ଗୋରୁ ଗାଈଙ୍କ ଠାରୁ ହୀନ ଆମେ!

  • 04/09/2015

୧-୧୫ ଅକ୍ଟୋବର, ୨୦୦୯

ଅମେ ଯେଉଁମାନେ ଅଦୌ ଉଡ଼ାଜାହାଜ ଚଢ଼ି ନାହୁଁ, ଆମର ଯାତ୍ରା ସର୍ବାଧିକ ରେଳଯାତ୍ରାରେ ହିଁ ସୀମିତ-ସେମାନେ ଯେ ଗାଈ ଗୋରୁ ଙ୍କଠାରୁ ହୀନ ଏହି ଭଳି ଇଙ୍ଗିତ ଦେଇଛନ୍ତି ମନମୋହନ ସିଂହ ମନ୍ତ୍ରିମଣ୍ଡଳର ସଭ୍ୟ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶଶୀ ଥରୁର୍ । କାରଣ ଉଡ଼ାଜାହାଜର ଇକୋନୋମି କ୍ଲାସ୍’କୁ ଗୋରୁ ଗାଈଙ୍କର ଶ୍ରେଣୀ ବୋଲି ସେ ପରିଭାଷିତ କରିଛନ୍ତି । ଅର୍ଥାତ ଇକୋନୋମି କ୍ଲାସ୍ରେ ଯାତ୍ରା କରୁଥିôବା ଯାତ୍ରୀମାନେ ଗୋରୁ ଗାଈ ଶ୍ରେଣୀର ।
ମୂଳତଃ ଜଣେ ବୁ୍ୟରୋକ୍ରାଟ (ଜାତିସଂଘରେ ବିଭିନ୍ନ ପଦପଦବୀରେ ୩ଦଶନ୍ଧି ଧରି କାର୍ଯ୍ୟରତ) ଓ ଲେଖକ କେରଳୀ ଥରୁରଙ୍କର ମନଭିତରେ ଏପରି ଏକ ଧାରଣା ରହିଛି, ତାହା ଜଣାପଡ଼ି ନ ଥାନ୍ତା ଯଦି ଅର୍ଥମନ୍ତ୍ରୀ ପ୍ରଣବମୁଖାର୍ଜୀ ତାଙ୍କୁ ଓ ତାଙ୍କର ଉପର ପାହ୍ୟାର ମନ୍ତ୍ରୀ ଏସ.ଏମ୍.କ୍ରିଷ୍ଣାଙ୍କୁ ଲକ୍ଷାଧିକ ଟଙ୍କା ଦୈନିକ ଦେଇ ରହୁଥିବା ବିଳାସମୟ ହୋଟେଲ ଛାଡ଼ିବା ପାଇଁ ତାଗିଦ କରିନଥାନ୍ତେ ଓ ସରକାରୀ ମନ୍ତ୍ରୀ ତଥା ବାବୁମାନେ ଉଡ଼ାଜାହାଜରେ ଇକୋନୋମି କ୍ଲାସରେ ଯିବେ ବୋଲି ପରାମର୍ଶ ଦେଇନଥାନ୍ତେ । କଂଗ୍ରେସ୍ର ସର୍ବମୟକର୍ତ୍ତ୍ରୀ ସୋନିଆ ଗାନ୍ଧୀ ଏହି ପରାମର୍ଶକୁ ଗ୍ରହଣ କରିନେବା ଫଳରେ ସମସ୍ତ କଂଗ୍ରେସ ମନ୍ତ୍ରୀ ଏକପ୍ରକାର ବାଧ୍ୟ ହୋଇଗଲେ ଇକୋନୋମି କ୍ଲାସରେ ଯିବାପାଇଁ । ତେଣୁ ଶଶୀ ଥରୁର ଅମାନ୍ୟ କରିବେ କପରି? କିନ୍ତୁ ମନ କଥା କହିଦେଲେ ଯେ ମୁଁ ମଧ୍ୟ ଗୋରୁ ଗାଈ ଶ୍ରେଣୀରେ ଯାତ୍ରା କରିବି ପବିତ୍ର କାମଧେନୁ ମାନଙ୍କ ସହ ସଂହତି ଜଣାଇ ।’ (  cattle class out of solidarity with all our holy cows).
ଏଭଳି ମନ୍ତବ୍ୟକୁ ଅନେକ ଶଶି ଥରୁରଙ୍କର ରାଜନୈତିକ ଅପରିପକ୍ୱତା ବୋଲି କହୁଥିବା ବେଳେ, ଅନେକେ ଶଶି ଥରୁର ଯେ ଜଣେ ହିପୋକ୍ରାଟ ବା ଶଠ ନୁହଁନ୍ତି-ତାହା ଦାବି କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାକୁ ଏକ ପରିହାସ ବା ଜୋକ୍ (Joke)ବୋଲି କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
