୧୬-୩୦ ମାର୍ଚ୍ଚ, ୨୦୦୯
ଦଶବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଲା । ୭ତାରିଖ ୨୦୦୯ ମଧ୍ୟରାତ୍ରିରେ ଓଡ଼ିଶାର ବିଜେପି ବିଧାୟକ ଓ ସାଂସଦମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲେ ଓ ନବୀନ ମନ୍ତ୍ରିମଣ୍ଡଳରୁ ସେମାନେ ସମର୍ଥନ ପ୍ରତ୍ୟାହାର କରୁଛନ୍ତି ବୋଲି ଘୋଷଣା କଲେ ଓ ଦାବିକଲେ ରାଷ୍ଟ୍ରପତି ଶାସନ । ୧୯୯୭ ମସିହା ଡିସେମ୍ବର ମାସରେ ବିଜେଡ଼ି ଦଳର ପ୍ରତିଷ୍ଠା ପରେ ସେମାନେ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍.ଡି.ଏ. ସରକାରର ଅଂଶବିଶେଷ ହୋଇଯିବା ଓ ଗୋଟିଏପରେ ଗୋଟିଏ ନିର୍ବାଚନରେ ବିଜେପି ସହ ମିଳିତହୋଇ ନିର୍ବାଚନ ଲଢ଼ିବା ତଥା ସରକାର ଗଢ଼ିବାର ପୃଷ୍ଠଭୂମିରେ ବର୍ତ୍ତମାନର ବିଛେଦ ନିଶ୍ଚିତ ଭାବରେ ଏକ ଅପ୍ରତ୍ୟାଶିତ ଘଟଣା । କିନ୍ତୁ ଯାହା ଏହାଠାରୁ ମଧ୍ୟ ଅଧିକ ଅପ୍ରତ୍ୟାଶିତ ମନେହୁଏ, ତାହା ହେଉଛି ଗତ ଦଶନ୍ଧି ଧରି ନବୀନ ସରକାରଙ୍କର ଜନବିରୋଧୀ ନୀତିକୁ କଠୋର ସମାଲୋଚନା କରି ଆସୁଥିବା ରାଜନୈତିକ ଦଳର ବିଧାୟକମାନଙ୍କର ନବୀନ ସରକାରଙ୍କୁ ଅଯାଚିତ ସମର୍ଥନ । (ଧରିତ୍ରୀ, ୯/୩/୨୦୦୯), ନବୀନ ସରକାରଙ୍କର ନୀତି ଦ୍ୱାରା ପ୍ରଭାବିତ ସାଧାରଣ ଲୋକେ ଯେଉଁଠି ଏହି ରାଜନୈତିକ ଦଳଗୁଡ଼ିକର ଭରସାରେ ସେମାନଙ୍କର ସଂଘର୍ଷ ଜାରି ରଖିଛନ୍ତି, ସେମାନେ ଏହାଦ୍ୱାରା ନିଶ୍ଚିତ ହତଚକିତ ହୋଇପଡ଼ିଥିବେ ଓ ବୁଝୁଥିବେ ଯେ ‘ବାମପନ୍ଥୀ’କୁ ଏକ ବିଶେଷଣ ଭାବେ ବ୍ୟବହାର କରି ରାଜନୈତିକ ଦଳ – ପ୍ରକୃତ ଅର୍ଥରେ ବାମପନ୍ଥୀ ହୋଇଯାଏ ନା । ଅବଶ୍ୟ ବାମପନ୍ଥୀ ଏସ୍.ୟୁ.ସି.ଆଇ ଦଳ ଏକ ବ୍ୟତିକ୍ରମ । ନବୀନ ସରକାରକୁ ସମର୍ଥନ ଜଣାଇବା ଦଉଡ଼ରେ ଏହି ଦଳ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । (ଇଟିଭି ସମ୍ବାଦ – ୯/୩/୨୦୦୯) । ବିଜେପିଠାରୁ ବିଜେଡ଼ି ଦୂରେଇ ଯାଇଥିବାରୁ ନବୀନ ସରକାରଙ୍କୁ ସେମାନେ ସମର୍ଥନ କରୁଛନ୍ତି ବୋଲି ଯେଉଁ ରାଜନୈତିକ ଦଳମାନେ ଯୁକ୍ତି ବାଢ଼ୁଛନ୍ତି – ସେମାନେ ଜନସାଧାରଣଙ୍କର ବୁଝିବାଶକ୍ତିକୁ ଲଘୁଦୃଷ୍ଟିରେ ଦେଖୁଛନ୍ତି ବୋଲି ମନେହେଉଛି । କାରଣ ଜନସାଧାରଣ ବିଜେଡ଼ି ନେତୃତ୍ୱ ବାରମ୍ବାର କହୁଥିବାର ଶୁଣୁଛି ଯେ ବିଜେପି ଅଧିକ ଆସନ ପାଇଁ ଜିଦ୍ ଧରିବାରୁ ହିଁ ମେଣ୍ଟ ଭାଙ୍ଗିଲା । ଅର୍ଥାତ ଯଦି ବିଜେପି ବିଜେଡ଼ିର ପ୍ରସ୍ତାବିତ ଆସନ ସମୀକରଣ ସହ ରାଜି ହୋଇଥାନ୍ତା-ତା’ହେଲେ ସେମାନେ ସାଙ୍ଗରେ ଥାନ୍ତେ । ତେଣୁ ବିଜେପି ସଂସର୍ଗରୁ ମୁକ୍ତ ବିଜେଡ଼ିର ଚରିତ୍ର ଯେ ହଠାତ୍ ବଦଳିଗଲା ଏହିଭଳି ଧାରଣା ନେଇ ଯେଉଁ ରାଜନୈତିକ ଦଳମାନେ ନବୀନ ସରକାରଙ୍କୁ ସମର୍ଥନ ଜଣାଉଛନ୍ତି – ସେମାନେ କେବଳ ନିଜର ବିକଳଭାବ ଏକ ହାସ୍ୟାସ୍ପଦ ପ୍ରଦର୍ଶନ ହିଁ କରୁଛନ୍ତି ।
