ନିଲାମ ହାଟରେ କ୍ରିକେଟ ଖେଳାଳୀ

  • 04/09/2015

୧୬-୩୦ ଜାନୁଆରୀ, ୨୦୧୧

କ୍ରିକେଟ ଖେଳ ଆଭିଜାତ୍ୟମାନଙ୍କର ଖେଳ ଥିଲା ଏକଦା । ରାଜା, ମହାରାଜା, ନବାବମାନେ ଖେଳୁଥିଲେ କ୍ରିକେଟ । ଏମାନଙ୍କ ପାଖରେ ଥିଲା ଅବସର ଓ ବ୍ରିଟିଶ ଶାସକଗୋଷ୍ଠୀ ସହ କାନ୍ଧ ମିଳାଇବାର ଏକ ସୁଯୋଗ ଥିଲା କ୍ରିକେଟଖେଳ । ଶୀତଦିନରେ ଏହି ଖେଳ ହେଉଥିଲା । ଧୋବ ଫରଫର ପୋଷାକ ପିନ୍ଧି ଖେଳାଳୀମାନେ ସବୁଜ ପଡ଼ିଆ ଉପରେ ଅତ୍ୟନ୍ତ ମର୍ଯ୍ୟାଦାବନ୍ତ ଦେଖାଯାଉ ଥିଲେ । ପାଞ୍ଚଦିନ ଖେଳପରେ ନିଷ୍ପତ୍ତ ହେଉଥିଲା ବିଜୟ ପରାଜୟର ।
ଯେଉଁମାନେ କ୍ରିକେଟ ଖେଳର ଏହି ଇତିହାସ ସହ ପରିଚିତ ସେମାନେ ବାରମାସୀ କ୍ରିକେଟ, ପାଉଚ (pouch)କ୍ରିକେଟ (ଦିନିକିଆ, ୨୦-୨୦ଇତ୍ୟାଦି), ଓ ଶେଷକୁ ଖେଳାଳୀଙ୍କର ନିଲାମ ଦେଖି ଏକ ସାଂସ୍କୃତିକ ସ୍ତବ୍ଧତା ଦ୍ୱାରା ଆକ୍ରାନ୍ତ ହେଉଥିବେ ।
କିନ୍ତୁ ଯେଉଁମାନେ ବିଜ୍ଞାନ ଓ ବଜାରର ପରିବର୍ତ୍ତନକୁ ଲକ୍ଷ୍ୟ କରୁଥିବେ, ଦେଖୁଥିବେ ଯେ ବିଜ୍ଞାନର ଚମକ୍ରାରିତା ଫଳରେ ପରିବା ତା’ର ଋତୁଭିତ୍ତକ ଚରିତ୍ର ହରାଇ ବାରମାସୀ ହେବାକୁ ବସିଲାଣି ଓ ବଜାରରେ ବୋତଲ ସ୍ଥାନରେ ପାଉଚର ବ୍ୟବହାର ଅଧିକରୁ ଅଧିକ ହେବା ଲାଗିଲାଣି, ସେମାନେ ଏହିଭଳି ପରିବର୍ତ୍ତନ ଦ୍ୱାରା ଇତ୍ୟବସରରେ ବଜାରୀ ହୋଇଯାଇଥିବା କ୍ରିକେଟ ଖେଳ ପ୍ରଭାବିତ ହେବାକୁ ସହଜରେ ଗ୍ରହଣ କରୁଥିବେ ନିଶ୍ଚୟ ।
ସାଧାରଣ ମଣିଏ ବା ଅନ୍ୟ ବୃତ୍ତରେ ବିଚକ୍ଷଣ ମଣିଷମାନଙ୍କଠାରୁ କ୍ରିକେଟ ଖେଳାଳୀମାନେ ଯେ ଭିନ୍ନ ତାହା ଆମର ଗଣମାଧ୍ୟମ ବାରମ୍ବାର ସୂଚାଇ ଦେଉଛି । ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀଙ୍କ ଭଳି ଏମାନେ ସବୁ ବିଜ୍ଞାପନରେ ଦୃଶ୍ୟମାନ । ତେଣୁ ଏମାନଙ୍କ ଭିତରେ ଏକ ସମ୍ପର୍କ ସ୍ୱଭାବିକ । ଅଭିନେତା-ଅଭିନେତ୍ରୀମାନେ କ୍ରିକେଟ ଖେଳକୁ ବ୍ୟବସାୟ କରିବାର ଦୃଶ୍ୟ ତେଣୁ ଅସ୍ୱାଭାବିକ ନୁହେଁ । ଶିଳ୍ପା ସେଟ୍ଟୀ, ପ୍ରୀତି ଜିଣ୍ଟା, ଶାହରୁଖ ଖାଁ କ୍ରିକେଟ ଖେଳରେ ପୁଞ୍ଜିନିବେଶ କରିବା ତ’ ଆମେ ଦେଖୁଛୁ । କିନ୍ତୁ ଯାହା ଆମର ସଂସ୍କୃତିକୁ ଆଘାତ ଦେଉଛି-ତାହା ହେଉଛି କ୍ରିକେଟ ଖେଳାଳୀମାନେ ନିଜକୁ ନିଲାମ ହେବାପାଇଁ ଅନୁମତି ଦେବା । ନିଜ ବେକରେ ପଘା ବାନ୍ଧି ହାଟରେ ଠିଆ ହେବା ଓ ନିଲାମ ଡକାଳିମାନଙ୍କର ଡାକକୁ ଉକ୍ରର୍ଣ୍ଣ ହୋଇ ଅପେକ୍ଷା କରିବା ।
ଶୁଣାଯାଏ ଯେତେବେଳେ କ୍ରୀତଦାସ ପ୍ରଥା ଥିଲା ସେତେବେଳେ କ୍ରୀତଦାସମାନଙ୍କର ନିଲାମ ଡକା ହେଉଥିଲା । ମଣିଷର ନିଲାମ ଡକା ହେବା ମଣିଷ ମର୍ଯ୍ୟାଦାର ପରିପନ୍ଥୀ ଓ ସଭ୍ୟ ସମାଜରେ ଅଗ୍ରହଣୀୟ ବୋଲି ଯେତେବେଳେ ବିଚାର କରାଗଲା , ସେତେବେଳେ ନିଲାମ ଶବ୍ଦର ବ୍ୟବହାର ମଣିଷ ସହିତ କରାଗଲା ନାହିଁ ।
ଏହା କିନ୍ତୁ ଏବେ ଫେରିଛି । ନବ୍ୟ ଉଦାରବାଦୀ ଅର୍ଥନୀତିରେ ଏହା ଗ୍ରହଣୀୟ ହେଉଛି । କି୍ରକେଟ ଖେଳାଳୀମାନେ ଏହି ସଂସ୍କୃତିର ପ୍ରଥମ ଶିକାର ହୋଇଛନ୍ତି । କିଏ କହିବ- ଏହାପରେ ଏହି ନିଲାମ ଡାକ ଅନ୍ୟାନ୍ୟ ଗୋଷ୍ଠୀକୁ ଯେ ନ ବ୍ୟାପିବ । କିନ୍ତୁ ନିଲାମ ଡାକରେ ଯେ ସବୁଠାରୁ ଉତ୍ତମ ବା ଦକ୍ଷବ୍ୟକ୍ତିର ମୂଲ୍ୟ ଅଧିକ ହେବ, ସେପରି ନୁହେଁ । ତା’ହେଲେ ତ ଗୌତମ ଗମ୍ଭୀର ନହୋଇ ସୌରଭ ଗାଙ୍ଗୁଲିଙ୍କର ବୋଲି ସବୁଠାରୁ ଅଧିକ ହୋଇଥାନ୍ତା । ବିଡ଼ମ୍ବନା ଯେ ସୌରଭ ଗାଙ୍ଗୁଲିଙ୍କ ପାଇଁ କେହି ନିଲାମ ହିଁ ଡାକିଲେ ନାହିଁ । -ଶୁଦ୍ରକ

Print Friendly, PDF & Email