କୋଟିପତି ଜନ ପ୍ରତିନିଧି ଓ କୃଷକର ଭବିଷ୍ୟତ

  • 04/09/2015

୧-୧୫ ଜାନୁଆରୀ, ୨୦୦୯

କୃଷିପ୍ରଧାନ ଭାରତବର୍ଷରେ ପ୍ରତିଦିନ ୪୬କୃଷକ ଆତ୍ମହତ୍ୟା କରୁଛନ୍ତି ବୋଲି ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ଼ ବୁ୍ୟରୋ (NCRB) ରିପୋର୍ଟରେ କୁହାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ କୃଷକ ଆତ୍ମହତ୍ୟା କରିଛନ୍ତି ୨୦୦୭ମସିହାରେ । ଏହା କ୍ରିକେଟ ବୋର୍ଡ଼ର ଅଧ୍ୟକ୍ଷ ପଦବୀକୁ ସୁରକ୍ଷିତ ରଖିବାପାଇଁ ବ୍ୟାକୁଳ ଆମଦେଶର କୃଷିମନ୍ତ୍ରୀ ମହାରାଷ୍ଟ୍ରନିବାସୀ ଶରଦ୍ ପାୱାରଙ୍କୁ ଲଜ୍ଜିତ କରୁଛି କି ନାହିଁ ଶୁଦ୍ରକ ଜାଣେନାହିଁ । କିନ୍ତୁ ଆମର ରାଜନୈତିକ ନେତୃବର୍ଗ ଯେଉଁମାତ୍ରାରେ ନିର୍ଲଜ୍ଜତାକୁ ନିଜର ଭୂଷଣ ଭାବେ ଗ୍ରହଣ କରିନେଲେଣି -ତା’ର ପୃଷ୍ଠଭୂମିରେ ଶରଦ୍ ପାୱାର ଯଦି ଏହି ପରିସଂଖ୍ୟାନ ଦ୍ୱାରା ଲଜ୍ଜିତ ନ ହୁଅନ୍ତି, ତା’ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
କୃଷକ ଆତ୍ମହତ୍ୟା ପରିସଂଖ୍ୟାନରେ ମହାରାଷ୍ଟ୍ର ପଛକୁ କର୍ଣ୍ଣାଟକ ଓ ତା’ପଛକୁ ଆନ୍ଧ୍ରପ୍ରଦେଶ ରହିବା ଓ ମହରାଷ୍ଟ୍ର, କର୍ଣ୍ଣାଟକ ତଥା ଆନ୍ଧ୍ରପ୍ରଦେଶ ଆମଦେଶର ସବୁଠାରୁ ଆଗୁଆ ‘ବିକଶିତ’ ପ୍ରଦେଶରେ ପରିଗଣିତ ହେବ । ଏହି ନିଷ୍କର୍ଷ ପ୍ରତି ଇଙ୍ଗିତ କରୁଛି ଯେ ବିକଶିତ ପ୍ରଦେଶ ମାନଙ୍କରେ ହିଁ କୃଷକ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛି । କିନ୍ତୁ ଏହି ପ୍ରଦେଶମାନଙ୍କ ପଛକୁ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଅବସ୍ଥିତି -ଏହା ମଧ୍ୟ ଦର୍ଶାଉଛି ଯେ ‘ଅବିକଶିତ’ପ୍ରଦେଶ ମାନଙ୍କରେ ମଧ୍ୟ କୃଷକ ଆତ୍ମହତ୍ୟା ହେବା ଆଖିଦୃଶିଆ ହୋଇଛି । କହିବା ବାହୁଲ୍ୟ ଯେ ଯେଉଁ ବିକାଶର ଧାରା ଭାରତର ଅର୍ଥନୀତିକୁ ନିୟନ୍ତ୍ରଣ କରୁଛି – ତାହା କୃଷକକୁ ଅର୍ଥନୈତିକ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ଅସଫଳ ହୋଇଛି ଯାହାର ପରିଣତି ହେଉଛି କୃଷକର ଆତ୍ମହତ୍ୟା । ଏହିଭଳି ସମ୍ବାଦ ଆମର ସାଂସଦ, ବିଧାୟକ, ଅମଲା, ବୁଦ୍ଧିଜୀବୀଙ୍କୁ କେତେଦୂର ପ୍ରଭାବିତ କରୁଛି ତାହା ଅନୁସନ୍ଧାନର ବିଷୟ । କିନ୍ତୁ ସାଂସଦ, ବିଧାୟକଙ୍କ ମଧ୍ୟରେ କୋଟିପତିଙ୍କର ସଂଖ୍ୟା ବୃଦ୍ଧି କୃଷକର ପରିସ୍ଥିତି ପ୍ରତି ଉଦାସୀନତାକୁ ବୃଦ୍ଧି କରିବ ବୋଲି ଆଶଙ୍କା ହେଉଛି ।
(୨୦୦୭ରେ ୧୬,୬୩୨କୃଷକ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ମହିଳା କୃଷକଙ୍କର ସଂଖ୍ୟା୨୩୬୯ । ମହାରାଷ୍ଟ୍ର,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ,ପଞ୍ଜାବରେ ଯଥାକ୍ରମେ ଏହି ସଂଖ୍ୟା ହେଉଛି ୪୨୩୮,୨୧୩୫,୧୭୯୭, ୧୫୯୩,୧୨୬୩,୧୧୦୨,୧୯୯୭ରୁ ଆଜିପର୍ଯ୍ୟନ୍ତ ୧,୮୨,୯୩୬ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଦ୍ରଷ୍ଟବ୍ୟ-ଧରିତ୍ରୀ, ୧୫/୧୨/୨୦୦୮)

Print Friendly, PDF & Email