ଏବେ ରାମଦେବ

  • 04/09/2015

ଅନଶନ ପୂର୍ବର ଦୃଶ୍ୟ
୪ଜୁନ୍ ୨୦୧୧, ଶନିବାର ଦିନ, ବହୁ ପ୍ରଚାରିିତ ଯୋଗଶିକ୍ଷକ ରାମଦେବ ଦିଲ୍ଲୀର ରାମଲୀଳା ପଡ଼ିଆରେ ଅନଶନରେ ବସିବେ । ଦାବି ହେଉଛି ଦେଶ ଓ ବିଦେଶରେ ଗଚ୍ଛିତ ଥିବା କଳାଧନକୁ ଜାତୀୟ ସମ୍ପତ୍ତ ବୋଲି ସରକାର ଘୋଷଣା କରନ୍ତୁ ଓ ଏହାକୁ ଉଦ୍ଧାର କରନ୍ତୁ । ସ୍ମରଣ କରାଯାଇପାରେ ଯେ ୫ଏପ୍ରିଲ ୨୦୧୧ଦିନ, ଆନ୍ନା ହଜାରେ ଦୁର୍ନୀତିକୁ ପ୍ରସଙ୍ଗ କରି ଜନଲୋକପାଳ ବିଲ୍ ପ୍ରଣୟନ ଦାବି ଉତ୍ଥାପନ କରି ଅନଶନ ଆରମ୍ଭ କରିଥିଲେ । ଅର୍ଥାତ ଆନ୍ନା ହଜାରେଙ୍କର ଅନଶନ ଆରମ୍ଭ ହେବାର ଠିକ୍ ଦୁଇମାସ ପରେ ରାମଦେବ ଅନଶନରେ ବସିବେ । ରାମଦେବ ଓ ଆନ୍ନା ହଜାରେ ଦୁହେଁ ଦୁର୍ନୀତି ବିରୋଧରେ ଭାରତ (India Against corruption), ସଙ୍ଗଠନର ମୁଖିଆ ସଦସ୍ୟ ହୋଇଥିବା ହେତୁ, କେହି ଯଦି ଏହିଭଳି ଅନଶନକୁ ଦୁର୍ନୀତି ବିରୋଧରେ ଭାରତ ତରଫରୁ ତୁହାକୁତୁହା ବର୍ଷା ଅନୁରୂପ ଅନଶନ ବୋଲି ବିଚାର କରନ୍ତି,ତା’ହେଲେ ଅଯଥାର୍ଥ ହେବନାହିଁ । ଏହି କ୍ରମରେ ଅପେକ୍ଷା କରାଯାଇପାରେ ସ୍ୱାମୀ ଅଗ୍ନିବେଶ, କିରଣ ବେଦୀ, ଅରବିନ୍ଦ କେଜରୀୱାଲ, ମଲ୍ଲିକା ସରାଭାଇ ପ୍ରଭୃତିଙ୍କର ଗଣମାଧ୍ୟମରେ ଟିଆରପି(TRP)ବର୍ଦ୍ଧକ ଅନଶନକୁ । ଆନ୍ନା ହଜାରେ ମାତ୍ର ୪ଦିନର ଅନଶନ ପ୍ରଦର୍ଶନ ପରେ ମଇଦାନରୁ ଅପସରିଗଲେ ଓ ଚିଠା ପ୍ରସ୍ତୁତିରେ ଲାଗିଲେ । କିନ୍ତୁ ଯୋଗଶକ୍ତିରେ ବଳବାନ ରାମଦେବ ବହୁ ଅଧିକ ଦିନ ଅନଶନରେ ବସିପାରନ୍ତି ବୋଲି ଆଶା କରାଯାଇପାରେ-ଯଦିଓ ପ୍ରଣବ ମୁଖାର୍ଜୀ, କପିଲ ସିବଳ, ସୁବୋଧକାନ୍ତ ସହାୟ ଓ ପୱନ ବଂଶଲଙ୍କ ଭଳି ମନ୍ତ୍ରୀମାନଙ୍କ ମତରେ ‘ବିଜେପି-ଆର.ଏସ୍.ଏସ୍.ତାଙ୍କୁ (ରାମଦେବଙ୍କୁ) ସମର୍ଥନ କରୁଛି । ତେଣୁ ସେ ଖୁବ୍ ଶୀଘ୍ର ଓହରିଆସିବେ । ଯାହା ଜଣାପଡ଼ୁଛି ଅନୁ୍ୟନ ଦୁଇଦିନ ସେ ଅନଶନରେ ବସିବେ ।’ (‘The BJP-RSS is backing him, so he will back off easily, looks like he will fast  for atleast two days’- The New Indian Express, dated 2nd June 2011) । ଏହିଭଳି ମତପୋଷଣ କରିଥିବା ମନ୍ତ୍ରୀମାନେ ଜୁନ୍ ପହିଲା (ବୁଧବାର) ଦିନ ଦିଲ୍ଲୀ ବିମାନବନ୍ଦରଠାରେ ରାମଦେବଙ୍କର ଆଗମନକୁ ଅପେକ୍ଷା କରି କିପରି ନସରପସର ହେଉଥିଲେ ସେ ଦୃଶ୍ୟ ଭୁଲିବାର ନୁହେଁ । ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଦେ୍ର୍ଧଶରେ ଏହି ଚାରି ମନ୍ତ୍ରୀ ଯାଇଥିଲେ ରାମଦେବଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବାପାଇଁ ଓ ବୁଝାଇବା ପାଇଁ ଯେ ସେ ଅନଶନ ନିଷ୍ପତ୍ତକୁ ପ୍ରତ୍ୟାହାର କରନ୍ତୁ । ଦିଲ୍ଲୀ ବିମାନବନ୍ଦରଠାରେ ରାମଦେବଙ୍କ ସହ ଅଢ଼େଇ ଘଣ୍ଟା ଆଲୋଚନା କରିଥିଲେ ଏହି ମନ୍ତ୍ରୀ ଚାରିଜଣ । ଆଲୋଚନା ସଫଳ ହେଲାନାହିଁ । ଜୁନ୍ ୪ରୁ ଅନଶନରେ ବସିବା ନିଷ୍ପତ୍ତକୁ ରାମଦେବ ପ୍ରତ୍ୟାହାର କଲେନାହିଁ । ସରକାର ରାମଦେବଙ୍କ ନିକଟରେ ଏତାଦୃଶ ଆଜାନୁନତ ହେବା, ଏହି ମନ୍ତ୍ରୀମାନଙ୍କର ରାଜନୈତିକ ଦଳ କଂଗ୍ରେସ ପାଇଁ ଗ୍ରହଣ ହେଲାନାହିଁ । କଂଗ୍ରେସର ଜଣେ ସାଧାରଣ ସମ୍ପାଦକଙ୍କ ଭାଷାରେ, ‘It is demeaning and shocking that a senior leader like pranabda was sent to do the negotiation and that too at such an informal venue (the airport)’ (The New indian Express, 3rd June 2011). ଅପରପକ୍ଷରେ କଂଗ୍ରେସ ଦଳର ବରିଷ୍ଠନେତା ଦିଗ୍ବିଜୟ ସିଂହ ରାମଦେବଙ୍କୁ ସନ୍ୟାସୀ ନୁହେଁ- ଏକ ବ୍ୟବସାୟୀ ବୋଲି ଖୋଲାଖୋଲି ସମାଲୋଚନା କଲେ । ତାଙ୍କଭାଷାରେ ରାମଦେବ ‘ଯୋଗ ଶିକ୍ଷା ଦେବାପାଇଁ, ପ୍ରଥମ ଧାଡ଼ିରେ ବସୁଥିବା ଶିକ୍ଷାର୍ଥୀଙ୍କଠାରୁ ମୁଣ୍ଡପିଛା ୫୦,୦୦୦ଟଙ୍କା, ମଝିଧାଡ଼ିରେ ବସୁଥିବା ଶିକ୍ଷାର୍ଥୀଙ୍କଠାରୁ ମୁଣ୍ଡପିଛା ୩୦,୦୦୦ଟଙ୍କା ଓ ଶେଷ ଧାଡ଼ିରେ ବସୁଥିବା