ଚୌଧୁରୀ ରାମକିଙ୍କର

  • 30/03/2017

ବୀରେନ୍ଦ୍ର ନାୟକ

ଚୌଧୁରୀ ରାମକିଙ୍କର ତାଙ୍କର ଅନିୟମିତ ଶରୀରଟିକୁ ପଲଙ୍କ ଉପରେ ଭରା ଦେଇ ଉଠିବା ପରଠାରୁ ବେଶ୍ ଉଲ୍ଲସିତ ମନେ ହେଉଥିଲେ । ସକାଳର ନରମ ଖରା ବଲକୋନି ଉପରେ ବିଛାହୋଇ ପଡିଥିଲା ଗଦାଏ ଖୁଚୁରା ପଇସା ଭଳି । ରାମକିଙ୍କର ବାଲକୋନି ଉପରେ ବୁଲୁ ବୁଲୁ କେଉଁ ଏକ ଖିଆଲରେ ବୁଡିଯାଇଥିଲେ ଓ ବାଲକୋନି ତଳକୁ ବାରମ୍ବାର ଅନାଇ ମନକୁ ମନ ହସୁଥିଲେ ।
‘ଜୟ ମଙ୍ଗଳା’ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଚୌଧୁରୀ ରାମକିଙ୍କର ବହୁ ଅଦ୍ଭୁତ ଖିଆଲର ମଣିଷ । ଏକଥା ତାଙ୍କର କର୍ମଚାରୀମାନେ ଜାଣନ୍ତି, ଆଉ ସେ ନିଜେ ମଧ୍ୟ ଜାଣନ୍ତି । ବ୍ୟବସାୟର ଶ୍ରୀବୁଦ୍ଧି ପାଇଁ ତାଙ୍କର ଉଦ୍ଭାବିତ ନୂତନ ଯୋଜନା ଗୁଡିକ ବ୍ୟବସାୟୀ ମହଲରେ ବାରମ୍ବାର ସୃଷ୍ଟି କରିଛି ଆଲୋଡନ । ମାନ୍ଦା ପଡି ଆସୁଥିବା ବ୍ୟବସାୟରେ ସୃଷ୍ଟି ହୋଇଛି ଚମକ । ଦ୍ୱିଗୁଣିତ ବେଗରେ ବ୍ୟବସାୟ ବଢିଛି । ଆଉ ରାମକିଙ୍କର ହୋଇଛନ୍ତି ବ୍ୟବସାୟୀ କୂଳର ଆଶାର କେନ୍ଦ୍ରବିନ୍ଦୁ ।
କିନ୍ତୁ, ଚାଳିଶି ବର୍ଷ ତଳେ ରାମକିଙ୍କର ଯେତେବେଳେ ମାଟ୍ରିକ ପାସ କରି କଲେଜରେ ପାଠ ପଢିବା ପାଇଁ ଜିଦ୍ ଧରି ବସିଲେ ସେତେବେଳେ ତାଙ୍କ ବାପାଙ୍କୁ ନିରୁତ୍ସାହିତ କରିଥିଲେ ସମସ୍ତେ । ରାମକିଙ୍କର ଯେ ଅଦରକାରୀ ହୋଇଯିବ ବ୍ୟବସାୟ ପାଇଁ – କେବଳ ତା ନୁହେଁ, ପଢାଇବା ପାଇଁ ଯେଉଁ ପଇସା ଖର୍ଚ୍ଚ ହେବ ଚାରିବର୍ଷ ଧରି ସେତିକିରେ ଆଉ ଏକ ବ୍ୟବସାୟ ଖୋଲି ତାଙ୍କୁ ବସାଇଦେବା ପାଇଁ ଅନେକ ତାଙ୍କ ବାପାଙ୍କୁ ପରାମର୍ଶ ଦେଇଥିଲେ ।
ସମସ୍ତଙ୍କ ଅନିଚ୍ଛା ସତ୍ତେ୍ୱ ସେ ପଢିଲେ କଲେଜରେ ବାପଙ୍କୁ ଅପ୍ରତ୍ୟାଶିତ ଆତ୍ମହତ୍ୟାର ଧମକଦେଇ । (ସେତ ! କେତେ ଦୁଃସାହସୀ ନଥିଲେ ସେ ସେତେବେଳେ ) ଭଲ ଛାତ୍ର ଭାବେ ପରିଗଣିତ ହେଲେ । କବିତା ଲେଖିବାକୁ ଲାଗିଲେ । ସାହିତ୍ୟ କ୍ରମଶଃ ହୋଇଗଲା ତାଙ୍କର ଦୁର୍ବଳତା । ଏହା ଜାଣି ସମସ୍ତେ କହିଥିଲେ – ରାମକିଙ୍କର ଆଉ ବ୍ୟବସାୟୀ ହୋଇ ପାରିବ ନାହିଁ ; ସାହିତ୍ୟ ଯାହାର ହୋଇଲାଣି ଦୁର୍ବଳତା ସେ କ’ଣ ଆଉ ଝାଳ ନାଳ ହୋଇ ଗୋଟିଏ ଜାଗାରେ ବସି ବ୍ୟବସାୟ ତଦାରଖ କରିବ ?  ବାପା ତାଙ୍କର ଆତଙ୍କିତ ହୋଇପଡିଥିଲେ କୂଳ ବେଉସାର ଆସନ୍ନ ପତନ ଆଶଙ୍କାରେ କିନ୍ତୁ ପୁଅର ଆତ୍ମହତ୍ୟା ଧମକ ତାଙ୍କୁ ନିବୃତ୍ତ କରିଥିଲା । ପୁଅକୁ କୌଣସି ପ୍ରକାର ଉପଦେଶ ବା ପରାମର୍ଶ ଦେବା ପାଇଁ ।
ରାମକିଙ୍କର ଇଜି ଚେୟାର ଉପରେ ବସିପଡି ନୀଳ ଆକାଶଟିକୁ ଚାହିଁଲେ । ହଷ୍ଟେଲ ଝରକାର ଅନ୍ତରାଳରୁ ଏହି ନୀଳ ଆକାଶଟିକୁ  ଦେଖି ବହୁ କବିତା ଲେଖିଛନ୍ତି ସେ – ପୁରସ୍କୃତ ମଧ୍ୟ ହୋଇଛନ୍ତି । ଆଉ କଲେଜର ସେଇ କେତୋଟି ଝିଅ ତାଙ୍କ କବିତା ପାଇଁ ମଧ୍ୟ କମ୍ ଖୋରାକ ଯୋଗାଇ ନାହାନ୍ତି !
