ଗଳ୍ପ: ଆମ ସମୟର ବୀରେନ୍ଦ୍ର ନାୟକଙ୍କ ବାସ୍ତବବାଦୀ ଗଳ୍ପ

  • 30/03/2017

ହ୍ୟାଣ୍ଡଲର ଦୁଇକଡରେ ଦୁଇଟି ବ୍ୟାଗ୍ ଝୁଲାଇ, ଝାଳନାଳ ହୋଇ, ଦଦରା ସାଇକେଲଟି ଉପରେ ଆସୁଥିବା କପିଳମାଧବ ଆଗରେ ବଡ ଗଡାଣିଟାଏ ଦେଖି ଆଶ୍ୱସ୍ତ ହେଲେ ।
କିଛି ସମୟ ଯାହାହେଉ ପ୍ୟାଡଲ୍ ମାରିବା ଦାୟରୁ ମୁକ୍ତି ତ ମିଳିବ । ଜୀବନ ସଂଗ୍ରାମରେ ଯୁଝି ଯୁଝି ଯେପରି କ୍ଲାନ୍ତ ହୋଇ ପଡିଲେଣି ସେ, କେଉଁ ଉଦ୍ଦେଶ୍ୟ ନେଇ ଏହି ବୃତ୍ତିରେ ପ୍ରବେଶି ଥିଲେ – ଆଉ ଏବେ କେଉଁ କାର୍ଯ୍ୟରେ ସେ ହେଲେଣି ପ୍ରବୃତ୍ତ । ଦୀର୍ଘଶ୍ୱାସଟିଏ ଛାଡିଲେ କପିଳମାଧବ ।
ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହିତ ସଫଳତା ହାସଲ କରି ଶିକ୍ଷାଦାନର ମହାନତା, ଶିକ୍ଷାୟତନର ବ୍ୟାପକତା, ଆଜୀବନ ଏକ ବୌଦ୍ଧିକ ଜୀବନ ଅତିବାହିତ କରିବାର ମୋହକୁ ଏଡାଇ ନପାରି ସେ ଯେତେବଳେ ଅଧ୍ୟାପକ ଭାବେ ଜୀବନ ଆରମ୍ଭ କରିଲେ ସେତେବେଳେ ସେ ନିଜକୁ ସାଧାରଣ ମଣିଷ ଠାରୁ ଯଥେଷ୍ଟ ଭିନ୍ନ ବୋଲି ଭାବିଥିଲେ । ମଳିମୁଣ୍ଡିଆ ମୂର୍ଖ ନୁହେଁ ଅତି ନ୍ୟୁନରେ ମାଟ୍ରିକ୍ ପାଶକରା ଛାତ୍ରଙ୍କ ସହିତ ସେ ତାଙ୍କର ଭାବର ଆଦାନ ପ୍ରଦାନ ହେବ – ଏହି ମର୍ମରେ ସେ ନିଜକୁ କିଛିଟା ସୁପରିଅର୍ ମନେ କରିବାକୁ ପଛାଇଥାନ୍ତେ ବା କାହିଁକି ?
