୧-୧୫ ମେ , ୨୦୦୯
ପ୍ରଦର୍ଶନୀରେ ବିବିଧତା ଏକ ସ୍ୱାଭାବିକ ପ୍ରତ୍ୟାଶା । ପୁସ୍ତକ ପ୍ରଦର୍ଶନୀରେ ଆମେ ବହୁ କଠିନ ବିଷୟବସ୍ତୁ ଉପରେ ପୁସ୍ତକଠାରୁ ଆରମ୍ଭ କରି କାନ୍ଦଣା, ରାନ୍ଧଣା, ଗୁଣିଗାରେଡ଼ି ଉପରେ ମଧ୍ୟ ପୁସ୍ତକ ପାଉ । ସେହିପରି ଚମଡ଼ାଶିଳ୍ପ ପ୍ରଦର୍ଶନୀରେ ବିଭିନ୍ନ କିସମର ଜୋତା, ଚପଲଠାରୁ ଆରମ୍ଭ କରି ବ୍ୟାଗ୍, ବେଲ୍ଟ ଆମେ ପାଇଥାଉ । ପ୍ରଦର୍ଶନୀକୁ ଯାଉଥିବା ଲୋକେ ସମସ୍ତେ ଉପଭୋଗ କରନ୍ତି ପ୍ରଦର୍ଶନୀକୁ – କିଛି କିଣନ୍ତୁ ବା ନ କିଣନ୍ତୁ । ଏହିଭଳି ପ୍ରଦର୍ଶନୀ ପ୍ରତ୍ୟେକ ବର୍ଷ ହୋଇଥାଏ । ପ୍ରାୟଃ ଗୋଟିଏ ନିର୍ଦ୍ଧାରିତ ସମୟରେ ହିଁ ହୋଇଥାଏ । ଏହା କ୍ରମଶଃ ଏତେ ଲୋକପ୍ରିୟ ହେଲାଣି ଯେ ପ୍ରତ୍ୟେକ ଅଞ୍ଚଳରେ ଏବେ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ହେଉଛି ଓ ପ୍ରତ୍ୟେକ ଅଞ୍ଚଳରେ ଗୋଟିଏ ଗୋଟିଏ ପଡ଼ିଆକୁ ପ୍ରଦର୍ଶନୀ ପଡ଼ିଆ ବୋଲି କୁହାଯାଉଛି । ପ୍ରଦର୍ଶନୀ ହେଲେ ପ୍ରଚାର ହୁଏ – ବେପାର ଭଲହୁଏ ବା ଭଲହେବାର ସମ୍ଭାବନା ବଢ଼େ ।
ଏହିଭଳି ଧାରଣାର ପୃଷ୍ଠଭୂମିରେ ନିର୍ବାଚନ ପ୍ରଦର୍ଶନୀ ଭାରତଭୂଇଁରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ବୋଲି କହିବା ନିହାତି ଗୋଟିଏ ଭୁଲ କଥନ ହେବ ନାହିଁ । ରାଜନୈତିକ ଦଳଗୁଡ଼ିକର ସଂଖ୍ୟା ଦେଖିଲେ ବିବିଧତା ତ ଅତ୍ୟନ୍ତ ବ୍ୟାପକ । ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ସାମାଜିକ, ଅର୍ଥନୈତିକ ପୃଷ୍ଠଭୂମି ଦେଖିଲେ – ବିବିଧତା କମ୍ ବ୍ୟାପକ ନୁହେଁ । ବାହୁବଳୀଙ୍କଠାରୁ ଆରମ୍ଭ କରି ଅତି ନିରୀହ ଭଦ୍ରଲୋକର ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦୁଃସାହସିକତା ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳେ । କୋଟିପତିଙ୍କ ଠାରୁ ଆରମ୍ଭ କରି ନିଃସ୍ୱ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ସାହସ କରୁଥିବାର ଦେଖିବାକୁ ମିଳେ । ସାଧାରଣ ଲୋକର ଜୀବନ ମାନକୁ ଉନ୍ନତ କରିବାପାଇଁ ବହୁ ସ୍ୱପ୍ନ, ବହୁ ଯୋଜନାର ଉଚ୍ଚସ୍ୱରରେ ଘୋଷଣା ଶୁଭେ । ପ୍ରଦର୍ଶନୀକୁ ଆସୁଥିବା ମଣିଷକୁ କେତେକ ଦୃଶ୍ୟ କଉତୁକିଆ ଲାଗେ ତ, କେଉଁଠି କେଉଁଠି ସେ ହତଚକିତ ହୋଇପଡ଼େ ଓ ପ୍ରତିକ୍ରିୟାରେ ଶାଳୀନ-ଅଶାଳୀନ ସ୍ୱଗତୋକ୍ତି କହିପକାଏ ।
୨୦୦୯ ନିର୍ବାଚନ ଏହିଦୃଷ୍ଟିରୁ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ । କାହିଁକି ଏଯାବତ୍ ସାଙ୍ଗରେ ରହି କ୍ଷମତା ଉପଭୋଗ କରୁଥିବା ଦଳମାନେ ପରସ୍ପର ବିରୁଦ୍ଧରେ ଅତି ନିଷ୍ଠୁର ମନ୍ତବ୍ୟମାନ ଦେଉଛନ୍ତି-ଏପରିକି ଏପରି ସହାବସ୍ଥାନକୁ ଅବୈଧ ବୋଲି ସ୍ୱୀକାର କରୁଛନ୍ତି – ତାହା ସାଧାରଣ ଭୋଟର ପାଇଁ ଏକ ରହସ୍ୟ ହୋଇ ଉଭାହୋଇଛି । ଯଦି ଓଡ଼ିଶାରେ ବିଜେଡ଼ି-ବିଜେପି ମଧ୍ୟରେ ବିଚ୍ଛେଦ ହୋଇଛି – ସେଠି କେନ୍ଦ୍ରରେ ଉପା (UPA) ଭିତରେ ଥିବା ରାଜଦ (RJD)ର ଲାଲୁଯାଦବ ଓ ଏଲ୍.ଜେ.ପି. (LJP)ର ରାମବିଳାସ ପାଶୱାନ ଓ ଏନ୍.ସି.ପି.(NCP)ର ଶରଦ ପାୱାର ସହଯୋଗୀ କଂଗ୍ରେସ ବିରୁଦ୍ଧରେ ମନ୍ତବ୍ୟମାନ ଦେବା ଓ ବିଶେଷକରି ମନମୋହନ ସିଂହଙ୍କର ପ୍ରଧାନମନ୍ତ୍ରୀତ୍ୱକୁ ଅଗ୍ରାହ୍ୟ କରିବା ଆଗାମୀ ଦିନରେ କ୍ଷମତାର ସମୀକରଣ କ’ଣ ହୋଇପାରେ-ତାହା ରାଜନୈତିକ ବିଶେଷଜ୍ଞମାନଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଏକ ଅଣବିଜେପି – ଅଣକଂଗ୍ରେସ ମେଣ୍ଟର ସମ୍ଭାବନା ଯେଉଁମାନେ ପରିବେଷଣ କରୁଛନ୍ତି – ସେମାନେ ବୋଧହୁଏ ନିଶ୍ଚିତ ଯେ ବିଜେପି ଓ କଂଗ୍ରେସ ମଧ୍ୟରେ କ୍ଷମତା ଦଖଲ ପାଇଁ ବୁଝାମଣା ଅସମ୍ଭବ । ଯଦି