ଅସାଧୁ ମେଣ୍ଟରେ ୧୧ବର୍ଷ

  • 04/09/2015

ଏସ୍.ୟୁ.ସି.ଆଇ ଭଳି ଏକ ପ୍ରମାଣିତ ସାମ୍ୟବାଦୀ ଦଳରେ ଯୌବନ ବିତାଇ ପରବର୍ତ୍ତୀକାଳରେ ବିଜେପି ସହ ମେଣ୍ଟ କରିଥିବା ବିଜେଡ଼ି ଦଳରେ ଯୋଗଦେଇ ବିଜେଡ଼ି ସାଂସଦଭାବେ ପାଞ୍ଚବର୍ଷ ପୂର୍ଣ୍ଣ କରିଥିବା ଯାଜପୁର ସାଂସଦ ମୋହନ ଜେନା ଏକ ସାଧାରଣ ନିର୍ବାଚନୀ ସଭାରେ ସ୍ୱୀକାରକରିବା (ଦ୍ରଷ୍ଟବ୍ୟ-ଧରିତ୍ରୀ, ୯/୪/୨୦୦୯) ଯେ ‘ଆଦର୍ଶଗତ ଦୃଷ୍ଟିରୁ ବିଜେଡ଼ି-ବିଜେପି ମେଣ୍ଟ ଏକ ଅବୈଧ ମେଣ୍ଟଥିଲା’- ନିଶ୍ଚିତଭାବରେ ତାଙ୍କର ବିସ୍ମୃତ ପ୍ରାୟ ଆଦର୍ଶଗତ ପୃଷ୍ଠଭୂମିକୁ ହିଁ ସ୍ମରଣ କରାଇ ଦେଇଛି । କିନ୍ତୁ ୧୧ବର୍ଷ ଧରି ଏକ ମେଣ୍ଟରେ ରହିବା ଓ ମେଣ୍ଟଯୋଗୁଁ କ୍ଷମତା ବି ଉପଭୋଗ କରିବା ପରେ ଏହି ମେଣ୍ଟକୁ ଅବୈଧ କହିବା ଅର୍ଥ-ଏକ ଅବୈଧ ପରିବେଶରେ ଯେ ବିଜେଡ଼ି ନେତୃତ୍ୱ ଲିପ୍ତ ଥିଲା – ତାହା ସ୍ୱୀକାର କରିବା । ଅବୈଧ କାର୍ୟ୍ୟରେ ଲିପ୍ତରହିଲେ-ତାହା ପ୍ରଘଟ ହୋଇଗଲେ ସାଧାରଣତଃ ଏହା ଆଇନର ଦୃଷ୍ଟି ଆକର୍ଷଣ କରିଥାଏ ଓ ଲିପ୍ତଥିବା ବ୍ୟକ୍ତିଙ୍କର ଏହାଦ୍ୱାରା ପ୍ରତିଷ୍ଠା କ୍ଷୁଣ୍ଣ ହୋଇଥାଏ । କିନ୍ତୁ ରାଜନୀତିରେ ଯେ ଏହା ଘଟେନାହିଁ-ତାହାର ସୂଚନା ମିଳୁଛି ମୁଖ୍ୟଧାରାର ସାମ୍ୟବାଦୀ ଦଳ (ସି.ପି.ଆଇ ଓ ସି.ପି.ଏମ୍.)ର ବିଜେଡ଼ିସହ ନିର୍ବାଚନୀ ବୁଝାମଣା ପାଇଁ ବ୍ୟାକୁଳତାରୁ । ଅବଶ୍ୟ ରାଜନୀତିରେ ଯେପରି ଆଜିରଶତ୍ରୁ ଆସନ୍ତାକାଲି ମିତ୍ର ହୋଇପାରେ ବା ଆଜିରମିତ୍ର ଆସନ୍ତାକାଲି ଶତ୍ରୁ ହୋଇପାରେ, ସେହିଭଳି ରାଜନୀତିରେ ଆଜିର ବୈଧ ମେଣ୍ଟକୁ ଆସନ୍ତାକାଲି ଅବୈଧ ବୋଲି କୁହାଯାଇପାରେ, ଆଜିର ଅବୈଧ ମେଣ୍ଟକୁ ଆସନ୍ତାକାଲି ବୈଧ ବୋଲି କୁହାଯାଇପାରେ । କହିବା ବାହୁଲ୍ୟ ଯେ ରାଜନୀତିରେ ଶତ୍ରୁ-ମିତ୍ର, ବୈଧ-ଅବୈଧ ଭଳି ଶବ୍ଦଯୁଗ୍ମର ବ୍ୟବହାର ପରିସ୍ଥିତି ବିଶେଷରେ ସୁବିଧା ଦେଖି ହିଁ ହୋଇଥାଏ । ଏହା ଭିନ୍ନକଥା ଯେ ଏହା ସାଧାରଣ ଲୋକଙ୍କୁ ବେଶ୍ ଆମୋଦିତ କରିଥାଏ ।

Print Friendly, PDF & Email