୧୬-୩୦ ନଭେମ୍ବର, ୨୦୧୦
ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ କି ନୁହେଁ- ଏହାକୁ ନେଇ ନିକଟ ଅତୀତରେ ହୋଇଥିବା ଓ ହେଉଥିବା ବିତର୍କ ଗଣମାଧ୍ୟମକୁ ବେଶ୍ ଆଚ୍ଛାଦିତ କରି ରଖିଛି । ଯେଉଁମାନେ ଏହାକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବୋଲି କହୁଛନ୍ତି ତାଙ୍କ ବିରୁଦ୍ଧରେ ଅଭିଯୋଗ ଯେ ସେମାନେ ଭାରତଠାରୁ ବିଚ୍ଛିନ୍ନ ହେବାପାଇଁ ଦାବି କରୁଥିବା ଶକ୍ତିଗୁଡ଼ିକୁ ସୁଦୃଢ଼ କରୁଛନ୍ତି । କେହିକେହି ଏହିଭଳି ବକ୍ତବ୍ୟ ଦେଶଦ୍ରୋହ ବୋଲି କହି-ମକଦ୍ଧମା ଦାଏର ପାଇଁ ମଧ୍ୟ ଉଦ୍ୟତ ହେଲେଣି । କିନ୍ତୁ ଜାମ୍ମୁ-କାଶ୍ମୀର ଯେ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ଭଳି ନୁହେଁ, ହା ଏକ ନିର୍ବିବାଦ୍ୟ ତଥ୍ୟ । ଏହାର ନିଜସ୍ୱ ପତାକା ଅଛି । ଏହାର ନିଜସ୍ୱ ସମ୍ବିଧାନ ଅଛି-ଯେଉଁଥିରେ ଅବଶ୍ୟ ଘୋଷଣା କରାଯାଇଛି ଯେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । (‘We the people of the state of Jammu and Kashmir having solemnly resolved in pursuance of accession of this state to India which took place on twenty-sixth day of October 1947, to further define the existing relationship of the state with the Union of India as an integral part, there of, and to secure ourselves justice, liberty and fraternity in our constituent assembly this seventeenth day of November 1956 do hereby enact and give to ourselves this constitution’) ଜାମ୍ମୁ ଓ କାଶ୍ମୀରକୁ ଏହିଭଳି ସ୍ୱତନ୍ତ୍ର ସ୍ଥାନ ଦିଆଯିବା ଭାରତୀୟ ସମ୍ବିଧାନର ଧାରା ୩୭୦ସମ୍ମତ । ଏହି ରାଜ୍ୟପାଇଁ ଆଇନକରିବା କ୍ଷେତ୍ରରେ ଭାରତୀୟ ସଂସଦର କ୍ଷମତା ମଧ୍ୟ ସୀମିତ । ଅବଶ୍ୟ ଭାରତ ସରକାରଙ୍କର ତଦାରଖରେ ଅନ୍ୟାନ୍ୟ ରାଜ୍ୟରେ ହେଉଥିବା ନିର୍ବାଚନ ଭଳି ଏହି ରାଜ୍ୟରେ ମଧ୍ୟ ନିର୍ବାଚନ ହୋଇଥାଏ-ଯେଉଁଥିରେ ଆଞ୍ଚଳିକ ଦଳ ବ୍ୟତୀତ ସର୍ବଭାରତୀୟ ଦଳଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରନ୍ତି । ସର୍ବଭାରତୀୟ ଦଳ ସରକାର ଗଢ଼ିବାର ମଧ୍ୟ ଦୃଷ୍ଟାନ୍ତ ରହିଛି । ଡିସେମ୍ବର ୨୦୦୮ନିର୍ବାଚନରେ ଶତକଡ଼ା ୬୦ଭାଗ ଭୋଟଦାତା ଅଂଶଗ୍ରହଣ କରିଥିଲେ ଯଦିଓ ଏହି ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବିଚ୍ଛିନ୍ନତାବାଦୀ ଶକ୍ତିମାନଙ୍କର ଥିଲା ଆହ୍ୱାନ । ସ୍ଥାନୀୟ ଓ ଜାତୀୟ ଦଳ ମିଶି ପ୍ରାୟଃ ୪୩ଟି ଦଳ ପକ୍ଷରୁ ୧୩୫୪ପ୍ରାର୍ଥୀ ଏହି ନିର୍ବାଚନରେ ଠିଆ ହୋଇଥିଲେ । ପୂର୍ବ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନରେ ଶତକଡ଼ା ୧୭ପ୍ରତିଶତ ଅଧିକ ଭୋଟଦାତା ଅଂଶଗ୍ରହଣ କରିଥିଲେ । ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ଜାମ୍ମୁ କାଶ୍ମୀରର ସଂଖ୍ୟାଗରିଷ୍ଠ ନାଗରିକ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଉଛନ୍ତି ଓ ଏହି ଅଂଶଗ୍ରହଣ ବୃଦ୍ଧିପାଉଛି । ନିର୍ବାଚନରେ ଅଂଶଗ୍ରହଣକୁ କେନ୍ଦ୍ରକରି ବିଚ୍ଛିନ୍ନତାବାଦୀ ସଙ୍ଗଠନ ଗୁଡ଼ିକରେ ବିଭେଦ ସୃଷ୍ଟିହୋଇଛି । ଅଲ ପାର୍ଟି ହୁରିଆତ କନଫରେନ୍ସ(All party Hurriyat Conference)ର କେତେକ ଭାଗୁଆଳୀ ଦଳ ନିର୍ବାଚନରେ ଅଂଶଗ୍ରହଣ କରିବା ଯୋଗୁଁ ଏହି କନଫରେନ୍ସ ୨୦୦୨ ନିର୍ବାଚନ ପରେ ବିଭାଜିତ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୟେଦ ଅଲ୍ଲି ସାହ ଗିଲାନୀ ଗୋଟିଏ ଗୋଷ୍ଠୀର ନେତୃତ୍ୱ ନେଉଥିବାବେଳେ ଅନ୍ୟଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ମିରୱାଜ୍ ଉମେର ଫାରୁକ ।
ଏହା ମଧ୍ୟ ଏକ ଐତିହାସିକ ସତ୍ୟ ଯେ ଯେଉଁ ଭାରତବର୍ଷକୁ ବ୍ରିଟିଶ ଶାସକ ଭାରତର ଶାସକବର୍ଗଙ୍କୁ ହସ୍ତାନ୍ତର କଲେ-ସେ ଭାରତବର୍ଷରେ ଜାମ୍ମୁ-କାଶ୍ମୀର ନଥିଲା । କେବଳ ଜାମ୍ମୁକାଶ୍ମୀର କାହିଁକି-ଜାମ୍ମୁକାଶ୍ମୀର ଭଳି କୌଣସି ରାଜାଶାସିତ ଅଞ୍ଚଳ(princely state) ବା ଦେଶଜ ରାଜ୍ୟ ଭାରତବର୍ଷର ଅଂଶ ନଥିଲା । ଓଡ଼ିଶାର ଗଡ଼ଜାତଗୁଡ଼ିକ ଏହାର