ଏଭଳି ଅନୁରୋଧ ନେଇ ସ୍ଫୁଲିଙ୍ଗ ସେନ୍ ଯେ ଦିନେ ମୋ ପାଖକୁ ଆସିବ – ଏହା ମୋର କଳ୍ପନା ବାହାରେ ଥିଲା ।
ସେତେବେଳେ ମୋର ପ୍ରମୋସନ ହୋଇଥାଏ । ମୁଁ ଏକ ପ୍ରତିଷ୍ଠିତ ମଲ୍ଟିନେସନାଲ କମ୍ପାନୀର ଏକ ଦାୟିତ୍ୱ ସଂପନ୍ନ ଅଫିସର ଭାବେ ଦିଲ୍ଲୀ ଅଫିସରେ ନିଯୁକ୍ତି ପାଇଥାଏ । ଶୀତତାପ ନିୟନ୍ତ୍ରିତ କୋଠରୀ, ଏକଜିକ୍ୟୁଟିଭ୍ ଟେବୁଲ୍ – ତିନୋଟି ଭିନ୍ନ ଭିନ୍ନ ରଙ୍ଗର ଟେଲିଫୋନ୍ ଓ ମିନିସ୍କର୍ଟ ପିନ୍ଧା ସେକ୍ରେଟାରୀ ମୋର ନିମ୍ନ ମଧ୍ୟବିତ୍ତ ପୃଷ୍ଠଭୁମିରୁ ମୋତେ ବହୁତ ଦୂରକୁ କଢାଇ ଆଣିଥାଏ । ବିବାହ ଭଳି ଅନୁଷ୍ଠାନକୁ ମୁଁ ଯଥା ସମ୍ଭବ ମୋ ଜୀବନରୁ ଦୂରେଇ ରଖି ନିମ୍ନ ମଧ୍ୟବିତ୍ତ ପୃଷ୍ଠଭୂମିର ସମସ୍ତ ଗନ୍ଧରୁ ମୁଁ ମୁକ୍ତ ବୋଲି ଆଶ୍ୱସ୍ତ ହେଉଥାଏ ।
ଉଚ୍ଚ ମଧ୍ୟବିତ୍ତତାର ସଂକ୍ରମଣ ମୋ ଭିତରେ ହୋଇ ଆସିଥାଏ । ପାର୍ଟି, ଫ୍ଲାଟ୍, କ୍ଲବ, ଫ୍ଲାୱାର ଏକଜିବିସନ, ହ୍ୟୁମାନ ଚେନ୍, ଚ୍ୟାରିଟି ସୋ, ସେମିନାର, ଲଞ୍ଚ, ଏଭଳି କିଛି ଶବ୍ଦ ମୋ ସାମାଜିକ ଜୀବନକୁ ନୂତନ ପରିଭାଷା ଯୋଗାଇ ଦେଇଥାଏ । ଅତି ଯତ୍ନର ସହିତ ସୁଟ୍, ଟାଇ ପିନ୍ଧାରୁ ଆରମ୍ଭ କରି ଏକ ସଯତ୍ନ ବେପରୱା ଖଦି ସିକର ପଞ୍ଜାବୀ ପାଇଜାମା- ସବୁଥିରେ କ୍ଲାସର ସ୍ପର୍ଶ ଆସି ଯାଇଥାଏ ।
ଆଉ ଏହି ଉତ୍ତରଣରେ ଇଷ୍ଟ ହଷ୍ଟେଲର ମଝି ଖଟରେ ରହୁଥିବା ହାପ୍ପେଣ୍ଟ ପିନ୍ଧା ନୁଖୁରା ମୁଣ୍ଡିଆ ଉଦୟ, ତାର ଚୁଡାଧୁଆ ରସ ତାଟିଆ, ମଶାରି ବାଡରେ ଝୁଲୁଥିବା ବହୁଚର୍ଚ୍ଚିତ ସବୁଜ ଲୁଙ୍ଗି ବହୁତ ପଛରେ ପଡିଯାଇଥାଏ ।
