ପୁରସ୍କାର ଫେରାଇବା ପ୍ରସଂଗରେ ‘ବୋଧା’ ଓ ‘ବୋଧୋଦୟ’

  • 05/04/2017

ବୀରେନ୍ଦ୍ର ନାୟକ

‘ବୋଧା’ ଓ ‘ବୋଧୋଦୟ’- ଏହି ଦୁଇଟି କ୍ୱଚିତ ବ୍ୟବହୃତ ଶବ୍ଦର ବ୍ୟବହାର ହୋଇଛି “ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’” ଶିରୋନାମରେ ପ୍ରକାଶିତ ଏକ ନିବନ୍ଧରେ । ଏହି ନିବନ୍ଧ ପ୍ରକାଶ ପାଇଥିଲା ଦୈନିକ ଖବରକାଗଜ ସମାଜ(୫ ନଭେମ୍ବର ୨୦୧୫)ରେ । ଏହି ନିବନ୍ଧର ଲେଖକ ହେଉଛନ୍ତି ପ୍ରଶାସକ ବ୍ୟତିରେକେ ସାହିତ୍ୟିକ ହରପ୍ରସାଦ ଦାସ । ମହାଶୟ ଦାସ  କେନ୍ଦ୍ର ସାହିତ୍ୟ ଅକାଦେମୀ ଦ୍ୱାରା୧୯୯୯ ମସିହାରେ ପୁରସ୍କୃତ ହୋଇଥିଲେ । ନିବନ୍ଧର ବିଷୟ ବସ୍ତୁ ସାହିତ୍ୟ ଅକାଦେମୀ ପୁରସ୍କାର ଫେରାଇବାର ଘଟଣା ସମ୍ପର୍କିତ ହୋଇଥିବା ବେଳେ, ନିବନ୍ଧରେ ହରପ୍ରସାଦ ଇଂରାଜୀ ଶବ୍ଦ ଦ୍ୱୟ ଯଥା ଇଣ୍ଟେଲେକ୍ଚୁଆଲ (Intellectual) ଓ ଏନ୍ଲାଇଟେନ୍ମେଣ୍ଟ (Enlightenment) ପାଇଁ ଯଥାକ୍ରମେ ‘ବୋଧା’ ଓ ‘ବୋଧୋଦୟ’ ଶବ୍ଦର ବ୍ୟବହାର କରିଛନ୍ତି । ଗତ ପ୍ରାୟ ଏକ ମାସରୁ ଉଦ୍ଧ୍ୱର୍ କାଳ ଧରି ଏହି ପ୍ରସଂଗ ଉପରେ ଚାଲିଥିବା ବାଦାନୁବାଦରେ ସଂପୃକ୍ତ ସାହିତ୍ୟିକମାନଙ୍କୁ  ମୋଟା ମୋଟି ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମ ଶ୍ରେଣୀ: ଯେଉଁମାନେ ପୁରସ୍କାର ଫେରାଉଛନ୍ତି, ଦ୍ୱିତୀୟ ଶ୍ରେଣୀ: ଯେଉଁମାନେ ପୁରସ୍କାର ଫେରାଉନାହାନ୍ତି କିନ୍ତୁ ଫେରାଇବା ପଛରେ କାରଣ ଅର୍ଥାତ୍ ସମାଜରେ ବର୍ଦ୍ଧିଷ୍ଣୁ ଅସହିଷ୍ଣୁତାର ପ୍ରତିବାଦ କରୁଛନ୍ତି  , ତୃତୀୟ ଶ୍ରେଣୀ: ଯେଉଁମାନେ ପୁରସ୍କାର ଫେରାଉ ନାହାନ୍ତି କି ଏ ବିତର୍କରେ ଭାଗ ନେଉନାହାନ୍ତି । ଚତୁର୍ଥ ଶ୍ରେଣୀ : ଯେଉଁମାନେ ପୁରସ୍କାର ଫେରାଉ ନାହାନ୍ତି ବରଂ ଫେରାଇବାକୁ ବିରୋଧ କରୁଛନ୍ତି ଓ ଫେରାଉଥିବା ବ୍ୟକ୍ତିଙ୍କୁ   କଟୁୁ ସମାଲୋଚନା କରୁଛନ୍ତି । ହରପ୍ରସାଦ ହେଉଛନ୍ତି ଚତୁର୍ଥ ଶ୍ରେଣୀର ।
ସାରା ଦେଶରେ ଅସହିଷ୍ଣୁତା ବିରୋଧରେ ପ୍ରତିବାଦର ଆୟତନ ଓ ଘନତ୍ୱ କେତେ ତାହର ଏକ ସବିଶେଷ ବିବରଣୀ ଏ ଲେଖକ ଅନ୍ୟ ଏକ ନିବନ୍ଧରେ ଦେଇଛି ।୧ା କିନ୍ତୁ ଓଡିଶାରେ ଏହି ପ୍ରତିବାଦ କିପରି ପ୍ରତିଧ୍ୱନିତ ହେଉଥିଲା ତାହା ସେହି ନିବନ୍ଧରେ ଆଲୋଚିତ ହୋଇନାହିଁ । ହରପ୍ରସାଦଙ୍କର ନିବନ୍ଧଟି ଏହି ଆଲୋଚନା ପାଇଁ କାରଣଟିଏ ଯୋଗାଇଛି ।
“ଓଡିଶାରେ ଶୁଣିବାକୁ ମିଳୁନି ପ୍ରତିବାଦର ସ୍ୱର”
ସାହିତ୍ୟିକମାନଙ୍କ ଦ୍ୱାରା ପୁରସ୍କାର ଫେରାଇବା ଘଟଣା ଉପରେ ଓଡିଶାର ଲେଖକ, ସାହିତ୍ୟିକ ଓ ସାହିତ୍ୟ ପ୍ରେମୀଙ୍କ ମହଲରେ କରାଯାଇଥିବା  ଏକ ସର୍ବେକ୍ଷଣ୧୨ ଅକ୍ଟୋବର ୨୦୧୫ ଦିନ ଦୈନିକ ଖବରକାଗଜ ଧରିତ୍ରୀରେ ପ୍ରକାଶ ପାଇଲା ଯାହାର ଶିରୋନାମା ଥିଲା “ଓଡିଶାରେ ଶୁଣିବାକୁ ମିଳୁନି ପ୍ରତିବାଦର ସ୍ୱର” । ଏଥିରେ ୨୨ଜଣ ଅଂଶ ଗ୍ରହଣ କରିଥିଲେ । ପ୍ରାୟ ସମସ୍ତେ କହିଥିଲେ ଯେ ସାହିତ୍ୟିକମାନଙ୍କ ଉପରେ ଆକ୍ରମଣ ଓ ସମାଜରେ ଅସହିଷ୍ଣୁତାର ବୃଢ ପ୍ରତିବାଦ ଓଡିଶାର ସାହିତ୍ୟିକମାନେ କରିବା ଉଚିତ ଓ ଏହା