ବୀରେନ୍ଦ୍ର ନାୟକ

  • 04/04/2017

ପୁରସ୍କାରର ଯେ  ରସ ଥାଏ ଏହି ଭଳି ଏକ ଧାରଣା ଦେଇଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡିଆ ସାହିତ୍ୟିକ ହରପ୍ରସାଦ ଦାସ । ଏହି ଧାରଣା ଦେଇଛନ୍ତି  “ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’” (ସମାଜ, ୫ ନଭେମ୍ବର, ୨୦୧୫) ଶିରୋନାମାରେ ସେ ଲେଖିଥିବା ଏକ ନିବନ୍ଧରେ । ସେ ଲେଖନ୍ତି , “ଏ ଯେଉଁ ବିଶିଷ୍ଟମାନେ ପୁରସ୍କାର ଗ୍ରହଣ କରି ତା’ର ସବୁ ରସ ପିଇସାରି ବହୁ ବର୍ଷପରେ ଏବେ ତାର ଖୋଳ ଫେରାଇବାକୁ ଚାହାନ୍ତି ଏବଂ ତାହାରି ଆଳରେ ଲୋକକ୍ଷେତ୍ରକୁ ପ୍ରଭାବିତ କରିବାକୁ ଚାହାନ୍ତି ସେମାନେ ଭାରତୀୟ ବୁଦ୍ଧିଜୀବୀଙ୍କ ପ୍ରତିନିଧି ନୁହନ୍ତି ।” ଅର୍ଥାତ୍ ଯେଉଁମାନେ ବହୁବର୍ଷ ଧରି ପୁରସ୍କାରର ରସ ପିଇଚାଲିଛନ୍ତି କିନ୍ତୁ ପୁରସ୍କାର ଫେରାଉନାହାନ୍ତି ତେଣୁ ଲୋକକ୍ଷେତ୍ରକୁ ପ୍ରଭାବିତ କରୁନାହାନ୍ତି ସେମାନେ ହିଁ ହରପ୍ରସାଦଙ୍କ ଦୃଷ୍ଟିରେ ଭାରତୀୟ ବୁଦ୍ଧିଜୀବୀଙ୍କର ପ୍ରତିନିଧି ଅଟନ୍ତି । ୧୬ ବର୍ଷତଳେ, ୧୯୯୯ ମସିହାରେ, ର୍ଅକାଦେମୀ ପୁରସ୍କାର ପାଇଥିବା ହରପ୍ରସାଦ ତାଙ୍କ ନିଜ ଯୁକ୍ତିର ନିଷ୍କର୍ଷ ଅନୁସାରେ ଭାରତୀୟ ବୁଦ୍ଧିଜୀବୀଙ୍କର ପ୍ରତିନିଧି ଅଟନ୍ତି । ତେଣୁ ପୁରସ୍କାରର ଯେ ଏକ ରସ ଅଛି ବୋଲି ସେ ଯେତେବେଳେ ନିଶ୍ଚିତ  ସେତେବେଳେ ଏହି ଲେଖକ ଭଳି ସାହିତ୍ୟପ୍ରେମୀ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଧୃଷ୍ଟତା ହେବ । ତେବେ ଯାହା ମୋ ଭଳି ସାଧାରଣ ସାହିତ୍ୟପ୍ରେମୀ ଏଯାବତ୍ ବୁଝି ଆସିଛି ତାହା ହେଉଛି ଲେଖାରେ ରସ ଥାଏ ଯାହାକୁ ରସଗ୍ରାହୀ ପାଠକ ଉପଭୋଗ କରିଥାଏ, ଓ ଲେଖାରେ ରସ ହିଁ ଲେଖକକୁ ପୁରସ୍କାର ଯୋଗ୍ୟ କରାଏ । ଆଖ୍ୟାୟିକା ଅଛି ଯେ ଜଣେ କବି ତାଙ୍କର କବିତା