ଅଂଶ ନଥିଲେ । ଭାରତ ସ୍ୱାଧୀନହେବା ପରେ, ଏହି ଦେଶଜ ରାଜ୍ୟଗୁଡ଼ିକୁ ଭାରତୀୟ ସଂଘରେ ମିଶାଇବାର ଉଦ୍ୟମ ଆରମ୍ଭ ହେଲା । ଯଦି ରାଜାଶାସିତ ରାଜ୍ୟଗୁଡ଼ିକର -ଭାରତବର୍ଷ ସହ ମିଶିବାର ତାରିଖକୁ କ୍ରମରେ ସଜାଇ ଦିଆଯାଏ, ତା’ହେଲେ ଜାମ୍ମୁକାଶ୍ମୀର ଭାରତବର୍ଷରେ ମିଶିବା ପରେ ଅନେକ ଦେଶଜ ରାଜ୍ୟ ମିଶିଛନ୍ତି ବୋଲି ତଥ୍ୟମିଳିବ । ଜାମ୍ମୁକାଶ୍ମୀର ଭାରତ ସ୍ୱାଧୀନ ହେବାର ଅଢ଼େଇମାସ ଭିତରେ ୨୬ଅକ୍ଟୋବର ୧୯୪୭ଦିନ ଭାରତ ସହ ମିଶିଲା । ଆମ -ଓଡ଼ିଶାର ଗଡ଼ଜାତ ମାନେ ତ ମିଶିଲେ ୧୫ଡିସେମ୍ବର ୧୯୪୭ରେ । ମୟୂରଭଞ୍ଜ ମିଶିଲା ଜାନୁଆରୀ ପହିଲା ୧୯୪୯ରେ । ଉପରୋକ୍ତ ଐତିହାସିକ ତଥ୍ୟକୁ ଭିତ୍ତକରି ଯଦି କେହି ଜାମ୍ମୁ-କାଶ୍ମୀର ଭାରତର ଅଂଶବିଶେଷ ନଥିଲା ବୋଲି କହି ସ୍ୱାଧୀନ ଜାମ୍ମୁ-କାଶ୍ମୀର ସପକ୍ଷରେ ଯୁକ୍ତି ବାଢ଼ୁଥାଏ-ତା’ହେଲେ ଏହାକୁ ଏକ ଯଥାର୍ଥ ଯୁକ୍ତି ବୋଲି କୁହାଯାଇପାରିବ ନାହିଁ । ଏହା ଅବଶ୍ୟ ଠିକ୍ ଯେ ଅନ୍ୟ ଦେଶଜ ରାଜ୍ୟଗୁଡ଼ିକର ଭାରତୀୟ ସଂଘରେ ସମ୍ମିଶ୍ରଣ ବିତର୍କିତ ହୋଇନଥିବା ବେଳେ-ଏହି ସୀମାନ୍ତ ରାଜ୍ୟର ସମ୍ମିଶ୍ରଣ ପ୍ରଥମରୁ ହିଁ ବିତର୍କିତ ହୋଇପଡ଼ିଛି । ଅପରପକ୍ଷରେ ଭାରତ ତରଫରୁ ସମ୍ବିଧାନର ଧାରା ୩୭୦ଜରିଆରେ ଜାମ୍ମୁ-କାଶ୍ମୀରକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଥିଲେ ମଧ୍ୟ ସେଠାରେ ପାକିସ୍ଥାନ ସହ ମିଶିବା ବା ସ୍ୱାଧୀନତା ପାଇଁ ଦାବି କରୁଥିବା ଗୋଷ୍ଠୀ ମାନଙ୍କର ସ୍ୱର ଥମିନାହିଁ । ବରଂ ୧୯୮୯ପରଠାରେ ଏହା ଉଗ୍ର ହୋଇଛି-ଯଦିଓ ଜମାଇତି-ଉଲମା-ଇ-ହିନ୍ଦ୍ ଘୋଷଣା କରିଛି ଯେ ଜାମ୍ମୁ-କାଶ୍ମୀରର ଭବିଷ୍ୟତ ଭାରତ ସହିତ ଜଡ଼ିତ-କାରଣ କାଶ୍ମୀର ଅଧିବାସୀଙ୍କର ସ୍ୱାର୍ଥ ଭାରତୀୟ ମୁସଲମାନଙ୍କ ସ୍ୱାର୍ଥଠାରୁ ଭିନ୍ନନୁହେଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁଓକାଶ୍ମୀରର କାଶ୍ମୀର ଖଣ୍ଡରେ ସମୁଦାୟ ରାଜ୍ୟର ଜନସଂଖ୍ୟାର ୫୩.୯ ପ୍ରତିଶତ ଲୋକ ବସବାସ କରନ୍ତି ଯାହାଙ୍କ ଭିତରେ ୯୭.୧୬ପ୍ରତିଶତ ହେଉଛନ୍ତି ମୁସଲମାନ । ଜାମ୍ମୁ ଖଣ୍ଡରେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୪୩.୭ ପ୍ରତିଶତ ଲୋକ ବସବାସ କରନ୍ତି ଯାହାଙ୍କ ଭିତରେ ୩୦.୬୯ପ୍ରତିଶତ ମୁସଲମାନ ହୋଇଥିବା ବେଳେ ୬୫.୨୩ ପ୍ରତିଶତ ହିନ୍ଦୁ । ତୃତୀୟ ଖଣ୍ଡ ଲଦାଖରେ ରାଜ୍ୟର ଜନସଂଖ୍ୟାର ୨.୩ପ୍ରତିଶତ ଲୋକ ବସବାସ କରନ୍ତି ଯାହାଙ୍କ ଭିତରେ ୪୭.୪୦ପ୍ରତିଶତ ମୁସଲମାନ ଓ ୪୫.୮୭ପ୍ରତିଶତ ହେଉଛନ୍ତି ବୌଦ୍ଧ । ତେଣୁ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଜନସଂଖ୍ୟା ଏକ ମିଶ୍ରିତ ଜନସଂଖ୍ୟା ଯେଉଁଠାରେ ମୁସଲମାନଙ୍କର ଜନସଂଖ୍ୟା ହିନ୍ଦୁ ଓ ବୌଦ୍ଧମାନଙ୍କର ଜନସଂଖ୍ୟା ତୁଳନାରେ ଅଧିକ ନିଶ୍ଚୟ (୨୦୦୧ ଜନଗଣନା ଅନୁସାରେ ଜାମ୍ମୁ-କାଶ୍ମୀରର ଜନସଂଖ୍ୟା ୧୦,୧୪୩,୭୦୦)ଯାହା ଭାରତରେ ବସବାସ କରୁଥିବା ୧୫କୋଟି ମୁସଲମାନଙ୍କର ଏକ ଅତି କ୍ଷୁଦ୍ର ଅଂଶ । ଏହାହିଁ ବୋଧହୁଏ କାରଣ ଜମାଇତି-ଉଲମା-ଇ- ହିନ୍ଦ୍ର ଉପରୋକ୍ତ ଘୋଷଣା ପଛରେ ।
ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଆଉ ଏକ ଦୃଶ୍ୟକୁ ଅଣଦେଖା କରାଯାଇ ପାରିବ ନାହିଁ ଯେ ବିଭିନ୍ନ ସମୟରେ ବିଚ୍ଛିନ୍ନତାବାଦୀ ବୋଲି ଜଣାଶୁଣା ବ୍ୟକ୍ତି ଓ ସେମାନଙ୍କର ସଙ୍ଗଠନଗୁଡ଼ିକ ସେମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ କରିଛନ୍ତି । ଯେପରିକି ଜାମ୍ମୁକାଶ୍ମୀର ଲିବରେସନ ଫ୍ରଣ୍ଟ୍ (Jammu-Kashmir Liberation Front-JKLF)ର ନେତା ୟାସିନ୍ ମାଲିକ ହିଂସାର ରାସ୍ତା ଛାଡ଼ିଦେଲେ ବୋଲି ଘୋଷଣା କରିଛନ୍ତି । ଅଲ୍ ପାର୍ଟି ହୁରିଆତ କନଫରେନ୍ସର ଏକ ଅଂଶଭାବେ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ୍ର ନେତା ୟାସିନ୍ ମାଲିକ-ହୁରିଆତର ଅଧ୍ୟକ୍ଷ ଭାବେ ୧୯୯୮ ମସିହାରେ ସୟେଦ ଅଲି ସାହ ଗିଲାନୀଙ୍କର ନିର୍ବାଚନକୁ ବିରୋଧ କରିଥିଲେ । ଗିଲାନୀଙ୍କ ଅଧ୍ୟକ୍ଷତାରେ ହୁରିଆତ ପାକିସ୍ଥାନ କବଳକୁ ଚାଲିଯିବ ବୋଲି ସେ ଅଭିଯୋଗ କରିଥିଲେ । ଗିଲାନୀ ଜାମ୍ମୁକାଶ୍ମୀର ପାକିସ୍ଥାନ ସହ ମିଶୁ ବୋଲି ଯୁକ୍ତି କରୁଥିବା ବେଳେ ୟାସିନ ମାଲିକ ସ୍ୱାଧୀନ ଜାମ୍ମୁ-କାଶ୍ମୀର ଦାବି କରନ୍ତି । କହିବା ବାହୁଲ୍ୟ ଯେ ଅଲ ପାର୍ଟି ହୁରିଆତ କନଫରେନ୍ସ ଯାହାର ଛତ୍ରଛାୟା ତଳେ ଏକାଠି ହୋଇଛନ୍ତି ମୁଣ୍ଡଟେକିଥିବା ବା ଟେକୁଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକ(୨୬ଟି ରାଜନୈତିକ, ସାମାଜିକ ଓ ଧାର୍ମିକ ସଙ୍ଗଠନ) ଗୋଷ୍ଠୀ ବିବାଦରେ ଜର୍ଜରିତ । ଏହି ଗୋଷ୍ଠୀମାନଙ୍କ ମଧ୍ୟରୁ କେତେକ ଭାରତ ସରକାରଙ୍କ ସହ କଥାବାର୍ତ୍ତା ପାଇଁ ଆଗେଇ ଆସୁଥିବାବେଳେ -ଆଉ କେତେକ ଭାରତ ସରକାରଙ୍କ ସହ କଥାବାର୍ତ୍ତାକୁ ବିଭିନ୍ନ ଆଳରେ ବିରୋଧ କରୁଛନ୍ତି । କିନ୍ତୁ ଯାହା ବୁଝାପଡ଼ୁଛି-ବୋଧହୁଏ ଏକ ଦୀର୍ଘମିଆଦୀ କଥାବାର୍ତ୍ତା ଜରିଆରେ ଏହି ବିଚ୍ଛିନ୍ନତାବାଦୀମାନଙ୍କୁ ସେମାନଙ୍କର ଦାବିରୁ ନିବୃତ୍ତ କରାଯାଇ ପାରେ-ଯଦିଓ ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ବିଭିନ୍ନ ବିଦେଶୀଶକ୍ତିଠାରୁ ମିଳୁଛି । ବିଚ୍ଛିନ୍ନତାବାଦୀମାନଙ୍କୁ ସେମାନଙ୍କ ଦାବିରୁ ନିବୃତ୍ତ କରାଇବା ଦିଗରେ କ୍ଷମତାସୀନ ଓ ବିରୋଧୀ ରାଜନୈତିକ ଦଳଗୁଡ଼ିକର ଏକ ସକାରାତ୍ମକ ଭୂମିକା ଅପରିହାର୍ଯ୍ୟ । ସରକାରଙ୍କର ବିଫଳତା ବିରୋଧରେ ରାଜନୈତିକ ଦଳମାନଙ୍କର ବିକ୍ଷୋଭ-ଭାରତୀୟ ସଂଘଠାରୁ ବିଚ୍ଛିନ୍ନ ହୋଇଯିବା ଦାବିରେ ବିକ୍ଷୋଭ-ଏକା କଥା ନୁହେଁ । କିନ୍ତୁ ଏହି ଦୁଇ ବିକ୍ଷୋଭ ଏକା ସମୟରେ ହେଲେ-ଏହା ପାର୍ଥକ୍ୟ ଝାପରା ହୋଇଯାଏ । ଏହା ବିରୋଧୀ ଦଳମାନଙ୍କର ଦାୟିତ୍ୱ ଯେ ସେମାନଙ୍କର ବିକ୍ଷୋଭ ଯେପରି ବିଚ୍ଛିନ୍ନତାବାଦୀଙ୍କ ବିକ୍ଷୋଭକୁ ଶକ୍ତିଶାଳୀ ନକରେ ।
ଜକ୍ଟଭରକ୍ସଗ୍ଧ ଙବଳକ୍ଷରଚ୍ ଆଉ ଏକ ତଥ୍ୟକୁ ଅଣଦେଖା କରିଦେବା ଉଚିତ ହେବନାହିଁ ଯେ ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦର ଉଗ୍ରସ୍ୱରୂପ ପ୍ରକଟିତ ହୋଇଛି ୧୯୮୯ ମସିହାରେ । ଏହି ସମୟଟିରେ ସାରା ବିଶ୍ୱରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ଗଠିତ ଏକକ ରାଷ୍ଟ୍ରଗୁଡ଼ିକର ବିଭାଜନ ପ୍ରକ୍ରିୟା ହୋଇଯାଇଛି ଆରମ୍ଭ । ଏହି ବିଭାଜନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଛି ସାମ୍ରାଜ୍ୟବାଦୀ ଆମେରିକା । ପରବର୍ତ୍ତୀ କାଳରେ ଏହି ବିଭାଜିତ ରାଷ୍ଟ୍ରର କ୍ଷୁଦ୍ରଖଣ୍ଡ ଗୁଡ଼ିକରୁ ଅନେକେ ହୋଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ହାତରେ କ୍ରୀଡ଼ନକ; ଆମେରିକାର ଘାଟିରେ ପରିଣତ ହୋଇଛନ୍ତି । ତେଣୁ ସେହିସମୟରେ କାଶ୍ମୀରରେ ବିଚ୍ଛିନ୍ନତାବାଦର ଉଗ୍ରସ୍ୱରୂପ ପ୍ରକଟିତ ହେବା ଏକ ବିରାଟ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ସନେ୍ଦହ ହେବା ସ୍ୱାଭାବିକ । ବର୍ତ୍ତମାନ ସକ୍ରିୟ ଅଲ୍ ପାର୍ଟି ହୁରିଆତ କନଫରେନ୍ସର ଗଠନପଛରେ ଯେ ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକା ରହିଛି-ଏହି ଅଭିଯୋଗ ମଧ୍ୟ ଶୁଣାଯାଏ(ଦ୍ରଷ୍ଟବ୍ୟ- Kashmir Herald, vol.1 no12, May 2002) । ଅଭିଯୋଗ ଯେ ଏହି ଭୂମିକା ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାହ କରିଛି ୱାଶିଂଟନରେ ଅବସ୍ଥିତ ୟୁଏସ୍ ଇନଷ୍ଟିଚୁ୍ୟଟ ଅଫ୍ ପିସ୍ (US Institute of Peace (USIPS)ଜରିଆରେ ଯେତେବେଳେ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଥିଲେ ପାକିସ୍ଥାନକୁ ଯୁକ୍ତରାଷ୍ଟ୍ର ଆମେରିକାର ଭୂତପୂର୍ବ ରାଷ୍ଟ୍ରଦୂତ ରବର୍ଟ ଓକଲେ (Robert Oakley) । ଯେଉଁମାନେ ଏହି ଅଭିଯୋଗ କରନ୍ତି, ସେମାନେ ସୁରକ୍ଷା ବାହିନୀ ଦ୍ୱାରା ଆହତ ହୋଇଥିବା ହୁରିଆତ ନେତା ଅବଦୁଲ ଘନି ଲୋନ୍ଙ୍କ ନିକଟକୁ ଆମେରିକୀୟ ଦୂତବାସରୁ ଅଧିକାରୀମାନେ ଆସୁଥିବାର ନଜିର ଦିଅନ୍ତି । ମାର୍ଚ୍ଚ ୨୦୦୦ରେ ଭାରତଗସ୍ତ ପୂର୍ବରୁ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ହୁରିଅତ କନଫରେନ୍ସର ଦୁଇ ନେତାଙ୍କୁ ୱାଶିଂଟନଠାରେ ଦେଖା କରିବା-ହୁରିଅତ ଓ ଆମେରିକା ଭିତରେ ସମ୍ପର୍କର ଆଉ ଏକ ଅକାଟ୍ୟ ନଜିର । ପ୍ରତିବେଶୀ ପାକିସ୍ଥାନର ହୁରିଅତ ସହ ସମ୍ପର୍କ ତ’ ସ୍ୱାଭାବିକ । ୧୯୯୮ମସିହାରେ କଲମ୍ବୋଠାରେ ଅନୁଷ୍ଠିତ ହୋଇଥିବା ସାର୍କ ସମ୍ମେଳନ ବେଳେ ପାକିସ୍ଥାନ କାଶ୍ମୀର ସଙ୍କଟଉପରେ ଏକ ଆଲେଖ୍ୟ ଭାରତ ସରକାରଙ୍କୁ ଦେଇଥିଲା ଯେଉଁଥିରେ ପାକିସ୍ଥାନ ଦାବି କରିଥିଲା ଯେ ହୁରିଅତକୁ ହିଁ କାଶ୍ମୀର ଅଧିବାସୀଙ୍କର ଏକମାତ୍ର ପ୍ରତିନିଧିଭାବେ ସ୍ୱୀକୃତି ଦିଆଯାଉ ।
