ନୀତିଶଙ୍କ ବିଜୟ

  • 04/09/2015

୧୬-୩୦ ଡିସେମ୍ବର, ୨୦୧୦

ବିହାର ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କ ନେତୃତ୍ୱରେ ଜେ.ଡ଼ି(ୟୁ)-ବିଜେପି ମେଣ୍ଟର ଅଭୂତପୂର୍ବ ବିଜୟ, ସଚେତନ ଭାରତୀୟଙ୍କ ଭିତରେ ବହୁ ଆଶା ସଞ୍ଚାରକରିଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ମତାମତ, ଚର୍ଚ୍ଚା, ଆଲୋଚନା, ସମ୍ପାଦକଙ୍କୁ ପତ୍ର ଇତ୍ୟାଦିରୁ ସୂଚନା ମିଳୁଛି । ଶାସନ କ୍ଷମତାରେ ଥାଇ ନିର୍ବାଚନର ସାମ୍ନା କରି ପୁନଃନିର୍ବାଚିତ ହେବାର ଯେଉଁ ଦୃଶ୍ୟ ୨୦୦୯ନିର୍ବାଚନ ବେଳେ ଦେଖା ଯାଇଥିଲା-ତାହାର ପୁନରାବୃତ୍ତ ହୋଇଛି ବିହାରରେ । ପୁନଶ୍ଚ ଗତ ନିର୍ବାଚନଅପେକ୍ଷା ଅଧିକସଂଖ୍ୟକ ସ୍ଥାନ ଅକ୍ତିଆର କରିବାର ଦୃଶ୍ୟ ମଧ୍ୟ ଅବ୍ୟାହତ ରହିଛି । ୨୦୦୫ନିର୍ବାଚନରେ ଏହି ମେଣ୍ଟ ସମୁଦାୟ ୨୪୩ ସ୍ଥାନରୁ ୧୪୩(ଜେ.ଡ଼ି(ୟୁ)-୮୮, ବିଜେପି-୫୫)ଟି ସ୍ଥାନ ଅଧିକାର କରିଥିବା ବେଳେ, ଚଳିତ ନିର୍ବାଚନରେ ଏହା ୨୦୬ (ଜେ.ଡ଼ି.(ୟୁ)-୧୧୫, ବିଜେପି-୯୧)ଟି ସ୍ଥାନ ଅଧିକାର କରିଛି । ଏହି ସଂଖ୍ୟାରେ ବିଜୟ ଯେ ସଂଖ୍ୟାଗରିଷ୍ଠ ବିହାରୀଙ୍କର ନୀତିଶଙ୍କ ନେତୃତ୍ୱରେ ମେଣ୍ଟପ୍ରତି ସମର୍ଥନକୁ ସୂଚିତ କରେ ନାହିଁ- ତାହାହିଁ ବିଡ଼ମ୍ବନା; ଶତକଡ଼ା ୬୧ଭାଗ ମତଦାତା ଏହି ମେଣ୍ଟ ବିରୋଧରେ ମତଦାନ କରିଛନ୍ତି ବୋଲି ପରିସଂଖ୍ୟାନ କହେ । ତେଣୁ ଯେଉଁମାନେ ନୀତିଶ କୁମାରଙ୍କ ନେତୃତ୍ୱରେ ମେଣ୍ଟର ଏତାଦୃଶ ବିଜୟପଛରେ ଅପରାଧ, ଜାତି ଓ ଦୁର୍ନୀତି ବିରୋଧରେ ତାଙ୍କର ପଦକ୍ଷେପକୁ କାରଣ ଭାବେ ଚିହ୍ନଟ କରୁଛନ୍ତି ଓ ସୁଶାସନ ତଥା ବିକାଶ ପ୍ରତି ତାଙ୍କର ନିଷ୍ଠାକୁ କାରଣଭାବେ ଦର୍ଶାଉଛନ୍ତି-ସେମାନେ ନିଶ୍ଚୟ ଏହାକୁ ଅଣଦେଖା କରିବେ ନାହିଁ ଯେ ଏହି ପଦକ୍ଷେପ ଓ ନିଷ୍ଠା ଶତକଡ଼ା ୬୧ଭାଗ ମତଦାତାଙ୍କୁ ପ୍ରଭାବିତ କରିପାରି ନାହିଁ । ହୋଇପାରେ ଯେ ଗତ ପାଞ୍ଚବର୍ଷର