ପାଣ୍ଡୁଲିପିକୁ ଅତି ଯତ୍ନର ସହ ଆବୃତକରି  ରାଜାଙ୍କ ଠାରେ ସମର୍ପିତ କରିବାକୁ ଚାହାଁନ୍ତେ, କୁତୁହଳୀ ରାଜା ଜାଣିବାକୁ ଚାହିଁଲେ ପାଣ୍ଡୁଲିପିଟିକୁ ଏପରି ଆବୃତକରି ଆଣିବାର କାରଣ । ଏହାର ଉତ୍ତରରେ କବି କହିଥିଲେ “ମୋ କବିତା ଏତେ ରସମୟ ଯେ ମୁଁ ଚାହେଁ ନା ଆଣୁ ଆଣୁ  କେଉଁଠି ରସ ତଳେ ପଡିଯାଉ ।” ତେଣୁ ଲେଖାହିଁ ରସମୟ ହୋଇପାରେ ଯାହାକୁ ଯେତେ ଉପଭୋଗ କଲେ ମଧ୍ୟ ତାହାର କ୍ଷୟ ହୁଏ ନାହିଁ ।  କିନ୍ତୁ ପୁରସ୍କାରରେ ଯେ ରସ ଥାଏ ଓ ଏହାକୁ ଶୋଷାଡି ନିଆଯାଇ ଶେଷକୁ ଖୋଳ ସର୍ବସ୍ୱ କରିଦିଆଯାଇପାରେ ଏହା ବାସ୍ତବିକ ସାଧାରଣ ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ଚକ୍ଷୁ ବିସ୍ଫାରିତକାରୀ ସୂଚନା । ବୋଧହୁଏ ଏହାହିଁ ଉତ୍ତର ହରପ୍ରସାଦ ନିଜେ , କେତୋଟି ଧାଡି ପୂର୍ବରୁ , ପଚାରିଥିବା  ପ୍ରଶ୍ନର ଯେ “ପୁରସ୍କାର ଫେରାଇବା ଲୋକଟା ପୁରସ୍କାର ପାଇବା ପାଇଁ କେତେ କଣ କରିଥିଲା । ଏବେ ସେଇ କାମ୍ୟ ପୁରସ୍କାରଟି ବର୍ଜ୍ୟ ହୋଇଗଲା କାହିଁକି ?” ଅର୍ଥାତ୍ ପୁରସ୍କାରର ରସ ନିଃଶେଷ ହୋଇଗଲା, ତେଣୁ ବର୍ଜ୍ୟ ହୋଇଗଲା । ହରପ୍ରସାଦଙ୍କ ଯୁକ୍ତି ଅନୁସାରେ ପୁରସ୍କାରର ରସ ହିଁ ପୁରସ୍କାର ଫେରାଉଥିବା ଲେଖକମାନଙ୍କର ଥିଲା ଏକଦା ଆକର୍ଷଣ ଓ ଏହାର ଆସ୍ୱାଦନର ସୁଯୋଗ ପାଇବା ପାଇଁ ସେମାନେ ‘କେତେ କଣ କରିଥିଲେ’ । ଏହି ଯୁକ୍ତିରେ ଅନ୍ତର୍ନିହିତ ରହିଛି ସମ୍ବାଦ ଯେ ପ୍ରତ୍ୟେକ ପୁରସ୍କାରକାମୀ ଲେଖକ ପୁରସ୍କାରର ରସ ଆସ୍ୱାଦନ ପାଇଁ ବ୍ୟାକୁଳ । ତେଣୁ କ’ଣ  ଏହି ରସ ? ଏହାର ବସ୍ତୁଗୁଣ କ’ଣ? କାରଣ ଏହା ନିଃଶେଷ ହୋଇ ଯାଉଛି ଓ ଏହା ସରିଗଲେ ଖୋଳ ମାତ୍ର   ହୋଇଯାଉଛି ପୁରସ୍କାର ! ଆମ ଭଳି ସାହିତ୍ୟପ୍ରେମୀ, କୈାଣସି ପୁରସ୍କାର ପାଇ ନ ଥିବା ସାଧାରଣ ବ୍ୟକ୍ତି ନିଶ୍ଚିତ ଭାବରେ ଏହାର ଆକଳନ କରି ପାରିବ ନାହିଁ । ତେବେ ପୁରସ୍କାର ରାଶି, ଉପଢୈାକନ, ମାନପତ୍ର ଭଳି କିଛି ଠୋସ (tangible) ଜିନିଷ ପୁରସ୍କାରରୁ ଉପଲବ୍ଧ ହେଉଥିବା ବେଳେ, ଏଥିରୁ ସମ୍ମାନ, ପତିଆରା, ସାଧାରଣଙ୍କ ଠାରୁ ଭିନ୍ନ ଓ ବିଶିଷ୍ଟ ହେବାର ଅନୁଭବ ଭଳି ଅମୂର୍ତ୍ତ (Intangible) ଜିନିଷ ଯେ ଉପଲବ୍ଧ ହୁଏ- ତାହା ଅସ୍ୱୀକାର କରାଯାଇ ନପାରେ । ତେଣୁ ପୁରସ୍କାର ଫେରାଉଥିବା ସାହିତ୍ୟିକଙ୍କ ପ୍ରତି ଯେଉଁମାନେ ବିମୁଖ ସେମାନେ ସ୍ୱାଭାବିକ ପ୍ରଶ୍ନ କରୁଛନ୍ତି ଯେ “ତୁମେ ପୁରସ୍କାର ରାଶି, ଉପଢୈାକନ, ମାନପତ୍ର ଫେରାଇ ଦେଉଛ ଠିକ । କିନ୍ତୁ ଏହି ପୁରସ୍କାର ଯୋଗୁଁ ଯେଉଁ ସମ୍ମାନ ବା ପତିଆରା ପାଇ ଆସିଛ ତାହାକୁ ତୁମେ ଫେରାଇ ପାରିବ କି?” ଆମ ଭଳି ସାଧାରଣ ସାହିତ୍ୟପ୍ରେମୀ ମନରେ ପ୍ରଶ୍ନ ଉଠେ ଯେ କେଉଁଟା ଆଗ । ପାଠକ ମହଲରେ ପ୍ରତିଷ୍ଟିତ ସାହିତ୍ୟିକକୁ ସମ୍ମାନିତ କରାଯାଏ ନା ପୁରସ୍କୃତ ହେଲା ପରେ ସାହିତ୍ୟିକ ପ୍ରତିଷ୍ଠିତ ହୁଏ ? ଯଦି ସାହିତ୍ୟିକ ପୁରସ୍କୃତ ହେବା ପୁର୍ବରୁ ପ୍ରତିଷ୍ଠିତ ତାହାହେଲେ ଉପରୋକ୍ତ ପ୍ରଶ୍ନ ଅର୍ଥହୀନ ଅଟେ । କିନ୍ତୁ ପୁରସ୍କୃତ ହେବା ପରେ ଯଦି ତାହାର ପ୍ରତିଷ୍ଠା ଆସିଛି ତାହାହେଲେ ଉପରୋକ୍ତ ପ୍ରଶ୍ନ ଅସାର ହୋଇ ନପାରେ । ଏଠାରେ ଯେଉଁ ପୁରସ୍କାରକୁ ନେଇ ଆଲୋଚନା ତାହା ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ ଅନୁଷ୍ଠାନ ଗୁଡିକ ଦ୍ୱାରା ପ୍ରଦତ୍ତ ପୁରସ୍କାର । କାରଣ ବହୁ ବେସରକାରୀ ପୁରସ୍କାର ମଧ୍ୟ ସାହିତ୍ୟିକମାନଙ୍କ ପାଇଁ ରହିଛି । ଶିଳ୍ପପତିମାନଙ୍କ ପୃଷ୍ଠପୋଷକତାରେ ଜ୍ଞାନପୀଠ, ସରସ୍ୱତୀ ସମ୍ମାନ ବା ସାରଳା ପୁରସ୍କାର ଆଦି ପ୍ରତିଷ୍ଠିତ ହୋଇଥିବା ବେଳେ ବହୁ ଛୋଟ ବଡ ସାହିତ୍ୟ-କଳା ଅନୁଷ୍ଠାନମାନେ ମଧ୍ୟ  ଆକର୍ଷଣୀୟ ବାର୍ଷିକ ସମାରୋହ ଅନୁଷ୍ଠିତକରି ସାହିତ୍ୟିକମାନଙ୍କୁ ପୁରସ୍କୃତ କରୁଛନ୍ତି । ଏହିଭଳି ବେସରକାରୀ ପୁରସ୍କାର କୈାଣସି ସାହିତ୍ୟିକ ଏଯାବତ୍ ଫେରାଇଥିବା ଆମ୍ଭ ଦୃଷ୍ଟିକୁ ଆସି ନାହିଁ ।  