୧-୧୬ ମେ, ୨୦୧୦
ଏହି ଉକ୍ତିଟି ବହୁ ପୁରାତନ- ଠିକ୍ ‘ଝିମିଟି ଖେଳରୁ ମହାଭାରତ’ ଭଳି । ନିଜର ମୁଖ୍ୟ କାର୍ଯ୍ୟରୁ କିଛିସମୟ ଅବ୍ୟାହତି ନେଇ ଆନନ୍ଦ ପାଇବା ପାଇଁ, ମନକୁ ହାଲୁକା କରିବା ପାଇଁ, ଶରୀରକୁ ସୁସ୍ଥ ରଖିବା ପାଇଁ ଖେଳାଖେଳି କରିବାର ପରମ୍ପରା ବହୁ ପୁରାତନ । ବିଦ୍ୟାଳୟମାନଙ୍କରେ ଖେଳ ପିରିଅଡ୍ÿ ସେଇଥିପାଇଁ ଥାଏ । କିନ୍ତୁ ଖେଳ ଯଦି ବୃତ୍ତ ହୁଏ, ତା’ହେଲେ ହାଲୁକା ମନରେ ଖେଳରେ ମାତିବା ସମ୍ଭବ ହୁଏନାହିଁ । ଏହାକୁ ଯେକୌଣସି ବୃତ୍ତ ଭଳି ଗମ୍ଭୀରତାର ସହ ନେବାପାଇଁ ଖେଳାଳୀମାନେ ବାଧ୍ୟ ହୁଅନ୍ତି । ଖେଳକୁ ବୃତ୍ତଭାବେ ଗ୍ରହଣ କଲେ ପାରିଶ୍ରମିକ କଥା ସ୍ୱାଭାବିକ ଆସେ । ଯେଉଁ ଖେଳରେ ପଇସା ବେଶୀ ମିଳେ ସେହି ଖେଳ ପାଇଁ ଅଧିକ ଖେଳାଳୀ ବାହାରନ୍ତି । ସେହି ଖେଳକୁ ଜନପ୍ରିୟ କରିବା ପାଇଁ ଅଧିକରୁ ଅଧିକ ଉଦ୍ୟମ ହୁଏ । ଏହିଭଳି ଏକ ସ୍ଥୁଳ ଧାରଣାର ପୃଷ୍ଠଭୂମିରେ ଭାରତୀୟ ଖେଳ ଜଗତରେ କ୍ରିକେଟ ଖେଳର ସର୍ବମୟ ଉପସ୍ଥିତିର ଅନୁଶୀଳନ କରାଯାଇପାରେ ।
କ୍ରିକେଟ ଭାରତମାଟିର ଖେଳ ନୁହେଁ । ଭାରତ ମାଟିରେ ଏହାର ଭିତ୍ତପଡ଼ିଲା ବ୍ରିଟିଶ ଶାସନର ପ୍ରତିଷ୍ଠା ପରେ । ଶୀତଦିନରେ ଇଂରେଜ ସାହେବମାନେ ଖରାରେ ତାଙ୍କର କର୍ମକ୍ଳାନ୍ତ ଜୀବନରୁ କିଛି ସମୟ କାଢ଼ି ଯେତେବେଳେ ଏହି ଖେଳରେ ମାତିଲେ, ସେତେବେଳେ ଏହି ଖେଳ ଚେରଧରିଲା ଭାରତ ମାଟିରେ । ଇଂରେଜ ଶାସନର ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ଭାରତୀୟ ସାମନ୍ତମାନେ ଇଂରେଜ ସାହେବଙ୍କ ସହ ଏହି ଖେଳରେ ସାମିଲ ହୋଇଗଲେ । ବହୁ ବର୍ଷ ଧରି ଇଂରେଜ ସାହେବ ଓ ଭାରତୀୟ ସାମନ୍ତମାନଙ୍କର ଖେଳହୋଇ ରହିଲା କ୍ରିକେଟ । ପଇସାବାଲା, ବ୍ୟବସାୟୀ, ଶିଳ୍ପପତିମାନେ ଯେତେବେଳେ ଏହା ଭିତରକୁ ପଶିଗଲେ-ସେତେବେଳେ କ୍ରିକେଟର ସାମନ୍ତବାଦୀ ଓ ଔପନିବେଶିକ ଚରିତ୍ର କ୍ରମଶଃ ଫିକା ପଡ଼ିବାକୁ ଆରମ୍ଭ କଲା । ଆଜି ସାଧାରଣ ଘରର ପିଲା ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ସତ କିନ୍ତୁ ଖେଳର ନିୟନ୍ତ୍ରଣ ରହିଛି ସେହି ବଡ଼ ବଡ଼ ବ୍ୟବସାୟୀ, ଶିଳ୍ପପତି ଓ ଗଣତନ୍ତ୍ରର ସାମନ୍ତପ୍ରାୟ ମନ୍ତ୍ରୀ ଓ ଅଫିସର୍ଙ୍କ ହାତରେ । କ୍ରିକେଟ ଖେଳ ଏକ ଲୋଭନୀୟ ବୃତ୍ତ ଖେଳାଳୀଙ୍କ ପାଇଁ ହୋଇଛି ଓ ବ୍ୟବସାୟ ହୋଇଛି ଏହାର ନିୟନ୍ତ୍ରକମାନଙ୍କ ପାଇଁ । ସେଇଥିପାଇଁ ମାତିଛନ୍ତି ମନ୍ତ୍ରୀ ଶରଦ ପାୱାର, ବ୍ୟବସାୟୀ ବିଜୟ ମାଲ୍ୟା, ଖେଳ ପ୍ରଶାସକ ଲଳିତ ମୋଦି ଓ ତାଙ୍କଭଳି ଅନେକେ ।
