ବିପ୍ଳବରୁ ଘୂର୍ଣ୍ଣନ

  • 04/09/2015

ତତ୍ତ୍ୱ କହେ କମୁ୍ୟନିଷ୍ଟମାନେ ବିପ୍ଳବୀ । ସେମାନେ ଚାହାନ୍ତି ସମାଜ ବ୍ୟବସ୍ଥାର ପରିବର୍ତ୍ତନ । ଜନସଙ୍ଗଠନ କରି ପ୍ରଚଣ୍ଡ ଆଘାତ ଦେଇ ସ୍ଥିତାବସ୍ଥାକୁ ଭାଙ୍ଗି ଦିଆଯାଇପାରେ ବୋଲି ତାଙ୍କ ତତ୍ତ୍ୱ କହେ । ଏହାକୁ ଆମେ ବିପ୍ଳବ କହୁ । ବିପ୍ଳବର ଇଂରାଜୀ ପ୍ରତିଶବ୍ଦ ହେଉଛି ରିଭୋଲୁ୍ୟସନ (Revolution) । କିନ୍ତୁ ରିଭୋଲୁ୍ୟସନର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ ହେଉଛି ଘୂର୍ଣ୍ଣନ ।
ବର୍ତ୍ତମାନର ନିର୍ବାଚନୀ ସମୀକରଣରେ ଭାରତୀୟ କମୁ୍ୟନିଷ୍ଟପାର୍ଟି ଓ ଭାରତୀୟ କମୁ୍ୟନିଷ୍ଟପାର୍ଟି (ମାର୍କ୍ସବାଦୀ)ର ନେତୃତ୍ୱର ଆଚରଣ ଦେଖି ଅନେକେ କ୍ଷୁବ୍ଧ ଯେ ଏମାନେ ବିପ୍ଳବ ବା ରିଭୋଲୁ୍ୟସନର ପଥକୁ ଛାଡ଼ିଦେଲେଣି । ଏହା ହୁଏତ ଠିକ୍ । ରିଭୋଲୁ୍ୟସନରେ ବିପ୍ଳବ ଅର୍ଥକୁ ସେମାନେ ହୁଏତ ଛାଡ଼ିଦେଲେଣି ଏବଂ ତାହା ଅନେକ ଦିନରୁ । କିନ୍ତୁ ସେମାନେ ରିଭୋଲୁ୍ୟସନର ଘୂର୍ଣ୍ଣନ ଅର୍ଥକୁ ଛାଡ଼ିନାହାନ୍ତି – ତାହା ତାଙ୍କର ଆଚରଣରୁ ସ୍ପଷ୍ଟ ହୋଇଯାଉଛି । ଦୀର୍ଘ ଚାରିବର୍ଷ ଧରି କଂଗ୍ରେସର ଚାରିପଟେ ଘୂର୍ଣ୍ଣନ କରି କେନ୍ଦ୍ରରେ ଉପା ସରକାରଙ୍କର କ୍ଷମତାର ଉଷ୍ମତାକୁ ଉପଭୋଗ କଲାପରେ-ଏବେ ରାଜ୍ୟସ୍ତରରେ ନବୀନଙ୍କର ବିଜେଡ଼ି ସରକାର ଚାରିପଟେ ଘୂର୍ଣ୍ଣନ ଆରମ୍ଭ କରି ଦେଇଛନ୍ତି । ତୃତୀୟସାମ୍ମୁଖ୍ୟ କରିବା ଆଳରେ ବି.ଏସ୍.ପି. ନେତ୍ରୀ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାୱତୀଙ୍କ ଚାରିପଟେ ଘୂର୍ଣ୍ଣନ କରିବାକୁ ହାତଛଡ଼ା କରୁନାହାନ୍ତି । ଲାଲୁ-ମୁଲାୟମ ଓ ପାଶୱାନଙ୍କ ନେତୃତ୍ୱରେ ସଦ୍ୟ ଗଢ଼ି ଉଠୁଥିବା ମେଣ୍ଟ ଚାରିପଟେ ଘୂର୍ଣ୍ଣନ କରିବାକୁ ତୟାର ବୋଲି ସୂଚନା ଦେଇଛନ୍ତି । କହିବା ବାହୁଲ୍ୟ ଯେ ରିଭୋଲୁ୍ୟସନର ବିପ୍ଳବ ଅର୍ଥଠାରୁ ବହୁଦୂରକୁ ଚାଲିଆସିଥିବା ଏହି ଦୁଇଟି କମୁ୍ୟନିଷ୍ଟ ଦଳ ରିଭୋଲୁ୍ୟସନର ଘୂର୍ଣ୍ଣନ ଅର୍ଥ ପ୍ରତି ଯେ ନିରବଚ୍ଛିନ୍ନ ଭାବେ ନ୍ୟାୟ କରିଚାଲିଛନ୍ତି – ଏଥିରେ ସନେ୍ଦହ ନାହିଁ । ଭୟ କେବଳ ଏତିକି ଯେ ଏହି ଘୂର୍ଣ୍ଣନ ପ୍ରକ୍ରିୟା ଫଳରେ ସେମାନେ କ୍ରମଶଃ ଶକ୍ତି ହରାଇ ଭାରତୀୟ ରାଜନୈତିକ ଚିତ୍ରପଟରୁ ନିଶ୍ଚିହ୍ନ ହୋଇଯିବେ ନାହିଁ ତ? ଅବଶ୍ୟ ଯେଉଁ ନେତୃତ୍ୱକୁ ଆମେ ଘୂର୍ଣ୍ଣନ କରୁଥିବାର ଟି.ଭି.ପରଦା ଉପରେ ଦେଖୁଛୁ ସେମାନଙ୍କର କାହାରି ନିର୍ବାଚନ ମଣ୍ଡଳୀ ନାହିଁ ଓ ଏହିଦୃଷ୍ଟିରୁ ସେମାନେ ବେଶ୍ ମୁକ୍ତ-ଘୂର୍ଣ୍ଣନ ପାଇଁ ତାଙ୍କପାଖରେ ଅପେକ୍ଷାକୃତ ରହିଛି ଅଧିକ ସମୟ ।

Print Friendly, PDF & Email