ତେଣୁ ହରପ୍ରସାଦ ଯେଉଁ ପୁରସ୍କାରର ରସ ପ୍ରତି ଇଂଗିତ କରୁଛନ୍ତି ତାହା କେବଳ ସାହିତ୍ୟ ଅକାଦେମୀ ଦ୍ୱାରା ଦିଆଯାଉଥିବା ପୁରସ୍କାରରେ ହିଁ ସୀମିତ । କିନ୍ତୁ ରାଷ୍ଟ୍ରୀୟ ପ୍ରତିଷ୍ଠାନ ଦ୍ୱାରା ପୁରସ୍କୃତ ହେବା ଯେ ସାହିତ୍ୟିକକୁ ଏକ ପ୍ରତିଷ୍ଠା ଦିଏ ଏହାକୁ ଅସ୍ୱୀକାର କରାଯାଇ ନପାରେ । ଏକଦା ରାଜା ମହାରାଜାଙ୍କ ଦ୍ୱାରା ପୁରସ୍କୃତ କବି ଯେଉଁ ତୃପ୍ତି ଲାଭ କରିଥିଲା ସେହି ଭଳି ତୃପ୍ତି ପାଇଥାଏ ରାଷ୍ଟ୍ରୀୟ ପ୍ରତିଷ୍ଠାନ ଦ୍ୱାରା ପୁରସ୍କୃତ ସାହିତ୍ୟିକ । ଏହାତ କ୍ୱଚିତ ଦେଖାଯାଏ ଯେ ସାହିତ୍ୟିକ ପୁରସ୍କାର ପାଇବାର ସମ୍ଭାବନାକୁ ସଚେତ ମନରେ ନିର୍ବାପିତ କରିଦେଉଛି, ନିଜର ଲେଖିବାର ସ୍ୱାଧୀନତାକୁ କାଏମ ରଖିବା ପାଇଁ ପୁରସ୍କାରର ପ୍ରଲୋଭନକୁ, ଏପରିକି ମୃତ୍ୟୁଦଣ୍ଡର ଧମକକୁ ବେଖାତିର କରୁଛି ବା ପୁରସ୍କୃତ ନ ହେବା ପାଇଁ ନିବେଦନ କରୁଛି ।
କବି କୃଷ୍ଣ ଦାସ
ଆମ ଓଡିଆ ସାହିତ୍ୟ ପରମ୍ଫରାରେ ଏହା ଦେଖାଯାଏ ଯେତେବେଳେ କବି କୃଷ୍ଣ ଦାସ, ସମସ୍ତ ପ୍ରକାରର ଧମକ ସତ୍ତେ୍ୱ , ପ୍ରତ୍ୟାଖ୍ୟାନ କରନ୍ତି ରାଜା ଦେଖାଉଥିବା ବିଭିନ୍ନ ବିଷୟୀ ପ୍ରଲୋଭନକୁ । ରାଜା ଚାହୁଁଥିଲେ କବି କୃଷ୍ଣ ଦାସ ତାଙ୍କର ଭଣିତା ଲେଖନ୍ତୁ ଓ ଏହାକୁ କୃଷ୍ଣଦାସ କିପରି ପ୍ରତ୍ୟାଖ୍ୟାନ କରୁଛନ୍ତି ତାହାର ନିଛକ ଚିତ୍ର ମିଳେ ରାଜା ଓ କୃଷ୍ଣଦାସଙ୍କ ମଧ୍ୟରେ ନିମ୍ନୋକ୍ତ କଥୋପକଥନରେ୧ା
ଶୁଣ ହେ କବି କୃଷ୍ଣଦାସ                 ହୋଇଣ ଥିବ ଦିବ୍ୟ ବେଶ
ସୁନ୍ଦର ମଧୁର କଠଣ                         ଗୀତ କରିଣ ନାମେ ଭଣ
ତୁମ୍ଭକୁ କରିବା ପୋ÷÷ରୁଷ                 ତାହା ଶୁଣିଣ କୃଷ୍ଣଦାସ ……….