କିନ୍ତୁ ଆଜି କୋଡିଏ ବର୍ଷ ଶିକ୍ଷାଦାନ ପରେ କପିଳମାଧବଙ୍କର ମୋହ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ମଣିଷ ତ ଅଦରକାରୀ ଜଳନ୍ତା ମହମବତୀ ନୁହେଁ – ଖାଲି ଜଳି ଜଳି ନିଃଶେଷ ହୋଇଯିବାରେ ସନ୍ତୋଷ ହେବ । ଅନ୍ୟମାନେ ତାର ଆଲୋକରେ ଆଲୋକିତ ହେଲେ ଯାଇ ତା’ର ଜଳିବାରେ ସାର୍ଥକତା, କିନ୍ତୁ କପିଳମାଧବଙ୍କର ମନେ ହେଉଛି ସେ ଯେପରି ଏ ସମାଜରେ ସଂପୂର୍ଣ୍ଣ ଅବାଞ୍ôଛତ ହୋଇପଡିଛନ୍ତି । ତାଙ୍କର ଆବଶ୍ୟକତା ଆଜି କେହି ଅନୁଭବ କରୁନାହାନ୍ତି । ଭଲ ଅଧ୍ୟାପକ ଭାବେ ସୁନାମ ଥିଲେ ମଧ୍ୟ ଗତ ଦଶ ବର୍ଷ ଭିତରେ ସେ ପ୍ରାୟତଃ କୋଡିଏ ଥର ମାଡ ଖାଇ ସାରିଲେଣି ପିଲାଙ୍କଠାରୁ । ବିଭିନ୍ନ ସମୟରେ ନୀତିଗତ ପ୍ରଶ୍ନ ନେଇ ପ୍ରିନସିପାଲଙ୍କ ସହିତ ତୀବ୍ର ମତଭେଦ ଯୋଗୁଁ ଚାରି, ପାଞ୍ଚଥର ଆଡଭର୍ସ ସି.ସି.ଆର୍ ପାଇସାରିଲେଣି ମଧ୍ୟ, ଏସବୁ ସତ୍ତେ୍ୱ ନୀତିରେ ଅଟଳ ରହିଥିବା ହେତୁ, ସେ ଆଜି ସହକର୍ମୀଙ୍କ ନଜରରେ ଏକ ଦୟାରପାତ୍ର, ବିଦ୍ରୁପର ବସ୍ତୁ ଓ ନିରାପଦ ଦୂରତାରେ ରହିଲା ଭଳି ପ୍ରାଣୀଟିଏ ହୋଇଯାଇଛନ୍ତି ।
କୋଡିଏ ବର୍ଷର ଶିକ୍ଷକତା ଭିତରେ ସେ ପାଇ ପାଇ କ’ଣ ପାଇଛନ୍ତି ? ନିଃସଙ୍ଗତା, ବିଦ୍ରୁପ ଓ ଅସୂୟା, ଦଦରା ସାଇକେଲ୍, ଘରବାଲା ପ୍ରପୀଡିତ ଘର ଓ ପିଲାଙ୍କ ପାଇଁ  ସାହି ସ୍କୁଲର ସରହଦ । ଅଥଚ ବନ୍ଧୁ ହରିହର ସେଲ୍ଟିକସ ଇନିସ୍ପେକଟରଟିଏ ହୋଇ, ପାଇଛି କୋଠା, ଗାଡି, ଓ ପବ୍ଲିକ୍ ସ୍କୁଲରେ ପିଲାଙ୍କୁ ପଢାଇ ପାରୁଥିବାର ସାମର୍ଥ୍ୟ ।
ହରିହରଙ୍କ ସ୍ଥାନରେ ଥିଲେ ସେ ଏଭଳି ସାମର୍ଥ୍ୟ କରିପାରିଥାନ୍ତେ କି ନାହିଁ – ତାହା ଭିନ୍ନ ବିଷୟ । କିନ୍ତୁ ସେଲ୍ଟିକସ ଇନିସ୍ପେକଟର ହରିହର ଓ ଅଧ୍ୟାପକ କପିଳମାଧବଙ୍କ ଭିତରେ ଯେ ତଫାତ୍ ସ୍ପଷ୍ଟ ଓ ସାଧାରଣ ଦୃଷ୍ଟିରେ ଘର, ଗାଡିର ମହତ୍ତ୍ୱ ଦୃଷ୍ଟିରୁ ଅଧ୍ୟାପକ କପିଳମାଧବ ଯେ ହରିହରଙ୍କ ଠାରୁ ନ୍ୟୁନ ଏହାକୁ ସେ ଘର ଆଗରେ ବଡ ବୋର୍ଡ (ଅଧ୍ୟାପକ କପିଳମାଧବ, ଏମ୍.ଏ.ଏମ୍.ଫିଲ, ପି.ଏଚ୍.