ନବକୃଷ୍ଣ ଚୈାଧୁରୀ:ଏକ ରାଜନୈତିକ ବିସ୍ମୟ

  • 27/03/2017

ନବକୃଷ୍ଣ ଚୈାଧୁରୀଙ୍କ ସଂପର୍କରେ କିଛି ଲେଖିବା ପୂର୍ବରୁ ଏହା ରୋଚକ ହେବ ସ୍ମରଣ କରିବା ଯେ ସେ ତାଙ୍କ ନିଜ ସଂପର୍କରେ କ’ଣ କୁହନ୍ତି । ସେ କୁହନ୍ତି, ‘ବୁଝିଲୁ ଯୋଷୀ, ମୋ ଜୀବନରେ କିଛି କରି ନାହିଁ, କି ଆତ୍ମ ଜୀବନୀ ଲେଖିବି ? ମହାପୁରୁଷ ମାନଙ୍କୁ ସାଜେ । ଆମେ ସାଧାରଣ କର୍ମୀ ।’ ଏହା ସେ କହୁଥିଲେ ତାଙ୍କର ଜଣେ ଅତ୍ୟନ୍ତ ଅନୁରକ୍ତ ଦୟାଲାଲ ଯୋଷୀଙ୍କ ଅନୁରୋଧର ଉତ୍ତରରେ । ଅନୁରୋଧ ଥିଲା ଯେ ନବବାବୁ ଏକ ଆତ୍ମଜୀବନୀ ଲେଖନ୍ତୁ । ଦୟାଲାଲ ଆଶ୍ଚର୍ଯ୍ୟ ହେଉଥିଲେ, ‘ନୀଳଗିରି ପ୍ରଜା ଆନ୍ଦୋଳନର ନେତା, କଂଗ୍ରେସ ଓ ସମାଜବାଦୀ ଗୋଷ୍ଠୀର ଆଦ୍ୟ ପ୍ରତିଷ୍ଠିତା, ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ, ଯଚାଯାଇଥିବା ମାଡ୍ରାସ ରାଜ୍ୟପାଳ ପଦବୀ ପ୍ରତ୍ୟାଖାନ କରିଥିବା ଲୋକର ଦୁନିଆକୁ ଓ ଭବିଷ୍ୟତ ବଂଶଧରକୁ ପ୍ରେରଣା ଯୋଗାଇବା ପାଇଁ କ’ଣ କିଛି ଲେଖିବାର ନାହିଁ ?’(ଦ୍ରଷ୍ଟବ୍ୟ:‘ବିସ୍ମୃତ ଦିନ ଗୁଡିକର କେତୋଟି ସ୍ମୃତି’ ଲେ:ଦୟାଲାଲ ଯୋଷୀ, ବିକାଶ (୧୩.୪.୧୯୮୯), ଜୀବନ ବିଦ୍ୟାଳୟ (ପୋଷ୍ଟ ବେସିକ ସ୍କୁଲ), ଚମ୍ପତ୍ତିମୁଣ୍ଡା, ଅନୁଗୁଳ ) ନିଜ ଦୃଷ୍ଟିରେ ‘ଜୀବନରେ କିଛି  କରିନାହିଁ’ ନବକୃଷ୍ଣ ସିନା ଆତ୍ମଜୀବନୀ ଲେଖିଲେ ନାହିଁ ବା ନିଜ ଜୀବଦ୍ଦଶାରେ କାହାରିକୁ ତାଙ୍କ ଜୀବନୀ ଲେଖାଇ ଦେଲେ ନାହିଁ, କିନ୍ତୁ ତାଙ୍କର ମୃତ୍ୟୁ ପରେ ତାଙ୍କ ଉପରେ ଯେତିକି ଜୀବନୀ ପୁସ୍ତକ ଲେଖା ହେଲା ତାହା ବୋଧେ ଓଡିଶାର ଆଉ କୈାଣସି ମୁଖ୍ୟମନ୍ତ୍ରୀ ବା ସ୍ୱାଧିନୋତ୍ତର ଓଡିଶାର କୋଣସି ରାଜନୈତିକ ବ୍ୟକ୍ତି ଉପରେ ଲେଖାଯାଇ ନାହିଁ । ଚିତ୍ତରଂଜନ ଦାସ, ପଦ୍ମଚରଣ ନାୟକ, ଅନାଦି ନାୟକ ଓ ବଳରାମ ମହାନ୍ତି ତ ହେଉଛନ୍ତି ନବବାବୁଙ୍କର ଜଣାଶୁଣା ଜୀବନୀ ରଚୟିତା । ବହୁ ତଥ୍ୟ ଓ ଅନୁଶୀଳନ ସମ୍ବଳିତ ଏହି ଜୀବନୀ ଗୁଡିକ । ଏହା ଛଡା ବହୁ ସ୍ମରଣିକା, ସଂକଳନ ରହିଛି ଯାହା ନବବାବୁଙ୍କ ସହ ସସ୍ମରଣର ବିବିଧତାରେ ବେଶ ଧନୀ ।  ତେଣୁ ଏଠାରେ ମୁଁ ଯଥାସମ୍ଭବ ଚେଷ୍ଟା କରିବି ସେଗୁଡିକର ପୁନରାବୃତ୍ତି ନ କରି, ମୁଁ ତାଙ୍କ ସଂପର୍କରେ ସଂଗ୍ରହ କରିଥିବା କେତୋଟି ଘଟଣା, ତାଙ୍କ ସଂପର୍କରେ ଆସିଥିବା କିଛି ବ୍ୟକ୍ତିଙ୍କର ସଂସ୍ମରଣ  କୁ ଏଠାରେ ଉପସ୍ଥାପିତ କରିବି ଯାହା ନବବାବୁଙ୍କ ବ୍ୟକ୍ତିତ୍ୱର ଐଶ୍ୱର୍ଯ୍ୟକୁ ପ୍ରତିପାଦିତ କରିବ ।

 
ପବ୍ଲିକ ପ୍ରପର୍ଟି ନବକୃଷ୍ଣ

ନବକୃଷ୍ଣ ଚୈାଧୁରୀ ଭୂମିଷ୍ଠ ହୁଅନ୍ତି କଟକର ସମ୍ଭ୍ରାନ୍ତ ଚୈାଧୁରୀ ପରିବାରରେ, ଯେତେବେଳେ ଶତାବ୍ଦୀ ଲେଉଟାଉଛି କଡ ଓ ବିଂଶ ଶତାବ୍ଦୀ ପ୍ରବେଶ କରୁଛି । ବଢନ୍ତି ଏକ ପରିବେଶରେ ଯେତେବେଳେ କଟକ ସହରରେ ନାଗରିକ ଜୀବନ ଦାନା ବାଂଧୁଥାଏ । ପିତା ଗୋକୁଳାନନ୍ଦ ଚୈାଧୁରୀ ନେଉଥାନ୍ତି ଏକ ଅଗ୍ରଣୀ ଭୂମିକା ମଧୁସୂଦନ ଦାସଙ୍କ ନେତୃତ୍ୱରେ । ଉକ୍ରଳ ସମ୍ମୀଳନୀ ସକ୍ରିୟ ହୋଇଥାଏ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଦାବିରେ । ବାଖରାବାଦ ଘର ହୋଇଥାଏ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କର ଏକ ମିଳନ ସ୍ଥଳୀ । କିଶୋର ନବକୃଷ୍ଣ ଦେଖୁଥାନ୍ତି ଏହି ବିଶିଷ୍ଟ ବ୍ୟକ୍ତି ମାନଙ୍କର ସମାଗମକୁ, ଶୁଣୁଥାନ୍ତି ସେମାନଙ୍କର କଥୋପକଥନକୁ, ଏକ ନୂତନ ଓଡିଶା ଗଠନର ସଂକଳ୍ପକୁ । ତାଙ୍କରି ଭାଷାରେ ‘ପିଲାଦିନୁ ତ ଆମ ଘରେ ରାଜନୀତି ଚର୍ଚ୍ଚା ଚାଲିଥାଏ । ତେଣୁ ସେହି ବୟସରେ ଆମେ ଉକ୍ରଳ ସମ୍ମୀଳନୀକୁ ସମସ୍ତଙ୍କ ସହିତ ଯାଉଥିଲୁ । ବୟସ ତ ହୋଇ ନଥିଲା ବୁଝିବାର କିଛି ତଥାପି ଯୋଗ ଦେଉଥିଲୁ । ସେତେବେଳେ ସ୍ୱରାଜ ଆନ୍ଦୋଳନ ମଧ୍ୟ ଚାଲୁଥାଏ । ଆମ ଘରକୁ ଆସୁଥାନ୍ତି ଆଚାର୍ଯ୍ୟ ମହାଶୟ । ଆମ ବାପା ଏବଂ ହିତାକାଂକ୍ଷୀ ମାନେ ମୋର ପାଠ ପଢା ନେଇ ତାଙ୍କର ମତାମତ ଚାହିଁଲେ । କେଉଁ ସ୍କୁଲରେ ଦେବା । କଲିଜିଏଟରେ ନାମ ଲେଖାଯାଇ ପାରୁ ନାହିଁ । ସରକାରୀ ସ୍କୁଲ କି ନା ! ପ୍ୟାରିମୋହନ ଏକାଡେମୀରେ ନାମ ଲେଖା ସ୍ଥିର ହେଲା ଏବଂ ସେଠାରେ ହିଁ ପଢିଲି । ୧୯୧୩ରେ ବୋଧେ ମୋର ନାମ ଲେଖା ହେଲା । କାରଣ ଯୁଦ୍ଧ ମୋ ନାମ ଲେଖା ପରେ ପରେ ହିଁ ଆରମ୍ଭ ହେଲା । ଏହି ସମୟରୁ ମୋର Consciousରାଜନୈତିକ ଜୀବନ ଆରମ୍ଭ ହେଲା ବୋଲି କହି ପାରନ୍ତି ।’ (ଦ୍ରଷ୍ଟବ୍ୟ:ତାଙ୍କ ନିଜ ମୁହଁରୁ,  ଶ୍ରଦ୍ଧାଂଜଳୀ, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪,ପୃ: ୧୭, ପାକ୍ଷିକ ‘ବାର୍ତ୍ତାବହ’(ସମ୍ପାଦକ-ଗୁରୁ ମହାନ୍ତି) ରୁ ଉଦ୍ଧୃତ) ଏହି କଥା ନବବାବୁ ଏକ ସାକ୍ଷାତକାରରେ କହିଥିଲେ, ଯେଉଁ ସାକ୍ଷାତକାର ମୁଁ ଓ ଗୁରୁବାବୁ (ଆଡଭୋକେଟ ଗୁରୁ ମହାନ୍ତି) ମାର୍ଚ୍ଚ ୫ ତାରିଖ ୧୯୭୮ ମସିହାରେ ବାଜିରାଉତ ଛାତ୍ରାବାସର ପରିସରରେ ନେଇଥିଲୁ । ଏହା ହିଁ ବୋଧହୁଏ ତାଙ୍କର ପ୍ରଥମ ଓ ଶେଷ ସାକ୍ଷାତକାର ଥିଲା । ପ୍ରଚାର ବିମୁଖ ନବକୃଷ୍ଣ ଙ୍କ ଠାରୁ ଆମେ ଯେଉଁ କଷ୍ଟରେ ସାକ୍ଷାତକାର ଆଦାୟ କରିଥିଲୁ ସେଥିରୁ ଆମେ ବୁଝିଛୁ ଯେ ତାଙ୍କଠାରୁ ଆମ ପୂର୍ବରୁ ବା ପରେ କାହିଁକି ସାକ୍ଷାତକାର ସମ୍ଭବ ହୋଇ ନଥିବ । ଗୁରୁ ବାବୁ ନଥିଲେ ଏହା ସମ୍ଭବ ହୁଅନ୍ତା ନାହିଁ । ତାଙ୍କର ନା, ନା କୁ ଗୁରୁ ବାବୁ ନାକଚ କଲେ ଗୋଟିଏ ଗର୍ଜ୍ଜନରେ- ‘ଆପଣ public property, ଅଲବତ ଆମକୁ ସାକ୍ଷାତକାର ଦେବେ ।’ ମନେ ପଡିଯାଉଛି ଏହା ଶୁଣି ନବବାବୁ ହସି ଥିବା ଖୋଲା ହସ ଓ  ଘର ଭିତରେ ଥିବା ମାଳତୀ ଦେବୀଙ୍କ ଉଦ୍ଦେଶ୍ୟରେ ସଂବୋଧନ- ‘ଶୁଣୁଛ, ଗୁରୁ କହୁଛି ମୁଁ କାଳେ ଗେଟିଏ  public property ।’ ସେ ପ୍ରକୃତରେ ଲୋକଙ୍କ ସମ୍ପତ୍ତି ଥିଲେ । ଆଜି କା ଭାଷାରେ ଆମ ଆଦମୀଙ୍କର ଥିଲେ । ଆଜିକା ଭଳି ସେ କେବେ ଘୋଷଣା କରି ନ ଥିଲେ ଯେ ସେ ସାଧାରଣ ଲୋକଙ୍କ ସାଂଗରେ ଅଛନ୍ତି, ଏହାର ଆବଶ୍ୟକତା ମଧ୍ୟ ନ ଥିଲା କାରଣ ସେ ପ୍ରବୃତ୍ତିଗତ ଭାବେ, ସାଧାରଣ ଲୋକଙ୍କ ସହ ଥିଲେ ଓ ତାଙ୍କ ସହ ବସା ଉଠା କରୁଥିବା ସାଧାରଣ ମଣିଷଙ୍କର ମଧ୍ୟ ଏହା ଥିଲା ଉପଲବ୍ଧି । ଚମ୍ପତ୍ତିମୁଣ୍ଡା ବିଦ୍ୟାଳୟର ଶିକ୍ଷକ ହରି ଗୁରୁଜୀ, ଏକ ସାକ୍ଷାତକାରେ ଏହି ଲେଖକକୁ  କୁହନ୍ତି, ‘ଚମ୍ପତ୍ତିମୁଣ୍ଡା ବିଦ୍ୟାଳୟରେ ସେ ଏପରି ଅନ୍ତେବାସୀଙ୍କ ସହ ମିଶୁଥିଲେ ଯେ ତାଙ୍କ ପ୍ରତି କାହାର ଡର କି ଭୟ ନ ଥିଲା । ତାଙ୍କ ପ୍ରତି ଅନେକେ ତୁ ସମ୍ବୋଧନ ବ୍ୟବହାର କରୁଥିଲେ । ତାଙ୍କ ଆଚରଣ ଏତେ ସ୍ୱାଭିବକ ଭାବେ ସରଳ ଥିଲା ଯେ ତାଙ୍କ ସହ ବସା ଉଠା ବେଳେ କାହାରି ମନରେ ଏ ଭାବନା ଆସି ନାହିଁ ଯେ ସେ ଏକଦା ମୁଖ୍ୟମନ୍ତ୍ରୀ ଥିଲେ ବୋଲି ।’ ସାଧାରଣ ଲୋକର ହେବା ଓ କେବଳ ସାଧାରଣ ଲୋକର ହେବା ଯେପରି ତାଙ୍କ ବ୍ୟକ୍ତିତ୍ୱର ଥିଲା ଏକ ସ୍ୱଭାବିକ ଦିଗ । ସେ ପ୍ରକୃତରେ ଲୋକଙ୍କ ସମ୍ପତ୍ତି ଥିଲେ, ଆଜିର ପୀଢି ଯାହା ପାଇଁ  ପବ୍ଲିକ ପ୍ରପର୍ଟି ବା ଲୋକଙ୍କ ସମ୍ପତ୍ତି କୁ ରାଜନୈତିକ ନେତା ଆତ୍ମସାତ୍ କରିବା ଏକ ସାଧାରଣ ଦୃଶ୍ୟ ହୋଇଛି,  ସେ ପୀଢି ପାଇଁ ନବବାବୁ ଏକ ବିସ୍ମୟ ବୋଲି ମନେହେବା ଅସ୍ୱଭାବିକ ନୁହେଁ ।

ରାଜା-ଜମିଦାରଙ୍କ ଉପରେ କ୍ରୋଧ

ଏହାହିଁ ବୋଧେ କାରଣ ଯେ ସେ ଏକ ଜନସଭାରେ  ସାଧାରଣ ଲୋକଙ୍କର ଶୋଷକ ରାଜା ଜମିଦାରଙ୍କୁ ‘ଶଳା’ ବୋଲି ସମ୍ବୋଧନ କରି କଟକ ସହରର ପ୍ରମୁଖ ନାଗରିକ ଗୋଷ୍ଠୀକୁ ସ୍ତବ୍ଧ କରି ଦେଇଥିଲେ । ଏହି ଘଟଣାକୁ ସ୍ମରଣ କରି ସୁରେନ୍ଦ୍ରନାଥ ଦ୍ୱିବେଦୀ ଲେଖନ୍ତି, ‘କାଲି ଭଳି ମନେ ପଡୁଛି, ୧୯୩୭ ମସିହା ସେପ୍ଟେମ୍ବର ପହିଲାରେ କଟକ ମ୍ୟୁନିସିପାଲଟି ପଡିଆରେ, ପ୍ରଥମ ଚାଷୀ ମେଳାରେ ସମାଜର ଗଣ୍ୟମାନ୍ୟ ତଥାକଥିତ ଶିକ୍ଷିତ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସେ ଜମିଦାର ଶ୍ରେଣୀକୁ ଯେତେବେଳେ ‘ଶଳା’ ବୋଲି ସମ୍ବୋଧନ କଲେ, କିପରି ହେଲା ନାସିକା କୁଂଚନ, ସମ୍ବାଦପତ୍ରରେ ମନ୍ତବ୍ୟ ହେଲା- ‘ଅଶୋଭନୀୟ ଆଚରଣ’ ‘ଅମାର୍ଜିତ ଭାଷା’ ଇତ୍ୟାଦି । ଏହା ପଢି ସେ ହୋଇଥିଲେ ଆନନ୍ଦିତ । ଠିକଣା ପ୍ରତିକ୍ରିୟା ହୋଇଛି । କାହା ସହିତ ସଂଘର୍ଷ କରିବାକୁ ପଡିବ ଏବଂ କି ଭଳି ତୁଣ୍ଡବାଣ ପେଷଣ ହୋଇପାରେ ବୁଝନ୍ତୁ ତଥାକଥିତ ସମାଜର ସୁସ୍ଥ ଆସନରେ ଆସୀନ ପ୍ରଜା ଶୋଷଣରେ ପୁଷ୍ଟ ଅଧୀକାରୀ ଗଣ ।’(ଦ୍ରଷ୍ଟବ୍ୟ: ଅତୁଳନୀୟ, ଲେ: ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଶ୍ରଦ୍ଧାଂଜଳୀ, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪,ପୃ: ୧୩୯)  ଏହି ଜମିଦାର ଶ୍ରେଣୀର ସୁବିଧା ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମହତାବଙ୍କ ଠାରେ ବ୍ୟାକୁଳତା ଦେଖି, ସେ ୧୯୪୮ରେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୋଲି କୁହନ୍ତି ତାଙ୍କର ଅତି ପ୍ରିୟ ଅନୁଯାୟୀ ଜୟକୃଷ୍ଣ ମହାନ୍ତି, ଏହି ଲେଖକକୁ ଦେଇଥିବା ଏକ ସାକ୍ଷାତକାରରେ । ଜୟକୃଷ୍ଣ କୁହନ୍ତି, ‘୧୯୪୮ ମସିହାରେ ସେ (ନବକୃଷ୍ଣ) ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସାଧାରଣ ଧାରଣା ଯେ ସେ ପୁତ୍ର ଶୋକ ଯୋଗୁଁ ଇସ୍ତଫା ଦେଲେ । କିନ୍ତୁ ମୁଁ ଯାହା ଜାଣେ ସେଟା ମୂଳ କାରଣ ନୁହେଁ । ମୂଳ କାରଣ ମହତାବଙ୍କ ସହ ମତ ପାର୍ଥକ୍ୟ । ସେଇଟା ସ୍ପଷ୍ଟ ହୋଇଯିବ ଯଦି ଆମେ ଜମି ଜମା କମିଟିର ରିପୋର୍ଟରେ ଥିବା ମହତାବଙ୍କର ଓ ନବକୃଷ୍ଣଙ୍କର ଆଭିମୁଖ୍ୟ ଦେଖିବୁ । ମହତାବ ସେତେବେଳେ ଜମିଦାର ମାନଙ୍କୁ ସମୁଦାୟ ଲୋପ କରିଦେବା ଚାହୁଁ ନ ଥିଲେ । ରାଜା ମାନଙ୍କୁ ଯେମିତିଆ ଭତ୍ତା ଦିଆଯାଉଛି, ସେମିତିଆ ବ୍ୟବସ୍ଥା ଜମିଦାରଙ୍କ ପାଇଁ ହେଉ ବୋଲି ସେ ଚାହୁଁ ଥିଲେ । ନବକୃଷ୍ଣ ଚୈାଧୁରୀ ଜମିଦାର ମାନଙ୍କ ସତ୍ତାକୁ ଲୋପ କରିଦେବା ଚାହୁଁ ଥିଲେ ।’ ମହତାବ ମଧ୍ୟ ପରୋକ୍ଷରେ ଏହା ର ସୂଚନା ଦିଅନ୍ତି ଯେତେବେଳେ ସେ ତାଙ୍କ ଆତ୍ମଜୀବନୀ ‘ସାଧନାର ପଥେ’ (ପୃ-୩୫୯) ରେ ଲେଖନ୍ତି ଯେ, ‘୧୯୪୮ ଏପ୍ରିଲ ୨୩ ତାରିଖରେ ଶ୍ରୀ ନବକୃଷ୍ଣ ଚୈାଧୁରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ । ଅବଶ୍ୟ ତାଙ୍କର ଏକମାତ୍ର ପୁତ୍ରର ଆତ୍ମହତ୍ୟା ଏ ଇସ୍ତଫାର କାରଣ ଥିଲା ବୋଲି ସେ କହିଲେ । କିନ୍ତୁ ମୋ ମନର ଏକ କୋଣରେ ପ୍ରଚ୍ଛନ୍ନ ସନ୍ଦେହ ରହିଗଲା ଯେ ସେ ମନ୍ତ୍ରୀମଣ୍ଡଳରେ ସୁସ୍ଥ ଅନୁଭବ କଲେ ନାହିଁ । ଯେଉଁମାନଙ୍କ ସହିତ କଂଗ୍ରେସ ସମାଜବାଦୀ ଦଳ ଗଠନ, ଗଡଜାତ ଆନ୍ଦୋଳନ ଇତ୍ୟାଦି କରି ଆସିଥିଲେ ସେମାନେ ମୋ ଠାରୁ ନିଜକୁ ଅଲଗା କରିନେଇଥିଲେ; ଯଥା-ମାଳତୀ ଦେବୀ, ସାରଂଗଧର ବାବୁ ଇତ୍ୟାଦି । ସମସ୍ତଙ୍କୁ ସବୁକଥା ପଚାରି ବୁଝାଇ ଏକମତ କରାଇ ହୁଏତ ମୁଁ କରିପାରିଲି ନାହିଁ । ’ ପୁତ୍ରର ଆତ୍ମହତ୍ୟା ଯେ ଏକ ମାତ୍ର କାରଣ ନଥିଲା ତାହା ମଧ୍ୟ ଜଣା ପଡେ ନବବାବୁଙ୍କର ବକ୍ତବ୍ୟରୁ ଯେତେବେଳେ ସେ କୁହନ୍ତି, ‘…..ମୁଁ ୧୯୪୮ରୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲି । କାରଣ ଆମେ ମହାତ୍ମା ଗାଂଧୀଙ୍କ ନେତୃତ୍ୱରେ ଯାହା ସବୁ ଭାବି ଚାଲିଥିଲୁ, ମୁଁ ଦେଖିଲି ମନ୍ତ୍ରିମଣ୍ଡଳରେ ସେ ଆଭିମୁଖ୍ୟ ରହିପାରିଲା ନାହିଁ, ବରଂ ଠିକ ଓଲଟା ହେଲା । ତେଣୁ ଲୋକଙ୍କ ସହ କିଛି ସମ୍ପର୍କ ରହିଲା ନାହିଁ । ସବୁ ମୂଳରେ ଲୋକ । ସେମାନେ ଯଦି ତାଙ୍କ ବଳ ଅନୁଭବ ନ କରନ୍ତି, ସେମାନେ ଯଦି ନ ଭାବନ୍ତି ଯେ ସେମାନେ ହିଁ ମୂଳ ତାହାଲେ ସ୍ୱରାଜ୍ୟ କଣ ହେଲା ? ସେତେବେଳେ ଠିକ ଗାନ୍ଧୀଙ୍କର ହତ୍ୟା ଓ ମୋ ପୁଅର ମୃତ୍ୟୁ ପ୍ରାୟ ଏକ ସଂଗରେ ହେଲା । ମୁଁ ବଡ ବିବ୍ରତ ହୋଇ ପଡିଥିଲି । ତାହାରି ଭିତରେ ରାଜନୀତି ପ୍ରତି ଗୋଟିଏ disillusionment ମଧ୍ୟ ତୀବ୍ର ହେଉଥାଏ । ମୋର ଧାରଣା ହେଲା ଯେ ଆମର ରାଜନୀତି ରେ ରହିବାଟା ଭୁଲ ।’ (ଦ୍ରଷ୍ଟବ୍ୟ:ତାଙ୍କ ନିଜ ମୁହଁରୁ,  ଶ୍ରଦ୍ଧାଂଜଳୀ, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪,ପୃ: ୧୭, ପାକ୍ଷିକ ‘ବାର୍ତ୍ତାବହ’(ସମ୍ପାଦକ-ଗୁରୁ ମହାନ୍ତି) ରୁ ଉଦ୍ଧୃତ) କିନ୍ତୁ ନିଜେ ମୁଖ୍ୟମନ୍ତ୍ରୀ ଥିବାବେଳେ, ନବକୃଷ୍ଣ  ଏହି ଜମିଦାର ବର୍ଗର ସୁବିଧା ସୁଯୋଗ ଉପରେ କଟକଣା ଲାଗୁ କରିବାକୁ ଯାଇ ଅଦାଲତ ଅବମାନନା ଅଭିଯୋଗରେ ମକଦମାର ସମ୍ମୁଖୀନ ହେଲେ । ଜଣେ ଜମିଦାରଙ୍କ ସପକ୍ଷରେ ଓ ସରକାରଙ୍କ ଭୂ ସଂପର୍କିତ ସର୍ବେକ୍ଷଣ ବିରୁଦ୍ଦରେ ଯାଇଥିବା ଏକ ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବା ଓ ତତ୍ସହିତ ବିଧାନ ସଭାରେ ଏକ ନୂତନ ଆଇନ କରିବା ଯାହାଦ୍ୱାରା ହାଇକୋର୍ଟ ନିଷ୍ପତ୍ତି ଅକାମୀ ହୋଇଯିବ ବିଧାନ ସଭାରେ ବେଶ ଉଷ୍ଣତା ସୃଷ୍ଟି କରିଥିଲା । ବିଧାୟକ ନିଶାମଣି ଖୁଣ୍ଟିଆଙ୍କୁ ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବକୃଷ୍ଣ କହିଥିଲେ(୮ମାର୍ଚ୍ଚ ୧୯୫୬), ‘ଯଦିବା ଆମେ ପୂର୍ବ ପଦକ୍ଷେପ ଗୁଡିକୁ ବିଧିସିଦ୍ଧ କରିଦେଉ, ତଥାପି ଭବିଷ୍ୟତ ପାଇଁ ସୁପ୍ରିମକୋର୍ଟ ଯିବାର ଆବଶ୍ୟକତା ଅଛି । ବର୍ତ୍ତମାନ ଆମର ସମ୍ବିଧାନ ହେଉଛି ନୂଆ, ହାଇକୋର୍ଟ ମଧ୍ୟ ନୂଆ । ଅନେକ କ୍ଷେତ୍ରରେ ହାଇକୋର୍ଟର ଅପରିପକ୍ୱତା ବେଶ ଦେଖାଯାଇଛି । ଅନେକ କ୍ଷେତ୍ରରେ ହାଇକୋର୍ଟ ନିଷ୍ପତ୍ତି ସୁପ୍ରିମକୋର୍ଟ ଦ୍ୱାରା ସଂଶୋଧିତ ହୋଇଛି । ସୁପ୍ରିମକୋର୍ଟ ମଧ୍ୟ ଅନେକ କ୍ଷେତ୍ରରେ ହାଇକୋର୍ଟ ତାଙ୍କର କ୍ଷମତା ଅପବ୍ୟବହାର କରିଛନ୍ତି ବୋଲି ମତ ଦେଇଛନ୍ତି ।’ ଏହି ବକ୍ତବ୍ୟକୁ ଖବରକାଗଜ ‘ମାତୃଭୂମି’ ତାର ପୃଷ୍ଠାରେ ୧୦ମାର୍ଚ୍ଚ ୧୯୫୬ ଦିନ ପ୍ରକାଶ କରିଥିଲା । ରାଜା-ମହାରାଜାଙ୍କ ଦଳ ଗଣତନ୍ତ୍ର ପରିଷଦରେ ସକ୍ରିୟ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ୧୬.୩.୧୯୫୬ ଦିନ ଉପରୋକ୍ତ ମନ୍ତବ୍ୟ ପାଇଁ ନବକୃଷ୍ଣ ଓ ଖବରକାଗଜ ‘ମାତୃଭୂମି’ ବିରୋଧରେ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାଏର କଲେ । ଏଠି ସ୍ମରଣ କରାଯାଇପାରେ ଯେ ସୁରେନ୍ଦ୍ର ମହାନ୍ତି ଗଣତନ୍ତ୍ର ପରିଷଦର ପ୍ରର୍ଥୀ ଭାବେ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢିଥିଲେ ଓ ୫ ଏପ୍ରିଲ ୧୯୫୭ରୁ ୩୧ମାର୍ଚ୍ଚ୧୯୬୨ଯାଏ ଲୋକସଭା ସଦସ୍ୟ ଥିଲେ । ଏହି ଅଭିଯୋଗ ଉପରେ ରାୟ ପ୍ରକାଶ ପାଇଲା ୨୬ ଫେବୃଆରୀ ୧୯୫୮ ଦିନ । ସେତେବେଳକୁ ନବବାବୁ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି । ମାନ୍ୟବର ବିଚାରପତି ଦ୍ୱୟ (ଆର.ଏଲ.ନରସିଂହମ ଓ ସତ୍ୟ ଭୂଷଣ ବର୍ମନ) ନବବାବୁଙ୍କର ବିଧାନସଭାରେ ପ୍ରଦତ୍ତ ଉକ୍ତିକୁ ତର୍ଜମା କରି ଦର୍ଶାଇଲେ ଯେ ଉକ୍ତି ଟି ଅଦାଲତର ଅବମାନନା କରୁଛି । ଏହା ଉଚ୍ଚନ୍ୟାୟାଳୟର ପ୍ରଭୂତ୍ୱକୁ କ୍ଷୁଣ୍ଣ କରୁଛି ଓ ବିଚାରପତିଙ୍କ ପ୍ରତି ଅବମାନନା ପ୍ରଦର୍ଶନ କରୁଛି । କିନ୍ତୁ ଅଦାଲତ ଅବମାନନା ଅଭିଯୋଗ ନବକୃଷ୍ଣଙ୍କ ବିରୁଦ୍ଧରେ ଲାଗି ପାରିବ ନାହିଁ କାରଣ ସେ ଏହି ବକ୍ତବ୍ୟ ବିଧାନସଭାରେ ଦେଇଛନ୍ତି ଓ ସମ୍ବିଧାନର ଧାରା ୧୯୪(୨) ଅନୁସାରେ ସେ ସୁରକ୍ଷିତ । ‘ମାତୃଭୂମି’ କିନ୍ତୁ ଦଣ୍ଡିତ ହେଲା କାରଣ ଧାରା ୧୯୪(୨) ତା ସପକ୍ଷରେ ନଥିଲା । ଏହି ପ୍ରସଂଗରେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ନବବାବୁ ଏହି ମକଦ୍ଦମାରେ କୈାଣସି ସତ୍ୟପାଠ ଦାଖଲ କରି ନଥିଲେ , ‘ମାତୃଭୂମି’ ମଧ୍ୟ ଦାଖଲ କରି ନଥିଲା । ମାନ୍ୟବର ବିଚାରପତି ଦ୍ୱୟ ବିଚାର ବେଳେ ଚାହିଁ ଥିଲେ ଯେ ନବବାବୁ ସତ୍ୟପାଠ ଦାଖଲ କରନ୍ତୁ ଓ କୁହନ୍ତୁ କେଉଁ ପରିସ୍ଥିତିରେ ସେ ଏ ଭଳି ମନ୍ତବ୍ୟ କରିଥିଲେ । ତଥାପି ନବବାବୁ ଏହା କଲେ ନାହିଁ । ସେ ଅବମାନନା କରନାହାନ୍ତି ଏହା  ଥିଲା ତାଙ୍କର ଉତ୍ତର ଓ ଆଇନାନୁସାରେ ଏହାର ବିଚାର ହେଉ ବୋଲି ସେ ଚାହିଁ ଥିଲେ । ଯେତେବେଳେ ନବବାବୁ ସତ୍ୟପାଠ ଜରିଆରେ କହୁନାହାନ୍ତି କେଉଁ ପରିସ୍ଥିତିରେ ସେ ଏପରି ବକ୍ତବ୍ୟ ବିଧାନସଭାରେ ଦେଲେ, ସେତେବେଳେ ମାନ୍ୟବର ବିଚାରପତି ଦ୍ୱୟଙ୍କର ନିମ୍ନୋକ୍ତ ମନ୍ତବ୍ୟ ଦର୍ଶାଏ ନବବାବୁଙ୍କ ପ୍ରତି ସମ୍ମାନ କେଉଁ ସ୍ତରର ଥିଲା । ସେମାନେ ଯେପରି ଦୃଢ ନିଶ୍ଚିତ ଥିଲେ ଯେ ନବକୃଷ୍ଣ ତାଙ୍କର ଭାଷଣରେ ଯେଉଁ ଅବମାନନା ସୂଚକ ମନ୍ତବ୍ୟ ଦେଇଛନ୍ତି ତାହା ସେ ଏକ ଶାନ୍ତ ପରିବେଶ ଭିତରେ ଦେଇନଥାନ୍ତେ ଓ ପରିବେଶ କୁ ଅଶାନ୍ତ କରିବା ପାଇଁ ସେ ଦାୟୀ ନଥିଲେ । ଆର.ଏଲ. ନରସିଂହମଙ୍କ ଭାଷାରେ, ‘Presumably the sudden interruption of his speech by Nishamani Khuntia irritated him and made him use words which he might not have used in calmer atmosphere.’  iZý bìhY acð^u bûhûùe, ‘It appears that by way of stating to the house objects and necessity for the bill, Sri Chaudhury expressed the urgency of the bill in a manner and in such language, which then perhaps the exigencies of the situation required and has become the subject matter of the present controversy..’ ଅର୍ଥାତ୍ ବିଚାରପତି ବର୍ମନଙ୍କ ଭାଷାରେ , ‘ବିଧେୟକର ଉଦ୍ଦେଶ୍ୟ ଓ ଅପରିହାର୍ଯ୍ୟତାକୁ ନେଇ ଗୃହରେ ବକ୍ତବ୍ୟ ରଖିବା ବେଳେ ଶ୍ରୀଯୁକ୍ତ ଚୈାଧୁରୀ ବୋଧହୁଏ ସେହି ସମୟରେ ଉପୁଜିଥିବା ପରିସ୍ଥିତିର ଆବଶ୍ୟକତା ଦୃଷ୍ଟିରୁ ଏପରି ଭାଷା ପ୍ରୟୋଗ କରିଛନ୍ତି ଯାହା ବିତର୍କିତ ହୋଇଛି ।’ (ଦ୍ରଷ୍ଟବ୍ୟ: ନବକୃଷ୍ଣ ଓ ଅଦାଲତ ଅବମାନନା, ଲେ: ବୀରେନ୍ଦ୍ର ନାୟକ, ଜନତନ୍ତ୍ର, ଅଗଷ୍ଟ(ପ୍ରଥମାର୍ଦ୍ଧ) ୨୦୧୨) ବିଚାରପତି ଦ୍ୱୟଙ୍କର ଏହି ଭଳି ମନ୍ତବ୍ୟ ଯାହା ନବବାବୁଙ୍କର ବକ୍ତବ୍ୟର କାରଣ ସ୍ଥିର କରୁଛି, ଯାହା ନବବାବୁ ତାଙ୍କ ସତ୍ୟପାଠରେ ହୁଏତ ଦେଇଥାନ୍ତେ, ଦର୍ଶାଉଛି ନବବାବୁଙ୍କ ପ୍ରତି ଗଭୀର ସମ୍ମାନ ବୋଧ । ଅପରପକ୍ଷରେ ଏହା ମଧ୍ୟ ଦର୍ଶାଉଛି ନବବାବୁଙ୍କର ରଜା ଜମିଦାର ଉପଭୋଗ କରୁଥିବା ସୁବିଧା ସୁଯୋଗ ପ୍ରତି କଠୋର ମନେଭାବ, ଯାହାର ଉଚ୍ଛେଦ ରେ ସେ ଦେଖୁଥିଲେ ସାମାଜିକ ବୈ÷ଷମ୍ୟର ବିଲୟ । ସାମାଜିକ ବୈଷମ୍ୟର ପ୍ରତୀକ ଭାବେ ସେ ରାଜା ଜମିଦାରଙ୍କୁ ବିଚାର କରୁଥିଲେ । ତାଙ୍କୁ ସାଧାରଣ ମଣିଷ ସ୍ତରକୁ ଆଣିବା ଉଦ୍ୟମରେ ସେ ଦୃଢ ଥିଲେ । ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ଅପଶବ୍ଦର ପ୍ରୟୋଗ ଦ୍ୱାରା ସେ ଅନୁତପ୍ତ ହେଉ ନ ଥିଲେ ବା ସେମାନଙ୍କୁ ସେମାନେ ଉପଭୋଗ କରୁଥିବା ସୁବିଧା ସୁଯୋଗରୁ ବଂଚିତ କରିବା ପାଇଁ ଅଦାଲତ ଅବମାନନାକୁ ଭୃକ୍ଷେପ କରୁ ନ ଥିଲେ । ଏହି ଅଦାଲତ ଅବମାନନା ପ୍ରସଂଗରେ କେତୋଟି ସୂଚନା ଉଲ୍ଲେଖନୀୟ । ଯେଉଁ ରାୟ ବିରୁଦ୍ଧରେ ମତ ଦେଇ ନବକୃଷ୍ଣ ଅଦାଲତ ଅବମାନନା ଅଭିଯୋଗର ସମ୍ମୁଖୀନ ହୋଇଥିଲେ, ସେ ରାୟ ଦେଇଥିଲେ ତକ୍ରାଳୀନ ମୁଖ୍ୟ ବିଚାରପତି (୪.୩.୧୯୫୩ ରୁ ୨୧.୩.୧୯୫୬) ଲିଂଗରାଜ ପାଣିଗ୍ରହୀ ଓ ସୈାରୀପ୍ରସାଦ ମହାପାତ୍ରଙ୍କର ଖଣ୍ଡପୀଠ । ସୁରେନ୍ଦ୍ର ମହାନ୍ତି ଅଦାଲତ ଅବମାନନା ଅଭିଯୋଗ ମାନ୍ୟବର ହାଇକୋର୍ଟ ଦୃଷ୍ଟିକୁ ଆଣିଲା ବେଳେ (୧୬.୩.୧୯୫୬) ଲିଂଗରାଜ ପାଣିଗ୍ରାହୀ ହାଇକୋର୍ଟର ପ୍ରଧାନ ବିଚାରପତି ପଦରେ ଥିଲେ । ନବବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପରିସ୍ଥିତି ସୃଷ୍ଟି କରିଥିବା ହରେକୃଷ୍ଣ ମହତାବ ୧୯୫୭ ମସିହାରେ ଯେତେବେଳେ ତାଙ୍କ ନେତୃତ୍ୱରେ  ମନ୍ତ୍ରୀମଣ୍ଡଳ ଗଠନ କଲେ ସେତେବେଳେ ଏହି ଲିଂଗରାଜ ପାଣିଗ୍ରାହୀଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଥିଲେ (ଦ୍ରଷ୍ଟବ୍ୟ:ସ୍ମୃତି ଓ ଅନୁଭୂତି, ଲେ-ନୀଳମଣି ରାଉତରାୟ,ପୃ-୩୦୨, ଦ୍ୱିତୀୟ ସଂସ୍କରଣ, ୨୦୦୧)ା ଏହା ଏକ ସଂଯୋଗ ଥିଲା କି ତାଙ୍କ ସମର୍ଥକ ଓ ନବବାବୁଙ୍କ ବିରାଧୀମାନଙ୍କୁ ପୁରସ୍କୃତ କରିବାର ଏକ ବୃହତ ଯୋଜନାର ଅଂଶ ବିଶେଷ ଥିଲା ତାହା ଅନୁସନ୍ଧାନ ସାପେକ୍ଷ । କିନ୍ତୁ ଓଡିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଭ୍ୟ ହେବାର ଏକ ଦୃଷ୍ଟାନ୍ତ ଏତଦଦ୍ୱାରା ସୃଷ୍ଟି ହେଲା ।
ଛାତ୍ରଙ୍କ ଭବିଷ୍ୟତ ଉପରେ ଲକ୍ଷ୍ୟ 

