କଳାଧନ ଓ ହାସାନ ଅଲ୍ଲୀମାନେ

  • 04/09/2015

୧-୧୫ ଏପ୍ରିଲ, ୨୦୧୧

୮୦୦ କୋଟି ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୪୦,୦୦୦କୋଟି ଟଙ୍କା ବିଦେଶୀ ବ୍ୟାଙ୍କରେ ରଖିବା, ୫୦,୦୦୦କୋଟି ଟଙ୍କାରୁ ଊଦ୍ଧ୍ୱର୍ ପରିମାଣ ଆୟକର ଟିକସ ବକେୟା ରଖିବାଏବଂ ଏହା ରାଜ୍ୟସଭାରେ ପ୍ରଘଟ (୪ଅଗଷ୍ଟ ୨୦୦୯) ହେଲାପରେ ମଧ୍ୟ ବେଧଡ଼କ ଦୁଇବର୍ଷ ଧରି ମୁକ୍ତବାୟୁରେ ବୁଲିପାରୁଥିବା ବ୍ୟକ୍ତି ଯେ ନିଶ୍ଚିତ ଭାବେ ଜଣେ ଖୁବ୍ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବେ- ଏହା କହିବା ଅନାବଶ୍ୟକ । ରାମଜେଠମାଲାନୀଙ୍କ ଦ୍ୱାରା ଦାଏର ହୋଇଥିବା କଳାଧନ ଉଦ୍ଧାରପାଇଁ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଯଦି ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଦ୍ୱୟ ଶ୍ରୀଯୁକ୍ତ ବି.ସୁଦର୍ଶନ ରେଡ୍ଡୀ ଏବଂ ଶ୍ରୀଯୁକ୍ତ ଏସ୍.ଏସ୍.ନିର୍ଜ୍ଜର ତାଙ୍କର ଅକୃତ୍ରିମ ଅସନ୍ତୋଷ ବ୍ୟକ୍ତ କରିନଥାନ୍ତେ ଓ ‘ଏ ଦେଶରେ କ’ଣ ଚାଲିଛି?’ ବୋଲି କଠୋର ପ୍ରଶ୍ନ କରିନଥାନ୍ତେ, ତା’ହେଲେ ଏହି ବ୍ୟକ୍ତିଜଣକ ମଧ୍ୟ ମୁକ୍ତବାୟୁ ସେବନ କରୁଥାନ୍ତେ । ଗତ କିଛିଦିନ ହେଲା ସେ ବନ୍ଦୀ ଓ ଅନୁସନ୍ଧାନକାରୀମାନଙ୍କର ତଦନ୍ତର ଖାପ୍ଚାରେ । ଏହି ବ୍ୟକ୍ତିଜଣକ ହେଉଛନ୍ତି-ଜଣେ ଅଶ୍ୱପାଳକ, ରେସ୍ କୋର୍ସରେ ଦଉଡ଼ୁଥିବା ଘୋଡ଼ାମାନଙ୍କର ମାଲିକ । ନାଁ ତାଙ୍କର ହାସାନ ଅଲ୍ଲୀ ଖାଁ,ବୟସ ୫୮ । ମୂଳ ଅଧିବାସୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଅଞ୍ଚଳର ।
ଦ୍ୱାଦଶ ଶ୍ରେଣୀଯାଏ ପଢ଼ିଥିବା ହାସନ ଅଲ୍ଲୀ ଜଣେ ଅବକାରୀ ବିଭାଗ ଅଫିସରଙ୍କର ପୁଅ । ସେ ଜୀବିକାର୍ଜନ ଆରମ୍ଭ କରନ୍ତି ଟୁ୍ୟସନ ଶିକ୍ଷକ ଭାବେ-୭୦ଦଶକରେ । କିନ୍ତୁ ୧୯୮୨ବେଳକୁ ତାଙ୍କ ବ୍ୟାଙ୍କ୍ଖାତାରେ ଜମା ହୋଇଯାଇଥିଲା ୫କୋଟି ଟଙ୍କା । ଅନୁସନ୍ଧାନକାରୀ ଦଳ ଆଚମ୍ବିତ ଯେ ଜଣେ ଟୁ୍ୟସନ ଶିକ୍ଷକର ବ୍ୟାଙ୍କ ଖାତାରେ ଏତେ ଟଙ୍କା ଆସିଲାକେଉଁଠୁ? ତା’ପରେ ବହୁ ବ୍ୟବସାୟରେ ହାତ ଦିଅନ୍ତି ହାସନ ଅଲ୍ଲୀ-ଗାଡ଼ି ଭଡ଼ା ଦିଅନ୍ତି, ପୂରାତତ୍ତ୍ୱ ସାମଗ୍ରୀ ବିକନ୍ତି, ସୁନାଗହଣା ବେପାରରେ ମଧ୍ୟ ମାତନ୍ତି । କିନ୍ତୁ ସବୁଥିରେ ହୁଅନ୍ତି ବିଫଳ । (ଦ୍ରଷ୍ଟବ୍ୟ-Business Standard, weekend, 19.3.2011) ସବାଶେରେ ସେ ପଶନ୍ତି ଅଶ୍ୱ ଅବଲମ୍ବିତ ବ୍ୟବସାୟରେ-ଘୋଡ଼ାପାଳିବାରେ, ରେସ୍କୋର୍ସରେ ଘୋଡ଼ା ଦଉଡ଼ାଇବାରେ ଓ ‘ଘୋଡ଼ା ବାଲା’ ହାସନ ଅଲ୍ଲୀ ବୋଲି ସମ୍ବୋଧିତ ହୁଅନ୍ତି । ଦୃଶ୍ୟମାନ ବ୍ୟବସାୟମାନଙ୍କରେ ସମସ୍ତ ବିଫଳତା ସତ୍ତ୍ୱେ ତାଙ୍କର ଆୟ ମାତ୍ର ୬ବର୍ଷ ଭିତରେ ୧୦୦ଗୁଣ ବୃଦ୍ଧି ପାଏ;୨୦୦୧-୦୨ମସିହାରେ ୫୨୮.୯କୋଟି ଟଙ୍କାର ମାଲିକ ୨୦୦୬-୦୭ରେ ୫୪୨୬୮.୬କୋଟି ଟଙ୍କାର ମାଲିକ ହୋଇଯାଏ । (ଦ୍ରଷ୍ଟବ୍ୟ- ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୧୯.୩.୨୦୧୧)
ଟୁ୍ୟସନ ଶିକ୍ଷକ ଭାବେ ଜୀବିକାର୍ଜନ ଆରମ୍ଭ କରିଥିବା ହାସନ ଅଲ୍ଲୀଙ୍କର ଅବଶ୍ୟ ଏକ ପୂରାତନ ଅପରାଧୀ ପୃଷ୍ଠଭୂମି ରହିଛି । ବ୍ୟାଙ୍କ୍କୁ ଠକିବା, ଡାକ୍ତରଙ୍କ ଉପରେ ଏସିଡ଼ ଫୋପାଡ଼ିବା, ପାସପୋର୍ଟ ଜାଲିଆତି କରିବା, ଆନ୍ତର୍ଜାତିକ ସ୍ତରରେ କୁଖ୍ୟାତ ଅପରାଧୀମାନଙ୍କ ନିକଟ ସମ୍ପର୍କରେ ରହିବା ଭଳି ଅଭିଯୋଗ ତାଙ୍କ ବିରୁଦ୍ଧରେ ଥିବା ସତ୍ତ୍ୱେ ସେ କ୍ଷମତାସୀନଙ୍କ ପାଇଁ ଆକର୍ଷଣୀୟ ହୋଇ ରହିଥିଲେ ଓ ବେଶ୍ ଦୃଷ୍ଟିଆକର୍ଷଣକାରୀ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ । (ପାସପୋର୍ଟ ଜାଲିଆତି ମାମଲାରେ ହାସନ ଅଲ୍ଲୀଙ୍କୁ ଜେରା କରିବା ବେଳେ ବରିଷ୍ଠ ପୁଲିିସ ଅଫିସର ଅଶୋକ ଦେଶଭ୍ରତର ଯେଉଁ ଭିଡ଼ିଓ ରେକର୍ଡ଼ିଂ କରିଥିଲେ, ସେଥିରୁ ଜଣାପଡ଼େ ଯେ ହାସନ ଅଲ୍ଲୀଙ୍କର କ୍ଷମତାସୀନ ରାଜନୈତିକ ଦଳର