ଡି) ମାରି  ଭୁଲ୍ କରିଦେଇ ପାରିବେ ନାହିଁ । ହରିହର ଯେ ଦୁର୍ନୀତି କରି ଏପରି କରିପାରିଛି ତା ନହେଲେ ତା’ର ଦରମା ତାଙ୍କଠାରୁ ଯଥେଷ୍ଟ କମ୍ – ଏଭଳି ସେ ଯେତେ ଉଚ୍ଚ କଣ୍ଠରେ ଚିକ୍ରାର କରି କହିଲେ ମଧ୍ୟ ତା’ପ୍ରତି ସାଧାରଣଙ୍କର ଘୃଣା ସେ ଜନ୍ମାଇପାରିବେ ନାହିଁ ।    ସେଲ୍ଟିକସ ଇନିସ୍ପେକଟର ହରିହର- ଅଧ୍ୟାପକ କପିଳମାଧବଙ୍କଠାରୁ ସବୁ ଦୃଷ୍ଟିରୁ ଉଚ୍ଚରେ – ଏହା ତାଙ୍କର ହୃଦବୋଧ ହୋଇଛି, ତେଣୁ ଆଶ୍ଚର୍ଯ୍ୟ କ’ଣ – ଯଦି ମାଧୁରି ଆଜି କହୁଛନ୍ତି ଯେ ଝିଅ ପାଇଁ ଅଧ୍ୟାପକ ଦର ତାଙ୍କର ଗ୍ରାହ୍ୟ ନୁହେଁ, ତେବେ ବିଡମ୍ବନା ଏତିକି ଯେ, ସୁନ୍ଦରୀ ମାଧୁରୀ – ବହୁ ଭଲ ଭଲ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି କପିଳମାଧବଙ୍କୁ ବିବାହ କରିଥିଲେ ଏକ ନିବିଡ ଦାମ୍ପତ୍ୟ ଜୀବନର ଲାଳସାରେ : ଯାହା ସେ ଭାବିଥିଲେ ଅଧ୍ୟାପକ ଜୀବନରେ ହିଁ ସମ୍ଭବ ।
ପ୍ୟାଡଲ୍ ମାରିଲେ କପିଳମାଧବ । ଘରେ ପହଞ୍ôଚ ସଉଦା ପତ୍ର ଥୋଇଦେଇ, ଗାଧୋଇ ପଡି, କ’ଣ ଦିଟା ଖାଇଦେଇ ପୁଣି ଏହି ଦଦରା ସାଇକେଲଟି ଉପରେ ଉଠିଯିବାକୁ ହେବ କଲେଜ, କ୍ଲାସ ପରେ କ୍ଲାସ – ତିନୋଟି, ଶିହରି ଉଠିଲେ ସେ । ଆଜି କମର୍ସ କ୍ଲାସଟିଏ ମଧ୍ୟ ଅଛି । କି ଭୟଙ୍କର ସେ ପିଲାଗୁଡାକ । ଥରେ ସେହି କ୍ଲାସଟି ନେଇ ଆସିଲାପରେ ସବୁ ଯେପରି ଅବଶ ହୋଇପଡେ ତାଙ୍କର । ସେ ତ କ୍ଲାସ୍ ନୁହେଁ, ଗୋଟାଏ ହାଟ । ବରଂ ସର୍କସ କୁହାଯାଇପାରେ । ଆଉ ସେ ଯେପରି ସେମାନଙ୍କ ଆଗରେ ଜୋକର୍ । ଚକ୍, ବେଙ୍ଗ, ମଲାସାପ, ବାଣ ସବୁ ଫୋପଡା ହୋଇଛି ତାଙ୍କ ଉପରକୁ ଏହି କ୍ଲାସରେ । ସୁସୁରି ବାଜିବା ସିନେମା ଗୀତ ବୋଲା ହେବା, ପିଲାଙ୍କର ଅବାଧ ଯିବାଆସିବା ସବୁକୁ ଆଖି କାନ ବୁଜିଦେଇ ପଢାଇଯିବାର ଐକ୍ୟତାନ – ସେ ଏହା ଭିତରେ କିଛିଟା ହାସଲ କରିପାରିଛନ୍ତି । ପ୍ରଥମେ ପ୍ରଥମେ ସେ ଯେପରି ବିଚିତ୍ର ଓ ଅସହିଷ୍ଣୁ ହୋଇ ପଡୁଥିଲେ – ତାହା ହୁଏତ ଅନେକ କମିଯାଇଛି । ଏଥିପାଇଁ ପ୍ରିନସିପାଲ୍ ହିଏ ଧନ୍ୟବାଦାର୍ହ । ତାଙ୍କର ସବୁ ଅଭିଯୋଗକୁ ସେ ଆଖିବୁଜି ଦେଇଥିବାରୁ । ତେଣୁ ପ୍ରକୃତିର ନିୟମାନୁଯାୟୀ ଅଧ୍ୟାପକ କପିଳମାଧବ ଏହିଭଳି ଛାତ୍ରମାନଙ୍କ ସହିତ ସହବସ୍ଥାନ କରିବାର ଧୈର୍ଯ୍ୟ ଅନନ୍ୟୋପାୟ ହୋଇ ହାସଲ କରିବାକୁ ବାଧ୍ୟ । ଆଜି ସେହି କ୍ଲାସଟି ଅଛି ପ୍ରଥମ ପିରିୟଡରେ । ତାକୁ କୌଣସି ଉପାୟରେ ଛଡାଯାଇନପାରେ । ତା’ନହେଲେ କୈଫୟତ୍ ତଲବ କରି ପ୍ରିନସିପାଲ୍ଙ୍କ ଠାରୁ ଚିଠି ଆସିଯିବାର ପ୍ରବଳ ସମ୍ଭାବନା ଅଛି ।
ଜୋରରେ ପ୍ୟାଡଲ୍ ମାରିବାକୁ ଲାଗିଲେ କପିଳମାଧବ, ସକାଳୁ ଚାହା କପେ ପିଇଦେଇ ଆସିଥିଲେ । ଭିଡ ବଜାର ଭିତରେ ଏପଟ ସେପଟ ହୋଇ ପେଟ ତାଙ୍କର ମୋଡିହେଲାଣି, ଆହୁରି ମାଇଲିଏ ପେଲିବାକୁ ହେବ ସାଇକେଲ୍ । ଆଉ କେଉଁ ଚାକିରିଆ ହୋଇଥିଲେ ହୁଏତ ପିଅନଟିଏ ଏହି ଦାୟିତ୍ୱ ନେଇଥାନ୍ତା ।
ମନେ ପଡିଲା ଆଜି ତିନିଟା ବେଳେ ଅଛି ପ୍ରିନସିପାଲ୍ଙ୍କ ସହିତ ସାକ୍ଷାତ୍ । ତାଙ୍କ ଭଳି ନାସ୍ତିକ ଲୋକ ମଧ୍ୟ ସବୁଦିନେ ଏବେ ଭଗବାନଙ୍କୁ ଡାକେ : ହେ ଭଗବାନ୍ ! ପ୍ରିନସିପାଲ୍ଙ୍କ ସହିତ ଭେଟହେବାର ଅବସର ଆଜି ନଆସୁ । ଚାରି, ପାଞ୍ଚୋଟି ଆଡଭର୍ସ ସି.ସି.ଆର୍. ପାଇସାରିବା ପରେ – ପ୍ରିନସିପାଲ୍ଙ୍କ ସହିତ ସାକ୍ଷାତର ମୂଲ୍ୟ କ’ଣ ସେ ଭଲ ଭାବରେ ଜାଣିଛନ୍ତି । ଆଜି ପୁଣି ଅଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ପ୍ରିନସିପାଲ୍ଙ୍କର ତାଙ୍କୁ ଡାକରା । କଲେଜ ୟୁନିୟନ୍ ପ୍ରେସିଡେଣ୍ଟ୍ ଦୁର୍ଦ୍ଦାନ୍ତ ଦେବପ୍ରିୟ ମହାପାତ୍ରକୁ ସେ ଏହି ପାଞ୍ଚ ଦିନ ତଳେ ସରିଥିବା ପରୀକ୍ଷାରେ କପି କରୁଥିବା ଅବସ୍ଥାରେ ଧରି କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିଲେ । ଏହି ରିପୋର୍ଟକୁ ପ୍ରତ୍ୟାହାର କରିନେବା ପାଇଁ ପ୍ରିନସିପାଲ୍ଙ୍କ ତରଫରୁ ବହୁ ଅନୁଭବୀ ଇତ୍ୟବସରରେ ଆସି କହି ସାରିଲେଣି – ଅନେକ ପ୍ରକାର ସମ୍ଭାବ୍ୟ ଦୁର୍ଘଟଣାର ସୂଚନା ଦେଇ । ଏସବୁ ସତ୍ତେ୍ୱ ସେ ରୋକ୍ ଠୋକ୍ ମନାକରି ଦେଇଥିବାରୁ ଆଜି ପ୍ରିନସିପାଲ୍ ନିଜେ ଏ ସମ୍ପର୍କରେ କଥାବାର୍ତ୍ତା ପାଇଁ ଡକାଇଛନ୍ତି ତାଙ୍କୁ । ସେ ଏହି ସାଇକେଲ୍ ଉପରୁ ହିଁ ଅନୁମାନ କରିପାରୁଛନ୍ତି କ’ଣ ହେବ । ଅଧ୍ୟାପକ ଆଜାନୁନତ, ଅଧ୍ୟାପକ ବୋଲକରା, ଅଧ୍ୟାପକ ହସ୍ତଯୋଡଙ୍କ ଦ୍ୱାରା ପରିବେଷ୍ଟିତ – ପ୍ରିନସିପାଲ୍ ତାଙ୍କୁ ଖୁବ୍ କୋମଳ ସ୍ୱରରେ ଅଭିଯୋଗଟିକୁ ପ୍ରତ୍ୟାହାର କରିନେବା ପାଇଁ କହିବେ, ଅତି ନିଜର ହିତୈଷୀ ଭଳି ବୁଝାଇବେ, କହିବେ- ‘‘ଦେଖ କପିଳମାଧବ, ତୁମର ସ୍ୱାଧୀନ ଓ ନିର୍ଭୀକ ସ୍ପିରିଟ୍ଟିକୁ ମୁଁ ଅତ୍ୟନ୍ତ ସମ୍ମାନ ଦିଏ । ତୁମେ ଦୁର୍ଦ୍ଦାନ୍ତ ଦେବପ୍ରିୟ ମହାପାତ୍ରର କପିଧରି ତା ବିରୁଦ୍ଧରେ ଅଭିଯୋଗ କରିବାର ଯେଉଁ ସାହସ ଦେଖାଇଛ, ତାହା ବାସ୍ତବିକ ପ୍ରଶଂସନୀୟ । କିନ୍ତୁ ତୁମେ ତ ସମାଜର ଅବସ୍ଥା ଦେଖୁଛ, କିଏ ଜାଣେ ଦେବପ୍ରିୟ ମହାପାତ୍ର ଆଉ ବର୍ଷେ, ଦୁଇବର୍ଷ ପରେ ଆମର ମନ୍ତ୍ରୀ ହୋଇ ନ ଆସିବ । ତା’ର ତ ରାଜନୈତିକ ସମ୍ପର୍କ ତୁମେ ଜାଣ, ତାଛଡା ପିଲା କବିଲା ଧରି ଆମେ ରହିଛେଁ । ଏହିସବୁ ଦୃଷ୍ଟିରୁ ତୁମେ କାହିଁକି ତୁମର ଜୀବନ, ତୁମ ପିଲାପିଲିଙ୍କ ଜୀବନକୁ ବିପନ୍ନ କରିବ । ତେଣୁ ଅଭିଯୋଗ ପ୍ରତ୍ୟାହାର କରିନିଅ, ସବୁ ଦିଗରୁ ମଙ୍ଗଳ ହେବ ।’’ କିନ୍ତୁ ସବୁଠାରୁ ଅସହ୍ୟ ହେବ ଆଜାନୁନତ, ବୋଲକରା ଓ ହସ୍ତ ଯୋଡଙ୍କର ପ୍ରିନସିପାଲ୍ଙ୍କର ତଥାକଥିତ ଉପଦେଶ ପ୍ରତି ସମ୍ମାନ ସୂଚକ ମୁଣ୍ଡହଲା ଓ ତାଙ୍କପ୍ରତି ବିଦ୍ରୁପ ମିଶ୍ରିତ ସଦୟ ଚାହାଣୀ ।
ଆଜାନୁନତ କହିବେ – ଦେଖନ୍ତୁ କପିଳବାବୁ ! ସାର୍ ଯାହା କହୁଛନ୍ତି ଆପଣଙ୍କ ଭଲ ପାଇଁ କହୁଛନ୍ତି । ଏ ସମ୍ପର୍କରେ ଆଉ ଚିନ୍ତା କରିବାର ବା କ’ଣ ରହିଛି । ନୀତି ନିୟମକୁ କ’ଣ ଆମେ ମାନିି ଚାଲିଲେ ହେବ ? ଏତେ କଳାବଜାର ହେଉଛି ସମସ୍ତଙ୍କ ଆଖି ସାମନାରେ ଦିନ ଦ୍ୱିପ୍ରହରରେ । କିଏ ବା ଧରୁଛି ତାଙ୍କୁ ? ଏତେ ବଡ ବଡ ଆଇ.ଏ.ଏସ୍. ଅଫିସରମାନେ ଅଛନ୍ତି, ପୋଲିସ ଅଛି- ଆହୁରି ଦୁର୍ନୀତି ନିବାରଣ ବିଭାଗମାନ ଅଛି । କେହି କିଛି କରି ପାରୁଛନ୍ତି ? ଆଉ ଆମେ ଏହି କପିଧରି କ’ଣ ବା ଚରିତ୍ରରେ ପରିବର୍ତ୍ତନ ଆଣିପାରିବା ?
