ଡକ୍ଟର ବୀରେନ୍ଦ୍ର ନାୟକ
ଅବସରପ୍ରାପ୍ତ ପ୍ରଫେସର, ଗଣିତ ବିଭାଗ, ଉକ୍ରଳ ବିଶ୍ୱବିଦ୍ୟାଳୟ
ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’ ଶିରୋନାମାରେ ହରପ୍ରସାଦ ଦାସଙ୍କ ଦ୍ୱାରା ଲିଖିତ ନିବନ୍ଧ ଦୈନିକ ଖବରକାଗଜ ସମାଜରେ ୦୫ ନଭେମ୍ବର ୨୦୧୫ ଦିନ ପ୍ରକାଶ ପାଇଛି । ଏହି ନିବନ୍ଧରେ ଲେଖକ ହରପ୍ରସାଦ ଦାସ ଯିଏକି ନିଜେ ଜଣେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା(୧୯୯୯ରେ), ସାହିତ୍ୟିକମାନଙ୍କ ଦ୍ୱାରା ଅକଦେମୀ ପୁରସ୍କାର ଫେରାଇବାକୁ ନାପସନ୍ଦ କରିଛନ୍ତି ,ଏହାକୁ ‘ଲୋକଦେଖାଣିଆ ପ୍ରତିକ୍ରିୟା’, ‘ଅପରିପକ୍ୱ ଉଦାରବାଦର ଏକ ନମୂନା’ ବୋଲି ଅଭିହିତ କରିଛନ୍ତି, ଏହାର କଟୁ ସମାଲୋଚନା କରିଛନ୍ତି , ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ବହୁ ଶବ୍ଦରେ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଛନ୍ତି । ପୁରସ୍କାର ଫେରାଇଥିବା ସାହିତ୍ୟିକଙ୍କୁ ନ୍ୟୁନ କରିବା ପାଇଁ ତାଙ୍କ ସମ୍ପର୍କରେ ସେ ଅତ୍ୟନ୍ତ ହାଲୁକା ମନ୍ତବ୍ୟ ଦେଇଛନ୍ତି, ଆଧାରହୀନ ଉଦ୍ଦେଶ୍ୟ ଆରୋପିତ କରି ପ୍ରସଂଗକୁ ନ୍ୟୁନ କରିବା ଓ ଯେଉଁ ଘଟଣା ଦ୍ୱାରା ପ୍ରଭାବିତ ହୋଇ ସାହିତ୍ୟିକମାନେ ପୁରସ୍କାର ଫେରାଇବା ଆରମ୍ଭ କଲେ ତାହାକୁ ନ୍ୟୁନ କରିବାର ଉଦ୍ୟମ ମଧ୍ୟ କରିଛନ୍ତି ।
ଏହା ସ୍ୱାଭାବିକ ଯେ ହରପ୍ରସାଦ ନିଜେ ଜଣେ ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା ହୋଇଥିବାବେଳେ, ଅକାଦେମୀ ପୁରସ୍କାର ଫେରାଇବା ଘଟଣା ଓ ଏହାର ସମର୍ଥନରେ ବହୁ ସାହିତ୍ୟିକ, ସାହିତ୍ୟପ୍ରେମୀ ବୁଦ୍ଧିଜୀବୀମାନେ ଓଡିଶାର ପୁରସ୍କାର ପ୍ରାପ୍ତ ସାହିତ୍ୟିକମାନେ ମଧ୍ୟ ଫେରାନ୍ତୁ ବୋଲି ମତାମତ ଦେବା, ହରପ୍ରସାଦଙ୍କ ଉପରେ ଏକ ଚାପ ସୃଷ୍ଟି କରିଥିବ । ଏହି ଚାପର ପ୍ରତିକ୍ରିୟାରେ ହରପ୍ରସାଦ ଏହି ନିବନ୍ଧ ଲେଖିଥିବେ । କିନ୍ତୁ ଏହି ନିବନ୍ଧରେ ହରପ୍ରସାଦଙ୍କ ସ୍ୱର ଦର୍ଶାଉଛି ଯେ ଚାପ ଦ୍ୱାରା ତାଙ୍କ ମତି ଓ ଯୁକ୍ତି କିପରି ଭ୍ରମିତ ହୋଇଛି ଓ ତାଙ୍କର ସାହିତ୍ୟିକ ଗାମ୍ଭୀର୍ଯ୍ୟକୁ ପ୍ରଶ୍ନ କରିବାର ସୁଯୋଗ ଦେଉଛି । ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ବେଦନାଦାୟକ । ସେ କ’ଣ ପୁରସ୍କାର ଫେରାଇଥିବା ସାହିତ୍ୟିକଙ୍କ ଉପରେ ହାଲୁକା ମନ୍ତବ୍ୟ ଦେବାରୁ କ୍ଷାନ୍ତ ହୋଇପାରି ନଥାନ୍ତେ ? କାହିଁକି ସେ କହୁଥିଲେ (ଅବଶ୍ୟ ସାଧାରଣ ଲୋକେ କହୁଛନ୍ତି ବୋଲି ଉପଲକ୍ଷ ଦେଇ), “ଯେ ପୁରସ୍କାର ଫେରାଇବା ଲୋକଟା ପୁରସ୍କାର ପାଇବା ପାଇଁ କେତେ କ’ଣ କରିଥିଲା, ଏବେ ଏତେ ବର୍ଷପରେ ସେଇ କାମ୍ୟ ପୁରସ୍କାରଟି ବର୍ଜ୍ୟ ହୋଇଗଲା କାହିଁକି?” ବା “କିଓ ସମାଜରେ ଏତେ ଭୟଙ୍କର ଘଟଣା ଘଟିଲାଣି, କେବେ ତ କିଛି କରି ନ ଥିଲ, ସରକାର ଯାହା ଦେଲେ ତାହା ମୁଣ୍ଡପାତି ଗ୍ରହଣ କରିଥିଲ, ଏବେ ହଠାତ୍ କ’ଣ ହେଲା? କ’ଣ କିଛି ସୁବିଧା ଚାହୁଁଥିଲ ମିଳିଲାନି ?” ବା “ଆମର ବୋଧାମାନେ ପ୍ରତ୍ୟାଖାନକୁ ଏକ ଯୋଗ୍ୟତା ମନେ କରନ୍ତି । ବାୟୋଡାଟାରେ ଲେଖାହୁଏ ଅମୁକ ପୁରସ୍କାର (ପ୍ରତ୍ୟାଖାନ)” ବା “ଗୋଟିଏ ପୁରସ୍କାରର ସମସ୍ତ ଆନୁଷଂଗିକ ଲାଭ ଉଠାଇ ସାରିଲାପରେ ହାତ ଅଚଳ ହେଲାବେଳକୁ ଫେରାଇବାରେ କି ବଡପଣ?” । ସାଧାରଣ ଲୋକ କହୁଛନ୍ତି ବା ପ୍ରଶ୍ନ କରୁଛନ୍ତି ବୋଲି କହିବା ସହିତ ହରପ୍ରସାଦ ମଧ୍ୟ କହୁଛନ୍ତି “ସାଧାରଣ ଲୋକର ଭାଷା ପ୍ରଶ୍ନ ନିର୍ମାଣ କରି ଜାଣେ ନାହିଁ” । ଅନେକ ପୁରସ୍କାରପ୍ରାପ୍ତ ସାହିତ୍ୟିକ ପୁରସ୍କାର ଫେରାଇ ନାହାନ୍ତି , ଫେରାଇବରେ ସମସ୍ୟାର ସମାଧାନ ହେବ ବୋଲି ମଧ୍ୟ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ସେମାନେ ଫେରାଇଥିବା ସାହିତ୍ୟିକଙ୍କ ପ୍ରତି ଏପରି ହାଲୁକା ମନ୍ତବ୍ୟ କରିଥିବାର ଦୃଷ୍ଟାନ୍ତ ପ୍ରାୟ ଦେଖାଯାଇନାହିଁ । ହରପ୍ରସାଦ ଓଡିଶାର ଜଣେ ପ୍ରବୁଦ୍ଧ ସାହିତ୍ୟିକ ଓ ବିଶିଷ୍ଟ ବୋଧା ହୋଇଥିବାରୁ ତାଙ୍କଠାରୁ ଏଭଳି ହାଲୁକା ମନ୍ତବ୍ୟ ନିଶ୍ଚିତ ଭାବରେ ଅପ୍ରତ୍ୟାଶିତ ଓ ଏହା ତାଙ୍କର ସାହିତ୍ୟିକ ଭାବମୂର୍ତ୍ତିକୁ ମଳିନ କରୁଛି ।
