ସତ୍ୟମ୍ରେ ଅସତ୍ୟର ରାଜୁତି

  • 04/09/2015

୧୬-୩୧ ଜାନୁଆରୀ, ୨୦୦୯

ସତ୍ୟମ୍ ଏକ ପ୍ରସିଦ୍ଧ ଆଇ.ଟି କମ୍ପାନୀର ନାଁ । ବୈଷୟିକ ଶିକ୍ଷାନୁଷ୍ଠାନରୁ ବାହାରୁଥିବା ହଜାର ହଜାର ଯୁବକ-ଯୁବତୀଙ୍କର ସ୍ୱପ୍ନ । ସେହି କମ୍ପାନୀର ମାଲିକ ବି.ରାମଲିଙ୍ଗ ରାଜୁ (୪୯କୋଟି ୫୦ଲକ୍ଷ ଡଲାର ସମ୍ପତ୍ତିର ମାଲିକ) ଆଜି ଜେଲ୍ରେ । ଅଭିଯୋଗ ପ୍ରାୟଃ ୮ହଜାର କୋଟିଟଙ୍କାର ଜାଲିଆତି । ବ୍ୟାଙ୍କ୍ରେ ଟଙ୍କା ନଥାଇ ସେ ତାଙ୍କ ହିସାବଖାତାରେ ଦେଖାଇ ଚାଲିଥିଲେ ଟଙ୍କା ଅଛି ବୋଲି-ଏହା ଗତ ସାତବର୍ଷ ଧରି ଚାଲିଥିଲା ବୋଲି ସତ୍ୟମ୍ର ମୁଖ୍ୟ ବିତ୍ତ ଅଫିସର (ଉଷସରଲ ୠସଦ୍ଭବଦ୍ଭମସବକ୍ଷ ଙଲଲସମରକ୍ସ)ଭି. ଶ୍ରୀନିବାସ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି (ଦ୍ରଷ୍ଟବ୍ୟ-ଧରିତ୍ରୀ, ଜାନୁଆରୀ, ୧୩/୧/୨୦୦୯) ଏବଂ ଏହି ଜାଲିଆତି ବି.ରାମଲିଙ୍ଗ ରାଜୁ ଓ ତାଙ୍କ ଭାଇଙ୍କର ପ୍ରତ୍ୟକ୍ଷ ନିଦେ୍ର୍ଧଶରେ ହିଁ ଚାଲିଥିଲା-ଯାହାକୁ ରାମଲିଙ୍ଗ ରାଜୁ ସ୍ୱୀକାର କରିଛନ୍ତି । ଯେତେବେଳେ ରାମଲିଙ୍ଗ ରାଜୁ ଏହିଭଳି ଜାଲିଆତି କରିଚାଲିଛନ୍ତି-ସେତେବେଳେ ଗଣମାଧ୍ୟମ ତାଙ୍କୁ ଏକ ସଫଳ ଉଦ୍ୟୋଗୀପୁରୁଷ ଭାବେ ଚିତ୍ରଣ କରିଚାଲିଛି । ୧୯୯୯ରେ ପାଇଛନ୍ତି Ernst and Young Entrepreneur of the Year Services Award,୨୦୦୦ମସିହାରେ ପାଇଛନ୍ତି Data-quest IT Man ofthe Year Award, 2002ମସିହାରେ ପାଇଛନ୍ତି Asia Business Leader Award,2007 ମସିହାରେ ପାଇଛନ୍ତି Ernst and Young Entrepreneur of the Year Award ।(ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବେଦାନ୍ତ କମ୍ପାନୀର ଅନୀଲ ଅଗ୍ରୱାଲ ୨୦୦୮ ମସିହାରେEarnst and Young Entrepreneur of the Year Award
