ଆନ୍ନା ନାମା

  • 04/09/2015

୧୬-୩୦ ଏପ୍ରିଲ, ୨୦୧୧

ଆନ୍ନା କହିଲେ ଗଣମାଧ୍ୟମ ସହ ସମ୍ପର୍କରେ ଥିବା ପ୍ରତ୍ୟେକ ବ୍ୟକ୍ତି ଆଜି ଆନ୍ନା ହଜାରେଙ୍କୁ ହିଁ ଚିହ୍ନେ । ପ୍ରକୃତ ନାଁ ହେଉଛି କିସନ ୱାପଟ ବାବୁରାଓ ହଜାରେ । ସତୁରୀ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏହି ବ୍ୟକ୍ତିଙ୍କର ଶୈକ୍ଷିକ ଓ ବୃତ୍ତିଗତ ପୃଷ୍ଠଭୂମି ହେଉଛି ଅତିସାଧାରଣ । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାଁସିଦ୍ଧି ଗ୍ରାମର ଅଧିବାସୀ ଏହି ବ୍ୟକ୍ତିଙ୍କର ଶିକ୍ଷାଗତ ଯୋଗ୍ୟତା ସାମାନ୍ୟ । ବୃତ୍ତିରେ ସେ ଥିଲେ ସେନା ବାହିନୀରେ ଟ୍ରକଚାଳକ । ୧୫ବର୍ଷ ଚାକିରୀ କରିସାରିଲାପରେ ସ୍ୱେଚ୍ଛାକୃତ ଅବସର ନେଇ ସେ ଫେରିଲେ ନିଜ ଗାଁକୁ ଉତ୍ତର ସତୁରୀ ଦଶକରେ । ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ତରୁଣମାନଙ୍କୁ ଏକାଠି କଲେ । ମଦ ବିରୁଦ୍ଧରେ ଆନେ୍ଦାଳନ କଲେ । ଜଳଛାୟା (Watershed) ପ୍ରକଳ୍ପ ନିଜ ଗାଁରେ କାର୍ଯ୍ୟକାରୀ କଲେ । ବର୍ଷାଜଳର ସଂରକ୍ଷଣ (Rain water Harvesting) କରାଇଲେ । ସେହି ସମୟରେ ଏନ୍.ଜି.ଓ (NGO) ସଂସ୍କୃତିର ମୂଳଦୁଆ ପଡ଼ୁଥାଏ । ସରକାରୀ ଅନୁଦାନ ନେଇ ଆନ୍ନା ଏହିଭଳି ରଚନାତ୍ମକ କାର୍ଯ୍ୟରେ ଲିପ୍ତ ରହିଲେ । ସ୍ୱାଭାବିକ ଏହିଭଳି କର୍ମୀ ଜୀବନରେ ସେ ଚାହିଁଥିବା ସୂଚନାକୁ ସରକାରୀ ଅଧିକାରୀମାନେ ହାତଛଡ଼ା କରିବାକୁ କୁଣ୍ଠିତ ହୋଇଥିବେ ବା ଅନୁଦାନ ଆଣିବା ସମୟରେ ଲାଞ୍ଚ ଦାବି କରିଥିବେ, ଯାହା ସାମରିକ ଜୀବନର ଶୃଙ୍ଖଳାରେ ଅଭ୍ୟସ୍ତ ଆନ୍ନା ହଜାରେଙ୍କ ମନକୁ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହୀ କରାଇଥିବ । ସ୍ୱାଧୀନ ଭାରତର ନାଗରିକଭାବେ ସୂଚନା ପାଇବାର ଅଧିକାର ଯେ ତାଙ୍କର ରହିଛି, ତାହା ସେ ଅନୁଭବ କରିଥିବେ । ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ମଧ୍ୟ ସେ ଅନୁଭବ କରିଥିବେ । କିନ୍ତୁ ଏହି ଅନୁଭବକୁ ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଯ୍ୟକ୍ରମରେ ପରିଣତ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହାତରୁ, ୧୯୮୬ମସିହାରେ ଗ୍ରହଣ କଲେ ଭାରତ ସରକାରଙ୍କର ଇନ୍ଦିରା ପ୍ରିୟଦର୍ଶିନୀ ବିକାଶ ମିତ୍ର ପୁରସ୍କାର । ମହାରାଷ୍ଟ୍ର ସରକାରଙ୍କର କୃଷିଭୂଷଣ ପୁରସ୍କାର ଦ୍ୱାରା ମଧ୍ୟ ସେ ସମ୍ମାନିତ ହେଲେ । ୧୯୯୦ରେ ପାଇଲେ ପଦ୍ମଶ୍ରୀ । ୧୯୯୧ ମସିହାରେ ନିଜ ଗାଁରେ ଆରମ୍ଭ କଲେ ଭ୍ରଷ୍ଟାଚାର ବିରୋଧୀ ଜନଆନେ୍ଦାଳନ । ୧୯୯୨ ମସିହାରେ ପାଇଲେ ପଦ୍ମଭୂଷଣ । ଶରଦ ପାୱାରଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ (୬/୩/୧୯୯୯ରୁ ୧୪/୩/୧୯୯୫)ସେ ଶରଦ ପାୱାର ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ବିରୁଦ୍ଧରେ ଆଣିଲେ ଗୁରୁତର ଅଭିଯୋଗ । ୧୨ଜଣ ଜଙ୍ଗଲ ବିଭାଗ ଅଫିସରଙ୍କ ବରଖାସ୍ତ ଦାବିରେ ଆମରଣ ଅନଶନରେ ବସିଲେ । ଏହା ଥିଲା ବିଜେପି-ଶିବସେନା କ୍ଷମତା ଦଖଲର ପୂର୍ବ ଘଟଣା । ଆନ୍ନାଙ୍କ ସହ ସ୍ୱର ମିଳାଇଥିଲେ ବିଜେପି-ଶିବସେନା; ପାୱାର ସରକାରଙ୍କ ବିରୋଧରେ । ୧୯୯୭ରେ ସେ ତକ୍ରାଳୀନ ମହାରାଷ୍ଟ୍ର ମନ୍ତ୍ରୀ ମଣ୍ଡଳର ସମାଜ ମଙ୍ଗଳ ମନ୍ତ୍ରୀ ଶିବସେନାର ବାବୁରାଓ ଘୋଲାପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଘୋଲାପ ତାଙ୍କ ବିରୋଧରେ ମାନହାନୀ ମକଦ୍ଧମା ଦାଏର କରିଥିଲେ । ୧୯୯୮ମସିହା ସେପ୍ଟେମ୍ବର ମାସ, ଆନ୍ନା ତିନିମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ । ଏହା ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା । ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣରେ ସମ୍ମାନିତ ବ୍ୟକ୍ତି ଜେଲ୍ରେ । ଦାବି ହେଲା ତାଙ୍କୁ ମୁକ୍ତକରିବା ପାଇଁ । ସରକାର ଏହି ଦାବିକୁ ମାନିନେଲେ । ଆନ୍ନା ମୁକ୍ତହେଲେ । (ପାଠକେ ଭାବୁଥିବେ ସରକାର ବିନାୟକ ସେନ୍ଙ୍କୁ କାହିଁକି ଏତେ ଦାବି ସତ୍ତ୍ୱେ, ଯେତେବେଳେ ଦାବି କରୁଥିବା ବ୍ୟକ୍ତିଙ୍କ ଭିତରେ ଅନେକ ନୋବେଲ ପୁରସ୍କାର ବିଜେତା ଅଛନ୍ତି, ତାଙ୍କୁ ମୁକ୍ତ କରୁନାହାନ୍ତି କାହିଁକି?) ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ଠାରୁ ଆନ୍ନା ଗ୍ରହଣକଲେ ଏସବଦ୍ଭଗ୍ଧଗ୍ଦ’ Giants’ International Award. ଏହି ସମୟରେ ଆନ୍ନା ସକ୍ରିୟ ଥିଲେ ସୂଚନାର ଅଧିକାର ଆଇନ ହେବା ସପକ୍ଷରେ । ମହାରାଷ୍ଟ୍ର ସୂଚନା ଅଧିକାର ଆଇର -୨୦୦୩ଲାଗୁ ହେଲା । ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନ-୨୦୦୫ ଲାଗୁ କଲେ । ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ୪ଜଣ ଏନ୍.ସି.ପି. ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରି ଆମରଣ ଅନଶନରେ ବସିଲେ ଆନ୍ନା ହଜାରେ ୯ଅଗଷ୍ଟ ୨୦୦୩ଦିନ । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ସିନେ୍ଧ ଆନ୍ନାଙ୍କ ଅନଶନକୁ ସମ୍ମାନଦେଇ ଏକ ତଦନ୍ତ କମିଶନ ବସାଇବାରୁ ଆନ୍ନା ୧୭ଅଗଷ୍ଟ ୨୦୦୩ଦିନ ଅନଶନ ପ୍ରତ୍ୟାହାର କଲେ । ତେଲ୍ଗୀ ଷ୍ଟାମ୍ପପେପର ଦୁର୍ନୀତି ବିରୁଦ୍ଧରେ ତାଙ୍କର ଜନସ୍ୱାର୍ଥ ମାମଲା ମହାରାଷ୍ଟ୍ରର ବଡ଼ବଡ଼ୁଆ ନେତା ଓ ଅଫିସରଙ୍କ ଭିତରେ ଏକ ବିରାଟ ଆଲୋଡ଼ନ ସୃଷ୍ଟି କରିଥିଲା । ମୁମ୍ବାଇ ପୁଲିସ କମିଶନର ଆର.ଏସ୍.ଶର୍ମା ଓ ତକ୍ରାଳୀନ ଗୃହମନ୍ତ୍ରୀ ଏନ୍.ସି.ପି ନେତା ଛଗନ ଭୁଜବଳ ଏଥିରେ ଛନ୍ଦି ହୋଇଯାଇଥିଲେ । କହିବା ବାହୁଲ୍ୟ ଯେ ଶରଦ ପାୱାର ଓ ତାଙ୍କ ଦଳ ଏନ୍.ସି.ପି.ର ସଭ୍ୟମାନେ ହିଁ ତାଙ୍କ ଦୁର୍ନୀତି ଅଭିଯାନର ସବୁବେଳେ ଶିକାର ହେଉଥିଲେ । ଏହି ପୃଷ୍ଠଭୂମିରେ ଲୋକପାଳ ବିଲ୍ ତନଖିବା ପାଇଁ ସରକାରଙ୍କ ତରଫରୁ ଗଢ଼ାଯାଇଥିବା ମନ୍ତ୍ରୀ ଗୋଷ୍ଠୀରେ ଶରଦ ପାୱାର ରହିଥିବା ଦେଖି ଆନ୍ନା ମନ୍ତ୍ରୀ ଗୋଷ୍ଠୀକୁ ବିଦ୍ରୁପ କରିବା ଆଦୌ ଅସ୍ୱାଭାବିକ ନୁହେଁ । ୨୦୦୮ ମସିହାରେ ବିଶ୍ୱବ୍ୟାଙ୍କ ଦ୍ୱାରା ସମ୍ମାନିତ ହେଲେ ଆନ୍ନା ହଜାରେ । ଏହି ସମ୍ମାନ ଥିଲା Jit Gill Memorial Award for Outstanding Public Service ଅର୍ଥାତ ଅତୁଳନୀୟ ଲୋକସେବା ପାଇଁ ‘ଜିତ୍ ଗିଲ୍ ସ୍ମାରକୀ ପୁରସ୍କାର’ । ମାନପତ୍ରରେ କୁହାଗଲା ‘Hazare created thriving model village in Ralegon siddhi in the impoverished Ahmednagar region of Maharastra and championed the right to information and fight against corruption.’