ଏହା ସମ୍ଭବ ବୋଲି ଯୁକ୍ତି କରାଯାଏ । ତା’ହେଲେ ଅଣବିଜେପି-ଅଣକଂଗ୍ରେସ ମେଣ୍ଟର କ୍ଷମତା ଦଖଲ ସ୍ୱପ୍ନରେ ରହିଯିବ – ଏହା ନିଶ୍ଚିତ । ବିଜେପି ଓ କଂଗ୍ରେସ ମିଳିତ ହୋଇ ସରକାର ଗଢ଼ନ୍ତୁ ଓ ବାମପନ୍ଥୀମାନଙ୍କ କବଳରୁ ଉପା ସରକାର ମୁକ୍ତ ହୁଅନ୍ତୁ ବୋଲି ବହୁଦିନ ତଳେ ଉପାସରକାରଙ୍କୁ ବିଶିଷ୍ଟ ସାମ୍ବାଦିକ ଓ ବ୍ୟଙ୍ଗ ଚିତ୍ରକର ରାଜିନ୍ଦର ପୁରୀ ତାଙ୍କର ଏକ ସ୍ତମ୍ଭରେ ପରାମର୍ଶ ଦେଇଥିଲେ । ବୈଦେଶିକ ନୀତି, ଅର୍ଥନୀତି ପ୍ରତି ଦୁଇଦଳର ଆଭିମୁଖ୍ୟର ସାଦୃଶ୍ୟ ଦେଖିଲେ ଏହି ଦୁଇଦଳ ଭିତରେ ବୁଝାମଣା ଅସମ୍ଭବ ମନେହୁଏ ନାହିଁ । ଯଦିଓ ଯେଉଁମାନେ କଂଗ୍ରେସର ‘ଧର୍ମ ନିରପେକ୍ଷତା’ ଓ ବିଜେପିର ‘ସାମ୍ପ୍ରଦାୟିକତା’ ଉପରେ ଗୁରୁତ୍ୱ ଦିଅନ୍ତି – ସେମାନେ ଏପରି ମିଳନ ଆଶା ସମ୍ଭବ ନୁହେଁ ବୋଲି ଦୃଢ଼ୋକ୍ତି କରିବେ ଓ ମିଳନ ପରିକଳ୍ପନାକୁ ଉଦ୍ଭଟ ବୋଲି ବିଚାର କରିବେ । କିନ୍ତୁ ରାଜନୀତିରେ କେହି ଅସ୍ପୃଶ୍ୟ ନୁହନ୍ତି ବୋଲି ଯେତେବେଳେ ସବୁଦଳର ରାଜନୈତିକ ବ୍ୟକ୍ତିତ୍ୱ ମତପୋଷଣ କରନ୍ତି – ସେତେବେଳେ କଂଗ୍ରେସ ପାଇଁ ବିଜେପି ବା ବିଜେପି ପାଇଁ କଂଗ୍ରେସ ଅସ୍ପୃଶ୍ୟ ହେବ-ବିଶେଷତଃ ଯେତେବେଳେ ଅଣକଂଗ୍ରେସ – ଅଣବିଜେପି ସାମ୍ମୁଖ୍ୟ ମୁଣ୍ଡଟେକିବାର ପ୍ରୟାସ କରୁଛି । ଲାଲକୃଷ୍ଣ ଆଡ଼ୱାନୀ ଓ ମନମୋହନ ସିଂହଙ୍କ ଭିତରୁ କିଏ ପ୍ରଧାନମନ୍ତ୍ରୀ ହେବ, ଏପରି ମେଣ୍ଟର ତାହା ସମାଧାନ ହୋଇଗଲେ – ମନେହୁଏ ବିଜେପି-କଂଗ୍ରେସ ମିଳନ ବ୍ୟବହାରିକ କ୍ଷେତ୍ରରେ ସମ୍ଭବ ହୋଇପାରିବ ।
ଆମ ରାଜ୍ୟରେ ବିଜୁ ଜନତାଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନବାବୁ ଯେତେବେଳେ କହୁଛନ୍ତି ଯେ ସେ ବିଜେପି ଓ କଂଗ୍ରେସ ସହ ବୁଝାମଣା ନକରି ସରକାର ଗଠନ କରିବେ – ସେତେବେଳେ ସେ ବୋଧେ ନିଶ୍ଚିତ ଯେ ତାଙ୍କ ଦଳ ଓ ତାଙ୍କ ସହ ନିର୍ବାଚନୀ ବୁଝାମଣା କରୁଥିବା ଏନ୍.