ହରପ୍ରସାଦ ଏହି ନିବନ୍ଧରେ ସେହି ଘଟଣା ଗୁଡିକୁ କ୍ଷୁଦ୍ରତର ଘଟଣା ବୋଲି ଏକ ଧାରଣା ଦେବାର ପ୍ରଚେଷ୍ଟା କରିଛନ୍ତି ଯେଉଁ ଘଟଣା ଗୁଡିକର ପ୍ରତିବାଦରେ ସାହିତ୍ୟିକମାନେ ପୁରସ୍କାର ଫେରାଇଛନ୍ତି । ତା ନହେଲେ ଏହି ପ୍ରସଂଗକୁ ଆସିବା ପୂର୍ବରୁ ସେ ମନ୍ତବ୍ୟ କରନ୍ତେ ନାହିଁ ଯେ “ବୃହତ୍ତର ଘଟଣାମାନଙ୍କୁ ଆପେ ମଉଳି ଯିବାକୁ , ଛାଡିଦେଇ, ଆପାତତଃ କ୍ଷୁଦ୍ରତର ଘଟଣାମାନଙ୍କୁ ଭିଡି ଓଟାରି ବଡ କରିବା ଓ ଲୋକ କ୍ଷେତ୍ରରେ ଗୁଡେ ଫେଣ ଗଦାକରିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ ।” କେଉଁ ଘଟଣାକୁ ହରପ୍ରସାଦ ବୃହତ୍ତର କହୁଛନ୍ତି ତାହାର ଦୃଷ୍ଟାନ୍ତ ଦେଇନାହାନ୍ତି । ତେବେ ଦାଭୋଲକର, ପନ୍ସାରେ, କୁଲବର୍ଗୀଙ୍କ ଭଳି ହେତୁବାଦୀଙ୍କର ଅଜଣା ଆତତାୟୀଙ୍କ ଦ୍ୱାରା ହତ୍ୟା ଓ ଦାଦ୍ରୀରେ ଏକ ମିଥ୍ୟା ଗୁଜବ କରାଇ ଅଖଲାକଙ୍କର ଏକ ଉନ୍ମାଦ ଗୋଷ୍ଟୀ ଦ୍ୱାରା ହତ୍ୟା,ଯାହାର ପ୍ରତିବାଦରେ ସାହିତ୍ୟିକମାନେ ସେମାନଙ୍କର ପୁରସ୍କାର ଫେରାଇବା ଆରମ୍ଭ କଲେ ତାହା ହରପ୍ରସାଦଙ୍କ ଦୃଷ୍ଟିରେ ଯେ କ୍ଷୁଦ୍ରତର ଘଟଣା ଏହାହିଁ ଉପରୋକ୍ତ ଉଦ୍ଧୃତିର ସମ୍ବାଦ । ଯାହା ବିଚଳିତ କରେ ତାହା ହରପ୍ରସାଦଙ୍କ ଦ୍ୱାରା ଏହି ହତ୍ୟାଗୁଡିକୁୁ ଏକ ସ୍ୱାଭାବିକ ଘଟଣା ବୋଲି ଧାରଣା ଦେବାର ପ୍ରଚେଷ୍ଟା ଓ ଏହି ଘଟଣା ଗୁଡିକୁ ରାଜନୈତିକ ଅସ୍ତ୍ର ଭାବେ ସାହିତ୍ୟିକମାନେ ବ୍ୟବହାର କରଛନ୍ତି ବୋଲି ପ୍ରକାରାନ୍ତରେ ଇଂଗିତ । ତା ନହେଲେ ସେ କୁହନ୍ତେ ନାହିଁ “ବିଭିନ୍ନ ଧର୍ମର ମୈାଳବାଦୀମାନେ ପରସ୍ପର ବିରୋଧରେ ଲଢିବା ଓ ଏହି ଲଢେଇରେ ନିରୀହ ନାଗରିକଙ୍କ ପ୍ରାଣ ଯିବା ନୂଆ ନୁହେଁ, ୟାକୁ ସନ୍ତକ କଲେ ବା ୟାକୁ ରାଜନୈତିକ ଅସ୍ତ୍ର ଭଳି ବ୍ୟବହାର କଲେ ସମାଜର କି ଲାଭ ହେବ ?” ପୁରସ୍କାର ଫେରାଇ ନଥିବା ସାହିତ୍ୟିକମାନେ ମଧ୍ୟ ଏହି ଘଟଣାକୁ ନ୍ୟୁନ କରି ଏପରି କୈାଣସି ମନ୍ତବ୍ୟ ଦେଇଥିବା ଦେଖାଯାଏ ନାହିଁ । ଭିନ୍ନମତ ପ୍ରତି