ଶିକ୍ଷାର୍ଥୀଙ୍କଠାରୁ ୧୦୦୦ଟଙ୍କା ନେଇଥାନ୍ତି । (The New Indian Express, 3rd June 2011) କଂଗ୍ରେସଦଳର ମନ୍ତ୍ରୀମାନେ ଅନଶନକାରୀଙ୍କ ନିକଟରେ ଆଜାନୁନତ ହେବା ଓ ଦଳର କାର୍ଯ୍ୟକର୍ତ୍ତା ଅନଶନକାରୀଙ୍କୁ କଟୁ ସମାଲୋଚନା କରିବା, କଂଗ୍ରେସଦଳର ଏକ ରଣନୀତି ବୋଲି କେହି କେହି କହିପାରନ୍ତି । ତେବେ ରାମଦେବ ସନ୍ୟାସୀ ନୁହନ୍ତି, ବେପାରୀ ଏଭଳି ଅଭିଯୋଗ କରିବାରେ ଦିଗ୍ବିଜୟ ସିଂହ ଏକାକୀ ନୁହନ୍ତି-ଅଖିଳ ଭାରତୀୟ ସନ୍ଥ ସମିତିର କର୍ମକର୍ତ୍ତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଚୌଥି ଦୁନିଆର ଡକ୍ଟର ମନୀଷ କୁମାରଙ୍କୁ ଏକ ସାକ୍ଷାତକାର ଦେଇ ଅନୁରୂପ ମନ୍ତବ୍ୟ କରନ୍ତି । (ଦ୍ରଷ୍ଟବ୍ୟ: Baba Ramdev is exposed by Pramod Krishnam, Chouthiduniya, You Tube) । ବେପାରରେ ରାମଦେବଙ୍କର ଟର୍ଣ୍ଣଓଭର (ଞଙ୍କକ୍ସଦ୍ଭ ଙଙ୍ଖରକ୍ସ)୧୧୦୦କୋଟି ଟଙ୍କା ବୋଲି ରାମଦେବ ନିଜେ ସ୍ୱୀକାର କରିଛନ୍ତି (ଦ୍ରଷ୍ଟବ୍ୟ: Walk the Talk with Baba Ramdev, NDTV, 28th May 2011)ଇଣ୍ଡିଆନ ଏକ୍ସପ୍ରେସ୍ର ମୁଖ୍ୟ ସମ୍ପାଦକ ଶେଖର ଗୁପ୍ତାଙ୍କ ସହ ସାକ୍ଷାତକାର ସମୟରେ । Star News ତରଫରୁ ହୋଇଥିବା ରାମଦେବଙ୍କର ସମ୍ପତ୍ତର (ଅବଶ୍ୟ ରାମଦେବ ଏହାକୁ ଟ୍ରଷ୍ଟର ସମ୍ପତ୍ତ ବୋଲି କୁହନ୍ତି) ଏକ ଆକଳନରୁ ଜଣାଯାଏ ଯେ ରାମଦେବ ୧୧୫୨କୋଟି ଟଙ୍କା ସମ୍ପତ୍ତର ମାଲିକ । ହରିଦ୍ୱାର ଠାରେ ତାଙ୍କର ଅଛି ୧୦୦୦ଏକର ଜମି (ଯାହାର ଆଜିକା ଦରରେ ମୂଲ୍ୟ ୩୦୦କୋଟି ଟଙ୍କା) ୧୦୦ ଏକର ଜମିର ଆଶ୍ରମ(ଆଜିକା ମୂଲ୍ୟରେ ୧୦୦କୋଟି ଟଙ୍କା), ୨୫କୋଟି ଟଙ୍କାର କୋଠା, ୫୦୦କୋଟି ଟଙ୍କାର ଫୁଡ଼୍ ପାର୍କ; ହିମାଚଳ ପ୍ରଦେଶରେ ୨୦କୋଟି ଟଙ୍କାର ୯୬ଏକର ଜମି; ସ୍କଟଲ୍ୟାଣ୍ଡ (ଝମକ୍ଟଗ୍ଧକ୍ଷବଦ୍ଭୟ) ରେ ୧୪କୋଟିଟଙ୍କାର ୭୫୦ଏକର ଜମି; ଆମେରିକାର ହୁ୍ୟଷ୍ଟନଠାରେ ୯୮କୋଟି ଟଙ୍କାର ୯୯ଏକର ଜମିର ରାମଦେବ ହେଉଛନ୍ତି