୧-୧୫/ ୧୬-୩୧ ଜୁନ୍, ୨୦୧୧
୩୪ବର୍ଷ ଧରି ଶାସନରେ ଥିବା ସିପିଏମ୍ ନେତୃତ୍ୱରେ ବାମଫଣ୍ଟ ସରକାରକୁ କ୍ଷମତାରୁ ବିଚୁ୍ୟତ କରିଛି ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଓ ଏହାର ସହଯୋଗୀ ଦଳ । ମାତ୍ର ୫ବର୍ଷ ତଳେ, ୨୦୦୬ ନିର୍ବାଚନରେ ୨୩୩ଟି ସ୍ଥାନ ଅକ୍ତିଆର କରିଥିବା ବାମଫ୍ରଣ୍ଟ, ଚଳିତ ନିର୍ବାଚନରେ ମାତ୍ର ୬୩ଟି ସ୍ଥାନ ହାସଲ କରିବାରେ ସମର୍ଥ ହୋଇଛି । ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସମେତ ବହୁ ଓଜନିଆ ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି ଓ ଏହା ଉଲ୍ଲେଖନୀୟ ଯେ ଏମାନଙ୍କୁ ପରାଜିତ କରିଥିବା ବ୍ୟକ୍ତିମାନେ ପେଶାଦାର ରାଜନୈତିକ ବ୍ୟକ୍ତି ନୁହନ୍ତି । ଯେପରି ବୁଦ୍ଧଦେବଙ୍କୁ ପରାସ୍ତ କରିଛନ୍ତି ମନୀଷ ଗୁପ୍ତା ଓ ଏ ମହାଶୟ ଥିଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ । ଅର୍ଥମନ୍ତ୍ରୀ ଅସୀମ ଦାସଗୁପ୍ତା ପରାଜିତ ହୋଇଛନ୍ତି ବ୍ୟବସାୟୀ ସଂଘ ଫିକି (FICCI)ର ମହାସଚିବ ଅମିତ ମିତ୍ରଙ୍କ ଦ୍ୱାରା । ଏହିଭଳି ଅନେକ ଉଦାହରଣ ରହିଛି, ଅପରପକ୍ଷରେ ମମତାଙ୍କର ତୃଣମୂଳ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ହାସଲ କରିପାରିଛନ୍ତି ୨୨୬ଟି ସ୍ଥାନ । ଗଣମାଧ୍ୟମ ଗର୍ଜୁଛି ଯେ ମମତାର ସୁନାମୀ ଆସିଛି । ଏହିଭଳି ପରିବର୍ତ୍ତନ ପାଇଁ ନନ୍ଦିଗ୍ରାମ ଓ ସିଙ୍ଗୁର ଘଟଣା ଯେ ଦାୟୀ ଏହା ବାମଫଣ୍ଟ ସରକାରର କ୍ରମ ଅବନତି ଓ ତୃଣମୂଳ ପାର୍ଟିର କ୍ରମଉନ୍ନତିକୁ ବିଶ୍ଳେଷଣ କରୁଥିବା ବିଶେଷଜ୍ଞମାନେ ଚିହ୍ନଟ କରୁଛନ୍ତି । ବିଶେଷତଃ ନନ୍ଦିଗ୍ରାମରେ ପୁଲିସଗୁଳିରେ ୧୪ଜଣ ସ୍ଥାନୀୟ ଅଧିବାସୀ ନିହତହେବା ଓ ଏହାଦ୍ୱାରା ଜନ୍ମିତ ଜନଅସନ୍ତୋଷକୁ ରାଜ୍ୟବ୍ୟାପୀ କରାଇବାରେ ମମତା ବାନାର୍ଜୀ ସମର୍ଥ ହେବାର ପରିଣତି ଯେ ବାମଫ୍ରଣ୍ଟର ଶୋଚନୀୟ ପରାଜୟର କାରଣ-ଏହି ନିଷ୍କର୍ଷରେ ଆଲୋଚକମାନେ ଉପନୀତ ହେବା ବେଶ୍ ସାଧାରଣ ହୋଇଛି । ‘ମା, ମାଟି ଓ ମାନୁଷ’ର ଆହ୍ୱାନ ଦେଇ ମମତା ସାଧାରଣ ଲୋକଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରାଇ ପାରିଥିବାରୁ ଯେ ଏପରି ବିଜୟ ହାସଲ କରିପାରିଛନ୍ତି-ତାହା କହିବାଅପେକ୍ଷା-ସିପିଏମ୍ ନେତୃତ୍ୱରେ ବାମଫ୍ରଣ୍ଟ ସରକାରକୁ ଗାଦିଚୁ୍ୟତ କରିବା ପାଇଁ ସାଧାରଣ ଲୋକଭିତରେ ଜିଦ ଏହି ଫଳାଫଳରେ ପ୍ରତିଫଳିତ ହୋଇଛି ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ । ଏହା କେବଳ ଏହି ଫଳାଫଳରେ ଯେ ପ୍ରତିଫଳିତ ହୋଇଛି ତାନୁହେଁ, ୧୪ମାର୍ଚ୍ଚ ୨୦୦୭ (ଯେଉଁଦିନ ନନ୍ଦିଗ୍ରାମରେ ପୁଲିସ ଗୁଳିରେ ୧୪ଜଣ ନିହତ ହେଲେ) ପରେ ପରେ ବିଭିନ୍ନ ସ୍ତରରେ ଯେଉଁ ଯେଉଁ ନିର୍ବାଚନ ମାନ ହୋଇଛି, ପଞ୍ଚାୟତସ୍ତରରୁ ଆରମ୍ଭ କରି ସଂସଦୀୟ ନିର୍ବାଚନ ପର୍ଯ୍ୟନ୍ତ, ସବୁଥିରେ ବାମଫଣ୍ଟକୁ ଅପଦସ୍ଥ ହେବାକୁ ପଡ଼ିଛି । ସତେ ଯେପରି ୨୦୦୬ ବିଧାନସଭା ନିର୍ବାଚନରେ ବାମଫ୍ରଣ୍ଟକୁ ଅଭୂତପୂର୍ବ ସଫଳତା ଦେଇଥିବା ପଶ୍ଚିମବଙ୍ଗର ସାଧାରଣ ଜନତା, ୧୪ମାର୍ଚ୍ଚ ୨୦୦୭ପରେ ବାମଫ୍ରଣ୍ଟକୁ ଉଚିତ ଶିକ୍ଷା ଦେବାପାଇଁ ଯେପରି ସଂକଳ୍ପବଦ୍ଧ ହୋଇଥିଲା । ବାମଫଣ୍ଟ ସରକାରର ଆଜି ବିରୋଧୀ ମମତା ବାନାର୍ଜୀ (ସ୍ମରଣ କରାଯାଇପାରେ ଯେ ମୂଳତଃ କଂଗ୍ରେସଦଳର ମମତା ବାନାର୍ଜୀ ସିପିଏମ୍ ପ୍ରତି କଂଗ୍ରେସର ନରମଭାବ ବିରୋଧରେ ବିଦ୍ରୋହ କରି କଂଗ୍ରେସ ଦଳ ଛାଡ଼ି ତୃଣମୂଳ କଂଗ୍ରେସ ଗଠନ କରିଥିଲେ ।) ଠାରେ ଏହି ଜନମାନସ ଦେଖିଥିଲା ଏକ ସମ୍ଭାବନା । ମମତା ବାନାର୍ଜୀ ମଧ୍ୟ ଏହି ସଂକଳ୍ପକୁ ଠଉରାଇ ପାରି