ଖଣି ଭିତରେ ଦଳ

  • 04/09/2015

ଓଡ଼ିଶାରେ ଖଣି ଦୁର୍ନୀତିକୁ ପ୍ରଘଟକରିବା ଏକଦା ସହଯୋଗୀ ଓ ବର୍ତ୍ତମାନ ବିପକ୍ଷ ଦଳ ବିଜେପି କ୍ଷମତାସୀନ ବିଜେଡ଼ିଦଳକୁ ଯେପରି ଅଶ୍ୱସ୍ତିକର ପରିସ୍ଥିତିରେ ପକାଇଛି-ତାହା ବାସ୍ତବିକ ପ୍ରଶଂସନୀୟ । ଏହାକୁ ଯଦି ଆମେ ବିଜେଡ଼ି -ବିଜେପି ମେଣ୍ଟର ବିଲୟର ସର୍ବୋକ୍ରୃଷ୍ଟ ପରିଣତି ବୋଲି କହୁ, ତାହାଲେ କିଛି ଭୁଲ୍ ହେବନାହିଁ । ଗୋପାଳ ନନ୍ଦଙ୍କ ଭଳି ଜଣେ ବିଚକ୍ଷଣ ପୋଲିସ ଅଫିସର ଦୁର୍ନୀତି ନିବାରଣ ବିଭାଗର ସର୍ବୋଚ୍ଚ ଅଧିକାରୀଭାବେ ପଦକ୍ଷେପମାନ ନେଇ ଯେପରି ପ୍ରଶଂସାଭାଜନ ହେଉଥିଲେ ଓ ନବୀନଙ୍କର ସ୍ୱଚ୍ଛ ଭାବମୂର୍ତ୍ତିକୁ ଏକାଧିକବାର ସାବ୍ୟସ୍ତ କରୁଥିଲେ-ତାଙ୍କର ସନ୍ଧାନୀ ଦୃଷ୍ଟିର ଆଢ଼ୁଆଳରେ ରହିଯାଇଥିବା ଖଣିଦୁର୍ନୀତିକୁ ବିଜେପି ଦଳ ପଦାରେ ପକାଇଦେବା-ନିଶ୍ଚିତଭାବରେ ବିଜେପି ପ୍ରତି ଜନମାନସରେ ଆଦରର କମ୍ କ୍ଷୟିଷ୍ଣୁତାକୁ କିଛିମାତ୍ରାରେ ଅଟକାଇ ଦେଇଛି । ବିଶେଷତଃ ଯେତେବେଳେ ଅନ୍ୟତମ ବିରୋଧୀଦଳ କଂଗ୍ରେସର ଭୂମିକାରେ ଅନୁରୂପ ଉତ୍ସାହ ପରିଲକ୍ଷିତ ହେଉନାହିଁ ।
ଏହି ପ୍ରସଙ୍ଗକୁ କେନ୍ଦ୍ରକରି ବିଜେପି ସପକ୍ଷରେ ଆସୁଥିବା ମନୋଭାବକୁ କିନ୍ତୁ ଅନେକେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଠିକ୍ ଏହି ସମୟରେ କର୍ଣ୍ଣାଟକରେ ବିଜେପି ସରକାର ପ୍ରତି ଦେଖାଯାଇଥିବା ସଙ୍କଟ ଓ ଏହି ସଙ୍କଟ ପାଇଁ ଦାୟୀ ଖଣିମାଲିକ ଓ ମନ୍ତ୍ରୀ ରେଡ୍ଡିଭ୍ରାତା ଦ୍ୱୟଙ୍କ ସହ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ଅପଦସ୍ତ ହେବାକୁ ଖାତିର ନକରି ଯେପରି ସାଲିସ କଲା-ତାହା ପ୍ରତି ସେମାନେ ଇଙ୍ଗିତ କରୁଛନ୍ତି । ସେମାନଙ୍କର କହିବା କଥା ଯେ ଖଣି ମାଲିକମାନେ ରାଜନୀତିକୁ ନିୟନ୍ତ୍ରଣ କରିବାର ସ୍ଥିତିରେ ଆସିଗଲେଣି- କେଉଁଠି ପ୍ରତ୍ୟକ୍ଷଭାବେ ତ କେଉଁଠି ପରୋକ୍ଷଭାବେ । କହିବାବାହୁଲ୍ୟ ଖଣି ଭିତରେ ବର୍ତ୍ତମାନ ସବୁ ମୁଖ୍ୟ ଦଳ । ତେଣୁ ଖଣିଦୁର୍ନୀତିର ଧୂଳି ବୁଝାମଣାର ମାଧ୍ୟାକର୍ଷଣରେ ଖୁବ୍ଶୀଘ୍ର ମାଟିରେ ମିଶି ଯେ ଅସ୍ତିତ୍ୱ ହରାଇବ-ଏହି ଆଶଙ୍କା ଅଯଥାର୍ଥ ବୋଲି ମନେହୁଏ ନାହିଁ ।

Print Friendly, PDF & Email