ନ ହେବା ଉଚିତ ହେଉନାହିଁ ବୋଲି ଅଧିକାଂଶ ମତପୋଷଣ କରିଥିଲେ । କିନ୍ତୁ ପୁରସ୍କାର ଫେରାଇବା ସମାଧାନ ନୁହେଁ ବୋଲି ପ୍ରାୟ ଏକ ତୃତୀୟାଂଶ ଅଂଶଗ୍ରହଣକାରୀ ମତ ଦେଇଥିଲେ । ମାତ୍ର ଜଣେ ପୁରସ୍କାର ଫେରାଇବାକୁ ଏକ ନାଟକ ବୋଲି ଅଭିହିତ କରିଥିବା ବେଳେ ଜଣେ ଫେରାଇବା ପଛରେ ଅନ୍ୟ କିଛି କାରଣର ଗଂଧ ବାରୁ ଥିଲେ । ଜଣେ ତ କହିଥିଲେ ଯିଏ ଯେଉଁ ସମ୍ମାନ ପାଇଛି ସେ ସବୁକୁ ସେ ଫେରାଇ ଦେବା ଉଚିତ । ବରିଷ୍ଠ ସାମ୍ବାଦିକ ବରେନ୍ଦ୍ର କୃଷ୍ଣ ଧଳ ଆମ ସାହିତ୍ୟିକଙ୍କ ନୀରବତାର ଦୃଷ୍ଟାନ୍ତ ଦେଇ କହିଥିଲେ,“ ଓଡିଶାର ଯେଉଁ ସାହିତ୍ୟିକମାନେ କେନ୍ଦ୍ର ସାହିତ୍ୟ ଅକାଦେମୀ ପରସ୍କାର ଏବଂ ବଡ ବଡ ଉପାଧୀରେ ପୁରସ୍କୃତ ହୋଇଛନ୍ତି ସେମାନଙ୍କ ପକ୍ଷରୁ କିନ୍ତୁ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । କେନ୍ଦ୍ର ସାହିତ୍ୟ ଅକାଦେମୀର ସାଧାରଣ ପରିଷଦରେ ୯୯ ଜଣଙ୍କ ମଧ୍ୟରୁ ଓଡିଶାର ପାଂଚ ଜଣ ଓ ୨୯ ଜଣିଆ କାର୍ଯ୍ୟକାରୀ କମିଟରେ ଜଣେ ଓଡିଆ ରହିଥିଲେ ମଧ୍ୟ କେହି ଘଟଣାର ପ୍ରତିବାଦ କରିନାହାନ୍ତି । ଏଥିରୁ ଦୃଷ୍ଟିଗୋଚର ହେଉଛି ଦେଶର ସାମ୍ପ୍ରତିକ ଅବସ୍ଥା ଓ ସାହିତ୍ୟିକଙ୍କର ନିରାପତ୍ତା ପ୍ରତି ଏମାନେ ଚିନ୍ତିତ ନୁଁହନ୍ତି । ପଦ୍ମବିଭୁଷଣ ସୀତାକାନ୍ତ ମହାପାତ୍ର, ପଦ୍ମଭୁଷଣ ରମାକାନ୍ତ ରଥ, ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ଠାରୁ ଆରମ୍ଭ କରି ଏକାଡେମୀ ଦ୍ୱାରା ପୁରସ୍କୃତ ସମସ୍ତ ସାହିତ୍ୟିକ ଏ ଦିଗରେ ଚିନ୍ତା କରିବାର ସମୟ ଆସିଛି ।” ପୁରସ୍କାରପ୍ରାପ୍ତ ଓଡିଆ ସାହିତ୍ୟିକମାନେ ସେମାନଙ୍କର ପୁରସ୍କାର ଫେରାଇବା ଉପରେ ଅତ୍ୟନ୍ତ ତାତ୍ପର୍ଯ୍ୟ ପୂର୍ଣ୍ଣ ମନ୍ତବ୍ୟ କରିଥିଲେ ଓଡିଆ ଭାଷା ସାହିତ୍ୟର ପ୍ରଫେସର ନଟବର ଶତପଥୀ ଓ ଗୈାରାଂଗ ଚରଣ ଦାସ । ନଟବରବାବୁ କହିଥିଲେ, “ଯେଉଁଠି ପୁରସ୍କାର ପାଇବାକୁ ଟଣାଓଟରା ସେଠି ପୁରସ୍କାର ଫେରାଇବା କଥା କିଏ ଭାବିବ? ଆମକୁ ବହୁତ ଦିନ ଲାଗିବ ସେ ସ୍ତରରେ ପହଂଚିବାକୁ ।” ଗୈାରାଂଗବାବୁ କହିଥିଲେ, “ପୁରସ୍କାର ପାଇବା ଲାଗି ଓଡିଶାରେ ପ୍ରତିଯୋଗିତା ଲାଗେ । ଏଠି ପୁରସ୍କାର ଫେରାଇବେ କ’ଣ ? ପୁଣି ପ୍ରତିବାଦ ଯିଏ କରନ୍ତି ସେ ସକଳ ସୁବିଧାରୁ ବଂଚିତ ହୁଅନ୍ତି ।”
ହରପ୍ରସାଦଙ୍କ ‘ସାଧାରଣ ଲୋକ’
କିନ୍ତୁ ହରପ୍ରସାଦଙ୍କ ଦୃଷ୍ଟିରେ ‘ପୁରସ୍କାର ଫେରାଇବା ବ୍ୟାପାର’ କୁ ‘ସାଧାରଣ ଲୋକେ ଯାହା ବୁଝୁଛନ୍ତି ତାହା ସରଳ ଭାବରେ ଏତିକି ଯେ ଗୁଡିଏ ଲୋକ ତାଙ୍କର ବ୍ୟକ୍ତିଗତ ଅସନ୍ତୋଷକୁ ସାମାଜିକ ସମସ୍ୟାରେ ପରିଣତ କରିବାକୁ ବା କରେଇବାକୁ ଚାହୁଁଛନ୍ତି ।” ଏହି ସାଧାରଣ ଲୋକେ କହୁଥୁବା ହରପ୍ରସାଦ ଶୁଣୁଛନ୍ତି  ‘ଯେ ପୁରସ୍କାର ଫେରାଇବା ଲୋକଟା ପୁରସ୍କାର ପାଇବା ପାଇଁ କେତେ କ’ଣ କରିଥିଲା, ଏବେ ଏତେ ବର୍ଷପରେ ସେଇ କାମ୍ୟ ପୁରସ୍କାରଟି ବର୍ଜ୍ୟ ହୋଇଗଲା କାହିଁକି?’ ହରପ୍ରସାଦ ଦେଖି ପାରୁଛନ୍ତି ‘ପୁରସ୍କାର ସପକ୍ଷରେ ଯାହା ତର୍କ ଉପସ୍ଥାପନ କଲେ ବି ଲୋକେ କଥାଟାକୁ ସହଜ ଭାବରେ ଗ୍ରହଣ କରିପାରୁନାହାନ୍ତି ବୋଧହୁଏ ଏଇଥିପାଇଁ ଯେ ପୁରସ୍କାରର ସ୍ୱଚ୍ଛତା ବିଷୟରେ ଏଇ ପୁରସ୍କୃତ ଓ ପୁରସ୍କାରକାମୀ ବିଶିଷ୍ଟମାନେ ଗଣମାଧ୍ୟମରେ ଖୁବ ମଇଳା ଲୁଗା କାଚିଛନ୍ତି, ଏବେ ନିଜକୁ ଯେତେ ଦୁଧଧାଉଳା କରିଲେବି ପାଦର ମଇଳା ଦିଶୁଛି …ା’ ସେ ଆହୁରି ଶୁଣୁଛନ୍ତି ସାଧାରଣ ଲୋକେ ପ୍ରଶ୍ନ କରିବାର – “କିଓ ସମାଜରେ ଏତେ ଭୟଙ୍କର ଘଟଣା ଘଟିଲାଣି, କେବେ ତ କିଛି କରି ନ ଥିଲ, ସରକାର ଯାହା ଦେଲେ ତାହା ମୁଣ୍ଡପାତି ଗ୍ରହଣ କରିଥିଲ, ଏବେ ହଠାତ୍ କ’ଣ ହେଲା? ଏ ଯେଉଁ ଘଟଣା ସବୁ ତୁମକୁ ମର୍ମାହତ କରିଛି, ତମେ ତ ଆମକୁ କିଛି କହି ନ ? ସରକାରଙ୍କ ହାତ ତ ଆମକୁ ଦିଶୁନି ? ସରକାରଙ୍କୁ ଦୋଷୀ କରୁଛ କାହିଁକି ? ଅକାଦେମୀ ମାନଙ୍କର ଅଧ୍ୟକ୍ଷମାନଙ୍କୁ ଅପମାନିତ କରୁଛ କାହିଁକି? କ’ଣ କିଛି ସୁବିଧା ଚାହୁଁଥିଲ ମିଳିଲାନି ? ।” ଏହି ଭଳି ପ୍ରଶ୍ନ ଯେତେବେଳେ ସାଧାରଣ ଲୋକ କରିଛି ଓ ତାହାକୁ ହରପ୍ରସାଦ ଶୁଣିଛନ୍ତି , ସେତେବେଳେ ହରପ୍ରସାଦ କହିବା ଯେ ‘ସାଧାରଣ ଲୋକର ଭାଷା ପ୍ରଶ୍ନ ନିର୍ମାଣ କରି ଜାଣେ ନାହିଁ’ କି ସମ୍ବାଦ ଦେଉଛି ?  ଯଦି ‘ସାଧାରଣ ଲୋକେ ପଚାରୁଛନ୍ତି’ ର ଉପଲକ୍ଷ ଦେଇ ସେ ନିଜେ ପଚାରୁଛନ୍ତି ତାହାହେଲେ ତ କଥା ଦୋସରା । ତେବେ ସାଧାରଣ ଲୋକେ କୁହନ୍ତୁ ବା ତାଙ୍କ ନାଁରେ ହରପ୍ରସାଦ କୁହନ୍ତୁ,  ‘ପୁରସ୍କାର ଫେରାଇବା ଲୋକଟା ପୁରସ୍କାର ପାଇବା ପାଇଁ କେତେ କ’ଣ କରିଥିଲା’ ବାକ୍ୟଖଣ୍ଡରୁ ପାଠକ ଜାଣିବାକୁ ଚାହିଁବ ଯେ ଲେଖିବା ବ୍ୟତିତ ‘ପୁରସ୍କାର ପାଇବା ପାଇଁ’ ପୁରସ୍କାର ଫେରାଇଥିବା ଲେଖକ ଆଉ କ’ଣ ସବୁ କରିଥିଲା, ଯାହା ସାଧାରଣ ଲୋକ ମଧ୍ୟ ଜାଣେ ? ଅର୍ଥାତ୍ ଯେଉଁ ମାନେ ଫେରାଇ ନାହାନ୍ତି ସେମାନେ ‘ପୁରସ୍କାର ପାଇବା ପାଇଁ’ ଲେଖିବା ବ୍ୟତିତ କ’ଣ ଆଉ କିଛି କରିନାହାନ୍ତି? ନା ‘ପୁରସ୍କାର ପାଇବା ପାଇଁ’ ସମସ୍ତଙ୍କୁ ଲେଖିବା ବ୍ୟତିତ ଆଉ କିଛି କରିବାକୁ ପଡେ ? ହରପ୍ରସାଦ ନିଜେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା (୧୯୯୯) ହୋଇଥିବାରୁ ସେ ହିଁ ଏହି ପ୍ରଶ୍ନ ଗୁଡିକର ସଠିକ ଉତ୍ତର ଦେଇପାରିବେ । କିନ୍ତୁ ଯେଉଁ ଭାଷାର ପ୍ରୟୋଗ ହୋଇଛି, ସାଧାରଣ ଲୋକ କହୁଥିବା ଆଳରେ, ପୁରସ୍କାର ଫେରାଇଥିବା ସାହିତ୍ୟିକମାନଙ୍କ  ସମ୍ପର୍କରେ ତାହା ହରପ୍ରସାଦଙ୍କ ସାହିତ୍ୟିକ ଗାମ୍ଭୀର୍ଯ୍ୟ ଉପରେ ପ୍ରଶ୍ନଚିହ୍ନ ଠିଆ କରୁଛି ।
ପୁରସ୍କାର ଫେରାଇବାର ହେତୁକୁ ନ୍ୟୁନ କରିବାର ଉଦ୍ୟମ
ହେଉ ନା କାହଁକିି ସେ ତ ରାଷ୍ଟ୍ର ହୋଇପାରେ ନା । ସରକାର କ’ଣ ରାଷ୍ଟ୍ର ? ହରପ୍ରସାଦ ବହୁ ବୁଲାଇ ବଙ୍କାଇ ବୈାଦ୍ଧିକତାର ପୁଟ ଦେଇ ଯାହା କହୁଛନ୍ତି ତାହା କ୍ଷମତାସୀନ ଦଳର ମନ୍ତ୍ରୀ ମାନଙ୍କର ଭାଷା । ଅର୍ଥାତ୍ କ୍ଷମତାସୀନ ଦଳର ମନ୍ତ୍ରୀ ମାନଙ୍କର ବୟାନ ଗୁଡିକର ନିର୍ଯ୍ୟାସକୁ ହିଁ ପ୍ରତିଧ୍ୱନିତ କରିଛନ୍ତି ହରପ୍ରସାଦ ଏକ କୃତ୍ରିମ ବୈାଦ୍ଧିକତାର ପୁଟ ଦେଇ ।
ସ୍ୱାଧୀନ ମତ ବ୍ୟକ୍ତ କରିବା ବ୍ୟକ୍ତିବାଦ?
