ଶେଷ ବସ୍ଟି ବି ଚାଲିଗଲା । ଗୋଟିଏ ପରେ ଗୋଟିଏ ଚାରିଗୋଟି ବସ୍ ଚଢିବାରେ ଅକୃତକାର୍ଯ୍ୟ ହୋଇ ସ୍ୱାଧୀନତା ସଂଗ୍ରାମୀ ନରହରି ଲିସକା, ନୋଭା ବିକାଳୀର ବେଞ୍ଚ ଉପରେ ନଥ୍ କିନା ବସି ପଡିଲେ । ଏବେ ଯିବେ କୁଆଡେ ?
ସତୁରି ବର୍ଷ ବୟସରେ ଦିନ ଦୁଇଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ବସ୍ ଦୁଆର ମୁହଁରେ ଠେଲା ପେଲା, ତାଙ୍କ ମୁହଁରେ କ୍ଲାନ୍ତି ଓ ଅସହାୟତାର ଏକ ମିଶ୍ରିତ ପ୍ରଲେପ ବୋଳି ଦେଇଥିଲା । ପାଣି ଗ୍ଲାସେ ମାଗିଲେ ସେ ।
ଠେଲା ପେଲାର ଅନୁଭୁତି ତାଙ୍କ ପାଇଁ କିଛି ନୁଆ ନୁହେଁ । ବ୍ରିଟିଶ ପୋଲିସର କର୍ଡନ ଭାଙ୍ଗିବା ବେଳେ ପୋଲିସ୍ ସହିତ ଠେଲା ପେଲା, ଧସ୍ତାଧସ୍ତିରେ ତାଙ୍କର ଯୈ÷ାବନ କଟି ଯାଇଛି । କିନ୍ତୁ ସ୍ୱାଧୀନ ଭାରତରେ ବସଟି ଚଢିବା ପାଇଁ ଏ ବୟସରେ… ।
ଢକ ଢକ କରି ପାଣି ପିଇଗଲେ ନରହରି । ସବୁ ବୃଦ୍ଧଙ୍କ ଭାଗ୍ୟ କ’ଣ ଏଭଳି ! ଉଠିଲେ ସେ । କାଲି ସକାଳ ପର୍ଯ୍ୟନ୍ତ ଯିବେ କୁଆଡେ ? ସହ ସଂଗ୍ରାମୀ ହରିହର ଏ ସହରର ବୟୋଜ୍ୟେଷ୍ଠ ପୂଜ୍ୟପାଦ ବୋଲି ସେ ଶୁଣିଛନ୍ତି । ଯିବେ କି ତାଙ୍କ ପାଖକୁ ?
ଅନାଇଲେ ନରହରି ପିନ୍ଧିଥିବା ଫତେଇଟିକୁ । ପଛ କଥା ଗୁଡା ମନେ ପଡିଗଲା ।
ହରିହର ଥିଲେ ତାଙ୍କ ନେତୃତ୍ୱରେ ପରିଚାଳିତ ଦଳର ପୋଷ୍ଟର ଲେଖାଳୀ । ଦୁର୍ବଳ ଶରୀର ହେଲେ ବି ଚମକ୍ରାର ଅକ୍ଷର, ଭିଡ କାମକୁ ପାରିବେ ନାହିଁ ବୋଲି ନରହରି ଦେଇଥିଲେ ତାଙ୍କୁ ପୋଷ୍ଟର ଲେଖିବାର ଦାୟିତ୍ୱ । କେତେ ସମୟ ସେ ନଷ୍ଟ କରିନାହାନ୍ତି ହରିହରଙ୍କୁ ବୁଝାଇବାରେ ଯେ ରାମାୟଣ ଯୁଦ୍ଧରେ ହନୁମାନ ଓ ଗୁଣ୍ଡୁଚି ମୂଷା ଉଭୟର ଦାନ ସମାନ ବୋଲି ! ହରିହରଙ୍କର ସେ ଥିଲେ ସେତେବେଳେ ଏକମାତ୍ର ସହୃଦୟ । ତେବେ ଆଜି କ’ଣ ହରିହର ତାଙ୍କୁ ଚିହ୍ନିବେ ?
ଅଠତିରିଶି ବର୍ଷ ସ୍ୱାଧୀନତା ପରେ ନରହରି – ହରିପୁର ଗାଁର ନରହିର ଦାମ ମାତ୍ର । କିନ୍ତୁ ହରିହର କେତେ ନାଁ କେତେ ଉପାଧିଧାରୀ, କେତେ ସଭା ସମିତି ମଣ୍ଡନକାରୀ ମହାତ୍ମା ହରିହର ମିଶ୍ର ।
ସେ ଦିନଟି ତ ତାଙ୍କର ସ୍ପଷ୍ଟ ମନେ ଅଛି, ଯେଉଁଦିନ ହରିହର ତାଙ୍କ ଗାଁ ମାଇନର ସ୍କୁଲ ଉଦ୍ଘାଟନ ସଭାକୁ ଆସିଥିଲେ ମୁଖ୍ୟ ଅତିଥି ହୋଇ । ଦେହରେ କି ଫିନ୍ ଫିନ୍ ଧୋତି ଓ ପଞ୍ଜାବୀ, ବଗର ରଙ୍ଗ ବି ମଳିନ ପଡିଯିବ । ଉଦ୍ଘାଟନ କରି କେତେ କେତେ କଥା କହିଥିଲେ ହରିହର ।
ଉଦ୍ୟୋକ୍ତାମାନଙ୍କୁ କହି ସେ ଦିନ ନରହରି ଦେଖା କରିଥିଲେ ହରିହରଙ୍କୁ । ତାଙ୍କ ବଙ୍ଗଳାର ମୋଟା ମୋଟା ଗଦି ଉପରେ ଆରାମ କରୁଥିବା ହରିହରଙ୍କୁ ଦେଖି ନରହରି କାହିଁକି ଭାରି ସଙ୍କୁଚିତ ହୋଇ ପଡିଲେ । ନୋଆଖୋଲିର ଗାନ୍ଧୀ, ରାମଚନ୍ଦ୍ରପୁରରେ ଗୋପବନ୍ଧୁଙ୍କର ଉପଯୁକ୍ତ ଦାୟାଦ କ’ଣ ହରିହର ? ନରହରି ଭାବିଥିଲେ ହରିହର ତାଙ୍କୁ ଦେଖିଲା ମାତ୍ରେ ଗଦିରୁ ଉଠିପଡି କୁଣ୍ଢାଇ ପକାଇବେ – ସ୍ମୃତି ଚାରଣ କିଛି ସମୟ ହେବ । ନରହରି ଯେ ତାଙ୍କର ଏକଦା ନେତା ଥିଲେ, ତାହା ସେ ଗ୍ରାମବାସୀଙ୍କ ଆଗରେ ସ୍ୱୀକାର କରିବେ । ଯୋବନରେ ତାଙ୍କ ଦୁଃସାହସିକତା ସଂପର୍କରେ ଗ୍ରାମବାସୀଙ୍କୁ କହିବେ । ଏସବୁ କିଛି ହେଲା ନାହିଁ । ନରହରି ସେ ଗାଁର ଆଉ କେତେଜଣ ଭେଟିବାକୁ ଆସିଥିବା ଗ୍ରାମବାସୀ ଦାମୋଦର, ଶରତ, ଅକ୍ରୁରଙ୍କ ଭଳି ଜଣେ ହୋଇଯାଇଥିଲେ । ନରହରି ଭାବୁଥିଲେ ହରିହର ତାଙ୍କୁ ଚିହ୍ନିପାରୁନାହାନ୍ତି । ଚିହ୍ନା ଦେବାପାଇଁ ଉଦ୍ୟମ କରନ୍ତେ, ହରିହର କହିଥିଲେ, ନରହରବାବୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସରକାର ପେନସନ୍ ଦେବାର ବନ୍ଦୋବସ୍ତ କରୁଛନ୍ତି । ଆପଣ ସେ ସଂପର୍କୀୟ କାଗଜ ପତ୍ର ଯୋଗାଡ କରୁଥାନ୍ତୁ ବୁଝିବା । ନରହରି ହତବାକ୍ ହୋଇଯାଇଥିଲେ ସେ ତ ହରିହରଙ୍କ ପାଖକୁ ଯାଇନଥିଲେ ପେନସନର ଅନୁଗ୍ରହ ପାଇଁ । ସେ ଯାଇଥିଲେ ହରିହରଙ୍କୁ ସଙ୍ଖୋଳିବାକୁ । କିନ୍ତୁ ହରିହର ବୁଝିଲେ କ’ଣ ? ହରିହରଙ୍କୁ ନମସ୍କାର କରି ସେ ଫେରିଥିଲେ ସେଦିନ ।
ଏହା ଭିତରେ ପନ୍ଦର ବର୍ଷ ବିତିଗଲାଣି । ଆଉ ଦେଖା ହୋଇନାହିଁ । ଆଜି ଯଦି ଯାଆନ୍ତି ତେବେ ହୁଏତ ହରିହର କହିବେ ଏତେ ଡେରିରେ ଆସିଲେ ଆୁ କ’ଣ ପେନସନ୍ ମିଳିବ ?