ଶାସନକାଳ, ବିହାରରେ ଲାଲୁ-ରାବ୍ଡ଼ି କର୍ତ୍ତୃତ୍ୱ ଜମିଥିବା ଅଳିଆକୁ ସଫା କରିବା ପାଇଁ ଯଥେଷ୍ଟ ନଥିଲା- ଯାହା ଫଳରେ ନୀତିଶଙ୍କର ପଦକ୍ଷେପ ଓ ନିଷ୍ଠାର ପ୍ରଭାବ ବ୍ୟାପକ ହୋଇପାରିଲା ନାହିଁ । କିନ୍ତୁ ଏହାକୁ ତ’ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଏହି ବିଜୟୀ ମେଣ୍ଟରେ ୧୧୬ଜଣ ବିଧାୟକ ହେଉଛନ୍ତି ଏପରି ବ୍ୟକ୍ତି ଯେଉଁମାନଙ୍କ ବିରୋଧରେ ବିଭିନ୍ନ ଅପରାଧ ମାମଲା ବିଚାରାଧୀନ । (ଦ୍ରଷ୍ଟବ୍ୟ-  Nitish’s victory loses its sheen, The New Indian Express, 2Dec, 2010 at P-8) ଅର୍ଥାତ ମେଣ୍ଟର ସଂଖ୍ୟାଗରିଷ୍ଠ ବିଧାୟକ ହେଉଛନ୍ତି ବିଚାରାଧୀନ ଅପରାଧୀ । ତେଣୁ ଅପରାଧ ବିରୋଧରେ ନୀତିଶଙ୍କର ପଦକ୍ଷେପ ଗଣମାଧ୍ୟମରେ ଆଲୋଚକମାନଙ୍କୁ ଖୁବ୍ ଦୃଶ୍ୟମାନ ହେଉଥିଲେ ହେଁ-ସାଧାରଣ ଭୋଟଦାତା ବାସ୍ତବିକତା କ’ଣ ତାହା ବୁଝିଛି ବୋଲି ମନେହୁଏ । ବଡ଼ବଡ଼ ଅପରାଧୀଙ୍କ ସହ ସାଲିସ କରି ସର୍ବସାଧାରଣରେ ଅପରାଧ କରୁଥିବା ଛୋଟ ଛୋଟ ଅପରାଧୀଙ୍କୁ ନୀତିଶ ସରକାର କାବୁ କରିଥିଲେ ଓ ସର୍ବସାଧାରଣ ସୁରକ୍ଷାକୁ ଆୟତ୍ତରେ ରଖୁଥିଲେ-ବୋଲି ଯଦିକେହି ସନେ୍ଦହ କରେ,ତା’ହେଲେ ତାହାକୁ ବାଅାଁରେଇ ଦେଇହେବ ନାହିଁ । ଏଠାରେ ପ୍ରାସଙ୍ଗିକ The New Indian Expressର ସମ୍ପାଦକୀୟ ମନ୍ତବ୍ୟ ((2Dec 2010) ‘Infact, it can even be argued that while the lesser fry among people with dubious record now find themselves behind bars, a more formidable group has walked into the exalted chambers of the legislature xxx. The roads might be safer in Bihar today and there were no instances of booth capturing. But that does not mean that crime has ceased to be a paying proposition.’