ଅସହିଷ୍ଣୁତା ଓ ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତି ଉପରେ ହିଂସ୍ର ଆକ୍ରମଣର ଉଦାହରଣ ତ ଏହି ଘଟଣା ଗୁଡିକ । ଏହି ଅସହିଷ୍ଣୁତା ବିରୋଧରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରିଜର୍ଭବ୍ୟାଙ୍କ ଗଭର୍ନର, ଶିଳ୍ପପତି ନାରାୟଣ ମୂର୍ତ୍ତିଙ୍କର ଉଠିଥିବା ସ୍ୱର ତ ବେଶ ଚର୍ଚ୍ଚିତ । ହରପ୍ରସାଦଙ୍କ ଭଳି ଜଣେ ପ୍ରତିଷ୍ଠିତ କବିଙ୍କ ଠାରେ ଏପରି ସମ୍ବେଦନହୀନତା ଦେଖାଯିବା ବାସ୍ତବିକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାହା ଅହୁରି ବ୍ୟଥାଦାୟକ ତାହା ହେଉଛି ହରପ୍ରସାଦ ପ୍ରକାରାନ୍ତରେ ଦର୍ଶାଇବା ଯେ ହେତୁବାଦୀଙ୍କର ଆଚରଣ ହିଁ ସେମାନଙ୍କର ହତ୍ୟାକୁ ଆମନ୍ତ୍ରଣ ଦେଇଛି । ତା ନହେଲେ ସେ ହେତୁବାଦୀଙ୍କ ସମ୍ପର୍କରେ କାହିଁକି ମନ୍ତବ୍ୟ କରନ୍ତେ ‘ଏମାନେ ହିଁ ଏକା ବୋଧା ଆଉ ସମସ୍ତେ ନିର୍ବୋଧ’, ‘ଶିଳା ପ୍ରତିମାରେ ବିଶ୍ୱାସ ରଖିଲେ ଏ ବୋଧା ମହୋଦୟମାନଙ୍କର ଅସୁବିଧା କ’ଣ’, ‘ସିଧାସଳଖ ବିଶ୍ୱାସରେ କାର୍ଯ୍ୟ-କାରଣ ଖୋଜିବା କୋଉ ବୁଦ୍ଧିମାନର କାର୍ଯ୍ୟ’ ଇତ୍ୟାଦି ।
ପୁରସ୍କାର ଫେରାଇବାର ନିଷ୍ପତ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅର୍ଥାତ୍ ପୁରସ୍କାର ଫେରାଉଥିବା ସାହିତ୍ୟିକମାନେ ଯେ ରାଜନୀତି କରୁଛନ୍ତି ଏହାକୁ ଏକ ସ୍ୱୀକାର୍ଯ୍ୟ ଭାବେ ଗ୍ରହଣ କରି ନେଇଛନ୍ତି ହରପ୍ରସାଦ । ସେ ଏହି ପ୍ରତିବାଦକୁ କେନ୍ଦ୍ର ସରକାର ବିରୋଧରେ ଏକ ଅଭିଯାନ ବୋଲି ଧରି ନେଇଛନ୍ତି । ସେ ତେଣୁ କୁହନ୍ତି “କୁଲବର୍ଗୀ ହତ୍ୟାର ତଦନ୍ତ ହେଉ, ଦୋଷୀ ଦଣ୍ଡ ପାଉ । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ବା ସମଗ୍ର ଧର୍ମାନୁଷ୍ଠାନକୁ ଅନୁଦାର କହିବା ଉଚିତ ହେବ କି ? ନିଜ ମତର ପ୍ରତିଷ୍ଠା ପାଇଁ କୁଲବର୍ଗୀ ଯାହା କଲେ, ତାକୁ ଆଳ କରି ଆମର ‘ବୋଧା’ମାନଙ୍କର ସରକାର-ନିନ୍ଦା କେଉଁ ପର୍ଯ୍ୟାୟର ବୈାଦ୍ଧିକତା?” ଆଉ ଏକ ସ୍ଥାନରେ ଏହି