୧୬-୩୧ ଜୁଲାଇ, ୨୦୦୯
ରଣେନ୍ଦ୍ର ପ୍ରତାପ(ରାଜା)ସ୍ୱାଇଁଙ୍କର ଅତି ପ୍ରିୟ ଚକରା ଓରଫ ରମେଶ ରାଉତ ଇତ୍ୟବସରରେ ଗଣମାଧ୍ୟମ ପାଇଁ ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ହୋଇପଡ଼ିଛନ୍ତି । କେବଳ ଆଠଗଡ଼ ଭିତରେ ରାଜା ସ୍ୱାଇଁଙ୍କର ଅନୁଗତ ଭାବେ ଏକଦା ପରିଚିତ ରମେଶ ରାଉତ ଆଜି ସାରା ଓଡ଼ିଶାରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହୋଇପଡ଼ିଛନ୍ତି । ଆଠଗଡ଼ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ରାଜା ସ୍ୱାଇଁଙ୍କୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବାଟ ଛାଡ଼ିବାକୁ ବିଧାୟକ ପଦରୁ ୨୦ଜୁନ୍ ୨୦୦୯ରେ ଇସ୍ତଫା ଦେଇଥିବା ରମେଶ ୪ଜୁଲାଇ ୨୦୦୯ରେ ମାନ୍ୟବର ବିଚାରପତିଙ୍କ ନିଦେ୍ର୍ଧଶକ୍ରମେ ହାଜର ହୋଇ ଦେଇଥିବା ଇସ୍ତଫାପତ୍ରକୁ ପ୍ରତ୍ୟାହାର କରିଦେଇଛନ୍ତି । ରମେଶ ଚାପର ବଶବର୍ତ୍ତୀ ହୋଇ ଇସ୍ତଫା ଦେଇଥିଲେ କି ଚାପରବଶବର୍ତ୍ତୀ ହୋଇ ଇସ୍ତଫା ପ୍ରତ୍ୟାହାର କରିନେଲେ, ତାହା ନିଶ୍ଚିତ ଭାବରେ ଅନୁସନ୍ଧାନସାପେକ୍ଷ । ତେବେ ପ୍ରଶ୍ନ ହେଉଛି ରାଜା ସ୍ୱାଇଁଙ୍କର ଅନୁଗତ ରମେଶ ରାଉତ ସ୍ୱାଧୀନପ୍ରାର୍ଥୀ ଭାବେ କାହିଁକି ମନୋନୟନ ପତ୍ର ଦାଖଲ କରିଥିଲେ? କ’ଣ ରାଜା ସ୍ୱାଇଁ ଆଶଙ୍କା କରୁଥିଲେ ଯେ ତାଙ୍କର ମନୋନୟନ ପତ୍ର ନାକଚ ହୋଇଯାଇପାରେ? ଅବଶ୍ୟ ସେ ନିର୍ବାଚନର ବହୁ ପୂର୍ବରୁ ବିଭିନ୍ନ ସଭାସମିତିରେ କହିବାର ଲୋକେ ଶୁଣିଛନ୍ତି ଯେ ୨୦୦୯ ନିର୍ବାଚନରେ ସେ ବିଧାୟକ ହୁଅନ୍ତୁ ବା ନହୁଅନ୍ତୁ- ସେ ପ୍ରାୟଃ ଦୁଇଦଶନ୍ଧି ଧରି ଆଠଗଡ଼-ବାସୀଙ୍କର ସେବା କରିଆସୁଛନ୍ତି । ଆଠଗଡ଼ବାସୀଙ୍କର ସେବା କରୁଥିବେ । ଏହିଭଳି ଉକ୍ତିରୁ କେହି କେହି ଅନୁମାନ କରୁଥିଲେ ଯେ ରାଜା ସ୍ୱାଇଁ ବୋଧହୁଏ ବିଜେଡ଼ି ଟିକଟ ପାଇବା ନେଇ ସନ୍ଦିହାନ ବା ଯଦି ପା’ନ୍ତି ତା’ହେଲେ ବିଜୟ ମହାପାତ୍ରଙ୍କଠାରୁ ଯେପରି ଶେଷ ମୁହୂର୍ତ୍ତରେ ଦଳୀୟ ଟିକଟ ପ୍ରତ୍ୟାହାର କରିନିଆଗଲା, ତାଙ୍କ ସହିତ ମଧ୍ୟ ସେପରି ହୋଇପାରେ । ରମେଶଙ୍କୁ ସ୍ୱାଧୀନ ପ୍ରାର୍ଥୀ କରାଇବା ପଛରେ ଏହିଭଳି ଆଶଙ୍କା ଥାଇପାରେ । ରାଜା ସ୍ୱାଇଁ ଦଳୀୟ ଟିକଟ ପାଇଲେ, ବିଜୟ ମହାପାତ୍ରଙ୍କର ଅବସ୍ଥା ତାଙ୍କର ହେଲାନାହିଁ । କିନ୍ତୁ ଶେଷକଥାଟି ସମାନ ହେଲା-ସେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ହେଲେ । ତାଙ୍କର ଆଶଙ୍କା ସତ୍ୟରେ ପରିଣତ ହେଲା । ପ୍ରତିଦ୍ୱନ୍ଦ୍ୱିତାରୁ ବଞ୍ଚôତ ରଣେନ୍ଦ୍ରଙ୍କର ଆଠଗଡ଼ରେ ଜନସମର୍ଥନର ସମ୍ପୂର୍ଣ୍ଣ ଫାଇଦା ପାଇଲେ ଅନୁଗତ ରମେଶ । ବିଜେଡ଼ି ରମେଶଙ୍କୁ ସମର୍ଥନ ଜଣାଉଛି, ଏହାର ନିଦର୍ଶନସ୍ୱରୂପ ଉଭୟ ନବୀନ ପଟ୍ଟନାୟକ ଓ ପ୍ୟାରୀ ମହାପାତ୍ର ରମେଶଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ । ରମେଶ ରାଉତ ବିଜୟୀ ହେଲେ । ଅନୁଗତ ରମେଶ ସ୍ୱାଭାବିକ ନିରୋଳା ମନରେ ଚାହିଁଥିବେ ତାଙ୍କର ପ୍ରିୟ ରାଜାଭାଇ ଓ ବିଧାନସଭା ଭିତରେ ପ୍ରତିବନ୍ଧକ ନ ହେବାକୁ । ସ୍ୱତଃପ୍ରବୃତ୍ତ ଭାବେ ଇସ୍ତଫା ଦେବା ତେଣୁ ସ୍ୱାଭାବିକ । କିନ୍ତୁ ଯେଉଁମାନେ ରାଜନୀତିରେ କୃତଘ୍ନତାକୁ ହିଁ ସ୍ୱାଭାବିକ ଭାବନ୍ତି ସେମାନେ ରମେଶଙ୍କର ଇସ୍ତଫା ପ୍ରଦାନ ପ୍ରକ୍ରିୟାକୁ କଦାପି ସ୍ୱାଭାବିକ ବୋଲି ଗ୍ରହଣ କରିବେ ନାହିଁ । ସେହିମାନେ ହିଁ କହିବେ ଏହା ଚାପର ପରିଣତି ।
ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଯାହା ଜଣାଯାଏ-ବିଜେଡ଼ି ଭିତରେ ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଚାହାନ୍ତିନାହିଁ ରାଜା ସ୍ୱାଇଁ ବିଧାନସଭା ଭିତରକୁ ଆସନ୍ତୁ । ଏହି ଗୋଷ୍ଠୀଟି କିଏ ତାହା ଅବଶ୍ୟ କେହି ଚିହ୍ନଟ କରିପାରି ନାହାନ୍ତି । କିନ୍ତୁ ବିଜେଡ଼ିରେ ଯଦି ନବୀନବାବୁ ଓ ପ୍ୟାରୀବାବୁ ଚାହିଁବେ ଯେ ରାଜା ସ୍ୱାଇଁ ବିଧାନସଭା ଭିତରକୁ ବିଧାୟକଭାବେ ଆସନ୍ତୁ, ତା’ହେଲେ ଏହା ଏକ ନିର୍ବିବାଦ୍ୟ ସତ୍ୟ ଯେ ବିଜେଡ଼ି ଭିତରେ କୌଣସି ଗୋଷ୍ଠୀ ଏମାନଙ୍କ ଚାହିଁବା ବିରୁଦ୍ଧରେ ଯିବନାହିଁ । ତେଣୁ ରାଜା ସ୍ୱାଇଁ ବିଧାୟକ ଭାବେ ବିଧାନସଭାରେ ପ୍ରବେଶ କରନ୍ତୁ-ଏହା ନବୀନବାବୁ, ପ୍ୟାରୀବାବୁ ଚାହୁଁନାହାନ୍ତି କି?
