କାହିଁକି ଜନ୍ତରମନ୍ତରରେ ଆନ୍ନା ଅନଶନରେ ବସିଲେ ନାହିଁ?

  • 04/09/2015

ଏହା କହୁଛନ୍ତି ଏକଦା ଆନ୍ନା ହଜାରେଙ୍କର ଜବରଦସ୍ତ ସମର୍ଥକ, ପୂର୍ବତନ ଆଇପିଏସ୍ ଅଫିସର ଓ ସମ୍ପ୍ରତି ଓକିଲ ଶ୍ରୀ ଯୋଗେଶ ପ୍ରତାପ ସିଂହ । (ଦ୍ରଷ୍ଟବ୍ୟ:Chasing a Mirage, Tehelka, 30 April 2011)
ଯୋଗେଶପ୍ରତାପ ସିଂହ ମୁମ୍ବାଇରେ ପୁଲିସ ଅଫିସର ଥିବାବେଳେ ଆନ୍ନା ହଜାରେଙ୍କର ଅନଶନରେ ଯୋଗ ଦେଇଥିଲେ । ସେ ଦିନ ଥିଲା ଅଗଷ୍ଟ ୯, ଅଗଷ୍ଟ କ୍ରାନ୍ତି ଦିବସ, ୨୦୦୩ମସିହା । ଆନ୍ନା ଅନଶନରେ ବସିଥିଲେ ଦୁର୍ନୀତି ବିରୋଧୀ ବ୍ୟବସ୍ଥାର ଦାବି ନେଇ । ସିଂହ ମହାଶୟ ଆନ୍ନାଙ୍କ ପାଖରେ ହିଁ ବସୁଥିଲେ ଆନ୍ନାଙ୍କ ଅନଶନ କାଳରେ । ସେତେବେଳେ ବହୁ କମ୍ ବୁଦ୍ଧିଜୀବୀ ସାମିଲ ହୋଇଥିଲେ- ବେଶୀ ସାମିଲ ହୋଇଥିଲେ ଗ୍ରାମାଞ୍ଚଳ ଲୋକେ, ଯେଉଁମାନେ ଆନ୍ନାଙ୍କର ଥିଲେ ସମର୍ଥକ । ଆଠଦିନ ପରେ ରାଜ୍ୟ ସରକାର ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କଲେ । କିଛି ନିଷ୍ପତ୍ତ ମଧ୍ୟ ନିଆଗଲା ପଞ୍ଚାୟତ ସ୍ତରରେ ବିକ୍ରେନ୍ଦୀକରଣ ପାଇଁ ।
ସିଂହ ମହାଶୟ କିନ୍ତୁ ପଡ଼ିଗଲେ ସରକାରଙ୍କ ବିଷ ଦୃଷ୍ଟିରେ । ନାଗପୁରକୁ ବଦଳିହେଲା । ପରିସ୍ଥିତି ଏପରି ହେଲା ଯେ ଦୁଇବର୍ଷ ଭିତରେ ସିଂହ ମହାଶୟ ଆଇପିଏସ୍ ଛାଡ଼ିଲେ । କିନ୍ତୁ ଏଥିପାଇଁ ସେ ଅନୁତପ୍ତ ହୋଇନଥିଲେ । ସେ ବେଶ୍ ଆଶାବାନ୍ ଥିଲେ ଯଦିଓ ଆନ୍ନାଙ୍କର କେତେକ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ସେ ବିଶେଷ ଉତ୍ସାହିତ ହେଉନଥିଲେ । ଆନ୍ନା ଆଧୁନିକ ସମୟର ଜଟିଳତାକୁ ବୁଝିବା କ୍ଷେତ୍ରରେ ଥିଲେ ବେଶ୍ ସୀମିତ । କିନ୍ତୁ ବହୁତ ଶୀଘ୍ର ସେ ବୁଝିପାରିଥିଲେ ଯେ ଆନ୍ନାଙ୍କ ସମ୍ପର୍କରେ ତାଙ୍କର ଧାରଣା ଏକ ମରିଚୀକା ଥିଲା । ବାସ୍ତବିକତାର ସାମ୍ନାସାମ୍ନି ହେଲାରୁ ତାଙ୍କର ମୋହଭଙ୍ଗ ହେଲା । ଏହି ମୋହଭଙ୍ଗ ହିଁ କାରଣ ଯେ ସିଂହ ମହାଶୟ ଜନ୍ତରମନ୍ତରରେ ୫ଏପ୍ରିଲ ୨୦୧୧ ଦିନ ଆରମ୍ଭ ହୋଇଥିବା ଆନ୍ନାଙ୍କ ଅନଶନରେ ଭାଗ ନେଲେନାହିଁ ।
କ’ଣ ସବୁଥିଲା ମୋହ ଭଙ୍ଗର କାରଣ?