ମାଲିକ । ଏହାଛଡ଼ା ଔଷଧ ବିକ୍ରିରୁ ସେ ବର୍ଷକୁ ଲାଭ କରନ୍ତି ୬୦କୋଟି ଟଙ୍କା, ଯୋଗବହି ଓ ସିଡ଼ିରୁ ବାର୍ଷିକ ଆୟ ହୁଏ ୧୦କୋଟି ଟଙ୍କା ଓ ଯୋଗକ୍ୟାମ୍ପରୁ ବାର୍ଷିକ ଆୟ ୨୫କୋଟି ଟଙ୍କା ବୋଲି ଉକ୍ତ ଆକଳନରୁ ସୂଚନା ମିଳେ । ଭାରତବର୍ଷର ଧନୀବେପାରୀଙ୍କ ଭିତରୁ ରାମଦେବ ଯେ ଜଣେ, ଏହା ଏହି ସୂଚନାରୁ ଜଣାପଡ଼େ । ଜମିର ବଜାର ଦରର ବହୁ କମ୍ ମୂଲ୍ୟରେ ବା ସ୍ଥଳବିଶେଷରେ ପ୍ରାୟଃ ମାଗଣାରେ ସେ ଜମି ହାସଲ କରିଛନ୍ତି ବୋଲି ଜଣାପଡ଼େ ଯେତେବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୂଚନା ଦିଅନ୍ତି ଯେ ହିମାଚଳପ୍ରଦେଶ ସରକାର ସାଧୁପଲ ଗ୍ରାମରେ ୧୨୭ବିଘା ଜମି ମାତ୍ର ୧ଟଙ୍କା ଖଜଣା ଧାର୍ଯ୍ୟ କରି ରାମଦେବଙ୍କୁ ୯୯ବର୍ଷ ପାଇଁ ଲିଜ୍ରେ ଦେଇଛନ୍ତି । ଯେତେବେଳେ କି ବଜାର ଦର ଏହି ଜମିର, ବିଘା ପିଛା ୨୦ଲକ୍ଷ ଟଙ୍କା । (ଦ୍ରଷ୍ଟବ୍ୟ: The Statesman, 7th June 2011, P-3) । ଆଉ ଏକ ସୂଚନାରୁ ଜଣାପଡ଼େ ଯେ ମନ୍ତ୍ରୀ ସୁବୋଧକାନ୍ତ ସହାୟ ଫୁଡ଼୍ ପାର୍କ ପାଇଁ ରାମଦେବଙ୍କୁ ୫୦କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । (ଦ୍ରଷ୍ଟବ୍ୟ: The Rise of Ramdev by Kalyani Shankar, The Statesman, 5th June, 2011) କିନ୍ତୁ ଯେଉଁମାନେ ତାଙ୍କୁ ମାତ୍ର ୧୫ବର୍ଷ ଭିତରେ (୧୯୯୫ରୁ) ଏତେ ସମ୍ପତ୍ତର ଅଧିକାରୀ ହେଲେ କିପରି ପ୍ରଶ୍ନ କରନ୍ତି ଓ କଳାଧନକୁ ଉଦ୍ଧାର ପାଇଁ ଦାବି କରୁଥିବା ରାମଦେବ ନିଜ ଧନର ଉତ୍ସ୍ୱକୁ ପ୍ରଘଟ କରନ୍ତୁ ବୋଲି ଦାବି କରନ୍ତି-ସେମାନଙ୍କୁ ସେ ୧୦କୋଟି ଭାରତୀୟଙ୍କ ପ୍ରତି ଇଙ୍ଗିତ କରନ୍ତି ଯେଉଁମାନଙ୍କୁ ସେ ପ୍ରତ୍ୟକ୍ଷ ସେବା ଦେଉଛନ୍ତି । ଏହାଛଡ଼ା ସେ ୧୦୦ କୋଟି ଭାରତୀୟଙ୍କର ଶ୍ରଦ୍ଧାଭାଜନ ହୋଇଛନ୍ତି ବୋଲି ଦାବି କରନ୍ତି । ତେଣୁ ଏହିଭଳି ଏକ ବିପୁଳ ସମର୍ଥନ ଓ ଶ୍ରଦ୍ଧାଭାଜନର ପୃଷ୍ଠଭୂମିରେ ତାଙ୍କର ସମ୍ପତ୍ତର ପରିମାଣ ଯେ ନଗଣ୍ୟ, ତାହାହିଁ ସେ ଧାରଣା ଦେବାପାଇଁ ଚେଷ୍ଟା କରନ୍ତି । ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ସରକାର ଯାହା କରିପାରୁ ନାହିଁ-ସେ ମାତ୍ର ଏକହଜାର କୋଟି ଟଙ୍କାର ସମ୍ପତ୍ତର ଆଧାରରେ କରିପାରିଛନ୍ତି ବୋଲି ଦାବି କରନ୍ତି ।
କି ସେବା ଯୋଗଶିକ୍ଷକ ରାମଦେବ ଯୋଗାଉଛନ୍ତି କୋଟି କୋଟି ଭାରତୀୟଙ୍କୁ? ଯୋଗଶିକ୍ଷା ଦେଇ କୋଟି କୋଟି ଲୋକଙ୍କୁ ବହୁମୂତ୍ର, ହୃଦ୍ରୋଗ, ରକ୍ତଚାପ, କ୍ୟାନ୍ସର, ଏଡ଼୍ସ ପ୍ରଭୃତି ଭୟଙ୍କର ରୋଗରୁ ମୁକ୍ତି ଯେ ଦେଇଛନ୍ତି! ରାମଦେବଙ୍କର ଏହି ଦାବିକୁ ଯଦି ଗ୍ରହଣ କରିନିଆଯାଏ, ତା’ହେଲେ ଆମେ ଆଶା କରିବା ଯେ ଭାରତବର୍ଷରେ ବହୁମୂତ୍ରରୋଗୀଙ୍କ ସଂଖ୍ୟା, ହୃଦ୍ରୋଗରେ ପୀଡ଼ିତଙ୍କର ସଂଖ୍ୟା, ରକ୍ତଚାପରେ ପୀଡ଼ିତଙ୍କର ସଂଖ୍ୟା କମିଥିବ । ଦେଖାଯାଉ ପ୍ରକୃତ ପରିସ୍ଥିତି କ’ଣ?
ଇଂଲଣ୍ଡର ପ୍ରସିଦ୍ଧ ଭେଷଜ ଗବେଷଣା ପତ୍ରିକା ଲାନ୍ସେଟ୍ (Lancet)ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାଯାଏ ଯେ ହାରାହାରି ରକ୍ତଚାପ ସାରା ବିଶ୍ୱରେ କମୁଥିବାବେଳେ ଭାରତରେ ଏହା ବୃଦ୍ଧିପାଉଛି । ମହିଳାମାନଙ୍କ କ୍ଷେତ୍ରରେ ବିଶ୍ୱସ୍ତରରେ ହାରାହାରି ରକ୍ତଚାପ ୨.୭ମିମି ପାରଦ ହ୍ରାସ ପାଉଥିବା ବେଳେ, ଭାରତରେ ଏହା ୨.୪ମିମି ପାରଦ ବୃଦ୍ଧିପାଉଛି । ପୁରୁଷମାନଙ୍କ କ୍ଷେତ୍ରରେ ବିଶ୍ୱସ୍ତରରେ ହାରାହାରି ରକ୍ତଚାପ ୨.୩ମିମି ପାରଦ ହ୍ରାସ ପାଉଥିବା ବେଳେ ଭାରତରେ ଏହା ୨.୨ମିମି ପାରଦ ବୃଦ୍ଧି ପାଉଛି । ୨୦୦୮ମସିହା ସୁଦ୍ଧା ୧୩କୋଟି ୯୦ଲକ୍ଷ ଲୋକ ରକ୍ତଚାପରେ ପୀଡ଼ିତ ବୋଲି ଜଣାଯାଇଛି । ୧୯୮୦ରୁ ୨୦୦୮ମସିହା ଭିତରେ ରକ୍ତଚାପ ରୋଗୀଙ୍କ ସଂଖ୍ୟା ୮କୋଟି ୭୦ଲକ୍ଷ ବୃଦ୍ଧିପାଇଛି । (ଦ୍ରଷ୍ଟବ୍ୟ: Average Blood Pressure Falls Globally, Shoots up in India- Kounteya Sinha, The Times of India, 4th Feb 2011).
ସେହିଭଳି ବହୁମୂତ୍ର ରୋଗ ସମ୍ପର୍କରେ ୨୦୦୭ ମସିହାରେ ଇଣ୍ଟରନ୍ୟାସନାଲ ଡାଇବେଟିସ ଫେଡ଼ରେସନ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼େ ଯେ ସାରାବିଶ୍ୱରେ ବହୁମୂତ୍ର ରୋଗୀଙ୍କ ସଂଖ୍ୟାର ଶତକଡ଼ା ୮୦ଭାଗ ହେଉଛନ୍ତି ଭାରତୀୟ । ତେଣୁ ଭାରତ ବିଶ୍ୱର ବହୁମୂତ୍ର ରାଜଧାନୀଭାବେ କୁଖ୍ୟାତି ଅର୍ଜନ କରିଛି । ୪କୋଟି ୯ଲକ୍ଷ ଲୋକ ଭାରତରେ ବହୁମୂତ୍ର ରୋଗୀ । ଏହି ସଂଖ୍ୟା ୨୦୩୦ ସୁଦ୍ଧା ୬କୋଟି ୨୬ଲକ୍ଷରେ ପହଞ୍ଚôବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । (ଦ୍ରଷ୍ଟବ୍ୟ:  http://www.healthaidindia.com/diabetes-curve-in-india) ହୃଦ୍ରୋଗୀଙ୍କ କ୍ଷେତ୍ରରେ ହାରାହାରି ବୟସ ୪୦ବର୍ଷରୁ ୩୦ବର୍ଷକୁ ଖସି ଆସିଲାଣି । ଏମାନଙ୍କର ସଂଖ୍ୟା ୨୦୦୦ ମସିହାରେ ଥିଲା ୨କୋଟି ୯୦ଲକ୍ଷ ଯାହା ୨୦୧୬ ସୁଦ୍ଧା ୬କୋଟି ୪୦ଲକ୍ଷରେ ପହଞ୍ଚôବ ବୋଲି ଆକଳନ କରାଯାଉଛି । (ଦ୍ରଷ୍ଟବ୍ୟ:http://healthindiatimes.com/article shown NCMH Background Papers-Burden of disease in India, 29th Sept 2006, http://docs-google.com) । ତେଣୁ ରାମଦେବଙ୍କର ଦାବି(କେହି କେହି ଏହାକୁ ବାହାସ୍ଫୋଟ ବୋଲି କହିପାରନ୍ତି) ଯେ ସେ ଭାରତର ୧୦କୋଟି ଲୋକଙ୍କୁ ପ୍ରତ୍ୟକ୍ଷ ସେବା ଯୋଗାଇଛନ୍ତି ଓ ୧୦୦କୋଟି ଲୋକଙ୍କର (ଭାରତର ଜନସଂଖ୍ୟା ୧୨୦କୋଟି) ଶ୍ରଦ୍ଧାଭାଜନ ହୋଇଛନ୍ତି ସେମାନଙ୍କୁ ବିଭିନ୍ନ ବେମାରୀରୁ ମୁକ୍ତିଦେଇ, ଆଦୌ ତଥ୍ୟ ସମର୍ଥôତ ନୁହେଁ-ଏହା ଉପରୋକ୍ତ ପରିସଂଖ୍ୟାନରୁ ଜଣାପଡ଼େ । ଏହିଭଳି ଦାବି ଯେ ବେଶ୍ ଫମ୍ପା, ତା’ର ଅଧିକ ବିବରଣୀ ପାଇଁ, ଦ୍ରଷ୍ଟବ୍ୟ: http://bharatswabhimanbachao.com/Ramdev.
ଅନଶନ ପର୍ବ: ଏହିଭଳି ପୃଷ୍ଠଭୂମି ଥିବା ଯୋଗଶିକ୍ଷକ ରାମଦେବ ୪ତାରିଖ ଦିନ (୪/୬/୨୦୧୧)ଦିଲ୍ଲୀର ରାମଲୀଳା ପଡ଼ିଆରେ ଭଜନ କୀର୍ତ୍ତନ କରି-ତାଙ୍କର ଶିଷ୍ୟମାନଙ୍କ ଗହଣରେ (ଯାହା ୬୫ହଜାର ବୋଲି କୁହାଯାଉଛି) ଅନଶନ ଆରମ୍ଭ କଲେ । କିନ୍ତୁ ସରକାର, ଯିଏ ଭାବୁଥିଲେ ଯେ ରାମଦେବ ଅନୁ୍ୟନ ଦୁଇଦିନ ଅନଶନ କରିବେ, ସେହି ୪ତାରିଖ ଦିନ ମଧ୍ୟରାତ୍ର ପରେ ବିରାଟ ପୁଲିସ ବାହିନୀ ପଠାଇ ରାମଦେବଙ୍କର