ପୁରସ୍କାର ଫେରାଇବା କୁ ‘ବ୍ୟକ୍ତିବାଦର ପ୍ରତିଷ୍ଠା ପାଇଁ’ ‘ଏକ ରାଜନୈତିକ ବିକଳ୍ପ ଭାବରେ’ ବ୍ୟବହାର ହେଉଥିବାର ଦେଖୁଛନ୍ତି ହରପ୍ରସାଦ ।ଏହା ପୂର୍ବରୁ ସେ ଲେଖନ୍ତି “ନିଜ ମତର ପ୍ରତିଷ୍ଠା ପାଇଁ କୁଲବର୍ଗୀ ଯାହା କଲେ, ତାକୁ ଆଳ କରି ଆମର ‘ବୋଧା’ମାନଙ୍କର ସରକାର-ନିନ୍ଦା କେଉଁ ପର୍ଯ୍ୟାୟର ବୈାଦ୍ଧିକତା?” ତାହାହେଲେ କ’ଣ ସ୍ୱାଧୀନ ମତ ବ୍ୟକ୍ତ କରିବାକୁ ବ୍ୟକ୍ତିବାଦର ପ୍ରତିଷ୍ଠା ବୋଲି ମନେ କରୁଛନ୍ତି ହରପ୍ରସାଦ ?  ତାଙ୍କ ମତରେ “ ‘ସହିଷ୍ଣୁତା’ ସପକ୍ଷରେ ଲୋକକ୍ଷେତ୍ରକୁ ଅନୁପ୍ରାଣିତ ନକରି ପୁରସ୍କାରଟିଏ ଫେରାଇବାର ପ୍ରହସନ କେତେ ଲଜ୍ଜାକର । ”  ଯଦି ବୋଧାମାନେ ପୁରସ୍କାର ଫେରାଇ ନ ଥାନ୍ତେ ତାହାହେଲେ ହରପ୍ରସାଦ ବୋଧାମାନଙ୍କୁ ‘ସହିଷ୍ଣୁତା’ ସପକ୍ଷରେ ଲୋକକ୍ଷେତ୍ରକୁ ଅନୁପ୍ରାଣିତ କରିବାର ଉପଦେଶ ଦେଇଥାନ୍ତେ କି ? ଅବଶ୍ୟ ତାଙ୍କ ପାଇଁ ତ ସମାଜରେ ଅସହିଷ୍ଣୁତା ନାହିଁ ଯେପରି କ୍ଷମତାସୀନ ଦଳର ମନ୍ତ୍ରୀମାନଙ୍କ ଦୃଷ୍ଟିରେ ନାହିଁ୫(There is no atmosphere of intolerance in the country-Jaitley),  ଯଦିଓ ପୁସ୍ତକ ଫେରାଉଥିବା ବୋଧା ମାନଙ୍କ ଭଳି ରାଷ୍ଟ୍ରପତି,ଉପରାଷ୍ଟ୍ରପତି, ରିଜର୍ଭ ବ୍ୟାଙ୍କ ଗଭର୍ନର, ଆଗ ଧାଡିର ଶିଳ୍ପପତି ନାରାୟଣ ମୂର୍ତ୍ତି ମଧ୍ୟ ଏହା ଦେଖି ପାରୁଛନ୍ତି । ହରପ୍ରସାଦଙ୍କ ଦୃଷ୍ଟିରେ  ପୁରସ୍କାର ଫେରାଇବାକୁ ବୋଧାମାନେ ‘ଯୋଗ୍ୟତା ମନେ କରନ୍ତି’ ଓ ଛିଗୁଲାଇ ଲେଖନ୍ତି “ବାୟୋଡାଟାରେ ଲେଖାହୁଏ ଅମୁକ ପୁରସ୍କାର (ପ୍ରତ୍ୟାଖାନ) ।” ଫେରାଇବାରେ କୈାଣସି ସେପରି ବଡପଣ ନାହିଁ ଏହା ଦର୍ଶାଇବାକୁ ଯାଇ ସେ ଲେଖନ୍ତି “ଗୋଟିଏ ପୁରସ୍କାରର ସମସ୍ତ ଆନୁଷଂଗିକ ଲାଭ ଉଠାଇ ସାରିଲାପରେ ହାତ ଅଚଳ ହେଲାବେଳକୁ ଫେରାଇବାରେ କି ବଡପଣ?” ଏହା ମଧ୍ୟ ଲୋକେ ପଚାରୁଛନ୍ତି ବୋଲି କୁହନ୍ତି ହରପ୍ରସାଦ । ତେବେ ଗୋଟିଏ ପୁରସ୍କାରର କ’ଣ ଆନୁଷଂଗିକ ଲାଭ ଅଛି ଯାହା ହାତ ଅଚଳ ହେଲେ ସମ୍ଭବ ହୁଏ ନା ? ଏହା ଜାଣିଥିବେ ହରପ୍ରସାଦ କାରଣ ତାଙ୍କର ଅକାଦେମୀ ପୁରସ୍କାର ପାଇବା ଇତ୍ୟବସରରେ ୧୬ ବର୍ଷ ହୋଇଗଲାଣି  । ମନେହୁଏ ହରପ୍ରସାଦ ବୋଧାମାନଙ୍କ ଗୁରୁତ୍ୱ ଉପଲବ୍ଧି କରିଛନ୍ତି ତା ନହେଲେ ସେ  ଲେଖନ୍ତେ ନାହିଁ , “ବୋଧାଙ୍କ ସମର୍ଥନ ଓ ସ୍ୱୀକାର ସମାଜର ସମ୍ପଦ ।” ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କୁ ଏହି ପରାମର୍ଶ ଦିଆଯିବା ଉଚିତ । ବୋଧାଙ୍କର ସ୍ୱରକୁ ନ ଶୁଣି ଯଦି କୁହାଯାଏ, ଯେପରି ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କୁହନ୍ତି୬ , ଯେ “ ଯଦି ସେମାନେ କହୁଛନ୍ତି ସେମାନେ ଲେଖିପାରୁ ନାହାନ୍ତି ତାହାହେଲେ ନ ଲେଖନ୍ତୁ ସେତେବେଳେ ଆମେ ଦେଖିବା ।” ତାହାହେଲେ ଏହି ଔଦ୍ଧତ୍ୟର ଭାଷାକୁ ସ୍ୱାଧୀନଚେତା ବୋଧା କିପରି ସ୍ୱୀକାର କରିପାରିବ?