ନରହରି ରାଜପଥକୁ ଉଠିଲେ । ବହୁଦିନ ପରେ ସହରକୁ ଆସୁଛନ୍ତି । ଏହା ଭିତରେ ଉନ୍ନତି ତ ବହୁତ ହୋଇଛି । ରାସ୍ତାଗୁଡିକ ବେଶ୍ ପ୍ରଶସ୍ତ ହୋଇଛି । ଆଉ ଛକ ଜାଗାମାନଙ୍କରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ସୂର୍ଯ୍ୟକୁ ବି ମାଡ କରିଦେବ । ଗାଡି ପରେ ଗାଡି, ଚାଲିବା ଲୋକ ପାଇଁ ଆଉ କିଛିଦିନ ପରେ ହୁଏତ ଥାନ ନଥିବ । ସେତେବେଳେ ତାଙ୍କ ଭଳି ବୃଦ୍ଧମାନେ କ’ଣ କରିବେ ? ଦୀର୍ଘଶ୍ୱସଟିଏ ଛାଡିଲେ ନରହରି ।
ନରହରି ଚାହୁଁ ଚାହୁଁ ଆସି ବାଇମୁଣ୍ଡି ଛକରେ ପହଞ୍ôଚଲେ । ଏକଦା ଜନଶୂନ୍ୟ ଏହି ଅଞ୍ଚଳଟି ଜନାରଣ୍ୟରେ ପରିଣତ ହୋଇଯାଇଛି । ଅନେକ ଗୁପ୍ତ ମନ୍ତ୍ରଣା ସଭା ଏହିଠାରେ ଥିବା ଜଙ୍ଗଲ ଓ ବୁଦା ଭିତରେ ତାଙ୍କର ହୋଇଥିଲା । ଭାରି ସନ୍ତସନ୍ତିଆ ଥିଲା ଏଠା ଜାଗାଟା । ଏବେ ତ ଚାରିଆଡେ କୋଠା ମାଳମାଳ, କଂକ୍ରିଟ ରାସ୍ତା, ଖାଲ ସବୁ ପୋତି ହୋଇଯାଇଛି । ସବୁ ବଦଳି ଯାଇଛି ।
ନରହରି ଆଗେଇଲେ । ଆଲୋକରେ ଝିଲମିଲ୍ ଆଖିଟା ଉପରେ ପୁଣି ଅନ୍ଧାର ଓହ୍ଲାଇ ଆସିଲା । ସେହି ପ୍ରଶ୍ନ-ସକାଳ ପର୍ଯ୍ୟନ୍ତ ସେ ରହିବେ କେଉଁଠି ?
ରାସ୍ତା କଡକୁ ଓହ୍ଲାଇ ପଡିଲେ ନରହରି । ରାସ୍ତାକୁ ଲାଗି ବିସ୍ତୀର୍ଣ୍ଣ ପଡିଆ । ଅନ୍ଧାରରେ ଧସେଇ ଚାଲିଲେ ସେ । କାଁ ଭାଁ କିଛି ଲୋକଙ୍କ ବ୍ୟତୀତ ପରିବେଶ ସମ୍ପୂର୍ଣ୍ଣ ନିରୋଳା । ଭଲ ଲାଗିଲା ନରହରିଙ୍କୁ । ସେ ଆଗେଇଲେ ।
ହଠାତ୍ ସାମନାରେ କଂକ୍ରିଟ୍ ସ୍ତମ୍ଭ ଦେଖି ଅଟକି ଗଲେ ପଡିଆ ମଝିଟାରେ କଂକ୍ରିଟର ସ୍ତମ୍ଭ । କାହାରି ପ୍ରତିମୂର୍ତ୍ତୀ ରହିଥିବ ବୋଧେ । ନରହିର ଟର୍ଚ୍ଚ ଟିପିଲେ ।
ଓଃ, ଗାନ୍ଧୀ’ ନରହରି ଯେପରି ଅପ୍ରସ୍ତୁତ ହୋଇପଡିଲେ ।
