୧-୧୫ ଏପ୍ରିଲ, ୨୦୦୯
ବିଜୟ ମହାପାତ୍ର ଏକ ନିଆରା ରାଜନୈତିକ ବ୍ୟକ୍ତିତ୍ୱ ଭାବେ ଓଡ଼ିଶା ରାଜନୀତିରେ ପରିଚିତି ପାଇଲେଣି । ତାଙ୍କୁ ଛାଡ଼ିଦେଇ ଆଉ ଦ୍ୱିତୀୟ ଉଦାହରଣ ସାମ୍ପ୍ରତିକ ରାଜନୀତିରେ ଆମେ ପାଉନା ଯିଏ କି ବାରମ୍ବାର ‘ବିଶ୍ୱାସଘାତକତା’ର ଶିକାର ହୋଇଛନ୍ତି ।
ବିଜୁବାବୁଙ୍କ ପରେ ବିଜୁଜନତା ଦଳ (ବିଜେଡ଼ି) ନାଁରେ ଏକ ଆଞ୍ଚଳିକ ଦଳ ଗଠନକରିବା ଓ ଏହାର ମୁଖ୍ୟଭାବେ ଦିଲ୍ଳୀର ବେପରୁଆ ଯୁବ ସମ୍ପ୍ରଦାୟ ଭିତରୁ ବିଜୁପୁତ୍ର ନବୀନଙ୍କୁ ଉଦ୍ଧାର କରି ଏହି ନବଗଠିତ ଦଳର ମୁଖ୍ୟଭାବେ ଅବସ୍ଥାପିତ କରିବା ଓ ପରେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ଗଠବନ୍ଧନ କରି କ୍ଷମତାର ମଧୁ ବିଜୁ ଜନତା ଦଳକୁ ଚଖାଇବାରେ ତାଙ୍କର ନିର୍ଣ୍ଣାୟକ ଭୂମିକାକୁ ଯେକୌଣସି ନିରପେକ୍ଷ ରାଜନୈତିକ ପର୍ଯ୍ୟବେକ୍ଷକ ସ୍ୱୀକାର କରିବ । କିନ୍ତୁ ଯେତେବେଳେ ରାଜ୍ୟରେ କ୍ଷମତାଦଖଲର ବେଳ ଆସିଲା, ସେତେବେଳେ ବିଜୁ ଜନତା ଦଳରୁ ବେଦଖଲ ହେଲେ ବିଜୟ ମହାପାତ୍ର । ଏହିଠାରୁ ହିଁ ଆରମ୍ଭ ହେଲା ନବୀନଙ୍କର ନିରଙ୍କୁଶିକରଣ । ଏହି ନିଷ୍ପତ୍ତ ନବୀନଙ୍କର ନିଜସ୍ୱ ଥିଲା କି ବିଜୁ ଅନୁଗତ ବିଜୟଙ୍କର ଉଚ୍ଚକାଂକ୍ଷା ସହ ପରିଚିତ ବିଜୁବାବୁଙ୍କର ଏକଦା ସଚିବ ପ୍ୟାରୀମୋହନଙ୍କର ଥିଲା- ତାହା ଅନୁସନ୍ଧାନ-ସାପେକ୍ଷ । କିନ୍ତୁ ବିଜୁବାବୁଙ୍କର ଏକାନ୍ତ ବିଶ୍ୱସ୍ତ ବିଜୟ ତାଙ୍କ ଦ୍ୱାରା ସଂସ୍ଥାପିତ ବିଜୁପୁତ୍ର ନବୀନଙ୍କ ଦ୍ୱାରା ଏପରି ଅପଦସ୍ଥ ହେବେ- ତାହା ସମସ୍ତଙ୍କୁ ସେ ସମୟରେ ହତଚକିତ କରିଦେଇଥିଲା । ସେତେବେଳେ ଏହାକୁ କେତେଜଣ ନବୀନଙ୍କର ମାଷ୍ଟରଷ୍ଟ୍ରୋକ ବୋଲି କହିଲେ- ସତେଯେପରି ବ୍ୟବହାରିକ ରାଜନୀତିରେ ବିଶ୍ୱାସଘାତକତା ଏକ ବର୍ଜନୀୟ ଶବ୍ଦ ନୁହେଁ ।
