ସ୍ତ୍ରୀର ସମସ୍ତ ବାରଣ ସତ୍ତେ୍ୱ ନିମନ୍ତ୍ରଣ ପତ୍ରଟିର ନିଆଁ ଲଗାଇଦେଲେ ସ୍ୱପ୍ନେଶ୍ୱର ।
ସେ ବୁଝିଥିଲେ ଯେ, ମୃତ୍ୟୁ ଖବର ଧରି ଆସିଥିବା ପତ୍ରରେ ହିଁ ନିଆଁ ଲଗାଯାଏ, ବିବାହ ଖବର ଆସିଥିବା ପତ୍ରରେ ନୁହେଁ ।
କିନ୍ତୁ ସ୍ୱପ୍ନେଶ୍ୱରଙ୍କ ପାଇଁ ଏ ବି ଏକ ମୃତ୍ୟୁ ଖବର ଥିଲା – ଏକ ଆଦର୍ଶର ମୃତ୍ୟୁ ।
ସୁଲକ୍ଷଣା ନୀରବ ରହିଥିଲେ ।
ବୋଧେ ପ୍ରଥମଥର ପାଇଁ ସୁଲକ୍ଷଣା ଦେଖୁଥିଲେ – ସଞ୍ଜୀବ ସମ୍ପର୍କିତ ଏକ ସୁଖକର ଘଟଣା ସ୍ୱପ୍ନେଶ୍ୱରଙ୍କ ଭିତରେ କେତେ ବିରକ୍ତି ଓ ଘୃଣା ସୃଷ୍ଟି କରିପାରେ ।
ସ୍ୱପ୍ନେଶ୍ୱର – ସୁଲକ୍ଷଣାଙ୍କର ସନ୍ତାନହୀନ ଜୀବନରେ ସଞ୍ଜୀବର ଆବିର୍ଭାବ ଓ ତା ସହିତ ସେମାନଙ୍କ ମନରେ କେତେ ଆଶା ଓ ପରିପୂର୍ଣ୍ଣତାର ଆତ୍ମତୃପ୍ତି ଯେ ଦିନେ ଏଭଳି ଏକ ନିଷ୍ଠୁର ପର୍ଯ୍ୟାୟ ଦେଇ ଗତି କରିବ, ତାହା କିଏ ବା ଆଶଙ୍କା କରିଥିଲା ?
ସ୍ୱପ୍ନେଶ୍ୱର ସଞ୍ଜୀବକୁ ପ୍ରଥମଥର ପାଇଁ ଦେଖନ୍ତି, ଯେତେବେଳେ ସେ ତାଙ୍କ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଆସି ପ୍ରବେଶ କରେ । ସ୍କୁଲ ହଷ୍ଟେଲର ଦାୟିତ୍ୱରେ ଥା’ନ୍ତି ସ୍ୱପ୍ନେଶ୍ୱର । ହେଡମାଷ୍ଟର ମହୋଦୟ ତାଙ୍କୁ ଡକାଇ କହିଥିଲେ, ‘‘ସ୍ୱପ୍ନେଶ୍ୱର ବାବୁ, ସଞ୍ଜୀବ ପିଲାଟି ଭାରି ମେଧାବୀ, କିନ୍ତୁ ଖୁବ୍ ଗରୀବ । ହଷ୍ଟେଲରେ ଆପଣ ତା’ର ଟିକେ ଯତ୍ନ ନେବେ ।’’
ହଷ୍ଟେଲରେ ରହିବାର ସମସ୍ତ ବ୍ୟବସ୍ଥା କରିଦେଇ ସ୍ୱପ୍ନେଶ୍ୱର ସଞ୍ଜୀବକୁ ତାଙ୍କ ଘରେ ଖାଇବା ପାଇଁ ଡାକିଥିଲେ । ପ୍ରତ୍ୟେକ ନୂତନ ଅନ୍ତେବାସୀଙ୍କୁ ଡାକି ଘରେ ଦିନେ ଦିନେ ଖୋଇବା ସ୍ୱପ୍ନେଶ୍ୱରଙ୍କର ପ୍ରାୟ ଏକ ଅଭ୍ୟାସ ହୋଇଯାଇଥିଲା । ସନ୍ତାନହୀନ ଜୀବନର ରିକ୍ତତା କିଛିଟା ପୂରଣ ହୋଇଯାଉଥିଲା ।
ଖାଇବାବେଳେ ଦିନେ ସ୍ୱପ୍ନେଶ୍ୱର ଜାଣିଲେ ଯେ, ସଞ୍ଜୀବର ବାପା ଗାଁ ମନ୍ଦିରର ପୂଜକ । ଭଉଣୀ ଦୁଇ-ଭାଇ ଏକ । ଦୁଇ ଏକର ମାତ୍ର ଜମି । ମ୍ୟାଟ୍ରିକଟା ପାସ୍ କରିଗଲେ ଗାଁ ଅପର ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରିବ – ଏତିକି ମାତ୍ର ତା’ର ଅଭିଳାଷ । ତା ଉପରେ ଭାଇ ଭଉଣୀଙ୍କ – ସେମାନଙ୍କୁ ଉଠାଇବ ।