ଯେତେବେଳେ ସମାଜର ଧନୀକ, ପ୍ରତିଷ୍ଠିତ ବର୍ଗ ପ୍ରତି ନବବାବୁଙ୍କର ଥିଲା ଏକ ଅବମାନନା ସୂଚକ ମାନସିକତା, ସେତେବେଳେ ତାଙ୍କର ବ୍ୟବହାର ଜଣେ ଅଭାବଗ୍ରସ୍ତ ଅଥଚ ମେଧାବୀ ଛାତ୍ରଟି ପ୍ରତି କେତେ ଆନ୍ତରିକ ଓ ଅଭିଭାବକତୁଲ୍ୟ ତାହା ନିମ୍ନୋକ୍ତ ଘଟଣାରୁ ଜଣାପଡେ । ସେତେବେଳେକାର ସେ ଛାତ୍ର ଆଜି ଇହ ଜଗତରେ ନାହାନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟର ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଅର୍ଥନୀତି ପ୍ରଧ୍ୟାପକ ଥିଲେ ସେ । ସେ ହେଉଛନ୍ତି ଭରତ ଚନ୍ଦ୍ର ମଲ୍ଲିକ ।  ତାଙ୍କ ସମୟରେ ସେ ମାଟ୍ରିକ ପରୀକ୍ଷାରେ (୧୯୫୪) ସାରା ଓଡିଶାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ-ଛାତ୍ରଙ୍କ ମଧ୍ୟରେ  ଦ୍ୱିତୀୟ ସ୍ତାନ ଅଧିକାର କରିଥିଲେ, ଆଇ.ଏ. ପରୀକ୍ଷାରେ (୧୯୫୬) ପ୍ରଥମ ସ୍ଥାନ ଅଧିକାର କରିଥିଲେ, ବି.ଏ. ଅର୍ଥନୀତି (ଅନର୍ସ)(୧୯୫୮) ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ସ୍ନାତକୋତ୍ତର  ପରୀକ୍ଷାରେ(୧୯୬୦)  ଦ୍ିତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେ ଆସିଥିଲେ ଏକ ଅତ୍ୟନ୍ତ ଦୁସ୍ଥ ଅର୍ଥନୈତିକ ପୃଷ୍ଠଭୂମିରୁ । ଏହି ଲେଖକକୁ ସେ ଏକ ସାକ୍ଷାତକାର ଦେଇ ନବବାବୁଙ୍କ ସଂପର୍କରେ ଯାହା କହିଥିଲେ, ତାହା ତାଙ୍କରି ଭାଷାରେ, ‘ମୁଁ ୧୯୫୪ ମସିହାରେ ମାଟ୍ରିକୁଲେସନ ପରୀକ୍ଷାରେ ପାସ କଲି । ସାରା ଓଡିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି । ସେତେବେଳେ ନବବାବୁ ଜଣେ ମୁଖ୍ୟମନ୍ତ୍ରୀ ବୋଲି ଜାଣିଥିଲି । କିନ୍ତୁ ବ୍ୟକ୍ତିଗତ ପରିଚୟ ନ ଥିଲା । ସେ ମଧ୍ୟ ମୋତେ ଜାଣି ନ ଥିଲେ । ମୁଁ ଗୋଟିଏ ଗରିବ ଚଷା ପରିବାରରୁ ଆସିଥିବାରୁ ପଇସା ପତ୍ରର ଅଭାବ ସବୁବେଳେ ବ୍ୟସ୍ତ କରିଥାଏ । ତେଣୁ ଆଡମିଶନ ନେବା ପାଇଁ କିଛି ପଇସା ଦରକାର ବୋଲି ମୁଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୋଟିଏ ଦରଖାସ୍ତ କରିଥିଲି । ସେ ଦରଖାସ୍ତରେ ରେଭେନ୍ସା କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷକ କେବଳ ସୁପାରିଶ କରିଥିଲେ । କୈାଣସି ରାଜନେତା ବା ରାଜନୈତିକ ବ୍ୟକ୍ତିଙ୍କର ମନ୍ତବ୍ୟ ନ ଥିଲା । ତେଣୁ ପଠାଇ ଦେଇ ଭାବିଲି କ’ଣ ହେବ ? ମୁଁ ଯାଇନି ମୁଖମନ୍ତ୍ରୀଙ୍କ ଅଫିସକୁ । କିନ୍ତୁ ମାସକ ପରେ ୧୫୦ଟଙ୍କାର ଗୋଟିଏ ଚେକ ଆସି ରେଭେନ୍ସା କଲେଜ ପ୍ରିନ୍ସିପାଲଙ୍କ ନିକଟରେ ପହଂଚିଲା ।’ ଏହି ଭଳି ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସାହାଯ୍ୟରେ ଭରତ ବାବୁ ତାଙ୍କର କଲେଜ ପଢା ଆରମ୍ଭ କଲେ । କହିବାର ଆବଶ୍ୟକତା ନାହିଁ ଯେ ସେ ସମୟରେ ମୁଖ୍ୟମନ୍ତ୍ରୀ ଥିଲେ ନବବାବୁ । ଭରତ ବାବୁ ଆଇ.ଏ ପାସ କଲେ, ୧୯୫୬ ମସିହାରେ, ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି, ଓ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କଲେ ଆର୍ଥିକ ସାହାଯ୍ୟ ପାଇଁ । ଏଥରକ ଆବେଦନପତ୍ରରେ କେବଳ କଲେଜ ଅଧ୍ୟକ୍ଷଙ୍କ ସୁପାରିଶ ଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ୧୫ଦିନ ପରେ ଗୋଟିଏ ଚିଠି ଆସିଲା ଅଧ୍ୟକ୍ଷଙ୍କ ପାଖକୁ । ଚିଠିରେ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଭରତଙ୍କୁ ଦେଖା କରିବାକୁ ଚାହୁଁଛନ୍ତି, ଭରତ ତାଙ୍କୁ ଆସି ଦେଖାକରନ୍ତୁ । ଭେଟ କରିବାର ସମୟ ଓ ତାରିଖ ଉଲ୍ଲେଖ କରାଯାଇଥିଲା । ଭରତ ବାବୁ ନିର୍ଦ୍ଧାରିତ ଦିନ ଯାଇ ପହଂଚୁ ପହଂଚୁ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଦପ୍ତର ରେ ଆଦୈା କୈାଣସି ଲୋକ ଗହଳି ନ ଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ବାଟ ଦେଖାଇ ଦେଲେ, କହିଲେ- ମୁଖମନ୍ତ୍ରୀ ତୁମକୁ ଅପେକ୍ଷା କରିଛନ୍ତି । ସାକ୍ଷାତ ବେଳର ଅଭିଜ୍ଞତା ସଂପର୍କରେ ଭରତ ବାବୁ କୁହନ୍ତି, ‘ମୁଁ ସେଠି ଦେଖିଲି ଯେ ସେଠି ଫାଇଲ ପତ୍ର କିଛି ନାହିଁ । କିନ୍ତୁ ଚାରିକଡରେ ବହି ଆଲମିରା ସବୁ ପୂରଣ ହୋଇ ଥୁଆ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋତେ ଦେଖି ମୋ ନାଁ ଶୁଣି ମୋତେ ବସିବାକୁ କହିଲେ । ମୁଁ ବସିଲି । ତା ପରେ ସେ ମୋତେ ପଇସାପତ୍ର କଥା ନ ପଚାରି ପଚାରିଲେ ଆଇ.ଏ ତ ପାସ୍ କଲ, ପରୀକ୍ଷାରେ ତ ଭଲ ଫଳ କରିଛ । ଆଉ କ’ଣ ପଢିବାକୁ ଚାହୁଁଛି । ମୁଁ ତାଙ୍କୁ କହିଲି ଯେ ମୁଁ ତ ବି.ଏ. ପଢିବି । ବି.ଏ. ପଢିବା ପାଇଁ ମୁଁ ଇକୋନୋମିକ୍ସ ଅନର୍ସ ଓ ହିଷ୍ଠ୍ରି ପାସ ନେବି । ନବବାବୁ କହିଲେ,  ‘ତୁମକୁ ଏ ଦୁର୍ବୁଦ୍ଧି କିଏ ଦେଲା ? ତୁମେ ଏପରି ଗୋଟିଏ କମ୍ବିନେସନ ନେଇ ପଢିବା ପାଇଁ କିପରି ଇଚ୍ଛା ପ୍ରକାଶ କଲ ?ସେ କହିଲେ ଇକୋନୋମିକ୍ସ ଗୋଟିଏ ଭଲ ବିଷୟ । କିନ୍ତୁ ଇକୋନୋମିକ୍ସ ସହିତ ହିଷ୍ଟ୍ରି ନେବାର କୈାଣସି ଯଥାର୍ଥତା ନାହିଁ ।ତୁମେ ମାଥେମାଟିକ୍ସ ନିଅ । ସେ ଉଦାହରଣ ଦେଇ କହିଲେ ଯେ ଆଜିକାଲି ଯେଉଁ ପ୍ଲାନିଂ ଚାଲିଛି ଓ ତାହାର ଯେଉଁ ସବୁ ମେଡଲ ହେଉଛି ତାର ମାର୍ମିକତା ରେଭେନ୍ସା କଲେଜରେ ଦୁଇଜଣ ଅଧ୍ୟାପକଙ୍କୁ ଛାଡିଦେଲେ କେହି ବୁଝିପାରୁ ନାହାନ୍ତି । (ସେତେବେଳେ ଆମ ଦେଶରେ ଦ୍ୱିତୀୟ ପଂଚବାର୍ଷିକ ଯୋଜନା ଚାଲିଥାଏ , ମହାଲନାବିଶଙ୍କ ମେଡଲକୁ କେହି ବୁଝିପାରୁନଥାନ୍ତି । କାରଣ ତାହା ମାଥେମାଟିକାଲ ଥିଲା )ା ଭବିଷ୍ୟତରେ ଇକୋନୋମିକ୍ସ ମାଥେମାଟିକ୍ସକୁ ଛାଡି ବଂଚି ପାରିବ ନାହିଁ । ତେଣୁ ଯଦି ଇକୋନୋମିକ୍ସ ପଢିବାକୁ ଚାହୁଁଛ ତାହାଲେ ମାଥେମାଟିକ୍ସ ନିଅ । ତୁମର ଯଦି ହିଷ୍ଟ୍ରି ପଢିବାରେ ଆଗ୍ରହ ଅଛି ତାହାଲେ ହିଷ୍ଟ୍ରି ଅନର୍ସ ନେଇ ଫିଲୋସୋଫି ପାସ ନିଅ ।’ହିଷ୍ଟ୍ରି ଓ ଫିଲୋସୋଫିର କମ୍ବିନେସନ କାହିଁକି ଭଲ ସେ ବିଷୟରେ ମଧ୍ୟ କିଛି ମନ୍ତବ୍ୟ ଦେଲେ । ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିଲି ଯେ ଓଡିଶାର ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର ଜ୍ଞାନର କି ଗଭୀରତା !କେଉଁ କମ୍ବିନେସନ ଭବିଷ୍ୟତରେ ଭଲ ହେବ, ଉପଯୁକ୍ତ ହେବ, ତାହା ସେ ମୋତେ କହୁଥିଲେ । ଏହା କହି, ମତେ ଆଶୀର୍ବାଦ ଦେଇ, ପରୀକ୍ଷାରେ ଭଲ କର, ଦେଶର ମଂଗଳ କର କହି ମୋତେ ବିଦା କଲେ । ମୁଁ ଚାଲି ଆସିଲି । ତାର କିଛି ଦିନ ପରେ ୩୦୦ ଟଙ୍କାର ଏକ ଚେକ ରେଭେନ୍ସା କଲେଜ ପ୍ରିନ୍ସିପାଲଙ୍କ ପାଖକୁ ଆସିଲା ।’
ଜଣେ ମୁଖମନ୍ତ୍ରୀ ଯେ ଗୋଟିଏ ସାଧାରଣ ଛାତ୍ରକୁ ଅପେକ୍ଷା କରିପାରନ୍ତି, ଓ ତାହା ସହିତ ନିରୋଳାରେ ବସି ପାଠ ବିଷୟରେ ଆଲୋଚନା କରିପାରନ୍ତି, ସମୟଠାରୁ ଯଥେଷ୍ଟ ଆଗୁଆ ପାଠ୍ୟକ୍ରମ ସଂପର୍କରେ ପରାମର୍ଶ ଦେଇ ପାରନ୍ତି, ଏହା ନିଶ୍ିତ ଭାବରେ ଏକ ବିରଳ ଅଭିଜ୍ଞତା । ଆଜି ତ ଲୋକ ସଂପର୍କ ବିଭାଗ ଓ ଗଣ ମାଧ୍ୟମର ଉପସ୍ଥିତି ବିନା ରାଜନେତା ଛାତ୍ର-ଛାତ୍ରୀଙ୍କ ସହ ମିଳିତ ହୁଅନ୍ତି ନାହିଁ ; ଲୋକ ତ ଜାଣିବା ଦରକାର ଯେ ରାଜନେତା ମହୋଦୟ କେତେ ଛାତ୍ର ବତ୍ସଳ ! ସବୁ ପଛରେ ନିଜର ରାଜନୈତିକ ଫାଇଦା ହାସଲ କରିବାର ଲକ୍ଷ୍ୟ ; ଲୋକଦେଖାଣିଆ ଆଚରଣ । ଭରତ ବାବୁଙ୍କର ଅଭିଜ୍ଞତା କହେ ଯେ ଜଣେ ମୁଖ୍ୟମନ୍ତ୍ରୀ କିପରି ଅଭିଭାବକର ଭୂମିକା ନିର୍ବାହ କରିପାରେ, ନିଃସ୍ୱାର୍ଥପର ଭାବେ ।କିନ୍ତୁ ଏହା ସମ୍ଭବ ହୁଏ ଯେତେବେଳେ ନବବାବୁ ମୁଖ୍ୟମନ୍ତ୍ରୀ । ବୋଧହୁଏ ଏହାହିଁ କାରଣ ଯେ ନୀଳମଣି ରାଉତରାୟ ତାଙ୍କର ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ (ପୃ ୨୩୨)ରେ ଏକ ପରିଚ୍ଛେଦ ଲେଖନ୍ତି ଓ ତାହାର ଶିରୋନାମା ଦିଅନ୍ତି ‘ଗୁଣଗ୍ରାହୀ ଅଭିଭାବକ ନବବାବୁ’ । ନୀଳମଣି ବାବୁ ଲେଖନ୍ତି, ‘ମୁଖ୍ୟମନ୍ତ୍ରୀ ଆସନରେ ରହି ସେ ବାରମ୍ବାର ମୋ ପ୍ରତି ଗୁଣଗ୍ରାହୀ ଅଭିଭାବକ ପରି ବିଚାର କରିଛନ୍ତି (ପୃ୨୩୬) ।’  ଲେଖକର ବିଚାରରେ ନବବାବୁ ଥିଲେ ଜଣେ ଅଭିଭାବକ-ମୁଖ୍ୟମନ୍ତ୍ରୀ-ଯାହା ଓଡିଶା ରାଜନୀତିରେ ଏକ ବିରଳ ଦୃଶ୍ୟ । ସେ ବୋଧେ ଶେଷ ଅଭିଭାବକ-ମୁଖ୍ୟମନ୍ତ୍ରୀ ହୋଇଥିବେ । ଏହି ପ୍ରସଂଗରେ ନବବାବୁଙ୍କ ପରର ମୁଖ୍ୟମନ୍ତ୍ରୀଙ୍କ ସହ ଭରତ ବାବୁଙ୍କର  ଅଭିଜ୍ଞତା ଉଲ୍ଲେଖନୀୟ । ୧୯୫୮ ମସିହା, ସେତେବେଳକୁ ନବବାବୁ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି, ୧୯୫୬ ମସିହା ଅକ୍ଟୋବର ମାସରୁ ଇସ୍ତଫା ଦେଇସାରିଲେଣି । ଭରତ ବାବୁ ବି.ଏ. ଅନର୍ସ ପରୀକ୍ଷାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ହୋଇଥାନ୍ତି ଓ ପୂର୍ବ ଭଳି ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆବେଦନ କରିଥାନ୍ତି । ତାପରେ କ’ଣ ହେଲା ତାହା ଭରତ ବାବୁଙ୍କ ଭାଷାରେ, ‘ଅନେକ ଦିନ ଧରି କିଛି ଖବର ପାଇଲି ନାହିଁ । ଆଡମିଶନ ବି ଡେରି ହେଉଥାଏ । କ’ଣ ହେଲା ବୁଝିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଗଲି । ସେଦିନ ମୁଁ ଗୋଟାଏ ବିରାଟ ପାର୍ଥକ୍ୟ ଅନୁଭବ କଲି । କାରଣ ସେଠି ଗୋଟାଏ ମେଳା ଚାଲିଥିଲା । ଶହ ଶହ ଲୋକ ବସିଥିଲେ, ଯାଉଥିଲେ, ଆସୁଥିଲେ । କୈାଣସି ମତେ କଷ୍ଟେ ମେଷ୍ଟ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ପାଖକୁ ଯାଇପାରିଲି । ମୁଁ ତାଙ୍କୁ ପଚାରିଲି, ‘ମୁଁ ଜଣେ ଛାତ୍ର, ମୁଁ ଗେଟିଏ ଦରଖାସ୍ତ ଦେଇଛି, ଡିସକ୍ରିସନାରୀ ଗ୍ରାଣ୍ଟରୁ ମୋତେ କିଛି ପଇସା ମିଳିବା କଥା-କଣ ହେଲା ?’ ସେ କହିଲେ, ‘ହଁ, ଦରଖାସ୍ତ ଦେଇଥିଲ, ସେ କଥା ତ ବିଚାର କରାଯିବ । ଆଉ ଆସି ଏଠି ଝାମେଲା କର ନାହିଁ-ତୁମେ ଯାଅ ।’ ପୂର୍ବେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ମୋର ଦରଖାସ୍ତ ପାଇ, ମୋତେ ନ ଜାଣି ନଶୁଣି ମଧ୍ୟ ସେ ମୋତେ ଭବିଷ୍ୟତରେ କ’ଣ କରିବି, ନ କରିବି ସେ ଉପଦେଶ ଦେବା ପାଇଁ ତାଙ୍କ ଘରକୁ ଡାକିଥିଲେ । ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ  କୈାଣସି ସହାନୁଭୂତି ଦେଖାଇବା ତ ଦୂରର କଥା -ମୋତେ ଦୂର ଦୂର କରି ତଡି ଦେଲେ ।’ ବିଚାର ହୋଇଥିଲା ଭରତ ବାବୁଙ୍କର ଆବେଦନ ଓ ଆସିଥିଲା ୫୦ଟଙ୍କାର ସାହାଯ୍ୟ ଯେତେବେଳେ ଆଉ ଜଣେ ଆବେଦନକାରୀ ଯାହାଙ୍କର ଆର୍ଥିକ ଅବସ୍ଥା ଭରତଙ୍କ ଠାରୁ ସ୍ୱଚ୍ଛଳ ଥିଲା ଅଥଚ ପରୀକ୍ଷା ଫଳ ଦୃଷ୍ଟିରୁ ଭରତଙ୍କ ଠାରୁ ଥିଲା ନ୍ୟୁନତର,  ସେ ପାଇଲେ ୩୦୦ଟଙ୍କା । ଏହାର କାରଣ ସଂପର୍କରେ ଭରତ ବାବୁ କୁହନ୍ତି, ‘ତାଙ୍କ ଦରଖାସ୍ତରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ସୁପାରିଶ ଥିବାରୁ ତାଙ୍କ ପାଇଁ ଗ୍ରାଣ୍ଟ ଆସିଥିଲା ୩୦୦ ଟଙ୍କା । ମୋ ଦରଖାସ୍ତରେ କେବଳ ରେଭେନ୍ସା କଲେଜ ପ୍ରିନସିପାଲଙ୍କର ରେକେମେଣ୍ଡସନ ଥିଲା ଓ ମୋର କ୍ୟାରିଅର ଥିଲା-ମାଟ୍ରିକରେ ଦ୍ୱିତୀୟ ସ୍ଥାନ, ଆଇ.ଏ.ରେ ପ୍ରଥମ, ବ.ିଏ. ଅର୍ଥନୀତି ଅନର୍ସରେ ପ୍ରଥମଶ୍ରେଣୀରେ ଡିଷ୍ଟିଙ୍କସନ ସହ ପ୍ରଥମ । ମୁଁ ଗରିବ ପିଲା ବୋଲି ପ୍ରମାଣ ମଧ୍ୟ ଦେଇଥିଲି-ମୋତେ ମିଳିଲା ପଚାଶ ଟଙ୍କା ।’ ଏହି ଅଭିଜ୍ଞତାରୁ ଭରତ ବାବୁ କହୁଥିଲେ, ‘ନବବାବୁଙ୍କ ପରେ ପରେ ସୁପାରିଶର ଯୁଗ ଚାଲି ଆସିଲା ।’ ନବ ବାବୁଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହରେକୃଷ୍ଣ ମହତାବ । ବିଡମ୍ବନା ଯେ ସମସ୍ତଙ୍କୁ ଅସନ୍ତୁଷ୍ଟ କରି ଯେଉଁ ନବବାବୁ ୧୯୪୫ ମସିହାରେ ମହତାବଙ୍କୁ ‘Mahatab Babu, I accept you as my leader’  (ଦ୍ରଷ୍ଟବ୍ୟ: ଅନିର୍ବାଣ, ଲେ-ପଦ୍ମଚରଣ ନାୟକ, ପୃ-୧୩୪, ପ୍ରଥମ ସଂସ୍କରଣ, ୧୯୯୬)କହି ନିଜର ଅବିସମ୍ବାଦିତ ନେତୃତ୍ୱକୁ ମହତାବଙ୍କ ହାତକୁ ଟେକି ଦେଇଥିଲେ, ସେହି ମହତାବ ଠିକ ଦଶ ବର୍ଷପରେ ୧୯୫୫ ମସିହାରେ ଏକ ଗୋପନୀୟ ପତ୍ରରେ ଲେଖିଲେ, ‘The second blunder for which whole province is now suffering was to place Naba Babu in the vanguard.xxxxThe remedy is that some atleast must remainfirm and give kicks even if they lose at the first instance.xxxxIn the interest of the Province I should have stayed on to kick and kick till the situation was corrected’. (ଦ୍ରଷ୍ଟବ୍ୟ:ସ୍ମୃତି ଓ ଅନୁଭୂତି, ଲେ-ନୀଳମଣି ରାଉତରାୟ,ପୃ-୨୯୦, ଦ୍ୱିତୀୟ ସଂସ୍କରଣ, ୨୦୦୧ ) । ସବୁଠାରୁ ମଜା କଥା ହେଉଛି ଯେଉଁ ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ବିରେନମିତ୍ରଙ୍କ ସହ ମିଶି ନବବାବୁଙ୍କ ସ୍ଥାନରେ ମହତାବଙ୍କୁ ଆଣି ମୁଖ୍ୟମନ୍ତ୍ରୀ କରିବାର ମସୁଧାରେ ସକ୍ରିୟ ଥିଲେ ଓ ସଫଳ ହେଲେ, ସେହି ନୀଳମଣି ବାବୁ ଲେଖନ୍ତି, ‘ଏକଥା ନିଶ୍ଚିତ ଯେ, ଯଦି ନବବାବୁ ଛାଡି ଚାଲିଯିବେ ନାହିଁ ବୋଲି କହିଥାଆନ୍ତେ, ସେତେବେଳେ ନେତୃତ୍ୱର ପରିବର୍ତ୍ତନ ଆଦୈା ହୋଇ ନଥାନ୍ତା ।’(ଦ୍ରଷ୍ଟବ୍ୟ:ସ୍ମୃତି ଓ ଅନୁଭୂତି, ଲେ-ନୀଳମଣି ରାଉତରାୟ,ପୃ-୨୯୬, ଦ୍ୱିତୀୟ ସଂସ୍କରଣ, ୨୦୦୧) । ଏହି ସୂଚନା ଦେବାର ଉଦ୍ଦେଶ୍ୟ ହେଉଛି ଦର୍ଶାଇବା ଯେ ନବବାବୁ କଦାପି କ୍ଷମତାଲିପ୍ସୁ ନ ଥିଲେ ଯାହା ବ୍ୟବହାରିକ କ୍ଷମତା ରାଜନୀତି ରେ ଏକ ଅବଗୁଣ । ନବବାବୁ ଗୁଣଗ୍ରାହୀ ଥିଲେ ଓ ଯେଉଁ ମାନେ ଦୁସ୍ଥ ଆର୍ଥିକ ପୃଷ୍ଠଭୂମିରୁ ଆସିଛନ୍ତି ଅଥଚ ପ୍ରତିଭାବାନ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ସେମାନଙ୍କ ପାଖରେ ପହଂଚି ଯାଉଥିଲେ । ଆଉ ଏକ ଉଦାହରଣ, ଯାହା ଭରତ ବାବୁଙ୍କର ପୂର୍ବର ଘଟଣା । ଏ ଘଟଣାର ମୁଖ୍ୟ ପାତ୍ର ହେଲେ ଶ୍ରୀଯୁକ୍ତ କରୁଣାକର ପରିଡା ଯିଏ ଶିକ୍ଷା ବିଭାଗର ଜଣେ ପଦସ୍ଥ କର୍ମଚାରୀ ଭାବେ ଅବସର ନେଇଛନ୍ତି ଓ ତାଙ୍କୁ ବୟସ ବର୍ତ୍ତମାନ ପ୍ରାୟ ଅଠାଅଶି । ସେ ଥିଲେ ନବବାବୁଙ୍କର ପୁତ୍ର ବିନାୟକ (ଡାକ ନାମ କାଲୁ ) ର ସହପାଠୀ । ସେ ନବବାବୁଙ୍କ ସହ ତାଙ୍କର ପରିଚୟର ଅୟମାରମ୍ଭର ବର୍ଣ୍ଣନା କରନ୍ତି (ଏହି ଲେଖକକୁ ଦେଇଥିବା ଏକ ସାକ୍ଷାତକାରରେ) ଯାହା ତାଙ୍କରି ଭାଷାରେ: ‘ରେଭେନ୍ସା କଲିଜିଏଟ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ । ରାଜ୍ୟପାଳ  ମୁଖ୍ୟ ଅତିଥି । ନବ ବାବୁ ବିନାୟକର ଅଭିଭାବକ ଭାବେ ଉତ୍ସବରେ ଉପସ୍ଥିତ ଥାନ୍ତି । ସେ ସଭାରେ ମୋର ୧୭ଟି ପ୍ରାଇଜ ଥିଲା ।……ସେ ବର୍ଷ ମୁଁ ସ୍କୁଲର ବେଷ୍ଟ ଅଲ ରାଉଣ୍ଡର ହିସାବରେ ଗୋଲ୍ଡ ମେଡାଲ ପାଇଥିଲି-ଡି.କେ.ମେମୋରିଆଲ ଗୋଲ୍ଡ ମେଡାଲ ।…..ଏତେ ଗୁଡିଏ ପୁରସ୍କାର, ମୁଁ ଏକା ଆଣି ପାରିବା ସମ୍ଭବ ନୁହେଁ । ମୋ ସାଂଗରେ କାଲୁ (ବିନାୟକଙ୍କ ଡାକ ନାମ)ଓ ଆଉ ଜଣେ ମୋର ସାଂଗ ପ୍ରମୋଦ ପତି-ଆମେ ତିନିହେଁ ପ୍ରାଇଜକୁ ଧରି ଆଣିଲୁ । ବହୁତ ତାଳି ହେଲା । ସଭା ପରେ ନବକୃଷ୍ଣ ଚୈାଧୁରୀ ରାଜ୍ୟପାଳଙ୍କ ଜଣେ ମୋର ସାଂଗ ପ୍ରମୋଦ ପତି-ଆମେ ତିନିହେଁ ପ୍ରାଇଜକୁ ଧରି ଆଣିଲୁ । ବହୁତ ତାଳି ହେଲା । ସଭା ପରେ ନବକୃଷ୍ଣ ଚୈାଧୁରୀ ରାଜ୍ୟପାଳଙ୍କ ସହ କଥାବାର୍ତ୍ତା କରି ମୋ ହଷ୍ଟେଲ ରୁମରେ ଆସି ପହଂଚିଲେ । ମୋ ରୁମଟି ସିଂଗିଲ ରୁମ । ସେ ଆସି ପହଂଚିଲା ବେଳକୁ ମୋ ରୁମରେ ପିଲାଙ୍କ ଭିଡ । ସେ ପିଲା ମାନଙ୍କୁ ଠେଲି ପଶି ଆସିଲେ ଭିତରକୁ କହିଲେ ‘ଯୁବକ, ମୁଁ ତୁମ ଭବିଷ୍ୟତକୁ ଲକ୍ଷ୍ୟ ରଖିଲି ।’’
ଏହି ଭଳି ଦୃଶ୍ୟ ଆଜି ସମ୍ଭବ କି? ଜଣେ ମନ୍ତ୍ରୀ ଗୋଟିଏ ଅପରିଚିତ ସ୍କୁଲ ବାଳକର ସଫଳତାରେ ପ୍ରଭାବିତ ହୋଇ ତାର ହଷ୍ଟେଲ କୋଠରୀକୁ ଆସିବା ଓ ତାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା, ତାହା ପୁଣି କୈାଣସି ପ୍ରଚାର ଯନ୍ତ୍ରର ଅନୁପସ୍ଥିତରେ,  ଆଜି ଚିନ୍ତା କରିହୁଏ ନାହିଁ । ଏହା କେବଳ ନବବାବୁ କରି ପାରୁଥିଲେ କାରଣ ଯୁବ ସଂପ୍ରଦାୟ ପ୍ରତି  ତାଙ୍କର ଅଭିଭାବକବୋଧର ସ୍ୱାଭାବିକତାକୁ କୈାଣସି ପ୍ରତିଷ୍ଠା ସଂକୁଚିତ କରି ପାରି ନ ଥିଲା । କରୁଣାକରଙ୍କୁ ସେ କହି ଆସିଥିଲେ ଯେ ସେ ତାଙ୍କ ଭବିଷ୍ୟତ ଉପରେ ନଜର ରଖିଲେ ବୋଲି । ସେ ରଖିଥିଲେ । କରୁଣାକରଙ୍କ ଭାଷାରେ, ‘ମୁଁ ମାଟ୍ରିକ ପ୍ରଥମ ଶ୍ରେଣୀରେ ପାସ କଲି । ସ୍କଲାରସିପ ନାହିଁ । ମୁଁ ଗରିବ ଘର ପିଲା । ବିନା ସ୍କଲାରସିପରେ ପାଠ ପଢା ହେବ ନାହିଁ । ମୁଁ ଘରେ ଥିଲି । ଜାଣିଥିଲି ଜୁନ ୧୦ ତାରିଖ ରେଭେନ୍ସା କଲେଜରେ ଫର୍ମ ପକାଇବାର ଶେଷ ତାରିଖ । ସେ (ନବ ବାବୁ) ଦିନେ ହଠାତ୍ ପଚାରିଲେ କାଲୁକୁ, ‘ତୋର ସେଇ ଚମକ୍ରାର ପୁରଷ୍କାର ବିଜେତା ସାଂଗଟି କ’ଣ ପଢିଲା-ସାଇନ୍ସ ନା ଆର୍ଟସ ?’ କାଲୁ କହିଲା, ‘କରୁଣା ପଢିବ ନାହିଁ । ତା ଘରେ ଭାରି ଅଭାବ ପଇସା ପତ୍ରର । ସେମାନେ ପଇସା ପତ୍ର ଯୋଗାଇ ପାରିବେ ନାହିଁ । ତେଣୁ ସେ ଆଉ ପଢିବ ନାହିଁ ।’ ନବ ବାବୁ କହିଲେ, ‘କ’ଣ ହେଲା ? ଆଉ କ’ଣ ପଇସା ପତ୍ର ଅଛି ବୋଲି ବେପାରୀ ପିଲା କଲେଜରେ ପଢିବେ । ତୁ ଯଦି ତାର ଠିକଣା ନ ଜାଣିଛୁ, ତାହାଲେ ଯାଇକି ତୁମ ସ୍କୁଲ ରେକର୍ଡରୁ ତା ଠିକଣା ଆଣ ଓ ତାକୁ ଟେଲିଗ୍ରାମ କର । ସେ ଚଂଚଳ ଆସି ମୋତେ ଭେଟିବ ।’ ମୁଁ ଭେଟିଲି । ରେଭେନ୍ସା କଲେଜରୁ ଫର୍ମ ଆସିଲା । ପୂରଣ କରାଯାଇ ଦାଖଲ କରାଗଲା । କଲେଜ ଖୋଲିଲା ମୁଁ କ୍ଲାସ କଲି ।’ କରୁଣାକର ପରିଡା ଓ ଭରତ ମଲ୍ଲିକ ହେଉଛନ୍ତି ଦୁଇଟି ଜ୍ୱଳନ୍ତ ଉଦାହରଣ ଯାହା ନବକୃଷ୍ଣଙ୍କର ବ୍ୟକ୍ତିତ୍ୱର ଏକ ଅନନ୍ୟ ଦିଗକୁ ସୂଚିତ କରେ, ଲୋକ ପ୍ରତିନିଧି କିପରି ସାଧାରଣ ଲୋକର ଏକ ଦାୟିତ୍ୱବାନ ଅଭିଭାବକର ଭୂମିକା ନିର୍ବାହ କରିପାରେ । କରୁଣାକର ପରିଡାଙ୍କ ଭାଷାରେ, ‘ସେ ପ୍ରକୃତରେ ଯେଉଁ ମାନଙ୍କଠାରେ କିଛି ଶକ୍ତି ଥିଲା, ମେଧା ଶକ୍ତି ଥିଲା, କିଛି ପରିବର୍ତ୍ତନ ଆଣିବାର ଶକ୍ତି ଥିଲା, ସେମାନଙ୍କୁ ସେ ସାହାଯ୍ୟ କରୁଥିଲେ ।’ ତାଙ୍କ ମନରେ ସବୁବେଳେ ଯୁବସମାଜ ଠାରୁ ଏକ ପ୍ରତ୍ୟାଶା ଥିଲା ଯଦିଓ ସେ କହୁଥିଲେ, କରୁଣାକର ପରିଡା ସ୍ମରଣ କରନ୍ତି, ‘ଆଜିକାଲିକା ଯୁବକ ତାଙ୍କର ନିଜ ଶିକ୍ଷା ଯୋଗ୍ୟତା ବଳରେ ନିଜର ଧନ୍ଦା ଖୋଜୁଛନ୍ତି । ଆଉ ଯୁବକର ଯାହା କିଛି ଧର୍ମ, ଏ ଦେଶକୁ ରଖିବ, ବିପ୍ଳବ କରିବ, ଏବଂ ଯେଉଁଠି ଅନ୍ୟାୟ ହେଊଛି ତାହାକୁ ପ୍ରତିରୋଧ କରିବ-ଏ ସବୁ କଥା ଯୁବକ ଶିଖିଲେ ନାହିଁ ।’ ସେ ଯୁବକ ଶବ୍ଦର ସନ୍ଧି ବିଚ୍ଛେଦ କରି କହୁଥିଲେ ଯୁ ହୀନ ବକ  ବୋଲି କହୁଥିଲେ । ଅନେକେ ନବବାବୁଙ୍କର ଏହି ମନ୍ତବ୍ୟ, ଯାହା ଗତ ଶତାବ୍ଦୀର ପଚାଶ ଦଶକ ସମୟର, ଶୁଣି ସ୍ୱଗତୋକ୍ତି କରୁଥିବେ ଯେ ‘ତାହାଲେ କ’ଣଏହିଭଳି ଏକ ଯୁବଗୋଷ୍ଠୀ ହାତରେ ସ୍ୱାଧୀନ ଭାରତର ନିର୍ମାଣର ଦାୟିତ୍ୱ ପଡିଥିଲା’ ଯାହାର ପରିଣତି  ଆଜିର ଦୃଶ୍ୟମାନ ଅବକ୍ଷୟ ?

