ନିବେଶ କ୍ଷେତ୍ର ଓଡ଼ିଶା

  • 04/09/2015

୧୬-୩୧ଜୁଲାଇ, ୨୦୧୦

ବିଭିନ୍ନ କ୍ଷେତ୍ରନାମରେ ପରିଚିତ ଓଡ଼ିଶାକୁ ସମ୍ପ୍ରତି ନିବେଶକ୍ଷେତ୍ର ନାମରେ ନାମିତ କରିବା ଅପ୍ରାସଙ୍ଗିକ ହେବନାହିଁ ବିଶେଷତଃ ଯେତେବେଳେ ନିବେଶର ପ୍ରତିଶ୍ରୁତି ଧରି ଆସୁଥିବା ବିଭିନ୍ନ ବେପାରୀଙ୍କ ସହ ବୁଝାମଣା ପତ୍ର ଦସ୍ତଖତ ହେବା ଏକ ସାଧାରଣ ଦୃଶ୍ୟ ହୋଇଗଲାଣି । ଗତ ଏକ ଦଶନ୍ଧି ଧରି ଏହି ବୁଝାମଣା ପତ୍ରରେ ଯେଉଁ ପରିମାଣର ନିବେଶ ପାଇଁ ପ୍ରତିଶ୍ରୁତି ରହିଛି, ତାହାର ଯୋଗଫଳ କିଛି ଲକ୍ଷ କୋଟି ହୋଇଯିବା ବିଚିତ୍ର ନୁହେଁ । ଏହି ଯୋଗଫଳର ବିଶାଳତା ଦ୍ୱାରା ଉଲ୍ଲସିତ ଆମ ସରକାର‘ବିକାଶ’ ବ୍ୟାକୁଳ ବାବୁ ଓ ବୃତ୍ତଜୀବୀଗଣ ନିବେଶରେ ଦାରିଦ୍ର୍ୟରୁ ମୁକ୍ତିର ସମାଧାନ ରହିଛି ବୋଲି ଅନବରତ ଯେପରି ଓଡ଼ିଶାର ସାଧାରଣ ଜନତା ସାମନାରେ ଲଣ୍ଠନ ହଲାଇବାରେ ଲାଗିଛନ୍ତି-ତାହାକୁ କିନ୍ତୁ କୌଣସି ସର୍ବେକ୍ଷଣରୁ ମିଳୁଥିବା ତଥ୍ୟ ସମର୍ଥନ କରୁନାହିଁ । ତେନ୍ଦୁଲକରଙ୍କର ରିପୋର୍ଟ ହେଉ, ସାକ୍ସେନା କମିଟିର ରିପୋର୍ଟ ହେଉ, ଏନ୍.ଏସ୍.ଏସ୍.(NSS)ର ରିପୋର୍ଟ ହେଉ ବା ସଦ୍ୟତମ ୟୁ.ଏନ୍.ଡି.ପି.(UNDP)ର ରିପୋର୍ଟ ହେଉ (ଦ୍ରଷ୍ଟବ୍ୟ: The New Indian Express, 13 July, 2010: Orissa among 8 states still poor)ସବୁଥିରେ ଓଡ଼ିଶାର ଦାରିଦ୍ର୍ୟ ଏକ ବିଶେଷ ସ୍ଥାନ ନେଇଛି ଓ ଏହା ଯେ ବଢ଼ୁଛି ସେଥିପ୍ରତି ଇଙ୍ଗିତ ରହିଛି । ଅପରପକ୍ଷରେ ଉଜୁଡ଼ି ଯାଉଥିବା ଜଙ୍ଗଲ, ଦୂଷିତ ହେଉଥିବା ଜଳ, ବିକଳାଙ୍ଗ ହୋଇଯାଉଥିବା ପାହାଡ଼ ଏକ ସାଧାରଣ ଦୃଶ୍ୟ ହୋଇଗଲାଣି । ଖଣି, ଖାଦାନ ଲୁଟ୍ ତ ଶେଷକୁ ସରକାରୀ ତଦନ୍ତ ଭିତରକୁ ଆସିଗଲାଣି । ଯେଉଁମାନେ ‘ବିକାଶ’ ପାଇଁ ଅତି ବ୍ୟାକୁଳ ଓ ଏହିଭଳି ନଷ୍ଟଭ୍ରଷ୍ଟ ହେଉଥିବା ପରିବେଶଠାରୁ ନିରାପଦ ଦୂରତ୍ୱରେ ରହିଛନ୍ତି ସେମାନେ ବୋଧନା ଦେବାରୁ କ୍ଷାନ୍ତ ହେଉନାହାନ୍ତି-ଏହା କହି ଯେ, ‘ବିକାଶ ପାଇଁ କିଛି ମୂଲ୍ୟ ଦେବାକୁପଡ଼ିବ ।’ ଏହିଭଳି ପୃଷ୍ଠଭୂମିରେ-ଆମ ରାଜ୍ୟରୁ ନିକଟ ଅତୀତରେ ମନ୍ତ୍ରୀ, ବାବୁ,କୁଳପତି ଓ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ନିଦେ୍ର୍ଧଶକମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଆମେରିକାକୁ ଯାଇ ଯଦି ଆମେରିକାରେ ରହୁଥିବା ଭାରତୀୟ (Indian diaspora)ମାନଙ୍କଠାରୁ ୬୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରତିଶ୍ରୁତି ଆଣିଛନ୍ତି- ଏଥିରେ ନୂତନତ୍ୱ କିଛି ନାହିଁ । ଓଡ଼ିଶା ମାଟିରେ ଠିଆ ହୋଇଥିବା ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜଗୁଡ଼ିକର ସର୍ବେକ୍ଷଣ କଲେ ଏହା ଜାଣିବାରେ ଆଦୌ ଅସୁବିଧା ହେବ ନାହିଁ ଯେ ଆମେରିକାରେ ରହୁଥିବା ଅନେକେ ଓଡ଼ିଆ ଏହି ଅନୁଷ୍ଠାନଗୁଡ଼ିକର ପୃଷ୍ଠପୋଷକତା କରୁଛନ୍ତି । ସୂଚନା ପ୍ରଯୁକ୍ତିବିଦ୍ୟାର କେତେକ ବ୍ୟବସାୟିକ ସଂସ୍ଥା ମଧ୍ୟ ଏହିମାନଙ୍କ ପୃଷ୍ଠପୋଷକତାରେ ଚାଲିଛି । କିନ୍ତୁ ଯେତେବେଳେ ଏତେବଡ଼ ଗୋଟିଏ ପ୍ରତିନିଧି ଦଳ ଆମେରିକା ଗଲେ, ସେମାନେ ଫେରି ଯଦି ଗଣମାଧ୍ୟମକୁ ଏହିଭଳି ଏକ ସମ୍ବାଦ ନଦେବେ, ତା’ହେଲେ ଓଡ଼ିଶାର ଜନତା କହିବେ ନାହିଁକି- ଏମାନେ ଫୁର୍ତ୍ତି କରିବାକୁ ଯାଇଥିଲେ । ତେଣୁ ବଡ଼ ଅକ୍ଷରରେ ଆମେ ଦେଖୁଛୁ ସମ୍ବାଦ – ‘US companies may invest Rs6000cr in IT, hospitality and education’(ଦ୍ରଷ୍ଟବ୍ୟ: Orissa Plus, The Statesman, 9July, 2010)
-ଶୁଦ୍ରକ

Print Friendly, PDF & Email