୪ତାରିଖ ରାତି ୧୨ଟା ପରେ ଅନଶନରତ ରାମଦେବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ଓ ଏହାକୁ କେନ୍ଦ୍ରକରି ଶିବିରରେ ଆରମ୍ଭ ହୋଇଥିବା ପୋଲିସ ସହିତ ଶିବିରାର୍ଥୀମାନଙ୍କର ଧସ୍ତାଧସ୍ତି, ପୁଲିସର ଲୁହବୁହା ଗ୍ୟାସ ପ୍ରୟୋଗ ଓ ଲାଠିଚାଳନାକୁ ନିନ୍ଦା କରି ବିଜେପି ତରଫରୁ ୫ତାରିଖ ମଧ୍ୟାହ୍ନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ମହାସଚିବ ଅରୁଣ ଜେଟଲୀ କହିଲେ, ‘ଉପା ସରକାରଙ୍କର ଆଚରଣ ଅତ୍ୟନ୍ତ ବିଚିତ୍ର । ଜଣେ ଦେଶଦ୍ରୋହ ଦୋଷରେ ଦଣ୍ଡିତ ବ୍ୟକ୍ତିଙ୍କୁ ଯୋଜନା କମିଶନର ଏକ ପ୍ୟାନେଲରେ ସଭ୍ୟଭାବେ ଗ୍ରହଣ କରାଯାଉଥିବା ବେଳେ ଦେଶଭକ୍ତ ରାମଦେବଙ୍କୁ ଅପଦସ୍ଥ କରାଯାଉଛି ।
କହିବାବାହୁଲ୍ୟ ଯେ, ଭେଲୋର ଭେଷଜ ମହାବିଦ୍ୟାଳୟରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସବୁପ୍ରକାର ଉଚ୍ଚ ଅଭିଳାଷକୁ ଏଡ଼ାଇ ଦେଇ ଆଦିବାସୀଙ୍କ ଗହଣରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବା ପାଇଁ ୩ଦଶନ୍ଧି ଧରି କାର୍ଯ୍ୟ କରିଥିବା ବିନାୟକ ସେନ୍ ବିଜେପି ପାଇଁ ଦେଶଦ୍ରୋହୀ ହୋଇଥିବା ବେଳେ ଅଷ୍ଟମଶ୍ରେଣୀ ଯାଏଁ ଶିକ୍ଷା ଅର୍ଜନ କରି, ମାତ୍ର କେତୋଟି ବର୍ଷ ଭିତରେ ୧୧୫୨କୋଟି ଟଙ୍କାର ମାଲିକ ହୋଇଥିବା, ନିଜର ଗୁରୁ ଶଙ୍କରଦେବଙ୍କର ଅନ୍ତର୍ଦ୍ଧାନ ହୋଇଯିବା ଓ ସହଯୋଗୀ ରାଜୀବ ଦୀକ୍ଷିତଙ୍କର ମୃତୁ୍ୟର କାରଣକୁ ସଫଳତାର ସହ ଆଡ଼େଇ ଯାଇଥିବା ବ୍ୟବସାୟୀ ରାମଦେବ ହେଉଛନ୍ତି ବିଜେପି ପାଇଁ ଦେଶଭକ୍ତ ।
ଅବଶ୍ୟ ଯେଉଁମାନେ ବିଜେପିକୁ ବେପାରୀ ମାନଙ୍କର ପ୍ରିୟଦଳ ବୋଲି ଜାଣନ୍ତି, ସେମାନେ ରାମଦେବଙ୍କୁ ବିଜେପି ସମର୍ଥନ କରିବାରେ କୌଣସି ଅସ୍ୱାଭାବିକତା ଦେଖୁ ନଥିବେ ।
ସରକାରଙ୍କ ପୁଲିସ ବାହିନୀକୁ ଭବିଷ୍ୟତରେ ପ୍ରତିରୋଧ କରିବା ପାଇଁ ୧୧,୦୦୦ଯୁବକ ଯୁବତୀଙ୍କୁ ନେଇ ଏକ ସଶସ୍ତ୍ରବାହିନୀ ଗଢ଼ିବେ ବୋଲି ରାମଦେବଙ୍କ ଘୋଷଣା-ମାଓବାଦୀଙ୍କର ସଶସ୍ତ୍ର ବିଦ୍ରୋହୀ ସଙ୍ଗଠନ ଠାରୁ କେତେ ଭିନ୍ନ-ତାହାର ଉତ୍ତର ଆମେ ଅରୁଣ ଜେଟ୍ଲୀଙ୍କ ଠାରୁ ନିଶ୍ଚିତ ଆଶା କରିବା ଓ ପ୍ରଶ୍ନ କରିବା ଯେ ଯଦି ରାମଦେବ ଦେଶଭକ୍ତ ହୋଇପାରନ୍ତି, ତା’ହେଲେ ବିନାୟକ ସେନ୍ ଦେଶଦ୍ରୋହୀ ହେବେ କାହିଁକି? -ଶୁଦ୍ରକ