୧-୧୬ ଡିସେମ୍ବର, ୨୦୦୯
କଥାରେ ସମସ୍ତେ କୁହନ୍ତି ଯେ ଜନପ୍ରତିନିଧି-ବିଧାୟକ, ସାଂସଦ ବା ମନ୍ତ୍ରୀ ସେମାନେ ହେଉଛନ୍ତି ଜନତାଙ୍କର ଭୃତ୍ୟ । କିନ୍ତୁ ସେମାନେ କଦାପି ଭୃତ୍ୟଭଳି ଅନୁଭବ କରନ୍ତି ନାହିଁ- ବ୍ୟବହାର କରିବା ତ’ବହୁଦୂରର କଥା । କିନ୍ତୁ ସମ୍ପ୍ରତି ବହୁମତରେ ଆସି ତୃତୀୟଥର ପାଇଁ ସରକାର କରିଥିବା ବିଜେଡ଼ିର ବିଧାୟକ,ସାଂସଦ ଓ ମନ୍ତ୍ରୀ ନିଜକୁ ସରକାରଙ୍କର ସର୍ବନିମ୍ନ କର୍ମଚାରୀଠାରୁ ମଧ୍ୟ ନୁ୍ୟନ ବୋଲି ଯେ ଅନୁଭବ କରୁଛନ୍ତି- ତାହା ବାସ୍ତବିକ ଏକ ଅତ୍ୟନ୍ତ ସୁଖକର ସୂଚନା । ଜଣେ ମନ୍ତ୍ରୀ ନିଜର ନାମ ପ୍ରଘଟ ନକରି କହିଛନ୍ତି- ‘ଆମକୁ ପିଅନଠାରୁ ମଧ୍ୟ ହୀନ କରି ଦିଆଯାଇଛି । ଆମକୁ ଲଜ୍ଜା ଲାଗୁଛି ।’ (we are reduced to less than a peon,I feel ashamed)ଦ୍ରଷ୍ଟବ୍ୟ- Orissa plus,The Statesman,18 Nov 2009) ଶୁଦ୍ରକ ବୁଝିପାରୁନାହିଁ ଏଥିରେ ଲଜ୍ଜିତ ହେବାରେ କ’ଣ ଅଛି? ଚତୁର୍ଥ ଶ୍ରେଣୀର କର୍ମଚାରୀ ପିଅନ; ପ୍ରଥମ, ଦ୍ୱିତୀୟ ଓ ତୃତୀୟଶ୍ରେଣୀ କର୍ମଚାରୀଙ୍କ ସେବା ପାଇଁ ଯେ ନିଯୁକ୍ତ- ଏହା ଅବିବାଦ୍ୟ । ମନ୍ତ୍ରୀ, ବିଧାୟକ, ସାଂସଦ ଜନତାଙ୍କର ସେବାପାଇଁ ନିର୍ବାଚିତ -ଏହା ମଧ୍ୟ ଅବିବାଦ୍ୟ । ତେଣୁ ଏହିମାନଙ୍କୁ ପିଅନ ତଳକୁ ଯଦି ଠେଲି ଦିଆଯାଇଛି, ତାହେଲେ ବିଜେଡି ଦ୍ୱାରା ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କର ସେବକତ୍ୱକୁ ସାବ୍ୟସ୍ତ କରିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ହୋଇଛି ବୋଲି ବୁଝିବାକୁ ହେବ । ଏଥିପାଇଁ ବିଜେଡି ଯେ ଧନ୍ୟବାଦର ପାତ୍ର, ଏହାକୁ ମୁକ୍ତକଣ୍ଠରେ ସ୍ୱୀକାର କରିବାକୁ ହେବ । ଅବଶ୍ୟ ସେମାନଙ୍କର ଅଭିଯୋଗ ଯେ ନିର୍ବାଚନମଣ୍ଡଳୀରେ ସେମାନଙ୍କର ଆଉ କୌଣସି କାଟ୍ତି ନାହିଁ-କଦାପି ଏକ ସାମାନ୍ୟ ଅଭିଯୋଗ ନୁହେଁ । We have no say at all in our constituencies, we cannot even get a anganwadi worker or Asha worker appionted, cannot even shunt out a constable…nobody listen to us, said a senior minister (ଦ୍ରଷ୍ଟବ୍ୟ Orissa plus, The Statesman,18 Nov 09). କିନ୍ତୁ ଯେଉଁମାନେ ଏହି ଅଭିଯୋଗ କରୁଛନ୍ତି ସେମାନେ କ’ଣ ଲୋକଙ୍କ ଭିତରେ ତାଙ୍କର କାଟ୍ତି ଥିବାରୁ ନିର୍ବାଚିତ ହୋଇଛନ୍ତି? ଏହି ପ୍ରଶ୍ନ ନିଜକୁ ପଚାରିବା ଉଚିତ । ଯାହାର ପତିଆରା ପାଇଁ ସେମାନେ ନିର୍ବାଚିତ ହୋଇଛନ୍ତି – ସେ ଯଦି ଅମଲା, ସରକାରୀ ଅଫିସର ଓ ଏନ୍.ଜି.ଓ (NGO) ମାନଙ୍କ ଜରିଆରେ କାର୍ଯ୍ୟ କରାଇ ନିଜଦଳକୁ ମଜବୁତ୍ କରିପାରିଛନ୍ତି -ତାହେଲେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସରକାରୀ ଅଫିସର ପାସଙ୍ଗରେ ପକାଇବେ କାହିଁକି? ଏହି ପ୍ରତିନିଧିମାନେ ଅଭିମାନ ନ କରି ବରଂ ନବୀନଙ୍କ ପ୍ରତି କୃତଜ୍ଞ ରହିବା ଉଚିତ୍ ଯେ ତାଙ୍କରି କୃପାରୁ ସେମାନେ ବିଧାୟକ, ସାଂସଦ ବା ମନ୍ତ୍ରୀ ହୋଇପାରିଲେ ଓ ପେନ୍ସନ୍ ପାଇବାପାଇଁ ଯୋଗ୍ୟ ହୋଇଗଲେ ।