ନିଃସ୍ୱ ଅବହେଳିତଙ୍କ ସାହାରା ନବବାବୁ

ନବବାବୁ କେବଳ ଯେ ଯାହା ନିକଟରେ ଏକ ସମ୍ଭାବନା ଦେଖୁଥିଲେ ଓ ଏହା ଦୁଃସ୍ଥ ଆର୍ଥିକ ପୃଷ୍ଠଭୂମି ଯୋଗୁ ମଉଳି ଯିବାକୁ ପ୍ରତିହତ କରୁଥିଲେ ତାହା ନୁହେଁ, ସଂପୂର୍ଣ୍ଣ ନିସ୍ୱ ଅବହେଳିତଙ୍କର ବ୍ୟକ୍ତି ମର୍ଯ୍ୟାଦାକୁ କିପରି ସୁରକ୍ଷା କରିବା ପାଇଁ ବ୍ୟାକୁଳ ହେଉଥିଲେ ତାହାର ଏକ ଦୃଷ୍ଟାନ୍ତ ଅନ୍ନପୂର୍ଣ୍ଣା ମହାରଣା ଦିଅନ୍ତି ଲେଖକକୁ ତାଙ୍କ ସହ ଏକ ସାକ୍ଷାତକାର ରେ  । ତାଙ୍କରି ଶବ୍ଦରେ : ‘ଜଣେ ସ୍ତ୍ରୀ ଲୋକକୁ ନେଇ ଦାଦା (ନବ ବାବୁ) ଆସିଲା ଜଗତସିଂହପୁରରୁ । ଆସିକରି ଆମ ଘରେ ପହଂଚିଲା । ମୋ ମା (ଜେଜେ ମା) ଘେରିକାଙ୍କ ସାଂଗରେ କଥାବାର୍ତ୍ତା ହେଲା ଦାଦାର । ସେ ସ୍ତ୍ରୀ ଲୋକକୁ ନେଇ ଦାଦା ଘରୁ ଚାଲିଗଲା । ଟିକିଏ କ୍ଷୁବ୍ଧ ହୋଇକରି ଗଲା । କାହିଁକି ଗଲା ମୁଁ ଆଉ କିଛି  ଜାଣି ପାରିଲି ନାହିଁ । ପରବର୍ତ୍ତୀ କାଳରେ ମୁଁ ଯେତେବେଳେ ବଡ ହୋଇଗଲି, ସାଧାରଣ କାମ କଲି, ରିଲିଫ କାମ କଲି, ଅର୍ଫାନେଜ ସାଂଗରେ ସଂପୃକ୍ତ ହେଲି, ସେତେବେଳେ ମୋତେ ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଯିଏ ଡଗରପଡାରେ ଅନାଥା ଆଶ୍ରମ କରିଥିଲେ ଝିଅ ମାନଙ୍କ ପାଇଁ, ପରିତ୍ୟକ୍ତା, ନିରାଶ୍ର୍ୟୟାଙ୍କ ପାଇଁ, କହିଲେ, ‘ଟୁଆଁ (ନବ ବାବୁଙ୍କର ଆଉ ଏକ ଡାକ ନାଁ) ଯୋଗୁଁ ମୁଁ ଏହି ଅନାଥାଶ୍ରମ କରିଲି । ଟୁଆଁ କଣ କଲା ନା ଦିନେ ଗୋଟିଏ ସ୍ତ୍ରୀ ଲୋକକୁ ନେଇ ମୋ ପାଖକୁ ଆସିଲା । କହିଲା, ‘ଏ ସ୍ତ୍ରୀ ଲୋକର କ’ଣ ସ୍ଖଳନ ହୋଇଛି ବୋଲି ୟାକୁ ଘରୁ ବାହାର କରି ଦେଇଛନ୍ତି । ହାଟରେ ବୁଲୁଛି, ୟା ଘରୁ ତା ଘରୁ ମାଗିକି ଖାଉଛି,ୟା ପିଣ୍ଡା ତା ପିଣ୍ଡାରେ ଶୋଉଛି । ମୁଁ ତାକୁ ଦେଖିକିରି ପଚାରିଲି ‘ତୁ ଆମ ସାଂଗରେ ଯିବୁ, ଆମ ଘରେ ରହିବୁ ।’ ସେ କହିଲା-ହଁ । ମୁଁ ଆମ ଘରକୁ ଆଣିଲା ବେଳକୁ ମୋ ବୋଉ ତାକୁ ଘରେ ପୁରାଇଲା ନାହିଁ । ତୋ ଦାଦା କହିଲା ୟାକୁ ମୁଁ ନେଇ ଯାଉଛି ସେଲ୍ଟରକୁ, ସେମାନେ ତାକୁ ରଖିବେ, କ୍ରିଶ୍ଚିଆନ କରିବେ, ତାକୁ ମଣିଷ କରିବେ-ତୁମେ ତୁମ ହିନ୍ଦୁ ଧର୍ମକୁ ଧୋଇକି ପାଣି ପିଉଥା । ସେଇ କଥାରୁ ମୁଁ ଏଇ ଅନାଥାଶ୍ରମ କରିଛି ।’’ ମହିଳା ମାନଙ୍କ ପ୍ରତି ଅନ୍ୟାୟ ତାଙ୍କୁ ବେଶ ବ୍ୟଥିତ କରୁଥିଲା, ସେମାନଙ୍କର ତ୍ରୁଟି ବା ସ୍ଖଳନ ପାଇଁ ସେମାନେ ଯେ ଦାୟୀ ହୋଇ ନ ପାରନ୍ତି, ଏକ ପୁରୁଷ ପ୍ରଧାନ ସମାଜରେ, ଏହା ବୋଧହୁଏ ତାଙ୍କର ଏକ ବଦ୍ଧମୂଳ ଧାରଣା ଥିଲା । ଗିରିଜା ଭୂଷଣ ପଟ୍ଟନାୟକ ଏକ ସଦୃଶ ଘଟଣାର ଅବତାରଣା କରି ଲେଖନ୍ତି : ‘ନବବାବୁଙ୍କ ଆଶ୍ରମରେ ଏଇଭଳି ଅନେକ ଝିଅ ଅଛନ୍ତି । କଂଚା ବୟସ । କେତେବେଳେ କଣ ଟିକିଏ ଏପାଖ ସେପାଖ ଯେ କେତେକଙ୍କର ହେଉ ନଥିବ  ତା’ ନୁହଁ । କିନ୍ତୁ ମାଲତୀ ଦେବୀ ଏ ବିଷୟରେ କଠୋର । ତାଙ୍କ ଆଖିରେ ସାମାନ୍ୟ ଭୁଲ ଭଟକା ପଡିଲେ ଶାସ୍ତି ମିଳେ । ଏଇ ଭଳି ଦୁଇଟି ଝିଅଙ୍କୁ କ’ଣ ଟିକିଏ ତ୍ରୁଟି ପାଇଁ ମାଳତୀ ଦେବୀ ବିଦା କରିଦେଇଥିଲେ ଆଶ୍ରମରୁ । ବିଦା ଠିକ ନୁହେଁ । ଛୁଟି ପରେ ଆଉ ବର୍ତ୍ତମାନ ନ ପଠେଇବା ସକାଶେ ସେମାନଙ୍କର ବାପମାଙ୍କୁ ଲେଖି ଦିଆଯାଇଥିଲା । ନବ ବାବୁ ଏହା ଚାହିଁ ନ ଥିଲେ । ଗଭୀର ମାନବିକତା ତାଙ୍କୁ ମଣିଷର ଆସ୍ତିମୂଳକ ଦିଗ ପ୍ରତି ଯେପରି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ସାହାଯ୍ୟ କରୁଥିଲା, ଠିକ ସେହିପରି ନାସ୍ତିମୂଳକ ଦିଗ ପ୍ରତି ତାଙ୍କର ସହାନୁଭୂତି ଥିଲା ବୈଜ୍ଞାନିକ ଦୃଷ୍ଟିକୋଣ ଦ୍ାରା ପ୍ରଭାବିତ । ମଣିଷ ପୂର୍ଣ୍ଣାଂଗ ନୁହେଁ । ସେ ଦେବତା ନୁହେଁ । ରାକ୍ଷସ ବି ନୁହେଁ । ମଣିଷକୁ ମଣିଷ ଭାବରେ ବିଚାର କର । ନବ ବାବୁଙ୍କର ଜୀବନର ସଂଧ୍ୟା ଉପଗତ । ସେ ଅଚେତ ହୋଇ ପଡିଛନ୍ତି । ସମସ୍ତେ ଘେରି ବସିଛନ୍ତି । ସେ ଆଖି ଖୋଲିଲେ । କଣ କହିବେ । ସମସ୍ତେ ଅପେକ୍ଷା କରିଛନ୍ତି । ନବ ବାବୁ ପଚାରିଲେ-ସେ ଦୁଇଟି ଝିଅ ଆସିଲେଣି । ସେମାନଙ୍କୁ ତୁରନ୍ତ ଡକାଇ ପଠାଗଲା ।’ (‘ମୂଳରୁ ପଦେ’, ନବକୃଷ୍ଣ ଚୈାଧୁରୀ :ଏକ ଜୀବନୀ,ଚିତ୍ତରଂଜନ ଦାସ,ପୃ-ଞ ) ।ଏହି ଭଳି ନାରୀର ସ୍ଥିତି ପ୍ରତି ସମ୍ବେଦନଶୀଳ ମାନସିକତା ବୋଧେ ତାଙ୍କର ସହଜାତ ଥିଲା । ସରଳା ଦେବୀଙ୍କ ସ୍ଥିତିକୁ ନେଇ ତାଙ୍କର ଯେଉଁ ଭାବନା ତାହା ବୋଧହୁଏ ଏହି ମାନସିକତାର ହିଁ ଥିଲା ପ୍ରତିଫଳନ । ଏହି ମାନସିକତାର ପୃଷ୍ଠଭୂମିରେ ସରଳା ଦେବୀଙ୍କ ସହ ସଂପର୍କ ବା ତାଙ୍କ ଉତ୍ପୀଡିତ ସ୍ଥିତି ପ୍ରତି ନବବାବୁଙ୍କର ଉଦବେଗ (ମକ୍ଟଦ୍ଭମରକ୍ସଦ୍ଭ )କୁ କେତେ ଦୂର ରୋମାଣ୍ଟିକ ସଂପର୍କର ଆଖ୍ୟା ଦିଆ ଯାଇ ପାରେ?
କହିବା ବାହୁଲ୍ୟ ଯେ ଅବହେଳିତ, ଦୁଃସ୍ଥ, ଦୁର୍ବଳକୁ ସୁରକ୍ଷାଦେବା ପାଇଁ ଏକ ପରିବାରର ଅଭିଭାବକ ତୁଲ୍ୟ ବ୍ୟସ୍ତତା ନବବାବୁ ଙ୍କୁ ଆକ୍ରାନ୍ତ କରୁଥିଲା । ଯଥାସାଧ୍ୟ ସେ ତାଙ୍କର ଦାୟିତ୍ୱ ନିର୍ବାହ ପାଇଁ ତତ୍ପର ହେଉଥିଲେ; ତାଙ୍କର ପୃଷ୍ଠଭୂମି କଦାପି ଏଥିରେ ଅନ୍ତରାୟ ସୃଷ୍ଟି କରିପାରି ନଥିଲା । ସେ ସାଧାରଣ ଲୋକଙ୍କ ପାଇଁ କାମ କରୁଛନ୍ତି ବୋଲି ଘୋଷଣା କରୁ ନ ଥିଲେ, ସେ କରୁଛନ୍ତି ବୋଲି ସାଧାରଣ ଲୋକ ଦେଖୁଥିଲେ । ଏହି ପ୍ରସଂଗରେ ଗୁରୁ ମହାନ୍ତିଙ୍କର ଅଭିଜ୍ଞତା ଉଲ୍ଲେଖନୀୟ । ଗଜପତି ଜିଲ୍ଲାର ଛେଳିଗଡ । ସଉରା ବୁଢାଟିଏ ଅଟକିଲା ଗୁରୁବାବୁଙ୍କୁ ଦେଖି । ଦଣ୍ଡବତ ହେଲା । ପଚାରିଲା, ‘ବାବୁ, କୁଆଡେ ଆସିଛ?’ ଗୁରୁ ବାବୁ କହିଲେ, ‘ଆସିଛି ବୁଲିବାକୁ, ଦେଖିବାକୁ ଏ ଅଂଚଳର ଲୋକେ କିପରି ଅଛନ୍ତି ।’ ବୁଢାଟି କହିଲା, ‘ଆମ କଥା କେହି ଶୁଣନ୍ତି ନାହିଁ , ଅଫିସର, ମନ୍ତ୍ରୀ, ଏମ.ଏଲ.ଏ. କେହି ନୁହେଁ । କୁଆଡେ ଗଲେ ଆଜ୍ଞା, ଗୁହାରୀ ଶୁଣୁଥିବା ଲୋକ? ମହତାବଙ୍କ ପାଖକୁ ଗଲେ ସେ ଗୁହାରୀ ଶୁଣୁଥିଲେ । ନବବାବୁ ଆଜ୍ଞା ଆମ ପାଖକୁ ଆସୁଥିଲେ । ତାପରେ ତ ଆଉ କାହାକୁ ମୁଁ ଦେଖି ନାହିଁ । ଆମ କଥା ଯାଇ ଟିକିଏ କୁହନ୍ତ ନାହିଁ ।’ ନବବାବୁ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ଓଡିଶା ଜନସାଧାରଣଙ୍କର ମୁରବୀ ବୋଲି ଭାବୁଥିଲେ । ଏହି ପ୍ରସଂଗରେ ନବବାବୁଙ୍କର ଅତ୍ୟନ୍ତ ଅନ୍ତରଂଗ ଜୟକୃଷ୍ଣ ମହାନ୍ତି ତାଙ୍କର ଏକ ବ୍ୟକ୍ତିଗତ ଅଭିଜ୍ଞତାକୁ ସ୍ମରଣ କରି,ଏହି ଲେଖକକୁ ଏକ ସାକ୍ଷାତକାରରେ, କୁହନ୍ତି, ‘ନବବାବୁ ଦିନେ ଆସି ଆମ ପୁରୀ ଘରେ ପହଂଚିଲେ । ତାଙ୍କ ଲୁଗା ଟା ପଛପାଖରୁ ଫାଟିଯାଇଥାଏ । କିରଣ କୁ କହିଲେ ଏଟାକୁ ଟିକିଏ ଦୋ ମୁହାଁ (ଗୋଟିଏ ପ୍ରକାର ସିଲେଇ) କରିଦେ, ମୁଁ ଗାଧୋଇ ପଡେ । କିରଣ ମୋତେ କହିଲା -ଯା ବାପି
ପାଇଁ  ଗୋଟିଏ ନୂଆ ଧୋତି ନେଇ ଆସିବ । ଧୋତି ଛିଣ୍ଡି ଗଲାଣି, କହୁଛି ଦୋ ମୁହାଁ କରି ପିନ୍ଧିବ । ମୁଁ ନୂଆ ଧୋତି ଟିଏ ଆଣି ରଖି ଦେଲି । ନବ ବାବୁ ଗାଧୋଇ ଆସିଲା ପରେ ଖୋଜିଲେ, ‘ମା ଲୁଗା କାହିଁ ?’ କିରଣ କହିଲା ,’ତୁ ମୁଖ୍ୟମନ୍ତ୍ରୀ ହୋଇଛୁ, ତୁ କ’ଣ ଦୋମୁହାଁ ଟା ପିନ୍ଧିବୁ ।’ ନବବାବୁ କହିଲେ, ‘ହଁ, ଦୋମୁହାଁ ପିନ୍ଧିବି ।’ ତାପରେ ତତ୍ତ୍ୱ ଦୃଷ୍ଟିରୁ ବୁଝାଇ କହିଲେ,‘ଶୁଣ, ତୁମେ ମୋତେ ବାଧ୍ୟ କର ନାହିଁ । ମୁଁ ହେଉଛି ମୁଖ୍ୟ । ମୁଁ ହେଉଛି ଓଡିଶା ଘରର ମୁରବୀ । ମୁରବୀଙ୍କର କଣ କରିବାର କଥା, ଅନ୍ୟକୁ ଆଗ ପିନ୍ଧାଇ ନିଜେ ପିନ୍ଧିବା କଥା । ଇଏ ହେଉଛି ମୁରବୀର କର୍ତ୍ତବ୍ୟ । ଆମ ଦେଶରେ ଯେତିକି ଲୋକ, ଯେତିକି ଲୁଗା ଉତ୍ପାଦନ ହେଉଛି, ସେଥିରେ ମୁଣ୍ଡ ପିଛା ୧୨ ଗଜ ଲୁଗା ପଡୁଛି । ୧୨ ଗଜରେ ମୁଁ ଯଦି ସୀମିତ ନ ରହିବି , ଅଧିକ ନେଇଯିବି ତାହାହେଲେ ଅନ୍ୟମାନେ ବଂଚିତ ହେବେ, ଅଧା ଲଂଗଳା ରହିବେ । ତେଣୁ ଆମେ ଯେଉଁ ମାନେ ମୁଖ୍ୟ ହୋଇ କରି ଦାୟୀତ୍ୱରେ ରହିଲେ, ଆମେ ସଂଯତ ହେଇକି ଚଳିବା କଥା । ତୁ ମୋତେ କାହିଁକି ପ୍ରବର୍ତ୍ତାଉଛୁ ?’ ଏହି ଭଳି ବହୁ ଅଭିଜ୍ଞତାର ଅବତାରଣାର ନିର୍ଯ୍ୟାସରେ ଜୟକୃଷ୍ଣ ବାବୁ କୁହନ୍ତି, ‘ସମସ୍ତଙ୍କ ସାଂଗରେ, ସାଧାରଣଙ୍କ ସାଂଗରେ, ଏକରସ ହୋଇ, ମୁରବୀ ଯେମିତି କରେ, ଅନ୍ୟକୁ ଖୁଆଇଲା ପରେ ନିଜେ ଖାଏ,ଏହି ଭଳିଆ ତାଙ୍କର ଆଚରଣ ଥିଲା ।’ ତଥାପି ଏକ ଅଭାବବୋଧ ଦ୍ୱାରା ନବବାବୁଙ୍କ ମନ କବଳିତ ଥିଲା । ତାଙ୍କରି ଭାଷାରେ, ‘ଗୋଟିଏ ମାତ୍ର ଚିନ୍ତା ଶେଷ ଜୀବନରେ ମୋତେ ଦିନ ରାତି ଘାରୁଛି-ଦେଶ ଓ ସମାଜରୁ ବୈଷମ୍ୟ ଓ ଉତ୍ପୀଡନ ଦୂର କରିବା ପାଇଁ ଦେଶର ଅଗଣିତ ଖଟିଖିଆ ଲୋକଙ୍କ ସାଂଗରେ ନିଜକୁ ମିଶାଇ ଦେବାପାଇଁ ଯେଉଁ ପ୍ରେରଣା ଲକ୍ଷ୍ମୀନାରାୟଣ ବାବୁଙ୍କ ଠାରୁ ଆରମ୍ଭ କରି ଗାନ୍ଧୀ, ଲେନିନ, ମାଓ ପ୍ରଭୃତି ଯୁଗ ପୁରୁଷମାନଙ୍କ ଠାରୁ ପାଇ ଆସିଛି, ସେ ପ୍ରେରଣା ମୋର ସାରା ଜୀବନକୁ ଚଳାଇ ଆସିଲା ସତ, କିନ୍ତୁ ତାକୁ କାର୍ଯ୍ୟକାରୀ କରିବାର କୈାଶଳ ତ ଆମେ ଶିଖି ପାରିଲୁ ନାହିଁ । ଆମ ଦେଶରେ ଆମ ଜୀବନ ଆରମ୍ଭରେ ଲୋକେ ଯେଉଁ ତିମିରରେ ଥିଲେ ସେହି ତିମିରରେ ଅଛନ୍ତି । ଇଂରେଜ ଅମଳରେ ଶିକ୍ଷିତ ବୁଦ୍ଧିଜୀବୀ ଶ୍ରେଣୀ ନିଜର ଶ୍ରେଣୀ ସ୍ୱାର୍ଥ ପାଇଁ ଇଂରେଜ ସାମ୍ରାଜ୍ୟକୁ ସାହାଯ୍ୟ କରୁଥିଲେ । ଅଳ୍ପ କେତେଜଣ ଦେଶ କଥା ଭାବୁ ଥିଲେ । ଆଜି ଆମ ଶ୍ରେଣୀର ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ, ଦେଶର ଜନସାଧାରଣଙ୍କୁ ଶୋଷଣ କରିବା ପାଇଁ ଯେଉଁ ରାଷ୍ଟ୍ର ବ୍ୟାପୀ ଓ ବିଶ୍ୱବ୍ୟାପୀ ବିରାଟ ପ୍ରକ୍ରିୟା ଚାଲିଛି, ସେଥରେ ଲିପ୍ତ । (୧୯.୧.୧୯୭୩ ତାରିଖରେ ‘ଲକ୍ଷ୍ମୀନାରାୟଣ-ଏକ ବିପ୍ଳବୀ ଆତ୍ମା’ ଶିରୋନାମାରେ ଲିଖିତ ଏକ ପତ୍ରରୁ ଉଦ୍ଧୃତ )’ । ସତେ ଯେପରି ଗୁରୁ ବାବୁ ଭେଟିଥିବା ସେହି ସଉରା ବୁଢାଟିର କ୍ଷୋଭ ର କାରଣଟିକୁ ଚିହ୍ନଟ କରୁଥିଲେ ନବବାବୁ ।

ଗୀତିମୟ ବ୍ୟକ୍ତିତ୍ୱର ଅଧିକାରୀ

କହିବା ବାହୁଲ୍ୟ, ଭଲ ପାଇବା, ଅତି ଗଭୀର ଭାବେ ଭଲ ପାଇବା, ଜଣେ ଦୁଇ ଜଣ ମଣିଷକୁ ନୁହେଁ ସାରା ମାନବ ସମାଜକୁ ଭଲ ପାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱର ଅନନ୍ୟ ଦିଗ ।  ଭାରତୀ ମନ୍ଦିରର ସ୍ଥାପନା ହେଉ, ସରଳା ଦେବୀ ବା ଫ୍ରିଡା ଦାସଙ୍କ ସହ ସଂପର୍କ ହେଉ, ମାଳତୀ ସେନଙ୍କ ସହ ପ୍ରେମ ହେଉ, ଆଦିବାସୀ ଗାଁ ଗଣ୍ଡା ଓ ସାଧାରଣ ମଣିଷଙ୍କ ଭିତରେ ଅବିଶ୍ରାନ୍ତ ଭ୍ରମଣ ହେଉ, ନକ୍ସଲ ନେତା ନାଗଭୂଷଣଙ୍କୁ ଫାଶୀ ମୁହଁରୁ ଉଦ୍ଧାର କରିବାର ବ୍ୟାକୁଳତା ହେଉ, ସବୁରି ପଛରେ ନବବାବୁଙ୍କର ମଣିଷକୁ ଅକୃତ୍ରିମ ଭଲପାଇବାର ଆବେଗ, ଭଲ ପାଉଥିବା ବ୍ୟକ୍ତିକୁ ଆପଣାର କରିନେବାର ଦୁର୍ବଳତା । ତାଙ୍କ ଭିତରେ ମଣିଷକୁ ଭଲ ପାଇବାର ଆବେଗ ଏତେ ଗଭୀର ଥିଲା ଯେ, ତାଙ୍କ ବ୍ୟକ୍ତିତ୍ୱ ଗୀତିମୟ ହୋଇ ଉଠୁ ଥିଲା ଯାହାର ବିକିରଣରେ ସାରା ପରିପାଶ୍ୱର୍ ଗୀତିମୟ ହୋଇଯାଉଥିଲା ।  ହରି ଗୁରୁଜୀଙ୍କ ଭାଷାରେ , ‘ତାଙ୍କ ସାଂଗରେ ବସିଲେ କବିତା ମାଡେ । ମନ ଭିତରଟା ଗୀତିମୟ ହୋଇଉଠେ । ମୁଁ ଲେଖିବସେ କବିତା ।’ ହରି ଗୁରୁଜୀ ଆବୃତ୍ତି କରନ୍ତି, ‘ଯିଏ ଲେଖିଥିଲା ଗୀତି/ ଆମ ମନେ ମନେ/ ନିଜ ଆଚରଣେ/ ମଣିଷକୁ ଭଲପାଅ / ଭୁଲିଯାଇ ନିଜ ବଡପଣେ ।’ ନବ ବାବୁ ପ୍ରକୃତରେ ଆଚରଣର ମଣିଷ ଥିଲେ, ଉଚ୍ଚାରଣର ନୁହେଁ । ‘ଲୋକଙ୍କ ସାଂଗରେ, ଗରିବ ଲୋକଙ୍କ ସାଂଗରେ ଏକାତ୍ମ ହୋଇ ଯିବାର ମନୋବୃତ୍ତି’ ତାଙ୍କର ଆଚରଣରେ ପ୍ରତିଫଳିତ ହେଉଥିଲା । ସାଧାରଣ ମଣିଷକୁ ତାଙ୍କର ଭଲ ପାଇବା ଲୋକ ଦେଖାଣିଆ ନ ଥିଲା ଯାହା ଆଜିକାର ରାଜନୈତିକ ବ୍ୟକ୍ତି ମାନଙ୍କର ସ୍ୱଭାବିକ ଆଚରଣ ହୋଇଛି ।

