ଧନ୍ୟବାଦ ବି. ରାମଲିଙ୍ଗ ରାଜୁ

  • 04/09/2015

ପ୍ରସିଦ୍ଧ ଆଇ.ଟି. କମ୍ପାନୀ ସତ୍ୟମ୍ର ମାଲିକ ବି. ରାମଲିଙ୍ଗ ରାଜୁ ସମ୍ପ୍ରତି ସବୁଠାରୁ ବେଶୀ ଅପବାଦଗ୍ରସ୍ତ ବ୍ୟକ୍ତି । ସେ ଯାହା କହୁଥିଲେ ତାହାକୁ ଯଦି ସେ ନିଜେ ସ୍ୱୀକାର କରିନଥାନ୍ତେ- ତା’ହେଲେ ତାଙ୍କୁ କେହି ଧରିବାରେ ସମର୍ଥ ହୋଇଥାନ୍ତେ କି ନାହିଁ ତାହା ସନେ୍ଦହ । ସେ ଯେ ତାଙ୍କ ନିଜ ଅପକର୍ମର ନିଜେ ହିଁ ସାକ୍ଷୀ, ଏହା ସେ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି – ଏହାହିଁ ତାଙ୍କର ମହାନତା । ତେଣୁ ସେ ଧନ୍ୟବାଦର ପାତ୍ର । ଏହା ଅବଶ୍ୟ ସତ୍ୟ ଯେ ତାଙ୍କର ସ୍ୱୀକାରୋକ୍ତିରେ ବହୁ ଅସତ୍ୟ ରହିଛି । ଯାହା ରାଜୁଙ୍କର ସ୍ୱୀକାରୋକ୍ତି ପ୍ରକାଶିତ ହେବାପରେ ତଦନ୍ତ କରୁଥିବା ବିଭିନ୍ନ ସରକାରୀ ସଂସ୍ଥା ସୂଚିତ କରିଛନ୍ତି । ତେବେ ଏହି ସ୍ୱୀକାରୋକ୍ତି ଦ୍ୱାରା ବି.ରାମଲିଙ୍ଗ ରାଜୁ, ରାତାରାତି ବଡ଼ଲୋକ ହୋଇଯାଇଥିବା, ଖବରକାଗଜ ବା ଗଣମାଧ୍ୟମରେ ବହୁଳ ପ୍ରଚାରିତ ହେଉଥିବା, ବହୁ ପୁରସ୍କାର ହାସଲ କରୁଥିବା ବ୍ୟକ୍ତିମାନେ ଯେ ବାସ୍ତବରେ କେତେ ଶଠ ଓ ପ୍ରବଞ୍ଚକ, ତାହା ଆମକୁ ଜଣାଇ ଦେଇଛନ୍ତି । ଆମ ସମାଜପତିମାନଙ୍କର ନୈତିକ ଭିତ୍ତ ଯେ କେତେ ଦୁର୍ବଳ, ତାହାକୁ ସ୍ପଷ୍ଟ ଦେଖିବାର ଅବସରଟିଏ ସୃଷ୍ଟି କରିଛନ୍ତି । କହିବା ବାହୁଲ୍ୟ ଯେ ତାଙ୍କର ସ୍ୱୀକାରୋକ୍ତି ଆମର ଆଖି ଖୋଲିଦେଇଛି । ଏହି ସ୍ୱୀକାରୋକ୍ତି ଫଳରେ ଯେଉଁମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ବା ପଡ଼ିବାର ଆଶଙ୍କା ରହିଛି – ସେମାନେ ନିଶ୍ଚିତ ଭାବରେ ରାମଲିଙ୍ଗ ରାଜୁଙ୍କୁ ଶମ୍ପୁଥିବେ । ଯେଉଁମାନେ ଏହିଭଳି କାର୍ଯ୍ୟ ଭିତରେ ଭିତରେ କରିଚାଲିଛନ୍ତି, ରାମଲିଙ୍ଗ ରାଜୁଙ୍କ ଭଳି ସ୍ୱୀକାରୋକ୍ତି କରିନାହାନ୍ତି, ସେମାନେ ଆତଙ୍କ ମଣୁଥିବେ ଯେ କାଳେ ସେମାନେ ଅନୁସନ୍ଧାନର ପରିସର ଭିତରକୁ କେତେବେଳେ ଆସିଯିବେ । କିନ୍ତୁ ଭାରତର ଶାସକଶ୍ରେଣୀର ଗୋଟିଏ ଅନନ୍ୟ କୌଶଳ ହେଉଛି – ଘଟଣାକୁ କ୍ରମଶଃ ଲଘୁ କରିଦେବା ଓ ସବୁ ସ୍ୱୀକାରୋକ୍ତି ପରେ ମଧ୍ୟ ଆଇନର ପ୍ରୟୋଗକୁ ଏତେ ବିଳମ୍ବିତ କରିବା ଯେ ଯାହାଫଳରେ ସମସ୍ତେ ଏ ଘଟଣାକୁ ପାଶୋର ହୋଇଯିବେ । ପ୍ରାୟଃ ତିରିଶ ହଜାର କୋଟି ଟଙ୍କାର ନକଲି ଷ୍ଟାମ୍ପ ପେପର ବିକ୍ରି (ଯାହାକୁ mother of all Scams
କୁହାଯାଇଥିଲା) ସେ ସମ୍ପୃକ୍ତ ତେଲ୍ଗୀ ପ୍ରସଙ୍ଗକୁ କେତେଜଣ ଆଜି ମନେ ରଖିଛନ୍ତି? ତେଲ୍ଗୀର ନାର୍କୋଟେଷ୍ଟ ଫଳରେ ଯେଉଁମାନଙ୍କର ନାଁ ଆସିଲା ତାଙ୍କ ବିରୁଦ୍ଧରେ କ’ଣ ବା କାର୍ଯ୍ୟାନୁଷ୍ଠାନ ହେଲା? ଏହିଭଳି ଅଭିଜ୍ଞତାର ପୃଷ୍ଠଭୂମିରେ ରାମଲିଙ୍ଗ ରାଜୁଙ୍କର ଯେ କିଛି ହେବ ଏହା ଆଶା କରିବା ଯଦି ବୃଥା ବୋଲି ପ୍ରମାଣିତ ହୁଏ, ତା’ହେଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ । କିନ୍ତୁ କୌଣସି ଆନୁଷ୍ଠାନିକ ଚାପରେ ନଆସି ନିଜର ‘ବିବେକ’ର ତାଡ଼ନାରେ ରାମଲିଙ୍ଗ ରାଜୁ ଯେ ସ୍ୱୀକାରୋକ୍ତି କରିଛନ୍ତି – ଏହାକୁ ସାହସିକତାର ଏକ ବିରଳ ଉଦାହରଣ ବୋଲି ଗ୍ରହଣ କରାଯାଇପାରେ । ଏହିଭଳି ସାହସିକତା ପାଇଁ ସେ ଭାରତୀୟ କର୍ପୋରେଟ ସମାଜ ପାଇଁ ତଥା ସମାଜପତିଙ୍କ ପାଇଁ ଅସ୍ପୃଶ୍ୟ ହୋଇପାରନ୍ତି । କିନ୍ତୁ କର୍ପୋରେଟ ସମାଜ ଓ ସମାଜପତିଙ୍କର ଭିତ୍ତକୁ ଯେ ସେ ଦୋହଲାଇ ଦେଇଛନ୍ତି – ଏଥିରେ ସନେ୍ଦହ ନାହିଁ । ଏହିଭଳି ସାହସିକତା ଦେଖାଇ କର୍ପୋରେଟ ସମାଜର ଆଉ କେତେଜଣ ଯଦି ସ୍ୱୀକାରୋକ୍ତି କରନ୍ତେ, ତା’ହେଲେ କର୍ପୋରେଟ ଦ୍ୱାରା ସୃଷ୍ଟ ଦୂଷିତ ପରିବେଶର ବିଲୟ ଅବଶ୍ୟମ୍ଭାବୀ । ଯଦି ଏହା ହୁଏ ତା’ହେଲେ ଆଗାମୀ ପିଢ଼ି ପାଇଁ ମଧ୍ୟ ଧନ୍ୟବାଦାର୍ହ ହେବେ ବି. ରାମଲିଙ୍ଗ ରାଜୁ ।

Print Friendly, PDF & Email