କୋଟିପତି ଦରୱାନ – କୋଟିପତି କିରାଣି : ଅର୍ବୁଦପତି ଅଫିସର କେବେ?

  • 04/09/2015

ଦୁର୍ନୀତିବିଭାଗ ସୌଜନ୍ୟରୁ ଓଡ଼ିଶାବାସୀ ଇତ୍ୟବସରରେ ଜାଣିବାକୁ ପାଇଛନ୍ତି ଯେ, ଓଡ଼ିଶା ରାଜ୍ୟର ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାରେ କୋଟିପତି ଦରୱାନ ଓ କୋଟିପତି କିରାଣୀ ମଧ୍ୟ ଚାକିରୀ କରନ୍ତି । ଯେଉଁ ରାଜ୍ୟରେ ଦରୱାନ, କିରାଣୀ କୋଟିପତି; ସେ ରାଜ୍ୟରେ ଅର୍ବୁଦପତି ପଦସ୍ଥ ଅଫିସର ଥିବେ(!), ଏହିଭଳି ଅନୁମାନକୁ କପୋଳକଳ୍ପିତ କହିହେବ ନାହିଁ । ନାଳନ୍ଦା ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟମାନେ କେଉଁସ୍ତରର ପଣ୍ଡିତ ଥିଲେ ତାହା ବିଶ୍ୱବିଦ୍ୟାଳୟର ଦ୍ୱାରପାଳଙ୍କ ପାଣ୍ଡିତ୍ୟରୁ ଆକଳନ କରାଯାଇପାରୁଥିଲା ବୋଲି ଜନଶ୍ରୁତି ରହିଛି । ତେଣୁ ଯେଉଁ ଦପ୍ତରରେ ଦରୱାନ, କିରାଣୀ କୋଟିପତି- ସେ ଦପ୍ତରରେ ଅର୍ବୁଦପତି ଅଧିକାରୀଙ୍କର ଉପସ୍ଥିତିକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । କିନ୍ତୁ କେବେ ଦୁର୍ନୀତି ବିଭାଗଙ୍କ ସୌଜନ୍ୟରୁ ଓଡ଼ିଶାର ଜନତା ସମ୍ବାଦପତ୍ରରେ ପଢ଼ିବେ ‘ଅର୍ବୁଦପତି ଅଫିସର ଗିରଫ’-ତାହାକୁ ସେମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । କହିବା ବାହୁଲ୍ୟ ଯେ ଗତ କେତେବର୍ଷ ଧରି ବଡ଼ ବଡ଼ କମ୍ପାନୀମାନଙ୍କୁ ଅନୁକମ୍ପା ପ୍ରଦର୍ଶନ, ବେଆଇନ ଖଣି ଖୋଦନକୁ ପ୍ରୋତ୍ସାହନ, ମିଥ୍ୟା ହିତାଧିକାରୀଙ୍କୁ ଅର୍ଥ ସାହାଯ୍ୟ ଆଦି ଯେଉଁ ବଡ଼ ଧରଣର ଦେଣନେଣ ହେଉଛି ତାହାର ଏକ ହସ୍ତକ୍ଷେପମୁକ୍ତ ତଦନ୍ତ କରାଗଲେ ବହୁ ଅର୍ବୁଦପତି ଅଫିସର ଖୁବ୍ ସହଜରେ ସରକାରୀଭାବେ ପ୍ରକଟିତ ହୋଇଯିବେ ।
ଏହା କଦାପି ହେବନାହିଁ ବୋଲି କହୁଥିବା ଲୋକମାନଙ୍କ ସଂଖ୍ୟା ବହୁତ ବେଶୀହେଲେ ମଧ୍ୟ ‘ଶୁଦ୍ରକ’ ଏଯାବତ ସେମାନଙ୍କର ସାଥିରେ ନାହିଁ ।
-ଶୁଦ୍ରକ

Print Friendly, PDF & Email