୨୦୪୭-ଅଗଷ୍ଟ ୧୫: ବାଜା ବଜାରେଙ୍କ ଅନଶନ

  • 04/09/2015

(ଏକ ରମ୍ୟରଚନା)
ଭାରତ ସ୍ୱାଧୀନ ହେବାର ୧୦୦ବର୍ଷ ପୂରିଗଲା । ସାରାଦେଶର କ୍ଷମତାସୀନ ରାଜନେତା ଓ ତାଙ୍କର ସହଯୋଗୀମାନେ ଏକ ଉତ୍ସବମୁଖର ପରିବେଶରେ ପରସ୍ପରକୁ କୋଳାକୋଳି କରିବାରେ ଯେତେବେଳେ ବ୍ୟସ୍ତ, ସେତେବେଳେ ଗଣମାଧ୍ୟମରେ ନିରନ୍ତର ପ୍ରସାରିତ ହେଉଛି ଜନ୍ତରମନ୍ତରଠାରେ ବାଜା ବଜାରେ ଅନଶନରେ ବସିବାର ଦୃଶ୍ୟ । ଭାରତ ଯେଉଁଦିନ ସ୍ୱାଧୀନ ହୋଇଥିଲା -୧୯୪୭ଅଗଷ୍ଟ ୧୫ତାରିଖ ଦିନ, ଦୁଇଜଣ ବ୍ୟକ୍ତି ଅନଶନ କରୁଥିଲେ ବୋଲି ଇତିହାସ କୁହେ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଚୌଧୁରୀ । ଗାନ୍ଧୀ କରୁଥିଲେ ଅନଶନ ନଗ୍ନ ସାମ୍ପ୍ରଦାୟିକତା ବିରୋଧରେ । ଗୋପବନ୍ଧୁ ଚୌଧୁରୀ କରୁଥିଲେ ଅନଶନ ଆତ୍ମଶୁଦ୍ଧି ପାଇଁ-ସ୍ୱାଧୀନ ଭାରତର ଦାୟିତ୍ୱକୁ ସାମ୍ନା କରିବାପାଇଁ । ଗତ ୧୦୦ ବର୍ଷ ଭିତରେ ବହୁ ଅନଶନ ହୋଇଛି-କିଛି ପ୍ରକୃତ, କିଛି କୃତ୍ରିମ । ଅନଶନ ଏକ ହତିଆର ହୋଇଛି-ଚାପ ସୃଷ୍ଟି କରିବାପାଇଁ । ୩୬ବର୍ଷ ତଳେ ୨୦୧୧ ମସିହା ଏପ୍ରିଲ ୫ତାରିଖ ଦିନ, ମହାରାଷ୍ଟ୍ରର ଜଣେ ସମାଜକର୍ମୀ ‘ଆନ୍ନା ହଜାରେ’ ଅନଶନ କରିଥିଲେ ଏକ ଜନଲୋକପାଳ ବ୍ୟବସ୍ଥାର ପ୍ରଚଳନ ପାଇଁ । ଦୁର୍ନୀତି ସର୍ବବ୍ୟାପୀ ହୋଇଯିବା ଦେଖି ସେ ଏହିଭଳି ଦାବିରଖି ଅନଶନ ଆରମ୍ଭ କରିଥିଲେ । ସମ୍ବିଧାନ ଦ୍ୱାରା ସ୍ୱୀକୃତ ସମସ୍ତ ଅନୁଷ୍ଠାନ, କାର୍ଯ୍ୟପାଳିକା, ନ୍ୟାୟପାଳିକା, ବ୍ୟବସ୍ଥାପିକା ଇତ୍ୟାଦି ଦୁର୍ନୀତିଗ୍ରସ୍ତ ହୋଇପଡ଼ିଥିବା ବେଳେ ଏମାନଙ୍କ ଊଦ୍ଧ୍ୱର୍ରେ ଏକ ଦୃଢ଼ ଜନଲୋକପାଳ ସୃଷ୍ଟି କରାଗଲେ ଦୁର୍ନୀତି ଲୋପ ପାଇବ ବୋଲି ସେ ଯୁକ୍ତି କରିଥିଲେ । ତକ୍ରାଳୀନ ସରକାର ଆନ୍ନା ହଜାରେଙ୍କ ଯୁକ୍ତିକୁ ସମ୍ମାନଦେଇ ଜନଲୋକପାଳ ସୃଷ୍ଟି କରିଲେ । ଏବେ ଅଭିଯୋଗ ଯେ ଏହି ଜନଲୋକପାଳ ବ୍ୟବସ୍ଥାଭିତରେ ମଧ୍ୟ ଦୁର୍ନୀତି ପଶିଛି । ଯେଉଁମାନେ ବୁଝିଛନ୍ତି ଯେ ଶରୀର ଥିଲେ ରୋଗ ଯେପରି ଅବଶ୍ୟମ୍ଭାବୀ, ଅନୁଷ୍ଠାନଟିଏ ହେଲେ ଦୁର୍ନୀତି ସେହିଭଳି ଅବଶ୍ୟମ୍ଭାବୀ-ସେମାନେ ଜନଲୋକପାଳ ବ୍ୟବସ୍ଥା ଭିତରେ ଦୁର୍ନୀତି ପ୍ରବେଶର ଅଭିଯୋଗ ଶୁଣି ଆଦୌ ଆଶ୍ଚର୍ଯ୍ୟ ନୁହନ୍ତି । କିନ୍ତୁ ବାଜା ବଜାରେ ଏହା ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେ ଏକ ଦୃଢ଼ ମହା ଜନଲୋକପାଳ ବ୍ୟବସ୍ଥାର ପ୍ରଚଳନ ଦାବି କରି ଅନଶନରେ ବସିଛନ୍ତି । ଗତ ୩୬ବର୍ଷ ଭିତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକ ବିକଶିତ ହୋଇଥିବାରୁ, ମୋବାଇଲ ଫୋନ୍, ଇଣ୍ଟରନେଟ୍ ଆଦି ଅଧିକ ବ୍ୟାପକ ହୋଇଥିବାରୁ-ତାଙ୍କ ନିକଟକୁ ସମର୍ଥନ ମେସେଜ୍ର ବନ୍ୟା ଆରମ୍ଭ ହୋଇଛି । ଗତ କିଛିବର୍ଷ ଧରି ବିକାଶର ହାର ଦୁଇଅଙ୍କ ସଂଖ୍ୟାକୁ ଟପି ଯାଇଥିବାରୁ ଓ ଅଧିକସଂଖ୍ୟକ କୋଟିପତି ସୃଷ୍ଟି ହୋଇଥିବାରୁ ବାଜା ବଜାରେଙ୍କ ଅନଶନର ଆୟୋଜନ ବେଶ୍ ଆକର୍ଷଣୀୟ ହୋଇଛି । ବାଜା ବଜାରେଙ୍କ ଅନଶନପାଇଁ ଆଦାୟ ହୋଇଥିବା ଅର୍ଥ ଆଗରେ ଆନ୍ନା ହଜାରେଙ୍କର ଅନଶନ ପାଇଁ ଆଦାୟ ହୋଇଥିବା ୮୨ ଲକ୍ଷ ଟଙ୍କା ନଗଣ୍ୟ ବୋଲି ମନେହେଉଛି । ଆନ୍ନା ହଜାରେଙ୍କର ତରୁଣ ସମର୍ଥକମାନେ ଇତ୍ୟବସରରେ ବୃଦ୍ଧ ହୋଇଯାଇଛନ୍ତି ଓ ବାଜାବଜାରେଙ୍କ ସହ ଅନଶନରେ ବସି ଗଣମାଧ୍ୟମର କ୍ୟାମେରାରେ ସହର୍ଷ କୈଦ ହେଉଛନ୍ତି । ସରକାର ବାଜା ବଜାରେଙ୍କ ଦାବିକୁ ମାନିନେବେ ବୋଲି ଇଶାରା ଦେଇଛନ୍ତି । ତେବେ ଜନଲୋକପାଳ ବ୍ୟବସ୍ଥାକୁ ଉଚ୍ଛେଦ କରି ତା’ସ୍ଥାନରେ ମହା ଜନଲୋକପାଳ ବ୍ୟବସ୍ଥା କାର୍ଯ୍ୟକରିବେ-ତାହା ହିଁ ବିବାଦୀୟ ହୋଇଛି । ତେବେ ମହା ଜନଲୋକପାଳ ବିଲ୍ର ଚିଠା ପ୍ରସ୍ତୁତିପାଇଁ ପ୍ରସ୍ତାବିତ କମିଟିରେ କେଉଁମାନେ ସଭ୍ୟ ରହିବେ ତାହାର ଚୟନ ସମ୍ପୂର୍ଣ୍ଣ ଭାବେ ବାଜା ବଜାରେଙ୍କ ଉପରେ ଛାଡ଼ି ଦିଆଯାଇଛି । ଆନ୍ନା ହଜାରେଙ୍କ ସମୟରେ ଏହି ଦାୟିତ୍ୱ ସରକାର ଓ ଭଦ୍ରସମାଜ ଭିତରେ ସମଭାବରେ ବଣ୍ଟା ଯାଇଥିଲା । କିନ୍ତୁ ୩୬ବର୍ଷ ଭିତରେ ଗଣତନ୍ତ୍ର ଅଧିକ ପରିପକ୍ୱ ହୋଇଥିବାରୁ ସରକାର ବାଜା ବଜାରେଙ୍କ ହାତରେ ଚୟନ ଦାୟିତ୍ୱ ଛାଡ଼ି ଦେଇଛନ୍ତି ବୋଲି ଘୋଷଣା କରିଛନ୍ତି ।
-ଶୁଦ୍ରକ

Print Friendly, PDF & Email