ପୁଲକିତ ହୋଇ ଉଠିଲେ ରାମକିଙ୍କର । ଅନର୍ସ କ୍ଲାସର ସେଇ ଏକମାତ୍ର ଝିଅଟି ଯେଉଁଦିନ ତାଙ୍କ ଠାରୁ ନୋଟ୍ ମାଗିଲା… ଚଗଲା ପିଲା ଗୁଡା ତାଙ୍କ ମନଟାକୁ ଚହଲାଇ ଦେଇଥିଲେ । ହଷ୍ଟେଲକୁ ଫେରି ସମସ୍ତେ ଶୋଇପଡିବା ପରେ ସେ ଉଠି ଲେଖିଥିଲେ ଗୋଟିଏ ତିନି ଫର୍ଦିଆ କବିତା – ତାଙ୍କର  ସମସ୍ତ ଆବେଗକୁ ପୁଞ୍ଜି କରି  । କବିତାଟିକୁ ଯେଉଁଦିନ ସେ ପଠାଇ ଦେଲେ ଛପାଇବା ପାଇଁ ସେହିଦିନ ହିଁ ଏକ ଅହେତୁକ ଭୟ ତାଙ୍କ ମନକୁ ଗ୍ରାସ କରିଥିଲା । କେଉଁ ଏକ ଅଜଣା ଅଘଟଣାର ଆଶଙ୍କାରେ ସେ କିଛିଦିନ ପାଇଁ ନୀରବ ହୋଇଗଲେ ।  ଚୌଧୁରୀ ରାମକିଙ୍କର ତାଙ୍କର ଅନିୟମିତ ଶରୀରଟିକୁ ପଲଙ୍କ ଉପରେ ଭରା ଦେଇ ଉଠିବା ପରଠାରୁ ବେଶ୍ ଉଲ୍ଲସିତ ମନେ ହେଉଥିଲେ । ସକାଳର ନରମ ଖରା ବଲକୋନି ଉପରେ ବିଛାହୋଇ ପଡିଥିଲା ଗଦାଏ ଖୁଚୁରା ପଇସା ଭଳି । ରାମକିଙ୍କର ବାଲକୋନି ଉପରେ ବୁଲୁ ବୁଲୁ କେଉଁ ଏକ ଖିଆଲରେ ବୁଡିଯାଇଥିଲେ ଓ ବାଲକୋନି ତଳକୁ ବାରମ୍ବାର ଅନାଇ ମନକୁ ମନ ହସୁଥିଲେ ।
‘ଜୟ ମଙ୍ଗଳା’ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଚୌଧୁରୀ ରାମକିଙ୍କର ବହୁ ଅଦ୍ଭୁତ ଖିଆଲର ମଣିଷ । ଏକଥା ତାଙ୍କର କର୍ମଚାରୀମାନେ ଜାଣନ୍ତି, ଆଉ ସେ ନିଜେ ମଧ୍ୟ ଜାଣନ୍ତି । ବ୍ୟବସାୟର ଶ୍ରୀବୁଦ୍ଧି ପାଇଁ ତାଙ୍କର ଉଦ୍ଭାବିତ ନୂତନ ଯୋଜନା ଗୁଡିକ ବ୍ୟବସାୟୀ ମହଲରେ ବାରମ୍ବାର ସୃଷ୍ଟି କରିଛି ଆଲୋଡନ । ମାନ୍ଦା ପଡି ଆସୁଥିବା ବ୍ୟବସାୟରେ ସୃଷ୍ଟି ହୋଇଛି ଚମକ । ଦ୍ୱିଗୁଣିତ ବେଗରେ ବ୍ୟବସାୟ ବଢିଛି । ଆଉ ରାମକିଙ୍କର ହୋଇଛନ୍ତି ବ୍ୟବସାୟୀ କୂଳର ଆଶାର କେନ୍ଦ୍ରବିନ୍ଦୁ ।
କିନ୍ତୁ, ଚାଳିଶି ବର୍ଷ ତଳେ ରାମକିଙ୍କର ଯେତେବେଳେ ମାଟ୍ରିକ ପାସ କରି କଲେଜରେ ପାଠ ପଢିବା ପାଇଁ ଜିଦ୍ ଧରି ବସିଲେ ସେତେବେଳେ ତାଙ୍କ ବାପାଙ୍କୁ ନିରୁତ୍ସାହିତ କରିଥିଲେ ସମସ୍ତେ । ରାମକିଙ୍କର ଯେ ଅଦରକାରୀ ହୋଇଯିବ ବ୍ୟବସାୟ ପାଇଁ – କେବଳ ତା ନୁହେଁ, ପଢାଇବା ପାଇଁ ଯେଉଁ ପଇସା ଖର୍ଚ୍ଚ ହେବ ଚାରିବର୍ଷ ଧରି ସେତିକିରେ ଆଉ ଏକ ବ୍ୟବସାୟ ଖୋଲି ତାଙ୍କୁ ବସାଇଦେବା ପାଇଁ ଅନେକ ତାଙ୍କ ବାପାଙ୍କୁ ପରାମର୍ଶ ଦେଇଥିଲେ ।
ସମସ୍ତଙ୍କ ଅନିଚ୍ଛା ସତ୍ତେ୍ୱ ସେ ପଢିଲେ କଲେଜରେ ବାପଙ୍କୁ ଅପ୍ରତ୍ୟାଶିତ ଆତ୍ମହତ୍ୟାର ଧମକଦେଇ । (ସେତ ! କେତେ ଦୁଃସାହସୀ ନଥିଲେ ସେ ସେତେବେଳେ ) ଭଲ ଛାତ୍ର ଭାବେ ପରିଗଣିତ ହେଲେ । କବିତା ଲେଖିବାକୁ ଲାଗିଲେ । ସାହିତ୍ୟ କ୍ରମଶଃ ହୋଇଗଲା ତାଙ୍କର ଦୁର୍ବଳତା । ଏହା ଜାଣି ସମସ୍ତେ କହିଥିଲେ – ରାମକିଙ୍କର ଆଉ ବ୍ୟବସାୟୀ ହୋଇ ପାରିବ ନାହିଁ ; ସାହିତ୍ୟ ଯାହାର ହୋଇଲାଣି ଦୁର୍ବଳତା ସେ କ’ଣ ଆଉ ଝାଳ ନାଳ ହୋଇ ଗୋଟିଏ ଜାଗାରେ ବସି ବ୍ୟବସାୟ ତଦାରଖ କରିବ ?  ବାପା ତାଙ୍କର ଆତଙ୍କିତ ହୋଇପଡିଥିଲେ କୂଳ ବେଉସାର ଆସନ୍ନ ପତନ ଆଶଙ୍କାରେ କିନ୍ତୁ ପୁଅର ଆତ୍ମହତ୍ୟା ଧମକ ତାଙ୍କୁ ନିବୃତ୍ତ କରିଥିଲା । ପୁଅକୁ କୌଣସି ପ୍ରକାର ଉପଦେଶ ବା ପରାମର୍ଶ ଦେବା ପାଇଁ ।
ରାମକିଙ୍କର ଇଜି ଚେୟାର ଉପରେ ବସିପଡି ନୀଳ ଆକାଶଟିକୁ ଚାହିଁଲେ । ହଷ୍ଟେଲ ଝରକାର ଅନ୍ତରାଳରୁ ଏହି ନୀଳ ଆକାଶଟିକୁ  ଦେଖି ବହୁ କବିତା ଲେଖିଛନ୍ତି ସେ – ପୁରସ୍କୃତ ମଧ୍ୟ ହୋଇଛନ୍ତି । ଆଉ କଲେଜର ସେଇ କେତୋଟି ଝିଅ ତାଙ୍କ କବିତା ପାଇଁ ମଧ୍ୟ କମ୍ ଖୋରାକ ଯୋଗାଇ ନାହାନ୍ତି !