ବୋଲକରା ଗାମ୍ଭୀର୍ଯ୍ୟ ରକ୍ଷାକରି କହିବେ, ବାସ୍ତବିକ୍ ଆମେ କ’ଣ ବା କରିପାରିବା ? ଆମେ ତ ଦେଖୁଛନ୍ତି, ଯେଉଁମାନେ ଖୁବ୍ ଭଲ ଛାତ୍ର ହୋଇ ପ୍ରଶାସନିକ ଚାକିରି ଗୁଡିକରେ ପଶି ଚାଲିଗଲେ, ସେମାନେ ଜୀବନରେ କେବେ କପି କରି ନଥିଲେ, କିନ୍ତୁ ସେମାନେ ତ ଦୁର୍ନୀତିର ଉଦ୍ଧ୍ୱର୍ରେ ରହିପାରିଲେ ନାହିଁ । ଛାତ୍ର ଜୀବନରେ ବହୁ ଆଦର୍ଶ ଛାତ୍ର ତ ସେହି ବସ୍ତୁବାଦୀ ଦୁନିଆର ମୋହରେ ଶିକାର ହୋଇ ଘର, ଗାଡି, ବ୍ୟାଙ୍କ୍ ବାଲାନ୍ସ କିପରି ବଢି ଚାଲିବ ତା’ର ପଛରେ ଲାଗି ପଡିଲେ । ଆଉ ଯେଉଁମାନେ କପି କରୁଛନ୍ତି ତାଙ୍କୁ ଧରି ସମାଜର ଆମେ କି ଅବା ପରିବର୍ତ୍ତନ ଆଣି ପାରିବା ? ହସ୍ତଯୋଡ କହିବେ: ଖାଲି ନିଜର ଅହଂକୁ ସନ୍ତୁଷ୍ଟ କରିବା କଥା ତା ନହେଲେ ଆଉ କ’ଣ? ଆପଣ କପିଳ ବାବୁ ବହୁବାର ତ କପି ଧରିଛନ୍ତି, କ’ଣ ହୋଇଛି ତାର ପରିଣତି ? ଏଠୁ ଧରି ଆପଣ ରିପୋର୍ଟ କଲେ । ସେ ପିଲା ଗୁଣ୍ଡା ଲଗାଇ ଆପଣଙ୍କୁ ବାଡେଇଲା- ଆପଣ ପୋଲିସ୍ରେ ରିପୋର୍ଟ କଲେ । ତାହା ପ୍ରମାଣିତ ହୋଇପାରିଲା ନାହିଁ । ଆଉ ଇଉନିଭରସିଟି ସ୍ତରରେ ସେ ପିଲାଟି ପ୍ରମାଣ କରାଇ ଦେଲା ଯେ, ସେ କପି କରିନାହିଁ । ସବୁଆଡୁ ଖସିଗଲା, ହିଁ, ଆପଣ କହିବେ ଯେ ଆପଣ ଆପଣଙ୍କ ବିବେକକୁ ଠକି ପାରିବେ ନାହିଁ । ତେବେ କହନ୍ତୁ ତ କପିଳ ବାବୁ ! ବିବେକ ଆଉ ବଞ୍ôଚବା ଭିତରେ ଦରକାରୀ କେଉଁଟା ? କପିଳମାଧବ ବୁଝୁଛନ୍ତି ; ସେ କିପରି ଧୀରେ ଧୀରେ କେଉଁ ପୁୁରୁଣା ଯୁଗର ହୋଇଯାଉଛନ୍ତି । ଆଧୁନିକ ଯୁଗର