ସେଦିନ ରାତିରେ ସୁଲକ୍ଷଣା କହିଥିଲେ, ‘‘ ଏ ପିଲାଟି ପରା ଖୁବ୍ ମେଧାବୀ – ଏହାର ଦାୟିତ୍ୱ ଆମେ ନେଲେ କିମିତି ହ’ନ୍ତା ? ମ୍ୟାଟ୍ରିକ କ’ଣ ଗୋଟିଏ ପଢାରେ ଲେଖା ।’’
ସୁଲକ୍ଷଣାଙ୍କ ମନରେ ପିଲାଟି ପ୍ରତି ଅପତ୍ୟ ସ୍ନେହ ଜାଗିଛି – ଦୁର୍ବଳତା ଜନ୍ମିଛି – ବୁଝିପାରୁଥିଲେ ସ୍ୱପ୍ନେଶ୍ୱର ।
ସେ କହିଥିଲେ, ‘‘କିନ୍ତୁ ତା ଉପରେ ଯେ, ତା ଭାଇ ଭଉଣୀଙ୍କ ବୋଝ । ଇଏ ଯଦି ପଢାରେ ମାତିଯାଏ – ସେମାନଙ୍କୁ ପଢାଇବ କିଏ ?’’
ସୁଲକ୍ଷଣା କହିଥିଲେ କିଛି ଗୋଟାଏ ଉପାୟ ଚିନ୍ତା କର । ସ୍ୱରରେ ବ୍ୟାକୁଳତା ବେଶ୍ ବାରିପାରୁଥିଲେ ସ୍ୱପ୍ନେଶ୍ୱର ।
ତା’ପରେ ସଞ୍ଜୀବକୁ ଆଉ ପଛକୁ ଫେରି ଚାହିଁବାକୁ ହୋଇନାହିଁ । ସ୍ୱପ୍ନେଶ୍ୱରଙ୍କ ପରିବାରର ସେ ଏକ ଅବିଭାଜ୍ୟ ଅଂଶ ହୋଇଗଲା । ତା’ର ଖୁସିରେ ସେମାନଙ୍କ ଖୁସି, ତା’ର ଦୁଃଖରେ ସେମାନଙ୍କ ଦୁଃଖ – ସେମାନଙ୍କ ଦାମ୍ପତ୍ୟ ଜୀବନରେ ସନ୍ତାନହୀନତା ଜନିତ ଅଭାବବୋଧ ଯେପରି ସଂପୂର୍ଣ୍ଣ ଉଭେଇ ଯାଉଥିଲା ।
ଶତକଡା ଅଶୀଭାଗ ରଖି ଯେତେବେଳେ ସଞ୍ଜୀବ ମ୍ୟାଟ୍ରିକ ପାସ୍ କଲା – ସେତେବେଳେ ପ୍ରଧାନ ଶିକ୍ଷକ ମହୋଦୟ ତାଙ୍କୁ କୁଣ୍ଢାଇ ପକାଇ କହିଥିଲେ, ‘‘ସ୍ୱପ୍ନେଶ୍ୱର ବାବୁ, ଏ ତ ଆପଣଙ୍କର ନିଷ୍ଠା ଆଉ ଆନ୍ତରିକତାର ଫଳ ।’’ ସଞ୍ଜୀବର ସଫଳତା ସ୍ୱପ୍ନେଶ୍ୱରଙ୍କ ଘରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିଥିଲା । ସୁଲକ୍ଷଣାଙ୍କ ବରାଦ କ୍ରମେ ଏକ ସତ୍ୟନାରାୟଣ ପୂଜାର ଆୟୋଜନ ହୋଇଥିଲା – ସ୍କୁଲର ସବୁ ଶିକ୍ଷକ ତଥା ଗାଁର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାହୋଇଥିଲା । ଆଶୀର୍ବାଦରେ ଘର ସେଦିନ ମୁଖରିତ ହୋଇ ଉଠିଥିଲା । ସୁଲକ୍ଷଣା ବୋଧେ ସବୁଠାରୁ ବେଶୀ ଖୁସି ହେଉଥିଲେ । ଅପତ୍ୟ ସ୍ନେହ, ଅଧିକାର, ଗୌରବ, ସବୁ ଯେପରି ସୁଲକ୍ଷଣାଙ୍କୁ ଅପୂର୍ବ ଗତିଶୀଳ କରିଦେଇଥିଲା ।
ସ୍ୱପ୍ନେଶ୍ୱର ଭାବୁଥିଲେ- ସୁଲକ୍ଷଣା କ’ଣ ବୁଝିପାରୁ ନାହାନ୍ତି ଯେ, ସଞ୍ଜୀବର ଦୂରାଇଯିବାର ସମୟ ଆସିଗଲା ବୋଲି !
ସ୍ୱପ୍ନେଶ୍ୱର ଆଶଙ୍କା ଠିକ୍ ହେଲା । ରେଭେନ୍ସା କଲେଜରେ ଆଡମିଶନ୍ ପାଇଁ ଯେତେବେଳେ ସେ ଓ ସଞ୍ଜୀବ ବାହାରିଲେ – ସୁଲକ୍ଷଣାଙ୍କୁ ବୋଧ କରିବା କାଠିକର ପାଠ ହୋଇଥିଲା ।
ସଞ୍ଜୀବ ପାଖକୁ ନିୟମିତ ଟଙ୍କା ପଠାଇବା ଓ ସୁଲକ୍ଷଣାଙ୍କ ତାଗିଦ୍ରେ ମାସକୁ ପ୍ରାୟ ଦୁଇଥର ଯାଇ ସଞ୍ଜୀବକୁ ହଷ୍ଟେଲରେ ଦେଖିଆସି ତା’ର ଭଲମନ୍ଦ ସୁଲକ୍ଷଣାଙ୍କୁ ଜଣାଇବା – ଏକପ୍ରକାର ଅଭ୍ୟାସରେ ପଡିଯାଇଥିଲା ସ୍ୱପ୍ନେଶ୍ୱରଙ୍କର । ପ୍ରତ୍ୟେକ ଛୁଟିରେ ଘରକୁ ଆସି ସୁଲକ୍ଷଣାଙ୍କ ସହିତ ଦେଖା କରିବା ତ ସଞ୍ଜୀବ ପାଇଁ ବାଧ୍ୟତାମୂଳକ ଥିଲା ।
ସଞ୍ଜୀବ ଆଇ.ଏ. ପରୀକ୍ଷାରେ ପ୍ରଥମ ଦଶଜଣଙ୍କ ଭିତରେ ରହିଲା । ବି.ଏ. ପରୀକ୍ଷାରେ ରାଜନୀତି ବିଜ୍ଞାନ ଅନର୍ସରେ ପ୍ରଥମ ହେଲା । ବହୁ କୁଣ୍ଠିତ ହୋଇ ସେ ଦିଲ୍ଲୀରେ ଏମ୍.ଏ. ପଢିବା ପାଇଁ ତା’ର ଇଚ୍ଛାକୁ ସ୍ୱପ୍ନେଶ୍ୱରଙ୍କ ପାଖରେ ବ୍ୟକ୍ତ କରିଥିଲା । ସ୍ୱପ୍ନେଶ୍ୱର ତାଙ୍କର ସ୍ୱଳ୍ପ ଆୟ ଭିତରେ କେତେଦୂର ସଞ୍ଜୀବକୁ ସାହାଯ୍ୟ କରିପାରିବେ, ସେକଥା ମନ ଭିତରେ ତଉଲା ତଉଲି କରୁଥିବାବେଳେ ସୁଲକ୍ଷଣା ଘୋଷଣା କଲେ – ‘ସଞ୍ଜୀବ ଅଲ୍ଲବତ୍ ଦିଲ୍ଲୀରେ ପଢିବ ।’
ସଞ୍ଜୀବ ଦିଲ୍ଲୀ ଗଲା । ସ୍ୱପ୍ନେଶ୍ୱରଙ୍କ ବିଶ୍ୱାସ ଥିଲା, ସଞ୍ଜୀବ ଦିଲ୍ଲୀରେ ମଧ୍ୟ ତା’ର ଜୟଯାତ୍ରା ବଜାୟ ରଖିବ – ନାଁ କରିବ ।
ଦିଲ୍ଲୀରେ ପଢୁଥିବା ସମୟରେ ଯୈ÷ାତୁକ ବ୍ୟବସ୍ଥା ସମ୍ପର୍କିତ ଏକ ସର୍ବଭାରତୀୟ ସ୍ତରର ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ହେଲା । ଏ ଖବରଟି ପାଇ ସ୍ୱପ୍ନେଶ୍ୱରଙ୍କ ଗୋଡ ତଳକୁ ଲାଗି ନଥିଲା । ସେ ପ୍ରଧାନ ଶିକ୍ଷକ ମହୋଦୟଙ୍କ ପାଖକୁ ଦଉଡି ଯାଇଥିଲେ ଖବରଟି ପାଇବା ମାତ୍ରେ – ‘‘ଦେଖନ୍ତୁ ସାର୍, ସଞ୍ଜୀବର କୃତିତ୍ୱ – ଯୋ÷÷ତୁକ ପ୍ରଥା ବିରୁଦ୍ଧରେ କହି ସଞ୍ଜୀବ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛି ।’’