ସି.ପି., ସି.ପି.ଆଇ ଓ ସିପିଏମ୍ ୭୪ରୁ ଅଧିକ ବିଧାନସଭା ଆସନ ପାଇବେ । ଯଦି ଏହି ସଂଖ୍ୟା ହାସଲ କରିବାରେ ସେ ବିଫଳ ହୁଅନ୍ତି, ତା’ହେଲେ ବିଜେଡ଼ି କ’ଣ ବିରୋଧୀ ଆସନରେ ବସିବ? ‘ରାଜନୀତିରେ କେହି ଅସ୍ପୃଶ୍ୟ ନୁହନ୍ତି’ ତତ୍ତ୍ୱର ପ୍ରୟୋଗ କରି ଯଦି ବିଜେଡ଼ି କ୍ଷମତାକୁ ଫେରିବାକୁ ଚାହେଁ – ତା’ହେଲେ ବିଜେଡ଼ି କଂଗ୍ରେସ ସହ ମେଣ୍ଟ କରିବ କି ବିଜେପି ସହ ମେଣ୍ଟକରିବ; ତାହାର ଭବିଷ୍ୟତବାଣୀ କରିବାକୁ ରାଜନୈତିକ ପଣ୍ଡିତମାନେ କୁଣ୍ଠିତ । ଅନେକଙ୍କ ମତରେ କେନ୍ଦ୍ରରେ ବିଜେପି ଓ କଂଗ୍ରେସ ଭିତରୁ କେଉଁଦଳ ସରକାର ଗଠନ କରିବାକୁ ସମର୍ଥ ହେଉଛି ତାହା ହୁଏତ ସ୍ଥିର କରିବ ବିଜେଡ଼ି କାହାସହିତ ମିଳିତ ହୋଇ ରାଜ୍ୟରେ ସରକାର କରିବ । ଅନେକେ ବିଜେଡ଼ି-ବିଜେପି ଭିତରେ ପୁନର୍ବାର ମେଣ୍ଟର ସମ୍ଭାବନାକୁ ଏଡ଼ାଇ ଦେଇପାରୁ ନାହାନ୍ତି । ସେମାନଙ୍କ ମତରେ ବିଚ୍ଛେଦ ପାଇଁ ଦାୟୀ ପ୍ୟାରୀମୋହନ ମହାପାତ୍ରଙ୍କୁ ଦୂରେଇ ଦିଆଯାଇ ପାରିଲେ ପୁଣି ମିଳନ ସମ୍ଭବ । ବିଜେପିର ମୁଖପାତ୍ର ଚନ୍ଦନମିତ୍ର ତ ବିଚ୍ଛେଦ ପାଇଁ ପ୍ୟାରୀବାବୁଙ୍କୁ ହିଁ ଦାୟୀ କରିଥିଲେ । ଯଦି ଏହି ମିଳନ ସମ୍ଭବ ହୁଏ, ତା’ହେଲେ ବିଜେଡ଼ିର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ସହସା ଆବିଷ୍କାର କରିଥିବା ସିପିଆଇ, ସିପିଏମ୍ର ବିଜେଡ଼ି ଦଳ ପ୍ରତି ନୂତନ ଆଭିମୁଖ୍ୟ କ’ଣ ହେବ? କହିବା ବାହୁଲ୍ୟ ଯେ ନବୀନ ପଟ୍ଟନାୟକଙ୍କର ବିଜେପି-କଂଗ୍ରେସକୁ ବାଦ୍ ଦେଇ ସରକାର ଗଠନର ଦମ୍ଭୋକ୍ତିକୁ ଅନେକେ ଗୁରୁତ୍ୱର ସହ ଗ୍ରହଣ କରିପାରୁ ନାହାନ୍ତି ।