ବୋଇଲା ଶୁଣ ନୃପନାଥ                କେବଳ ଦେବ ଜଗନ୍ନାଥ
ଏ ପିଣ୍ଡ ବିକିଅଛି ତାରେ                ଗୀତ ମୁଁ ନ ବୋଲେ ଅନ୍ୟରେ
ଏ କଥା ଅନ୍ୟ ହେବ କାହୁଁ             ଦୁଃଖ ନ କରି ଆଜ୍ଞା ହେଉ
ତାହା ଶୁଣିଣ ଦଣ୍ଡଧର        ପୁଣି ବୋଇଲେ ଗୀତକର
ମୋ ନାମ ଭଣିଲେ ଅବଶ୍ୟ        ଅନେକ ଦେବି ଗ୍ରାମଦେଶ
ମୋ ରାଜ୍ୟେ ଦେବି ଅଧିକାର        ଦେଖ ମୁଁ ଜଗତ ଇଶ୍ୱର
ନୋହିଲେ ମରିବୁ ଅବଶ୍ୟ        ଛାଡ ତୋ ଜୀବନର ଆଶ
କେ ଆସି ରଖିବଟି  ତୋତେ              ଏହା ତୁ କହୁଅଛୁ ମୋତେ
ଦାସେ ବୋଇଲେ ତାହା ଶୁଣି        ଶୁଣ ହେ ନୃପ ଚୂଡାମଣି
ତୁମ୍ଭଙ୍କୁ ନାହିଁ ମୋର ଡର         ମୋ ପ୍ରଭୁ ବଳେ ବଳିୟାର
ଜଗତ ସୃଷ୍ଟି ଆନ ହେଲେ        ଗୀତ ମୁଁ ଆନକୁ ନ ବୋଲେ ।
ଲିଓ ଟଲଷ୍ଟୟ
ପୁରସ୍କୃତ ନ ହେବା ପାଇଁ ନିବେଦନ କରିଥିଲେ ପ୍ରସିଦ୍ଧ ଔପନ୍ୟାସିକ ଲିଓ ଟଲଷ୍ଟୟ । ୧୯୦୧ ମସିହାରେ ଯେତେବେଳେ ନୋବେଲ ପୁରସ୍କାର ପ୍ରଦାନ ଆରମ୍ଭ ହେଲା ସେତେବେଳେ ସମସ୍ତେ ଆଶା କରିଥିଲେ ସାହିତ୍ୟ କ୍ଷେତ୍ରରେ ପ୍ରଥମ ନୋବେଲ ପୁରସ୍କାର ବିଜେତା ହେବେ ଟଲଷ୍ଟୟ । ଏହା ହେଲା ନାହିଁ । ପ୍ରାୟ ଅଜଣା ଫରାସୀ କବି Sully Prudhomme ର  ପ୍ରଥମ ନୋବେଲ ପୁରସ୍କାର ବିଜେତା ହେବାର ସୈାଭାଗ୍ୟ ପାଇଲେ । ଏହା ଭିନ୍ନ କଥା ଯେ ଆଜି କେହି ତାଙ୍କୁ ସ୍ମରଣ କରିପାରନ୍ତି ନାହିଁ । ଅପରପକ୍ଷରେ ଟଲଷ୍ଟୟ ନପାଇବା ସେ ସମୟର ସାହିତ୍ୟିକମାନଙ୍କୁ ବେଶ ବ୍ୟଥିତ କରିଥିଲା । ସ୍ୱିଡିଶ ଏକାଡେମୀର ଏହି ଭଳି ନିଷ୍ପତ୍ତି ଦ୍ୱାରା ଟଲଷ୍ଟୟଙ୍କ ପ୍ରତି ଅନ୍ୟାୟ ହୋଇଛି ଦର୍ଶାଇ ସ୍ୱିଡେନର ୪୦ରୁ ଉଦ୍ଧ୍ୱର୍ ଲେଖକ ଓ କଳାକାର  ଟଲଷ୍ଟୟଙ୍କୁ ଏକ ପତ୍ର ଲେଖିଥିଲେ । ସେମାନେ ଲେଖିଥିଲେ, “ପ୍ରଥମ ନୋବେଲ ପ୍ରାଇଜ ପ୍ରଦାନ ପ୍ରସଂଗରେ, ଆମ୍ଭେ  ଆପଣଙ୍କ ପ୍ରତି ଆମ୍ଭର ଆଦର ବ୍ୟକ୍ତ କରିବାକୁ ଚାହୁଁ । ଆମ୍ଭେ ଆପଣଙ୍କୁ ଆଧୁନିକ ସାହିତ୍ୟର ସମ୍ମାନାସ୍ପଦ କୁଳବୃଦ୍ଧ ବୋଲି କେବଳ ବିଚାର କରୁନା, ଆମ୍ଭେ ଆପଣଙ୍କୁ ସେହି ଶକ୍ତିଶାଳୀ ମର୍ମସ୍ପର୍ଶୀ କବିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଚାର କରୁ ଯେଉଁମାନେ ସର୍ବପ୍ରଥମେ ସ୍ମରଣୀୟ ହେବାର ଯୋଗ୍ୟତା ବହନ କରନ୍ତି । ଆମ୍ଭେ ଏହି ପ୍ରଶଂସାପତ୍ର ଆପଣଙ୍କ ନିକଟକୁ ଲେଖିବାର ଆବଶ୍ୟକତା ଅନୁଭବ କଲୁ କାରଣ ଆମ୍ଭେ ବିଶ୍ୱାସ କରୁ ଯେ ଯେଉଁ ସଂସ୍ଥା ଏହି ପୁରସ୍କାରର ଦାୟିତ୍ୱରେ, ତାହା ଜନମତକୁ ବା ଲେଖକମାନଙ୍କର ମତକୁ ପ୍ରତିଧ୍ୱନିତ କରୁନାହିଁ । ସମସ୍ତେ ଜାଣନ୍ତୁ ଯେ ତାହାହିଁ ହେଉଛି ପ୍ରକୃତ କଳା ଯାହା ଚିନ୍ତା ଓ ସୃଜନଶୀଳତାର ସ୍ୱାଧୀନତା ଉପରେ ପର୍ଯ୍ୟବେସିତ୨ ।”  ଏହାର ଉତ୍ତରରେ ଟଲଷ୍ଟୟ ଲେଖିଥିଲେ, “ପ୍ରିୟ ବଂଧୁଗଣ, ମୁଁ ଏହା ଜାଣି ଅତ୍ୟନ୍ତ ଖୁସି ଯେ ନୋବେଲ ପୁରସ୍କାର ମୋତେ ଦିଆଯାଇ ନାହିଁ । ପ୍ରଥମତଃ,   ଏହି ପଇସାକୁ କିପରି ବ୍ୟବହାର କରିବି, ଏହି ବିରାଟ ସମସ୍ୟାରୁ ଏହା ମୋତେ ବଂଚିତ କଲା । ମୁଁ ନିଶ୍ଚିତ ଯେ ଏହି ପଇସା, ଏପରିକି ପଇସା ମାତ୍ରେ, କେବଳ ଅନିଷ୍ଟ ହିଁ ଆଣିପାରେ । ଦ୍ୱିତୀୟତଃ, ଏହା ମୋର ସୈାଭାଗ୍ୟ ଯେ ଯେଉଁମାନଙ୍କୁ ମୁଁ ଜାଣେ ନାହିଁ ସେମାନଙ୍କଠାରୁ ଏତେ ସଂଖ୍ୟାରେ ସହାନୁଭୂତିଭରା ସମର୍ଥନର ପତ୍ର ପାଉଛି । ମୁଁ ବାସ୍ତବିକ ସେଗୁଡିକୁ ବେଶ ଉପଭୋଗ କରୁଛି । ମୋର ଆନ୍ତରିକ କୃତଜ୍ଞତା ଗ୍ରହଣ କରିବେ । ଲିଓ ଟଲଷ୍ଟୟ ।୨”     ଏହା ପରେ ୧୯୦୬ ମସିହାରେ ଟଲଷ୍ଟୟଙ୍କ ନାଁ ନୋବେଲ ପୁରସ୍କାର ପାଇଁ ମନୋନୀତ କରିଥିଲା  The Russian Academy of Sciences. ଓ ପ୍ରସ୍ତାବକୁ ସ୍ୱିଡେନ ପଠାଇଥିଲା । ଏହି ଖବରଟି ଟଲଷ୍ଟୟଙ୍କ ପାଖରେ ପହଁଚନ୍ତେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଲେଖିଲେ, “ଏହା ଯଦି ହେବାକୁ ଯାଉଛି ତାହାହେଲେ ଏହାକୁ ମନା କରିବା ଅତ୍ୟନ୍ତ ଅପ୍ରିତୀକର ହେବ । ତେଣୁ ଆପଣଙ୍କଠାରୁ ମୁଁ  ଏକ ଅନୁଗ୍ରହ ଚାହୁଁଛି । ଯଦି ଆପଣଙ୍କର ସ୍ୱିଡେନରେ କୈାଣସି ଚିହ୍ନା ପରିଚିତି ଅଛି (ମୁଁ ଭାବୁଛି ଅଛି), ଦୟାକରି ଏପରି କିଛି କରନ୍ତୁ ଯେପରି ମୋତେ ଏହି ପୁରସ୍କାର ମିଳିବ ନାହିଁ । ଦୟାକରି ଯଥା ସମ୍ଭବ ଚେଷ୍ଟା କରନ୍ତୁ ଯେପରି ଏହି ପୁରସ୍କାର ମୋ ଆଡକୁ ନ ଆସେ୨ ।”  ପୁରସ୍କାର ପ୍ରତ୍ୟାଖ୍ୟାନ କରିବା ଯେ ଏକ ଅପ୍ରିୟ ନିଷ୍ପତ୍ତି ଏହା ଟଲଷ୍ଟୟ ବୁଝିଥିଲେ ।
ଜାଁ ପଲ ସାର୍ତ୍ତ