‘‘କିଏ.. ? କହି ଜଣେ ପ୍ରଶ୍ନ କଲା ।
ନରହରି ଚମକି ପଡିଲେ । ସେ ବାରିବାକୁ ଚେଷ୍ଟାକଲେ ଅନ୍ଧାର ଭିତରେ ଶବ୍ଦଟା କେଉଁଠୁ । ପୁଣି ଥରେ ସେହି ପ୍ରଶ୍ନ ଅଥଚ ସ୍ୱର ସାମାନ୍ୟ କଠୋର । ଗଞ୍ଜେଇ ଧୁଆଁ ଦମକାଏ ନରହରିଙ୍କ ନାକରେ ବାଜିଲା ।
କେହି ଦୁବୃତ୍ତ ଏଠାରେ ନାହିଁ ତ । ନରହରି ସାମାନ୍ୟ ଶଙ୍କିଗଲେ ।
ହଁ କ’ଣ ନେବାକୁ ଅଛି ତାଙ୍କଠାରୁ, ନିଜକୁ ସାମାନ୍ୟ ସହଜ କରିନେଇ ସେ ଉତ୍ତର ଦେଲେ ମୁଁ ଜଣେ ବୃଦ୍ଧ । ବସ୍ ଫେଲ୍ ହୋଇଗଲି । ରହିବା ପାଇଁ ଜାଗା ଖୋଜୁଛି ।
ବେଶ୍ ଭଲ ଜାଗାରେ ପହଞ୍ôଚଯାଇଛ, ଗାନ୍ଧୀର ପ୍ରତିମୂର୍ତ୍ତି ତଳେ । ଆରାମରେ ଶୋଇପଡ ନରହରି ନିଜର କୃତଜ୍ଞତା ଜଣାଉ ଜଣାଉ କହିଲେ ବାବା ତମେ କିଏ ? କେଉଁଠାରେ ଅଛ ? ମୁଁ ତ ଦେଖି ପାରୁନାହିଁ ।
ଉତ୍ତର ଆସିଲା, ମୁଁ ଏହିଠାରେ ଅଛି । ତୁମେ ପ୍ରତିମୂର୍ତ୍ତିର ସାମନା ପଟେ ଅଛ । ଆଉ ମୁଁ ପଛପଟରେ ବସି ଗଞ୍ଜେଇ ଟାଣୁଛି । ବେକାର ଯୁବକଟିଏ ତ ! ନରହରି ସ୍ତମ୍ଭ ତଳ ପକ୍କା ଚଟାଣ ଉପରେ ବସି ପଡିଲେ । ବେକାର ଯୁବକଟିଏ ଗାନ୍ଧୀ ମୂର୍ତ୍ତି ତଳେ ବସି ଗଞ୍ଜେଇ ଟାଣୁଛି – ତାଙ୍କୁ ଭାରି ବେଖାପ ଲାଗିଲା । ରୁଚିକୁ ବାଧିଲା । ତାଙ୍କର ମନେ ହେଲା, ଏହା ଯେପରି ଗାନ୍ଧୀଙ୍କ ପ୍ରତି ଖୋଲା ଖୋଲି ଅବମାନନା, ସମ୍ପୂର୍ଣ୍ଣ ବେଖାତିର, ଗାନ୍ଧୀବାଦୀ ନରହରି ନିଜକୁ ସମ୍ଭାଳି ପାରିଲେ ନାହିଁ । ପଚାରିଲେ ଆଚ୍ଛା, ବାବା, ଗାନ୍ଧୀ ମୂର୍ତ୍ତି ତଳେ ବସି କ’ଣ ଗଞ୍ଜେଇ ଟାଣିବା ଉଚିତ ?
ସେ ଆଶା କରିଥିଲେ ଯୁବକଟି ନିଜର ଭୁଲ ବୁଝିପାରିବ । କିନ୍ତୁ ସେ ଓଲଟି ପଚାରିଲା କାହିଁକି ଉଚିତ୍ ନୁହେଁ ?
