୧୬-୩୦ ଜୁନ୍, ୨୦୦୯
ବିଜୁ ଜନତାଦଳକୁ ବାଦ୍ ଦେଲେ ଓଡ଼ିଶା ଭୂଇଁରେ ଯେଉଁ ଦୁଇଟି ଆଞ୍ଚଳିକଦଳ ଦୃଷ୍ଟି ଆକର୍ଷଣ କରିଛନ୍ତି-ସେମାନେ ହେଲେ ବିଜୁ ଜନତା ଦଳ ଦ୍ୱାରା ଅପଦସ୍ଥ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ‘ଓଡ଼ିଶା ଗଣ ପରିଷଦ’ ଓ ଭାରତୀୟ ପ୍ରଶାସନିକ ସେବାରୁ ଇଚ୍ଛାକୃତ ଅବସର ନେଇ ଆସିଥିବା ଆନ୍ଧ୍ର କ୍ୟାଡ଼ର ଅଫିସର ଯତୀଶ ମହାନ୍ତିଙ୍କ ନେତୃତ୍ୱରେ ‘ସମୃଦ୍ଧ ଓଡ଼ିଶା’ । ‘ଓଡ଼ିଶା ଗଣପରିଷଦ’ର ଏନ୍.ସି.ପି.ରେ ବିଲୟ ପରେ,୨୦୦୯ନିର୍ବାଚନରେ ଆମେ କେବଳ ‘ସମୃଦ୍ଧ ଓଡ଼ିଶା’ର ପ୍ରାର୍ଥୀମାନଙ୍କୁ ବିଜେଡ଼ି, ବିଜେପି ଓ କଂଗ୍ରେସ ଭଳି ଟାଣୁଆ ଦଳମାନଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଦେଖିଲୁ । ୯୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିବା ଏହି ଦଳର କୌଣସି ପ୍ରାର୍ଥୀ ୧୦,୦୦୦ରୁ ଅଧିକ ଭୋଟ ପାଇନାହାନ୍ତି । ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପାଇଛନ୍ତି ୯୭୭୩ ଭୋଟ ଓ ଏହା ହିଁ ‘ସମୃଦ୍ଧ ଓଡ଼ିଶା’ର ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ଭୋଟ । ଏହାପରେ ନବରଙ୍ଗପୁର ଓ ଖରିଆରରେ ‘ସମୃଦ୍ଧ ଓଡ଼ିଶା’ର ପ୍ରାର୍ଥୀ ଯଥାକ୍ରମେ ପାଇଛନ୍ତି ୮୪୧୩ ଓ ୮୨୪୮ସଂଖ୍ୟକ ଭୋଟ । ଯାହା ଜଣାପଡ଼ୁଛି କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ‘ସମୃଦ୍ଧ ଓଡ଼ିଶା’ ପ୍ରତି ଜନସମର୍ଥନ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଅଧିକ । ଉପକୂଳବର୍ତ୍ତୀ ଅଞ୍ଚଳରେ ଯତୀଶବାବୁଙ୍କର ପାଞ୍ଚବର୍ଷରେ ଦାରିଦ୍ର୍ୟ ଦୂର କରିବାର ପ୍ରତିଶ୍ରୁତି କୌଣସି ପ୍ରଭାବ ପକାଇଲା ଭଳି ମନେ ହେଉ ନାହିଁ । ଅବଶ୍ୟ ଶ୍ରୀଯୁକ୍ତ ମହାନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀ ଧର୍ମଶାଳାରୁ ପ୍ରତିଦ୍ୱନ୍ଦ୍ୱିତା କରି ୫୦୧୫ ସଂଖ୍ୟକ ଭୋଟ ପାଇଛନ୍ତି ଯାହା ଉପକୂଳବର୍ତ୍ତୀ ଅଞ୍ଚଳରେ ‘ସମୃଦ୍ଧ ଓଡ଼ିଶା’ର ଅନ୍ୟ ପ୍ରାର୍ଥୀମାନେ ପାଇଥିବା ଭୋଟସଂଖ୍ୟାଠାରୁ ଯଥେଷ୍ଟ ଅଧିକ । ପଞ୍ଚାନନ କାନୁନ୍ଗୋଙ୍କ ଭଳି ପୁରୁଖା ନେତାଙ୍କୁ ପ୍ରାର୍ଥୀ କରାଇ ମଧ୍ୟ ତାହା ପୁଣି ଭୁବନେଶ୍ୱର ଭଳି ଏକ ସଚେତନ ସହରରେ, କୌଣସି ଫରକ ଫଳାଫଳରେ ହୋଇନାହିଁ । ମାତ୍ର ୧୬୭୦ଟି ଭୋଟ ପଞ୍ଚାନନ ବାବୁ ପାଇଥିବା ବେଳେ ବିଜେଡ଼ିର ବିଜୟୀ ପ୍ରାର୍ଥୀ ପ୍ରାୟ ଅପରିଚିତ ବିଜୟ ମହାନ୍ତି ୪୬୪୧୭ଭୋଟ ପାଇଛନ୍ତି ।