ପ୍ରତିବାଦୀ ସାହିତ୍ୟିକଙ୍କୁ ସେ ପ୍ରଶ୍ନ କରନ୍ତି ଯଦି “ବିଶ୍ୱାସ ବା ଜନମତ ଆଧାରରେ ନିର୍ମିତ ଶକ୍ତିକୁ ପ୍ରତି ପଦକ୍ଷେପରେ ବିରୋଧ କଲେ । ଆମେ କି ଗଣତନ୍ତ୍ର କଲେ ?” କିନ୍ତୁ ବାସ୍ତବିକତା ହେଉଛି ଯେ ପୁରସ୍କାର ଫେରାଇଥିବା କେହି ସାହିତ୍ୟିକ ସରକାରଙ୍କୁ ଦାୟୀ କରିନାହିଁ । ଯେପରି ନୟନତାରା ସହଗଲ, ଅସହିଷ୍ଣୁ ଆଚରଣର କେତେକ ଘଟଣା ଉଲ୍ଲେଖ କରି ତାଙ୍କ ପ୍ରତିବାଦ ପତ୍ରରେ କେବଳ ଏତିକି ଲେଖିଛନ୍ତି ଯେ, “ଏହି ସବୁ ଘଟଣାରେ ନ୍ୟାୟର ଗତି ମନ୍ଥର ହୋଇଛି । ପ୍ରଧାନମନ୍ତ୍ରୀ ଏହି ଆତଙ୍କରାଜ ଉପରେ ନୀରବ ରହିଛନ୍ତି । ଆମେ ଧରିନେବା ଯେ ତାଙ୍କ ଆଦର୍ଶକୁ ସମର୍ଥନ କରୁଥିବା ଏହି ଖଳ ବ୍ୟକ୍ତିମାନଙ୍କୁ ସେ ଅଲଗା କରିଦେବା ପାଇଁ ସାହସ କରିପାରୁ ନାହାନ୍ତି । ଏହା ଦୁଃଖର ବିଷୟ ଯେ ସାହିତ୍ୟ ଅକାଦେମୀ ନୀରବ ରହିଛି । ଅକାଦେମୀମାନଙ୍କର ପ୍ରତିଷ୍ଠା ହୋଇଥିଲା ସୃଜନୀ କଳ୍ପନା (creative imagination) ର ରକ୍ଷକ ଭାବେ , ଏବଂ କଳା, ସାହିତ୍ୟ, ସଂଗୀତ ଓ ମଂଚରୁ ପ୍ରସ୍ତୁତ ଉକ୍ରୃଷ୍ଟ ସର୍ଜ୍ଜନାର ପୃଷ୍ଠପୋଷକ ଭାବେ ।”
ଏହା ସରକାର ବିରୋଧୀ ଅଭିଯାନ ଭାବେ ଚିତ୍ରତ ହେଲା କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ଯେତେବେଳେ ଏହି ପୁରସ୍କାର ଫେରାଇବା ଘଟଣା ଉପରେ ମତାମତ ଦେବା ଆରମ୍ଭ କଲେ । ବସ୍ତୁତଃ ଏହି ରାଜନେତା ମାନେ ହିଁ ଏହି ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ପ୍ରତିବାଦର ରାଜନୈତିକିକରଣ କଲେ । ଅରୁଣ ଜେଟଲୀ ହିଁ ଏହି ପ୍ରକ୍ରିୟା ଆରମ୍ଭ କଲେ ଯେତେବେଳେ ସେ କହିଲେ “The new strategy of anti-Modi, anti-BJP sections appears to be to resort to politics by other means”(Times of India, Oct 15, 2015, , ) । ମହେଶ ଶର୍ମା, ଭେଙ୍କେୟାନାଇଡୁ, ରାଜନାଥ ସିଂହ , ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଜାତୀୟ ସମ୍ପାଦକ ପୂଜା ଶକୁନ ପାଣ୍ଡେ ବିଭିନ୍ନ କିସମର ମନ୍ତବ୍ୟ ପୁରସ୍କାର ଫେରାଉଥିବା ସାହିତ୍ୟିକମାନଙ୍କ ବିରୁଦ୍ଧରେ ଦେଇ ସମୁଦାୟ ପରିବେଶକୁ ଦୁଷିତ କରିଦେଲେ । ଏହା ଅତ୍ୟନ୍ତ କ୍ଷୋଭର ସହ କହିବାକୁ ପଡୁଛି ଯେ ଏହି ମାନଙ୍କର ବକ୍ତବ୍ୟର ପ୍ରତିଫଳନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହୋଇଛି ହରପ୍ରସାଦଙ୍କ ନିବନ୍ଧରେ । ଯେପରି ପୂଜା ଶକୁନ ପାଣ୍ଡେ ଏହି ସାହିତ୍ୟିକମାନଙ୍କୁ ‘ଦେଶ ଦ୍ରୋହ’ ଅପରାଧରେ ଦୋଷୀ କହିଥିବା ବେଳେ ହରପ୍ରସାଦ ଏହି ସାହିତ୍ୟିକମାନେ “ରାଷ୍ଟ୍ରପ୍ରେମୀ ” ହୁଅନ୍ତୁ ବୋଲି ପରାମର୍ଶ ଦିଅନ୍ତିା ଅରୁଣ ଜେଟଲୀ ପୁରସ୍କାର ଫେରାଇବା ଘଟଣାକୁ ‘politics by other means’ କହିଲା ବେଳେ ହରପ୍ରସାଦ ତାଙ୍କର ନିବନ୍ଧକୁ ଶେଷ କରୁଛନ୍ତି ଏହି ପୁରସ୍କାର ଫେରାଉଥିବା ସାହିତ୍ୟିକମାନଙ୍କୁ ଆହ୍ୱାନ ଦେଇ ଯେ “ଛାୟା ରାଜନୀତି ପାଇଁ ଉପଲକ୍ଷ୍ୟ ଖୋଜିବାଠାରୁ ବହୁଗୁଣରେ ଶ୍ରେୟସ୍କର ବାସ୍ତବ ରାଜନୀତିରେ ପକ୍ଷଭୁକ୍ତ ହେବା । ବୋଧାମାନେ ତାହା କରିପାରିବେ?”
ଅକାଦେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ହରପ୍ରସାଦ କାହିଁକି ତାଙ୍କର ପୁରସ୍କାର ଫେରାଉ ନାହାନ୍ତି ତାହାର ଯାଥାର୍ଥ୍ୟ ପ୍ରତିପାଦନ ପାଇଁ ସେ ଉଦ୍ୟମ କରିଛନ୍ତି , ଏହି ନିବନ୍ଧଟିରେ ଏହା ବେଶ ସ୍ପଷ୍ଟ । ଏହା ମଧ୍ୟ ସ୍ପଷ୍ଟ ଯେ ଫେରାଉଥିବା ସାହିତ୍ୟିକଙ୍କ ଉପରେ କ୍ଷମତାସୀନ ରାଜନୈତିକ ଦଳର ପ୍ରବକ୍ତାମାନଙ୍କର ମତ ଏହି ନିବନ୍ଧରେ ପ୍ରତିଧ୍ୱନିତ । ହରପ୍ରସାଦଙ୍କ ଭଳି ଜଣେ ସାହିତ୍ୟିକଙ୍କଠାରୁ ଅନେକେ ହୁଏତ ଏହି ଭଳି ସମ୍ବେଦନହୀନ ନିବନ୍ଧ ଆଶା କରି ନ ଥିବେ । କିନ୍ତୁ ସେ ଯେ ଏହି ବିତର୍କରେ ପ୍ରବେଶ କରି ପୁରସ୍କାର ଫେରାଉଥିବା, ନୟନତାରା ସହଗଲ, କୃଷ୍ଣା ସୋବତୀ, କାଶୀନାଥ ସିଂହ, କେକୀ ଦାରୁୱାଲା ଆଦି ସାହିତ୍ୟିକମାନଙ୍କୁ “ଭାରତୀୟ ବୁଦ୍ଧିଜୀବୀଙ୍କ ପ୍ରତିନିଧି ନୁହନ୍ତି” କହିବାର ଦୁଃସାହସ କରିଛନ୍ତି ତାହାକୁ କ’ଣ ଅଣଦେଖା କରାଯାଇପାରେ ?