ଇଚ୍ଛାକୃତ ଅଲକ୍ଷ୍ୟରେ ରହିଯିବାର ମ଼ଣିଷ

ଆଜିକାର ରାଜନୈତିକ ବ୍ୟକ୍ତିଙ୍କର ଆଉ ଏକ ସ୍ୱାଭାବିକ ଆଚରଣ ତାଙ୍କ ଠାରେ ଦେଖାଯାଇ ନ ଥିଲା ତାହା ହେଉଛି ଠେଲି ପେଲି ଯେକୈାଣସି ଉପାୟରେ ସାମନାକୁ ଆସି ଯିବା ଓ ଅସହିଷ୍ଣୁତା । ଠିକ ଏହାର ବିପରୀତ ଆଚରଣ ଥିଲା ନବ ବାବୁଙ୍କର ଯଦିଓ ସେଥିଲେ ମୂଳତଃ ଏକ ରାଜନୈତିକ ବ୍ୟକ୍ତି । ସେ ସବୁ ବେଳେ ପଛରେ ରହୁ ଥିଲେ । ନବ ବାବୁଙ୍କୁ ଅତି ନିକଟରୁ ଦେଖିଥିବା ତାଙ୍କର ଅନୁଯାୟୀ ଜୟକୃଷ୍ଣ ମହାନ୍ତି କୁହନ୍ତି, ‘ପନ୍ଦରଣା ସିଏ କରିଥିବେ, ଆମେ ଅଣାଏ କରିଥିବୁ, କିନ୍ତୁ ବାହାଦୁରୀଟା ଆମକୁ ଦେବେ । ନିଜେ ବାହାଦୁରୀ ନିଅନ୍ତି ନାହିଁ । ତେଣୁ ଅନେକ କର୍ମୀ ସେ ତିଆରି କରିପାରିଥିଲେ ତାଙ୍କ ସହ ଏକାଠି ଯିବା ପାଇଁ ।’ ନିଜକୁ ଗୁରତ୍ୱ ନ ଦେବା ତାଙ୍କର ସ୍ୱଭାବ ଥିଲା, ପଦ ପଦବୀ ପ୍ରତି ତାଙ୍କର କୈାଣସି ସମୟରେ ଆକର୍ଷଣ ନ ଥିଲା । ସେ ସବୁବେଳେ ନିଜକୁ ଏକ କର୍ମୀ ବୋଲି ବିଚାର କରୁଥିଲେ ।   ଜୟୀବାବୁ କୁହନ୍ତି, ‘୧୯୩୭ ମସିହାରେ ସେ (ଓଡିଶାର) ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ, ହେଲେ ନାହିଁ ଅନ୍ୟକୁ ଦେଲେ । ୧୯୪୬ ମସିହାରେ ତାଙ୍କ ପ୍ରତି ଦଳର ଏତେ ସମର୍ଥନ ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ । କିନ୍ତୁ ସେ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କଲେ, ନିଜେ ତାଙ୍କ ସହ ରହିଲେ ।’ ସେହି ଭଳି ଯେତେବେଳେ ସୁରାକ ପାଇଲେ ଯେ ମହତାବ ବଡ ବ୍ୟସ୍ତ ହେଲେଣି ମୁଖ୍ୟମନ୍ତ୍ରୀ ହୋଇ ଫେରିବା ପାଇଁ  ସେ ଅତି ସହଜ ଭାବରେ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ନେଇଗଲେ । କିନ୍ତୁ ସେ ଚାହୁଁ ଥିଲେ ତରୁଣ ପୀଢି କ୍ଷମତାକୁ ଆସନ୍ତୁ । ତେଣୁ ଯେତେବେଳେ ବନମାଳୀ ପଟ୍ଟନାୟକ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରସ୍ତାବ ନେଇ ନବକୃଷ୍ଣଙ୍କ ନିକଟରେ ପହଂଚିଲେ ସେତେବେଳେ ନବକୃଷ୍ଣ ଯାହା କହିଥିଲେ, ତାହକୁ ସ୍ମରଣ କରି ଜୟକୃଷ୍ଣ ମହାନ୍ତି କୁହନ୍ତି, ‘ନବବାବୁଙ୍କର ପ୍ରତିକ୍ରିୟା ଥିଲା ଭିନ୍ନ । ସେ କହିଲେ, ‘ମହତାବ କାହିଁକି ଆଉ ଫେରିବେ । ମୁଁ, ମହତାବ ଓ ଆମ ଭଳି ପୂରୁଣା କର୍ମୀ ଦଳକୁ ଯାଇ ମଜବୁତ କରିବାରେ ଲଗାଇବୁ । ନୂଆ ପିଲା କ୍ଷମତାକୁ ଆସିବେ ।’ ଏହା ତ ହେଲା ନାହିଁ । ମହତାବ ଆସିଲେ, ନବବାବୁ ଖାଲି କରିଦେଇଥିବା ମୁଖ୍ୟମନ୍ତ୍ରୀ ଆସନରେ ବସିଲେ କିନ୍ତୁ ମାସ କେଇଟା ପରେ ୧୯୫୭ ମସିହା ନିର୍ବାଚନରେ ଯେତେବେଳେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଲା ନାହିଁ, ଅଥଚ ମହତାବ କ୍ଷମତାରେ ରହିବା ପାଇଁ ଯେପରି ନାନା ପ୍ରକାର କୈାଶଳ ମାନ ପ୍ରୟୋଗ କଲେ ଓ ଶେଷରେ ରାଜା ମହାରାଜାଙ୍କ ଦଳ ଗଣତନ୍ତ୍ର ପରିଷଦ ସହ ମନ୍ତ୍ରଣା କଲେ ତାହା ଅନେକ କଂଗ୍ରେସ ନେତାଙ୍କୁ କ୍ଷୁବ୍ଧ କରିଥିଲା । ବିଜୁ ପଟ୍ଟନାୟକ, ଯିଏ ନବବାବୁଙ୍କ ସ୍ଥାନରେ ମହତାବଙ୍କୁ ଆଣି ବସାଇବା ଓ ତାଙ୍କୁ ସେ ପଦରେ କାଏମ ରଖିବା ପାଇଁ ମହତାବଙ୍କ ନାନା କୈାଶଳର ସାଥୀ ଥିଲେ, ସେ ମଧ୍ୟ ଶେଷକୁ ମହତାବଙ୍କ ଉପରେ ଏତେ ବିଗଡି ଗଲେ ଯେ ‘ଓଡିଶାକୁ ମହତାବଙ୍କ କବଳରୁ ରକ୍ଷା କରିବାକୁ ହେବ’ ବୋଲି କହି ବୁଲିଲେ ଓ ନବବାବୁଙ୍କ ପାଖରେ ପହଂଚି ପୁଣି ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ନେବା ପାଇଁ ଅନୁରୋଧ କଲେ । ଆଉ ଏଇଠି ନବକୃଷ୍ଣ ପାଇଗଲେ  ତାଙ୍କର ‘ନୂଆ ପିଲା କ୍ଷମତାକୁ ଆସିବେ’ ପ୍ରସ୍ତାବକୁ ବାସ୍ତବ କରିବାର  ସୁଯୋଗ । ସତେ ଯେପରି ଏହି ଭଳି ସମୟକୁ ସେ ଅପେକ୍ଷା କରିଥିଲେ ।ଏହି ପ୍ରସଂଗରେ ବିଜୁ ବାବୁ ଓ ନବବାବୁଙ୍କର କଥୋପକଥନକୁ ସ୍ମରଣ କରି ଜୟକୃଷ୍ଣ ମହାନ୍ତି କୁହନ୍ତି , ‘ଗୁଣନିଧି ଭବନ ଥୋରିଆ ସାହିରେ ନବବାବୁ ଥାନ୍ତି । ବିଜୁ ପଟ୍ଟନାୟକ ଦିନେ ଯାଇ ପହଂଚିଲେ । ପହଂଚି କରି ତାଙ୍କୁ (ନବବାବୁଙ୍କୁ) କହିଲେ, ‘ନବଦା, ଆଉ କେତେ ଦିନ ଏଇ ରଜାଙ୍କ ଦୟାରେ ଚଳିବା । ତୁମେ ଆସ । ଆଉ ଯାହା ଭୁଲ ଭଟକା ହେଇଛି ତାକୁ ଛାଡ, ତୁମେ ପୁଣି ଆସିକି ଦାୟିତ୍ୱ ନିଅ ।’ ନବ ବାବୁ ଟିକିଏ ହସିଲେ । କହିଲେ, ‘ତୁ ଯାଉନୁ, ଆମେ ତ ବୁଢା ହେଲୁଣି-ତୁମେ ପିଲା ଅଛ, ତୁମେ ଯାଉନ । ତୁ ଯାଉନୁ ।’ସେଇଠୁ ବିଜୁ ପଟ୍ଟନାୟକ କହିଲା, ‘ମୁଁ ଯିବି ।’ ନବବାବୁ କହିଲେ , ‘ହଁ, ତୁ ଯିବୁ ।’ ‘ହଉ, ତାହାଲେ’ । ବିଜୁ ପଟ୍ଟନାୟକ ଗୋଟିଏ ସେକଣ୍ଡରେ ନିଷ୍ପତ୍ତି ନିଏ ।’ ଏହାତ କହିବାର ଆବଶ୍ୟକତା ନାହିଁ ଯେ ବିଜୁ ପଟ୍ଟନାୟକ ୧୯୬୧ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ କଂଗ୍ରେସକୁ ଅଭୂତପୂର୍ବ ବିଜୟର ସ୍ୱାଦ ଚଖାଇଥିଲେ ଓ ନବ ଗଠିତ ମନ୍ତ୍ରୀମଣ୍ଡଳର ମୁଖ୍ୟ ହୋଇଥିଲେ । ବିଜୁବାବୁଙ୍କ ମନରେ ମୁଖ୍ୟମନ୍ତ୍ରୀ ହେବାର ଆଶା ସଂଚାର କରିବାକୁ କେହି କେହି ନବବାବୁଙ୍କର ରାଜନୈତିକ ଚତୁରତାର ଏକ ଚମକ୍ରାର ନିଦର୍ଶନ ବା ଏକ political master stroke ବୋଲି ବିଚାର କରି ପାରନ୍ତି  ଏତଦ୍ଦ୍ୱାରା, ଏକଦା ମହତାବଙ୍କର କଟ୍ଟର ସମର୍ଥକ ବିଜୁବାବୁଙ୍କୁ ମହତାବଙ୍କର ମୁଖ୍ୟମନ୍ତ୍ରୀତ୍ୱ ପ୍ରତି ଏକ ପ୍ରତିବନ୍ଧକ ଭାବେ ଠିଆ କରାଇ ଦେଲେ ନବବାବୁ । ମହତାବ ଏହି ନିର୍ବାଚନରେ ପ୍ରାର୍ଥୀ ସୁଦ୍ଧା ହେଲେ ନାହିଁ । ଏହା ପରେ ଆଉ ମହତାବଙ୍କ ଭାଗ୍ୟରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଆସି ନାହିଁ ।

ଆଗୁଆ ଚିନ୍ତାର ମଣିଷ

ସ୍ୱାଧୀନୋତ୍ତର ଓଡିଶାରେ ଯେତେ ମୁଖ୍ୟମନ୍ତ୍ରୀ ଏ ଯାବତ୍ ହୋଇଛନ୍ତି, ସମସ୍ତଙ୍କୁ ଯଦି ଗୋଟିଏ ଧାଡିରେ ଛିଡା କରି ଦିଆଯାଏ, ତାହାଲେ ସେ ଅନ୍ୟ ମାନଙ୍କଠାରୁ ଅଲଗା ଦିଶିବେ । ଚିତ୍ତରଂଜନ ଦାସ ଲେଖନ୍ତି, ‘….ହାତୀ ଚିହ୍ନାଇବାକୁ ଯାଇ ହାତୀଶାଳରୁ ଯେ କୈାଣସି ଗୋଟାଏ ହାତୀକୁ ଦେଖାଇବା ପରି ଶ୍ରୀ ନବକୃଷ୍ଣ ଚୈାଧୁରୀଙ୍କୁ ଆମେ କଦାପି ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଜଣେ ମୁଖମନ୍ତ୍ରୀ ବୋଲି ଦେଖାଇପାରିବା ନାହିଁ ।’ (ଦ୍ରଷ୍ଟବ୍ୟ: ‘ଏକ ରାଜନୀତିକ ବ୍ୟକ୍ତିତ୍ୱର ସମୀକ୍ଷା’- ଚିତ୍ତରଂଜନ ଦାସ,ଶ୍ରଦ୍ଧାଂଜଳୀ, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ୧୯୮୪,ପୃ:୧୨୮) ଝିଆରୀ ଅନ୍ନପୂର୍ଣା ମହାରଣାଙ୍କୁ ତାଙ୍କ ଦାଦା ଅନ୍ୟ ପିଲା ମାନଙ୍କ ଦାଦା ମାନଙ୍କଠାରୁ ତ ଅଲଗା ଦିଶନ୍ତି । କାହିଁକି ବା ନ ଦିଶିବେ ? ଯେତେବେଳେ ସାରା ଭାରତରେ, ବ୍ୟବସ୍ଥାପିକା ସଭାରେ ବଜେଟ ଉପସ୍ଥାପନ ଇଂରାଜୀ ଭାଷାରେ ହିଁ କରାଯାଉଥିଲା, ସେତେବେଳେ, ୧୯୫୧ ମସିହା ଫେବୃଆରୀ ୨୧ ତାରିଖ ଦିନ ନବ ବାବୁ ବଜେଟ ପେଶ କଲେ ଓଡିଆରେ । ୧୯୫୪ ମସିହା ଏପ୍ରିଲ ୨୩ ତାରିଖ ଦିନ, ଆଫିସିକ ଫାଇଲରେ ନବ ବାବୁ ମତାମତ ଦରଜ କଲେ ଓଡିଆରେ । ପ୍ରଶାସନ ସାଧାରଣ ଲୋକଙ୍କର ନିକଟତର ହେଉ, ତାହାର ନିଷ୍ପତ୍ତି ସାଧାରଣ ଲୋକ ପାଇଁ ବୋଧଗମ୍ୟ ହେଉ ଏହାହିଁ ଥିଲା ଉଦ୍ଦେଶ୍ୟ । ସଂପ୍ରତି ଏହି ଆବଶ୍ୟକତାର ଅନୁଭବ ସାଧାରଣ ଲୋକ ଭିତରେ କେତେ ଗଭୀରକୁ ଯାଇଛି ତାହା ନେଇ ସନ୍ଦେହ ସୃଷ୍ଟି ହୁଏ ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦୈା ଓଡିଆ ଭାଷାରେ କଥା ନ କହି ମଧ୍ୟ ଗୋଟାଏ ଯୁଗ କ୍ଷମତାରେ ରିହିପାରେ ।  ନବକୃଷ୍ଣ ଭାରତର ପ୍ରଥମ ଆଦିବାସୀ ସଂସ୍କୃତି ଅଧ୍ୟୟନ କେନ୍ଦ୍ରର ସ୍ଥାପନା କରିଥିଲେ ଓଡିଶାରେ, ୧.୧.୧୯୫୩ ମସିହାରେ । ଆଜି ତାହା SCSTRTI   ନାମରେ ପରିଚିତ । Partially Excluded Committee ର ସଦସ୍ୟ ଭାବେ (୧୯୩୭-୩୯) ଓ ପରେ ଉକ୍ରଳ ନବଜୀବନ ମଣ୍ଡଳ ସହ ସଂପୃକ୍ତି ତାଙ୍କୁ ଆଦିବାସୀଙ୍କ ଗହଣରେ, କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତାର ସୁଯୋଗ ଦେଇଥିଲା ନିଶ୍ଚୟ । କିନ୍ତୁ ଆଦିବାସୀଙ୍କ ପ୍ରତି ଏକ ସକାରାତ୍ମକ ମାନସିକତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କର ଧନାଢ୍ୟ ଅଥଚ ଉପେକ୍ଷିତ ସଂସ୍କୃତିର ଅଧ୍ୟୟନ ଓ ଗବେଷଣାର ଗୁରୁତ୍ୱ ସେ ଉପଲବ୍ଧି କରିଥିଲେ ଓ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଉକ୍ତ ଅନୁଷ୍ଠାନଟିର ସ୍ଥାପନା କଲେ ।  ସେହିଭଳି ତାଙ୍କ ଅଧ୍ୟକ୍ଷତାରେ ଯେଉଁ ଜମିଜମା ସଂସ୍କାର ରିପୋର୍ଟ (The Orissa Land Revenue And Land Tenure Report) ତାହା ସାରା ଭାରତର ଦୃଷ୍ଟି ଆକର୍ଷଣ କରିଥିଲା । ନବବାବୁ ସବୁବେଳେ ଆଗୁଆ ଚିନ୍ତା କରିଛନ୍ତି, ସାଧାରଣ ମଣିଷକୁ କେନ୍ଦ୍ରରେ ରଖି ଚିନ୍ତା କରିଛନ୍ତି, ନୂତନ ପ୍ରୟୋଗ ପାଇଁ ଆଗ୍ରହ ଦେଖାଇଛନ୍ତି ଓ ପ୍ରଥା ପରମ୍ପରାକୁ ଆଘାତ କରିଛନ୍ତି । ଝିଆରୀ ଅନ୍ନପୂର୍ଣ୍ଣା ମହାରଣା କୁହନ୍ତି, ‘ଦାଦାର ସବୁ ଓଲଟା ପାଲଟା କଥା ।…….କୈାଣସି ସାମାଜିକ ବ୍ୟବସ୍ଥା, ଘରୋଇ ବ୍ୟବସ୍ଥା-ତାକୁ ନବୁଝି, ନଶୁଝି, ତା ପଛରେ କଣ ବିଚାର ଅଛି ତାକୁ ନ ଜାଣିଲେ-ତାକୁ କଦାପି ମାନିବ ନାହିଁଁ ।’ ତେଣୁ ସେ ଅନ୍ୟ ମାନଙ୍କ ଠାରୁ ସବୁବେଳେ ଭିନ୍ନ ଦିଶିଛନ୍ତି ଓ ତାଙ୍କର ଉଦ୍ୟମ ଗୁଡିକରୁ ଅନେକ ସାରା ଭାରତରେ ପ୍ରଥମ ଉଦ୍ୟମ ବୋଲି ଜଣାପଡିଛି ।