ଅନଶନ ପର୍ବଉପରେ ଯବନିକା ଟାଣିଦେଲେ । ରାମଦେବ, ନାରୀ ବେଶରେ ଲୁଚି ଅନଶନ ସ୍ଥଳୀରୁ ଖସି ପଳାଇ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫକଲେ ଓ ହରିଦ୍ୱାର ପଠାଇଦେଲେ । ଯେଉଁ ସରକାର ସମସ୍ତପ୍ରକାର ପରମ୍ପରା ଭାଙ୍ଗି ରାମଦେବଙ୍କୁ ସ୍ୱାଗତ କରିବାପାଇଁ ତା’ର ବରିଷ୍ଠ ମନ୍ତ୍ରୀମାନଙ୍କୁ ପଠାଇଥିଲା ଓ ଜନ ଲୋକପାଳ ବିଲ୍ ରେ ପ୍ରଧାନମନ୍ତ୍ରୀଙ୍କୁ ଲୋକପାଳଙ୍କ ତଦନ୍ତ ପରିସରଭୁକ୍ତ ପ୍ରସଙ୍ଗ ଉପରେ ଆନ୍ନା ହଜାରେଙ୍କଠାରୁ ଭିନ୍ନମତ କଢ଼ାଇ ପାରିଲା, ସରକାର ଓ ରାମଦେବଙ୍କ ଭିତରେ ଏକ ବୁଝାମଣା ହୋଇଯାଇଛି ବୋଲି ଧାରଣା ସୃଷ୍ଟି କରିପାରିଲା, ସେହି ସରକାର ଅଚାନକ ରାମଦେବଙ୍କ ଶିବିର ଉପରେ ଚଢ଼ଉକରିବା ସମସ୍ତଙ୍କୁ ଚକିତ କରିଦେଇଛି । ରାମଦେବ ତାଙ୍କର ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି ବୋଲି ସରକାର କହୁଥିବା ବେଳେ, ରାମଦେବ ମନ୍ତ୍ରୀ କପିଳ ସିବଲଙ୍କୁ ମିଛୁଆ ବୋଲି କହିଛନ୍ତି । ଅଣକଂଗ୍ରେସ ଦଳ (ଲାଲୁ ପ୍ରସାଦଙ୍କର ରାଷ୍ଟ୍ରୀୟ ଜନତା ଦଳକୁ ବାଦ୍ ଦେଇ) ସରକାରଙ୍କର ଏତାଦୃଶ ମଧ୍ୟରାତ୍ର ପୁଲିସ ଚଢ଼ଉକୁ ନିନ୍ଦା କରିଛନ୍ତି । ବିଜେପି ଓ ଆର୍ଏସ୍ଏସ୍ ଏହାକୁ ୧୯୭୫ମସିହାରେ ଜରୁରୀକାଳିନ ପରିସ୍ଥିତି ଲାଗୁହେବାର ପୂର୍ବରାତିର ପୁନରାବୃତ୍ତ ହେଲା ବୋଲି ଜନମତଙ୍କୁ ସ୍ମରଣ କରାଇଦେଇଛି । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାକୁ ଦୁର୍ଭାଗ୍ୟଜନକ ଘଟଣା କହିଥିବାବେଳେ ଏହାଛଡ଼ା ଆଉ କୌଣସି ରାସ୍ତାନଥିଲା ବୋଲି କହିଛନ୍ତି ।
ଦିଲ୍ଲୀରୁ ବିତାଡ଼ିତ ରାମଦେବ, ଦିଲ୍ଲୀ ପାଖ ଉତ୍ତରପ୍ରଦେଶର ନଏଡ଼ା ଠାରେ ଅନଶନ କରିବାକୁ ଚାହିଁଲେ । ଉତ୍ତରପ୍ରଦେଶର ମାୟାୱତୀ ସରକାର ଯିଏ କି ମଧ୍ୟରାତ୍ର ପୋଲିସ ଚଢ଼ଉକୁ ନିନ୍ଦା କରିଛନ୍ତି- ରାମଦେବଙ୍କୁ ଅନଶନ ପାଇଁ ଅନୁମତି ଦେଲେ ନାହିଁ । ରାମଦେବ ହରିଦ୍ୱାରରେ ଅନଶନ ଆରମ୍ଭ କରିଛନ୍ତି ବୋଲି ସର୍ବଶେଷ ଖବର । ରାମଦେବଙ୍କ ଶିବିର ଉପରେ ଚଢ଼ଉର ପ୍ରତିବାଦରେ ବିଜେପି ତରଫରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା, ଶୋଭାଯାତ୍ରା ହେଉଛି ବୋଲି ମଧ୍ୟ ସର୍ବଶେଷ ଖବର । -ଶୁଦ୍ରକ

Print Friendly, PDF & Email