ସମାଜରେ ଦୁର୍ନୀତି ଏତେ ବ୍ୟାପକ ଓ ଦେହଘଷା ହୋଇଗଲାଣି ଯେ ଏହାଉପରେ ଲେଖିବା ପାଇଁ ଲେଖନୀ ମଧ୍ୟ କୁନ୍ଥେଇଲାଣି । ତଥାପି ଗୋଟିଏ ଦିନ ସମ୍ବାଦପତ୍ରରେ ଦୁଇଟି ସମ୍ବାଦ ଏହି ପ୍ରସଙ୍ଗରେ ଦେଖିଲା ପରେ-ମନରେ ଉଠିଥିବା ପ୍ରତିକ୍ରିୟାକୁ ଲିପିବଦ୍ଧ କରିବାପାଇଁ ଆଗ୍ରହ ଆସିଲା । ଗୋଟିଏ ସମ୍ବାଦ ହେଉଛି ଆମର ମହାମହିମ ଦ୍ୱାଦଶ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ଦ୍ୱାରା କିଟ୍ (KIIT) ଓ କିସ୍ (KISS)ଠାରେ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ । (ଦ୍ରଷ୍ଟବ୍ୟ: VP briefs students against corruption, Orissa Plus, The Statesman, 23/10/2010),ଦ୍ୱିତୀୟଟି ହେଉଛି କର୍ଣ୍ଣାଟକର ଲୋକଆୟୁକ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ନିକଟ ଅତୀତରେ କର୍ଣ୍ଣାଟକ ସରକାରଙ୍କର ବିରୋଧରେ ପ୍ରତିକ୍ରିୟା କରି ଇସ୍ତଫା ଦେଇ ବିତର୍କ ସୃଷ୍ଟି କରିଥିବା ମାନ୍ୟବର ସନ୍ତୋଷ ହେଗଡ଼େଙ୍କ ସହ ଏକ ସାକ୍ଷାତକାର । (ଦ୍ରଷ୍ଟବ୍ୟ: Crusader for a value -based society, Zeitgeist, New Indian Express, 23/10/2010)
ଅବଶ୍ୟ ହମିଦ ଅନସାରୀ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦେଇଥିବା ଦୀକ୍ଷାନ୍ତ ଭାଷଣରେ ଦୁର୍ନୀତି ବିରୋଧରେ କୌଣସି ଆହ୍ୱାନ ଉପସ୍ଥିତ ଯୁବକଯୁବତୀଙ୍କୁ ଦେଇନଥିଲେ । ସେ କୃଷିରୁ ପୁଞ୍ଜି ହ୍ରାସ ଶୁଭଙ୍କର ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ । (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୨/୧୦/୨୦୧୦)
କାହିଁକି କିଟ୍ ଓ କିସ୍ରେ ହମିଦ ଅନସାରୀ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ଉସୁକାଇଲେ ଅଥଚ କୃଷିବିଶ୍ୱବିଦ୍ୟାଳୟର ଡିଗ୍ରୀ ଗ୍ରହଣ କରିବାକୁ ଆସିଥିବା ଯୁବକଯୁବତୀ-ଯେଉଁମାନେ ଏହି ଡିଗ୍ରୀନେଇ ବିଭିନ୍ନ ବୃତ୍ତରେ ପଶିବେ-ତାଙ୍କୁ ଦୁର୍ନୀତି ବିରୋଧରେ କିଛି କହିଲେ ନାହିଁ- ତାହା କିଛି ଚୋପାଛଡ଼ା ବୁଦ୍ଧିଜୀବୀଙ୍କୁ ବିବ୍ରତ କରିବା ଅସ୍ୱାଭାବିକ ନୁହେଁ ।
ଦିଲ୍ଲୀରେ ଥାଇ, ସଦ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ପୃଷ୍ଠଭୂମିରେ ଦୁର୍ନୀତିର ଅଭିଯୋଗ ଶୁଣି ଶୁଣି, ରାଜ୍ୟସଭାର ଅଧ୍ୟକ୍ଷଭାବେ ସଭ୍ୟମାନଙ୍କର ପୃଷ୍ଠଭୂମି ବିଷୟରେ ଜାଣି ଜାଣି, ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଦୁର୍ନୀତି ନିରୋଧ ବିଭାଗର ରାଷ୍ଟ୍ରମୁଖ୍ୟ ଭାବେ ଦେଖି ଦେଖି, ହମିଦ ଅନସାରୀ ମହୋଦୟ ଅନ୍ୟନ୍ୟୋପାୟ ହୋଇ ବୋଧେ ଯୁବକଯୁବତୀଙ୍କୁ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଇଛନ୍ତି । ସନ୍ତୋଷ ହେଗଡ଼େଙ୍କର ଧାରଣା ହମିଦ ଅନସାରୀଙ୍କର ଆହ୍ୱାନ ସପକ୍ଷରେ ଯାଏ ଯେତେବେଳେ ହେଗଡ଼େ ମହାଶୟ କୁହନ୍ତି, ‘କେବଳ ଯେତେବେଳେ ଛାତ୍ରଛାତ୍ରୀମାନେ ଏକ ମୂଲ୍ୟବୋଧଭିତ୍ତକ ସମାଜର ଗୁରୁତ୍ୱ ଉପଲବ୍ଧ କରିବେ- ସେତେବେଳେ ଯାଇ ଆମ ରାଜ୍ୟ ଓ ଦେଶ ପାଇଁ ଏକ ସୁନ୍ଦର ଭବିଷ୍ୟତ ସମ୍ଭବ ହେବ ।’ (only when students realise the importance of a value based society, can we envision a better future for the state and for the country) । କିନ୍ତୁ ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନଙ୍କ ସହ କିପରି ବ୍ୟବହାର କରାଯିବ? ହେଗଡ଼େ ମହାଶୟଙ୍କର ପରାମର୍ଶ ହେଉଛି ‘ଦୁର୍ନୀତିଗ୍ରସ୍ତଙ୍କୁ ବାସନ୍ଦ କର । ଏହାର ପ୍ରଭାବ ପଡ଼ିବ ।’ (Families or small urban communities should stop interacting with people who are corrupt. This will have effect.) । ଏହି ଉକ୍ତିର ଅନୁସିଦ୍ଧାନ୍ତ (corollary) ହେଉଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ସହ ଏକମଞ୍ଚସ୍ଥ ହୋଇ ଦୁର୍ନୀତି ବିରୋଧରେ ଆହ୍ୱାନ ପ୍ରଭାବବିହୀନ ହିଁ ହେବ ।
କିନ୍ତୁ ସନ୍ତୋଷ ହେଗଡ଼େଙ୍କର ଅଭିଜ୍ଞତାକୁ ବିଚାର କରାଯାଏ ଯେ ତାଙ୍କ ପିଲାବେଳେ ହାତଗଣତି ଦୁର୍ନୀତିଗ୍ରସ୍ତ ଲୋକଥିଲେ, ଏବେ ହାତଗଣତି ସଚ୍ଚୋଟ ଲୋକ ଅଛନ୍ତି – (When I was younger, it just took five fingers to count the number of corrupt officials in the government, but now I need same five fingers to count the honest ones). ତା’ହେଲେ ଦୁର୍ନୀତି ବିରୋଧରେ ଆହ୍ୱାନ ଦେବାପାଇଁ ସଚ୍ଚୋଟ ମଞ୍ଚଟିଏ ପାଇବା ନିଶ୍ଚିତ ବିରଳ ।
ତେଣୁ ସଚ୍ଚୋଟ ବ୍ୟକ୍ତିମାନେ ଦୁର୍ନୀତି ବିରୋଧରେ ଆହ୍ୱାନ ଦେବାର ବ୍ୟାକୁଳତାରେ ଆବିଷ୍ଟ ହୋଇ କେଉଁପ୍ରକାର ମଞ୍ଚରୁ ଆହ୍ୱାନ ଦେଉଛନ୍ତି, ମଞ୍ଚର ପ୍ରାୟୋଜକ କିଏ, ମଞ୍ଚ ପ୍ରସ୍ତୁତିର ଆର୍ଥିକ ଉତ୍ସ୍ୱ କ’ଣ- ଏସୁବୁକୁ ଯଦି ଆହ୍ୱାନ ଦେବାପୂର୍ବରୁ ଯାଞ୍ଚ ନକରନ୍ତି ତା’ହେଲେ ଆହ୍ୱାନ ଯେତେ ଆନ୍ତରିକ ଓ ବ୍ୟାକୁଳ ହେଲେ ମଧ୍ୟ ତାହାର ପ୍ରଭାବ କୌଣସି ରହିବ ନାହିଁ – ବରଂ ଆହ୍ୱାନ ଦେଉଥିବା ବ୍ୟକ୍ତିର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଠିଆ ହୋଇଯିବ ।
ହେଗଡ଼େ ମହାଶୟ ଦୁର୍ନୀତି ପଛରେ କାରଣ ଭାବେ ଲୋଭ(ଶକ୍ସରରୟ)କୁ ହିଁ ଚିହ୍ନଟ କରିଛନ୍ତି । ଲୋଭ ହିଁ ଦୁର୍ନୀତି କରିବାକୁ ପ୍ରବର୍ତ୍ତାଇଥାଏ । (Greed is the one factor that provides maximum impetus) । ଉପଭୋକ୍ତାବାଦ ହେଉଛି ଲୋଭବର୍ଦ୍ଧକ । ଆମର ବର୍ତ୍ତମାନର ସମାଜ ଓ ତା’ର ଅର୍ଥନୀତି ଉପଭୋକ୍ତାବାଦକୁ ହିଁ ପ୍ରୋତ୍ସାହିତ କରେ । ଆମର ସମୁଦାୟ ଶିକ୍ଷାବ୍ୟବସ୍ଥା, ବିଶେଷତଃ ବୈଷୟିକ ଶିକ୍ଷାର ଅସ୍ତିତ୍ୱ ଏହି ଉପଭୋକ୍ତାବାଦ ସଂସ୍କୃତିର ବ୍ୟାପକତା ଉପରେ ହିଁ ପୁଷ୍ଟ ହୋଇଥାଏ । ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟକରି ଘରୋଇ ବୈଷୟିକ ଅନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଦୁର୍ନୀତି ବିରୋଧରେ ଆହ୍ୱାନ କେତେଦୂର ପ୍ରଭାବୀ ହେବ- ତା’ ନେଇ ଶୁଦ୍ରକ ମନରେ ବେଶ୍ ସନେ୍ଦହ । – ଶୁଦ୍ରକ