କିନ୍ତୁ ଏହି ଘଟଣାର ପ୍ରାୟ ଛଅ ଦଶନ୍ଧି ପରେ ନୋବେଲ ପୁରସ୍କାର ପ୍ରତ୍ୟାଖାନ କରିବାର ଏକ ଅପ୍ରିୟ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ଫରାସୀ ଦାର୍ଶନିକ, ସାହିତ୍ୟିକ ଜାଁ ପଲ ସାର୍ତ୍ତ । ୧୯୬୪ ମସିହା ସାହିତ୍ୟରେ ନୋବେଲ ପୁରସ୍କାର ଗ୍ରହଣ କରବାକୁ ମନା କରିଦେଇଥିଲେ ସାର୍ତ୍ତ । କିନ୍ତୁ ସ୍ୱିଡଶ ଏକାଡେମୀର ଅଭିଲେଖାଗାର ଦ୍ୱାରା ପ୍ରଘଟ କରାଯାଇଥିବା ସାର୍ତ୍ତଙ୍କର ଏକ ପତ୍ରରୁ ଜଣାଯାଏ ଯେ ଯଦି ଏହି ପତ୍ରଟି ୧୭ ସେପ୍ଟେମ୍ବର ୧୯୬୪ ପୂର୍ବରୁ ଚୟନ କମିଟି ନିକଟରେ ପହଂଚିଥାନ୍ତା ତାହେଲେ ମନା କରିବାଯାଏ କଥା ଯାଇନଥାନ୍ତା । କାରଣ ୧୭ ସେପ୍ଟେମ୍ବର ୧୯୬୪  ଦିନ  ଚୟନ କମିଟି ସାର୍ତ୍ତଙ୍କ ନାଁ ନୋବେଲ ପୁରସ୍କାର ପାଇଁ ସୁପାରିଶ କରିଥିଲା । ସାର୍ତ୍ତ ନୋବେଲ ପୁରସ୍କାର ପାଇଁ ତାଙ୍କ ନାଁକୁ ବିଚାର କରାନଯାଉ  ବୋଲି ଚୟନ କମିଟିକୁ ପତ୍ର ଲେଖିଥିଲେ ୧୪ ଅକ୍ଟୋବର ୧୯୬୪ ଦିନ । କିନ୍ତୁ ଏହା ହେଲା ନାହିଁ । ସାର୍ତ୍ତଙ୍କ ନାଁ ଘୋଷଣା କରାଗଲା ନୋବେଲ ପୁରସ୍କାର ବିଜେତା ଭାବେ । ସାର୍ତ୍ତ ତାଙ୍କ ନିଜ କଥା ରଖି ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କଲେ । ତାଙ୍କ ଭାଷାରେ, “ମୁଁ ସବୁବେଳେ ଆଫିସିକ (official) ସମ୍ମାନକୁ ଅସ୍ୱୀକାର କରିଛି । ଲେଖକ ନିଜକୁ ଏକ ଅନୁଷ୍ଠାନରେ ବଦଳି ଯିବାର ସମ୍ଭାବନାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ । ମୋର ଏହି ଦୃଷ୍ଟିକୋଣ ଲେଖକର କାର୍ଯ୍ୟ ସମ୍ପର୍କରେ ଧାରଣା ଉପରେ ପର୍ଯ୍ୟବେସିତ । ଲେଖକ ଯିଏ ରାଜନୈତିକ, ସାମାଜିକ ଓ ସାହିତ୍ୟିକ କ୍ଷେତ୍ରରେ ନିଜସ୍ୱ ଏକ ବିଚାର ରଖେ, ସେ କେବଳ ସେହି ସାଧନ ମଧ୍ୟରେ କାମ କରିବା ଉଚିତ ଯାହା ତାହାର ନିଜର, ଅର୍ଥାତ୍ ଲିଖିତ ଶବ୍ଦ୩ ।” କହିବା ବାହୁଲ୍ୟ ନୋବେଲ ପୁରସ୍କାରର ରସ ଆସ୍ୱାଦନର ପ୍ରଲୋଭନକୁ ଟଲଷ୍ଟୟ ଓ ସାର୍ତ୍ତ  ଅତିକ୍ରମ କରିପାରିଥିଲେ । କିନ୍ତୁ ଆମେ ଜାଣିରଖିବା ଉଚିତ ଯେ ନୋବେଲ ପୁରସ୍କାରର ପ୍ରଲୋଭନ ଏଡାଇବା ଏତେ ସହଜ ନୁହେଁ  । କାରଣ ୧୯୨୬ ମସିହାରେ ପୁଲିଜର ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ‘ସବୁ ପୁରସ୍କାର, ସବୁ ଉପାଧି ଭଳି, ମାରାତ୍ୱକ ’ କହୁଥିବା ସାହିତ୍ୟିକ Sinclair Lewis  ୧୯୩୦ ମସିହାରେ ନୋବେଲ ପୁରସ୍କାରକୁ ଗ୍ରହଣ କରିଥିଲେ ଓ   ସାହିତ୍ୟରେ ଆମେରିକାର  ପ୍ରଥମ ନୋବେଲ ପୁରସ୍କାର ବିଜେତାର ଗୈାରବ ଅର୍ଜନ କରିଥିଲେ୪ ।
