ଦୁର୍ନୀତିରେ ଅଭିଯୁକ୍ତ- ଦୁର୍ନୀତି ନିବାରଣ ପ୍ରତିଷ୍ଠାନର ରାଷ୍ଟ୍ରାଧ୍ୟକ୍ଷ!

  • 04/09/2015

୧-୧୫/୧୬-୩୦ ଅକ୍ଟୋବର, ୨୦୧୦

ଦୁର୍ନୀତିରେ ଅଭିଯୁକ୍ତ ଓ ଜାମିନରେ ଥିବା ଜଣେ ବ୍ୟକ୍ତି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ପ୍ରତିଷ୍ଠାନ (Central Vigilance Commission)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ଅର୍ଥାତ ଦୁର୍ନୀତି ବିରୋଧୀ ଅଭିଯାନରେ ରାଷ୍ଟ୍ରର ସର୍ବୋଚ୍ଚ ପୁରୋଧାଭାବେ ସ୍ୱୀକୃତ ହେବା , ତାହା ପୁଣି ବହୁ ପ୍ରଚାରିତ ସଚ୍ଚୋଟ ସାଧୁ, ଦୁର୍ନୀତିର ସ୍ପର୍ଶରୁ ଊଦ୍ଧ୍ୱର୍ରେ ଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଅନୁମୋଦିତ ହୋଇ-ସ୍ୱାଭାବିକ ସମସ୍ତଙ୍କୁ ଚକିତ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନମୋହନ ସିଂହ, ପି.ଚିଦାମ୍ବରମ ଓ ସୁଷମା ସ୍ୱରାଜଙ୍କୁ ନେଇ ଗଠିତ ଯେଉଁ କମିଟି ଏହି ଅନୁମୋଦନ କରିଛି ବୋଲି କୁହାଯାଉଛି-ସେଥିରେ ସୁଷମା ସ୍ୱରାଜ ଅନୁମୋଦନ ସହ ଏକମତ ନୁହନ୍ତି ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ତେଣୁ ଏହିଭଳି ଅନୁମୋଦନ ଯେ ମନମୋହନ ସିଂହଙ୍କର- ଏହା କହିବା ଭୁଲ୍ ହେବନାହିଁ । ଯେଉଁମାନେ କେରଳ କ୍ୟାଡ଼ରର ୧୯୭୩ବ୍ୟାଚର ଆଇ.ଏ.ଏସ୍ ଅଫିସର P.J Thomasଙ୍କ ବିରୁଦ୍ଧରେ ଚାଲିଥିବା ଦୁର୍ନୀତି ମାମଲାର ପ୍ରମାଣ (ଥିରୁଭନନ୍ତପୁରମର ସ୍ପେଶିଆଲ ଭିଜିଲାନ୍ସ କୋର୍ଟରେ ଚାଲିଥିବା ପାମୋଲିନ ତେଲ ଦୁର୍ନୀତି ମାମଲା) ଓ ୨-ଜି ଟେଲିକମ ଦୁର୍ନୀତିରେ ତାଙ୍କର ସନ୍ଦିଗ୍ଧ ସମ୍ପୃକ୍ତିର ପ୍ରମାଣ (NDTVନିକଟରେ ଉପଲବ୍ଧ) ମନମୋହନ ସିଂହଙ୍କୁ ପେଶ୍ କଲେ ଓ ଏହିଭଳି ଅନୁମୋଦନକୁ ପ୍ରଶ୍ନକଲେ ତାଙ୍କୁ ମନମୋହନ ସିଂହଙ୍କର ବେଖାତିରିଆ ଉତ୍ତର ଥିଲା, ‘ଆମେ ଠିକ କରିଛୁ । ପ୍ରସ୍ତାବିତ ତିନୋଟି ନାମ ଥିବା ତାଲିକାରୁ ଆମେ ସବୁଠାରୁ ଯୋଗ୍ୟବ୍ୟକ୍ତିଙ୍କୁ ହିଁ ବାଛିଛୁ ।’ (We have done right thing. We have chosen the best candidate out of the list of three) । ବହୁ ପ୍ରଚାରିତ ସଚ୍ଚୋଟ-ଦୁର୍ନୀତି ଦ୍ୱାରା ମଳିନ ପଡ଼ିନଥିବା ମନମୋହନ ସିଂହ ଦୁର୍ନୀତିରେ ଅଭିଯୁକ୍ତ ଜଣେବ୍ୟକ୍ତିଙ୍କୁ ଦୁର୍ନୀତି ନିବାରଣ ପ୍ରତିଷ୍ଠାନର ରାଷ୍ଟ୍ରାଧ୍ୟକ୍ଷ ଭାବେ ବାଛିବା ଓ ଏହାକୁ ସଠିକ ବୋଲି ଦାବୀ କରିବା ପ୍ରସିଦ୍ଧ ସମାଜତତ୍ତ୍ୱବିତ୍ ଇରାୱତି କାର୍ଭେଙ୍କର ଏକ ବିଶେଷ ଧାଡ଼ିକୁ ସ୍ମରଣ କରିବାପାଇଁ ବାଧ୍ୟକରେ ଯାହା ମହାଭାରତରେ ଭୀଷ୍ମଙ୍କର ଭୂମିକା ସମ୍ପର୍କରେ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି । (ଦ୍ରଷ୍ଟବ୍ୟ- Yuganta: the end of an epoch-Orient Blackswan Pvt.Ltd. 2008, P-17). ତାଙ୍କଭାଷାରେ, ‘The injustices done by idealists, patriots,saints and crusaders are far greater than those done by the worst tyrants,’
(ସବୁଠାରୁ ଦୁଷ୍ଟ ଅତ୍ୟାଚାରୀ ଶାସକଠାରୁ ମଧ୍ୟ ଅଧିକ ଅନ୍ୟାୟ କରିଥାନ୍ତି ଆଦର୍ଶବାଦୀ, ଦେଶପ୍ରେମୀ, ସାଧୁ ଓ ପରିବର୍ତ୍ତନ ପାଇଁ ଲଢ଼ୁଥିବା ବ୍ୟକ୍ତିମାନେ) । କିନ୍ତୁ ଯେଉଁମାନେ ମନମୋହନ ସିଂହଙ୍କର ସାଧୁତା ଓ ସଚ୍ଚୋଟପଣିଆକୁ ସନେ୍ଦହ ଚକ୍ଷୁରେ ଦେଖି ଆସିଛନ୍ତି-ସେମାନଙ୍କର ସନେ୍ଦହକୁ PJ Thomas
ଙ୍କର ନିଯୁକ୍ତି ଦୃଢ଼ୀଭୂତ କରୁଛି ମାତ୍ର ।
ଅବଶ୍ୟ ଆଇନ ଉଲ୍ଲଂଘନକାରୀ, ଅପରାଧରେ ଜଡ଼ିତ ବ୍ୟକ୍ତିମାନେ ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାରେ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଆଇନ ପ୍ରଣୟନକାରୀର ଭୂମିକା ନିର୍ବାହ କରିବା ଏକ ସାଧାରଣ ଦୃଶ୍ୟ ହେଲାଣି-ସେତେବେଳେ ଦୁର୍ନୀତିରେ ଅଭିଯୁକ୍ତ ବ୍ୟକ୍ତି ଦୁର୍ନୀତି ନିବାରଣ ବିଭାଗର ରାଷ୍ଟ୍ରାଧ୍ୟକ୍ଷ ଭାବେ ସଚ୍ଚୋଟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଅନୁମୋଦିତ ହେବାରେ ବିଚିତ୍ରତା ବା କ’ଣ?
ଭାରତ ତ’ କେବଳ ବିବିଧତାର ଦେଶ ନୁହେଁ- ବହୁ ବିରୋଧାଭାସର ମଧ୍ୟ ଦେଶ । PJ Thomas
ଙ୍କର ନିଯୁକ୍ତି ବିରୋଧାଭାସର ଏକ ସଦ୍ୟତମ ଉଦାହରଣ ମାତ୍ର ।
-ଶୁଦ୍ରକ

Print Friendly, PDF & Email