ଦଳ ବଦଳର ଦୃଶ୍ୟଦେଖି ଅନେକେ ମର୍ମାହତ । ରାଜନୀତିରେ ଆଦର୍ଶ ବୋଲି ଆଉ କିଛି ରହିଲା ନାହିଁ ବୋଲି ସେମାନଙ୍କର କ୍ଷୋଭ । ଧର୍ମନିରପେକ୍ଷ ଦଳରୁ ଧର୍ମଭିତ୍ତକ ଦଳକୁ, ଧର୍ମଭିତ୍ତକ ଦଳରୁ ଧର୍ମନିରପେକ୍ଷ ଦଳକୁ, ବାମପନ୍ଥୀ ଦଳରୁ ଦକ୍ଷିଣପନ୍ଥୀ ଦଳକୁ, ଦକ୍ଷିଣପନ୍ଥୀ ଦଳରୁ ବାମପନ୍ଥୀ ଦଳକୁ ଲମ୍ଫ ପ୍ରଦାନ ନିର୍ବାଚନ ଋତୁରେ ଏକ ସାଧାରଣ ଦୃଶ୍ୟ ହୋଇଛି । ତେବେ ଆଦର୍ଶ ରହିଲା ନାହିଁ ବୋଲି କ୍ଷୋଭ ଯେଉଁମାନଙ୍କ ମନରେ ଆସୁଛି, ସେମାନେ ଯଦି ପ୍ରତ୍ୟେକ ରାଜନୈତିକ ଦଳକୁ ଗୋଟିଏ ଗୋଟିଏ କମ୍ପାନୀ ଓ ସାଂସଦ ବିଧାୟକଙ୍କୁ ଠିକା କର୍ମଚାରୀ ଭାବେ ବିବେଚନା କରନ୍ତି, ତାହାହେଲେ ଏଭଳି କ୍ଷୋଭରୁ ସେମାନେ ମୁକ୍ତି ପାଇଯିବେ । ଏହିଭଳି ବିବେଚନା କରିବା ବର୍ତ୍ତମାନର ଜଗତୀକରଣ, ଘରୋଇକରଣ ଓ ଉଦାରୀକରଣ ଅର୍ଥନୀତିର ବାତାବରଣରେ ଆଦୌ ଅସଙ୍ଗତ ନୁହେଁ । ଗୋଟିଏ କମ୍ପାନୀରୁ ଛଟେଇ ହେଉଥିବା କର୍ମଚାରୀ ଯେପରି ଆଉ ଏକ କମ୍ପାନୀର ଦ୍ୱାରସ୍ଥ ହେଉଛି ଚାକିରୀ ପାଇଁ- ସେହିଭଳି ଗୋଟିଏ ଦଳରେ ଟିକଟ ନ ପାଇଥିବା ବ୍ୟକ୍ତି ଟିକଟ ପାଇଁ ଆଉ ଏକ ଦଳର ଦ୍ୱାରସ୍ଥ ହେଉଛି । କହିବା ବାହୁଲ୍ୟ ଯେ ରାଜନୈତିକ ଦଳଗୁଡ଼ିକର କମ୍ପାନୀକରଣ ହୋଇଛି ମୁକ୍ତ ଅର୍ଥନୀତିର ବାତାବରଣରେ । କମ୍ପାନୀଗୁଡ଼ିକ ଯେପରି ଆଦର୍ଶ ଉଦାସୀନ – ରାଜନୈତିକ ଦଳଗୁଡ଼ିକ ସେହିପରି ଆଦର୍ଶ ଉଦାସୀନ ହୋଇଗଲେଣି । ଦଳର ସାଇନ୍ବୋର୍ଡରେ ଯାହା ଲେଖାଅଛି- ତାହା ନାମବାଚକ ବିଶେଷ୍ୟମାତ୍ର ହୋଇଗଲାଣି – ଅହର୍ନିଶ ମିଥ୍ୟା କହୁଥିବା ବ୍ୟକ୍ତିର ନାମ ସତ୍ୟବାଦୀ ହେଲାପରି ।
ଯାହାଘଟୁଛି ଆମ ଚାରିପଟେ ତାହା ଆମ ମନରେ କ୍ଷୋଭ ସୃଷ୍ଟି କରୁଥିଲେ ହେଁ- ସେ କ୍ଷୋଭକୁ ହାଲୁକା କରିବାପାଇଁ ଆମକୁ କିଛି ଯୁକ୍ତିର ସନ୍ଧାନ କାରିବାକୁ ପଡ଼ିବ । ଉପରୋକ୍ତ ଯୁକ୍ତିକୁ କେହି କେହି ଏହି ଦୃଷ୍ଟିରୁ ବିଚାର କରିପାରନ୍ତି ।