ମଧୁକୋଡ଼ା : କିସ୍ନେ ଜୋଡ଼ା, ଅବ୍ କ୍ୟୋଁ ଫୋଡ଼ା

  • 04/09/2015

୧୬-୩୧ ନଭେମ୍ବର, ୨୦୦୯

କୌଣସି ରାଜନୈତିକ ଦଳରେ ନଥାଇ ସ୍ୱାଧୀନ ବିଧାୟକ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ଦୃଷ୍ଟାନ୍ତ ଭାବେ ଯେଉଁ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଆମେ ଉଲ୍ଲେଖ କରିବା, ସେ ହେଲେ ମଧୁକୋଡ଼ା । ମଧୁକୋଡ଼ା ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ବାବୁଲାଲ ମାରାଣ୍ଡି ଓ ପରେ ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ଖଣି ଓ ବିଦୁ୍ୟତ୍ ମନ୍ତ୍ରୀଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ବିଜେପିଠାରୁ ପୃଥକ ହୋଇ ମୁଖ୍ୟମନ୍ତ୍ରୀଭାବେ କଂଗ୍ରେସ,ଆରଜେଡ଼ି ଆଦି ଦଳଙ୍କର ସମର୍ଥନ ପାଇବା-ମଧୁକୋଡ଼ାଙ୍କର କେଉଁ ଶକ୍ତି ବଳରେ ସମ୍ଭବ ହୋଇପାରିଥିଲା, ତାହା ସେ ସମୟରେ କେହି ରାଜନୈତିକ ସମୀକ୍ଷକ ଉନ୍ମୋଚନ କରିଥିଲେ କି ନାହିଁ ତାହା ଶୁଦ୍ରକ ଜାଣେ ନାହିଁ । କିନ୍ତୁ ସମ୍ପ୍ରତି ଚାରିହଜାର କୋଟି ଟଙ୍କାର ସମ୍ପତ୍ତର ମାଲିକ ମଧୁ କୋଡ଼ା ବୋଲି ଯେତେବେଳେ ଗଣମାଧ୍ୟମ ଗର୍ଜନକରୁଛି ଓ ଏହି ମାଲିକାନା ମାତ୍ର ଗତ ପନ୍ଦରବର୍ଷ ମଧ୍ୟରେ ସମ୍ଭବ ହୋଇଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳୁଛି-ସେତେବେଳେ କେଉଁ ଶକ୍ତି କଂଗ୍ରେସ ଓ ଆରଜେଡ଼ି ଦଳକୁ ମଧୁକୋଡ଼ାଙ୍କର ମୁଖ୍ୟମନ୍ତ୍ରୀତ୍ୱ ପ୍ରତି ସମର୍ଥନ ଜଣାଇବାକୁ ପ୍ରଭାବିତ କରିଥିବ , ତାହା ବୁଝିବାପାଇଁ ବିଶେଷ ମାନସିକ କସରତର ଆବଶ୍ୟକତା ନାହିଁ । ଖଣିଜ ସମ୍ପଦଭରା ଝାଡ଼ଖଣ୍ଡ ରାଜ୍ୟର ଖଣିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଯଦି ଏ ପରିମାଣର ସମ୍ପତ୍ତ ସେ ଠୁଳ କରିଛନ୍ତି, ତାହାଲେ କେଉଁମାନଙ୍କୁ ସେ ଅନୁଗ୍ରହ ଦେଖାଇ ଏ ପରିମାଣର ସମ୍ପତ୍ତର ମାଲିକ ହୋଇପାରିଛନ୍ତି? ସୂଚନା ମିଳୁଛି ଯେ କୋଡ଼ା ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସବୁଠାରୁ ଆଲ୍ହାଦିତ ହୋଇଥିଲେ ଝାଡ଼ଖଣ୍ଡର ଖଣି ଉପରେ ଲୋଲୁପ ଦୃଷ୍ଟି ପକାଇଥିବା କମ୍ପାନୀମାନେ । ଏହି କମ୍ପାନୀମାନେ ଓଡ଼ିଶାର ଖଣି ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଗତ ନିର୍ବାଚନରେ ବିଜେଡ଼ିର ସହଯୋଗୀ ଦଳ ଏନସିପିର ବରିଷ୍ଠ ସଭ୍ୟ ଅରୁଣ ଦେ ଆମ ରାଜ୍ୟରେ ବହୁ ‘କୋଡ଼ା’ ଅଛନ୍ତି ବୋଲି ଦାବି କରିଛନ୍ତି । କହିବା ବାହୁଲ୍ୟ ଯେ ଅର୍ଥନୀତିର ଉଦାରୀକରଣ ପୂର୍ବରୁ ଲାଇସେନ୍ସ ଓ ପରିମିଟରାଜ୍ରେ ହେଉଥିବା ଦୁର୍ନୀତି ଉଦାରୀକରଣ-ଜଗତୀକରଣ-ଘରୋଇକରଣ ପର୍ଯ୍ୟାୟ ଅର୍ଥନୀତିରେ ହେଉଥିବା ଦୁର୍ନୀତି ସାମ୍ନାରେ ଫିକା ପଡ଼ିଯାଇଛି ।
ଗଣମାଧ୍ୟମରେ ମଧୁକୋଡ଼ାଙ୍କର ଅନ୍ୟାୟ ଅର୍ଜିତ ସମ୍ପତ୍ତ ସମ୍ପର୍କରେ ଏତେ ପ୍ରଚାର ହୋଇଛି ଯେ ମନମୋହନ ସିଂହଙ୍କ ସରକାରରେ ଥିବା ଟେଲିକମ ମନ୍ତ୍ରୀ ଏ ରାଜା କର୍ତ୍ତୃକ ହୋଇଥିବା ତଥା ସବୁଠାରୁ ବଡ଼ କୁହାଯାଉଥିବା ସ୍କାମ (SCAM) ଓ ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କରେ ଗଚ୍ଛିତ ବିପୁଳ କଳାଧନର ମାଲିକମାନଙ୍କୁ ଚିହ୍ନଟ ପ୍ରସଙ୍ଗ, ପ୍ରଭିଡେଣ୍ଟ ଫଣ୍ଡ୍ (Provident fund) ଆତ୍ମସାତ୍ ପ୍ରସଙ୍ଗ ପଛ ଧାଡ଼ିକୁ ଠେଲି ହୋଇଗଲାଣି । ଏହା ଇଛାକୃତ କି? ଏଭଳି ସନେ୍ଦହ ମନ ଭିତରକୁ ଆସୁଛି ।
ମଧୁ କୋଡ଼ା ଜଣେ ଆଦିବାସୀ ଓ ରାଜନୈତିକ ଅନାଥ-ଅର୍ଥାତ୍ କୌଣସି ମୁଖ୍ୟ ରାଜନୈତିକ ଦଳର ସୁରକ୍ଷା ତାଙ୍କ ପାଇଁ ନାହିଁ । ତେଣୁ ସେ ଏକ ସହଜଶିକାର । ଯାହା ଉପରେ ସମୁଦାୟ ଦୃଷ୍ଟିକୁ କେନ୍ଦ୍ରୀଭୂତ କରାଯାଇ ଉଚ୍ଚବର୍ଗର ବ୍ୟକ୍ତି ବା ଶକ୍ତିଶାଳୀ ଦଳର ସଭ୍ୟ ବା ଶକ୍ତିଶାଳୀ ସମୁଦାୟର ସଭ୍ୟ ସମ୍ପୃକ୍ତ ଥିବା ବୃହତ୍ ଦୁର୍ନୀତିଗୁଡ଼ିକୁ ଲୋକଦୃଷ୍ଟିରୁ ଅପସାରିତ କରାଯାଇପାରେ । ଦୁର୍ନୀତି ପ୍ରସଙ୍ଗରେ ଦେଖାଯାଉଛି ଯେ ଆଦିବାସୀ, ଦଳିତ ପଛୁଆଶ୍ରେଣୀର ବ୍ୟକ୍ତିମାନଙ୍କ ଦ୍ୱାରା ହେଉଥିବା ଦୁର୍ନୀତି ଗଣମାଧ୍ୟମରେ ଯେଉଁ ପରିମାଣରେ ପ୍ରଚାରିତ ଓ ପ୍ରସାରିତ ହେଉଛି-ତାହା ବୋଧହୁଏ ଅନ୍ୟମାନଙ୍କ କ୍ଷେତ୍ରରେ ହେଉନାହିଁ ଏବଂ ଏହା ମଧ୍ୟ ଅନୁସନ୍ଧାନସାପେକ୍ଷ ଯେ ଏହି ବର୍ଗର ଦୁର୍ନୀତି କ’ଣ ସେତେବେଳେ ହିଁ ଉନ୍ମୋଚିତ ହେଉଛି ଯେତେବେଳେ ଅଧିକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଦୁର୍ନୀତି ପ୍ରସଙ୍ଗ ପଦାକୁ ଆସୁଛି!
ମଧୁକୋଡ଼ା ଦୁର୍ନୀତି ପ୍ରସଙ୍ଗରେ-ଯେଉଁମାନେ ମଧୁକୋଡ଼ାଙ୍କ ସହ ମିଶି ପଇସା ଖାଇଲେ, ସେମାନେ ଯେଉଁ ପରିମାଣରେ ଦୋଷୀ ଯେଉଁମାନେ ତାଙ୍କୁ ଏଥିପାଇଁ ଉକ୍ରୋଚ ଦେଲେ ସେମାନଙ୍କୁ ମଧ୍ୟ ଧରାଯିବା ଦରକାର । ମଧୁକୋଡ଼ାଙ୍କର ନିଷ୍ପତ୍ତର ଲାଭ କେଉଁ କମ୍ପାନୀମାନେ ପାଇଛନ୍ତି-ତାହା ଅନୁସନ୍ଧାନ ହୋଇ ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଉଚିତ । ଏହି କମ୍ପାନୀମାନେ ଚିହ୍ନଟ ହୋଇ ପାରିଲେ-ଓଡ଼ିଶାରେ ସେମାନଙ୍କ ଭିତରୁ କେତେଜଣ ବିଚରଣ କରୁଛନ୍ତି ଜଣାପଡ଼ିବ । ଅପର ପକ୍ଷରେ ଅରୁଣ ଦେ ଓଡ଼ିଶାରେ ଥିବା ‘କୋଡ଼ା’ମାନଙ୍କୁ ଯଦି ଜାଣିଛନ୍ତି-ତାହାଲେ ସେ ସେମାନଙ୍କର ନାମ ଘୋଷଣା କରିବା ଉଚିତ୍ । ତାଙ୍କର ବିବୃତ୍ତକୁ ଭିତ୍ତ କରି ମଧ୍ୟ ନ୍ୟାୟାଳୟ ଜରିଆରେ ଏହି ନାମଗୁଡ଼ିକ ବାହାରକୁ ଆସିପାରିବ କି ନାହିଁ-ତାହା ମଧ୍ୟ ବିଚାର କରାଯିବା ଉଚିତ ।

Print Friendly, PDF & Email