ଏହି ନିର୍ବାଚନରେ ବହୁସଂଖ୍ୟାରେ କୋଟିପତି ମାନେ ନିର୍ବାଚନ ରଣାଙ୍ଗନରେ ଲମ୍ଫପ୍ରଦାନ କରିବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ଦି ଇକୋନୋମିକ ଟାଇମ୍ସ (The Economic Times)ଏହାକୁ ବିଶେଷ ଗୁରୁତ୍ୱ ନଦେବା ସପକ୍ଷରେ ଯୁକ୍ତି କରି ଦର୍ଶାଇଛି ଯେ ଯଦି ବସ୍ତିବାଳକ କୋଟିପତି ହୋଇଯାଇ ପାରୁଛି (ଯାହା ଓସ୍କାର ପୁରସ୍କୃତ ଚଳଚ୍ଚିତ୍ର ସ୍ଲମଡଗ ମିଲିୟନାୟାରରେ ପ୍ରଦର୍ଶିତ ହୋଇଛି) ସେତେବେଳେ କୋଟିପତି ପ୍ରାର୍ଥୀଙ୍କର ସଂଖ୍ୟାବୃଦ୍ଧିକୁ ଦେଖି ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । କହିବା ବାହୁଲ୍ୟ ଯେ ଚଳଚ୍ଚିତ୍ର ସ୍ଲମଡଗ ମିଲିୟନାୟାର ଭାରତୀୟ ନିର୍ବାଚନ ପରିପ୍ରେକ୍ଷୀରେ ବେଶ୍ ସମୟୋପଯୋଗୀ ବୋଲି ମନେହେଉଛି ଯାହାଦ୍ୱାରା କୋଟିପତିର ପ୍ରାର୍ଥୀତ୍ୱକୁ ଯଥାର୍ଥ ବୋଲି ପ୍ରତିପାଦିତ କରିହେଉଛି । ପ୍ରାର୍ଥୀପତ୍ର ଦାଖଲ ସହ ସମ୍ପତ୍ତର ଘୋଷଣା ଦ୍ୱାରା ଲାଭ କ’ଣ ହେଲା ବୋଲି ଯେଉଁମାନେ ପ୍ରଶ୍ନ କରୁଛନ୍ତି – ସେମାନେ ବୋଧହୁଏ ଆଶା କରୁଛନ୍ତି ଯେ କେଉଁ ସୂତ୍ରରୁ ଏହି କୋଟିପତିମାନେ ଏତେ ସମ୍ପତ୍ତର ଅଧିକାରୀ ହେଲେ ତା’ର ଅନୁସନ୍ଧାନ ହେବା ଉଚିତ-ଚାକିରିଆ କୋଟିପତିଙ୍କର ଭିଜିଲାନ୍ସ ଅନୁସନ୍ଧାନ ପରି ଓ ଯେଉଁମାନେ ଅସତ୍ ଉପାୟରେ ଏତେ ଏତେ ସମ୍ପତ୍ତର ଅଧିକାରୀ ହୋଇଛନ୍ତି – ସେମାନଙ୍କୁ ପ୍ରାର୍ଥୀତ୍ୱରୁ ବଞ୍ଚôତ କରାଯିବା ଉଚିତ । କିନ୍ତୁ ଏ ନିଷ୍ପତ୍ତ କିଏ ନେବ? କାରଣ ଯେଉଁମାନେ ନିଷ୍ପତ୍ତ ନେବେ ସେମାନଙ୍କୁ ପ୍ରଭାବିତ କରିବାର କ୍ଷମତା ତ ସେହି କୋଟିପତିମାନଙ୍କ ହାତରେ । ଅନ୍ୟପକ୍ଷରେ ରାଜନୀତି କରୁଥିବା ବ୍ୟକ୍ତି ଯେ କେତେଶୀଘ୍ର ଧନୀ ହୋଇଯାଉଛି ତାହା ଆଜି କାହାକୁ ଅଛପା ନାହିଁ । ତେଣୁ ଧନ ବଢ଼ାଇବାରେ ମାତି କୋଟିପତି ହୋଇଥିବା ବ୍ୟକ୍ତି ଯଦି ବ୍ୟବସାୟ ଅପେକ୍ଷା ରାଜନୀତିରେ ମାତି ଅଧିକ ଅର୍ଥ ସଂଗ୍ରହର