ବାମଫଣ୍ଟ ସରକାର ବିରୋଧରେ ବିରାମହୀନ ସଂଗ୍ରାମ ଜାରି ରଖିଲେ ଯାହାର ପରିଣତି ହେଲା ତାଙ୍କର ବିଜୟ ଓ ବାମଫଣ୍ଟର ପତନ । ସିପିଏମ୍ ନେତୃତ୍ୱରେ ବାମଫଣ୍ଟ ବିରୋଧରେ ଜନଅସନ୍ତୋଷ ଏତେ ତୀବ୍ର ହୋଇଥିଲା ଯେ ସେମାନେ ଅପରାଧ କାଳିମାବୋଳା ୬୯ଜଣ ତୃଣମୂଳ କଂଗ୍ରେସର ବିଧାୟକ ଓ ୧୭ଜଣ କଂଗ୍ରେସ ବିଧାୟକଙ୍କୁ ସିପିଏମ୍ ବିରୋଧରେ ଜୟଯୁକ୍ତ କରାଇବା ପାଇଁ ମଧ୍ୟ ପଛାଇଲେ ନାହିଁ ।
ଏହିଭଳି ଏକ ରାଜନୈତିକ ଦୃଶ୍ୟପଟର ପୃଷ୍ଠଭୂମିରେ ଅନେକେ ପ୍ରଶ୍ନ କରିବା ସ୍ୱାଭାବିକ ଯେ ନନ୍ଦିଗ୍ରାମ ନରସଂହାରର ଏକବର୍ଷ ପୂର୍ବରୁ ୨ଜାନୁଆରୀ ୨୦୦୬ଦିନ କଳିଙ୍ଗନଗର ପୁଲିସ ଗୁଳିରେ ୧୩ଜଣ ଆଦିବାସୀ ଟଳିପଡ଼ିଥିବା ବେଳେ-ଏହି ଘଟଣା ୨୦୦୯ର ବିଧାନସଭା ନିର୍ବାଚନକୁ କାହିଁକି ଓଡ଼ିଶାରେ ପ୍ରଭାବିତ କରିପାରିଲା ନାହିଁ? ବରଂ ୧୦ବର୍ଷ ଧରି ଶାସନରେ ରହିଥିବା ବିଜେଡ଼ି ସରକାର, ଏହି ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ସଫଳତା ହାସଲ କଲା-ଏକା ସରକାର ଗଠନକରିବାରେ ସମର୍ଥ ହେଲା । ଏପରିକି ଯେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ କଳିଙ୍ଗନଗର ଅବସ୍ଥିତ, ଅର୍ଥାତ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡ଼ି ପ୍ରାର୍ଥୀର ବିଜୟ ହେଲା ଯଦିଓ କମ୍ ବ୍ୟବଧାନରେ । ପୁଣି ଯାଜପୁର ଜିଲ୍ଲାର ସମସ୍ତ ବିଧାନସଭା ମଣ୍ଡଳୀରୁ ଓ ସଂସଦ ନିର୍ବାଚନମଣ୍ଡଳୀରୁ ବିଜେଡ଼ି ନିଜ ଗ୍ରାମମାନଙ୍କରେ ହିଁ ବିଜୟ ହେଲା ବହୁ ଭୋଟ ବ୍ୟବଧାନରେ । ଅର୍ଥାତ, ସାରା ଓଡ଼ିଶାରେ ତ ପ୍ରଭାବ ପଡ଼ିବା ଦୂରର କଥା, କଳିଙ୍ଗନଗରର ଘଟଣା ସ୍ଥାନୀୟ ସ୍ତରରେ, ଜିଲ୍ଲାସ୍ତରରେ ମଧ୍ୟ ପ୍ରଭାବ ପକାଇ ପାରିଲା ନାହିଁ-ନିର୍ବାଚନ ଫଳାଫଳରେ । କାହିଁକି ଏପରି ହେଲା?