ଚିନ୍ତାଧାରା ସହିତ ଯେପରି ପାଦ ମିଳାଇ ଚାଲିବାରେ ପଛରେ ପଡିଯାଉଛନ୍ତି, କିନ୍ତୁ ଏତେ କମ୍ ଦିନ ଭିତରେ ଏତେ ପରିବର୍ତ୍ତନ ହୋଇଗଲା ବା କିପରି ? ପଛରେ ମଟରସାଇକେଲର ହର୍ଣ୍ଣ ଶୁଣି ଘୁଞ୍ôଚ ଆସିଲେ ରାସ୍ତାକଡକୁ କପିଳମାଧବ । କିନ୍ତୁ ଆଶ୍ଚର୍ଯ୍ୟ – ବାରମ୍ବାର ହର୍ଣ୍ଣ ଦେଇ ଚାଲିଛି ମଟର ସାଇକେଲଟି । ଅନାଇଲେ ପଛକୁ ।
ଦୁର୍ଦ୍ଦାନ୍ତ ଦେବପ୍ରିୟ ମହାପାତ୍ର । ଛାତିଟା ଧପ୍ ଧପ୍ ପଡିବାକୁ ଲାଗିଲା । ବନ୍ଦ ହୋଇଯିବନା କ’ଣ ଫୁସ୍ ଫୁସ୍ । ଦେବପ୍ରିୟ ଇଙ୍ଗିତ ଦେଲା ଓହ୍ଲାଇ ପଡିବାକୁ ବାଧ୍ୟ ଛାତ୍ରଟି ପରି ଓହ୍ଲାଇ ପଡିଲେ ସାଇକେଲରୁ ଅଧ୍ୟାପକ କପିଳମାଧବ । ଦେବପ୍ରିୟ ମଟରସାଇକେଲଟିକୁ ଠିଆ କରାଇ ପାଖକୁ ଆଗେଇ ଆସିଲା । କପିଳମାଧବଙ୍କର କିନ୍ତୁ ସାଇକେଲଟିକୁ ଠିଆ କରାଇବାର ଉପାୟ ନାହିଁ । ଏକତରଫା ଷ୍ଟାଣ୍ଡଟି ଝୁଲୁଥିବା ବ୍ୟାଗଗୁଡିକର ଓଜନରେ ସ୍ଥିର ରହିବ ନାହିଁ । ସାଇକେଲଟିକୁ ଧରି ଛିଡା ହେଲେ କପିଳମାଧବ । ତାଙ୍କ ମନରେ ବହୁ ଆଶଙ୍କା । ଦେବପ୍ରିୟ ପାଖକୁ ଆସି ଛିଡା ହୋଇ ତାଙ୍କୁ କିଛି ସମୟ ଗାରଡେଇ ଅନାଇଲା । ଭୟଭୀତ ହୋଇ ପଡିଲେ କପିଳମାଧବ, ତଥାପି ସାହସ ହରାଇବା ଉଚିତ ହେବନାହିଁ । ତେଣୁ ପଚାରିଲେ ଦେବପ୍ରିୟ କଥା କ’ଣ ? କ’ଣ ହୋଇଛି ?
ଆଜି ଆପଣଙ୍କର ପ୍ରିନସିପାଲଙ୍କ ସହିତ ମୋ ବିଷୟରେ ଆଲୋଚନା ଅଛି । ପ୍ରିନସିପାଲ ମୋ ବିରୁଦ୍ଧରେ ଅଭିଯୋଗ ପ୍ରତ୍ୟାହାର କରିନେବା ପାଇଁ ଆପଣଙ୍କୁ କହିବେ, ଆପଣ ପ୍ରତ୍ୟାହାର କରିନେବେ । ବୁଝିଲେ ?