ରମେଶ ଯଦି ଇସ୍ତଫା ଦେଉଛନ୍ତି ଓ ଏହାକୁ ଗ୍ରହଣ କରି ନିଆଯାଉଛି-ତା’ହେଲେ ରାଜା ସ୍ୱାଇଁ ନିଶ୍ଚିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଓ ତାଙ୍କ ପ୍ରତି ବିପୁଳ ଜନସମର୍ଥନ ରହିଛି ଯାହା ବଳରେ ସେ ବିଧାୟକ ହୋଇ ଫେରିବେ ।
ଯେଉଁମାନେ ରାଜା ସ୍ୱାଇଁଙ୍କର ବାହୁଡ଼ାକୁ ବିରୋଧ କରୁଛନ୍ତି-ସେମାନେ ରମେଶ କିପରି ଇସ୍ତଫା ପ୍ରତ୍ୟାହାର କରିବେ-ଏଥିପାଇଁ ସ୍ୱାଭାବିକ ସେମାନେ ତପôର ହୋଇ ପଡ଼ିଥିବେ । କହିବା ବାହୁଲ୍ୟ ଯେ ସେମାନେ ସଫଳ ହୋଇଛନ୍ତି-ରାଜାସ୍ୱାଇଁଙ୍କର ଅନୁଗତ ରମେଶ ତାଙ୍କର ଇସ୍ତଫା ପତ୍ର ପ୍ରତ୍ୟାହାର କରି ରାଜା ସ୍ୱାଇଁଙ୍କର ବାହୁଡ଼ା ପଥକୁ ବନ୍ଦ କରିଦେଇଛନ୍ତି । କେହି କେହି ଏହାକୁ କୃତଜ୍ଞତା କହୁଛନ୍ତି । କିନ୍ତୁ ରାଜନୀତିରେ ଚେଲାମାନେ ଗୁରୁମାନଙ୍କୁ ଧୋଖାଦେବା ଆଦୌ ନୂଆକଥା ନୁହେଁ ବା ପୋଷ୍ୟ ଦ୍ୱାରା ପୋଷକ ଧୋଖା ଖାଇବା ନୂଆକଥା ନୁହେଁ । ବରଂ କୃତଜ୍ଞତାକୁ ଏକ ରଣନୀତିରେ ମାନ୍ୟତା ମିଳିଗଲାଣି ଏହିଭଳି ରାଜନୈତିକ ପରିବେଶରେ ରାଜା ସ୍ୱାଇଁଙ୍କର ଅଭିଜ୍ଞତା ବହୁ ରାଜନେତାଙ୍କ ଭାଗ୍ୟରେ ଯେ ଅଛି-ଏହା ଜଳ ଜଳ ଦିଶୁଛି । ତେବେ କାହାର କେତେବେଳେ ପାଳି ତାହାହିଁ ଦେଖିବାକୁ ରହିଲା ।