କିନ୍ତୁ ବିଡ଼ମ୍ବନା ଯେ ଯେଉଁମାନଙ୍କୁ ନେତୃତ୍ୱ ଦେଇ ବିଜୟ ବିଜୁ ଜନତା ଦଳ ଗଢ଼ିଥିଲେ – ସେମାନେ କେହି ବିଜୟଙ୍କ ସପକ୍ଷରେ ବାହାରିଲେ ନାହିଁ । ବୋଧହୁଏ, ଯଦି ବିଜୟଙ୍କ ପ୍ରତି ଏତାଦୃଶ ବ୍ୟବହାରର ପ୍ରତିବାଦ ବିଜୁ ଜନତା ଦଳ ଭିତରେ ତାଙ୍କର ସହନେତାମାନଙ୍କଠାରୁ ଶୁଭିଥାନ୍ତା, ତାହେଲେ ପରବର୍ତ୍ତୀକାଳରେ ନବୀନବାବୁ ଯେପରି ତାଙ୍କଦଳର ଓ ତାଙ୍କ ସହଯୋଗୀ ଦଳର ନେତାମାନଙ୍କୁ ଗୋଟିଏ ପରେ ଗୋଟିଏ ଅପଦସ୍ଥ କରିଚାଲିଲେ, ତହା ହୁଏତ ଘଟିନଥାନ୍ତା କି ନବୀନବାବୁ ଜଣେ ‘ସିରିଆଲ୍ କିଲର’ର ମାନ୍ୟତା (ବିଜୟ ମହାପାତ୍ରଙ୍କ ଭାଷାରେ) ପାଇନଥାନ୍ତେ । ଏପରିକି ଅପଦସ୍ଥ ହେଲା ପରେ ମଧ୍ୟ ଏହି ନେତାମାନେ ବିଜୟଙ୍କ ଆଡ଼କୁ ମୁହାଁଇଲେ ନାହିଁ । ବିଜୟ ସଂସ୍ଥାପିତ ଓଡ଼ିଶା ଗଣ ପରିଷଦ ଏମାନଙ୍କୁ ଆକୃଷ୍ଟ କଲା ନାହିଁ । ଅପଦସ୍ଥ ହୋଇ ମଧ୍ୟ ସେମାନେ ବିଜୁ ଜନତା ଦଳରେ ପଡ଼ିରହିଲେ ବା ସମୃଦ୍ଧ ଓଡ଼ିଶା ଭଳି ଏକ ନୂତନ ରାଜନୈତିକ ଦଳ ଆଡ଼େ ମୁହାଁଇଲେ । ଏହା ବିଜୟବାବୁଙ୍କର ସହନେତାମାନଙ୍କ ମଧ୍ୟରେ ତାଙ୍କ ନେତୃତ୍ୱର ଗ୍ରହଣୀୟତାର ଦ୍ରୌବଲ୍ୟ ପ୍ରତି ହିଁ ଇଙ୍ଗିତ କରୁଛି । ବୋଧହୁଏ, ଏହା ହିଁ କାରଣ ଯେ ଓଡ଼ିଶା ଗଣ ପରିଷଦକୁ ରାଷ୍ଟ୍ରୀୟ ଦଳର ଭ୍ରମ ସୃଷ୍ଟି କରୁଥିବା ଶରଦ ପାୱାରଙ୍କ ନେତୃତ୍ୱରେ ପରିଚାଳିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍.ସି.ପି) ସହ ବିଲୟ କରାଇ ଦେବାର ନିଷ୍ପତ୍ତ ସେ ନେଲେ ଓ ଏହି ପାର୍ଟିର ରାଜ୍ୟ ଶାଖାର ସଭାପତି ହେଲେ । ଏହି ରାଜ୍ୟ ଶାଖା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣେ ଦଳର ସଭାପତି ଅଶୋକ ଦାସ ଉପେକ୍ଷିତ ହୋଇଗଲେ । ସେତେବେଳେ କେହି କେହି ଘରେ ପଶୁ ପଶୁ ଚାଳ ବାଜିଲାଣି ବୋଲି କହିଥିଲେ ।
ବିଜୟ ମହାପାତ୍ର ବୋଧହୁଏ ସ୍ୱପ୍ନରେ ଭାବିନଥିଲେ ଯେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଅନ୍ଧାରରେ ରଖି ତାଙ୍କର ପରମଶତ୍ରୁ ନବୀନଙ୍କ ବିଜୁ ଜନତା ଦଳ ସହ ବୁଝାମଣା କରିଦେବ । କୁହାଯାଉଛି ଶରଦ ପାୱାରଙ୍କର ପ୍ରଧାନମନ୍ତ୍ରୀ ହେବାର ଦୁର୍ବଳତା ଏହି ବୁଝାମଣା ପଛରେ ଥିଲା । ସ୍ୱାଭାବିକ ଯେ ବିଜୟ ମହାପାତ୍ର ସଭାପତି ପଦରୁ ଓ ପରିଶେଷରେ ଏହି ଦଳରୁ ଇସ୍ତଫା ଦେଲେ ।