‘ଗାନ୍ଧୀ ଆମ ଜାତିର ଜନକ । ଆମକୁ ସ୍ୱାଧୀନତା ଆଣି ଦେଇଛନ୍ତି ସେ । ତାଙ୍କ ପ୍ରତି ଆମର ସମ୍ମାନ ରହିବା ଉଚିତ ନୁହେଁ କି ? ନରହରି କହିଲେ । ଜଣା ପଡୁଛି ତୁମେ ସେହି ପୁରୁଣା କାଳିଆ ହୋଇ ରହିଯାଇଛ । ଗାନ୍ଧୀ ବିଷୟରେ ତୁମର କୌଣସି ଧାରଣା ନାହିଁ । ଗାନ୍ଧୀ ହୋଇଛି ଗୋଟାଏ ସିନେମା ଅର୍ଥାତ୍ ବାଇସ୍କୋପର ନାମ । ବେନ କିଙ୍ଗ୍୍ସ୍ଲେ ହେଉଛି ଗାନ୍ଧୀ’ ଯୁବକଟି ଉତ୍ତର ଦେଲା ।
ଗଞ୍ଜେଇର ପ୍ରଭାବରେ ଯେ ଯୁବକଟି ପୁରାପୁରି ଆକ୍ରାନ୍ତ – ଏ ସମ୍ପର୍କରେ ଆଉ ସନ୍ଦେହ ରହିଲା ନାହିଁ ନରହରିଙ୍କର । ପକ୍କା ଚଟାଣଟି ଉପରେ ନରହରି ଶୋଇବାର ଆୟୋଜନ କଲେ ।
ନୀରବତାରେ କିଛିକ୍ଷଣ ବିତିଗଲା । ଯୁବକଟି ନୀରବତା ଭଙ୍ଗ କଲା ପଚାରିଲା କ’ଣ ଶୋଇପଡିଲଣି ? ଭାବୁଥିବ ଯେ ଏ ଟୋକାଟା ଗଞ୍ଜେଇ ଖାଇ କ’ଣ ଏମିତି ପ୍ରଳାପ କରୁଛି । ଚାରିବର୍ଷ ହେଲାଣି ବେକାରୀ, ଏସହରରୁ ସବୁ ଅଫିସ, ସବୁ କାରଖାନା ବୁଲି ଆସିଲିଣି । କେଉଁଠି ଚାକିରି ନାହିଁ, ରାତିରେ ଗଞ୍ଜେଇ ଖାଇଲେ ଦିନର ଅନୁଭୂତିର ଭିତରପଟଟା ଆହୁରି ସ୍ପଷ୍ଟ ହୋଇ ଦେଖାଦିଏ । ଅବୁଝା କଥାଗୁଡା ବୁଝି ହୋଇଯାଏ । ଗାନ୍ଧୀ ଓ ଗଞ୍ଜେଇ ଭିତରେ କୌଣସି ସମ୍ପର୍କ ନାହିଁ । ଏହି ପଥର ମୂର୍ତ୍ତି ସହିତ ଗାନ୍ଧୀଙ୍କ ପ୍ରତି ଖାତିର ବା ବେଖାତିର ମଧ୍ୟ କୌଣସି ସମ୍ପର୍କ ନାହିଁ, ତୁମ ଗାନ୍ଧୀ ଓ ଆମ ଗାନ୍ଧୀ ଭିତରେ ତେଣୁ ତଫାତ୍ ଅନେକ-ଅନେକ !!
ସେ ଲେଙ୍ଗୁଟିମରା ଗାନ୍ଧୀଙ୍କୁ ନେଇ ଆମେ ଆଜି କୋଟି କୋଟି ଟଙ୍କା ରୋଜଗାରରେ ଲାଗିଛୁ । ଅବଶ୍ୟ ମୁଁ ବେକାର ଅଛି । ଆଚ୍ଛା, ଛାଡ ସେ ଗାନ୍ଧୀ କଥା । ତୁମେ ତ ଖାଲି ଜଣେ ବୃଦ୍ଧ ହୋଇନଥିବ । ତୁମର ତ କିଛି ଗୋଟାଏ ପରିଚୟ ଥିବ – ଏଇ ଯେମିତି ମୁଁ ଜଣେ ଯୁବକ ଅଥଚ ବେକାର ଯୁବକ ? ତୁମେ ସେମିତି କି ପ୍ରକାର ବୃଦ୍ଧ ?