ପୁରସ୍କାର ଫେରାଇଥିବା ସାହିତ୍ୟିକ ଭାରତୀୟ ବୁଦ୍ଧିଜୀବୀଙ୍କ ପ୍ରତିନିଧି ନୁହନ୍ତି !
ନିଶ୍ଚିତ ଭାବରେ ପୁରସ୍କାର ଫେରାଇବା ଘଟଣା ଦ୍ୱାରା ବହୁ ପୁରସ୍କୃତ ଲେଖକ ଏକ ଚାପରେ ଆସିଛନ୍ତି । କିନ୍ତୁ ଅନେକ ପୁରସ୍କାର ଫେରାଉ ନଥିବା ସାହିତ୍ୟିକ ପୁରସ୍କାର ଫେରାଉଥିବା ସାହିତ୍ୟିକଙ୍କ ନିଷ୍ପତ୍ତି ପ୍ରତି ସମ୍ମାନଶୀଳ ହୋଇଛନ୍ତି ଓ ସମାଜରେ ବଢିଥିବା ଭିନ୍ନ ମତ ପ୍ରତି ଅସହିଷ୍ଣୁତା ବିରୋଧରେ ତୀବ୍ରତାର ସହ ସ୍ୱର ଉଠାଇଛନ୍ତି । ଯେପରି ଅନୀତା ଦେଶାଇ୭, ମୃଦୁଳା ଗର୍ଗ୮, ଅମିତାଭ ଘୋଷ୯,  ବା ବଂଗଳାର ଲେଖକମାନେ୧୦ । ହରପ୍ରସାଦଙ୍କ ଠାରୁ ଯେଉଁମାନେ ଏହା ଆଶା କରୁଥିଲେ ସେମାନେ ନିରାଶ ହେବା ସ୍ୱାଭାବିକ । ହରପ୍ରସାଦ ଯେ ନିଜର ମତ ପୋଷଣ କରିବା ପାଇଁ ସ୍ୱତନ୍ତ୍ର ଏହାକୁ ତ ଅସ୍ୱୀକାର କରାଯାଇ ପାରିବ ନାହିଁ ।  କିନ୍ତୁ ଯେଉଁ ମତ ତାଙ୍କର ‘ବୋଧା’ ପରିଚିତିକୁ ହାସ୍ୟାସ୍ପଦ କଲା ପରି ମନେ ହେବ ତାହାକୁ ତ ସ୍ୱୀକାର କରିହେବ ନାହିଁ । ଯେପରି ମନ୍ତବ୍ୟ ଯେ “ଏ ଯେଉଁ ବିଶିଷ୍ଟମାନେ ପୁରସ୍କାର ଗ୍ରହଣ କରି, ତାର ସବୁ ରସ ପିଇ ସାରି ବହୁବର୍ଷ ପରେ ଏବେ ତାର ଖୋଳ ଫେରାଇବାକୁ ଚାହାନ୍ତି, ସେମାନେ ଭାରତୀୟ ବୁଦ୍ଧିଜୀବୀଙ୍କ ପ୍ରତିନିଧି ନୁହନ୍ତି ।” ଅର୍ଥାତ୍ ୮୮ ବର୍ଷିୟା ନୟନତାରା ସହଗଲ, ୯୦ ବର୍ଷିୟା କ୍ରିଷ୍ଣା ସୋବତୀ, କେକୀ ଦାରୁୱାଲା, ଭଳି ୪୦ ରୁ ଉର୍ଦ୍ଧ୍ୱ ସାହିତ୍ୟିକ ଭାରତୀୟ ବୁଦ୍ଧିଜୀବୀଙ୍କ ପ୍ରତିନିଧି ନୁହନ୍ତି! ଅନେକେ ପୁରସ୍କାର ଫେରାଇବା ସହ ଏକମତ ହୋଇନାହାନ୍ତି । ପୁରସ୍କାର ଫେରାଇ ସାହିତ୍ୟ ଅକାଦେମୀର ପ୍ରଭୂତ୍ୱକୁ ପ୍ରଶ୍ନ କରାଯାଉଛି ବୋଲି ଅଭିଯୋଗ ହୋଇଛି କିନ୍ତୁ ‘ସେମାନେ ଭାରତୀୟ ବୁଦ୍ଧିଜୀବୀଙ୍କର ପ୍ରତିନିଧି ନୁହନ୍ତି’ ଏପରି ମନ୍ତବ୍ୟ କରିବାର ଧୃଷ୍ଟତା କ୍ୱଚିତ କେହି ସାହିତ୍ୟିକ ବା କଳାକାର ଦେଖାଇଛନ୍ତି । ଅବଶ୍ୟ ବର୍ତ୍ତମାନ ହରପ୍ରସାଦଙ୍କଠାରୁ ଆଶା କରାଯାଇପାରେ ଭାରତୀୟ ବୁଦ୍ଧିଜୀବୀଙ୍କୁ ପ୍ରତିନିଧିତ୍ୱ କରୁଥିବା ସାହିତ୍ୟିକ ମାନଙ୍କର  ଏକ ତାଲିକା  ।
ହରପ୍ରସାଦଙ୍କ ସ୍ୱରରେ କ୍ଷମତାସୀନ ଦଳର ଭାଷା?