ପୁଲକିତ ହୋଇ ଉଠିଲେ ରାମକିଙ୍କର । ଅନର୍ସ କ୍ଲାସର ସେଇ ଏକମାତ୍ର ଝିଅଟି ଯେଉଁଦିନ ତାଙ୍କ ଠାରୁ ନୋଟ୍ ମାଗିଲା… ଚଗଲା ପିଲା ଗୁଡା ତାଙ୍କ ମନଟାକୁ ଚହଲାଇ ଦେଇଥିଲେ । ହଷ୍ଟେଲକୁ ଫେରି ସମସ୍ତେ ଶୋଇପଡିବା ପରେ ସେ ଉଠି ଲେଖିଥିଲେ ଗୋଟିଏ ତିନି ଫର୍ଦିଆ କବିତା – ତାଙ୍କର  ସମସ୍ତ ଆବେଗକୁ ପୁଞ୍ଜି କରି  । କବିତାଟିକୁ ଯେଉଁଦିନ ସେ ପଠାଇ ଦେଲେ ଛପାଇବା ପାଇଁ ସେହିଦିନ ହିଁ ଏକ ଅହେତୁକ ଭୟ ତାଙ୍କ ମନକୁ ଗ୍ରାସ କରିଥିଲା । କେଉଁ ଏକ ଅଜଣା ଅଘଟଣାର ଆଶଙ୍କାରେ ସେ କିଛିଦିନ ପାଇଁ ନୀରବ ହୋଇଗଲେ ।
ଆଶଙ୍କା ଭୁଲ ହେଲା ନାହିଁ । ବାପା ଘରକୁ ଡକାଇ ନେଇ ତାଙ୍କୁ ପଢା ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ରାମକିଙ୍କର ସେହିଦିନ ହିଁ ନିଚ୍ଛକ ସତ୍ୟଟିଏ ଜାଣିଲେ, ପ୍ରେମ ଓ ବ୍ୟବସାୟ ପରସ୍ପର ପ୍ରତି ଅନୁକୂଳ ନୁହନ୍ତି । ସେହିଦିନ ଠାରୁ ସେ କବିତା ଲେଖିବା ବନ୍ଦ କରିଛନ୍ତି ।
ଆଜି ଆକାଶଟା ତାଙ୍କ ପାଇଁ ନୀଳ ଟେରିକଟ କନାର ଖୋଲା ଥାନ ଛଡା ଆଉ କିଛି ନୁହେଁ ।
ରାମକିଙ୍କର ଏକ ଅପରିତୃପ୍ତ କାବ୍ୟିକ ବିଷାଦରେ ଆକ୍ରାନ୍ତ ହେଲେ । ଏଭଳି ବିଷାଦ ପାଇଁ ସେ ପ୍ରସ୍ତୁତ ନଥିଲେ । ବ୍ୟବସାୟରୁ ମୁକ୍ତ ହୋଇ ସେ କ’ଣ ଚାହିଁ ନଥିଲେ ଜୀବନକୁ ଏକ ନୂତନ ମୋଡ ଦେବା ପାଇଁ ? ଉଚ୍ଚ ପଦସ୍ଥ ସରକାରୀ ଅଫିସର ହୋଇଯିବାକୁ ବା କେତଦୂର ଥିଲା ଆଉ ? କିନ୍ତୁ ବାପା ପୁଣି ଟାଣିଲେ ପଛକୁ । ଆଉ ସେ ରହିଗଲେ ‘ଜୟ ମଙ୍ଗଳା’ ପ୍ରତିଷ୍ଠାନର ମାଲିକ ହୋଇ । ସବୁ ପଢାପଢି ଯେପରି ତାଙ୍କର ବ୍ୟର୍ଥ ହୋଇଗଲା । ତାଙ୍କ ମନକୁ ସ୍ଥିର କରିବାକୁ ପାଠଶାଳା ଏରୁଣ୍ଡି ଡେଇଁ ନଥିବା ଲକ୍ଷପତିପିତା ଯେତେବେଳେ ବ୍ୟବସାୟର ଶ୍ରୀବୁଦ୍ଧି ପାଇଁ ତାଙ୍କର କଲେଜ ପଢାକୁ ବ୍ୟବହାର କରିବାକୁ ପରାମର୍ଶ ଦେଲେ – ସେତେବେଳେ ବାପାଙ୍କ ପ୍ରତି ତାଙ୍କର ଦୟା ହୋଇଥିଲା – ତଥାପି ତାଙ୍କ ପରାମର୍ଶକୁ ସେ ଏଡାଇ ଦେଇ ପାରିନଥିଲେ । କିନ୍ତୁ ଇତିହାସ ଓ ରାଜନୀତି ବିଜ୍ଞାନକୁ ସେ ବ୍ୟବସାୟରେ ଲଗାଇବେ କିପରି ?
ବାପା କହିଥିଲେ ନିଜେ ଖୋଜି ବାହାର କରିବାକୁ । ଜୀବନଟା ଗୋଟାଏ ବଡ ବ୍ୟବସାୟ ଓ ଯେ କୌଣସି ବିଷୟକୁ ଯେ ବ୍ୟବସାୟ ପାଇଁ ଲଗାଯାଇ ପାରେ – ଏହା ଯେପରି ତାଙ୍କ ବାପା ବୁଝିଥିଲେ ।
ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ….. ଗୋଟିଏ ପରେ ଗୋଟିଏ ପରିକଳ୍ପନା ଜନ୍ମ ନେଇଛି, ଯୋଜନା ଦେଇ ରୂପ ପାଇଛି ଆଉ ତାଙ୍କ ବ୍ୟବସାୟ ହୋଇଛି ସ୍ଫୀତ… ବହୁସ୍ଫୀତ !
ସ୍ମିତି ହସିଲେ ରାମକିଙ୍କର । କେଉଁ ଏକ ଛୋଟ ତହସିଲ ଟାଉନରୁ ଆସି ଆଜି ସେ କ୍ୟାପିଟାଲରେ ଜମାଇ ବସିଛନ୍ତି ବ୍ୟବସାୟ । ହୋଇପାରିଛନ୍ତି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ।
ରାଜନୀତି ବିଜ୍ଞାନକୁ ବ୍ୟବହାର କରି ସେ ବୁଝିଥିଲେ ଯେ ବ୍ୟବସାୟର ଶ୍ରୀବୁଦ୍ଧି ପାଇଁ ତାଙ୍କୁ କ୍ଷମତା କେନ୍ଦ୍ର ପାଖରେ ହିଁ ରହିବାକୁ ହେବ । ତେଣୁ ବାପାଙ୍କୁ ବୁଝାଇ ସେ ତହସିଲ ଟାଉନ ଛାଡି ଚାଲି ଆସିଲେ କ୍ୟାପିଟାଲ ।
ସେ ହିଁ ଏ କ୍ୟାପିଟାଲରେ ପ୍ରଥମେ ଆରମ୍ଭ କରିଥିଲେ ଚାନ୍ଦା ଦେବାର ଏକ ସଂଗଠିତ ପରମ୍ପରା ।
ରାଜନୈତିକ ଦଳ, ନାରୀ ସଂରକ୍ଷଣ ସଭା, ସମାଜବାଦୀ ଛାତ୍ର ସଂଗଠନ, ସାମ୍ୟବାଦୀ ଶ୍ରମିକ ସମିତି, ତାଙ୍କ ପଡାର ବିପ୍ଲବୀ କ୍ଲବ ଇତ୍ୟାଦିଙ୍କ ପାଇଁ ସେ ଆଜି ଉଦାର ପୃଷ୍ଠପୋଷକ, ବଦାନ୍ୟ ବ୍ୟକ୍ତି । କିନ୍ତୁ ଯେତେବେଳେ ଏହିଭଳି ଚାନ୍ଦା ଦେବା ପାଇଁ ସେ ତାଙ୍କର ସାପ୍ତାହିତ ଗୁପ୍ତ ମନ୍ତ୍ରଣା ସଭାରେ ଅନ୍ୟାନ୍ୟ ବ୍ୟବସାୟୀ ବନ୍ଧୁମାନଙ୍କୁ ପ୍ରଥମେ ପରାମର୍ଶ ଦେଇଥିଲେ – ସେତେବେଳେ କି ବିରୋଧର ସମ୍ମୁଖୀନ ହୋଇ ନଥିଲେ ସେ ! ବ୍ୟବସାୟର ଶ୍ରୀବୃଦ୍ଧି ପାଇଁ ସମାଜର ମୁଖ୍ୟ ଧାରାରେ ସାମିଲ ହେବାର ଅନିର୍ବାଯ୍ୟତା  ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢି କିନ୍ତୁ ସେ ସମସ୍ତଙ୍କୁ ନୀରବ କରିଦେଇ ପାରିଥିଲେ ।
ଆଜି ଅବଶ୍ୟ ଚାନ୍ଦା ଦେବାର ସୁଫଳ ବିଷୟରେ କେହି ସନ୍ଦିହାନ ନୁହନ୍ତି । ଏହି ଚାନ୍ଦାର ବାରାଡୋରୀରେ ଆଜି ସମସ୍ତେ ବନ୍ଧା – ହୁଅନ୍ତୁ ପଛେ ସେ । ଯୋଗାଣ ମନ୍ତ୍ରୀ ଅଚ୍ୟୁତାନନ୍ଦ, ଶ୍ରମ ବିଭାଗ ସେକ୍ରେଟାରୀ ଓଁକାର ନାଥ ମହାପାତ୍ରଙ୍କ ସ୍ତ୍ରୀ ମିସେସ୍ ବିସ୍ମିତା ମହାପାତ୍ର, ଛାତ୍ରନେତା ରାମରେଦ୍ ଅବଦୁଲ୍ଲା ପ୍ରଭାକର ରିଚାର୍ଡ, ବା ଶ୍ରମିକ ନେତା ସ୍ଫୁଲିଙ୍ଗ ସେନ୍ ।
ଇତିହାସରୁ ସେ ବୁଝିଛନ୍ତି – ଯା ହାତରେ ଯେତେ ବେଶି କ୍ଷମତା – ସେ ସେତେ ବେଶୀ ଦୁର୍ବଳ !