ନରହିର ଭାବିଲେ କ’ଣ କହିବି ? ଗାନ୍ଧୀ କହିଲେ ଯେ ସିନେମାର ନାଁ ବୁଝେ, ସେ ସ୍ୱାଧୀନତା ସଂଗ୍ରାମୀ କହିଲେ କ’ଣ ବୁଝିବ ? ନୀରବ ରହିଲେ ।
ଯୁବକଟି ପୁଣି ପଚାରିଲା, କାହିଁ କିଛି କହୁନାହଁ ଯେ, ରାଗିଗଲ କି ଆଜିକାଲିର ଟୋକାଙ୍କ ଚଲିଚଳଣ, କଥାବାର୍ତ୍ତା, ଗତିବିଧି ଦେଖି ? ଆଦୌ ସମ୍ମାନବୋଧ ନାହିଁ ନା ।
‘କିପରି ବା ରହିବ ? ଆମ ପ୍ରତି କାହାର ଅଛି ? ସବୁଠିତ ଦୂର ଦୂର । ହଉ ତୁମ ପରିଚୟ ଦିଅ, ମୋ ପରିଚୟ ଶୁଣିବା ପରେ ଅନ୍ତତଃ ସୌଜନ୍ୟ ଦୃଷ୍ଟିରୁ ।
ନରହରି ଅତି ସଂକ୍ଷେପରେ କହିଲେ, ସ୍ୱାଧୀନତା ସଂଗ୍ରାମୀ ।
କ’ଣ ପେନସନ ନେବାପାଇଁ ଆସିଥିଲେ ? ଯୁବକଟି ପଚାରିଲା ।
ନା, ମୁଁ ପେନସନ ପାଏ ନାହିଁ । ନରହରି ଉତ୍ତର ଦେଲେ । କାହିଁକି ଆପଣ ଜେଲ୍ ଯାଇନଥିଲେ ?
ହଁ, ଦୁଇ ତିନି ବର୍ଷ ଜେଲରେ କଟାଇଛି ।
ତା ସତ୍ତେ୍ୱ ବି ମିଳିଲା ନାହିଁ ? ଶଳା ସବୁଠାରେ ତ ଧରା ଧରି । ଆପଣଙ୍କର ଦରଖାସ୍ତଟିକୁ ଖାରଜ କରି ଦେଇଥିବେ । ଯୁବକ କଣ୍ଠରେ ଉତ୍ତେଜନା ।
ନା, ମୁଁ ଦରଖାସ୍ତ କରିନଥିଲି ।
କାହିଁକି ?
ମୁଁ ଏଥିରେ ବିଶ୍ୱାସ କରେନାହିଁ ।
କ’ଣ ଅଭିମାନ !
ନା, ନୀତି ଦୃଷ୍ଟିରୁ । ବୃଦ୍ଧଙ୍କ କଣ୍ଠରେ ଉତ୍ତେଜନାର ଆଭାସ ।
ସେ କହିବାକୁ ଲାଗିଲେ ମୁଁ ସ୍ୱାଧୀନତା ସଂଗ୍ରାମକୁ ତ ବୃତ୍ତି କରିନଥିଲି ଯେ ସେଥିରୁ ଅବସର ନେଇଛି । ତେଣୁ ପେନସନ ନେବି । ସ୍ୱାଧୀନତା ସଂଗ୍ରାମ ଥିଲା ମୋର ବ୍ରତ । ଦେଶ ସ୍ୱାଧୀନତା ହେଲା, ମୋ ବ୍ରତ ସଫଳ ହେଲା । କିନ୍ତୁ ମୁଁ କେବେ ଭାବିନି ଯେ ସେଇଥିରେ ସଂଗ୍ରାମ ସରିଗଲା ବୋଲି, ମୁଁ ଅବଶ୍ୟ ବୃଦ୍ଧ ହୋଇଗଲି । ସଂଗ୍ରାମ ପାଇଁ ବଳ ହଟିଗଲା । ମୋ ସାଥୀମାନେ ଶାସକ ହୋଇଗଲେ ଆଉ ଯୁବକମାନେ … ବୃଦ୍ଧଙ୍କ କଣ୍ଠ ରୁଦ୍ଧ ହୋଇଆସିଲା । ‘ହଁ’ ଯୁବକମାନେ ଶାସକଙ୍କର ସ୍ତାବକ ହୋଇଗଲେ । ସୁରକ୍ଷିତ ଜୀବନଟିଏ ପାଇଁ ସବୁ ନୀତିକୁ ଜଳାଞ୍ଜଳି ଦେବାର ପ୍ରବଣତା ଦେଖାଇଲେ । ତାହା ଯଦି ନ କରିପାରିଲେ, ବସି ଗଞ୍ଜେଇ ଟାଣିଲେ, ଜୀବନ ସଂଗ୍ରାମରୁ ଖସି ଯିବାପାଇଁ ଚେଷ୍ଟା କଲେ । ନରହରି ନୀରବ ହେଲେ । ନୀରବତାରେ କିଛି ସମୟ କଟିଗଲା ।
ଆପଣଙ୍କର ଚଳାଚଳ ବୋଧହୁଏ ସ୍ୱଚ୍ଛଳ ? ଯୁବକଟି ନୀରବତା ଭଙ୍ଗ କଲେ ।
ଦୁଇ ଏକର ଜମି ଅଛି । କିଛିଟା ବ୍ୟଙ୍ଗ ମିଶ୍ରିତ କଣ୍ଠରେ ଉତ୍ତର ଦେଲେ ନରହରି ।
ମାତ୍ର ଦୁଇ ଏକର ! ଯୁବକ ଆଶ୍ଚର୍ଯ୍ୟ ହୋଇ ପଚାରିଲା ପୁଣି –
ଆପଣଙ୍କର ପିଲାପିଲି ତ ଥିବେ ?