୧୯୫୫ରୁ ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ସାହିତ୍ୟ ଅକାଦେମୀ ପୁରସ୍କାର ଏଯାବତ୍  ବିଭିନ୍ନ ଭାଷାରେ ପାଇଥିବା ସାହିତ୍ୟିକଙ୍କ ସଂଖ୍ୟା ପ୍ରାୟ ୧୦୦୦ରୁ ଅଧିକ । ରାଜ୍ୟ ସାହିତ୍ୟ ଅକାଦେମୀମାନଙ୍କ ଦ୍ୱାରା ପୁରସ୍କୃତ ସାହିତ୍ୟିକ ମାନଙ୍କର ସଂଖ୍ୟାକୁ ଅନ୍ତର୍ଭୁକ୍ତ କରଲେ ଅକାଦେମୀ ପୁରସ୍କୃତ ସାହିତ୍ୟିକଙ୍କ ସଂଖ୍ୟା ବେଶ ଅଧିକ ହେବ । କହିବା ବାହୁଲ୍ୟ ଯେ ଯେଉଁମାନେ ଏଯାବତ୍ ସେମାନଙ୍କର  ଅକାଦେମୀ ପୁରସ୍କାର ଫେରାଇଛନ୍ତି ସେମାନଙ୍କର ସଂଖ୍ୟା ମାତ୍ର ଚାଳିଶ ପାଖାପାଖି । ଅର୍ଥାତ୍  ପୁରସ୍କୃତ ସାହିତ୍ୟିକଙ୍କର ଏକ ବେଶ ବଡ ଅଂଶ  ହରପ୍ରସାଦ ଇଂଗିତ କରିଥିବା ପୁରସ୍କାରର ରସ ଆସ୍ୱାଦନ କରୁଛନ୍ତି । ଏହା ହରପ୍ରସାଦଙ୍କୁ ଆଶ୍ୱସ୍ତ କରିବା ଉଚିତ । ତେଣୁଁ ହାତଗଣତି ସାହିତ୍ୟିକ ପୁରସ୍କାର ଫେରାଇ ଯଦି ପୁରସ୍କାରର ରସ ଆସ୍ୱାଦନ କାଏମ ରଖିବାକୁ ଚାହାନ୍ତି ନାହିଁ ତେବେ ହରପ୍ରସାଦ ବା ତାଙ୍କର ସମଧର୍ମା ମାନେ କାହିଁକି ବିବ୍ରତ ?

ସହାୟକ ଉପାଦାନ ସୂଚୀ

୧.‘ଦାର୍ଢ୍ୟତା ଭକ୍ତି’, ଭକ୍ତକବି ରାମଦାସ, ଧର୍ମଗ୍ରନ୍ଥ ଷ୍ଟୋର, ନୂତନ ମୁଦ୍ରଣ, ପୃ-୧୪୯

2.Why wasn’t Leo Tolstoy rewarded with a Nobel Prize? Print version. PravdaReport http://www.pravdareport.com/russia/politics/09-09-2002/1074-nobel-0/?mode=print
3.Jean-Paul Sartre: more relevant now than ever | Books | The Guardian http://www.theguardian.com/books/2014/oct/22/jean-paul-sartre-refuses-nobel-prize-literature-50-years-books,Jean-Paul Sartre: more relevant now than ever, Stuart Jeffries Wednesday 22 October 2014 14.27 BST
4.Letters of Note: All prizes, like all titles, are dangerous http://www.lettersofnote.com/2012/09/all-prizes-like-all-titles-are-dangerous.html;Sinclair Lewis – Sinclair Lewis: Won’t Pulitzer, Will Nobel, http://www.todayinliterature.com/stories.wk.asp?Event_Date=5/5/1926

Print Friendly, PDF & Email