କହିବାବାହୁଲ୍ୟ ଯେ କାଶ୍ମୀରରେ ଯେଉଁ ଆନେ୍ଦାଳନ ୮୦ଦଶକର ଶେଷଭାଗରୁ ଆରମ୍ଭ ହୋଇଛି ଓ ଏହା ନିଜ ସ୍ଥିତି ନିଜେ ସ୍ଥିର କରିବା (Self determination) ଦାବିରେ ହିଁ ଚାଲିଛି ବୋଲି କୁହାଯାଉଛି-ତାହା କାଶ୍ମୀରର ଅଧିବାସୀଙ୍କର ସ୍ୱାର୍ଥକୁ ହିଁ ଦୃଷ୍ଟିରେରଖି ଆରମ୍ଭ ହୋଇଛି ଓ ଅବ୍ୟାହତ ରହିଛି-କହିବା ଅର୍ଥ ସାମଗ୍ରିକ ବିଚାରବୋଧ ଓ ବୁଝାମଣାର ଅଭାବକୁ ହିଁ ଦର୍ଶାଇବା । କାଶ୍ମୀରର ଭୌଗୋଳିକ ସ୍ଥିତି ପ୍ରତି ଯଦି ଆମେ ସଚେତନ ରହୁ ତା’ହେଲେ ଏହାର ସେ ସମସ୍ତ ଯୋଗ୍ୟତା ଅଛି ଏକ ଘାଟି ହେବାର-ଏହା କୁହାଯାଇପାରେ । ଆମେରିକାର କାଶ୍ମୀରରେ ଆଗ୍ରହ-ଏହିଭଳି ଏକ ସୁଯୋଗ ନେବାପାଇଁ ନୁହେଁ ତ? ଅବଶ୍ୟ ନିକଟରେ ଗସ୍ତ କରି ଫେରିଯାଇଥିବା ଆମେରିକୀୟ ରାଷ୍ଟ୍ରପତି ବାରାକ ହୁସେନ ଓବାମା କହିଛନ୍ତି ଯେ କାଶ୍ମୀର ସମସ୍ୟା ଉପରେ ଆମେରିକା କୌଣସି ସମାଧାନ ଲଦିଦେବ ନାହିଁ । (‘cannot impose a solution’) କିନ୍ତୁ ଭାରତ ଓ ପାକିସ୍ଥାନ ମଧ୍ୟରେ ତିକ୍ତତାକୁ କମାଇବା ଦିଗରେ ସାହାଯ୍ୟ କରିବ । ଓବାମାଙ୍କର ଦୃଷ୍ଟି ଆକର୍ଷଣକରିବା ପାଇଁ ହୁରିଆତ ନେତା ସୟେଦ ଅଲ୍ଲୀସାହ ଗିଲାନୀ ଓବାମାଙ୍କର ଗସ୍ତ ତିନିଦିନ କାଶ୍ମୀର ଉପତ୍ୟକାରେ ବନ୍ଦ ଡାକରା ଦେଇଥିଲେ । ଅପରପକ୍ଷରେ ଆମେରିକାରେ ଥିବା କାଶ୍ମୀର ପଣ୍ଡିତମାନେ -କାଶ୍ମୀର ଉପତ୍ୟକାରୁ ବିଚ୍ଛିନ୍ନତାବାଦୀ ଶକ୍ତିମାନଙ୍କର ଭୟରେ ପଳାଇଯାଇଥିବା କାଶ୍ମୀର ପଣ୍ଡିତଙ୍କର ଦୁରବସ୍ଥା ପ୍ରତି ଓବାମାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ଭାରତ ସରକାରଙ୍କ ସହ ଏ ବିଷୟରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ । ଅରୁନ୍ଧତୀ ରାୟ କ୍ଷୁବ୍ଧ ଯେ ଓବାମା ତାଙ୍କ ଗସ୍ତକାଳରେ କାଶ୍ମୀରରେ ହେଉଥିବା ମାନବାଧିକାର ହନନ ସମ୍ପର୍କରେ କିଛି କହିଲେ ନାହିଁ । ବିଡ଼ମ୍ବନା ଯେ ଯେଉଁ ଯୁକ୍ତରାଷ୍ଟ୍ର ଆମେରିକାର ଏକ ସନ୍ଦିଗ୍ଧ ଭୂମିକା ରହିଛି କାଶ୍ମୀର ସମସ୍ୟା କ୍ଷେତ୍ରରେ-ସେହି ଯୁକ୍ତରାଷ୍ଟ୍ର ଆମେରିକାର ଦୃଷ୍ଟି ଆକର୍ଷଣ ପାଇଁ ଉଭୟପଟୁ ଦେଖାଦେଇଛି ବ୍ୟାକୁଳତା-ଏହା ଯୁକ୍ତରାଷ୍ଟ୍ର ଆମେରିକାର ଚତୁର କୂଟନୀତିଜ୍ଞଙ୍କୁ ବେଶ୍ ଆତ୍ମସନ୍ତୋଷ ଦେଇଥିବ-ଏଥିରେ ସନେ୍ଦହ ନାହିଁ ।
