କଂଗ୍ରେସ-ବିଜେପି ବୁଝାମଣା

  • 04/09/2015

୧୬-୩୦ ମେ, ୨୦୦୯

ନିର୍ବାଚନ ଫଳାଫଳ ଘୋଷଣାପରେ ବିଭିନ୍ନ ଦଳଗୁଡ଼ିକୁ ନେଇ ସରକାର ଗଢ଼ିବାର ଯେଉଁ ସମୀକରଣ ସବୁ ଭାରତୀୟ ରାଜନୀତିର କଳାପଟାରେ ଲେଖାଯାଉଛି – ସେଥିରେ କଂଗ୍ରେସ-ବିଜେପି ମିଳିତ ହୋଇ ବା ପରସ୍ପରକୁ ସମର୍ଥନ କରି ସରକାର ଗଢ଼ିବେ-ଏହିଭଳି ସୂଚନା ନାହିଁ । ବରଂ ଏହା ଅସମ୍ଭବ ବୋଲି ବିଶାରଦ ମାନେ କହି ଆସୁଛନ୍ତି-ଯଦିଓ ସମଦୃଷ୍ଟିର ପୂର୍ବ ସଂଖ୍ୟାରେ (୧-୧୫ ମଇ ୨୦୦୯) ଶୁଦ୍ରକ ତାଙ୍କର ନିୟମିତ ସ୍ତମ୍ଭରେ ଏହିଭଳି ଏକ ସମୀକରଣର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଦର୍ଶାଇଛନ୍ତି । ଇତ୍ୟବସରରେ କିନ୍ତୁ ଗଣମାଧ୍ୟମରେ ଏକ ସମ୍ବାଦ ପ୍ରକାଶପାଇଛି, ଯାହାର ଶିରୋନାମା ହେଉଛି ‘ଦରକାର ହେଲେ କଂଗ୍ରେସ ସହ ମିଶି କାମ କରିବୁ’ (ଧରିତ୍ରୀ- ୧୦/୫/୨୦୦୯) । ଏହା କହିଛନ୍ତି ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଲାଲକୃଷ୍ଣ ଆଡ଼ଭାନୀଙ୍କର ସହଯୋଗୀ ଓ ଭାଜପାର ରଣନୀତି ବିଶାରଦ (Strategistଧ) ସୁଧୀନ୍ଦ୍ର କୁଲକର୍ଣ୍ଣୀ । ଶୁକ୍ରବାର (୮/୫/୨୦୦୯) ଦିନ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ କୁଲକର୍ଣ୍ଣୀ ମହୋଦୟ କହିଛନ୍ତି – ‘କଂଗ୍ରେସ ଅସ୍ପୃଶ୍ୟ ବୋଲି ଭାଜପା ଭାବୁନାହିଁ । ଦେଶର ସ୍ୱାର୍ଥ ପାଇଁ ଆବଶ୍ୟକ ପଡ଼ିଲେ ଆମେ କଂଗ୍ରେସ ସହ ମିଶି କାର୍ଯ୍ୟ କରିବାପାଇଁ ପ୍ରସ୍ତୁତ ।’
ଏହି ସମ୍ବାଦ ପୃଷ୍ଠଭୂମିରେ ଅଣକଂଗ୍ରେସ-ଅଣବିଜେପି ମେଣ୍ଟର ସୂତ୍ରଧର ସି.ପି.ଏମ୍ ଦଳର ମହାସଚିବ ପ୍ରକାଶ କରାତ ଶନିବାର ଦିନ କଲିକତା ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ଦେଇଥିବା ସାକ୍ଷାତକାର ତାପôର୍ଯ୍ୟପୂର୍ଣ୍ଣ । ଶୁକ୍ରବାର ଦିନ ମେଣ୍ଟର ସମର୍ଥକ ବିଜେଡ଼ି ସୁପ୍ରିମୋ ନବୀନବାବୁଙ୍କ ସହ ଦୀର୍ଘ ୨ଘଣ୍ଟା କଥାବାର୍ତ୍ତା ସାରି ଫେରିବା ବାଟରେ ସାମ୍ବାଦିକ ମାନଙ୍କୁ କହିଲେ, ‘କଂଗ୍ରେସ ନେତୃତ୍ୱରେ ସରକାର ଗଠନପାଇଁ ସମର୍ଥନ ଦେବା ଉପରେ ମେ ୧୬ତାରିଖ ପରେ ନିଷ୍ପତ୍ତ ନିଆଯିବ ।’ (ଦ୍ରଷ୍ଟବ୍ୟ-ଧରିତ୍ରୀ୧୦/୫/୨୦୦୯) ବିଜେପିକୁ କେନ୍ଦ୍ରରେ ସରକାରୀ ଦଳର ମାନ୍ୟତାରୁ ବଞ୍ଚôତ କରିବା ଯଦି ସି.ପି.ଏମ୍ ଦଳର ନିଷ୍ପତ୍ତ ସୂଚୀରେ ଅଗ୍ରାଧିକାର ପାଏ ଓ ସରକାର ଗଠନ ଦିଗରେ କଂଗ୍ରେସ ଆଗୁଆ ଦଳ ଭାବେ ଆବିର୍ଭୂତ ହୁଏ-ତା’ହେଲେ ସି.ପି.ଏମ୍ କଂଗ୍ରେସକୁ ସମର୍ଥନ କରିପାରେ; ଏହିଭଳି ଆଭାସ କରାତଙ୍କର ବିବୃତିରୁ ମିଳୁଛି । ବିଜେଡ଼ିର ସମର୍ଥକମାନେ କରାତଙ୍କର ଏହିଭଳି ବିବୃତି ଦ୍ୱାରା ଚିନ୍ତିତ ହୋଇ ପଡ଼ିଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର ହେଉଛି । ଯଦିଓ କଂଗ୍ରେସ-ବିଜେଡ଼ି ମଧ୍ୟରେ ବୁଝାମଣା ହେଉଛି ବୋଲି ରାଜ୍ୟ ବିଜେପି ତରଫରୁ ସନେ୍ଦହ ପ୍ରକଟ କରାଯାଉଛି । (ଦ୍ରଷ୍ଟବ୍ୟ -ଧରିତ୍ରୀ, ୮/୫/୨୦୦୯)
ଭାରତର ଶିଳ୍ପପତି ଗୋଷ୍ଠୀ ଅଣବିଜେପି-ଅଣ କଂଗ୍ରେସ ମେଣ୍ଟ ସରକାର ଗଢ଼ିବା ସପକ୍ଷରେ ଯେ ନୁହେଁ-ତାହା ସେ ସ୍ପଷ୍ଟ କରିଦେଇଛି ଯେତେବେଳେ ସେ ଚାହୁଁଛି ଯେ କେନ୍ଦ୍ରରେ କଂଗ୍ରେସ ବା ବିଜେପିର ନେତୃତ୍ୱରେ ସରକାର ଗଠନ ହେଉ । (ଦ୍ରଷ୍ଟବ୍ୟ – The Statesman, 10May, 2009 : India Inc wants BJP or Congress) କହିବା ବାହୁଲ୍ୟ ଯେ ଯଦି କଂଗ୍ରେସ-ବିଜେପିର ବୁଝାମଣାରେ ସରକାର କେନ୍ଦ୍ରରେ ଗଠନ ହୁଏ, ତା’ହେଲେ ଭାରତୀୟ ଶିଳ୍ପପତି ଗୋଷ୍ଠୀର ଖୁସି ଦ୍ୱିଗୁଣିତ ହେବ । ଉପରୋକ୍ତ ତିନୋଟି ସମ୍ବାଦରୁ ସ୍ପଷ୍ଟ ହେଉଛି ଯେ କଂଗ୍ରେସ ସଂସଦରେ ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ଉଭା ହୋଇପାରେ ବୋଲି ପ୍ରାୟଃ ସବୁ ରାଜନୈତିକ ଦଳ ଓ ଭାରତର ଶିଳ୍ପଗୋଷ୍ଠୀ ଅନୁମାନ କରୁଛନ୍ତି । ତେବେ ଦେଖାଯାଉ ଭୋଟଦାତାମାନେ ପ୍ରକୃତରେ ଇ.ଭି.ଏମ୍.(EVM)ରେ କ’ଣ ଛାଡ଼ିଛନ୍ତି?

Print Friendly, PDF & Email