ପ୍ରଧାନ ଶିକ୍ଷକ କହିଥିଲେ, ‘‘ଆଦର୍ଶ ଛାତ୍ରଟିଏ ସୃଷ୍ଟି ହୋଇପାରିଲା, ସ୍ୱପ୍ନେଶ୍ୱର ବାବୁ । ସବୁ ଶ୍ରେୟ ଆପଣଙ୍କୁ ।’’
ସଞ୍ଜୀବ ଚିଠିରେ ଲେଖିଥିଲା :
‘‘ପୂଜାଷ୍ପଦ ସାର୍, ଯୈ÷ାତୁକ ବ୍ୟବସ୍ଥାର ଯେଉଁ ଭୟଙ୍କର ପରିଣତି, ତାହା ଦିଲ୍ଲୀରେ ନ ରହିଲେ ବୁଝିହେବ ନାହିଁ । ଏଭଳି ଗୋଟାଏ ଦିନ ଯାଉନାହିଁ, ଯେଉଁଦିନ ବଧୂହତ୍ୟାର ଖବର ପ୍ରକାଶ ପାଉନାହିଁ । ଯୋ÷÷ତୁକକୁ କେନ୍ଦ୍ରକରି ସବୁ କଳହ ଉପୁଜୁଛି । ମୁଁ ଏହା ବିରୁଦ୍ଧରେ ଖୁବ୍ ଦୃଢ ଯୁକ୍ତିମାନ ବାଢିଲି । ଏହି ବ୍ୟବସ୍ଥାକୁ କିପରି ଉଚ୍ଛେଦ କରାଯିବ, ସେ ଦିଗରେ କେତୋଟି ପ୍ରସ୍ତାବ ମଧ୍ୟ ଦେଲି । ଯେଉଁମାନେ ଉଚ୍ଚପଦବୀରେ ଚାକିରୀ ପାଉଛନ୍ତି, ସେମାନେ ଯଦି ଯୈ÷ାତୁକ ନେଉଛନ୍ତି- ସେମାନଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯାଉ ବୋଲି – ପ୍ରସ୍ତାବ ମଧ୍ୟ ବାଢିଲି । ଆପଣ ପଢିଥିବେ ଖବର କାଗଜରେ – ଯେ ବିହାର ଉତ୍ତର ପ୍ରଦେଶ ଭଳି ରାଜ୍ୟମାନଙ୍କରେ ଆଇ.ଏ.ଏସ୍. ବରଟିଏ ପାଇଁ ୨୦/୨୫ ଲକ୍ଷ ଯୈତୁକ ଦେବା ଅତି ସାଧାରଣ କଥା ।’’
ଗର୍ବରେ ସ୍ୱପ୍ନେଶ୍ୱରଙ୍କ ଛାତି ଫୁଲି ଉଠିଥିଲା । ସେ ସେଦିନ ସୁଲକ୍ଷଣାଙ୍କୁ କହିଥିଲେ : ଆଦର୍ଶର କଥା ଶୁଣି ମୋତେ ଉପହାସ କରୁଥିବା ଲୋକଙ୍କୁ ଏଇଥର ଥଣ୍ଡା କରିଦେବି । କହିବି ଦେଖ – କହୁଥିଲ ତ ଯାହା ମୁଁ କହୁଛି, ତାହା ଏ ଯୁଗରେ ସମ୍ଭବ ନୁହେଁ । ଦେଖ ସଞ୍ଜୀବକୁ – ଏ ଯୁଗର ପିଲା – ଉଚ୍ଚପଦସ୍ଥ ଅଫିସର – ଅଥଚ ଯୈ÷ାତୁକ ନେଉନାହିଁ ।