ଶିକ୍ଷିତ ରାମକିଙ୍କରଙ୍କର ବିଶ୍ଲେଷଣନିଷ୍ଠ ମନଟା ବୈଜ୍ଞାନିକ ପଦ୍ଧତିରେ ଦୁର୍ବଳତାଗୁଡିକୁ ଶ୍ରେଣୀଭୁକ୍ତ କରୁ କରୁ ଆବିଷ୍କାର କରିଥିଲା ଅର୍ଥ, ସୁରା ଓ ନାରୀ ପ୍ରତି କ୍ଷମତାଧିଷ୍ଠିତ ବ୍ୟକ୍ତିର ଆଦିମ ଦୁର୍ବଳତା । ଅଧିକାଂଶ କ୍ଷମତାଧିଷ୍ଠିତ ବ୍ୟକ୍ତିଙ୍କ କ୍ଷମତାକୁ ଅର୍ଥ, ସୁରା ଓ ନାରୀ ବିିନିମୟରେ ଯେ ନିଜ ମୁନାଫା ପାଇଁ ବ୍ୟବହାର କରାଯାଇ ପାରେ – ସେହିଭଳି ଏକ ଧାରଣା ବଦ୍ଧମୂଳ ହୋଇଯାଇଥିଲା ରାମକିଙ୍କରଙ୍କର । ଅବଶ୍ୟ ବ୍ୟକ୍ତିଗତ ଚାହିଦା ଓ ପସନ୍ଦରେ ରହିପାରେ ଫରକ । କିଏ ହୁଏ ପାଞ୍ଚ ଟଙ୍କାରେ ବା କି ପଚାଶ ହଜାର ଟଙ୍କାରେ ; କିଏ ହୁଏତ ବିଅର ବୋତଲଟିରେ ବା କିଏ ସ୍କଚ ବୋତଲଟିରେ । ତଫାତ୍ କେବଳ ପରିମାଣ ନେଇ ।
ପାଠଶାଳା ଏରୁଣ୍ଡି ଡେଇଁ ନଥିବା ପିତାଙ୍କ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ ଶିକ୍ଷିତ ରାମ କିଙ୍କର ପ୍ରଣାମ ଜଣାଇଲେ ଇତିହାସ ଓ ରାଜନୀତି ବିଜ୍ଞାନକୁ ବ୍ୟବସାୟରେ ବ୍ୟବହାର କରିବାର ପ୍ରେରଣା ତାଙ୍କର ସେହି ଅଶିକ୍ଷିତ ପିତା ହିଁ ତ ଦେଇଥିଲେ – ଉଚ୍ଚଶିକ୍ଷିତ ବିଲାତ ଫେରନ୍ତା ସୌଖିନ ପ୍ରଫେସରମାନେ ନୁହନ୍ତି !
ବିଶ୍ୱବିଦ୍ୟାଳୟ । ଯେଉଁ ବିଶ୍ୱବିଦ୍ୟାଳୟରୁ ସେ ପାଠ ପଢି ଶିକ୍ଷିତ ହୋଇଥିଲେ, ପରବର୍ତ୍ତୀ କାଳରେ ସେ ବିଶ୍ୱବିଦ୍ୟାଳୟର  ଭାଗ୍ୟ ନିୟନ୍ତା ହୋଇ ବସିଲେ ରାମ କିଙ୍କର । ଅବଶ୍ୟ ଆଜି ଆଉ ନାହାନ୍ତି ସେ । କିନ୍ତୁ ଯେତେବେଳେ ତାଙ୍କ ଗୁପ୍ତ ମନ୍ତ୍ରଣା ବୈଠକରେ ସେ ପ୍ରଥମେ ବିଶ୍ୱବିଦ୍ୟାଳୟର ପ୍ରଶାସନରେ ଅଂଶୀଦାର ହେବା ପାଇଁ ସିନେଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଆଗ୍ରହ ପ୍ରକାଶ କଲେ – ସେତେବେଳେ ବୟସ୍କ ଶ୍ୟାମ ପ୍ରସାଦ ରାମ କିଙ୍କରଙ୍କର ଏତାଦୃଶ ଆଗ୍ରହକୁ ଦୃଢସ୍ୱରରେ ଅଗ୍ରାହ୍ୟ କରିଥିଲେ । ‘ଯାହା ଆମର ବୃତ୍ତି ନୁହେଁ – ସେଥିରେ ଆମେ ପଶିବା ଉଚିତ ନୁହେଁ’ ବୋଲି ଗୋଟାଏ ନୀତିଗତ ଉପଦେଶ ଦେଇଥିଲେ ଶ୍ୟାମ ପ୍ରସାଦ । ଅବଶ୍ୟ  ଶେଷରେ ସେ ଜାଣିବାକୁ ଚାହିଁଥିଲେ ଏହାଦ୍ୱାରା ବ୍ୟବସାୟରେ କି ପ୍ରକାର ଲାଭ ହୋଇପାରେ ।
ରାମ କିଙ୍କର ବୁଝାଇ ଥିଲେ ଶ୍ୟାମ ପ୍ରସାଦଙ୍କୁ  ଯେ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ବାଲ୍ୟବସ୍ଥା । ଉଚ୍ଚତର ଶିକ୍ଷାର ପ୍ରସାର ପାଇଁ ସରକାରଙ୍କ ନୀତିରେ ରହିଛି ପ୍ରଚୁର ସମ୍ଭାବନା । ଉଚ୍ଚତର ଶିକ୍ଷାର ପ୍ରସାର ସହିତ ବିଶ୍ୱବିଦ୍ୟାଳୟ ବଢିବ । ତା ସଙ୍ଗେ ସଙ୍ଗେ ବିଶ୍ୱବିଦ୍ୟାଳୟର ଚାହିଦା ବଢିବ । ତେଣୁ ବିଶ୍ୱବିଦ୍ୟାଳୟର ପ୍ରଶାସନ ଭିତରେ ପ୍ରବେଶ କରିବାକୁ ହେବ କେବଳ ବ୍ୟବସାୟର ଶ୍ରୀବୃଦ୍ଧି ପାଇଁ ।
ଅପର ପ୍ରାଇମେରୀ ଶିକ୍ଷା ପାଇଥିବା ଶ୍ୟାମ ପ୍ରସାଦଙ୍କ ପକ୍ଷରେ ସେଦିନ ଉଚ୍ଚତର ଶିକ୍ଷାର ଭବିଷ୍ୟତ ସଂପର୍କରେ ଯୁକ୍ତି କରିବା ସମ୍ଭବପର ହୋଇନଥିଲା । ସେ ମଧ୍ୟ ରାମ କିଙ୍କରଙ୍କୁ ନୀରବରେ ମାନି ନେଇଥିଲେ ।
ରାମ କିଙ୍କର ହୋଇଥିଲେ ସିଣ୍ଡିକେଟ ସଭ୍ୟ । ଆଜି ସମସ୍ତେ ଅବଶ୍ୟ ସ୍ୱୀକାର କରିବେ – ରାମ କିଙ୍କରଙ୍କର ବିଶ୍ୱବିଦ୍ୟାଳୟ ପ୍ରଶାସନ ସହିତ ପ୍ରତ୍ୟକ୍ଷ ସଂପର୍କ ହିଁ ସେମାନଙ୍କ ବ୍ୟବସାୟ ପାଇଁ ହୋଇଥିଲା ଅନୁକୂଳ । ବିଶ୍ୱବିଦ୍ୟାଳୟର କୋଟି କୋଟି ଟଙ୍କାର ଚାହିଦା ପୂରଣ ପାଇଁ ସେମାନେ ହିଁ ପାଇଥିଲେ ସୁଯୋଗ – କେବଳ ରାମ କିଙ୍କରଙ୍କ ପାଇଁ ।
କେବଳ ସେତିକି ନୁହେଁ ରାମକିଙ୍କର ପରିଚୟର ଏକ ନୂତନ ମୁଖା ପିନ୍ଧି ପାରିଲେ । ରାମକିଙ୍କର ହୋଇ ଉଠିଲେ ଶିକ୍ଷାବିତ୍ । ବହୁ ଶିକ୍ଷାନୁଷ୍ଠାନର ଉଦଘାଟନ ପାଇଁ ସେ ହେଲେ ନିମନ୍ତ୍ରିତ । ମନ୍ତ୍ରୀଙ୍କ ସହିତ କାନ୍ଧ ମିଶାଇ ବସି ଦାନର ପ୍ରତିଶୃତି ଦେଇ ସେ ହୋଇ ଉଠିଲେ ଉଚ୍ଚ ଶିକ୍ଷାର ଜଣେ ଉଦାର ପୃଷ୍ଠପୋଷକ ।
ଅବଶ୍ୟ ସବୁ ପ୍ରକାର ଦାନ ବେଳେ ସେ ସତର୍କ ରହିଛନ୍ତି ଆୟକର ବିଭାଗର ରିହାତି ସଂପର୍କରେ । ଆଉ ପରେ ସେହି ଅନୁଷ୍ଠାନର ଅନ୍ୟାନ୍ୟ ଚାହିଦାଗୁଡିକର ଅର୍ଡର କିପରି ତାଙ୍କର ବ୍ୟବସାୟ ପ୍ରତିଷ୍ଠାନ ପାଇ ପାରିବ ସେ ବିଷୟରେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବାରେ ମଧ୍ୟ ସେ କଦାପି ସଙ୍କୁଚିତ ହୋଇନାହାନ୍ତି ।
ତାଙ୍କ ସହ-ବ୍ୟବସାୟୀମାନେ ଜାଣିଥିଲେ ଯେ ରାମକିଙ୍କର  ପଥର ଚିପୁଡି ପାଣି ବାହାର କରିପାରନ୍ତି – ଯେ କୌଣସି ପରିସ୍ଥିତିରୁ ବ୍ୟାବସାୟିକ ଫାଇଦା ଉଠାଇ ପାରନ୍ତି ।
କୋଡିଏ ବର୍ଷ ତଳେ ଯେତେବେଳେ ଜୋର ବନ୍ୟା – ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପନ୍ନ ; ସରକାରୀ କଳର ଅପାରଗତା ଉପରେ ବିରୋଧୀ ଦଳର ଘନ ଘନ ଆକ୍ରମଣ ସେତେବେଳେ ରାମକିଙ୍କର ଥିଲେ ପ୍ରଥମ ବ୍ୟକ୍ତି ଯେ କି ଲକ୍ଷେ ଟଙ୍କାର ଗୋଟିଏ ଚେକ୍ ଦେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦଘାଟନ କରିଥିଲେ । ଆଜି ବି ତାଙ୍କର ସ୍ପଷ୍ଟ ମନେ ଅଛି – ମୁଖ୍ୟମନ୍ତ୍ରୀଙ୍କର ସେ ନିବିଡ ଆଲିଙ୍ଗନ । ରାମକିଙ୍କର ସୁଯୋଗ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କର ଏତାଦୃଶ୍ୟ ବ୍ୟବହାରର । ଯେ କୌଣସି ସେବା କାର୍ଯ୍ୟ ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ଦେଇଥିଲେ ନିର୍ଭରଯୋଗ୍ୟ ପ୍ରତିଶୃତି । ମୁଖ୍ୟମନ୍ତ୍ରୀ ମଧ୍ୟ ଦେଇଥିଲେ ରାମକିଙ୍କରଙ୍କୁ ତାଙ୍କର ଆକାଂକ୍ଷିତ ଖାଦ୍ୟଶସ୍ୟ ଯୋଗାଇବାର ଦାୟିତ୍ୱ ।
ଆଉ ସେଇ ନଈ ବଢିରୁ ସେ ହେଲେ ‘ବିଶିଷ୍ଟ ସମାଜ ସେବୀ’ – ବ୍ୟବସାୟରେ ହେଲା ଦୁଇକୋଟି ଟଙ୍କାର ଲାଭ । ସରକାରୀ କର୍ମଚାରୀମାନଙ୍କ ସହିତ ଗଢିଉଠିଲା ଘନିଷ୍ଠତା ।
ଆଜି ରାମକିଙ୍କର ହେଉଛନ୍ତି ବିଶିଷ୍ଟ ସମାଜ ସେବୀ ଓ ଶିକ୍ଷାବିଦ୍ । କେହି ତାଙ୍କୁ ବ୍ୟବସାୟୀ ବୋଲି ପରିଚୟ ଦେଲେ ସେ ମନେ ମନେ ଅସନ୍ତୁଷ୍ଟ ହୁଅନ୍ତି । ଜୀବନ ଧାରଣ ପାଇଁ ସମସ୍ତେ ଯେପରି କିଛି ନା କିଛି ପେଶା କରୁଛନ୍ତି – ସେ ମଧ୍ୟ ଗୋଟିଏ ସାମାନ୍ୟ ବ୍ୟବସାୟ କରୁଛନ୍ତି ବୋଲି କହି ତାଙ୍କର ବ୍ୟକ୍ତିତ୍ୱର ବ୍ୟବସାୟୀ ଦିଗଟାକୁ ଗୌଣ କରିଦିଅନ୍ତି । ଆଜି ସହରର ପ୍ରାୟ ସବୁ କାର୍ଯ୍ୟକ୍ରମରେ ତାଙ୍କର ପୃଷ୍ଠପୋଷକତା । ଆର୍ଟ ଏକଜିବିସନ୍ ଠାରୁ ଆରମ୍ଭକରି ଶିଶୁମାନଙ୍କର କୌତୁକ ପୋଷାକ ପ୍ରତିଯୋଗୀତା ପର୍ଯ୍ୟନ୍ତ ସବୁର ଆୟୋଜନ ପଛରେ ତାଙ୍କର ଅକୁଣ୍ଠିତ ଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ ।
