ଗତ ସଂଖ୍ୟାରେ (ଜନତନ୍ତ୍ର,ଜୁଲାଇ(ପ୍ରଥମାର୍ଦ୍ଧ) ୨୦୧୨) “ନବକୃଷ୍ଣଙ୍କ ସହ ଏକ ଅପରାହ୍ନ” ଶିରୋନାମାରେ ଏକ ନିବନ୍ଧ ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିଲା । ଏହି ନିବନ୍ଧରେ ନବକୃଷ୍ଣଙ୍କ ସହ ସାକ୍ଷାତକାର ଓ ଏହି ସାକ୍ଷାତକାରକୁ ପ୍ରକାଶିତ କରିଥିବା ଏକ ବିସ୍ମୃତ ପାକ୍ଷିକ “ବାର୍ତ୍ତାବହ” ସମ୍ପର୍କରେ ଉଲ୍ଲେଖ କରା ଯାଇଥିଲା । ଏହା ପଢି ଅନେକ ପାଠକ ନବକୃଷ୍ଣ ତାଙ୍କ ସାକ୍ଷାତକାରରେ କ’ଣ କହିଥିଲେ ଜାଣିବାକୁ ଚାହିଁଛନ୍ତି ବୋଲି ଜନତନ୍ତ୍ରର ସମ୍ପାଦକ ଏହି ଲେଖକଙ୍କୁ କୁହନ୍ତେ, ବାର୍ତ୍ତାବହରେ ନବକୃଷ୍ଣଙ୍କ ସହ ସାକ୍ଷାତକାରଟିକୁ ଏକ ଉପକ୍ରମଣିକା ସହ ଏଠାରେ ଉଲ୍ଲେଖ କରୁଛି:
ସେଦିନ ଥିଲା ୫ ମାର୍ଚ୍ଚ ୧୯୭୮ । ଯେ କୌଣସି ସାଧାରଣ ଦିନ ଭଳି ଦିନଟିଏ । ଆଜି ଭଳି ଏହା ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଭାବେ ବା ପଞ୍ଚାୟତିରାଜ ଦିବସ ଭାବେ ପ୍ରତିଷ୍ଠା ଲାଭ କରିନଥିଲା । ସମୟ ମଧ୍ୟାହ୍ନ ବାରଟା ପରେ ହୋଇ ଯାଇଥିଲା । ଏହି ଲେଖକ ଓ ଗୁରୁବାବୁ (ଆଡଭୋକେଟ୍ ଗୁରୁ ମହାନ୍ତି) ଯାଇ ପହଞ୍ôଚଲୁ ବାଜି ରାଉତ ଛାତ୍ରା ବାସରେ । ନବବାବୁ ରହୁଥିବା ଘର ଆଡକୁ ଆଗେଇଲୁ । ନବବାବୁ ବସିଥାନ୍ତି ଘର ସାମ୍ନାକୁ ଲମ୍ବି ଆସିଥିବା ପ୍ରଶସ୍ତ ବାରଣ୍ଡା ଉପରେ ପଡିଥିବା ବେତ ଚଉକି ଉପରେ । ପାଖରେ ଖୋଲା ହୋଇ ପଡିଥାଏ Transfer of Power 1942-47 (Vol-VI). ଗୁରୁବାବୁଙ୍କୁ ଦେଖି ଖୁସିରେ ଆତ୍ମଭରା ହୋଇଗଲେ ଯେପରି, ଘର ଭିତରେ ଥିବା ନୁମା (ମାଳତୀ ଦେବୀ)ଙ୍କ ଉଦ୍ଦେଶ୍ୟରେ ଡାକ ଦେଇ କହିଲେ, ଶୁଣୁଛ, “ଗୁରୁ ଆସିଛି” । ମାଳତୀ-ନନ୍ଦିନୀ ନିର୍ବାଚନୀ ଲଢେଇରେ ମାଳତୀ ଦେବୀଙ୍କର ନିର୍ବାଚନୀ ପ୍ରଚାରରେ ଗୁରୁବାବୁ ଯେ ଓତଃପ୍ରୋତ ଭାବେ ସଂପୃକ୍ତ ଥିଲେ । ଦେଖୁଥିଲି ଜରା ନବକୃଷ୍ଣଙ୍କ ଶରୀରକୁ କାବୁ କରି ତାଙ୍କ ମନ ଓ ପ୍ରାଣକୁ ଦୋହଲାଇବା ପାଇଁ ଚେଷ୍ଟା କଲାଣି । କିନ୍ତୁ ନିର୍ବାପିତ କରି ପାରି ନାହିଁ -ତାଙ୍କ ଆଖିରୁ ବିପ୍ଳବର ଅଗ୍ନିକୁ । ତା ନ ହେଲେ ପ୍ରତ୍ୟକ୍ଷ ରାଜନୀତିରୁ ବିଦାୟ ନେବାର ଦୁଇ ଦଶନ୍ଧି ପରେ ଜରୁରୀ କାଳୀନ ପରିସ୍ଥିତିର ସେ କାହିଁକି ବା ଶୀକାର ହୁଅନ୍ତେ ?
ଔପଚାରିକ ସାକ୍ଷାତକାର ଦେବାକୁ କୁଣ୍ଠିତ ନବକୃଷ୍ଣଙ୍କର କଥାବାର୍ତ୍ତା ପାଇଁ ଆପତ୍ତି ନଥିଲା । ଏହି କଥାବାର୍ତ୍ତା ବେଳେ ଜଣା ପଡିଲା ଯେ ସୀମା ଆନ୍ଦୋଳନ ସମୟରେ ଗୁଳି ଚାଳନା ପାଇଁ ଦାୟୀକରି ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଯେପରି ଏକ ଖଳନାୟକ ଭାବେ ଚିତ୍ରିତ କରା ଯାଇଥିଲା – ତାହା ଥିଲା ଏକ ଯୋଜନାବଦ୍ଧ ଚକ୍ରାନ୍ତ । ତାଙ୍କର କାର୍ଯ୍ୟକାଳରେ ହୋଇଥିବା ବହୁ ପ୍ରଗତିଶୀଳ ଆଇନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଜନ ମାନସରୁ ପୋଛିଦେବାର ଚକ୍ରାନ୍ତ । ସେ କହୁଥିଲେ, “ଗୁଳିକାଣ୍ଡ ତ ଆଗରୁ ହୋଇଥିଲା” । ପୁଣି ତାଙ୍କରି ଭାଷାରେ, “Progressive Legislation ହୋଇଥିଲା ମୋ ସମୟରେ । ଖଣିର ଜାତୀୟ କରଣ ଓ ଖଣି କର୍ପୋରେସନ୍ର ଗଠନ, ସରକାରୀ ସ୍ତରରେ ଓଡିଆ ଭାଷା ପ୍ରବର୍ତ୍ତନ, ସହର ଓ ଗ୍ରାମ୍ୟ ଯୋଜନା ସଂପର୍କୀୟ ବହୁ ଆଇନର ପ୍ରଣୟନ ହୋଇଥିଲା” । ଏହି ପ୍ରଗତିଶୀଳ ଆଇନ ଗୁଡିକ କାର୍ଯ୍ୟରେ ରୁପାନ୍ତରିତ ହେବାରେ ପ୍ରତିବନ୍ଧକ ସଂପର୍କରେ ସେ ସେଚେତନ ଥିଲେ । ସେ କହୁଥିଲେ, “ତଳୁ ଲୋକମାନେ ଚାପ ଦେଲେ ନାହିଁ । ଓଡିଆ ଭାଷାରେ ସରକାରୀ କାର୍ଯ୍ୟକ୍ରମ ପ୍ରଚଳନକୁ ଅମଲାମାନେ ବିରୋଧ କଲେ”ା ଅଞ୍ଚଳ ଶାସନ ଆଇନ ପ୍ରଣୟନ କରି ସେ ଅମଲାତନ୍ତ୍ରର ପ୍ରଭାବ ହ୍ରାସ କରିବା ପାଇଁ ଚେଷ୍ଟା କରିଥିଲେ । ତାଙ୍କରି ଭାଷାରେ, “ସମସ୍ତ ଦଳର ସଭ୍ୟଙ୍କୁ ନେଇ ଗୋଟିଏ କମିଟି ବସିଲା । ୨୦୦ରୁ ଅଧିକ ଥର ବୈଠକ ବସି ସମସ୍ତଙ୍କ ସମର୍ଥନ ଥାଇ ଏହି ଅଞ୍ଚଳ ଶାସନ ଆଇନ ପ୍ରଣୟନ ହେଲା । କିନ୍ତୁ ମୋ ଯିବା ପରେ ମହତାବ ବାବୁ ଆସି ଆଉ ଏକ କମିଟି ଗଠନ କରାଇଲେ । ଏହା ଉପରେ ପୁଣି ଅଫିସରମାନେ ବସି ରିଭ୍ୟୁ ଆରମ୍ଭ କଲେ । ଆଜି ଆଉ ଅଞ୍ଚଳ ଶାସନର ଚିହ୍ନ,ବର୍ଣ୍ଣ ନାହିଁ”ା ତାଙ୍କର ଦୃଢ ମତ ଥିଲା ଯେ ସରକାରୀ ନିଷ୍ପତ୍ତି ସହ ଲୋକଙ୍କୁ ସାମିଲ କରାଇବା ଉଚିତ । ସେ ବୁଝିଥିଲେ ଯେ ସ୍ୱରାଜ୍ୟର ଅର୍ଥ ଜନତାର ପ୍ରତ୍ୟକ୍ଷ ଅଂଶ ଗ୍ରହଣ । ସେ ତେଣୁ ଆହ୍ୱାନ ଦେଇଥିଲେ ଯେ କଂଗ୍ରେସ ଦଳର ନେତୃବର୍ଗ କ୍ଷମତାରୁ ଓହରି ଯାଇ ଲୋକ ସଂଗଠନରେ ନିଜକୁ ନିୟୋଜିତ କରନ୍ତୁ । ଏହି ଆହ୍ୱାନ ଦଶବର୍ଷ ପରେ କାମରାଜ ପ୍ଲାନରେ ପ୍ରତିଧ୍ୱନିତ ହେଲା । ମୁଁ ଭାବୁଥିଲି ଏଭଳି ଆଗୁଆ ଚିନ୍ତା ଓ ଲୋକାଭିମୁଖୀ ଆଇନର ପ୍ରଣେତାଙ୍କୁ ସୀମା ଆନ୍ଦୋଳନର ଗୁଳିକାଣ୍ଡ ସହିତ ସଂପୃକ୍ତ କରାଇ ଲୋକମତକୁ ବିଭ୍ରାନ୍ତ କରିବା ବାସ୍ତବିକ ପରିତାପର ବିଷୟ ।
ଏଭଳି କିଛି କଥୋପକଥନ ପରେ ପରିବେଶ ବେଶ ସହଜ ହୋଇ ଯାଇଥିଲା ଔପଚାରିକ ସାକ୍ଷାତକାର ନେବା ପାଇଁ । ନବବାବୁ ରାଜି ହେଲେ । ମୁଁ ସୀମିତ କଲି ମୋର ପ୍ରଶ୍ନାବଳୀକୁ ରାଜନୀତି ଓ ଶିକ୍ଷା ସଂସ୍କୃତି ସଂପର୍କିତ କେତୋଟି ପ୍ରଶ୍ନରେ ଯାହାର ଉତ୍ତର ଦେଇଥିଲେ ନବବାବୁ ଏହିପରି :