(ପ୍ରକୃତରେ, ଏହା ମଧ୍ୟ ଯୁକ୍ତି କରାଯାଇପାରେ ଯେ ଯେତେବେଳେ ସନ୍ଦିଗ୍ଧ ରେକର୍ଡ଼ ଥିବା ଛୋଟମୋଟ ବ୍ୟକ୍ତି ଆଜି ଜେଲ୍ ଭିତରେ, ସେତେବେଳେ ଏକ ଅଧିକ ଦୁର୍ଦ୍ଧୟ ଗୋଷ୍ଠୀ ବ୍ୟବସ୍ଥାପିକାର ଉତ୍ତୁଙ୍ଗ ପ୍ରକୋଷ୍ଠ ଭିତରେ ପ୍ରବେଶ କରିଛି ।  xxx
ବିହାରର ରାସ୍ତାଘାଟ ଆଜି ନିରାପଦ ଓ ବୁଥ୍ଦଖଲର କୌଣସି ଦୃଷ୍ଟାନ୍ତ ଆଜି ଦେଖାଯାଇ ନାହିଁ । କିନ୍ତୁ ତା’ର ଅର୍ଥନୁହେଁ ଯେ ଅପରାଧ ଏକ ଲାଭଜନକ ବୃତ୍ତ ହୋଇ ରହିନାହିଁ ।)
ନୀତିଶ ଭାରତବର୍ଷରେ ବର୍ତ୍ତମାନ କ୍ଷମତାସୀନ ନେତୃତ୍ୱଙ୍କ ଭିତରେ ବାରିହୋଇପଡ଼ୁଥିବା ବ୍ୟକ୍ତିତ୍ୱ ନିଶ୍ଚୟ । ସେ ମୃଦୁଭାଷୀ କିନ୍ତୁ ଦୃଢ଼-ବୋଲି ଏଯାବତ୍ ତାଙ୍କର ପରିଚୟ । ନିଜକୁ ଉତ୍କ୍ଷେପିତ କରିବା ପାଇଁ ତାଙ୍କର ବ୍ୟାକୁଳତା ଜଣାପଡ଼େ ନାହିଁ । ସମାଜବିଜ୍ଞାନୀ ରାମଚନ୍ଦ୍ର ଗୁହା ତାଙ୍କୁ Indian Obama minus Charismaବୋଲି ଆଖ୍ୟାୟିତ କରିଛନ୍ତି । ସାମ୍ପ୍ରଦାୟିକ ଦଳ ବିଜେପି ସହ ମେଣ୍ଟ କରିଥିଲେ ହେଁ ସମାଜବାଦୀ ପୃଷ୍ଠଭୂମିର ପ୍ରଭାବ ତାଙ୍କଠାରୁ ଉଭାନ ହୋଇନାହିଁ । ତେଣୁ ତାଙ୍କର ବିଜୟ ଅନେକଙ୍କ ଉପରେ ବହୁ ଆବେଗ ସୃଷ୍ଟିକରିଛି । ବିଶେଷତଃ ସେହିମାନଙ୍କ ଭିତରେ ଯେଉଁମାନେ ଭାରତ ଭୂଇଁରେ ଉପରସ୍ତରରେ ହେଉଥିବା ଦୁର୍ନୀତି, ଅପରାଧଦ୍ୱାରା ଅତ୍ୟଧିକ ବିଚଳିତ ଓ ଖୋଜୁଛନ୍ତି ନେତୃତ୍ୱ ଯିଏ ଏହି ପରିବେଶରୁ ଭାରତକୁ ମୁକ୍ତକରିବ । ସେହିମାନେ ନୀତିଶଙ୍କ ଭିତରେ ସେହିଭଳି ଏକ ନେତୃତ୍ୱ ପାଇଛନ୍ତି ବୋଲି ମନେହେଉଛି-ତା’ହେଲେ ସେମାନେ କାହିଁକି ନୀତିଶ ଭାରତ ପ୍ରଧାନମନ୍ତ୍ରୀ ହେବା ଉଚିତ ବୋଲି କୁହନ୍ତେ । ଏହିଭଳି ଆବେଗକୁ ସଫଳତା ମିଳିଥିଲା ଯେତେବେଳେ ଭି.ପି. ସିଂହ ଭାରତର ପ୍ରଧାନମନ୍ତ୍ରୀ ହେଲେ । କିନ୍ତୁ ଭି.ପି.ସିଂହଙ୍କ ମନ୍ତ୍ରିମଣ୍ଡଳ ତା’ର କାର୍ଯ୍ୟକାଳ ପୂରଣ କରିପାରିଲା ନାହିଁ- ଦେଶର ସ୍ୱାର୍ଥ, ସମାଜର ସ୍ୱାର୍ଥ ଅପେକ୍ଷା କ୍ଷମତାର ଲୋଭ ଏହି ମନ୍ତ୍ରିମଣ୍ଡଳ ପାଇଁ କାଳ ହୋଇଗଲା । ଯେଉଁମାନେ ଦୁର୍ନୀତିମୁକ୍ତ ଶାସନବ୍ୟବସ୍ଥାର ଅପେକ୍ଷାରେ ଥିଲେ , ସେମାନେ ପ୍ରତାରିତ ହେଲେ । ଏହି ଅଭିଜ୍ଞତାର ପୃଷ୍ଠଭୂମିରେ ନୀତିଶ କୁମାର କେଉଁମାନଙ୍କୁ ସାଙ୍ଗରେ ନେଇ ଚାଲୁଛନ୍ତି-ତାହାଉପରେ ନିର୍ଭର କରୁଛି ଉପରୋକ୍ତ ଆବେଗର ସଫଳତା କେତେ ଦୀର୍ଘସ୍ଥାୟୀ ହେବ । -ଶୁଦ୍ରକ

Print Friendly, PDF & Email