କିନ୍ତୁ ଗତ ସପ୍ତାହରେ ଯେତେବେଳେ ଦଳେ ଛାତ୍ର ଆସି ଏକ ସାହିତ୍ୟ ସଭାର ପୃଷ୍ଠପୋଷକ ହେବା ପାଇଁ ତାଙ୍କୁ ଅନୁରୋଧ କଲେ – ସେ ବାସ୍ତବିକ ହଠାତ୍ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ । ଯୁବାବସ୍ଥାରେ ସାହିତ୍ୟକୁ ନେଇ ତାଙ୍କର ତିକ୍ତ ମଧୁର ଅନୁଭୂତି – ତାଙ୍କ ଭିତରେ ସାହିତ୍ୟ ପ୍ରତି ଏକ ଅହେତୁକ ଆତଙ୍କ ସୃଷ୍ଟି କରିଥିଲା; ସେଥିରେ ହଜିଯିବାର । ଆଉ ସେଥିରେ ହଜିଗଲେ – ବ୍ୟବସାୟର କ’ଣ ହେବ ? ସାହିତ୍ୟ ବ୍ୟବସାୟର ପରିପୂରକ ନୁହେଁ । ସେ ତେଣୁ ପୃଷ୍ଠପୋଷକ ହେବାପାଇଁ ମନା କରିଦେଇଥିଲେ, ସାହିତ୍ୟ ସଂପର୍କରେ  ତାଙ୍କର ଅଜ୍ଞତାର ଆଳ ଦେଖାଇ । ସେ ପିଲାଗୁଡା କିନ୍ତୁ ନଛୋଡବନ୍ଦା । ତାଙ୍କ ଭିତରୁ ଜଣେ କହିଲା ‘‘ଆଜ୍ଞା, ଆପଣ ଯେ ଲେଖା ଲେଖି କରୁଥିଲେ ତାହା ଆମେ ଜାଣିଛୁ । ଆପଣଙ୍କ ଭିତରେ ଆମେ ପାଇବୁ ଏକ କବି ପୃଷ୍ଠପୋଷକ । ଆପଣ ଆମକୁ ନିରାଶ କରୁଛନ୍ତି କାହିଁକି ?  ଆପଣଙ୍କ ଐଶ୍ୱର୍ଯ୍ୟରୁ କିଛି ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ଲାଗୁ । ଆପଣ ସହଯୋଗ କଲେ ଆମର ସାହିତ୍ୟ ସଭା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିବ ।’’
ସପ୍ତାହ ଭିତରେ ସେ ଲାଗିଯାଇଥିଲେ ନୂଆ ପୁରୁଣା ବହୁ ପତ୍ର ପତ୍ରିକା ସଂଗ୍ରହରେ । ଉଦ୍ଦେଶ୍ୟ ଥିଲା ନିଜକୁ ସାହିତ୍ୟ ସଚେତନ କରିନେବା । ବ୍ୟବସାୟରେ ଲାଭ କ୍ଷତିର ବହୁଳ ଅନୁଭୂତିକୁ ଦୋହଲାଇ ଅତୀତର ସେହି କବିତା ପ୍ରତି ଦୁର୍ବଳତା ଟିକକ ପୁଣି ଉଠିଲା ଉପରକୁ । କବିତା ଅନୁରାଗୀ ରାମକିଙ୍କରଙ୍କର ମନ ଚଞ୍ଚଳ ହୋଇ ପଡିଲା । ହାତରେ ଧରିଥିବା ପତ୍ରିକାର ପ୍ରଥମେ ସେ ଓଲଟାଇଥିଲେ ପୃଷ୍ଠା । କିନ୍ତୁ ଏ କ’ଣ ? ବାରମ୍ବାର ପଢିଲେ – ବାକ୍ୟ ଭାଙ୍ଗି ପଢିଲେ, ଶବ୍ଦଗୁଡିକର ବିଭିନ୍ନ ତର୍ଜମା କରି ପଢିଲେ – ସବୁ ପୁଣି ଫେଣ୍ଟା ପେଣ୍ଟିକରି ପଢିଲେ – ନା, ବୁଝିବା ତାଙ୍କ ଶକ୍ତିର ବାହାରେ । ଏହିଭଳି ଗୋଟିଏ ନୁହେଁ, ଦୁଇଟି ନୁହେଁ, ସବୁ ପତ୍ରିକାରେ ପ୍ରାୟ ପ୍ରତିଟି କବିତାର ସେ ଅନୁଭବ କଲେ ଏଇୟା, ଛାତ୍ରାବସ୍ଥାରୁ ଜାଣିଥିବା କେତୋଟି କବିଙ୍କର ଲେଖା ଛାଡି ଦେଲେ – ଆଉ କାହାରି କବିତା ତାଙ୍କ ବୁଝିବାର ସୀମା ଛୁଇଁ ନଥିଲା – ହୃଦୟକୁ ବିଚଳିତ କରିବା ତ ଦୂରର କଥା । ହତାଶ ହେଲେ ରାମକିଙ୍କର । ତାଙ୍କର କବିତା ପ୍ରତି ଅନୁରାଗ ବିତୃଷ୍ଣାରେ ପରିଣତ ହେଲା । ସେ ବୁଝିପାରିଲେ ତାଙ୍କ ସମୟର କବିତାର ଧାରାରେ ପରିବର୍ତ୍ତନ ହୋଇଛି – ଏକ ନୂତନଧାରା ବୋଧହୁଏ ଚାଲିଛି । କିନ୍ତୁ ଏ କିପରି ଧାରା । ଯାହା ଭାବକୁ ଛୁଏଁନା ସେ କିପରି କବିତା । ଏ’ତ କବିତା ନୁହେଁ, ଶବ୍ଦର କୁଢ । ଆଉ ଏଇପ୍ରକାର ସାହିତ୍ୟର ସେ ପୁଣି ହେବେ ପୃଷ୍ଠପୋଷକ ! ତାଙ୍କ ସାହିତ୍ୟିକ ମନ ବିଦ୍ରୋହ କରି ଉଠିଲା ।
ବିମର୍ଷ ରାମକିଙ୍କର ଉତ୍ତେଜିତ ହୋଇପଡିଥିଲେ ଏପରି କବିତାଗୁଡିକର ସନ୍ଦର୍ଶନରେ । ସେ ଆରମ୍ଭ କରିଦେଲେ – ପତ୍ରିକାଗୁଡିକରୁ ଏକ ତାଲିକା ପ୍ରସ୍ତୁତି ।
ଏଭଳି ଲେଖକମାନଙ୍କୁ ବ୍ୟକ୍ତିଗତ ପତ୍ର ଲେଖି ଏପ୍ରକାର ସାହିତ୍ୟ ସୃଷ୍ଟିରୁ କ୍ଷାନ୍ତ ହେବା ପାଇଁ କଡା ତାଗିଦ କରିବେ । ପାଠକ ହୋଇ ତାଙ୍କର ତ ପୁଣି କିଛି ଦାୟିତ୍ୱ ରହିଛି । ସେ ଟିପି ଚାଲିଲେ କବିମାନଙ୍କର ନାମ ଓ ଠିକଣା । ଲକ୍ଷ୍ୟ କଲେ ଅଭ୍ୟାସ ବଶତଃ ଲେଖକ, ଅଧ୍ୟାପକ ଗୋଷ୍ଠୀ ଛଡା ସରକାରୀ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ଭିତରେ ସୁଦ୍ଧା କବିମାନଙ୍କର ସଂଖ୍ୟା ବେଶ୍ ବଢିଛି । ତାଙ୍କ ଭିତରେ ଅଛନ୍ତି ଯୋଗାଣ ବିଭାଗ ସେକ୍ରେଟାରୀ ସୁଧାଂଶୁ ଶେଖର, କମର୍ସିଆଲ ଟ୍ୟାକ୍ସ ଅଫିସର କୃଷ୍ଣ ମୋହନ, ଆୟକର