ହଁ , ଦୁଇ ପୁଅ ଗୋଟିଏ ଝିଅ । ଆରବର୍ଷ ଝିଅଟି ମରିଗଲା ଶାଶୁଘରେ । ପୁଅମାନେ କହିଲେ ତାର ମୃତ୍ୟୁ କାଳେ ଯୋ÷÷ତୁକ ମୃତ୍ୟୁ । ମୁଁ କିନ୍ତୁ ସେ ସବୁରେ ମୁଣ୍ଡ ପୁରାଇ ନାହିଁ ।
ପୁଅମାନେ ଭଲ ଚାକିରି ବାକିରି କରନ୍ତି ?
ହଁ ଜଣେ ନିମ୍ନ ପ୍ରାଥମିକ ସ୍କୁଲର ଶିକ୍ଷକ, ଆରଜଣକ ହଲରମ୍ୟାନ । ସେମାନେ ସମସ୍ତେ ବି ସଂଗ୍ରାମୀ । ଅତି ସହଜ ଭାବରେ ଉତ୍ତର ଦେଇ ଚାଲିଥିଲେ ନରହରି ।
ତେଣୁ ପେନସନ ନେବା … କହୁ କହୁ ଯୁବକଟି ରହିଗଲା ।
ହଁ ପୁଅ ଦୁହେଁ ବହୁତ କହିଥିଲେ ବାପା ପେନସନ୍ ନିଅ । ତିନିଶହ ଟଙ୍କା କିଛି କମ୍ ନୁହେଁ । ତୁମ ସାଙ୍ଗମାନେ କାହିଁ କ’ଣ ସବୁ ହେଲେଣି । ତୁମେ ତିନିଶହ ଟଙ୍କା ଆଣିଲେ ଆମ ଘରତ ଚଳିଯିବ । ମୁଁ କେବଳ ତାଙ୍କୁ ଏତିକି କହିଥିଲି ଯେ ଲୋକ ମରିଗଲା ପରେ ତ ଆଉ ପେନସନ୍ ପାଏ ନାହିଁ । ମୁଁ ଯଦି ମରିଯାଏ ତୁମେ ଚଳିବ କିପରି ? ଏହି ଅବସ୍ଥାରେ ହିଁ ଚଳି ଶିଖ । ଆଉ ସେହିଦିନଠାରୁ ସେମାନେ ମୋତେ କେବେ କିଛି କହିନାହାନ୍ତି । ଭାବୁଥିବେ ମୁଁ ତାଙ୍କ ପାଇଁ ମରିଯାଇଛି । କିନ୍ତୁ ଆପଣ ଚାହିଁଥିଲେ ଅନେକ କିଛି ନିଜ ପରିବାର ପାଇଁ କରିପାରିଥାନ୍ତେ ।
ହଁ, ସଂଗ୍ରାମୀ ଜୀବନକୁ ପୁଞ୍ଜିକରି ଅନେକ କଥା କରିପାରିଥାନ୍ତେ । କିନ୍ତୁ ନ କରି ପାରିଥିବାରୁ ମୋର କୌଣସି ଅବଶୋଷ ନାହିଁ । ବରଂ ସନ୍ତୋଷ ଯେ ମୁଁ ଅବକ୍ଷୟର ପ୍ରବାହରେ ଭାସି ଯାଇନାହିଁ । ବ୍ରତକୁ ବୃତ୍ତି କରି ଦେଇନାହିଁ । ମୁଁ ଏକା ନୁହେଁ । ଏହିଭଳି ଅନେକ ଅଛନ୍ତି ଯାହାଙ୍କୁ ଆଜି କେହି ଚିହ୍ନେ ନାହିଁ ସେମାନଙ୍କ କଥା କେହି କହେ ନାହିଁ । ସେମାନଙ୍କ ଉପରେ କେହି ଲେଖେ ନାହିଁ । ଇତିହାସରେ ରହନ୍ତି ସେମାନେ କେବଳ ଗୋଟିଏ ଜନସମୁହ ହୋଇ ।