ଯେଉଁମାନେ ପୁରସ୍କାର ଫେରାଇବାର ପ୍ରସଂଗଟି ଉପରେ ବିତର୍କକୁ ନିରୀକ୍ଷଣ କରି ଆସୁଛନ୍ତି, ସେମାନେ ହରପ୍ରସାଦଙ୍କ ନିବନ୍ଧଟିରେ ସମୁଦାୟ ଯୁକ୍ତି ଓ ମନ୍ତବ୍ୟ କ୍ଷମତାସୀନ ଦଳର ମନ୍ତ୍ରୀ ଓ ଏହି ଦଳର ସମର୍ଥକ ସଂଗଠନମାନଙ୍କର ଯୁକ୍ତି ଓ ମନ୍ତବ୍ୟର ପ୍ରତିଧ୍ୱନି ଶୁଣୁଥିବେ । ଅବଶ୍ୟ ଏହା ଯଥେଷ୍ଟ ନୁହେଁ ଏହି ନିଷ୍କର୍ଷରେ ଉପନୀତ ହେବା ଯେ ହରପ୍ରସାଦ କ୍ଷମତାସୀନ ଦଳ ଓ ସମର୍ଥକ ସଂଗଠନମାନଙ୍କର  ପ୍ରବକ୍ତା । କିନ୍ତୁ ତାଙ୍କ ନିବନ୍ଧ ପଢିଲା ପରେ ସାଧାରଣ ଲୋକଙ୍କ ଭିତରେ ଏ ଧାରଣା ଜନ୍ମିବା ଅସମ୍ଭବ ନୁହେଁ । ଏହା ହେଲେ ସେମାନେ ପ୍ରଶ୍ନ କରିବା ମଧ୍ୟ ଅସମ୍ଭବ ନୁହେଁ ହରପ୍ରସାଦଙ୍କ ଦୃଷ୍ଟିରେ ଘଟଣା, ଯାହା ପୁରସ୍କାର ଫେରାଇବାର କାରଣ ,  ତାହା ହେଉଛି ଅତି କ୍ଷୁଦ୍ର ଘଟଣା । ତା ନହେଲେ ଏହି ପ୍ରସଂଗକୁ ଆସିବା ପୂର୍ବରୁ ସେ ମନ୍ତବ୍ୟ କରନ୍ତେ ନାହିଁ  ଯେ ‘ବୃହତ୍ତର ଘଟଣାମାନଙ୍କୁ ଆପେ ମଉଳି ଯିବାକୁ , ଛାଡିଦେଇ, ଆପାତତଃ କ୍ଷୁଦ୍ରତର ଘଟଣାମାନଙ୍କୁ ଭିଡି ଓଟାରି ବଡ କରିବା ଓ ଲୋକ କ୍ଷେତ୍ରରେ ଗୁଡେ ଫେଣ ଗଦାକରିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ’  କେଉଁ ଘଟଣାକୁ ହରପ୍ରସାଦ ବୃହତ୍ତର କହୁଛନ୍ତି ତାହାର ଦୃଷ୍ଟାନ୍ତ ଦେଇନାହାନ୍ତି । ତେବେ ଦାଭୋଲକର, ପନ୍ସାରେ, କୁଲବର୍ଗୀଙ୍କ ଭଳି ହେତୁବାଦୀଙ୍କର ଅଜଣା ଆତତାୟୀଙ୍କ ଦ୍ୱାରା ହତ୍ୟା ଓ ଦାଦ୍ରୀରେ ଏକ ମିଥ୍ୟା ଗୁଜବ କରାଇ ଅଖଲାକଙ୍କର ଏକ ଉନ୍ମାଦ ଗୋଷ୍ଟୀ ଦ୍ୱାରା ହତ୍ୟା,ଯାହାର ପ୍ରତିବାଦରେ ସାହିତ୍ୟିକମାନେ ସେମାନଙ୍କର ପୁରସ୍କାର ଫେରାଇବା ଆରମ୍ଭ କଲେ ତାହା ହରପ୍ରସାଦଙ୍କ ଦୃଷ୍ଟିରେ ଯେ କ୍ଷୁଦ୍ରତର ଘଟଣା ଏହାହିଁ ଉପରୋକ୍ତ ଉଦ୍ଧୃତିର ସମ୍ବାଦ । ଏହି ଉଦ୍ୟମରେ ସେ ହେତୁବାଦୀଙ୍କ ଉପରେ ଯେଉଁ ପ୍ରକାରର ମନ୍ତବ୍ୟମାନ କରିଛନ୍ତି ତାହା ଦେଖିଲେ ମନେହୁଏ ସତେ ଯେପରି ସେ ଦର୍ଶାଇବାକୁ ଚାହିଁଛନ୍ତି ଯେ ଏହି ହେତୁବାଦୀଙ୍କର ଆଚରଣ ହିଁ ସେମାନଙ୍କର ହତ୍ୟାକୁ ଆମନ୍ତ୍ରଣ କରିଥିଲା ।  ଏହି ମନ୍ତବ୍ୟ ଗୁଡିକ ହେଲା ‘ଏମାନେ ହିଁ ଏକା ବୋଧା ଆଉ ସମସ୍ତେ ନିର୍ବୋଧ’, ‘ଶିଳା ପ୍ରତିମାରେ ବିଶ୍ୱାସ ରଖିଲେ ଏ ବୋଧା ମହୋଦୟମାନଙ୍କର ଅସୁବିଧା କ’ଣ’, ‘ସିଧାସଳଖ ବିଶ୍ୱାସରେ କାର୍ଯ୍ୟ-କାରଣ ଖୋଜିବା କୋଉ ବୁଦ୍ଧିମାନର କାର୍ଯ୍ୟ’ ଇତ୍ୟାଦି ।  ଅର୍ଥାତ୍ ହେତୁବାଦୀ କୁଲବର୍ଗୀ ଯଦି ପିତୁଳା ପୂଜା ବା ପୋ÷÷ତ୍ତଳିକ ଧର୍ମଧାରାକୁ ବିରୋଧ କରୁ ନ ଥାନ୍ତେ ଓ ବିଶେଷତଃ ଯଦି ଦୋହରାଇ ନ ଥାନ୍ତେ ୟୁ ଆର ଅନନ୍ତମୂର୍ତ୍ତିଙ୍କର ‘ଶିଳା ପ୍ରତିମାରେ ପରିସ୍ରା’ କରିବାର ମନ୍ତବ୍ୟ, ତାହାହେଲେ ତାଙ୍କର ହତ୍ୟା ହୋଇ ନ ଥାନ୍ତା ! କିନ୍ତୁ  ୟୁ ଆର ଅନନ୍ତମୂର୍ତ୍ତିଙ୍କର ଏହି ମନ୍ତବ୍ୟ କନ୍ନଡ ସାହିତ୍ୟରେ ତ ୧୯୯୬ରୁ ଅଛି ।( ଏହାର ଉଲ୍ଲେଖ ହୋଇଛି ୧୯୯୬ରେ ପ୍ରକାଶିତ (ଓ ବହୁବାର ପୁନଃମୁଦ୍ରିତ)ତାଙ୍କର ଏକ ପ୍ରବନ୍ଧ ସଂଗ୍ରହ “ଈରଗ୍ଧଗ୍ଧବକ୍ଷର ଚଙ୍କହର ଣବଳର କଙ୍କୟବୟଷଙ୍କ” (Bettale Puje Yake Kudadhu” (roughly translated as “Why nude worship is not acceptable”.ରେ ।) ଏହି ମନ୍ତବ୍ୟକୁ  କୁଲବର୍ଗୀ ମହାଶୟ ଦୋହରାଇ ଥିଲେ ଜୁନ ୯, ୨୦୧୪ ଦିନ ଏକ ସଭାରେ  । ଏହା ପରେ ପରେ ଏହି ମନ୍ତବ୍ୟ ପାଇଁ ଉଭୟ ଅନନ୍ତମୂର୍ତ୍ତି ଓ କୁଲବର୍ଗୀଙ୍କ ବିରୁଦ୍ଧରେ ଦାୟର ହୋଇଥିଲା ଅଦାଲତରେ ମାମଲା୨ । ପ୍ରାୟ ସେହି ସମୟରୁ  ଆସୁଥିଲା ଧମକ ଓ ଏହାର ଅନ୍ତ ହେଲା, ୧୪ ମାସ ପରେ, ୩୦ ଅଗଷ୍ଟ ୨୦୧୫ରେ , ଯେତେବେଳେ କୁଲବର୍ଗୀ ଟଳି ପଡିଲେ ଅଜଣା ଆତତୟୀଙ୍କ ଗୁଳିରେ । ଏହା ବୋଧହୁଏ ଏକ ସଂଯୋଗ ମାତ୍ର ଥିଲା ଯେ କୁଲବର୍ଗୀଙ୍କୁ ଧମକ ଦେବା ଆରମ୍ଭ ହେବା ଓ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନଡିଏ କ୍ଷମତାସୀନ ହେବା ପ୍ରାୟ ଏକ ସମୟରେ ହେଉଥିଲା ଓ ପରବର୍ତ୍ତୀ ୧୪ ମାସରେ ବହୁ ଧର୍ମାନ୍ଧ ଗୋଷ୍ଠୀ ସକ୍ରିୟ ହୋଇ ଉଠୁଥିଲେ, ଲଭ ଜିହାଦ(Love Jihad),ଘର ୱାପସୀ(Gharwapsi), ଗୋମାଂସ(Beef) ଆଦି ପ୍ରସଂଗ ଉପରେ ଉନ୍ମାଦ ହେଉଥିଲେ, ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତି ଓ ସମୁଦାୟ ଭିତରେ ଏକ ଆତଙ୍କର ପରିବେଶ ସୃଷ୍ଟି କରୁଥିଲେ । ପ୍ରାୟ ସବୁ ବିଷୟ ଉପରେ ମୁଖର ପ୍ରଧାନମନ୍ତ୍ରୀ ଏହି ପରିବେଶ ଉପରେ ନୀରବତା ଅବଲମ୍ବନ କରିବା ଥିଲା ଅତ୍ୟନ୍ତ ବେଦନା ଦାୟକ ଯାହା ଅସହ୍ୟ ହେବାରୁ ବୋଧହୁଏ ପ୍ରଥମେ ରାଷ୍ଟ୍ରପତି ଏହି ପରିବେଶ ସମ୍ପର୍କରେ ମତ ରଖିଲେ ଓ ରାଷ୍ଟ୍ରପତିଙ୍କର ଉପଦେଶକୁ ସମସ୍ତେ ମାନନ୍ତୁ ଏହି ସନ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ବାଧ୍ୟ ହେଲେ ।
ଯେ କାହିଁକି ପୁରସ୍କାର ଫେରାଉଥିବା ସାହିତ୍ୟିକ ରାଜନୀତି କରୁଛନ୍ତି ବୋଲି ହରପ୍ରସାଦଙ୍କର ଅଭିଯୋଗ । ଅବଶ୍ୟ ତାଙ୍କର ଅଭିଯୋଗ ଛାୟା ରାଜନୀତି ବିରୋଧରେ । ତେଣୁ ନିବନ୍ଧକୁ  ଶେଷ କରିଛନ୍ତି  ପୁରସ୍କାର ଫେରାଉଥିବା ସାହିତ୍ୟିକଙ୍କୁ ଆହ୍ୱାନ ଦେଇ ଯେ , “ଛାୟା ରାଜନୀତି ପାଇଁ ଉପଲକ୍ଷ ଖୋଜିବାଠାରୁ ବହୁଗୁଣରେ ଶ୍ରେୟସ୍କର ବାସ୍ତବ ରାଜନୀତିରେ ପକ୍ଷଭୁକ୍ତ ହେବା । ବୋଧାମାନେ ତାହା କରି ପାରିବେ?” କହିବା ବାହୁଲ୍ୟ ଏହା ବିତ୍ତମନ୍ତ୍ରୀ ଅରୁଣ ଜେଟଲୀଙ୍କର ମନ୍ତବ୍ୟର ସିଧା ସଳଖ ପ୍ରତିଫଳନ । ଜେଟଲୀ କହିଥିଲେ୫ “The new strategy of anti-Modi, anti-BJP sections appears to be to resort to politics by other means”
ଉପସଂହାର
ଏହା ସ୍ୱାଭାବିକ ଯେ ହରପ୍ରସାଦ ନିଜେ ଜଣେ ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା ହୋଇଥିବାବେଳେ, ଅକାଦେମୀ ପୁରସ୍କାର ଫେରାଇବା ଘଟଣା ଓ ଏହାର ସମର୍ଥନରେ ବହୁ ସାହିତ୍ୟିକ, ସାହିତ୍ୟପ୍ରେମୀ ବୁଦ୍ଧିଜୀବୀମାନେ ଓଡିଶାର ପୁରସ୍କାର ପ୍ରାପ୍ତ ସାହିତ୍ୟିକମାନେ ମଧ୍ୟ ଫେରାନ୍ତୁ ବୋଲି ମତାମତ ଦେବା, ହରପ୍ରସାଦଙ୍କ ଉପରେ ଏକ ଚାପ ସୃଷ୍ଟି କରିଥିବ । ଏହି ଚାପର ପ୍ରତିକ୍ରିୟାରେ ହରପ୍ରସାଦ ବୋଧହୁଏ ଏହି ନିବନ୍ଧ ଲେଖିଥିବେ । ସେ ନିଜେ କାହିଁକି ଫେରାଉ ନାହାନ୍ତି ତାହା କୈାଣସି ସ୍ଥାନରେ ସ୍ୱତନ୍ତ୍ର ଭାବରେ ଯଦିଓ ଉଲ୍ଲେଖ କରି ନାହାନ୍ତି, କିନ୍ତୁ ନ ଫେରାଇବାର  ଯାଥାର୍ଥ୍ୟ ପ୍ରତିପାଦନ ପାଇଁ ଏହି ନିବନ୍ଧରେ ସଘନ ଉଦ୍ୟମ ହୋଇଛି । ଯେଉଁମାନେ ଫେରାଉଛନ୍ତି ସେମାନଙ୍କ ସମ୍ପର୍କରେ ଲଘୁ ମନ୍ତବ୍ୟ ଦେବା, ସେମାନେ ଭାରତୀୟ ବୁଦ୍ଧିଜୀବୀଙ୍କର ପ୍ରତିନିଧି ନୁହନ୍ତି ବୋଲି ଘୋଷଣା କରିବା, ଯେଉଁ ଘଟଣାର ପ୍ରତିବାଦରେ ସାହିତ୍ୟିକମାନେ ପୁରସ୍କାର ଫେରାଇଲେ ତାହାକୁ ସାଧାରଣ ଘଟଣା କହି ନ୍ୟୁନ କରିଦେବା, ହେତୁବାଦୀଙ୍କର ହତ୍ୟା ପାଇଁ ସେମାନେ ନିଜେ ଦାୟୀ ବୋଲି ଧାରଣା ଦେବା ଓ ପୁରସ୍କାର ଫେରାଉଥିବା ସାହିତ୍ୟିକ ମାନେ ଛାୟା ରାଜନୀତିରେ ମାତିଛନ୍ତି ବୋଲି ଅଭିଯୋଗ କରିବା -ତାଙ୍କର ଉକ୍ତ ଉଦ୍ୟମର ହେଉଛି କେତୋଟି ପାହାଚ । ତେଣୁ ପୁରସ୍କାର ଫେରାଇବା ଭଳି ‘ଲୋକଦେଖାଣିଆ ପ୍ରତିକ୍ରିୟା’ ପ୍ରଦର୍ଶନରେ ସାମିଲ ହୋଇ କାହିଁକି ସେ ଭାରତୀୟ ବୁଦ୍ଧିଜୀବୀଙ୍କୁ ପ୍ରତିନିଧିତ୍ୱ କରିବାର ଗୈାରବ ହରାଇବେ? ସେ ଏହି ନିବନ୍ଧ ଦ୍ୱାରା ସେମାନଙ୍କୁ ନିରାଶ କରିଛନ୍ତି ଯେଉଁମାନେ ଆଶା କରୁଥିଲେ ଯେ ପୁରସ୍କାର ଫେରାଇବାର ଘଟଣା ସେମାନେ ଓଡିଶା ମାଟିରେ ମଧ୍ୟ ଦେଖିବେ । କିନ୍ତୁ ଏହି ନିବନ୍ଧ ଦ୍ୱାରା ସେମାନେ ଆଶ୍ୱସ୍ତ ହେଉଥିବେ ଯେଉଁମାନେ ପୁରସ୍କାର ନଫେରାଇବାର ଯୁକ୍ତିର ସନ୍ଧାନରେ ଥିଲେ ବା ଯୁକ୍ତି ଉପସ୍ଥାପନ କରିବା ପାଇଁ ସାହସ ସଂଚୟ କରିପାରୁ ନଥିଲେ । ହରପ୍ରସାଦ ସେ ସାହସ ଦେଖାଇଛନ୍ତି, ଯୁକ୍ତି ଯେତେ ଭ୍ରାମକ ହେଉ ନା କାହିଁକି ।
ସହାୟକ ଉପାଦାନ ସୂଚୀ
୧.ସାହିତ୍ୟିକର ପ୍ରତିବାଦ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧-୧୫ ନଭେମ୍ବର, ୨୦୧୫

2Case against Ananthamurthy, Kalburgi for allegedly offending religious sentiments,Anisha Sheth | The News Minute | June 12, 2014
3.The Unmaking of India: Why I am Returning My Sahitya Akademi Award
4Authors returning awards: Hindu Mahasabha performs ‘Buddhi Shuddhi Yajna’ – Oneindia,Monday, October 19, 2015;http://www.oneindia.com/india/authors-returning-awards-hindu-mahasabha-performs-buddhi-shuddhi-narendra
5.Writers have manufactured a controversy & protest: Arun Jaitley, Times of India, Oct 15, 2015;http://timesofindia.indiatimes.com/india/Writers-have-manufactured-a-controversy-protest-Arun-Jaitley/articleshow/49372780.cms
6.Let (writers) stop writing, then we will see: Culture Minister Mahesh Sharma The Indian Express,October 13, 2015
7.Writers’protest: Ripples in UK | Free Press Journal By FPJ Bureau| Oct 22, 2015;http://www.freepressjournal.in/writers-protest-ripples-in-uk/
8.The Howl Anthology; http://www.outlookindia.com/printarticle.aspx?295613
9.Sahitya Akademi row: Now, author Amitav Ghosh hits out at Narendra Modi government,15 October 2015 | Latest News & Updat… http://www.dnaindia.com/india/report-sahitya-akademi-row-now-author-amitav-ghosh-hits-out-at-narendra-mod.
10.Bengal Intellectuals Seek President’s Intervention in Cases of Attacks on Rationalists,October 15, 2015;http://www.ndtv.com/india-news/bengal-intellectuals-seek-presidents-intervention-in-cases-of-attacks-on-rationalists-1232599?ndtv_prevstory

Print Friendly, PDF & Email