ଅଫିସର ବିନୋଦ ବିହାରୀ । ଏମାନେ ସମସ୍ତେ ତାଙ୍କ ପରିଚିତ ଲୋକ । ନିଜ ବ୍ୟବସାୟ ନେଇ ସେମାନଙ୍କୁ ସେ ବହୁବାର ସାକ୍ଷାତ କରିଛନ୍ତି । ଏବେ ସୁଧାଂଶୁ ଶେଖରଙ୍କ ଟେବୁଲ ଉପରେ ଅଟକି ରହିଥିବା ପରମିଟ୍ ଫାଇଲଟି ପାଇଁ ହୁଏତ ତାଙ୍କୁ ଯିବାକୁ ପଡିପାରେ ତାଙ୍କ ପାଖକୁ । ବିନୋଦ ବିହାରୀଙ୍କ ଠାରୁ ତ ନୋଟିସ୍ ପାଇଛନ୍ତି ତାଙ୍କ ସମ୍ମୁଖରେ ହାଜର ହେବାପାଇଁ – ଅଛି ଆୟକର ମାମଲାର ଶୁଣାଣି । ଆଉ କୃଷ୍ଣ ମୋହନଙ୍କ ଟେବୁଲ ଉପରେ ପଡିଛି ଦୁର୍ନୀତି ନିବାରଣ ବିଭାଗର ତାଙ୍କ ପ୍ରତିଷ୍ଠାନ ବିରୁଦ୍ଧରେ ବିକ୍ରୀକର ଫାଙ୍କି ଅଭିଯୋଗ ଫାଇଲ୍ ।
ତାଙ୍କ ବ୍ୟବସାୟୀ ମନ ଖିଅ ଧରିଲା – ଏହି ସଂସ୍ମରଣର । ଚିଠି ଲେଖି ଏହି ଆଧୁନିକ କବିମାନଙ୍କୁ କବିତା ଲେଖିବାରୁ କ୍ଷାନ୍ତ ହେବାପାଇଁ ତାଗିଦ୍ କରିବାକୁ ଗର୍ଜୁଥିବା କବିମାନଙ୍କୁ ସଂଯତ ହେବାପାଇଁ ନିର୍ଦ୍ଦେଶ ଦେଲା ତାଙ୍କ ବ୍ୟବସାୟୀ ବ୍ୟକ୍ତିତ୍ୱ, ଚେତେଇ ଦେଲା ସୃଷ୍ଟି ପ୍ରତି  ସ୍ରଷ୍ଟାର ଦୁର୍ବଳତା କେତେ । ଏଭଳି ତାଗିଦ୍ ତାଙ୍କ ବ୍ୟବସାୟ ପାଇଁ ପ୍ରତିକୂଳ ହୋଇପାରେ । ରାମକିଙ୍କରଙ୍କର ପ୍ରତିବାଦ ମୁଖର କବିମନଟି ହଠାତ୍ ନୀରବ ହୋଇଗଲା । ତାଙ୍କର କାବ୍ୟପୁରୁଷ ଏକ ଆତଙ୍କିତ ସରୀସୃପ ଭଳି ତାଙ୍କର ସ୍ମୃତିର ପରସ୍ତ ପରସ୍ତ ଆସ୍ତରଣକୁ ଏଡାଇ ଯାଇ ପଶିଗଲା ନିରାପଦ ବିଳଟି ଭିତରେ ।
ବ୍ୟବସାୟୀ ରାମକିଙ୍କର ସଳଖି ବସିଲେ । ଏ ତାଲିକା ପ୍ରସ୍ତୁତିରେ କିନ୍ତୁ ତାଙ୍କର ସମୟ ଅପବ୍ୟୟ ହୋଇନି । ଆଜିର ଏଇ ସମାଜପତିମାନଙ୍କ ଭିତରେ ଦେଖାଯାଇଥିବା ବୌଦ୍ଧିକ ପ୍ରତିଷ୍ଠା ପାଇଁ ଏକ ସୂକ୍ଷା୍ମତିସୂକ୍ଷ୍ମ ଦୁର୍ବଳତାର ସନ୍ଧାନ ପାଇଛନ୍ତି ସେ ଏହି ଅବସରରେ । ସେ ଠିକ୍ ଦେଖିପାରୁଛନ୍ତି, ବୈଷୟିକ ଓ ବୌଦ୍ଧିକ ଉଭୟ ସ୍ତରରେ ପ୍ରତିଷ୍ଠା ପାଇଁ ସମାଜପତିମାନଙ୍କ ଭିତରେ ଏକ ବିକଳ ଆଗ୍ରହ । ସେ ବର୍ତ୍ତମାନ ବୁଝିପାରୁଛନ୍ତି, କିପରି ଶୃଙ୍ଖଳା ବିହୀନ ଆଧୁନିକ କବିତା ଯୋଗାଇ ଦେଉଛି ସମସ୍ତଙ୍କୁ କବି ହେବାର ଅପୂର୍ବ ସୁଯୋଗ । ତାଙ୍କର ମନେହେଲା ଯେପରି ସମସ୍ତେ କବିତା ଲେଖୁଛନ୍ତି । କିଏ ପ୍ରକାଶ ପାଇଁ ପଠାଉଛି ବା କିଏ ଲେଖି ରଖି ଦେଉଛି । ବିଶ୍ୱାସ ହେଉନି କବିତାର ମାନ ଉପରେ । ତେଣୁ ପ୍ରକାଶିତ ଠାରୁ ଯେ ଅପ୍ରକାଶିତ ଆହୁରି ବେଶି ଏଥିରେ ସନ୍ଦେହ ନାହିଁ  । ଉଭାଠାରୁ ପୋତା ଅଧିକ ।
ରାମକିଙ୍କର ବ୍ୟବସାୟୀ ମନ ଚଞ୍ଚଳ ହୋଇଉଠିଲା । କ୍ଷମତା ସହିତ ସଂପର୍କ ସ୍ଥାପନ କରିବାର ଆଉ ଏକ ସୁନ୍ଦର ବାଟଟିଏ ତାଙ୍କୁ ମିଳିଯାଇଛି । ସାହିତ୍ୟ ଦେଇ କ୍ଷମତାର ଏତେ ପାଖାପାଖି ଯେ କେହି ଆସିପାରେ । ସମ୍ଭାବନା ଖୁବ୍ ସ୍ପଷ୍ଟ ହୋଇଗଲା ରାମକିଙ୍କରଙ୍କର । ସମ୍ମୁଖରେ ନିଜ ଉଦ୍ଭାବନରେ ବିହ୍ୱଳିତ ହୋଇପଡିଲେ ରାମକିଙ୍କର  । ତାଙ୍କୁ ମନେ ହାଲା ଏହି ଦୁବୌ ର୍ଧ୍ୟ , ଅବୋଧ୍ୟ ଶବ୍ଦକୁଢର କବିତା ହିଁ ଭଲ । ପାଠକ ସହିତ ସାହିତ୍ୟିକର ଯୋଗାଯୋଗ ଛିନ୍ନ ହେବାହିଁ ଭଲ । ବ୍ୟବସାୟ ପାଇଁ ବ୍ୟବସାୟୀ ପାଇଁ ଉଭୟଙ୍କ ପାଇଁ ଭଲ । ଏହି ଦୂରତ୍ୱଟିକୁ ଆହୁରି ବଢାଇବାକୁ ହେବ । ସେହି ଦୁର୍ବୋଧ୍ୟ, ଅବୋଧ୍ୟ କବିତାଗୁଡିକୁ ବହୁଳ ଭାବରେ ପ୍ରକାଶିତ କରି କବିମାନଙ୍କୁ ପୁରସ୍କୃତ କରି ସେହିଭଳି କବିତା ଭିତରେ ହିଁ ସେମାନଙ୍କୁ ବିହ୍ୱଳିତ କରି ରଖିବାକୁ ହେବ । ବଡ ସେମାନେ, ଭିନ୍ନ ସେମାନେ, ଏହି ଧାରଣାକୁ ସେମାନଙ୍କ ଭିତରେ ଆହୁରି ଦୃଢିଭୁତ କରିବାକୁ ହେବ । ପାଠକ ସମାଜକୁ ଯେତେ ବେଶି ବେଖାତିର କରାଯାଇପାରେ ସେତେ ଭଲ । ଆଜିର ସମାଜରେ ଏକ ଆତ୍ମବିହ୍ୱଳିତ ସମାଜପତି ହିଁ ତାଙ୍କର ଏକମାତ୍ର ଭରସା । ତେଣୁ ତାଙ୍କ ବୌଦ୍ଧିକ ଅହଂକୁ, ବିଷୟ ପ୍ରତି ମହତ୍ୱକୁ ଆହୁରି ଫାପଡେଇବାକୁ ହେବ ।
