ମୃତ୍ୟୁ ପରର ଜମାନବନ୍ଦୀ

  • 30/03/2017

ମୁଁ ଶୁଣୁଥିଲି ।
ସେମାନେ ବା ଜାଣନ୍ତେ କିପରି ?
ମୁଁ ପରା ମରିଯାଇଛି ।
ସେମାନେ କହୁଥିଲେ – ମୁଁ ହଠାତ୍ ମରିଗଲି, ଅପ୍ରତ୍ୟାଶିତ ମରିଗଲି । ସକାଳ ପାଞ୍ଚଟା ଯାଏ ବଞ୍ôଚଥିଲି । ସେମାନଙ୍କ ସାଙ୍ଗରେ କଥା ହେଉଥିଲି । ଛାତିରେ ହେଲା ଯନ୍ତ୍ରଣା । ତାପରେ ମୁଁ ମରିଗଲି ।
ସେମାନେ ମୋ ପାଖରେ ବସି ଲୁହ ଗଡାଉଥିଲେ । ମୋ ମାଉସୀ ବଞ୍ôଚଛନ୍ତି, ମୋ ଦାଦା ବଞ୍ôଚଛନ୍ତି, ମୋଠାରୁ ବଡ ପିଉସୀ ପୁଅ ଭାଇ ବଞ୍ôଚଛନ୍ତି, ମୋଠାରୁ ବଡ ବଡ ବନ୍ଧୁ, ସହଯୋଗୀ ବଞ୍ôଚଛନ୍ତି । ଅଥଚ ମୁଁ ମରିଗଲି । କଥା କହୁଥିଲି, ଚାଲିଗଲି । ଏହାହିଁ ସେମାନଙ୍କ ପାଇଁ ଥିଲା ଅପ୍ରତ୍ୟାଶିତ ।
ତେଣୁ ସେମାନେ କହୁଥିଲେ – ମୁଁ ହଠାତ୍ ଚାଲିଗଲି ।
ସତରେ କ’ଣ ମୁଁ ହଠାତ୍ ଚାଲିଗଲି ସମସ୍ତଙ୍କୁ ଛାଡି ? ନାଁ ମୁଁ ଛାଡି ଛାଡି ଚାଲିଥିଲି ସମସ୍ତଙ୍କୁ ଅନେକ ଦିନରୁ ? ସେମାନେ ସମସ୍ତେ ମତେ ଘେରି ବସିଥାନ୍ତି । ସେମାନେ ଯେପରି କେହି ପ୍ରସ୍ତୁତ ନଥିଲେ ଏପରି ଗୋଟାଏ ଘଟଣାର ମୁହାଁମୁହିଁ ହେବା ପାଇଁ । କିନ୍ତୁ ମୁଁ ତ ପ୍ରସ୍ତୁତ ହୋଇସାରିଥିଲି । ସେମାନେ ଜାଣିପାରୁ ନଥିଲେ କେମିତି ? ଅବଶ୍ୟ ନ ଜଣେଇ ଦେବା ପାଇଁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିଛି – ମୋଆଡୁ  ଶୁଣେ କି ନଶୁଣେ, ଯିଏ ମୋ ପାଖକୁ ଆସିଛି ତାକୁ ଚା’ ଜଳଖିଆ ଦେଇ ବସାଇଛି, କହିବା ପାଇଁ ସୁଯୋଗ ଦେଇଛି । ସେମାନଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛି । ତାଙ୍କୁ ଉତ୍ସାହିତ କରିଛି । ତେଣୁ ସେମାନେ ଜାଣନ୍ତେ କିପରି ଯେ ମୁଁ ଏପଟେ ପ୍ରସ୍ତୁତ ହେଉଛି ସବୁ ଛାଡି ଚାଲିଯିବା ପାଇଁ । ହୁଏତ, ସେମାନେ ଟିକିଏ ନିରେଖି ଦେଖିଥାନ୍ତେ ତାହାଲେ   ଜାଣିପାରିଥାନ୍ତେ । ମୋ ଗତିରେ ଶିଥିଳତା, ମୋ ପ୍ରତିକ୍ରିୟାରେ ଶିଥିଳତା, ଉଦାସୀନ ଭାବ- ଏଗୁଡିକ ସେମାନଙ୍କ ଆଖିରେ ପଡୁନଥିଲା ବୋଧହୁଏ ।
ସେମାନେ ବୋଧେ ଜାଣିପାରୁ ନଥିଲେ ଯେ ମୋର ସ୍ୱାଭାବିକତାରେ ବ୍ୟତିକ୍ରମ ଘଟୁଛି ବୋଲି ।
କିନ୍ତୁ ସେମାନେ ତ ଦେଖୁଥିଲେ ଯେ ମୋଭଲି ଗୋଟିଏ ସକ୍ରିୟ ମଣିଷ ସବୁବେଳେ କିପରି ଶୋଇ ରହିବାକୁ ଚାହୁଁଛି, ବଡିଭୋରୁ ଉଠି ମାଇଲ ମାଇଲ ଚାଲୁଥିବା ମଣିଷ ସକାଳ ସାଢେ ଆଠଟା ଯାଏ ଶୋଇ ରହୁଛି !