ଏକ ସ୍ୱାଭାବିକ ଉତ୍ତର ହୋଇପାରେ ଯେ ଓଡ଼ିଶାରେ ମୁଖ୍ୟଧାରାର ରାଜନୈତିକ ଦଳ ଭିତରେ ମମତା ବାନାର୍ଜୀ ତୁଲ୍ୟ ବିରୋଧୀନେତାର ଅନୁପସ୍ଥିତି- ଯିଏ କି କ୍ଷମତାସୀନ ରାଜନୈତିକ ଦଳ ସହିତ କୌଣସି ସାଲିସ ନକରି ବିଜେଡ଼ି ସରକାରର କର୍ପୋରେଟ୍ ପାଇଁ ଅନୁକୂଳ ଓ ସାଧାରଣ ଲୋକର ଜୀବନ ଜୀବିକା ପାଇଁ ପ୍ରତିକୂଳ ନୀତିବିରୋଧରେ ଉଠୁଥିବା ଜନ ଅସନ୍ତୋଷକୁ ସଙ୍ଗଠିତ ଓ ବ୍ୟାପକ କରିପାରିଥାନ୍ତା । ସିପିଆଇ, ସିପିଏମ୍ ଭଳି ବାମପନ୍ଥୀ ଦଳମାନେ ହୁଏତ ବ୍ୟାପକ କରିବାର ଦାୟିତ୍ୱ ସଫଳତାର ସହିତ ନିର୍ବାହ କରିପାରିଥାନ୍ତେ-କିନ୍ତୁ ପଶ୍ଚିମବଙ୍ଗରେ ବାମଫ୍ରଣ୍ଟ ସରକାରର ନଗ୍ନ କର୍ପୋରେଟ୍ ପ୍ରୀତି, ଏମାନଙ୍କର ଭୂମିକାର ବିସ୍ତାରପାଇଁ କାଳ ହେଲା । ଅତି ବିପ୍ଳବୀ ମାନେ ତ ଘୋଷଣା କଲେ ଯେ ମୁଖ୍ୟଧାରାରେ ସମସ୍ତ ରାଜନୈତିକ ଦଳର ଶ୍ରେଣୀ ଚରିତ୍ର ସମାନ ହୋଇଥିବା ବେଳେ କ୍ଷମତାରେ ପରିବର୍ତ୍ତନ ଜୀବନ ଜୀବିକା ପାଇଁ ଓ ଭିଟାମାଟିର ସୁରକ୍ଷାପାଇଁ ଲଢ଼ୁଥିବା ମଣିଷକୁ କୌଣସି ପ୍ରକାର ଆଶ୍ୱସ୍ତି ଆଣିଦେବ ନାହିଁ । ଏ ସବୁର ମିଳିତ ପ୍ରଭାବରେ ବିଜେଡ଼ି ସରକାର କାଏମ ରଖିଲା ତା’ର ଶାସନ । ସାମ୍ପ୍ରଦାୟିକତା ପ୍ରସଙ୍ଗ ଉପରେ, ବିଜେପିକୁ ବିରୋଧ କରିବାକୁ ଅଗ୍ରାଧିକାର ଦେଇ କ୍ଷମତାର ସ୍ୱାଦ ଚାଖିଥିବା ବାମପନ୍ଥୀମାନେ, ବିଜେଡ଼ି ଦଳ ସହ ନିର୍ବାଚନୀ ବୁଝାମଣା କରି ବିଜେଡ଼ିକୁ ନିରଙ୍କୁଶ ବହୁମତର ଅଧିକାରୀ କରିଦେଲେ । କହିବା ବାହୁଲ୍ୟ ଯେକୌଣସି ରାଜନୈତିକ ଦଳ ବିଜେଡ଼ି ସରକାରଙ୍କୁ କ୍ଷମତାଚୁ୍ୟତ କରିବାର ଏକକ ଲକ୍ଷ୍ୟନେଇ, ବଳପୂର୍ବକ ବିସ୍ଥାପନ ଓ ତତ୍ଜନିତ ଜନ ଅସନ୍ତୋଷକୁ ମୁଖ୍ୟପ୍ରସଙ୍ଗ କଲେନାହିଁ-ଯାହା ମମତା ପଶ୍ଚିମବଙ୍ଗରେ କରିପାରିଲେ । ବିଜେଡ଼ି ପତନ ହୋଇଥିଲେ ହୁଏତ ତା’ର ସ୍ଥାନ ସମାନ ଶ୍ରେଣୀଚରିତ୍ର ଥିବା କୌଣସି ରାଜନୈତିକ ଦଳ ନେଇଥାନ୍ତା-କିନ୍ତୁ ଲୋକଙ୍କର ବିଜୟ ତ’ ହୋଇଥାନ୍ତା । ସମ୍ବାଦ ଯାଇଥାନ୍ତା ଯେ ଲୋକବିରୋଧୀ ନୀତି ଯେଉଁ ସରକାର ପ୍ରଣୟନ କରିବେ ଓ କାର୍ଯ୍ୟକାରୀ କରିବେ, ତାକୁ ଲୋକେ କ୍ଷମତାଚୁ୍ୟତ କରାଇପାରିବେ । ଏହା ଓଡ଼ିଶାରେ ହେଲାନାହିଁ- ଯଦିଓ ସମସ୍ତ ପ୍ରକାର ପରିବେଶ ଏଥିପାଇଁ ସୃଷ୍ଟି ହୋଇଥିଲା । ଯଦି କୁହାଯାଏ ଯେ କୌଣସି ରାଜନୈତିକ ଦଳ ଲୋକଙ୍କର ବିଜୟ ପ୍ରତିପାଦିତ ହେବା ଚାହାନ୍ତି ନାହିଁ-ଚାହାନ୍ତି ତାଙ୍କ ଦଳର ବିଜୟ ସାବ୍ୟସ୍ତ ହେବା-ତା’ହେଲେ ବୋଧହୁଏ ଭୁଲ୍ ହେବ ନାହିଁ । ଅପରପକ୍ଷରେ ଲୋକେ ମଧ୍ୟ ଦେଖିଲେ ଯେ ଦିବାଲୋକରେ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ରାଜନୈତିକ ଦଳଗୁଡ଼ିକ, ସନ୍ଧ୍ୟାପରେ କ୍ଷମତାସୀନ ଦଳର ପ୍ରାଙ୍ଗଣରେ ।
ଓଡ଼ିଶାରେ ବୁଦ୍ଧିଜୀବୀ ଯାହା କଳାକାର, କବି, ଲେଖକ, ଚିତ୍ରକର ଇତ୍ୟାଦିଙ୍କୁ ନେଇ ଗଠିତ; ପଶ୍ଚିମବଙ୍ଗର ବୁଦ୍ଧିଜୀବୀଙ୍କ ପରି ବିଭାଜିତ ନୁହନ୍ତି । ନନ୍ଦିଗ୍ରାମ ଓ ସିଙ୍ଗୁରଘଟଣାର ପ୍ରତିବାଦ କରି କଲିକତାରେ ବୁଦ୍ଧିଜୀବୀଙ୍କର ଗୋଟିଏ ଶୋଭାଯାତ୍ରା ବାହାରିଥିବାବେଳେ ବାମଫଣ୍ଟ ସରକାରଙ୍କ ସମର୍ଥନରେ ବୁଦ୍ଧିଜୀବୀଙ୍କର ଆଉ ଏକ ଶୋଭାଯାତ୍ରା ମଧ୍ୟ ବାହାରିଥିଲା । ଅର୍ଥାତ ପଶ୍ଚିମବଙ୍ଗରେ ସରକାର ସମର୍ଥନରେ ବୁଦ୍ଧିଜୀବୀ ଓ ସରକାର ବିରୋଧୀ ବୁଦ୍ଧିଜୀବୀ ମଧ୍ୟରେ ବିଭାଜନ ବେଶ୍ ସ୍ପଷ୍ଟ ଥିଲା (ଅବଶ୍ୟ ଚଳଚ୍ଚିତ୍ର ନିଦେ୍ର୍ଧଶକ ସ୍ୱନାମଧନ୍ୟ ମୃଣାଳ ସେନ୍ ଏହି ଦୁଇଗୋଷ୍ଠୀ ବୁଦ୍ଧିଜୀବୀଙ୍କର ଶୋଭାଯାତ୍ରାରେ ସାମିଲ ହେବା ଏକ ବିରଳ ଘଟଣା ଥିଲା) । ଓଡ଼ିଶାରେ ସରକାରବିରୋଧୀ ବୁଦ୍ଧିଜୀବୀଙ୍କର ଅସ୍ତିତ୍ୱ ନାହିଁ କହିଲେ ଅତୁ୍ୟକ୍ତି ହେବନାହିଁ । ଓଡ଼ିଆ କବି, ଲେଖକ, ଚିତ୍ରକର