ନଭେମ୍ବର ୨୦୧୦ରେ ଆନ୍ନା ପୁଣି ଉତ୍ଥାପନ କଲେ ଶରଦ ପାୱାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲାଭାସା ପ୍ରକଳ୍ପକୁ କେନ୍ଦ୍ର କରି । ଆରମ୍ଭ କଲେ ଅନଶନ । ଶରଦ ପାୱାରଙ୍କର ପୁତୁରା ଓ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କୁ ବୁଝାବୁଝି କଲାପରେ ସେ ଅନଶନ ପ୍ରତ୍ୟାହାର କଲେ ।
ସଂକ୍ଷେପରେ କୁହାଯାଇପାରେ ଯେ ଆନ୍ନାଙ୍କୁ କୌଣସି ସରକାର କୌଣସି ସମୟରେ ନିରାଶ କରିନାହାନ୍ତି । ଆମରଣ ଅନଶନର ଧମକ ପାଇବା ପରେ ସରକାର ଦାବିପୂରଣ କରିଛନ୍ତି କି ଦାବି ପୂରଣର ପ୍ରତିଶ୍ରୁତି ପାଇବା ପରେ ଆମରଣ ଅନଶନର ନିଷ୍ପତ୍ତ ନିଆଯାଉଛି-ତାହା କହିବା କଷ୍ଟ । କିନ୍ତୁ ଆମରଣ ଅନଶନରେ ବସିବା ଫଳରେ ତାଙ୍କର ଏକ ‘ଅସାଧାରଣ ମାନବ’ ଛବି ସାଧାରଣ ମଣିଷ ମନରେ ଆଙ୍କି ହୋଇଯାଇଛି । ଆମରଣ ଅନଶନକାମୀ ଆନ୍ନା ଚାଷୀ ଆତ୍ମହତ୍ୟା ପାଇଁ କୁଖ୍ୟାତ ମହାରାଷ୍ଟ୍ରର ସଠିକ ପ୍ରତିନିଧି ବୋଲି କେହି କେହି କହୁଛନ୍ତି ।
୫ଏପ୍ରିଲ ୨୦୧୧ଦିନ ଜନ ଲୋକପାଳ ବିଲ୍ ପ୍ରଣୟନ ଦାବିକରି ଯେତେବେଳେ ଆନ୍ନା ଅନଶନରେ ବସିଲେ, ସେତେବେଳେ ସେ ଘୋଷଣା କରିଥିଲେ ଯେ ବିଲ୍ ପାସ ନହେଲା ପର୍ଯ୍ୟନ୍ତ ସେ ଅନଶନରେ ବସିବେ (I will fast until Jan Lokpal bill is passed) । ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଯେ ସେ ବିଲ୍ ପ୍ରସ୍ତୁତ କରିବାପାଇଁ ଦେଇଥିବା ଯୌଥ କମିଟିର ପ୍ରସ୍ତାବକୁ ସରକାର ମାନିନେଲା ପରେ – ସେ ତାଙ୍କର ଅନଶନ ପ୍ରତ୍ୟାହାର କରିନେଲେ ଓ ଟି.ଭି., ଇଣ୍ଟରନେଟ୍, ଫେସ୍ବୁକ୍, ଟୁଇଟର ଇତ୍ୟାଦି ମାଧ୍ୟମରେ ସମର୍ଥନ ଜଣାଉଥିବା ଜନ ସମୁଦାୟଙ୍କୁ ନିର୍ବିଘ୍ନ ଆଇ.ପି.ଏଲ୍ କ୍ରିକେଟ ଦେଖିବାର ଅବସର ଯୋଗାଇଦେଲେ ।

Print Friendly, PDF & Email