ମୁଁ ତ ସେତେବେଳୁ ପ୍ରସ୍ତୁତ ହେଲିଣି । କ’ଣ ପାଇଁ କରୁଥିଲି ମର୍ଣ୍ଣିୱାକ୍ । ମୁକ୍ତ ବାୟୁ ନେବି । ସ୍ୱାସ୍ଥ୍ୟକୁ ଠିକ୍ ରଖବି । ବେଶୀଦିନ ବଞ୍ôଚବି । ଯେଉଁଦିନ ଛାଡିଦେଲି ମର୍ଣ୍ଣିୱାକ୍ , ସେହିଦିନଠାରୁ ତ ଆରମ୍ଭ କଲି ଆଜିର ଦିନ ପାଇଁ ପ୍ରସ୍ତୁତ ହେବା । ମୋ ଭାଷା ଏମାନେ ଆଉ ବୁଝିପାରିବେ ନାହିଁ । କାରଣ ଏମାନଙ୍କ ଦୁନିଆଠାରୁ ମୋ ଦୁନିଆ ଅଲଗା ହୋଇଯାଇଛି । ମୁଁ ତାଙ୍କ ଦୁନିଆରୁ ଆସିଛି ବୋଲି ସେମାନଙ୍କ ଭାଷା ବୁଝିପାରୁଛି । ସେମାନେ ମୋ ଦୁନିଆକୁ ଆସିଲେ ଯାଇ ଏ ଦୁନିଆର ଭାଷା ବୁଝିବେ । ଏ ଭାଷା ଯଦି ବୁଝନ୍ତେ – ତାହାଲେ ମୁଁ ତାଙ୍କ ଆଖିର ଲୁହ ପୋଛି କାନ୍ଦିବା ପାଇଁ ବାରଣ କରନ୍ତି । ତାଙ୍କୁ କହନ୍ତି ମୋ ପିଲାଙ୍କର , ମୋ ପରିବାରର ବ୍ୟତିରେକେ ମୁଁ ଯେଉଁମାନଙ୍କର ହେବା ପାଇଁ ଚାହିଁଥିଲି, ଚେଷ୍ଟା କରୁଥିଲି, ସେମାନଙ୍କର ହେବାର ସମ୍ଭାବନା ତ ପ୍ରାୟ ବିଶେଷ ହୋଇ ଆସୁଥିଲା । ତେଣୁ, ବଞ୍ôଚବାର ଆଉ କ’ଣ ବା ଦରକାର ଥିଲା ?     ତୁମେ ଖୁସି ହୁଅ ଯେ ମୋଭଳି ଗୋଟିଏ ସକ୍ରିୟ ମଣିଷ ଅଧିକ ଦିନ ଅଦରକାରୀ ହୋଇ ରହିବାର ଯନ୍ତ୍ରଣାରୁ ମୁକ୍ତି ପାଇଛି । ମୋତେ ମୁକ୍ତି ମିଳିଛି । ମୁଁ ତ ଅନେକ ଦିନୁ ବୁଝିଲିଣି ଯେ ମୁଁ ଅଦରକାରୀ ହୋଇପଡୁଛି । ନାରାୟଣ ରେଡ୍ଡୀ ପାଇଁ ବାହାରି ପାରୁ ନାହିଁ । ଚିଲିକାରେ ମତ୍ସ୍ୟଜୀବିଙ୍କ ସାଙ୍ଗରେ ମାତି ପାରୁନାହିଁ । କୁଚେଇ ପଦରର ଆଦିବାସୀଙ୍କ ପାଖରେ ଠିଆ ହୋଇପାରୁନାହିଁ । ଲେଖିଲେ ବି କିଛି ହେଉନାହିଁ । କହିଲେ ବି କେହି ଶୁଣୁ ନାହିଁ – ସବୁ ତ ଭାଙ୍ଗି ଭାଙ୍ଗି ଯାଉଛି । ଯେଉଁମାନେ ଭାଙ୍ଗୁଛନ୍ତି ସେହିମାନେ ହିଁ ବ୍ୟାପୁଛନ୍ତି । ସେହିମାନଙ୍କ ସହିତ ମୋତେ ମଧ୍ୟ ବସିବାକୁ ହେଉଛି – ମୋ ଉପରେ ଲଦା ହୋଇଥିବା ଦାୟିତ୍ୱର ନିର୍ବାହ ପାଇଁ । ଅନେକ କଥା ନ ଚାହିଁଲେ ମଧ୍ୟ ଚାହିଁବା ପାଇଁ ବାଧ୍ୟ ହେଉଛି ।
କ’ଣ ଦରକାର ଏତେ ଅନ୍ତଦ୍ୱର୍ନ୍ଦ ଭିତରେ ବଞ୍ôଚ ରହିବାର । ମୁଁ ତେଣୁ ପ୍ରସ୍ତୁତ ହେଉଥିଲି । ଅଥଚ ସେମାନେ ଜାଣି ପାରୁନଥିଲେ । ସେମାନେ ମୋର ଏହି କ୍ରମଶଃ ଶିଥିଳ ହୋଇଆସୁଥିବା ଚଳମାନ ଶରୀରଟାକୁ ହିଁ ଜୀବନ୍ତ ବୋଲି ଭାବୁଥିଲେ । ଆଉ, ମୁଁ ସେମାନଙ୍କ ଅଲକ୍ଷ୍ୟରେ ଜୀବନରୁ ଓହରିଯିବା ଆରମ୍ଭ କରିଦେଇଥିଲି । ମୁଁ ତେଣୁ ହଠାତ୍ ମରିନାହିଁ । ମୁଁ ପ୍ରସ୍ତୁତ ଥିଲି ।
ମୋର ଆବଶ୍ୟକତା ସରି ଆସିଥିଲା । ମୋ ସ୍ୱପ୍ନର ଦୁନିଆ ସମ୍ଭବ ନୁହେଁ, ମୋତେ ଜଣାପଡିଥିଲା । ଏକବିଂଶ ଶତାବ୍ଦୀକୁ ଦେଖିବି ନାହିଁ ବୋଲି ସଂକଳ୍ପ କରିଥିଲି । ମୁଁ ଖୁସି ଯେ ଭଗବାନ ମୋ କଥା ଶୁଣିଛନ୍ତି ।
ମୋତେ ସେହି ହଜାର ହଜାର ଲୋକଙ୍କ ମୃତ୍ୟୁର ପରେ ପରେ ନେଇଯାଇଛନ୍ତି । ଯେଉଁମାନଙ୍କର ମୁଁ ଦିନେ ପ୍ରତିନିଧି ଥିଲି – ଆଉ ବୁଝୁଥିଲି ଯେ ସେହି ଶ୍ରେଣୀର ଲୋକଙ୍କର ଆଗାମୀ ଭାରତ ବର୍ଷରେ ଆଉ ଭବିଷ୍ୟତ ନାହିଁ – ତେଣୁ ମୋର ମଧ୍ୟ କୌଣସି ଆବଶ୍ୟକତା ନାହିଁ ।
ମୁଁ ହଠାତ୍ ମରିଯାଇ ନାହିଁ ବା ମୋର ମୃତ୍ୟୁ ଅପ୍ରତ୍ୟାଶିତ ନୁହେଁ । ମୋ ପାଇଁ ଏହା ଥିଲା ସଂପୂର୍ଣ୍ଣ ପ୍ରତ୍ୟାଶିତ । ଏହା ଘଟିଲା ।