ସ୍ଫୁଲିଙ୍ଗ ସେନ୍ ସହିତ ମୋର ପରିଚୟ ସେହି ଇଷ୍ଟ ହଷ୍ଟେଲରେ ରହିବା ବେଳେ । ମୋ ରୁମ ମେଟ ପ୍ରଭାସର ସେ ଥିଲା ଆତ୍ମୀୟ । ପ୍ରଥମ ଦେଖା ଅବଶ୍ୟ ଆମ ଉଭୟଙ୍କ ପାଇଁ ଥିଲା ତିକ୍ତ । ମୋର ମନେ ଅଛି ସେଦିନ- ପ୍ରଭାସ ଖଟ ଉପରେ ସ୍ଫୁଲିଙ୍ଗ ବସିଥାଏ । ଅନର୍ଗଳ କହିଚାଲିଥାଏ ସମାଜର କଥା, ଦାରିଦ୍ର୍ୟ ନିର୍ଯ୍ୟାତନା, ଶ୍ରେଣୀ ସଂଘର୍ଷର କଥା ସୁବିଧାବାଦୀ ମଧ୍ୟବିତ୍ତ ସମାଜର ଭୂମିକା । ପୁଞ୍ଜିପତିଙ୍କର ଏ ଚକ୍ରାନ୍ତ ଶୋଷଣରୁ ମୁକ୍ତି ପାଇବା ପାଇଁ ସର୍ବହରାର ସଂଗ୍ରାମ । ଯୁବସମାଜର ଦାୟିତ୍ୱ ଇତ୍ୟାଦି ବହୁତତ୍ତ୍ୱର କଥା । ଆଉ ପ୍ରଭାସ ପିଇଯାଉଥାଏ ଗୋଟିଏ ବାଧ୍ୟ ଛାତ୍ର ଭଳି । ମୁଁ ମୋ ଖଟ ଉପରେ ଶୋଇବାର ପ୍ରୟାସରେ ଏପଟ ସେପଟ କଡ ଲେଉଟାଉଥାଏ । ଘଡି ଦେଖିଲି – ରାତ୍ରି ପ୍ରାୟ ଗୋଟାଏ, ଅଥଚ ସ୍ଫୁଲିଙ୍ଗର ଭାଷଣରେ ବିରାମର ସୂଚନା ନାହିଁ । ସେ କହୁଥାଏ – କ୍ୟାରିଅରିଜମ ଗୋଟିଏ ପେଟି ବୁର୍ଜୁଆ ଚରିତ୍ର । ପୁଞ୍ଜିପତିଙ୍କର ସ୍ୱାର୍ଥ ସାଧନ ପାଇଁ – ତାକୁ ସୁହାଉଥିବା ଶ୍ରେଣୀ ବ୍ୟବସ୍ଥାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କ୍ୟାରିଅରିଜିମ ଏକ ସୁନ୍ଦର ଆଦର୍ଶ । କ୍ୟାରିଅରର ପ୍ରଲୋଭନରୁ ବାହାରି ନଆସିଲେ ଏ ଅବକ୍ଷୟିଷ୍ଣୁ ସମାଜ ବ୍ୟବସ୍ଥାକୁ ବଦଳାଇ ହେବ ନାହିଁ – ସମାଜକୁ ଶୋଷଣମୁକ୍ତ କରିହେବ ନାହିଁ । ରାତି ଗୋଟାଏ – ସକାଳେ ମୋର ପ୍ରାକ୍ଟିକାଲ କ୍ଲାସ, ତା ଉପରେ ଏ ହତୋତ୍ସାହକାରୀ ତତ୍ତ୍ୱ- ମୁଁ ଚିକ୍ରାର କଲି ପ୍ରଭାସ ଉଦ୍ଦେଶ୍ୟରେ – ‘ଆରେ ଶଳା, ଲାଇଟ ବନ୍ଦ କରି ଶୋଇବୁ ନାଁ – ଏମିତି ଗପୁଥିବୁ’ ? ପ୍ରଭାସ ଅବଶ୍ୟ ଗପୁନଥିଲା । ସେ ଶୁଣୁଥିଲା, କିନ୍ତୁ ସେତେବେଳେ ଅପରିଚିତ ସ୍ଫୁଲିଙ୍ଗକୁ କ୍ଷାନ୍ତ କରାଇବା ପାଇଁ ମୋ ମୁଣ୍ଡକୁ ଏହି କୌଶଳ ହିଁ ପଶିଥିଲା ।
