ଜୀବନ ଜୀବିକା ପାଇଁ ଚାଲିଥିବା ଲଢ଼େଇରେ ନେତୃତ୍ୱ ଦେଉଥିବା ବ୍ୟକ୍ତିମାନେ ନିର୍ବାଚନ ଆସିଲ ବିଧାୟକ ହେବାର ଆକାଂକ୍ଷା ଦ୍ୱାରା ଆକ୍ରାନ୍ତ ହେବାରେ କୌଣସି ଅସ୍ୱାଭାବିକତା ନାହିଁ । କିନ୍ତୁ ଯେତେବେଳେ ବିଧାୟକ ହେବାର ବ୍ୟାକୁଳତାରେ ଏହି ନେତା ଜୀବନ ଜୀବିକାକୁ ବିପନ୍ନ କରୁଥିବା ଶକ୍ତିମାନଙ୍କ ସହ ହାତ ମିଳାଇବାକୁ ବସେ, ସେତେବେଳେ ସ୍ୱାଭାବିକ ଯେ ଆନେ୍ଦାଳନ କରୁଥିବା ଜନସାଧାରଣ ପ୍ରତାରଣାର ବେଦନା ଅନୁଭବ କରେ । ସେମାନେ ମଧ୍ୟ ଏହି ବେଦନା ଅନୁଭବ କରନ୍ତି, ଯେଉଁମାନେ ଏହି ନେତୃତ୍ୱକୁ ଅକୁଣ୍ଠିତ ସମର୍ଥନ ଯୋଗାଇ ଆସିଛନ୍ତି । ଆନେ୍ଦାଳନ ପ୍ରତିପକ୍ଷ ଶକ୍ତିମାନେ କିନ୍ତୁ ଉଲ୍ଲସିତ ହୁଅନ୍ତି-କାରଣ ସେମାନେ ନେତୃତ୍ୱର ବିଶ୍ୱାସନୀୟତାକୁ ସାଧାରଣ ଲୋକର ସନେ୍ଦହ ଘେରକୁ ଆଣିବାରେ ଯେ ସଫଳ ହୋଇଗଲେ । ନିର୍ବାଚନ ଆସିଗଲେ ନେତୃତ୍ୱର ପ୍ରକୃତସ୍ୱରୂପ ଧରାପଡ଼ିଥାଏ । ଲୋକଙ୍କ ସହ ଅଛି କି ଲୋକ ସମର୍ଥନକୁ କ୍ଷମତା ସହ ମୂଲଚାଲ ପାଇଁ ବ୍ୟବହାର କରୁଛି, ତାହା ଧରାପଡ଼ିଯାଏ । ଏହା ଅବଶ୍ୟ ବିରଳ ନୁହେଁ ଯେ ଆନେ୍ଦାଳନ କୋଳରୁ ଜନ୍ମନେଇଥିବା ନେତୃତ୍ୱ ତା’ର ପୃଷ୍ଠଭୂମିକୁ ପାଶୋରିଯାଇ ବିଧାୟକଭାବେ ଏକ ସନେ୍ଦହଜନକ ଭୂମିକାରେ ଅବତୀର୍ଣ୍ଣ ହୁଏ । କିନ୍ତୁ ଏହା ମଧ୍ୟ ବିରଳ ନୁହେଁ ଯେ ସୁବିଧାବାଦୀ ନେତୃତ୍ୱକୁ ଆନେ୍ଦାଳନ ମଧ୍ୟ ଖୁବ ଶୀଘ୍ର ପାଶୋରିଯାଏ ଓ ତାର ସ୍ଥାନ ନିଏ ଆଉ ଏକ ନୂତନ ନେତୃତ୍ୱ-ହୋଇପାରେ ବିଧାୟକ ଖୋଳ ମୋହରେ ପଡ଼ିବା ପର୍ଯ୍ୟନ୍ତ । ଏହା ଏକ ସୁଖକର ଅଭିଜ୍ଞତା ଯେ କୌଣସି ଆନେ୍ଦାଳନ କୌଣସି ସମୟରେ ନେତୃତ୍ୱଶୂନ୍ୟ ହୋଇଯାଇ ନାହିଁ । ଆନେ୍ଦାଳନରୁ ନେତୃତ୍ୱକୁ ଦୂରେଇ ରଖିଲେ ମଧ୍ୟ ଆନେ୍ଦାଳନ ଚାଲିଛି-ବେଳେବେଳେ ଅଧିକ ଶକ୍ତିଶାଳୀ ହୋଇଛି । ଲୋକଶକ୍ତିର ପରିପ୍ରକାଶରେ କଦାପି ଭଟ୍ଟା ପଡ଼ିନାହିଁ । ଏହା ପ୍ରତିପକ୍ଷକୁ ବିବ୍ରତ କରୁଥିବ ନିଶ୍ଚୟ, କିିନ୍ତୁ ଏହା ହିଁ ବାସ୍ତବିକତା । ବିଧାୟକର ଖୋଳ ପକାଇ ଆନେ୍ଦାଳନରୁ ଦୂରେଇ ଯିବାର ଦୃଶ୍ୟ ନୈରାଶ୍ୟ ସୃଷ୍ଟି ନକରୁ, ଏହାହିଁ ଶୁଦ୍ରକର କାମନା ।