ସୁଲକ୍ଷଣା କହିଥିଲେ : ‘‘ଭଗବାନଙ୍କୁ ଡାକ, ସଞ୍ଜୀବ ଆଗ ଚାକିରୀ ପାଉ । ଅନ୍ୟସବୁ ପରକଥା ।’’
ସ୍ୱପ୍ନେଶ୍ୱର ହସିଥିଲେ : ଆରେ ସଞ୍ଜୀବ ଭଳି ମେଧାବୀ ପିଲା – ଯେଉଁ ଚାକିରୀ ଚାହିଁବ ସେ ପାଇବ । ଚାକିରି ତା ପାଇଁ ସମସ୍ୟା ନୁହେଁ । ’’
ସେଇୟା ହିଁ ହୋଇଥିଲା । ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲା ସଞ୍ଜୀବ ।
ତ୍କ୍ଷଣାତ୍ ଅଞ୍ଚଳର ଗୌରବ ହୋଇଗଲା ସଞ୍ଜୀବ । ସବୁଠାରେ ତାକୁ ସମ୍ବର୍ଦ୍ଧନା – ସ୍କୁଲରେ, ବ୍ଲକରେ, ଗାଁର ପାଠାଗାରମାନଙ୍କରେ, ସବୁ ବକ୍ତାଙ୍କର ଶେଷରେ ଗୋଟିଏ କଥା, ‘‘ସ୍ୱପ୍ନେଶ୍ୱର ବାବୁଙ୍କୁ ଆମର ଅଶେଷ ଧନ୍ୟବାଦ । ଆମେ ତାଙ୍କ ପାଖରେ ଋଣୀ ଯେ, ସେ ସଞ୍ଜୀବ ଭିତରେ ଗୋଟିଏ ଆଦର୍ଶ କୃତବିଦ୍ ଯୁବକଟିଏ ଗଢିଦେଲେ ।’’ ସଞ୍ଜୀବ ମଧ୍ୟ ସମ୍ବର୍ଦ୍ଧନାର ଉତ୍ତରରେ ସବୁଠାରେ ଗୋଟିଏ କଥାରେ ତା’ର ବକ୍ତବ୍ୟ ଶେଷ କରୁଥିଲା – ‘‘ସାର୍ ଅର୍ଥାତ୍ ସ୍ୱପ୍ନେଶ୍ୱର) ଓ ଗୁରୁମା (ସୁଲକ୍ଷଣା)ଙ୍କ ପାଇଁ ହିଁ ସେ ଆଜି ଯାହା କିଛି ।
ଏହାପରେ ସଞ୍ଜୀବ ଚାଲିଯାଇଥିଲା ଟ୍ରେନିଂକୁ ଓ ସ୍ୱପ୍ନେଶ୍ୱରଙ୍କ ଘରେ ଭିଡ ଆରମ୍ଭ ହୋଇଥିଲା ବିଭାଘର ପ୍ରସ୍ତାବ ନେଇ ଆସୁଥିବା ଆଗନ୍ତୁକମାନଙ୍କର । ଯୈ÷ାତୁକ ଅଥୟ ପ୍ରତିଶ୍ରୁତି । ସାଧାରଣ ଭାବେ ଫ୍ରିଜ୍, କଲର ଟି.ଭି., ଭ୍ି.ସି.ଆର୍. କୋଡିଏ ଭରି ସୁନା, ଭୁବନେଶ୍ୱରରେ ଚାରିଗୁଣ୍ଠ ଜାଗା ବ୍ୟତୀତ ଡିଲକ୍ସ ମଡେଲ୍ ମାରୁତି ଗାଡି ଓ ଦୁଇଲକ୍ଷ ଟଙ୍କାର କ୍ୟାସ୍ ପ୍ରତିଶ୍ରୁତି ଧରି ବହୁ ପ୍ରସ୍ତାବ । କଣ୍ଟ୍ରାକ୍ଟର, ବ୍ୟବସାୟୀ, ମାଇନ୍ ଓନର, ଇଞ୍ଜିନିୟର, ପ୍ରଶାସନିକ ଅଫିସର ସମସ୍ତେ ଯୋ÷÷ତୁକର ପ୍ରଲୋଭନ ଧରି