ତା ପରେ ନିରବତା ଆସିଥିଲା । ଲାଇଟ୍ ଲିଭିଥିଲା । ସକାଳେ ମୁଁ ଉଠିଲା ବେଳକୁ ସ୍ଫୁଲିଙ୍ଗ ନଥିଲା । ପ୍ରଭାସ ମୁହଁରେ ଅଭିମାନ ବାରି ହୋଇଯାଇଥିଲା । ସେ ମୋତେ କହିଥିଲା – ‘ତୁ ଏପରି ବ୍ୟବହାର କରିବା ଉଚିତ ହୋଇନାହିଁ । ତୁ ଜାଣିନୁ ସେ କିଏ ?’ ସମାଜକୁ ଶୋଷଣମୁକ୍ତ କରିବାର ମହତ ଉଦ୍ଦେଶ୍ୟ ରଖି ସେ ଯୁବକମାନଙ୍କୁ ସଂଗଠିତ କରୁଛି । ନୂତନ ଆଦର୍ଶର କଥା କହୁଛି । ମୁଁ ମଧ୍ୟ ଭାବିଥିଲି, ଏପରି ବ୍ୟବହାର ନ କରିଥିଲେ ଚଳିଥାନ୍ତା ।
ଏହି ପ୍ରଭାସ ଜରିଆରେ ହିଁ ସ୍ଫୁଲିଙ୍ଗ ସହିତ ମୋର ପରିଚୟ ହେଲା । ଖୁବ୍ କମ୍ ଦେଖା ଚାହାଁ ଭିତରେ ସେ ମୋତେ ଘନିଷ୍ଠ କରିନେଲା । ସେ ଦିନର ବ୍ୟବହାର ତା ମନରେ ଯେପରି କୌଣସି ପ୍ରତିକୂଳ ପ୍ରତିକ୍ରିୟା ମୋ ବିରୁଦ୍ଧରେ ସୃଷ୍ଟି କରିନଥିଲା । ତାର ସ୍ୱରରେ ଆନ୍ତରିକତାର ସ୍ପର୍ଶ । ସମାଜକୁ ଶୋଷଣ ମୁକ୍ତ କରିବାର ବଳିଷ୍ଠ ସଂକଳ୍ପ ବାରି ହୋଇଯାଉଥିଲା ।
ମୋର ମନେ ଅଛି ସେଦିନ ମୋତେ ସେ କେତେ ଭର୍ତ୍ସନା କରିନଥିଲା ସତେ, ଯେଉଁଦିନ ସେ ଶୁଣିଲା ମୁଁ ମୋର ଆଟେଣ୍ଡାନସ୍ ପର୍ସେଣ୍ଟେଜକୁ ଶତକଡା ପଞ୍ଚସ୍ତରୀ କରିବା ପାଇଁ କିରାଣୀକୁ ଘୁସ୍ ଦେଇଛି ବୋଲି । ସେ କହିଥିଲା ଖୁବ୍ ତୀବ୍ର ସ୍ୱରରେ : ସମାଜ ବ୍ୟବସ୍ଥାକୁ ତୁମେହିଁ କଳୁଷିତ କରୁଛ ଉଦୟ – ତୁମେ ଯେଉଁଠି ବିରୋଧ କରି ଏଭଳି ବ୍ୟବସ୍ଥାକୁ ଆଘାତ ଦିଅନ୍ତ – ତୁମେ ସେ ବ୍ୟବସ୍ଥାକୁ ସୁଦୃଢ କରିଗଲେ ଭାଗୁଆଳୀ ହୋଇଯାଉଛ ।
ମୁଁ ଲଜ୍ଜିତ ହୋଇଥିଲି । ସ୍ଫୁଲିଙ୍ଗ ନିକଟରେ ମୁଁ ଖୁବ୍ ଛୋଟ ହୋଇଯାଇଥିଲି । ହଠାତ୍ ଯେପରି ତାର ବ୍ୟକ୍ତିତ୍ୱ ମୋ ପାଇଁ ଏକ ଅପହୃତ ଆଦର୍ଶର ପ୍ରତିମୂର୍ତ୍ତି ହୋଇଗଲା । ମୁଁ କେଉଁ ଆବେଗରେ ଆସି ଭାବି ପକାଇଲି ସମସ୍ତେ ସ୍ଫୁଲିଙ୍ଗ ଭଳି ହୋଇଯାଆନ୍ତେ କି ? ଆଉ ସେହି