ଦେବପ୍ରିୟ ଏତେ ଜୋରରେ ‘ବୁଝିଲେ’ ବୋଲି କହିଲା ଯେ, କପିଳମାଧବ ଚମକି ପଡିଲେ ।
ଆଉ ଯଦି ତାହା ନକରନ୍ତି ତେବେ ……
ତୁମେ ମାରିବ, ଏଇୟା ତ? କପିଳମାଧବ ଦେବପ୍ରିୟ ଧମକଟିକୁ ସହଜ ସ୍ୱରରେ ଗ୍ରହଣ କରିପାରୁଥିବାର ଛଳନା କରି କହିଲେ –
ନା, ନା, ଦେବପ୍ରିୟ ମହାପାତ୍ର ଆଉ ଆପଣଙ୍କୁ ମାରିବ ନାହିଁ । ସେ ଆଉ କିଛି ସୁନ୍ଦର କାର୍ଯ୍ୟ କରିବ । ଆପଣଙ୍କର ଝିଅଟିକୁ କିଡନାପ୍ କରିବ । ବୁଝିଲେ ? ଦେବପ୍ରିୟ ମହାପାତ୍ର ଏତିକି କହି ଗୋଟାଏ ଅର୍ଥପୂର୍ଣ୍ଣ ହସ ହସିଲା ।
ଅଠର ବର୍ଷର ଝିଅ ଶୁଭ୍ରାର ମୁହଁଟି ନାଚି ଉଠିଲା କପିଳମାଧବଙ୍କ ଆଖି ସାମ୍ନାରେ । ଦେବପ୍ରିୟ ମହାପାତ୍ର ପକ୍ଷରେ ଅସମ୍ଭବ ବା କ’ଣ ? କାହାକୁ କହିଲେ କିଏ ବା ଦେବପ୍ରିୟ ମହାପାତ୍ର ବିରୁଦ୍ଧରେ ଯାଇପାରିବ । କପି ଧରିବାରେ ଅଟଳ ରହି ଝିଅଟିକୁ ହରାଇବା କ’ଣ ବୁଦ୍ଧିମାନର କାର୍ଯ୍ୟ ହେବ ?
ଦେବପ୍ରିୟ କିକ୍ ଦେଲା ମଟର ସାଇକେଲରେ , ସାର ! ଚାଲିଲି – କହି ଧୁଆଁ ଉଡାଇ ଚାଲିଗଲା ।
ଉଠିଲେ ସାଇକେଲ୍ ଉପରକୁ କପିଳମାଧବ । ଧିକ୍ ଏ ଜୀବନ । ଏକ ଧୀରସ୍ଥିର ସ୍ୱାଧୀନ ଜୀବନ ଲାଳସାର କି ଅସହାୟ ପରିଣତି । ଗୋଟାଏ ଅଠର ବର୍ଷର ଝିଅ, ଚାଳିଶ୍ ବର୍ଷର ସ୍ତ୍ରୀ, ଦୁଇଟି ଛୋଟ ଛୋଟ ପୁଅଙ୍କର ଏକ ବିରାଟ ଗଣ୍ଠିଲି ପିଠିରେ ପକାଇ ଦେବପ୍ରିୟ ମହାପାତ୍ର ସହିତ ଟକ୍କର ଦେବାର ସାହସ ଆସିବ କେଉଁଠୁ ?
ମୁଣ୍ଡ ଘୁରିଗଲା କପିଳମାଧବଙ୍କର । ଝିଅ ଓ କପି କେଉଁଟି ତାଙ୍କ ପାଇଁ ବଡ ? ସ୍ଥିତି ନା ନୀତି ? ଗୋଟାଏ ଶିକ୍ଷକ ପାଇଁ ଦିନେ ଏଭଳି ପ୍ରଶ୍ନ ଉଠିପାରେ ? ବହୁ ପ୍ରଶ୍ନକୁ ଅତି ଚତୁରତାର ସହିତ, ପ୍ରଜ୍ଞାର ସହିତ ଉତ୍ତର କରିପାରୁଥିବା କପିଳମାଧବଙ୍କୁ ଯେପରି ଏହା ସମାଧାନ ହୀନ ଭଳି ମନେହେଲା ।
—————————-

Print Friendly, PDF & Email