ଆଦି ସୃଜନୀ ବ୍ୟକ୍ତିମାନେ ସରକାରୀ ସମ୍ମାନ, ପୁରସ୍କାର, କମ୍ପାନୀମାନଙ୍କର ପୃଷ୍ଠପୋଷକତା ପାଇଁ ଏତେ ବ୍ୟାକୁଳ ଯେ ସେମାନେ ସରକାର ବା କମ୍ପାନୀ ବିରୋଧରେ ଯାଇ ନିଜକୁ ପୁରସ୍କାର, ସମ୍ମାନ ଓ ପୃଷ୍ଠପୋଷକତାରୁ ବଞ୍ଚôତ କରିବାକୁ ଚରମ ନିର୍ବୋଧତା ବୋଲି ବିଚାର କରନ୍ତି । ତେଣୁ କୌଣସି ଜନଆନେ୍ଦାଳନର ସମର୍ଥନରେ, ସରକାରଙ୍କର ଜନବିରୋଧୀ ନୀତି ବିରୋଧରେ, ଏମାନେ ରାଜରାସ୍ତାକୁ ଶୋଭାଯାତ୍ରା କରିବା ପାଇଁ ଓହ୍ଲାଇ ଆସିନାହାନ୍ତି । ୨୦୦୯ବିଧାନସଭା ନିର୍ବାଚନରେ ଏହି ବୁଦ୍ଧିଜୀବୀ ଗୋଷ୍ଠୀର କୌଣସି ଭୂମିକା ଦୃଶ୍ୟମାନ ନହେବା ତେଣୁ ଅସ୍ୱାଭାବିକ ନୁହେଁ ।
ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ନିଶ୍ଚିତ ଭାବରେ ଚକ୍ଷୁଉନ୍ମେଷକାରୀ-ବିଶେଷତଃ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ପାଇଁ ଓ ବୁଦ୍ଧିଜୀବୀଙ୍କ ପାଇଁ । ଏକ ସାଲିସବିହୀନ ଭାବମୂର୍ତ୍ତି କିପରି ଜନଅସନ୍ତୋଷକୁ ଏକ ନିର୍ଣ୍ଣାୟକ ପରିଣତିରେ ପହଞ୍ଚାଇ ପାରେ- ତାହାର ଏକ ଅକାଟ୍ୟ ସମ୍ବାଦ ବହନକରେ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ । ଜନଅସନ୍ତୋଷକୁ ନିର୍ଣ୍ଣାୟକ ପରିଣତିରେ ପହଞ୍ଚାଇବା ଦିଗରେ ବୁଦ୍ଧିଜୀବୀର ଯେ ଏକ ନିଶ୍ଚିତ ଭୂମିକା ରହିଛି-ଏହି ଆହ୍ୱାନ ଦିଏ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ । ଗଣତନ୍ତ୍ରରେ ଲୋକଙ୍କର ବିଜୟ ହିଁ ସର୍ବଶେଷ କଥା- ରାଜନୈତିକ ଦଳହେଉଛି ଏକ ମାଧ୍ୟମ-ଏହି ଉପଲବ୍ଧô-ଓଡ଼ିଶାର ରାଜନେତା ଓ ବୁଦ୍ଧିଜୀବୀମାନେ କରିପାରିଲେ-ଗଣତନ୍ତ୍ର ପ୍ରତି ଆନ୍ତରିକତା ସାବ୍ୟସ୍ତହେବ- ଓ ସରକାରର ଚରିତ୍ର ଲୋକବିରୋଧୀ ହେଲେ- ତା’ର ପରମାୟୁ ହ୍ରାସପାଇବା ନିଶ୍ଚିନ୍ତ ହୋଇଯିବ । -ଶୁଦ୍ରକ