ଆବେଗରେ ରାତି ରାତି ଅନିଦ୍ରା ହୋଇ ସ୍ଫୁଲିଙ୍ଗର ନେତୃତ୍ୱର ସହରର କାନ୍ଥବାଡରେ ନୂତନ ସମାଜର କେତେ କେତେ ଆହ୍ୱାନ ମୁଁ ଲେଖି ନଥିବି ! ଆଉ ଗୋଟିଏ ଦିନର କଥା ମୋର ମନେ ପଡୁଛି । ସେଦିନ କାହା ପାଖରୁ ଗୋଟିଏ ବିଦେଶୀ ଡଲାରର ମୁଦ୍ରାଟିଏ ପାଇଥାଏ ଓ ସେ ମୁଦ୍ରାଟିକୁ ନେଇ ହଷ୍ଟେଲର ଅନ୍ୟ ଅନ୍ତେବାସୀ ମାନଙ୍କୁ ଦେଖାଉଥାଏ । ସମସ୍ତଙ୍କ ମନ ଭିତରେ ଉତ୍ସୁକତା – ନିମ୍ନ ମଧ୍ୟବିତ୍ତ ମନରେ କାହୁଁ କେତେ ସ୍ୱପ୍ନର ପରଲାଗି ଯାଉଥାଏ । ମୁଦ୍ରାଟିଏ ସ୍ପର୍ଶ କରିବାର ବ୍ୟାକୁଳତା – ଏକ ମନ୍ଦିରର ପରିବେଶ ସୃଷ୍ଟି କରିଥାଏ । ସେହି ସମୟରେ କେଉଁଠୁ ଆବିର୍ଭାବ ହେଲା ସ୍ଫୁଲିଙ୍ଗ । ଭିଡରୁ ମୋ ହାତକୁ ଧରି ଟାଣି ନେଲା । ତା ମୁହଁରେ ରାଶି ରାଶି ବିରକ୍ତିର ଭାବ । ମୋତେ ଟାଣି ଟାଣି ମୋ କୋଠାରୀଯାଏ ନେଇ ଆସିଲା । ତାପରେ ସେ ଯେଉଁ କ୍ରୋଧରେ ଫାଟି ପଡିଲା ତାହା ମୋତେ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେ ଏକ ନିଶ୍ୱାସରେ କହିଚାଲିଥିଲା – ‘ବିଦେଶୀ ମୁଦ୍ରାକୁ ଧରି ଏତେ ଉଲ୍ଲସିତ ହେବା ଗୋଲାମୀ ମନୋବୃତ୍ତିର ସୂଚନା । ଏ ଭଳି ମନୋବୃତ୍ତି ବଢିଲେ ଅଚିରେ ଆମେ ବିଦେଶୀ ମୁଦ୍ରାର ମୋହଗ୍ରସ୍ତ ହୋଇ ଆମ ସ୍ୱାଧୀନତାକୁ ବନ୍ଧା ପକାଇ ଦେବା । ଇଁପେରି – ଆଲିଷ୍ଟ ଶକ୍ତି ଗୁଡିକର ଶୀକାର ହୋଇଯିବା । ଶ୍ରେଣୀ ସଂଗ୍ରାମ ପଛାଇଯିବ – ଶ୍ରମିକ ଶ୍ରେଣୀ ମୁକ୍ତି ସ୍ୱପ୍ନ ହୋଇଯିବ । ମର୍ଯ୍ୟାଦା ଚାଲିଯିବ – ମର୍ଯ୍ୟାଦା ସହିତ ବଞ୍ଚିବାର ପ୍ରୟାସ ବ୍ୟର୍ଥ ହୋଇଯିବ । ଗୋଟିଏ ସାମାନ୍ୟ ବିଦେଶୀ ମୁଦ୍ରା ସ୍ଫୁଲିଙ୍ଗକୁ ଏତେ ଉତ୍ତେଜିତ କରିଦେଇପାରେ – ମୁଁ କଦାପି ଧାରଣା କରିପାରିନଥିଲି – ଯଦିଓ ପୁଞ୍ଜିପତି ବିଦେଶୀ ଶକ୍ତିଗୁଡିକ ବିରୁଦ୍ଧରେ ତାର ମନୋଭାବ ସଂପର୍କରେ ମୁଁ ଅବଗତ ଥିଲି । ତାର କହିବାର ଢଙ୍ଗ ଓ ଭଙ୍ଗାମୀରେ ଆନ୍ତରିକତା ଓ ନିଷ୍ଠାର ସ୍ୱର ଏପରି ଉକୁଟି ପଡୁଥିଲା ଯେ ମୋର ମନେ ହେଲା ବିଦେଶୀ ମୁଦ୍ରାଟିକୁ ଧରି ସତେ ଯେପରି ମୁଁ ଏକ ବିରାଟ ପାପ କରି ପକାଇଛି – ମୁଁ କ୍ଷମା ମାଗିଥିଲି ସେଦିନ । ମେସକୁ ଖାଇବାକୁ ସ୍ଫୁଲିଙ୍ଗ ମୋ କାନ୍ଧ ଉପରେ ହାତ ରଖି କହିଲା , ତୁମେ ଦୃଢ ହୁଅ ଉଦୟ । ବିଷୟ ଗୁଡିକର ଅନୁଶୀଳନ କର । ଔପନିବେଶିକତାର ବୀଜ ଆମରି ମନରେ ରହିଛି । ଗୋରା ଚାଲିଗଲେ । ଭାରତ ଆଉ ଉପନିବେଶ ହୋଇ ରହିଲା ନାହିଁ । କିନ୍ତୁ ଔପନିବେଶକତା ମନରୁ ନ ଗଲେ ଏ ସ୍ୱାଧୀନତା କେବଳ ଗୋଟିଏ ଭୌଗୋଳିକ ଅବଧାରଣା ହୋଇ ରହିବ ସିନା ! ମୁଁ ନୀରବ ରହିଥିଲି, ମୁଁ ଜାଣିଥିଲି – ସ୍ଫୁଲିଙ୍ଗ ଭଳି ମୁଁ କଦାପି ଦୃଢ ହୋଇପାରିବି ନାହିଁ । ମୋ ଚଞ୍ଚଳମନ ଉପରେ ମୋର ଅକ୍ତିଆର ଯେ ଖୁବ୍ ଦୁର୍ବଳ – ତାହା ମୁଁ ଜାଣି ଥିଲି । ସେହି ସ୍ଫୁଲିଙ୍ଗ ସେନ୍ ଆଜି ମୋ ସାମନାରେ, ହତବାକ୍ କରିଦେଉଛି ମୋତେ ତାର ଅନୁରୋଧରେ । ଏହା ଭିତରେ ମାତ୍ର ଦଶଟି ବର୍ଷ ବିତି ଯାଇଛି – ଇଷ୍ଟ ହଷ୍ଟେଲ ଛାଡିବା ପରେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପଢା ଦୁଇବର୍ଷ , ପରେ ଚଣ୍ଡ ଗଡରେ ମ୍ୟାନେଜମେଣ୍ଟ ପଢା ଆଉ ଦୁଇବର୍ଷ ଓ ଚାକିରୀ ହେବାର ଛ’ବର୍ଷ । ଏହି ଦଶବର୍ଷ ଭିତରେ ଚାରିଥର ମାତ୍ର ଭେଟ ହୋଇଥିବ ସ୍ଫୁଲିଙ୍ଗ ସହିତ । ତାହା ପୁଣି ଯେତେବେଳେ ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲି । ତା ପରେ ଏଇ ଆଜି ।
