ଭାରତର କେତୋଟି ସମୃଦ୍ଧ ରାଜ୍ୟ ଭିତରେ କର୍ଣ୍ଣାଟକର ନାମ ଉଚ୍ଚାରଣ କରାଯାଏ । ଏହି ସମୃଦ୍ଧ ରାଜ୍ୟଟି ଗତ କିଛିମାସ ହେଲା ଦୁର୍ନୀତି ପାଇଁ ବେଶ୍ ଚର୍ଚ୍ଚିତ । ତାହା କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଦିନାକରନ ମହୋଦୟଙ୍କର ଦୁର୍ନୀତି ହେଉ ବା ନୀତି ନୈତିକତାର ଦଳ ବିଜେପିର ନେତୃତ୍ୱରେ ଚାଲିଥିବା ସରକାରର ମନ୍ତ୍ରୀ ରେଡ୍ଡୀ ଭ୍ରାତାଦ୍ୱୟଙ୍କ ଦ୍ୱାରା ବେଆଇନ ଲୁହାପଥର ଚାଲାଣ ହେଉ । ଦୁର୍ନୀତି ଯେ ସରକାରୀ ପୃଷ୍ଠପୋଷକତା ପାଉଛି ତାହାର ପ୍ରମାଣ ହେଉଛି ଲୋକଆୟୁକ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏନ୍.ସନ୍ତୋଷ ହେଗଡ଼େଙ୍କ ଦ୍ୱାରା ତାଙ୍କ ପଦବୀରୁ ଇସ୍ତଫା ।
ଇସ୍ତଫା ନଦେଇ ସେହି ପଦବୀରେ ରହିବା ଥିଲା ତାଙ୍କ ପାଇଁ ଘୋର ଅପମାନ । କାରଣ ଯେଉଁ ସଚ୍ଚୋଟ ଅଫିସର(ଶ୍ରୀଯୁକ୍ତ ଆର ଗୋକୁଳ, ଡେପୁଟି କଞ୍ଜରଭେଟର ଅଫ୍ ଫରେଷ୍ଟ) ବେଆଇନ ଭାବରେ ଉତ୍ତୋଳନ ହୋଇଥିବା ଓ ତାଙ୍କ କର୍ମଚାରୀମାନଙ୍କ ଦ୍ୱାରା ଜବତ ହୋଇଥିବା ୩୫ଲକ୍ଷ ଟନ୍ ଲୁହାପଥରକୁ ବେଲେକାରୀ ବନ୍ଦର ଦେଇ ରପ୍ତାନୀ କରିଦେବାର ଉଦ୍ୟମକୁ ଉନ୍ମୋଚିତ କଲେ, ତାଙ୍କୁ ଜଣେ ମନ୍ତ୍ରୀ (ଜେ.କୃଷ୍ଣ ପାଲେମାର)ଙ୍କ ନିଦେ୍ର୍ଧଶରେ ନିଲମ୍ବିତ କରାଗଲା ଓ ସେ ଏହି ସଚ୍ଚୋଟ ଅଫିସରଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ଅପରପକ୍ଷରେ ଯେଉଁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସେ ନିଲମ୍ବିତ କରିଥିଲେ, ସରକାର ତାଙ୍କୁ ପୁନଃଅବସ୍ଥାପିତ କରିଦେଲେ । ରେଡ୍ଡୀଭ୍ରାତାଙ୍କୁ ସ୍ପର୍ଶ କରିବା ମୁଖ୍ୟମନ୍ତ୍ରୀ ୟେଦୁ୍ୟରାପ୍ପାଙ୍କ ପକ୍ଷରେ ଥିଲା ଅସମ୍ଭବ । ତେଣୁ ହେଗଡ଼େ ମହାଶୟଙ୍କର ସୁପାରିଶକୁ କାର୍ଯ୍ୟକାରୀ କରାଇବା ପାଇଁ ତାଙ୍କର ସାହସ ପାଉନଥିଲା । ସରକାରଙ୍କର ଏହି ଜଡ଼ତା-ଅସହ୍ୟ ହୋଇପଡ଼ିଥିଲା ହେଗଡ଼େ ମହାଶୟଙ୍କ ପାଇଁ । ତେଣୁ ଅଥର୍ବ ହୋଇ ବସିବା ଅପେକ୍ଷା ସେ ଇସ୍ତଫା ଦେଇଦେବାକୁ ଶ୍ରେୟସ୍କର ମଣିଲେ । ତାଙ୍କରି ଭାଷାରେ- (ଦୁର୍ନୀତିଗ୍ରସ୍ତ) ‘ଲୋକଙ୍କୁ ଧରିବା ଯଥେଷ୍ଟ ନୁହେଁ । ମୁଁ କ୍ଷମତା ଚାହେଁ- ଯାହାଦ୍ୱାରା ଧରାପଡ଼ୁଥିବା ଦୁର୍ନୀତି ମାମଲାଗୁଡ଼ିକୁ ଏକ ତାର୍କିକ ପରିଣତିରେ ପହଞ୍ଚାଇ ପାରିବି ।’ (It is not enough if I catch people. I need powers to bring cases to logical conclusions) । ହେଗଡ଼େ ଇସ୍ତଫା ଦେଲେ ୨୩ଜୁନ୍ ୨୦୧୦ଦିନ । ବିଜେପିର ତୁଙ୍ଗନେତା ଦେଖିପାରିଲେ ଏହି ଇସ୍ତଫାର ଦଳର ଛବି ଉପରେ ପ୍ରତିକୂଳ ପ୍ରଭାବ । ତେଣୁ ବିପର୍ଯ୍ୟୟ ପ୍ରଶମନ ପାଇଁ ଆରମ୍ଭ ହୋଇଗଲା ଘମାଘୋଟ ଉଦ୍ୟମ । ୟେଦୁ୍ୟରପ୍ପା ମାନିଲେ ଯେ ୩୫ଲକ୍ଷ ଟନ୍ ଲୁହାପଥର ବେଆଇନ ଭାବେ ଉତ୍ତୋଳନ ହୋଇଥିଲା ଓ ଏହାର ରପ୍ତାନୀ ପାଇଁ ଉଦ୍ୟମ ହେଉଥିଲା । ଏକ ବିରାଟ ଗୋଷ୍ଠୀ ଏହାପଛରେ ଅଛନ୍ତି ବୋଲି ସ୍ୱୀକାର କଲେ । ଏହା ତ ଭିନ୍ନକଥା ଯେ ଏବେ ସେ ରେଡ୍ଡୀଭ୍ରାତା ଦ୍ୱୟଙ୍କୁ ୧୦୧ ପ୍ରତିଶତ ସଚ୍ଚୋଟ ବୋଲି ସାର୍ଟିଫିକେଟ ଦେଇଛନ୍ତି । ବିଶେଷତଃ ବିଜେପିର ତୁଙ୍ଗନେତ୍ରୀ ସୁଷମା ସ୍ୱରାଜଙ୍କ ସହ ରେଡ୍ଡୀ ଭ୍ରାତାଦ୍ୱୟ ଭେଟ କରିସାରିବା ପରେ ।
ହେଗଡ଼େଙ୍କୁ ମନାଇବାର ଉଦ୍ୟମ ସଫଳ ହେଲା । ଲାଲକୃଷ୍ଣ ଆଡ଼ୱାନିଙ୍କ କଥା ମାନି ୩ଜୁଲାଇ ୨୦୧୦ ତାରିଖ ଦିନ ହେଗଡ଼େ ମହାଶୟ ତାଙ୍କର ଇସ୍ତଫା ୱାପସ ନେଲେ । ଆଡ଼ୱାନି ବାପା ସମାନ ହୋଇଥିବାରୁ ତାଙ୍କ ଅନୁରୋଧକୁ ହେଗଡ଼େ ଏଡ଼ାଇ ପାରିଲେ ନାହିଁ । ସନ୍ତୋଷ ହେଗଡ଼େଙ୍କ ବାପା କେ.ଏସ୍.ହେଗଡ଼େ ୧୯୭୭ମସିହାରେ ଲୋକସଭାର ଥିଲେ ବାଚସ୍ପତି ଓ ଆଡ଼ୱାନି ଥିଲେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ । ଦୁହେଁ ବେଶ୍ ଘନିଷ୍ଠ ଥିଲେ । ଏହି ଘନିଷ୍ଠତାର ସୁଯୋଗ ନେଇନେଲେ ଆଡ଼ୱାନି ଓ କର୍ଣ୍ଣାଟକ ସରକାର ହେଗଡ଼େଙ୍କର ଦାବୀ ମାନିନେବେ ଏହିଭଳି ଏକ ପ୍ରତିଶ୍ରୁତି ଦେଇ-ଇସ୍ତଫା ପତ୍ରଟିକୁ ୱାପସ କରାଇନେଲେ ।
କିନ୍ତୁ କର୍ଣ୍ଣାଟକ ସରକାର ହେଗଡ଼େ ଯାହା ଚାହୁଁଥିଲେ ସେ କଥା କଲେନାହିଁ । ତାଙ୍କୁ ଏକ ଖଣ୍ଡିତ କ୍ଷମତା ଦେଲେ । ସେ ମୁଖ୍ୟଶାସନ ସଚିବ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସର ଯାହାର ମାସିକ ଦରମା ୨୦,୦୦୦ଟଙ୍କାରୁ ଅଧିକଙ୍କ ବିରୁଦ୍ଧରେ ତଦନ୍ତ କରିପାରିବେ କିନ୍ତୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସରକାରଙ୍କ ଦ୍ୱାରା ମନୋନୀତ କର୍ମଚାରୀଙ୍କ ବିରୋଧରେ କୌଣସି ତଦନ୍ତ କରିପାରିବେ ନାହିଁ । ଅର୍ଥାତ ରେଡ୍ଡୀ ଭ୍ରାତାଦ୍ୱୟ, ଯେହେତୁ ସେମାନେ ରାଜ୍ୟ ସରକାରରେ ମନ୍ତ୍ରୀ, ଲୋକଆୟୁକ୍ତଙ୍କ ତଦନ୍ତ ପରିସରର ବାହାରେ ହିଁ ରହିଲେ । କହିବା ବାହୁଲ୍ୟ ଯେ ହେଗଡ଼େ ପ୍ରତାରିତ ହୋଇଛନ୍ତି । ୟେଦୁ୍ୟରପ୍ପା ସରକାର ରେଡ୍ଡୀ ଭ୍ରାତାଦ୍ୱୟଙ୍କୁ ଯେପରି ସୁରକ୍ଷା ଦେଉଥିଲେ, ଲୋକାୟୁକ୍ତଙ୍କ ହାତରେ ଏହିଭଳି ଖଣ୍ଡିତ କ୍ଷମତା ଦେଇ ରେଡ୍ଡୀ ଭ୍ରାତାଦ୍ୱୟଙ୍କ ପ୍ରତି ତାଙ୍କର ଆନୁଗତ୍ୟ ବଜାୟ ରଖିଛନ୍ତି ।
ଅନେକେ ଆଶ୍ଚର୍ଯ୍ୟ ହେଉଥିବେ ‘ବାପ ସଦୃଶ’ ଆଡ଼ୱାନି- କାହିଁକି ପ୍ରତିକ୍ରିୟାରେ କିଛି କହୁନାହାନ୍ତି?
-ଶୁଦ୍ରକ