ପାଇଛନ୍ତି ଓ ଆମ ରାଜ୍ୟର ଖବରକାଗଜରେ ଓଡ଼ିଶାବାସୀଙ୍କ ତରଫରୁ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି) । କେବଳ ସେତିକିନୁହେଁ, ଆନ୍ଧ୍ରପ୍ରଦେଶ ସରକାର, କ୍ଷମତାସୀନ ରାଜନୈତିକ ଦଳ ତାଙ୍କୁ ରାଜ୍ୟକୁ ଆସୁଥିବା ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାମ୍ନାରେ ରାଜ୍ୟର ଗୌରବଭାବେ ପେଶ୍ କରିଛନ୍ତି । ଏହି ପ୍ରଭାବଶାଳୀ ଲୋକମାନଙ୍କ ସହ ସେ ମଞ୍ଚାସୀନ ହୋଇଛନ୍ତି । ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି-ତାଙ୍କୁ ନିଜ ରାଜ୍ୟରେ ଜମି ଯୋଗାଇବା ପାଇଁ ଯେଉଁଠି ସେ ତାଙ୍କର ପ୍ରତିଷ୍ଠାନର ଶାଖା ସ୍ଥାପନା କରିପାରିବେ । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ତାଙ୍କୁ ଭୁବନେଶ୍ୱରର ମୈତ୍ରୀବିହାରରେ ଏକ ଜାଗାଟିଏ ଯୋଗାଇ ଦିଆଯାଇଛି-ଯେଉଁଠାରେ ସେ ଏକ ସୁଦୃଶ୍ୟ ଅଫିସ୍ ସ୍ଥାପନା କରିଛନ୍ତି । କହିବା ବାହୁଲ୍ୟ ଯେ ବି.ରାମଲିଙ୍ଗ ରାଜୁଙ୍କର ସାନ୍ନିଧ୍ୟ ପାଇଁ ବ୍ୟାକୁଳତା ବହୁ ବଡ଼ ବଡ଼ ମହଲରେ ଦେଖାଯାଇଛି । ଅତି ଚତୁରତାର ସହ ବି.ରାମଲିଙ୍ଗ ରାଜୁ ବିଭିନ୍ନ ପ୍ରକାରର ପୁରସ୍କାର ହାତେଇ,ଗଣମାଧ୍ୟମରେ ନିଜର ପ୍ରଚାର କରାଇ ତଥା ପ୍ରଭାବୀ ଲୋକଙ୍କୁ ତୁଷ୍ଟ କରାଇ ଏହିଭଳି ଏକ ଅବସ୍ଥା ସୃଷ୍ଟି କରିପାରିଥିଲେ । ଏହିଭଳି କୌଶଳ ଆମ ରାଜ୍ୟରେ ମଧ୍ୟ ଚାଲିଛି । ସମ୍ବାଦପତ୍ରକୁ କୋଟି କୋଟି ଟଙ୍କାର ବିଜ୍ଞାପନ ଦେବାର ପ୍ରତିଶ୍ରୁତି ଦେଇ ନିଜର ଓ ନିଜ ପ୍ରତିଷ୍ଠାନର ପ୍ରଚାର କରୁଛନ୍ତି-ବିଭିନ୍ନ ସଙ୍ଗଠନ ଜରିଆରେ ନିଜକୁ ପୁରସ୍କୃତ କରାଉଛନ୍ତି – କ୍ଷମତାସୀନଙ୍କୁ ତୁଷ୍ଟକରାଇ ଏକ ମଞ୍ଚରେ ବସି ପାରୁଛନ୍ତି । ବି.ରାମଲିଙ୍ଗ ରାଜୁଙ୍କର ଉଦାହରଣ ପରେ-ଏହି କୌଶଳ ପ୍ରତି ସମସ୍ତେ ସଚେତନ ହେବା ଉଚିତ । ଏବେ ତ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି-ବି.ରାମଲିଙ୍ଗ ରାଜୁଙ୍କ ସହ କେଉଁ କ୍ଷମତାସୀନ ବ୍ୟକ୍ତି ବା କେଉଁ ଅନୁଷ୍ଠାନଗୁଡ଼ିକ ସମ୍ପୃକ୍ତ ଥିଲେ ଓ ସେ ଏହି ସମ୍ପର୍କ ଫଳରେ କିପରି ଲାଭବାନ ହୋଇଥିଲେ । ବି.ରାମଲିଙ୍ଗ ରାଜୁଙ୍କୁ ଏହିମାନଙ୍କର ସମ୍ପୃକ୍ତି ଯେ ବେପରୁଆ କରିଦେଇଥିଲା, ଏଥିରେ ସନେ୍ଦହ ନାହିଁ ।
ସବୁ ପ୍ରତିଷ୍ଠାନକୁ କମ୍ପୁ୍ୟଟରୀକରଣ କରାଇବାର ଏକ ପ୍ରକ୍ରିୟା ଆରମ୍ଭ ହୋଇଛି-ଏହି ଯୁକ୍ତି ଦିଆଯାଇ ଯେ ଏହାଦ୍ୱାରା ପରିଚାଳନାଗତ ସ୍ୱଚ୍ଛତା (Transparency) ବୃଦ୍ଧିପାଇବ । ଏହି କମ୍ପୁ୍ୟଟରୀକରଣର ଦାୟିତ୍ୱ ସତ୍ୟମ୍ ଭଳି ବଡ଼ବଡ଼ ଆଇ.ଟି କମ୍ପାନୀମାନଙ୍କୁ ହିଁ ଦିଆଯାଇଛି ଓ ଦିଆଯାଉଛି । ତେଣୁ ପରିଚାଳନାରେ ସ୍ୱଚ୍ଛତା ଆଣିବାପାଇଁ ଦାୟିତ୍ୱ ନେଉଥିବା ଏହି କମ୍ପାନୀମାନଙ୍କର ପରିଚାଳନା ଯେ ସମ୍ପୂର୍ଣ୍ଣ ଅସ୍ୱଚ୍ଛ ହୋଇପାରେ, ତା’ର ଉଦାହରଣ ହୋଇଛି ସତ୍ୟମ୍ । ଏହା ହିଁ ବିଡ଼ମ୍ବନା ।
ସତ୍ୟମ୍ର ଏହି ଜାଲିଆତି ପ୍ରଘଟ ହେବା ପୂର୍ବରୁ ବିଶ୍ୱବ୍ୟାଙ୍କ୍ ସତ୍ୟମ୍କୁ ଆସନ୍ତା ଆଠବର୍ଷ ଯାଏଁ କୌଣସି କାର୍ଯ୍ୟ ଦେବନାହିଁ ବୋଲି ନିଷେଧାଜ୍ଞା ଜାରି କରିଥିଲା । ଅଭିଯୋଗ ଥିଲା ଯେ ସତ୍ୟମ୍ ବିଶ୍ୱବ୍ୟାଙ୍କର ଅଧିକାରୀଙ୍କୁ ଅନ୍ୟାୟ ଲାଭ ଯୋଗାଇଛି (Providing improper benefits to bank staff) । ପ୍ରାୟଃ ଏହି ଅଭିଯୋଗରେ ସତ୍ୟମ୍ଠାରୁ ବଡ଼ ଆଇ.ଟି ପ୍ରତିଷ୍ଠାନ ୱିପ୍ରୋ (WIPRO)କୁ (ଦ୍ରଷ୍ଟବ୍ୟ-The Statesman, 13th January 2009) ବିଶ୍ୱବ୍ୟାଙ୍କ୍ ଆଗାମୀ ୪ବର୍ଷ ପାଇଁ (୨୦୧୧ଯାଏ) କୌଣସି କାର୍ଯ୍ୟ ଦେବନାହିଁ ବୋଲି ନିଷେଧାଜ୍ଞା ଜାରି କରିଛି । ଏହାପରେ ଇନ୍ଫୋସିସ ଓ ଟି.ସି.