ଶଶି ଥରୁରଙ୍କର ଯଦି ରାଜନୈତିକ ପରିପକ୍ୱତା ଥା’ନ୍ତା, ତାହେଲେ ସେ ତାଙ୍କର ଏହି ଭଳି ଧାରଣାକୁ ମନଭିତରେ ଦବାଇ ରଖିଥାନ୍ତେ-ଆଦୌ ଭାଷାରେ ପ୍ରକଟିତ କରିନଥାନ୍ତେ । ପ୍ରାୟ ସମସ୍ତ କ୍ଷମତାଲିପ୍ସୁ ରାଜନୈତିକ ଦଳର ପରିପକ୍ୱ ନେତୃତ୍ୱ ଏହା ହିଁ କରିଆସୁଛନ୍ତି । କିନ୍ତୁ ଶଶି ଥରୁର ଏପରି କହିବା ଫଳରେ କଂଗ୍ରେସର ରାଜନୈତିକ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଯେଉଁମାନେ ଆଶଙ୍କା କଲେ-ସେମାନେ ସହସା ଏହାର ଖୋଲାଖୋଲି ପ୍ରତିବାଦ କଲେ । ଏହାଦ୍ୱାରା ବିରୋଧୀ ରାଜନୈତିକ ଦଳଗୁଡ଼ିକ ଶଶି ଥରୁରଙ୍କର ଏତାଦୃଶ ମନ୍ତବ୍ୟକୁ ଅଧାର କରି କଂଗ୍ରେସ ଦଳ ଉପରେ ଯେଉଁ ପ୍ରହାର କରିଥାନ୍ତେ ଓ ରାଜନୈତିକ ସୁବିଧା ନେଇଥାନ୍ତେ-ତାହା ନିଶ୍ଚିତ ହରାଇଲେ । ଏତଦ୍ ବ୍ୟତୀତ କଂଗ୍ରେସ ଦଳର ‘ଆମ ଆଦ୍ମୀ’ ଭାବମୂର୍ତ୍ତ ଅକ୍ଷୁଣ୍ଣ ରହିଗଲା । କହିବାବାହୁଲ୍ୟ ଯେ ଶଶୀ ଥରୁର ଓ ଏସ.ଏମ୍. କ୍ରିଷ୍ଣାଙ୍କର ବିଳାସମୟ ଜୀବନଚର୍ଯ୍ୟା ଓ ଶଶୀ ଥରୁରଙ୍କର ବକ୍ତବ୍ୟ କଂଗ୍ରେସ ଦଳର ଭାବମୂର୍ତ୍ତ ପାଇଁ ଅନୁକୂଳହୋଇଛି । ଯେଉଁମାନେ ଭାବୁଥିଲେ ଶଶୀ ଥରୁର ତାଙ୍କର ଏହିଭଳି ମନ୍ତବ୍ୟ ପାଇଁ ମନ୍ତ୍ରୀପଦ ହରାଇବେ-ସେମାନେ ବୁଝିବେଣି ଯେ ତାହା ହେଉନାହିଁ-କାରଣ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଶଶି ଥରୁରଙ୍କର ବକ୍ତବ୍ୟକୁ ଏକ ପରିହାସ ବା ଜୋକ୍ (Joke) ବୋଲି କହିଲେଣି । ତେବେ ଶଶି ଥରୁର ମଧ୍ୟ ଏହି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରି ମନ୍ତ୍ରୀପଦରୁ ଅପସାରିତ ହେବାର ସମ୍ଭାବନାକୁ ନିଜ ତରଫରୁ କମାଇ ଦେଇଛନ୍ତି ।
ଶଶି ଥରୁର ଜଣେ ଅନଭିଜ୍ଞ ରାଜନୈତିକ ବ୍ୟକ୍ତି ହୋଇପାରନ୍ତି-କିନ୍ତୁ ସେ ଯେ ଜଣେ ଅଭିଜ୍ଞ ବୁ୍ୟରୋକ୍ରାଟ ବା ବାବୁ – ଏହାକୁ କିଏ ବା ଅସ୍ୱୀକାର କରିବ । ଜାତିସଂଘରେ ୧୯୭୮ମସିହାରେ ଚାକିରୀ ଆରମ୍ଭ କରିଥିବା ୨୨ବର୍ଷୀୟ ଯୁବକ ଶଶି ଥରୁର ୨୦୦୭ମସିହା ବେଳକୁ ହୋଇପାରିଲେ ଜାତିସଂଘର ଅନୁମହାସଚିବ (Under Secretary General)-ଏହା ତାଙ୍କର ବାବୁଭାବେ ଦକ୍ଷତାର ପ୍ରମାଣ । ଆମଦେଶର ବାବୁମାନଙ୍କର ସାଧାରଣ ଲୋକଙ୍କ ପ୍ରତି ଯେଉଁ ଧାରଣା ତାହାକୁ ଯଦି ଆମେ ବିଚାରକରୁ, ତା’ହେଲେ ମୂଳତଃ ମହାବାବୁ ଶଶି ଥରୁରଙ୍କର ମନ୍ତବ୍ୟ ସମୁଦାୟ ବାବୁ ଗୋଷ୍ଠୀର ଧାରଣାର ଏକ ଅଭିବ୍ୟକ୍ତି ବୋଲି ଧରିବାକୁ ହେବ । ଦେଖାଯାଉ ଭାରତର ସାଧାରଣ ମଣିଷ ଯେ ଗୋରୁ ଗାଈଙ୍କ ଠାରୁ ହୀନ-ଏହି ମାନସିକତା ବହନ କରୁଥିବା ରାଜନେତା ଓ ବାବୁମାନଙ୍କ ସହ ଆମକୁ କେତେଦିନ ରହିବାକୁ ହିଁ ହେବ?

Print Friendly, PDF & Email