ସ୍ୱପ୍ନେଶ୍ୱରଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସମସ୍ତଙ୍କୁ ସ୍ୱପ୍ନେଶ୍ୱରଙ୍କର ଗୋଟିଏ ଉତ୍ତର : ଆଜ୍ଞା ଯୈ÷ାତୁକ କଥା କୁହନ୍ତୁ ନାହିଁ । ସଞ୍ଜୀବ ଯୋ÷÷ତୁକର ବିରୋଧୀ । ଆପଣ ଜାଣନ୍ତି ନାହିଁ ବୋଧେ ସେ ଯୈ÷ାତୁକ ବିରୁଦ୍ଧରେ ବକ୍ତୃତା ଦେଇ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । କନ୍ୟା ସଞ୍ଜୀବଙ୍କ ପସନ୍ଦ ହେଲେ ହେଲା । ସଞ୍ଜୀବ ଆସୁ ।’’
ସୁଲକ୍ଷଣା ବାଢିଥିଲେ ପ୍ରସ୍ତାବଟିଏ : ‘‘ସଞ୍ଜୀବର ତ ଯୈ÷ାତୁକ ପ୍ରତି ଦୁର୍ବଳତା ନାହିଁ । ଆମର ହିନ୍ଦୀ ଶିକ୍ଷକ ରାମହରି ବାବୁଙ୍କ ଝିଅ ଗୀତା ପାଇଁ କଥାବାର୍ତ୍ତା କଲେ କିପରି ହୁଅନ୍ତା ? ରୂପରେ, ଗୁଣରେ, ଘରକରଣାରେ, କେଉଁଥିରେ ଊଣା ନୁହେଁ – ଆଉ ସଞ୍ଜୀବ ସହ ମଧ୍ୟ ଯୋଡି ଭଲ ମାନନ୍ତା ।’’ ସ୍ୱପ୍ନେଶ୍ୱରଙ୍କ ମନକୁ ଏହି ପ୍ରସ୍ତାବଟି ବେଶ୍ ପାଇଥିଲା । ସେ କହିଲେ – ‘‘ସଞ୍ଜୀବ ଟ୍ରେନିଂରୁ ଫେରୁ ।’’ ସଞ୍ଜୀବ ଟ୍ରେନିଂରୁ ଫେରି ଓଡିଶାରେ ହିଁ ନିଯୁକ୍ତି ପାଇଥିଲା – ରାଜଧାନୀ ସହରରେ । ସୁଲ କ୍ଷଣା କହିଥିଲେ : ସଞ୍ଜୀବ, ଏବେ ଘରସଂସାର କରିବାର ସମୟ ଆସିଗଲା, ବିବାହ କର । ପ୍ରସ୍ତାବ ତ ଆମ ପାଖକୁ ଅନେକ ଆସିଛି । ତୁମ ସହିତ ପରାମର୍ଶ ନ କରି ତ କାହାରିକୁ କିଛି କହିହେଉ ନାହିଁ । ସଞ୍ଜୀବ ନୀରବ ରହିଥିଲା କଛି ସମୟ । ତା’ପରେ କହିଥିଲା : କେହିଜଣେ ଏ-କ୍ଲାସ କଣ୍ଟ୍ରାକ୍ଟର ନିଜ ଝିଅର ପ୍ରସ୍ତାବ ନେଇ ଏହା ଭିତରେ ବାପାଙ୍କୁ ଦେଖା କରିଥିଲେ । ମନେହୁଏ, ବାପା ଏ ପ୍ରସ୍ତାବରେ ରାଜି । ଆପଣଙ୍କୁ ଦେଖା କରିବା ପାଇଁ ବାପା ତାଙ୍କୁ ପରାମର୍ଶ ଦେଇଥିଲେ । ସେ କିନ୍ତୁ ଆପଣଙ୍କୁ ଦେଖା କରିନାହାନ୍ତି ବୋଲି ମୁଁ ଶୁଣିଲି ।