ମାନବିକ ଅଧିକାର ହନନର ଯେଉଁ ପ୍ରଶ୍ନ ଉଠିଛି ଓ ଉଠୁଛି, ତାହାର ପୃଷ୍ଠଭୂମିରେ ରହିଛି ସଶସ୍ତ୍ର ବାହିନୀ (ଜାମ୍ମୁ ଓ କାଶ୍ମୀର) ବିଶେଷ କ୍ଷମତା ୧୯୯୦ (Armed forces (Jammu and Kashmir) Special powers Act 1990)ର ଅପପ୍ରୟୋଗ । ଯଦିଓ ୧୯୯୯ରେ ବିଚ୍ଛିନ୍ନତାବାଦର ଉଗ୍ରରୂପ ପ୍ରକଟିତ ହେବା ପରେ ପରେ ଏହି ଆଇନର ପ୍ରଣୟନ ହେଲା- ବିଚ୍ଛିନ୍ନତାବାଦକୁ ମୁକାବିଲା କରିବା ପାଇଁ-ଏହାର ଅପପ୍ରୟୋଗ ଫଳରେ ବହୁ ନିରୀହ ସାଧାରଣ ନାଗରିକ ନିର୍ଯାତନାର ଶିକାର ହୋଇଗଲେ । ଏହି ଆଇନ ବିରୁଦ୍ଧରେ ଅସନ୍ତୋଷ ବିଚ୍ଛିନ୍ନତାବାଦୀଙ୍କୁ ସୁଯୋଗ ଯୋଗାଇଛି-ନିଜ ସପକ୍ଷରେ ଅଧିକରୁ ଅଧିକ ସାଧାରଣ ନାଗରିକଙ୍କର ସମର୍ଥନ ହାସଲ କରିବା ଦିଗରେ । ଜାମ୍ମୁ କାଶ୍ମୀରର ନିରୀହ ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥସମ୍ପର୍କରେ ସଚେତନ ଓ ସଚେତନ ଯେ କାଶ୍ମୀର ବିଚ୍ଛିନ୍ନ ହେଲେ ଭାରତୀୟ ଉପମହାଦେଶରେ ସାମ୍ରାଜ୍ୟବାଦୀ ଆମେରିକାର ଏକ ଘାଟିରେ ପରିଣତ ହେବ, ସେମାନେ କଦାପି ଚାହିଁବେ ନାହିଁ ଯେ ସାଧାରଣ ଜନତାର ସଶସ୍ତ୍ର ବାହିନୀ(ଜାମ୍ମୁ ଓ କାଶ୍ମୀର) ବିଶେଷ କ୍ଷମତା ଆକ୍ଟ-୧୯୯୦କୁ ବିରୋଧ ବିଚ୍ଛିନ୍ନତାବାଦୀଙ୍କର ଶକ୍ତିକୁ ସୁଦୃଢ଼ କରୁବୋଲି । ତେଣୁ ଏହି ଆକ୍ଟ ପ୍ରତ୍ୟାହାର କରି, ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ କିପରି ସେମାନଙ୍କର ଦାବିରୁ ନିବୃତ୍ତ କରାଯାଇ ପାରିବ-ତା’ର ରଣନୀତି ସ୍ଥିର କରାଯିବା ଉଚିତ । ଅପରପକ୍ଷରେ ଯେଉଁମାନେ ଅସ୍ମିତା, ଆତ୍ମନିୟନ୍ତ୍ରଣ ଇତ୍ୟାଦିର ପ୍ରଶ୍ନ ଉତ୍ଥାପନ କରି ସ୍ୱାଧୀନ କାଶ୍ମୀର ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି, ସେମାନେ ସମୁଦାୟ ପ୍ରସଙ୍ଗର ଏକ ଇତିହାସତାତ୍ତ୍ୱିକ ବିଶ୍ଳେଷଣ କରି ସମର୍ଥନର ପୁନର୍ବିଚାର କରିବେ ବୋଲି ଆଶା-ଭାବପ୍ରବଣ ହୋଇ ନୁହେଁ । – ଶୁଦ୍ରକ