ଏସ୍. (TCS)ର ପାଳି ପଡ଼ୁଛି କି ନାହିଁ ଦେଖିବାକୁ ରହିଲା । ଏଥିରୁ ଜଣାପଡ଼ୁଛି ଯେ କାମପାଇବା ପାଇଁ ଏହି ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର ମହକିଲ (client)ମାନଙ୍କର ନିଷ୍ପତ୍ତକୁ ପ୍ରଭାବିତ କରିବା ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି । ଏହି ପୃଷ୍ଠଭୂମିରେ ଏହି କମ୍ପାନୀମାନଙ୍କ ଦ୍ୱାରା ଆମର ଓ ଅନ୍ୟାନ୍ୟ ରାଜ୍ୟର ରାଜନୈତିକ ନେତୃତ୍ୱ ତଥା ଅଫିସର୍ମାନେ କେତେ ଅନୁଗୃହୀତ ହୋଇଛନ୍ତି-ତା’ର ଏକ ଅନୁସନ୍ଧାନ ହେବାଉଚିତ । ଆଇ.ଟି ପାର୍କ, ଇନ୍ଫୋସିଟି ଇତ୍ୟାଦି ପାଇଁ ଏହିଭଳି କମ୍ପାନୀମାନଙ୍କ ହାତକୁ ଜମି କେଉଁଭଳି ଟେକି ଦିଆଯାଉଛି-ତା’ର ମଧ୍ୟ ଅନୁସନ୍ଧାନ ହେବା ଉଚିତ ।
ସତ୍ୟମ୍ ଜାଲିଆତି ପ୍ରଘଟ ହେବାପରେ କେହି କେହି ଏହାକୁ ଏକ ବିଚ୍ଛିନ୍ନ ଘଟଣା (isolated instance) ବୋଲି କହି ଘଟଣାଟିକୁ ଆଇ.ଟି ଶିଳ୍ପ ବ୍ୟବସ୍ଥାର ଦୃଢ଼ଭିତ୍ତକୁ ଅସ୍ୱୀକାର ନକରିବା ପାଇଁ ବୋଧହୁଏ ପ୍ରବର୍ତ୍ତାଉଥିଲେ । କିନ୍ତୁ ବର୍ତ୍ତମାନ ୱିପ୍ରୋ (WIPRO)ର ତ୍ରୁଟି ପ୍ରଘଟ ହେବାପରେ – ଆଇ.ଟି. ଶିଳ୍ପବ୍ୟବସ୍ଥାର ଭିତ୍ତଉପରେ ସନେ୍ଦହ ସୃଷ୍ଟିହେବା ସ୍ୱାଭାବିକ । ମିଥ୍ୟା,ପ୍ରବଞ୍ଚନା,ଶଠତାର ଭିତ୍ତ ଉପରେ ଏହି ଶିଳ୍ପ ଠିଆ ହୋଇଛି କି? ଏହି ପ୍ରଶ୍ନ ମନରେ ଆସିବା ସ୍ୱାଭାବିକ । ତେବେ ମନରେ ଯେଉଁ ଆତଙ୍କ ସୃଷ୍ଟି ହେଉଛି, ତାହା ଏହି ସଂସ୍ଥାମାନଙ୍କରେ ଚାକିରି କରୁଥିବା ଲକ୍ଷାଧିକ ନିରୀହ କର୍ମଚାରୀଙ୍କର ଭବିଷ୍ୟତକୁ ନେଇ ।
ବାସ୍ତବିକ ଏହି ଶିଳ୍ପର ପରିଚାଳନାର ପୁନଃମୂଲ୍ୟାୟନ ଖୁବ୍ ଜରୁରୀ ବୋଲି ମନେହେଉଛି । କିନ୍ତୁ ସରକାର ବର୍ତ୍ତମାନ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଯଦି ସରକାରୀ ଅର୍ଥରେ ଘରୋଇକରଣକୁ ସୁରକ୍ଷାଦେବା ଦିଗରେ ହେଉଥାଏ-ତା’ହେଲେ ଏହା ସମସ୍ୟାର ଏକ ପ୍ରକୃତ ସମାଧାନ ହେବ ବୋଲି ମନେହୁଏ ନାହିଁ । ବରଂ ଏହିଭଳି ଅବସ୍ଥା ବାରମ୍ବାର ଉପୁଜିବ, ଏହା ହିଁ ଆଶଙ୍କା ହେଉଛି ।

Print Friendly, PDF & Email