ସମ୍ଭାବନା ଦେଖୁଛି – ସେତେବେଳେ ସେ ରାଜନୀତିରେ କାହିଁକି ନ ମାତିବ? ବର୍ତ୍ତମାନ ସମୟରେ ରାଜନୀତି ଏକ ଲାଭଜନକ ବୃତ୍ତଭାବେ ଆବିର୍ଭୂତ ହୋଇଥିବାରୁ ଅଧିକରୁ ଅଧିକ କୋଟିପତି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି – ଆଗାମୀ ଦିନମାନଙ୍କରେ ଏମାନଙ୍କୁ ଆମେ ଅଧିକ ସଂଖ୍ୟାରେ ନିର୍ବାଚନରେ ଭାଗ ନେଉଥିବା ଦେଖିବା । ଏହା ତ ଭିନ୍ନ କଥା ଯେ ଏମାନଙ୍କ ହାତରେ କ୍ଷମତାର ଡୋର ରହିଲେ, ନିଷ୍ପତ୍ତ ନେବାର ଅଧିକାର ରହିଲେ ଭାରତର ସଂଖ୍ୟାଗରିଷ୍ଠ ଅବହେଳିତ ଜନସମୁଦାୟ ଅଧିକରୁ ଅଧିକ ଅବହେଳାର ଶିକାର ହେବ ଓ ଅଧିକରୁ ଅଧିକ ସେମାନଙ୍କ ଜୀବନ-ଜୀବିକାର ଆଧାରରୁ ବଞ୍ଚôତ ହେବେ ।
ବୋଧହୁଏ ଏହିଭଳି ଆଶଙ୍କାଗ୍ରସ୍ତ ହୋଇ କିଛି କିଛି ସ୍ଥାନରେ ସାଧାରଣ ଲୋକେ ସାମୂହିକ ଭାବେ ଭୋଟ ବର୍ଜନ କରିଛନ୍ତି । ଗତ ନିର୍ବାଚନ ମାନଙ୍କଠାରୁ ଏହି ନିର୍ବାଚନରେ ଅଧିକରୁ ଅଧିକ ଏହିଭଳି ଘଟଣା ଆମ ନଜରକୁ ଗଣମାଧ୍ୟମ ଆଣିଛି । ମାଓବାଦୀ ମାନଙ୍କର ଡାକରାରେ ନିର୍ବାଚନ ବର୍ଜନକୁ ଯଦି ଭୟରେ କରାଯାଇଛି ବୋଲି କୁହାଯାଏ, ତା’ହେଲେ ସ୍ୱତଃପ୍ରବୃତ୍ତ ଭାବେ ସାମୂହିକ ଭୋଟବର୍ଜନ ଅଧିକରୁ ଅଧିକ ଦୃଶ୍ୟମାନ ହେବ । ଭୋଟସର୍ବସ୍ୱ ଗଣତନ୍ତ୍ରର ଭବିଷ୍ୟତ ସମ୍ପର୍କରେ କ’ଣ ସୂଚନା ଦେଉଛି? କେତେକ ସ୍ଥାନରେ ସଚେତନ ବ୍ୟକ୍ତି – ଯାହାଙ୍କୁ ବୁଦ୍ଧିଜୀବୀ ବୋଲି ସହଜରେ କୁହାଯାଏ ସେମାନେ ଭୋଟକେନ୍ଦ୍ରକୁ ଯାଇ କାହାରିକୁ ଭୋଟ ଦେଉନାହାନ୍ତି ବୋଲି ଲିଖିତଭାବରେ ଜଣାଇଛନ୍ତି । ତେବେ ପାଖାପାଖି ଏହିଭଳି ଏକ ଉଦ୍ୟମ ୯୦ଦଶକରେ ମିଟ ଦି ଷ୍ଟୁଡେଣ୍ଟସ୍ (Meet The Students) ଆନୁକୂଲ୍ୟରେ ହୋଇଥିବାର ଆମେ ସ୍ମରଣ କରିପାରୁ ।
