନେ ହିଁ ଅଧିକ ସଂଖ୍ୟାରେ ନିର୍ବାଚିତ ହୁଅନ୍ତେ । ତେଣୁ ଦୁର୍ନୀତିବିରୋଧୀ ଜନତାଙ୍କ ପାଇଁ ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ନୁହେଁ-ଏହା ଆମକୁ ସ୍ୱୀକାର କରିବାକୁ ପଡ଼ିବ ।
– ଦୁର୍ନୀତି ବିରୋଧରେ ହେଉଥିବା ଅନଶନ ପ୍ରଦର୍ଶନର ଆୟୋଜନ ପାଇଁ ବିପୁଳ ପରିମାଣରେ ଅର୍ଥ ଆଦାୟ ଓ ବ୍ୟକ୍ତିଗତ ଦାନର ପରିମାଣ ଲକ୍ଷାଧିକ ଟଙ୍କା ଶୁଣିଲାବେଳେ, ମନକୁ ସ୍ୱାଭାବିକ ପ୍ରଶ୍ନ ଆସେ ଯେ ଏହି ଦାନଶୀଳ ବ୍ୟକ୍ତିମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ସରକାରୀ ବିପର୍ଯ୍ୟୟପାଣ୍ଠିକୁ କେତେ ପରିମାଣରେ ଅର୍ଥ ଦାନ କରୁଛନ୍ତି, ତାହାର ଅନୁସନ୍ଧାନ ହେବା ଆବଶ୍ୟକ ।
– ଆନ୍ନା ହଜାରେ ବା ରାମଦେବଙ୍କ ଅନଶନ ପ୍ରଦର୍ଶନବେଳେ ସମବେତ ଜନତାର ସମର୍ଥନ, ମୋବାଇଲ ଓ ଇଣ୍ଟରନେଟ୍ ଜରିଆରେ ସମର୍ଥନର ଆକାରକୁ ଆକଳନ କରିଲାବେଳେ ମନକୁ ଆସେ ଯଦି ହିନ୍ଦୀ ସିନେମାର ଯୁଗପୁରୁଷ ଅମିତାଭ ବଚ୍ଚନ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରି ଆମରଣ ଅନଶନରେ ବସନ୍ତେ-ତା’ହେଲେ ସମର୍ଥନର ଆକାର କେତେ ହୁଅନ୍ତା? ରୂପେଲି ପରଦା ଉପରେ ଅନ୍ୟାୟ, ଅତ୍ୟାଚାର ବିରୋଧରେ ‘Angry Young man’ ର ଭୂମିକା ହିଁ ଅମିତାଭ ବଚ୍ଚନଙ୍କୁ ଏକ ଅଭୂତପୂର୍ବ ଜନପ୍ରିୟ ଅଭିନେତା କରିଦେଇଛି ବୋଲି ଯେଉଁମାନେ ଜାଣନ୍ତି-ସେମାନେ ନିଶ୍ଚିତ ଶୁଦ୍ରକ ସହ ଏକମତ ହେବେ ଯେ ତାଙ୍କ ସମର୍ଥକଙ୍କ ପାଇଁ ଗୋଟିଏ ରାମଲୀଳା ପଡ଼ିଆ ଯଥେଷ୍ଟ ହୁଅନ୍ତା ନାହିଁ । ମୋବାଇଲ, ଇଣ୍ଟରନେଟ୍ ଜରିଆରେ ସମର୍ଥନର ତ ଆକଳନ କରିହେବ ନାହିଁ ।
-ଶୁଦ୍ରକ