ଓଡ଼ିଶା ରାଜନୀତିରେ କମ୍ପାନୀ ପ୍ରଭାବ

  • 04/09/2015

୧୬-୩୦ ଏପ୍ରିଲ, ୨୦୦୯

ନିର୍ବାଚନର ବିଗୁଲ ବାଜିବା ପରେ ପରେ ଓଡ଼ିଶାର ରାଜନୀତି ଏତେ ଗୋଳମାଳିଆ ଧରିଯାଇଛି ଯେ ଫଳାଫଳ କାହା ସପକ୍ଷରେ ଯିବ-ତାହା ଅନୁମାନ କରିବା ଏକ କଷ୍ଟକର ବ୍ୟାପାର ହୋଇଛି । ତେବେ ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟଭାବେ ଜଣାପଡ଼ୁଛି ଯେ ଓଡ଼ିଶା ରାଜନୀତିରେ କମ୍ପାନୀମାନେ ଖୁବ୍ ପ୍ରଭାବଶାଳୀ ହୋଇଛନ୍ତି । ତା’ନହେଲେ ଉମାବଲ୍ଲଭ ରଥ, ବ୍ରଜକିଶୋର ତ୍ରିପାଠୀ, ସୁରେନ୍ଦ୍ର ନାଥ ନାୟକ ଓ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଏବର୍ଷ ନିର୍ବାଚନରେ ନିଜର ମୂଳଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ହୋଇନଥାନ୍ତେ । ଉମାବଲ୍ଲଭ ରଥଙ୍କୁ ତାଙ୍କର ମୂଳ ଦଳ କଂଗ୍ରେସ ପ୍ରାର୍ଥୀ କଲାନାହିଁ । ବ୍ରଜ ତ୍ରିପାଠୀଙ୍କୁ ତାଙ୍କର ମୂଳଦଳ ବିଜୁ ଜନତାଦଳ ପ୍ରାର୍ଥୀ କଲାନାହିଁ । ସୁରେନ୍ଦ୍ର ନାୟକ ବିଜୁ ଜନତାଦଳ ତରଫରୁ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲାପରେ ଦଳ ତରଫରୁ ତାଙ୍କପ୍ରତି ସମର୍ଥନ ପ୍ରତ୍ୟାହାର କରି ନିଆଗଲା । ରାଜା ଓରଫ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ବିଜୁ ଜନତାଦଳ ତରଫରୁ ଦାଖଲ ପ୍ରାର୍ଥୀପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ନାକଚ ହୋଇଗଲା ଯେ ହାଇକୋର୍ଟ, ନିର୍ବାଚନ କମିଶନ କେହି ଏଥିରେ ହସ୍ତକ୍ଷେପ କରିବାକୁ ରାଜି ହେଲେନାହିଁ ।
ଯେଉଁମାନେ ଏହି ଚାରିଜଣଙ୍କର ବିସ୍ତୃତ ଲୋକଭିତ୍ତ ଓ ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପର୍କରେ ଅବଗତ, ସେମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଏମାନେ କାହିଁକି ନିଜର ମୂଳଦଳ ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ହେଲେ – କାରଣ ଯାହା ଦିଆଯାଉ ନା କାହିଁକି । ତେବେ ଏ ଚାରିଜଣଙ୍କର ଆଚରଣରେ ଗୋଟିଏ ସମାନତା – ଯେକୌଣସି ସଚେତନ ବ୍ୟକ୍ତି ଦେଖିପାରିବ-ତାହା ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳିତ କମ୍ପାନୀ ପ୍ରାୟୋଜିତ ଶିଳ୍ପନୀତି ଓ କୃଷିନୀତି ପ୍ରତି ଆନ୍ତରିକତାର ଅଭାବ । ଉମା ବଲ୍ଲଭଙ୍କର ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ବେସାଲିସ ବିରୋଧ ତ’ ସର୍ବବିଦିତ । ବ୍ରଜତ୍ରିପାଠୀ ଉଭୟ ବେଦାନ୍ତ ଓ ପୋସ୍କୋର ଜଣେ ଜଣାଶୁଣା ବିରୋଧୀ । ସୁରେନ୍ଦ୍ର ନାୟକ ଓ ରାଜା ସ୍ୱାଇଁ ଓଡ଼ିଶାରେ କୃଷିର କମ୍ପାନୀକରଣ ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ ସବୁବେଳେ ହୋଇଛନ୍ତି କୁଣ୍ଠିତ ।
ତେଣୁ କମ୍ପାନୀମାନଙ୍କୁ ବିରୋଧ ବା କମ୍ପାନୀ ପ୍ରାୟୋଜିତ ଶିଳ୍ପ ବା କୃଷିନୀତି ପ୍ରତି ଅନୁରକ୍ତିର ଅଭାବକୁ ଯଦି ଆମେ କାରଣ ବୋଲି ଗ୍ରହଣକରୁ, ତା’ହେଲେ ଉପରୋକ୍ତ ଚାରିଜଣ ସେମାନଙ୍କ ମୂଳଦଳ ତରଫରୁ ପ୍ରାର୍ଥୀତ୍ୱରୁ ବଞ୍ଚôତ ହେବା ସଂଯୋଗମାତ୍ର ନୁହେଁ ବୋଲି ବୁଝିପାରିବା । ବିଶେଷତଃ ଯେତେବେଳେ ଏହି କମ୍ପାନୀମାନଙ୍କୁ ସମର୍ଥନ କରୁଥିବା ଓ ଏମାନଙ୍କ ଦ୍ୱାରା ପ୍ରାୟୋଜିତ ଓ ସରକାରଙ୍କ ଦ୍ୱାରା ପ୍ରଚଳିତ ଶିଳ୍ପନୀତି ଓ କୃଷିନୀତି ପ୍ରତି ଅନୁରକ୍ତ ରହିଥିବା ବିଧାୟକମାନେ ମନ୍ତ୍ରୀତ୍ୱରୁ ଅବା ବାଚସ୍ପତି ପଦରୁ ବିତାଡ଼ିତ ହେଲାପରେ ମଧ୍ୟ ଦଳର ପ୍ରାର୍ଥୀତ୍ୱକୁ କାଏମ ରଖିପାରିଛନ୍ତି ।
କହିବା ବାହୁଲ୍ୟ ଯେ ଓଡ଼ିଶାର ରାଜନୀତିକୁ କମ୍ପାନୀମାନେ ନିର୍ଣ୍ଣାୟକ ଢଙ୍ଗରେ ପ୍ରଭାବିତ କରିବା ଆରମ୍ଭ କଲେଣି । ଓଡ଼ିଶାର ବିକାଶ ପାଇଁ ଡାକରା ଦେଉଥିବା ରାଜନୈତିକ ଦଳମାନେ ବା ରାଜନୈତିକ ବ୍ୟକ୍ତିମାନେ ଯଦି ବିକାଶର ଅର୍ଥ ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦ,ସମୁଦ୍ରକୂଳକୁ ଏହି କମ୍ପାନୀମାନଙ୍କ ହାତକୁ ଟେକିଦେବା ବୋଲି ଗ୍ରହଣ ନକରନ୍ତି-ତା’ହେଲେ ସେମାନେ ନିଶ୍ଚିହ୍ନ ହୋଇଯିବେ – ଏହାହିଁ ଉକ୍ତ ଚାରିଜଣ ପ୍ରାର୍ଥୀଙ୍କର ଭାଗ୍ୟରୁ ସମ୍ବାଦ ମିଳୁଛି । ଏଠାରେ ସ୍ମରଣ କରାଯାଇପାରେ ଯେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅନୀଲ ଅଗ୍ରୱାଲ ତାଙ୍କର ଜଣେ ଅଧସ୍ତନ କର୍ମଚାରୀଙ୍କୁ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ କରିଦେବେ ବୋଲି ଧମକ ଦେଇ ବିଲାତ ଦେଶର ଏକ କୋର୍ଟ ଦ୍ୱାରା ଅର୍ଥଦଣ୍ଡ ପାଇଥିଲେ । ସେହି ମନୋଭାବ ନେଇ ସେମାନେ ଓଡ଼ିଶା ମାଟିରେ ଯେ ସେମାନଙ୍କର କାର୍ଯ୍ୟକଳାପ ଆରମ୍ଭ ନ କରିଛନ୍ତି -ତାହା କିଏ କହିବ? କିନ୍ତୁ ଏହି ମନୋଭାବ ଜୀବନ-ଜୀବିକା ପାଇଁ ସଂଗ୍ରାମରତ ଓଡ଼ିଶାର ଜନସାଧାରଣଙ୍କୁ ଦବାଇପାରିବ ନାହିଁ । କାରଣ ବିଜେଡ଼ି-ସିପିଆଇ ମଧ୍ୟରେ ନିର୍ବାଚନୀ ବୁଝାମଣା ଦ୍ୱାରା ସିପିଆଇ ନେତୃତ୍ୱର ବିଧାୟକ-ସାଂସଦ ହେବାର ବ୍ୟାକୁଳତାକୁ ଚରିତାର୍ଥ ହେବାର ସୁଯୋଗ ଯୋଗାଇ ଦିଆଯାଇଥିଲେ ହେଁ ସିପିଆଇ ଦଳର କର୍ମୀମାନେ ପୋସ୍କୋ ପ୍ରକଳ୍ପ ବିରୋଧରେ ଯେ ନଛୋଡ଼ବନ୍ଧା ଆନେ୍ଦାଳନରେ କାଏମ ରଖିଛନ୍ତି । ଓଡ଼ିଶାର ରାଜନୀତିରେ କମ୍ପାନୀର ପ୍ରଭାବ ରାଜନୈତିକ ଦଳର ନେତୃତ୍ୱ ଓ ଜନସାଧାରଣ ମଧ୍ୟରେ ଦୂରତା ବୃଦ୍ଧିକରିବ ନିଶ୍ଚୟ । ଯଦି କମ୍ପାନୀ ପ୍ରଭାବରୁ ବଞ୍ଚôତ ରାଜନୈତିକ ବ୍ୟକ୍ତିମାନେ ବିଧାୟକ-ସାଂସଦ ହେବାର ବ୍ୟାକୁଳତାକୁ ଛାଡ଼ି କମ୍ପାନୀବିରୋଧୀ ଜନସାଧାରଣଙ୍କ ବିରୋଧକୁ ତୀବ୍ର କରାଇବାରେ ସାହାଯ୍ୟ କରନ୍ତେ ତା’ହେଲେ ଓଡ଼ିଶାର ବିକାଶ ପ୍ରକୃତପକ୍ଷେ ଲୋକାଭିମୁଖୀ ବିକାଶ ହେବ – କମ୍ପାନୀ ସ୍ୱାର୍ଥରେ ବିକାଶର ଧାରା ପ୍ରତିହତ ହେବ ।
ଉମା, ବ୍ରଜ ତ ସେମାନଙ୍କର ମୂଳ ଦଳମାନଙ୍କରୁ ଇସ୍ତଫା ଦେଇଛନ୍ତି । ସୁରେନ୍ଦ୍ର, ରଣେନ୍ଦ୍ର କେତେଦିନ ଯାଏଁ ବିଜେଡ଼ିର ‘ଶୃଙ୍ଖଳିତ’ ସଦସ୍ୟ ହୋଇ ରହୁଛନ୍ତି, ତାହାହିଁ ଦେଖିବାକୁ ବାକି ରହିଲା ।

Print Friendly, PDF & Email