ଏହା ଭିତରେ ସ୍ଫୁଲିଙ୍ଗର ସ୍ୱପ୍ନର ସମାଜଠାରୁ ମୁଁ ବହୁତ ଦୂରେଇ ଆସିଛି । ବର୍ତ୍ତମାନ ସମାଜର ଚକଚାକ୍ୟ ହିପୋକ୍ରିସିରେ ମୁଁ ଗୋଳେଇ ପୋଳେଇ ହୋଇଯାଇଛି । ମୋ କମ୍ପାନୀ ଗାଡିର ଡାର୍କ ଗ୍ଲାସ ଉଇଣ୍ଡୋସ୍କ୍ରିନ୍ ସ୍ଫୁଲିଙ୍ଗର ସଂଗ୍ରାମର କାରଣ ଗୁଡିକୁ ଯଥା ସମ୍ଭବ ମୋ ଦୃଷ୍ଟିରୁ ଦୂରାଇ ରଖିଛି । ତଥାପି ସ୍ଫୁଲିଙ୍ଗ ବେଳେ ବେଳେ ମୋ ମନ ଭିତରକୁ ପଶି ଆସିଛି । କ୍ଲବରେ ଯେତବେଳେ କଳାବଜାରୀ ସନ୍ଧୱା ଓ ବିକ୍ରିକର କମିଶନର ମେହେଟାକୁ ଏକାଠି ବସି ପିଇବାର ଦେଖିଛି ସ୍ଫୁଲିଙ୍ଗ ମୋ ମନ ଭିତରକୁ ପଶି ଆସିଛି । ଯେତେବେଳେ ଡ୍ରଗ ମାଫିଆ କାଜୀଲାଲା ଓ ପୁଲିସ୍ କମିଶନର ଆଦୱାନୀକୁ ଏକ ସଙ୍ଗରେ ହୋହୋ ହୋଇ ହସିବାର ଦେଖିଛି- ସ୍ଫୁଲିଙ୍ଗ ମୋ ମନ ଭିତରକୁ ପଶି ଆସିିଛି । ମାଳ ଅଞ୍ଚଳରେ କାମ କରୁଥିବା ଶାନ୍ତିନିକେତନ ଝୁଲା ପକା ସମାଜସେବୀ ପ୍ରିତେଶ ରାଜକୁ ଯେତେବେଳେ ଫାଇଭଷ୍ଟାର ହୋଟେଲର ରେସ୍ତୋରାଁରେ ସମାଜମଙ୍ଗଳ ବିଭାଗ କମିଶନର ହୟଗ୍ରୀବଙ୍କ ସହିତ ସୁସ୍ୱାଦୁ ଖାଦ୍ୟ ପେୟ ଉପଭୋଗ କରିବାର ଦେଖିଛି, ସେତେବେଳେ ମୋ ମନ ଭିତରକୁ ସ୍ଫୁଲିଙ୍ଗ ପଶିଆସିଛି । ସମାଜର ନାଯ୍ୟ ଦାବିକୁ ନେଇ ଚାଲିଥିବା ଧର୍ମଘଟକୁ ଭଣ୍ଡୁର କରିବା ପାଇଁ ଯେତେବେଳେ ଶ୍ରମିକ ନେତା ୱାଡିଆ ହାତରେ ମୁଁ ଟଙ୍କା ବଢାଇ ଦେଇଛି – ସେତେବେଳେ ସ୍ଫୁଲିଙ୍ଗ ମୋ ମନଭିତରକୁ ପଶି ଆସିଛି । ମୁଁ ସମାଜର ଅଧୋଗତିରେ ଗୋଟିଏ ଭାଗୁଆଳି ହୋଇଛି ନିଶ୍ଚୟ କିନ୍ତୁ ସ୍ଫୁଲିଙ୍ଗକୁ କଦାପି ଭୁଲି ପାରି ନାହିଁ – ଠିକ୍ ଗାନ୍ଧୀର ଫଟ ଦେଖି ଅଶୁ ଝରାଉଥିବା ମଦ୍ୟପ ଭଳି । ମନର କୌଣସି କୋଣରେ ସବୁବେଳେ ଯେପରି ଆଶାଟିଏ ସାଇତି ହୋଇ ରହିଛି – ସ୍ଫୁଲିଙ୍ଗ ସହିତ ଥରେ ହେଲେ ଦେଖା ହୁଅନ୍ତା କି ? ଆଜି ତେଣୁ ଯେତେବେଳେ ସେ ଆସି ହଠାତ୍ ମୋ ସାମନାରେ ଠିଆ ହୋଇଗଲା, ମୁଁ ସତରେ କେତେ ଖୁସି ହୋଇଯାଇନଥିଲି, କିନ୍ତୁ ତାର ଅନୁରୋଧ … ।