ନିକଟ ଅତୀତରେ ହୋଇଯାଇଥିବା କେତୋଟି ମୁ୍ୟନିସିପାଲିଟି ନିର୍ବାଚନରେ ବିଜେଡ଼ିର ସଫଳତା ଓ ବିଜେପିର ଦୁର୍ବଳ ପ୍ରଦର୍ଶନ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଧାରଣା ଓଡ଼ିଶାର ରାଜନୈତିକ ଜୀବମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଏହି ସଫଳତା ଗତ ପାଞ୍ଚବର୍ଷ ଭିତରେ ହୋଇଥିବା ବିଧାନସଭା ପାଇଁ ଉପନିର୍ବାଚନରେ ବିଜେଡ଼ି-ବିଜେପି ମେଣ୍ଟର ବିଫଳତାକୁ ଯେ ଢାଙ୍କି ପକାଇଛି-ଏହା ସ୍ପଷ୍ଟ ଜଣାପଡ଼ୁଛି । ଫଟ୍କା ବଜାରରେ (Stock Market))ରେ ମୂଲ୍ୟ ବଢ଼ୁଥିବା ଅଂଶ (Share) କିଣିବା ପାଇଁ ଯେପରି ନିବେଶକଙ୍କ ଭିତରେ ଦଉଡ଼ ହୁଏ-ଯାହାକୁ ମେଣ୍ଢା ମାନସିକତା (Herd psychology) ବୋଲି କୁହାଯାଏ – ସେହିପରି ଦଉଡ଼ ବିଜେଡ଼ି ସହ ଯୋଡ଼ି ହୋଇଯିବା ପାଇଁ ଓଡ଼ିଶାର ରାଜନୈତିକ ଜୀବମାନଙ୍କ ମଧ୍ୟରେ ଦେଖାଯାଉଛି । ତେଣୁ ଫଟକା ବଜାର ଉପରେ ବିଶ୍ୱାସକରି ହତାଶ ହୋଉଥିବା ନିବେଶକଙ୍କ ପରି ଏହି ରାଜନୈତିକ ଜୀବମାନେ ଅଧିକାଂଶ ହତାଶ ହୋଇଯିବେ ନାହିଁ ତ-ଏହିପରି ଆଶଙ୍କା ସ୍ୱାଭାବିକ ମନକୁ ଗ୍ରାସ କରୁଛି ।
ମେଣ୍ଟ ଭାଙ୍ଗିବାପରେ ବିଜେପିର ଅଭିଯୋଗ ଯେ ନବୀନ ପଟ୍ଟନାୟକ ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି । ଅପରପକ୍ଷରେ ନବୀନ ପଟ୍ଟନାୟକ ସରକାରର ଶିଳ୍ପନୀତି ଦ୍ୱାରା ପ୍ରଭାବିତ ଜୀବନ ଜୀବିକାର ସୁରକ୍ଷା ପାଇଁ ଆନେ୍ଦାଳନ କରୁଥିବା ଜନସାଧାରଣଙ୍କର ଅଭିଯୋଗ ଯେ ନବୀନ ସରକାରଙ୍କୁ ସମର୍ଥନ କରି-ସେମାନଙ୍କୁ ସମର୍ଥନ କରୁଥିବା ରାଜନୈତିକ ଦଳ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ସୁବିଧାବାଦୀ, କ୍ଷମତା ରାଜନୀତିରେ ବିଶ୍ୱାସଘାତକତା ଯେ ଗୋଟିଏ ରଣନୀତି, ତାହା ବୁଝିଲେ ଏହିପରି ଅଭିଯୋଗ ଅର୍ଥହୀନ ହିଁ ମନେହେବ । ତେବେ ନବୀନବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି ରଣନୀତିର ବାରମ୍ବାର ସଫଳ ପ୍ରୟୋଗ ଦ୍ୱାରା ଏହାର ଗ୍ରହଣୀୟତା ବେଶ୍ ବୃଦ୍ଧିପାଇଛି । ତା’ନହେଲେ ଏହି ରଣନୀତିର ପ୍ରୟୋଗକୁ ଖୁବ୍ ନିକଟରୁ ଦେଖିଥିବା ରାଜନୈତିକ ଜୀବମାନେ ନବୀନ ସରକାରଙ୍କୁ ସମର୍ଥନ ଯୋଗାଇବା ପାଇଁ ପଲ ପଲ ହୋଇ ଆଗେଇ ଆସନ୍ତେ ନାହିଁ । ତେବେ ଏହି ବିଛେଦର ଏକ ସ୍ୱାଗତଯୋଗ୍ୟ ପରିଣତି ହେଉଛି ଯେ ଅନେକଙ୍କର ପ୍ରକୃତ ସ୍ୱରୂପ ଉନ୍ମୋଚିତ ହୋଇଛି-ତାହା ରାଜନୈତିକ ଦଳର ହେଉ ବା ବ୍ୟକ୍ତିବିଶେଷଙ୍କର ହେଉ । ସାଇନବୋର୍ଡ଼ରେ ବାମପନ୍ଥୀ ହେବା ଓ ପ୍ରକୃତ ବାମପନ୍ଥୀ ହେବା ଭିତରେ ଏକ ବିରାଟ ବ୍ୟବଧାନ ରହିଛି-ଏହା ଜାଣିବାର ଆଉ ଏକ ଅବସର ସୃଷ୍ଟି ହୋଇଛି ।