ନରହରି ଦୀର୍ଘଶ୍ୱାସଟିଏ ଛାଡିଲେ ।
ଚିଲମରେ ଆଉ ଗୋଟିଏ ଜୋର ଟାଣ ଦେଇ ଯୁବକଟି କହିଲା ଗାନ୍ଧୀଙ୍କ ଅନୁଚର ହୋଇ ଆପଣମାନେ ଅନେକ କିଛି ହରାଇଲେ, ଆଜିର ପରିଭାଷା ଅନୁଯାୟୀ ହାରିଗଲେ । ଅଥଚ ସେହି ଗାନ୍ଧୀଙ୍କୁ ପୁଞ୍ଜି କରି କେତେ ଲୋକ କେତେ ନାଁ ପାଇଲେ । ସ୍ୱାଧୀନତା ସଂଗ୍ରାମୀ କହି ତ୍ୟାଗର ନଜିର ଦେଇ ସମାଜପତି ବନିଗଲେ । ହେଇ ଦେଖନ୍ତୁ ନା ହରିହରଙ୍କୁ କେତେ ବଡ ଲୋକ ସେ । ଗାନ୍ଧୀଙ୍କ ନାଆଁକୁ ଜପାମାଳି କରି ଜୀବନରେ ସବୁ କିଛି ପାଇଲେ, ଘର, ଗାଡି, ଉଚ୍ଚପ୍ରତିଷ୍ଠିତ ସନ୍ତାନ ସନ୍ତତି । ସର୍ବୋପରି ସମାଜିକ ପ୍ରତିଷ୍ଠା । ଆପଣମାନେ ଗାନ୍ଧୀଙ୍କ ମଣିଷ ସହିତ ରହିଗଲେ ଆଉ ସେମାନେ ଆପଣଙ୍କର ଭାଗ୍ୟ ନିୟନ୍ତା ହୋଇଗଲେ । ‘ଆପଣ ହରିହରଙ୍କୁ ଚିହ୍ନନ୍ତି ? ଏ ସହରର ବୟୋଜ୍ୟେଷ୍ଠ ଗାନ୍ଧୀବାଦୀ ସେ ।’
ହରିହରଙ୍କ ନାଁ ଶୁଣି ନରହରି ଏକ ଅଶ୍ୱସ୍ତି ଅନୁଭବ କଲେ । ଭାବିଲେ କ’ଣ ଦରକାର ଏହି ଯୁବକଙ୍କୁ ହରିହରଙ୍କ ଅତୀତ ସମ୍ପର୍କରେ କହିବା । କେବଳ ଛୋଟିଆ ‘ହ’ୁଁ ଟିଏ ମାରି ରହିଲେ ।
ଯୁବକଟି କହିଚାଲିଥାଏ ଗାନ୍ଧୀ ଆମପାଇଁ ଗୋଟାଏ ଫାଙ୍କା ଆଦର୍ଶ, ଅର୍ଥ ଆଉ ପ୍ରତିଷ୍ଠା ହାସଲ ପାଇଁ ଗୋଟାଏ ସଫଳ ପୁଞ୍ଜି । ଗୋଟାଏ ଲାଭ ଜନକ ସିନେମାର ନାମ ମାତ୍ର । ବ୍ରିଟିଶ ଅଭିନେତା ବେନ୍ କିଙ୍ଗ୍୍ସ୍ଲେ ଆମ ପାଇଁ ଗାନ୍ଧୀ ଦମକାଏ ଗଞ୍ଜେଇ ଧୁଆଁ ଆସି ନରହରିିଙ୍କ ନାକରେ ବାଜିଲା । ନରହରି ମୁଣ୍ଡତଳେ ବୁଜୁଳାଟି ଦେଇ ଶୋଇବାକୁ ଚେଷ୍ଟା କଲେ । ……..