ମୁଁ ମୋର କାନକୁ ବିଶ୍ୱାସ କରିପାରୁ ନଥିଲି । ମୋ ଭଳି ଦୁର୍ବଳମନା କ୍ୟାରିଅରିଷ୍ଟ ପାଇଁ କୌଣସି ସାଲିସ୍ କେବେ ଅସମ୍ଭବ ନଥିଲା । କିନ୍ତୁ ମୋର ବିଶ୍ୱାସ ଥିଲା ଯେ ସମାଜରେ ଅବକ୍ଷୟର ଜୁଆର ଆସିଛି – ତା ସାମନାରେ ଯଦି ଜଣେ କିଏ ମୁଣ୍ଡ ନୁଆଁଇବ ନାହିଁ – ସେ ହେଉଛି ସ୍ଫୁଲିଙ୍ଗ ସେନ ।
ମୁଁ କିଛି ସମୟ ଅନାଇ ରହିଲି ସ୍ଫୁଲିଙ୍ଗର ଆଖି ଭିତରକୁ । ଖୋଜୁଥିଲି ସେ ଆଖି ଭିତରେ ବିପ୍ଲବର ସ୍ଫୁଲିଙ୍ଗକୁ – ନା, ସେ ନିର୍ବାପିତ ହୋଇଯାଇଛି । ତାର ଆଖିର କୋଣରେ କୁଟିଳତାର ଧାରଟି
ଏ ବାରି ହୋଇଯାଉଛି – ପାରି ଉଠିବା ପାଇଁ ପ୍ରୟାସୀ ସବୁ ଚତୁର ମଣିଷର ଆଖିର ରଙ୍ଗ ସହିତ ଖାପ ଖାଇ ଯାଉଛି ।
ସ୍ଫୁଲିଙ୍ଗ ବୁଝିପାରୁଥିଲା ବୋଧେ ମୋ ମନର ଭାବ । ବିରକ୍ତିର କିଛି କୁଞ୍ଚନ ହୁଏତ ମୋ ଅଜାଣତରେ ମୋ ମୁହଁ ଉପରେ ଫୁଟି ଉଠୁଥିବ । ସେ ଉଠି ମୋ ପାଖକୁ ଆସିଲା । ମୋ କାନ୍ଧ ଉପରେ ହାତ ରଖି କହିଲା – ଉଦୟ – ଏ ବ୍ୟବସ୍ଥା କଦାପି ବଦଳିବ ନାହିଁ । ଏହି ବ୍ୟବସ୍ଥା ଭିତରେ ରହି ହିଁ କାମ କରିବାକୁ ହେବ । ତେଣୁ ମୁଁ ଆଉ ସଂଗ୍ରାମ ପଥରେ ନାହିଁ । ସେବାର ପଥ ଗ୍ରହଣ କରିଛି । ବ୍ୟବସ୍ଥା ସେବା ହିଁ ଚାହୁଁଛି । ତେବେ ମୋର ସଂଗ୍ରାମୀ ଜୀବନର ବେକାର ଯାଇ ନାହିଁ । ସିଧାସଳଖ ଯେଉଁମାନେ ସମାଜସେବୀ ହେଉଛନ୍ତି ସଂଗ୍ରାମୀ ଜୀବନର ଅଭିଜ୍ଞତା ଦୃଷ୍ଟିରୁ ମୋର ବାର୍ଗେନିଂ କ୍ଷମତା ତାଙ୍କଠାରୁ ବେଶୀ । ସରକାରୀ ସାହାଯ୍ୟ ମୋତେ ବେଶୀ ମିଳୁଛି । ଆଉ ତୁମେ ଯଦି ସାହାଯ୍ୟ କର …… ।