ନେତୃବର୍ଗଙ୍କ ସହ ବେଶ୍ ବସାଉଠା ଥିଲା । ୧୫ମାର୍ଚ୍ଚ ୨୦୦୮ଦିନ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ଓ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କର ରାଜନୈତିକ ସଚିବ ଅହମ୍ମଦ ପଟେଲ ହାସାନ ଅଲ୍ଲୀଙ୍କୁ ଦେଖା କରିଥିଲେ ବୋଲି ସୂଚନା ଦିଅନ୍ତି ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ରାଜିନ୍ଦର ପୁରୀ । (ଦ୍ରଷ୍ଟବ୍ୟ-Judges on right track!- The Statesman 31.3.2011) ଅବଶ୍ୟ ଭିଡ଼ିଓ ରେକର୍ଡ଼ିଂ ପାଇଁ ଇତ୍ୟବସରରେ ନିଲମ୍ବିତ ହୋଇଛନ୍ତି ଅଶୋକ ଦେଶଭ୍ରତର -ଯଦିଓ ଏହି ରେକର୍ଡ଼ିଂ ସିଡ଼ିକୁ ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ଦ୍ୱାଦଶଶ୍ରେଣୀ ଯାଏଁ ପଢ଼ିଥିବା, ଅପରାଧୀ ପୃଷ୍ଠଭୂମି ଥିବା ଜଣେ ବ୍ୟକ୍ତି କ୍ଷମତାସୀନ ବ୍ୟକ୍ତିମାନଙ୍କର ଏତେ ପାଖଲୋକ ହୋଇପାରେ ଓ ସମସ୍ତ ଦୃଶ୍ୟମାନ ବ୍ୟବସାୟରେ ବିଫଳତା ସତ୍ତ୍ୱେ ବିପୁଳ ଟଙ୍କାର ମାଲିକ ହୋଇପାରେ- ଏହା ଏକ ଗଭୀର ଅସାଧୁ ମେଣ୍ଟର ଯେ ନିଦର୍ଶନ ତାହା କହିବା ବାହୁଲ୍ୟମାତ୍ର । ଏହା କ୍ଷମତାସୀନଙ୍କର କଳାଧନ ଉପଯୋଗର ଏକ ବିଶ୍ୱସ୍ତ ମାଧ୍ୟମ ଭାବେ ହାସାନ ଅଲ୍ଲୀଙ୍କର ଭୂମିକା ପ୍ରତି ଯେ ଇଙ୍ଗିତ କରୁଛି-ଏହାକୁ ଅବିଶ୍ୱାସ କରାଯାଇ ନପାରେ ।
କ୍ଷମତାସୀନଙ୍କ ଦ୍ୱାରା ଠୁଳିକୃତ କଳାଟଙ୍କାର ଶ୍ୱେତକରଣ ଓ ନିବେଶ ସୁଯୋଗ ସୃଷ୍ଟିର ପ୍ରକ୍ରିୟାରେ ମାଧ୍ୟମ ଭାବେ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କୁ ଯଦି ଏକ ଶ୍ରେଣୀରେ ରଖାଯାଏ, ତା’ହେଲେ ହାସାନ ଅଲ୍ଲୀ ଏହି ଶ୍ରେଣୀରେ ଯେ ଜଣେ ଅଗ୍ରଗଣ୍ୟର ସ୍ଥାନ ଅଧିକାର କରିବେ ଏଥିରେ ସନେ୍ଦହ ନାହିଁ, କିନ୍ତୁ ଏହି ଶ୍ରେଣୀର ସଭ୍ୟ ଯେ ରାଷ୍ଟ୍ରୀୟସ୍ତରରୁ ଆରମ୍ଭକରି ଗ୍ରାମ୍ୟସ୍ତର ଯାଏଁ ବ୍ୟାପିଗଲାଣି- ତାହା ଯେକୌଣସି ଅନିସନ୍ଧିତ୍ସୁ ବ୍ୟକ୍ତି ସାମାନ୍ୟ ପ୍ରୟାସରେ ଜାଣିପାରିବେ । ରାଷ୍ଟ୍ରୀୟସ୍ତରର କ୍ଷମତାସୀନମାନଙ୍କର କଳାଧନକୁ ବିଦେଶୀବ୍ୟାଙ୍କ୍ରେ ଗଚ୍ଛିତ ରଖିବାରେ ବା ବିଭିନ୍ନ କମ୍ପାନୀର ଅଂଶଧନରେ ନିବେଶ କରିବାରେ ଏହି ଶ୍ରେଣୀର ବଡ଼ବଡ଼ିଆମାନେ ମାଧ୍ୟମ ହେଉଥିବାବେଳେ, ଗ୍ରାମ୍ୟସ୍ତରରେ ସରକାରୀ ଯୋଜନାଦିରୁ ଠୁଳ ହେଉଥିବା କଳାଧନର ସୁଧ କାରବାରରେ ନିବେଶର ମାଧ୍ୟମ ହେଉଛନ୍ତି ଏହି ଶ୍ରେଣୀର ତଳତଳିଆମାନେ । ଏହି ଶ୍ୱେତକରଣ ଓ ନିବେଶ ସୁଯୋଗ ସୃଷ୍ଟିର ପ୍ରକ୍ରିୟାରେ ଘରୋଇ ଶିକ୍ଷାନୁଷ୍ଠାନ, ବିଲଡ଼ର୍ସ ସଂସ୍ଥା, ଗହଣା ଦୋକାନ ଆଦି ଅତ୍ୟନ୍ତ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି । କହିବା ବାହୁଲ୍ୟ ଯେ ଘରୋଇ ଶିକ୍ଷାନୁଷ୍ଠାନ-ଏହି ପ୍ରକ୍ରିୟା ପାଇଁ ସବୁଠାରୁ ନିରାପଦ ସ୍ଥାନ ହୋଇଛି ।
ହାସାନ ଅଲ୍ଲୀଙ୍କର ବର୍ତ୍ତମାନର କୈଦୀ ଜୀବନ ଦେଖି ମନକୁ ଆସେ ଯେ ବିଭିନ୍ନ ବେପାରରେ ହାତ ଦେଇଥିବା ହାସାନ ଅଲ୍ଲୀଙ୍କ ଶିକ୍ଷା ବେପାରରେ କାହିଁକି ପଶିଲେ ନାହିଁ? ଟୁ୍ୟସନ ଶିକ୍ଷକତାର ତ’ ଏକ ପୃଷ୍ଠଭୂମି ଥିଲା । ଶିକ୍ଷା ବେପାରରେ ପଶିଥିଲେ, ଯେକୌଣସି ଏକ ଅସ୍ତିତ୍ୱବିହୀନ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀଟିଏ କିଣିପାରିଥାନ୍ତେ ଓ ଡକ୍ଟର ହାସାନ ବୋଲି ନିରବଚ୍ଛିନ୍ନ ସମ୍ବୋଧିତ ହୋଇଥାନ୍ତେ । ଶିକ୍ଷାନୁଷ୍ଠାନର ସର୍ବୋଚ୍ଚ କର୍ତ୍ତା ବା ପ୍ରତିଷ୍ଠାତାର ମାନ୍ୟତା ଜାହିର କରି ମଞ୍ଚବ୍ୟାକୁଳ ସମାଜର ମୁଖିଆମାନଙ୍କୁ ଶିକ୍ଷାନୁଷ୍ଠାନର ପରିସର ଭିତରକୁ ଡାକି ତାଙ୍କ ଦ୍ୱାରା ଶିକ୍ଷାବିତ୍ର ସ୍ୱୀକୃତି ପାଇପାରିଥାନ୍ତେ । ଗଣମାଧ୍ୟମକୁ ବିଜ୍ଞାପନର ପ୍ରଲୋଭନ ଦେଇ ଓ ସାମ୍ବାଦିକଙ୍କୁ ବିଭିନ୍ନ ପ୍ରକାର ଭେଟିଦେଇ ନିଜର ଏକ ବିରାଟ ଭାବମୂର୍ତ୍ତି ତିଆରି କରାଇ ପାରିଥାନ୍ତେ । ସେହିପରି ଘରୋି ଟିଭି ଚ୍ୟାନେଲ ତିଆରି କରି ମିଡ଼ିଆ ବ୍ୟାରେନ ମଧ୍ୟ ହୋଇପାରିଥାନ୍ତେ ରୁପର୍ଟ ମୁର୍ଡେକଙ୍କ ପରି । ସମାଜପତିମାନଙ୍କର ଅପଦାର୍ଥ ସନ୍ତାନସନ୍ତତିଙ୍କୁ ଶିକ୍ଷାର ସୁଯୋଗ ଦେଇ ପାରିଥାନ୍ତେ ଓ ସେମାନଙ୍କର ଶିକ୍ଷିତ ସମ୍ପର୍କୀୟଙ୍କୁ ଚାକିରିଦେଇ-ତାଙ୍କୁ ସବୁବେଳେ ନିଜ କବ୍ଜାରେ ରଖିପାରିଥାନ୍ତେ । ଶିକ୍ଷାଭଳି ଏକ ମହାନ କାର୍ଯ୍ୟରେ ସେ ଲିପ୍ତ ଥିବାରୁ-ସେ ସନେ୍ଦହାତୀତ ହୋଇଥାନ୍ତେ ଓ ଭୟଶୂନ୍ୟ ହୋଇ ତାଙ୍କର ସମସ୍ତ ଭୂମିଗତ କାର୍ଯ୍ୟକୁ ଅବ୍ୟାହତ ରଖିପାରିଥାନ୍ତେ- ବ୍ୟାଙ୍କ୍ ଟଙ୍କା ନ ସୁଝିବା ଠାରୁ ଆରମ୍ଭ କରି ସରକାରୀ-ବେସରକାରୀ ଜମିକୁ ମାଡ଼ି ବସିବା ପର୍ଯ୍ୟନ୍ତ । କେହି ପ୍ରଶ୍ନକରିବାକୁ ସାହସ କରିନଥାନ୍ତେ-ଏତେ ସମ୍ପତ୍ତ ଆସିଲା କେଉଁଠୁ? କବି, ଲେଖକ, ଚିତ୍ରଶିଳ୍ପୀ, ସିନେମା ତାରକା, ଖେଳାଳୀ-ସମସ୍ତଙ୍କୁ ବଶୀକୃତ କରିଦେଇ ପାରିଥାନ୍ତେ ।
ହାସାନ ଅଲ୍ଲୀ ତାଙ୍କର ସମସ୍ତ ମେଧା ସତ୍ତ୍ୱେ, ସମ୍ପ୍ରତି ଶିକ୍ଷାନୁଷ୍ଠାନର ଢାଲ ଯେ କେତେ ଟାଣ ତାହା ବୁଝିପାରିଲେ ନାହିଁ-ତାହାହିଁ ବିଡ଼ମ୍ବନା । ‘ଘୋଡ଼ାବାଲା’ର ପରିଚୟ ନେଇ ବେଗବାନ ଘୋଡ଼ା ସିନା ବଢ଼ାଇଲେ, କିନ୍ତୁ ତାହାଯେ ତାଙ୍କୁ ସୁରକ୍ଷାଦେବାରେ ବିଫଳହେଲା-ତାହା ସେ ଆଜି ବୁଝୁଥିବେ ।
ଅବଶ୍ୟ ସୁପ୍ରିମକୋର୍ଟର ଉପରୋକ୍ତ ଦୁଇ ମାନ୍ୟବର ବିଚାରପତି ଇତ୍ୟବସରରେ କହିଛନ୍ତି ଯେ, ଅନୁସନ୍ଧାନ କେବଳ ହାସାନ ଅଲ୍ଲୀଙ୍କ ଉପରେ କେନ୍ଦ୍ରୀଭୂତ ନରହି-ଅନ୍ୟ କଳାଧନର ମାଧ୍ୟମମାନଙ୍କୁ ମଧ୍ୟ ଅନୁସନ୍ଧାନର ପରିସର ଭିତରକୁ ଅଣାଯାଉ । ଯଦି ଏହା ପ୍ରକୃତରେ ଅନୁସନ୍ଧାନକାରୀ ସଙ୍ଗଠନ କାର୍ଯ୍ୟକାରୀ କରନ୍ତି, ତା’ହେଲେ ହାସାନ ଅଲ୍ଲୀମାନେ ବେଶୀଦିନ ଆଢ଼ୁଆଳରେ ରହିପାରିବେ ନାହିଁ । କିନ୍ତୁ ଆମ ଦେଶର ଅସାଧୁ ମେଣ୍ଟ ଯେଉଁଭଳି ବ୍ୟାପକ ଓ ଶକ୍ତିଶାଳୀ-ସେଥିରେ ଏହା କ’ଣ ପ୍ରକୃତରେ ହେବ?- ଏ ସନେ୍ଦହ ଶୁଦ୍ରକର ।
-ଶୁଦ୍ରକ

Print Friendly, PDF & Email