ପୁଣି ସେହି କଥା ହିଁ ହେଲା । ଯେଉଁମାନେ ତାଙ୍କ ସହ ଏନ୍.ସି.ପିର ରାଜ୍ୟ ଶାଖା ଗଠନ କରିଥିଲେ- ସେମାନେ କେହି ତାଙ୍କ ପଥ ଅନୁସରଣ କଲେନାହିଁ । ( ଅନାଦି ସାହୁଙ୍କ ବ୍ୟତୀତ) ବରଂ ନବୀନଙ୍କ ଦ୍ୱାରା ଅପଦସ୍ଥ ହୋଇଥିବା ଏକଦା ବିଜେପିର ଉପସଭାପତି ଓ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ ଏନ୍.ସି.ପିର ନୂତନ ସଭାପତି ହୋଇଗଲେ ଓ ନବୀନବାବୁ ଯାହା ଦେବେ, ତାକୁ ହିଁ ସେ ଆଦରି ନେବେ ବୋଲି ଘୋଷଣାକଲେ । ବିଜୟ ମହାପାତ୍ର ପୁଣି ଏକୁଟିଆ ହୋଇଗଲେ । ବିଜେଡ଼ି, କଂଗ୍ରେସ ଓ ବିଜେପିଠାରୁ ଦୂରତା ରକ୍ଷା କରି ଏକ ନୂତନ ଦଳ ଗଢ଼ିବା ଓ ତାକୁ ନେତୃତ୍ୱ ଦେବାରେ ବିଫଳ ବିଜୟ ବୁଝୁଥିବେ ଯେ କ୍ଷମତା ନଥିଲେ , ନେତୃତ୍ୱ କିପରି ତାର ଆକର୍ଷଣ ହରାଏ । ତାଙ୍କର ନେତା ବିଜୁ ପଟ୍ଟନାୟକଙ୍କୁ ତ ତିରିଶ ବର୍ଷ ଲାଗିଲା କ୍ଷମତାକୁ ଫେରିବା ପାଇଁ ।
ବିଜୟଙ୍କର ଏହି ଉପଲବ୍ଧି, ତା’ସହିତ ନବୀନଙ୍କୁ ବେସାଲିସ ବିରୋଧ ଓ ନବୀନଙ୍କୁ କ୍ଷମତାରୁ ବେଦଖଲ କରିବା ପାଇଁ ତାଙ୍କର ଏକସୂତ୍ରୀୟ ସଂକଳ୍ପ ସ୍ୱାଭାବିକ ତାଙ୍କୁ ନବୀନ ବିଶ୍ୱାସଘାତକତାର ନୂତନ ଶିକାର ବିଜେପି ଆଡ଼କୁ ଟାଣିନେଇଛି । ବିଜେପିରେ ବିଲୀନ ହୋଇଯିବାରେ ସେ ବୋଧେ ଦେଖୁଛନ୍ତି ତାଙ୍କ ସଙ୍କଳ୍ପର ଆଶୁ ସଫଳତା ।
କିନ୍ତୁ ଶୁଦ୍ରକର ଆଶଙ୍କା ଯେ ଯଦି ବିଜୁ ଜନତା ଦଳର ସମର୍ଥନ ପାଇଲେ ଆଡ଼୍ୱାନୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟିହୁଏ ଓ ଆଡ଼୍ୱାନୀ ଏଥିପାଇଁ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଏକ ବୁଝାମଣା ଆଣିବାରେ ସଫଳ ହୋଇଯାଆନ୍ତି, ତାହେଲେ ବିଜୟଙ୍କୁ ପୁଣି ବିଜେପିର ହାତ ଛାଡ଼ିବାକୁ ପଡ଼ିବ ।
ବିଜୟ ପୁଣିଥରେ ପ୍ରତାରିତ ନହୁଅନ୍ତୁ-ଏହା ଆମ ଆଶା କରିବା । କିନ୍ତୁ ଯେଉଁମାନେ କହୁଛନ୍ତି ଓଡ଼ିଶା ଗଣପରିଷଦକୁ ବଞ୍ଚାଇ ରଖିଥିଲେ- ବିଜୟ ବାରମ୍ବାର ପ୍ରତାରିତ ହେବାର ଦୁର୍ଭାଗ୍ୟରୁ ରକ୍ଷା ପାଇଯାଇଥାନ୍ତେ, ସେମାନେ ବୋଧହୁଏ କିଛି ଭୁଲ କହୁନାହାନ୍ତି ।