ସ୍ଫୁଲିଙ୍ଗର ହାତକୁ ମୋର କାନ୍ଧ ଉପରୁ କାଢି ଦେଲି, ମୁଁ କଦାପି ଆଶା କରି ନଥିଲି ଯେ ସ୍ଫୁଲିଙ୍ଗ ଏତେ ନିର୍ଲ୍ଲଜ ହୋଇ ଯାଇଥିବ ବୋଲି । ତଥାପି ମୋ ଭିତରର ଉତ୍ତେଜନାକୁ ଚାପି ରଖିଲି । ଆଉ ଅଧିକ କିଛି ଶୁଣିବା ପାଇଁ ମୋର ଧୈର୍ଯ୍ୟ ନଥିଲା । ତାର ଅନୁରୋଧ ମୁତାବକ, ଆଲମିରାରୁ ପାଞ୍ଚହଜାର ଟଙ୍କା କାଢି ତା ହାତକୁ ବଢାଇ ଦେଲି – ବିଦେଶୀ ସାହାଯ୍ୟ କରାଇ ଦେବ ବୋଲି ତାକୁ ଯେଉଁ ଠାକାଦାର ମାନେ ପ୍ରତିଶୃତି ଦେଇଛନ୍ତି – ତାଙ୍କୁ ହାତଗୁଞ୍ଜା ଦେବା ପାଇଁ । ସ୍ଫୁଲିଙ୍ଗ ଟଙ୍କା ଧରି ମୋ ସହିତ ହ୍ୟାଣ୍ଡସେକ୍ କରି ବିଦାୟ ନେଲା । ଘୃଣା ଓ ଦୁଃଖର ଏକ ଅବ୍ୟକ୍ତ ମନସ୍ୟାତ୍ତ୍ୱିକ ଚାପରେ ମୁଁ ମ୍ରିୟମାଣ ହୋଇପଡୁଥିଲି – ଏତେଦିନ ପରେ ଦେଖା ଅଥଚ ଚା’ କପଟିଏ ଦେବା ପାଇଁ ମଧ୍ୟ ମୁଁ ମୋ ନିଜକୁ ବୁଝାଇ ପାରିନଥିଲି । ମୁଁ ଅନାଇ ରହିଥିଲି ସ୍ଫୁଲିଙ୍ଗର ଯିବା ବାଟକୁ । ଭାବୁଥିଲି କି ବିଡମ୍ବନା ସତେ । ଯେଉଁ ହାତ ଦିନେ ପଥ ପ୍ରାନ୍ତରର ଜନତାଠାରୁ ଚାନ୍ଦା ମାଗି ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ବୋଲି ସେମାନଙ୍କ ମନରେ ସ୍ପପ୍ନ ସୃଷ୍ଟି କରୁଥିଲା.. ସେହି ହାତ ଆଜି ବିଦେଶୀ ସାହାଯ୍ୟ ମାଗୁଛି ସମାଜ ସେବ କରିବା ପାଇଁ, ଯେଉଁ ହାତ ମୁଠା ଦିନେ କେତେ ସଂକଳ୍ପ ଓ ପ୍ରତ୍ୟୟର ପ୍ରତୀକ ହୋଇ ଆମକୁ ଅଭିବାଦନ କରୁଥିଲା – ସେହି ହାତ ମୁଠାରେ ଆଜି ପାଞ୍ଚହଜାର ଟଙ୍କା ବନ୍ଦ ରହିଛି କାହା ହାତକୁ ରିସ୍ୱତ ହୋଇଯିବ ବୋଲି । ମୋ ସାମନାରେ ଯେପରି ସବୁ ଭାଙ୍ଗି ଚୁରମାର ହୋଇଯାଉଥିଲା । ଅବକ୍ଷୟର ଆଁ ଭିତରକୁ ସବୁ ଆଦର୍ଶ ଯେପରି ଖପଖାପ୍ ହୋଇ ପଶିଯାଉଥିଲେ । କେହି ଯେପରି କହୁଥିଲା ; ଉଦୟ ପାଲ- ଦଲାଲୀ କ’ଣ ତୋର ଏକଚାଟିଆ ବେଉସା ?