ପ୍ରଥମ କାରଣଥିଲା ଆନ୍ନା ଯଦିଓ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ-କିନ୍ତୁ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବେଶ୍ ସମ୍ମୋହିତ ହୋଇଯାଉଥିଲେ । ଯଦି ତାଙ୍କୁ କେହି ବରିଷ୍ଠ ରାଜନୈତିକ ବ୍ୟକ୍ତି ବା ମନ୍ତ୍ରୀ ନିମନ୍ତ୍ରଣ ଜଣାଉଥିଲା-ସେ କୃତ୍ୟକୃତ୍ୟ ହୋଇଯାଉଥିଲେ । ତା’ପରେ ସେ ନାଲିବତୀ ଲାଗିଥିବା ସରକାରୀଗାଡ଼ିରେ ବୁଲିବା ଆରମ୍ଭ କରିଦେଇଥିଲେ । ଥରେ ସିଂହ ମହାଶୟ ତାଙ୍କ ସହିତ ଏହିଭଳି ଗାଡ଼ିରେ ବସିଥିଲେ । ଦାଦରଠାରେ ଓହ୍ଲାଇ ପଡ଼ିବାପରେ ମାଲବାର ହିଲଠାରେ ଅବସ୍ଥିତ ଏକ ବିଳାସପୂର୍ଣ୍ଣ ସରକାରୀ ଗେଷ୍ଟହାଉସକୁ ଯାଇଥିଲେ- ଯେଉଁଠାରେ ବଡ଼ ବଡ଼ ଲୋକ ରୁହନ୍ତି ।
ଦ୍ୱିତୀୟ କାରଣ ଥିଲା ଆନ୍ନାଙ୍କର ପ୍ରସିଦ୍ଧିପାଇଁ ବ୍ୟାକୁଳତା । ଯାହାର ଖୁବ୍ ଫାଇଦା ନେଉଥିଲେ ସରକାର । ଆଇ.ଏ.ଏସ୍ ଅଫିସରମାନଙ୍କ ସଭାରେ ତାଙ୍କୁ ସଭାପତି କରାଯାଉଥିଲା । ମନ୍ତ୍ରଣାଳୟରେ ଏକ ସ୍ୱତନ୍ତ୍ର କୋଠରୀ ଆନ୍ନାଙ୍କୁ ଦିଆଯାଇଥିଲା- ଯେଉଁଠାରେ ତାଙ୍କ ଲୋକେ ସେମାନଙ୍କର ଅଫିସ ପ୍ରକୋଷ୍ଠ ଭାବେ ଏହି କୋଠରୀର ବ୍ୟବହାର କରୁଥିଲେ ।
ମୋଟାମୋଟି ଭାବରେ ମହାରାଷ୍ଟ୍ର ସରକାର ଭିତରେ ଆନ୍ନା ହୋଇଥିଲେ ଏକ ସମ୍ବିଧାନ ବାହାରର ମୁଖିଆ । ସ୍ୱାଭାବିକ, ଯଦିଓ ରାଜ୍ୟରେ ଦୁର୍ନୀତି ବେଶ୍ ବ୍ୟାପିଥିଲା, ଆନ୍ନା କିନ୍ତୁ ସରକାର ସହିତ ସମ୍ପୃକ୍ତ କୌଣସି ବ୍ୟକ୍ତିପାଇଁ ବିପଦ ହୋଇ ରହିନଥିଲେ ।
ତଥାପି ଏହି ସବୁ କାରଣଗୁଡ଼ିକୁ ସିଂହ ମହାଶୟ ଛୋଟକଥା କହି ଉପେକ୍ଷା କରିଦେଉଥିଲେ । କିନ୍ତୁ ସେ ଉପେକ୍ଷା କରିପାରିଲେ ନାହିଁ ଆନ୍ନାଙ୍କର ଆଦର୍ଶ ସୋସାଇଟି ଓ ଲାଭାସା ପ୍ରକଳ୍ପ ପ୍ରତି ଆଭିମୁଖ୍ୟକୁ । ଆଦର୍ଶ ସୋସାଇଟି ଦୁର୍ନୀତିରେ ବିଳାସ ରାଓ ଦେଶମୁଖ ଓ ସୁଶୀଲ କୁମାର ସିନେ୍ଧଙ୍କର ସମ୍ପୃକ୍ତି ପ୍ରତି ସେ ନୀରବ ରହିଲେ । ତାଙ୍କର ନୀରବତାର କାରଣ ପଛରେ ଥିଲା ତାଙ୍କର ନିଷ୍ପତ୍ତ ଯେ ମହାରାଷ୍ଟ୍ରରୁ ଯେଉଁମାନେ କେନ୍ଦ୍ର କ୍ୟାବିନେଟ୍ରେ ମନ୍ତ୍ରୀ-ସେମାନଙ୍କ ବିରୁଦ୍ଧରେ ସେ କିଛି କହିବେ ନାହିଁ । ଲାଭାସା ପ୍ରକଳ୍ପକୁ କେନ୍ଦ୍ର କରି ଶରଦ ପାୱାରଙ୍କୁ ଯେପରି ବିରୋଧ କରାଯିବା କଥା, ସେପରି ହେଲାନାହିଁ । ଲୋକଦେଖାଣିଆ, ସେ ଅବଶ୍ୟ କିଛି କିଛି ମନ୍ତବ୍ୟ କରିଥିଲେ ।
ଜନ୍ତରମନ୍ତରରେ ଆନ୍ନା ଅନଶନ କଲେ । କିନ୍ତୁ ଲାଭାସା ପ୍ରକଳ୍ପରେ ଶରଦ ପାୱାରଙ୍କ ବିରୁଦ୍ଧରେ ବା ଦେଶମୁଖ ଓ ସିନେ୍ଧଙ୍କ ବିରୁଦ୍ଧରେ ମଧ୍ୟ କିଛି କହିଲେ ନାହିଁ । ସିଂହ ମହାଶୟଙ୍କ ଭାଷାରେ ଜନଲୋକପାଳ ବିଲ୍ର ଦାବି ହାତକୁ ନେବାପୂର୍ବରୁ ପାୱାର, ଦେଶମୁଖ ଓ ସିନେ୍ଧଙ୍କ ବିରୋଧରେ ହିଁ ଆନ୍ନା କହିବା ଉଚିତ ଥିଲା ।
-ଶୁଦ୍ରକ

Print Friendly, PDF & Email