କ୍ରିକେଟ ଏକ ବିଶାଳ ଅର୍ଥ ଆୟର ସମ୍ଭାବନା ହୋଇଛି । ପୁଞ୍ଜିନିବେଶ କରିବାର ଏକ ଲାଭଜନକ ମାଧ୍ୟମ ହୋଇଛି । କଳା ଅର୍ଥକୁ ଧଳା କରିଦେବାର କିମିଆ କି୍ରକେଟ ଖେଳରେ ଅଛି । ଯେଉଁମାନେ ବାଜି ମାରି (Betting) ଅର୍ଥ ଉପାର୍ଜନ କରନ୍ତି ସେମାନଙ୍କୁ ଏହି ଖେଳ ଅପୂର୍ବ ସୁଯୋଗ ଯୋଗାଇଛି ।
ଅର୍ଥରୁ ଅନର୍ଥ- ଯେଉଁମାନେ କହିଛନ୍ତି ସେମାନେ ଭୁଲ୍ କହିନାହାନ୍ତି । ତାହାହିଁ ଭାରତୀୟ କି୍ରକେଟକୁ ଅପବାଦମୁଖୀ କରାଇଛି । ସୁନନ୍ଦା ପୁଷ୍କର ନାମ୍ନୀ ଜଣେ ମହିଳାଙ୍କର ଖେଳ ସହ ସମ୍ପୃକ୍ତିକୁ କେନ୍ଦ୍ର କରି ଲଳିତ ମୋଦିଙ୍କର ପ୍ରଶ୍ନ ଓ ବାନ୍ଧବୀ ସୁନନ୍ଦାଙ୍କ ସ୍ୱାର୍ଥରକ୍ଷା ପାଇଁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶଶି ଥରୁରଙ୍କର ଆଗ୍ରହ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଛି ଭାରତୀୟ କ୍ରିକେଟ ଜଗତରେ । ଶଶି ଥରୁର ଇସ୍ତଫା ଦେଇଛନ୍ତି ମନ୍ତ୍ରୀପଦରୁ । ସୁନନ୍ଦା-ଶଶିଙ୍କ ଉପରେ ପ୍ରହାର କରି, ନୁ୍ୟଟନ୍ଙ୍କର ତୃତୀୟ ନିୟମ ଅନୁସାରେ ନିଜେ ବିକ୍ଷିପ୍ତ ହୋଇପଡ଼ିଛନ୍ତି ଲଳିତ । ଆଇ.ପି.ଏଲ୍. ଅଧ୍ୟକ୍ଷ ପଦରୁ ତାଙ୍କର ନିଲମ୍ବନ ହୋଇଛି ଓ ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଅଣାଯାଇଛି ।
କହିବା ବାହୁଲ୍ୟ ଯେ କି୍ରକେଟ ଖେଳ ଶଶି ଥରୁର ଓ ଲଳିତ ମୋଦି ଉଭୟଙ୍କ ପାଇଁ କାଳ ପ୍ରମାଣିତ ହେଲାବେଳେ, କୃଷିମନ୍ତ୍ରୀ ଶରଦ ପାୱାର, ତାଙ୍କର ଚେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ସେମାନଙ୍କର କନ୍ୟାଦ୍ୱୟ ଇତ୍ୟାଦିଙ୍କର ରାଜନୈତିକ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ମହାରାଷ୍ଟ୍ରରେ କଂଗ୍ରେସ-ଏନ୍.ସି.ପି. ମେଣ୍ଟ ଭାଙ୍ଗିଯିବାର ସମ୍ଭାବନା ଦେଖାଦେଇଛି । ତେବେ ଲଳିତ ମୋଦି ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଉତ୍ତର ଦେବାକୁ ଯାଇ କେଉଁ କେଉଁ ରାଜନେତା, ବ୍ୟବସାୟୀ ତଥା ଖେଳାଳୀଙ୍କର ମୁଖା ଫିଟାଉଛନ୍ତି- ତାହା ଦେଖିବାକୁ ରହିଲା । ଅବଶ୍ୟ ଯଦି ଗୋଟିଏ ବଡ଼ଧରଣର ବୁଝାମଣା ହୋଇଯାଏ- ତା’ହେଲେ ତ କଥା ଦୋସରା । -ଶୁଦ୍ରକ