ଏହା କହିବା ଅଯୌକ୍ତିକ ହେବନାହିଁ ଯେ ଯତୀଶ ବାବୁଙ୍କର ଦୀର୍ଘ ପ୍ରଶାସନିକ ପୃଷ୍ଠଭୂମି, ବୌଦ୍ଧିକ ପତିଆରା, ଓଡ଼ିଶାରୁ ପାଞ୍ଚବର୍ଷ ଭିତରେ ଦାରିଦ୍ର୍ୟ ଦୂର କରିଦେବାର ପ୍ରତିଶ୍ରୁତି, ତାଙ୍କ ଦ୍ୱାରା ଆହୂତ ଆଲୋଚନା ଚକ୍ରମାନଙ୍କୁ ବହୁ ବୁଦ୍ଧିଜୀବୀଙ୍କୁ ଆକୃଷ୍ଟ କରିଥିଲେ ହେଁ-ଏହା ଭୋଟ ସଂଗ୍ରହରେ ଫଳବତୀ ହୋଇପାରି ନାହିଁ । ଏପରିକି ସହରାଞ୍ଚଳରେ ଯେଉଁଠାରେ ବୁଦ୍ଧିଜୀବୀମାନେ ବସବାସ କରନ୍ତି ବୋଲି ସାଧାରଣରେ ବିଶ୍ୱାସ କରାଯାଏ-ସେହି ବୁଦ୍ଧିଜୀବୀମାନେ ମଧ୍ୟ ଯତୀଶବାବୁଙ୍କ ଆହ୍ୱାନକୁ ସମର୍ଥନ କରିବା ପାଇଁ ଆଗେଇ ଆସିନାହାନ୍ତି ବରଂ ସହରାଞ୍ଚଳରେ ‘ସମୃଦ୍ଧ ଓଡ଼ିଶା’ର ବିଫଳତା ଅଧିକ ଦୃଶ୍ୟମାନ ।
ତଥାପି ଯତୀଶବାବୁ ଅଭିନନ୍ଦନର ପାତ୍ର କାରଣ ସେ କୌଣସି ଜାତୀୟଦଳର ଆଶ୍ରିତ ନହୋଇ ସ୍ୱାଧୀନ ଭାବରେ ଆଞ୍ଚଳିକ ଦଳଟିଏ ଠିଆ କରାଇବାର ଉଦ୍ୟମ କରିଛନ୍ତି । ବିଜୁ ଜନତାଦଳ, ଜାତୀୟ ଦଳ ବିଜେପିର ଆଶ୍ରିତ ହୋଇ କ୍ଷମତା ଦଖଲର ପର୍ଯ୍ୟାୟ ଆରମ୍ଭ କରିଥିଲା । ଓଡ଼ିଶା ଗଣପରିଷଦ ବିନାଶ୍ରୟରେ ଆରମ୍ଭ କରି ପରିଶେଷରେ ପ୍ରଭାବୀ ଏନ୍.ସି.ପି.ରେ ନିଜକୁ ବିଲୟ କରିଦେଲା । ଜାତୀୟ ଦଳଗୁଡ଼ିକ ତାଙ୍କର ରାଜ୍ୟ ଶାଖା ସହ କିପରି ବ୍ୟବହାର କରୁଛନ୍ତି, ରାଜ୍ୟ ନେତୃତ୍ୱକୁ କିପରି ନାମମାତ୍ର କରିଦେଇଛନ୍ତି ଓ ଅପଦସ୍ଥ କରୁଛନ୍ତି, ତାହାର ଅଭିଜ୍ଞତା ହେଲାପରେ ଏକ ଆଞ୍ଚଳିକ ଦଳ ସପକ୍ଷରେ ହିଁ ଯୁକ୍ତି କରିବାର ପ୍ରବଣତା ସୃଷ୍ଟିହେବା ସ୍ୱାଭାବିକ । ସମ୍ପ୍ରତି କୌଣସି ଜାତୀୟ ଦଳ ସହ ଯୁକ୍ତ ନଥିବା ବିଜୁ ଜନତାଦଳର ବିକଳ୍ପ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ହୋଇପାରେ ବୋଲି ଧାରଣା ହେବା ସ୍ୱାଭାବିକ ।
ତେଣୁ ଯତୀଶବାବୁଙ୍କ ଦଳର ପ୍ରତିଶ୍ରୁତିର ବାସ୍ତବିକତା ପ୍ରତି ଶୁଦ୍ରକର ସନେ୍ଦହ ଥିଲେ ମଧ୍ୟ ଓ ଏହି ଦଳର ଆଭିମୁଖ୍ୟ ସମ୍ପର୍କରେ ଶୁଦ୍ରକର ଧାରଣାରେ ସ୍ପଷ୍ଟତା ନଥିଲେ ମଧ୍ୟ, ସେ ଆଶାକରିବେ ଯେ ଯତୀଶବାବୁ ପରାଜୟ ଦ୍ୱାରା ହତୋତ୍ସାହ ନହୋଇ ‘ସମୃଦ୍ଧ ଓଡ଼ିଶା’କୁ ଅଧିକ ଶକ୍ତିଶାଳୀ କରିବାରେ ଲାଖି ରହିବେ । କିଏ ଜାଣେ ଆଗାମୀ ନିର୍ବାଚନରେ ଜାତୀୟ ଦଳମାନଙ୍କ ଦ୍ୱାରା ବାରମ୍ବାର ଅପଦସ୍ଥ ହେଉଥିବା ରାଜ୍ୟ ନେତୃତ୍ୱର ଦୁର୍ବଳତା ଓ ଏହାର ସଙ୍ଗଠନ ଉପରେ ପ୍ରତିକୂଳ ପ୍ରଭାବ- ‘ସମୃଦ୍ଧ ଓଡ଼ିଶା’ ପାଇଁ ଅନୁକୂଳ ହେବ ଏବଂ ଏହି ଦଳ ବିଜୁ ଜନତାଦଳର ଏକ ଉପଯୁକ୍ତ ବିକଳ୍ପ ଭାବେ ଆବିର୍ଭୂତ ହେବ-ବିଶେଷତଃ ଏକ ଦକ୍ଷିଣପନ୍ଥୀ ରାଜନୈତିକ ପରିବେଶରେ ।