ମୁଁ ଶୁଣୁଛି । କେତେଜଣ କହୁଛନ୍ତି – ମୁଁ ଯଦି ଖାଲି ବଞ୍ଚିଥାନ୍ତି – ତାହାଲେ ବି କେତେ କଥା । ଘରର ମୁରବୀ ଭଳି । ସେମାନେ ଆସିଥାନ୍ତେ ମୋତେ ପରାମର୍ଶ କରିଥାନ୍ତେ ।
ମୁଁ କ’ଣ କେବେ ମୁରବୀ ହୋଇଛି ? ନା, ମୁଁ ମୁରବୀ ହେବା କେବେ ଚାହିଁଛି । ଯେଉଁ ବୟସରେ ମୁଁ ଗଲି – ସେ ବୟସ ଅବଶ୍ୟ ମୁରବୀ ହେବାର ବୟସ । ତାଠାରୁ ଆହୁରି କମ୍ ବୟସର ଲୋକ ମୁରବୀ ହୋଇସାରିଲେଣି ।  କିନ୍ତୁ ମୋତେ ତ ମୁରବୀ ହେବା ସବୁବେଳେ ଅଡୁଆ ଲାଗିଛି । ମୁଁ ତ ହେଲି ସାଙ୍ଗରେ ଚାଲିବା ଲୋକ । ମୁରବୀ ହେବି କ’ଣ ? ଏଇୟା ସବୁବେଳେ ଭାବିଛି । କିନ୍ତୁ ମୁଁ ଦେଖିପାରୁଥିଲି ସେମାନେ ଚେଷ୍ଟା କରୁଛନ୍ତି ମୋତେ ମୁରବୀ କରିଦେବା ପାଇଁ । ମୁଁ ବୁଝିପାରୁଥିଲି ସେମାନଙ୍କ ମନର କଥା – ମୁଁ ସେମାନଙ୍କ ସାଙ୍ଗରେ ଆଉ ସେହି ତାଳରେ ଚାଲିପାରୁ ନାହିଁ – ଚାଲିପାରିବି ନାହିଁ । ତେଣୁ ମୁଁ ପ୍ରସ୍ତୁତ ହେଉଥିଲି ।
ସେଇଥିପାଇଁ କହୁଛି, ମୋର ମୃତ୍ୟୁ ହଠାତ୍ ହୋଇନାହିଁ । ଏହା ଅପ୍ରତ୍ୟାଶିତ ନୁହଁ । ମୋର ମୃତ୍ୟୁ ଠିକ୍ ସମୟରେ ହୋଇଛି । ଏକବିଂଶ ଶତାବ୍ଦୀ ପ୍ରବେଶ କରିବା ପୂର୍ବରୁ ହୋଇଛି ।
ସେହି ହଜାର ହଜାର ଲୋକଙ୍କ ମୃତ୍ୟୁପରେ ହୋଇଛି ଯେଉଁମାନଙ୍କର ମୁଁ ଦିନେ ଥିଲି ପ୍ରତିନିଧି ଆଉ ଦେଖିପାରୁଥିଲି ଯେ ଆଗାମୀ ଭାରତ ବର୍ଷରେ ଏହି ଶ୍ରେଣୀର କୌଣସି ଭିବଷ୍ୟତ ନାହିଁ ।
ଏନ – ୬/୨୯୯, ଜୟଦେବବିହାର, ଭୁବନେଶ୍ୱର । (ପ୍ରଜାତନ୍ତ୍ର – ୦୨/୦୧/୨୦୦୦ (ରବିବାର) ।

Print Friendly, PDF & Email