ରାମକିଙ୍କର ଦେଖିଲେ ସାହିତ୍ୟ ଦେଇ ତାଙ୍କ ବ୍ୟବସାୟରେ ଲାଭ ହେବ । ତେଣୁ ସାହିତ୍ୟ ସଭାର ପୃଷ୍ଠପୋଷକତା ପାଇଁ ସେ ରାଜି ହେବେ । କେବଳ ସେତିକି ନୁହେଁ, କେ ପତ୍ରିକା ପ୍ରକାଶନ ପାଇଁ ତାଙ୍କର ଉଦାର ପୃଷ୍ଠପୋଷକତାକୁ ମଧ୍ୟ ସେ ଉନ୍ମୁକ୍ତ କରିଦେବେ । ସାହିତ୍ୟ ସଭାଗୁଡିକୁ ଆହୁରି ବ୍ୟାପକ କରି ଜାତୀୟ ଅନ୍ତର୍ଜାତୀୟ ସ୍ତରର କବି ଓ ଲେଖକମାନଙ୍କୁ ଅଣାଇବାର ପରାମର୍ଶ ଦେବେ ସେ । କ୍ଷମତାଧିଷ୍ଠିତ କବିମାନଙ୍କୁ ଅବଶ୍ୟ ବିଶେଷ ସୁଯୋଗ ଯେପରି ଦିଆଯାଏ, ସେଥିପ୍ରତି ସେ ବିଶେଷ ଦୃଷ୍ଟି ଦେବେ । ସେ ମଧ୍ୟ ତାଙ୍କର କବିତା ଲେଖିବାର ଅଭ୍ୟାସକୁ ପୁନରୁଜ୍ଜୀବିତ କରି କବି ଭାବରେ ସେମାନଙ୍କ ସହିତ ମିଶିଯିବେ । ଗୋଟିଏ ପ୍ରକାଶନା ସଂସ୍ଥା କରି ସମାଜପତିମାନଙ୍କ ସୃଷ୍ଟ ସାହିତ୍ୟକୁ ହିଁ ପ୍ରକାଶିତ କରିବେ । ବିକ୍ରୀ ନହେଲେ କିଛି କ୍ଷତି ନାହିଁ । କ୍ଷତି ହେବ ଆୟକର ବିଭାଗର । କିନ୍ତୁ ସମାଜପତିମାନେ ତ ହାତରେ ରହିବେ । ଆଉ ବ୍ୟବସାୟ ଠିକ୍ ଚାଲୁଥିବ ।
ଆଜି ସେଇ ପିଲାମାନେ ଆସିବେ । ବାଲକୋନି ଉପରୁ ରାମକିଙ୍କରଙ୍କର ସେଇମାନଙ୍କୁ ହିଁ ପ୍ରତିକ୍ଷା । ଘଡି ଦେଖି ଉଠିପଡିଲେ ରାମକିଙ୍କର ଇଜି ଚେୟାରରୁ । ତଳକୁ ଅନାଇଲେ । ସମୟ ହୋଇଯାଇଥିଲେ ସୁଦ୍ଧା ଏତେ ବେଳଯାଏ ସେମାନଙ୍କର ଦେଖା ନାହିଁ । ଆଜିକାଲିର ଯୁବକମାନଙ୍କର ସମୟଜ୍ଞାନର ପ୍ରଚୁର ଅଭାବ । କିନ୍ତୁ ସେ ଆଜି ଅପେକ୍ଷା କରିବେ ଯଦିଓ ହାତରେ ରହିଛି କେତେଗୁଡିଏ ଜରୁରୀ କାର୍ଯ୍ୟ । ଏ ଗୋଟିଏ ସୁନ୍ଦର ସୁଯୋଗ ଅଯାଚିତ ଭାବେ ଆସିିଛି – ଛାଡିଦେଲେ ଏତେ ପରିକଳ୍ପନା ଧୂଳିସାତ ହୋଇଯିବ । ରାମକିଙ୍କର ଆଶଙ୍କିତ ହୋଇପଡିଲେ ଯେ ସେ ସେଦିନ କାହିଁକି ବିଶେଷ ଉତ୍ସାହ ଦେଖାଇ ନଥିଲେ । ସେଥିପାଇଁ ସେ ପିଲାଗୁଡିକ ନିରୁତ୍ସାହିତ ହୋଇ ରହିଗଲେକି ? କିନ୍ତୁ ସେ ତ ସାତ ଦିନ ପାଇଁ ସମୟ ମାଗି ନେଇଥିଲେ । ନା, ସାହିତ୍ୟ ସଭା ଆୟୋଜନକୁ ସ୍ଥଗିତ ରଖିଦେଲେ ଆଉ କୌଣସି କରଣରୁ ?
ଗୋଟାଏ ଚମକ୍ରାର ସୁଯୋଗ ହରାଇବାର ଆଶଙ୍କାରେ ମ୍ରିୟମାଣ ହୋଇପଡିଲେ ରାମକିଙ୍କର । ତଥାପି- ଆଉ କିଛି ସମୟ ଅପେକ୍ଷା କରାଯାଉ – ରାମକିଙ୍କର ସ୍ୱର୍ଗତୋକ୍ତି ପୂର୍ବକ ପୁନରାୟ ଇଜି ଚେୟାରଟି ଉପରେ ନଥକିନା ବସିପଡିଲେ । ଆଜିକାଲିର ଯୁବକମାନଙ୍କର ଅସମୟାନୁବର୍ତ୍ତିତା ହିଁ ଏଥର ତାଙ୍କୁ କିଛିଟା ଆଶାବାଦୀ ହେବାର ପ୍ରେରଣା ଦେଉଥିଲା ।
ଦେହଲଗା ନଟବ ହଠାତ୍ ପଶିଆସିଲା ବାଲକୋନି ଉପରକୁ । ରାମକିଙ୍କର ନିଜ ଅଜାଣତରେ ପଚାରି ଉଠିଲେ କେହି ମୋତେ ଖୋଜୁଛି କିରେ । ରାମକିଙ୍କର ଏହିଭଳି ପ୍ରଶ୍ନ କ୍ୱଚିତ୍ ତାଙ୍କ ଜୀବନରେ ପଚାରିଛନ୍ତି । ନଟବର ଦଳେ ଯୁବକଙ୍କର ଆଗମନ ସୂଚନା ଦେବାମାତ୍ରେ ରାମକିଙ୍କର ତତ୍କ୍ଷଣାତ୍ ଉଠିପଡି ଚାହା ଜଳଖିଆ ପାଇଁ ବରାଦ କରିଦେଇ ଅକମୁହାଁ ମାଡି ଚାଲିଲେ ବୈଠକଖାନା ଆଡକୁ ।
ତାଙ୍କର ଧୋତିର କୁଞ୍ଚକାନି ସେତେବେଳକୁ ତଳେ ଘୁଷୁରୁଥିଲା…………. !

Print Friendly, PDF & Email