ଭାରତରେ ନିର୍ବାଚନ ଯେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପରେ ଆଶ୍ରିତ ହେଲାଣି, ତାହା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଦ୍ୱାରା ଭୋଟର୍ ମୋବାଇଲକୁ ସେମାନଙ୍କ ସପକ୍ଷରେ ଭୋଟ ଦେବାପାଇଁ ପଠାଇଥିବା ଅନୁରୋଧରୁ ସ୍ପଷ୍ଟ ହେଉଛି । ମତଦାନ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ନେଇ ଅନେକ ସନେ୍ଦହ ବିଭିନ୍ନମହଲରେ ପ୍ରକାଶ ପାଇଛି ଯାହା ବୈଷୟିକ ଅନୁସନ୍ଧାନସାପେକ୍ଷ । କିନ୍ତୁ ଏହା ବହୁସ୍ଥାନରେ ଅଚଳ ହେବା ଫଳରେ ଏହା ବିରୁଦ୍ଧରେ ପ୍ରତିକ୍ରିୟା ଅଧିକ ସଶବ୍ଦ ହୋଇଛି ।
ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥ ବିତରଣ କେତେ ପରିମାଣର ହୋଇଛି, ତାହା ତ କହିବା ଅସମ୍ଭବ । କିନ୍ତୁ ଶାସକଦଳର ବିରୋଧୀ ରାଜନୈତିକ ଦଳମାନେ ଶାସକଦଳ ବିରୁଦ୍ଧରେ ଅର୍ଥବଳ ଓ କ୍ଷମତାର ଅପପ୍ରୟୋଗ ଭଳି ନାନା ଅଭିଯୋଗ ଆଣିଛନ୍ତି ଯାହା ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । ଅନେକେ ଯେଉଁମାନେ ଶାସକଦଳର ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପର୍କରେ ବାରମ୍ବାର ଶୁଣିଆସୁଛନ୍ତି ସେମାନେ ଏହି ଦଳ କିପରି ଏତେ ସ୍ୱଚ୍ଛଳ ହୋଇପାରେ ତାହା ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି?
ଆଉ ଏକ ଦୃଶ୍ୟ ଏହି ପ୍ରଦର୍ଶନୀରେ ଦେଖାଦେଇଛି- ତାହା ହେଉଛି ନିର୍ବାଚନ ମୁଖ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଶାସକଦଳର କର୍ମୀମାନଙ୍କର ବିକ୍ଷୋଭ । ସାଧାରଣତଃ ଏହିଭଳି ସଂସ୍ଥା ଓ ତା’ର ଅଧିକାରୀମାନେ ଶାସକଦଳର ନିଦେ୍ର୍ଧଶରେ କାର୍ଯ୍ୟ କରେ ବୋଲି ଯେଉଁମାନେ ଏଯାବତ୍ ବିଶ୍ୱାସ କରି ଆସୁଥିଲେ – ଏହି ଦୃଶ୍ୟ ସେମାନଙ୍କ ଧାରଣାକୁ ଯେ ବଦଳାଇବ, ଏଥିରେ ସନେ୍ଦହ ନାହିଁ ।