ଟାଣୁଆ ନବକୃଷ୍ଣ

ଅନେକେ ନବବାବୁଙ୍କୁ ଟାଣୁଆ ବ୍ୟକ୍ତି ନ ଥିଲେ ବୋଲି କୁହନ୍ତି । ଅର୍ଥାତ୍ ଟାଣୁଆ ନେତା ନଥିଲେ, ଟାଣୁଆ ପ୍ରଶାସକ ନ ଥିଲେ -ଏହି ଭଳି ଗୋଟିଏ ଧାରଣା ତାଙ୍କ ସମ୍ପର୍କରେ ଦିଆ ଯାଏ । କିନ୍ତୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟବସ୍ଥାପକର ଭୂମିକାର ସୀମା କ’ଣ ଓ ପ୍ରଶାସକର ଭୂମିକା କ’ଣ, ସେ ସମ୍ପର୍କରେ ସେ ବେଶ ସଚେତନ ଥିଲେ । ବିନା ଆଲୋଚନାରେ ନିଜର ମତକୁ ଲଦିଦେବାର ଟାଣୁଆପଣରେ ସେ ବିଶ୍ୱାସ କରୁ ନଥିଲେ । ନବବାବୁଙ୍କର ଏହି ଦିଗ ଟି ଜୟକୃଷ୍ଣ ବାବୁ ଙ୍କ ନିମ୍ନୋକ୍ତ ସଂସ୍ମରଣରୁ ବୁଝାପଡେ । “ଅଂଚଳ ଶାସନ ଆଇନର ସିଲେକ୍ଟ କମିଟି ୫୫ କି ୫୬ ଥର ବସିଥିବ । ଭାରତର କୈାଣସି ରାଜ୍ୟରେ ଏପରି ବସି ନଥିବ । ପ୍ରତ୍ୟେକ ସ୍ଟେଜରେ ଆଲୋଚନା ହୁଏ, କ୍ଲଜ ବାଇ କ୍ଲଜ ଆଲୋଚନା ହେଇକି ଚାଲେ । ଶିବରମଣ (ଆଇ.ସି.ଏସ. ଅଫିସର) ସେତେବେଳେ ବୋର୍ଡ ଅଫ ରେଭିନ୍ୟୁ ରେ ଥାନ୍ତି । ସେ ସିଲେକ୍ଟ କମିଟିର ସଦସ୍ୟ ହୋଇଥାନ୍ତି । ସେମାନେ ଅଭ୍ୟସ୍ତ ଯେ ସରକାରୀ କର୍ମଚାରୀ ମାନେ ଶାସନ ଚଳାଇବେ । ଲୋକଙ୍କ ହାତକୁ କ୍ଷମତା ଆସିବ, ଲୋକେ ଶାସନ ଚଳାଇବେ, ଗାଁ ସ୍ତରରେ, ପଂଚାୟତ ସ୍ତରରେ, ଶାସନ ତଳଲୋକଙ୍କ ସ୍ତରକୁ ଚାଲିଯିବ-ଏ କଥା ତ ସେମାନେ କନସିଭ କରି ପାରୁ ନ ଥିଲେ । ତେଣୁ ତାଙ୍କୁ (ଶିବରମଣଙ୍କୁ)  ହଜମ କରିବାକୁ ବହୁତ କଷ୍ଟ ହେଉଥାଏ । ପ୍ରତ୍ୟେକ ସ୍ଟେଜରେ ତାଙ୍କ (ନବବାବୁଙ୍କ) ସହ ବରାବର ଯୁକ୍ତି କରୁଥାନ୍ତି । ନବବାବୁ ବରାବର ବୁଝାଉଥାନ୍ତି । ଆମେ ଟିକିଏ ଫେଡ ଅପ ହୋଇଗଲୁ । ସେ ସରକାରୀ କର୍ମଚାରୀ, ତାଙ୍କର ତ ଏଥିରେ କିଛି କରିବାର ନାହିଁ । ସୁରେନ୍ଦ୍ର ପଟ୍ଟନାୟକ ଓ ମୁଁ ସ୍ଥିର କଲୁ ପଏଣ୍ଟ ଅଫ ଅର୍ଡର ଉଠାଇ ତାଙ୍କ (ଶିବରମଣଙ୍କ) ପାଟି ବନ୍ଦ କରିଦେବୁ । ଏହି କଥା ଆମେ ଯାଇ ନବବାବୁଙ୍କୁ ଜଣାଇଲୁ । ସେ କହିଲେ,  ‘ମୋଟେ ସେ କଥା କର ନାହିଁ । For God’s sake, do not do it.  ମୁଁ କଣ ଏତେ ବୋକା ଯେ ତାଙ୍କୁ ଏତେ ସମୟ ଦେଉଛି । ତୁମେ ଆଇନଟା କରିଦେବ, ଆଇନଟାକୁ କାର୍ଯ୍ୟକାରୀ କରିବ କିଏ ? ଏକଜିକ୍ୟୁଟିଭର ହେଡ (Excutive head) ଯିଏ ସେ ଯଦି କନଭିନ୍ସ (convince) ନ ହୁଏ, ଆମର-ତମର ଯେମିତି ବିଶ୍ୱାସ, ତାର ଯଦି ସେମିତି ବିଶ୍ୱାସ ନ ହୁଏ-ସେ କେମିତି ତୁମ ଆଇନଟାକୁ କାର୍ଯ୍ୟକାରୀ କରିବ ? ତେଣୁ ସେମାନଙ୍କୁ ବୁଝାଇ ଶୁଝାଇ ତୁମ ବାଟକୁ ଆଣିବାକୁ ହେବ ।’ ସେତେବେଳ ଯାଇ ଆମର ଧାରଣାରେ ପରିବର୍ତ୍ତନ ହେଲା ।” ସାମନ୍ତବାଦୀ ମାନସିକତା ବୁଝାଇ କାମ କରାଇବାକୁ ନରମା ଲୋକର ପ୍ରକୃତି ବୋଲି ବିଚାର କରେ । କିନ୍ତୁ ଦୁର୍ନୀତି ପ୍ରତି ତାଙ୍କର ଆଭିମୁଖ୍ୟ କେତେ କଠୋର ଥିଲା ତାହା ଜାଣିଲେ କେହି ତାଙ୍କୁ ନରମା ରାଜନୈତିକ ବ୍ୟକ୍ତି ବୋଲି କହିବାର ଭୁଲ କରିବ ନାହିଁ । ଜୟକୃଷ୍ଣ ବାବୁଙ୍କର ଏକ ଅଭିଜ୍ଞତା ଏହି ପ୍ରସଂଗରେ ଉଲ୍ଲେଖଯୋଗ୍ୟ । “ଜଣେ ଖଣି ମାଲିକ ସରକାରଙ୍କ ବିନାନୁମତିରେ ଜୋର ଜବରଦସ୍ତ ଗୋଟିଏ ଖଣି ଅପରେଟ କରୁଥାଏ । ତେଣୁ ସରକାର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମକଦମା କରିବେ ବୋଲି ସ୍ଥିର କରିଥାନ୍ତି । କିନ୍ତୁ ଖଣିମାଲିକ କିରାଣୀ ଠାରୁ ଆରମ୍ଭ କରି ସେକ୍ରେଟାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରି ଚାଲଥାନ୍ତି । ମକଦମା ଦାୟର ଗଡି ଗଡି ଚାଲିଥାଏ । ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା । ମୁଖ୍ୟମନ୍ତ୍ରୀ ସେକ୍ରେଟାରୀଙ୍କୁ ଡାକି ବହୁତ ତାଗିଦ କଲେ । ତୁରନ୍ତ କେସ ଫାଇଲ କରିବା ପାଇଁ ନିର୍ଦ୍ଦେଶ ଦେଲେ । ତେଣୁ ସେ (ସେକ୍ରେଟାରୀ) ଆସି ଖଣି ମାଲିକଙ୍କୁ କହିଲେ-ବାବୁ ଇଏ ଆଉ ଆମ ହାତରେ ହେବ ନାହିଁ, ଇଏ ଗଲାଣି ମୁଖମନ୍ତ୍ରୀଙ୍କ ପାଖକୁ , ତୁମେ ଏଥର ତୁମ କାମ କର । ସେଇଠୁ ସେ ଆସି ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ସୁରେନ୍ଦ୍ର ପଟ୍ଟନାୟକଙ୍କ ପାଖରେ ପହଂଚିଲେ ଓ କହିଲେ, ‘ଆପଣ ମୋତେ ସାହାଯ୍ୟ କରନ୍ତୁ । ସରକାର ମୋ ଉପରେ ୬ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି, ଏହା ଉପରେ ନାଲିସ କରିବେ ବୋଲି କହୁଛନ୍ତି । ମୁଁ ୬ ଲକ୍ଷ ଟଙ୍କା ଦେଉଛି, ଆଉ ୬ ଲକ୍ଷ ଟଙ୍କା ଆପଣଙ୍କ ଦଳ ପାଇଁ ଦେଉଛି । ସରକାର ଯାହା ରୟାଲଟି ପାଇଥାନ୍ତେ ସେ ରୟାଲଟି ମୁଁ ଦେବି ଏବଂ କ୍ଷମା ପ୍ରାର୍ଥନା କରିବି । ମୁଁ ବହୁତ ଗୁଡାଏ ଟଙ୍କା ସେଠାରେ ଖର୍ଚ୍ଚ କରିଛି, ମୁଁ ଯେପରି କକ୍ଷ ଚ୍ୟୁତ ନ ହୁଏ ।’ ସୁରେନ୍ଦ୍ର ପଟ୍ଟନାୟକ ଆସି ମୋ ପାଖରେ ପହଂଚିଲେ, କହିଲେ-ଟିକେ ଆମେ ଯାଇ ନବବାବୁଙ୍କୁ କହିବା । ମୋତେ ସେ (ସୁରେନ୍ଦ୍ର ବାବୁ)ବୁଝାଇଲେ ଯେ ଏଇଟା କିଛି ଅନ୍ୟାୟ ନୁହେଁ । ମୁଁ ଆଗ-ପଛ ହେଇକି ଗଲି । ସେ (ସୁରେନ୍ଦ୍ରବାବୁ) ତା ନାଁ କହିଛନ୍ତି-ସେମିତି ଉତ୍ତେଜିତ ହୋଇ ଉଠିଲେ ନବବାବୁ । କହିଲେ, ‘That scoundrel, he has spoiled entire administration and now wants to spoil the Congress organisation. I will smash that fellow.  ସୁରେନ୍ଦ୍ର ମୋତେ ମୋଟେ ସେକଥା କୁହନି । ମୁଁ ମୋଟେ ତାକୁ ଛାଡିବି ନାହିଁ ।’ ସୁରେନ୍ଦ୍ରବାବୁ କହିଲେ -ଦୁଇ ଦୁଇଟା ବାଇ ଇଲେକ୍ସନ ଅଛି, କେଉଁଠୁ ପଇସା ଆସିବ? ନବବାବୁ କହିଲେ-ମୁଁ ଟଙ୍କେ, ଟଙ୍କେ ମାଗି ତୁମକୁ ଦେବି, କିନ୍ତୁ ଏ କଥା କହନି । ସୁରେନ୍ଦ୍ରବାବୁ ମୁଁହ ଓହଳାଇ ଫେରିଲେ, କହିଲେ ଇଏ (ନବବାବୁ) ସୟରବକ୍ଷସଗ୍ଦଗ୍ଧ ହେଉଛନ୍ତି  କ୍ଟ୍ରକ୍ସବମଗ୍ଧସମବକ୍ଷ କଥା ବୁଝୁନାହାନ୍ତି ।”  ଏହି ଘଟଣା ଆଜି ସ୍ମରଣ କଲା ବେଳକୁ ଓଡିଶାରେ ସଂପ୍ରତି ହୋଇଥିବା ଖଣି ଦୁର୍ନୀତି ମନକୁ ଆସୁଛି ଓ ଆସୁଛି ମନକୁ ସାରା ଭାରତରେ ଚହଳ ପକାଇଥିବା କୋଇଲା ବ୍ଲକ ଦୁର୍ନୀତି । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ମୁଖ୍ୟମନ୍ତ୍ରୀ ନବବାବୁଙ୍କ ଆଚରଣକୁ ତୁଳନା କରିବାର ପ୍ରବଣତା ମନକୁ ଗ୍ରାସୁଛି । କିନ୍ତୁ ଆଜି ଯେତେବେଳେ ପ୍ରତ୍ୟେକ ରାଜନୈତିକ ଦଳ ଖଣି ମାଲିକ, ଶିଳ୍ପପତି, ବଡ ବଡ ବ୍ୟବସାୟୀ ଓ ଧନୀଲୋକମାନଙ୍କମୋଟା ଅଙ୍କର  ଘୋଷିତ ଓ ଅଘୋଷିତ ଅନୁଦାନ ଦ୍ୱାରା ପୁଷ୍ଟ  ସେତେବେଳେ ନବବାବୁଙ୍କର ଉପରୋକ୍ତ ବକ୍ତବ୍ୟରେ ଏକ ଭିନ୍ନ କିସମର ରାଜନୀତିର  ଆଭାସ ମିଳୁ ନାହିଁ କି?

ଉପସଂହାର

 ନବକୃଷ୍ଣଙ୍କୁ ଏକ ଦ୍ୱନ୍ଦରେ ପଡିଥିବା ରାଜନୈତିକ ବ୍ୟକ୍ତି ବୋଲି ଅଭିହିତ କରାଯାଏ । ନଅର ଭିତରେ ବାବାଜୀ ଭଳି ରହୁ ଥିବା ବ୍ୟକ୍ତି ବୋଲି ଚିତ୍ରଣ କରାଯାଏ । ପ୍ରଶଂସାର ଆଢୁଆଳରେ, ବିଭିନ୍ନ ଚିତ୍ରକଳ୍ପ ଓ ରୂପକଳ୍ପର ଅଭିନବ ପ୍ରୟୋଗ ମାଧ୍ୟମରେ ଇଂଗିତ କରାଯାଏ ଯେ ନବବାବୁ  ମୋଟରେ ଜଣେ ଅସଫଳ ରାଜନୈତିକ ବ୍ୟକ୍ତି ଥିଲେ,  ଯାହା କରିପାରିଥାନ୍ତେ ତାହା କଲେ ନାହିଁ । ଏସବୁ ଧାରଣା ଗୁଡିକର ପୁନର୍ବିଚାରର ଆବଶ୍ୟକତା ଅଛି । ପ୍ରକୃତରେ ନବବାବୁ ରାଜନୈତିକ ବ୍ୟକ୍ତି ଭାବେ କେତେ ଦ୍ୱନ୍ଦରେ ପଡିଥିଲେ ଓ ଆମେ ନବବାବୁଙ୍କ ବ୍ୟକ୍ତିତ୍ୱ କୁ ନେଇ କେତେ ଦ୍ୱନ୍ଦରେ ପଡିଛୁ?   ଏହା ସତ୍ୟ ଯେ ନବବାବୁଙ୍କର ରାଜନୈତିକ ସଂଚାର ପଥ ଦକ୍ଷିଣ ଦିଗକୁ ହିଁ ହୋଇଥିଲା । ଓଡିଶା ଭୂଇଁ ରେ ପ୍ରଥମ ସାମ୍ୟବାଦୀ ଗୋଷ୍ଠୀ ‘ଉକ୍ରଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ ର (ପ୍ରତିଷ୍ଠା ୧୯୩୩) ପ୍ରତିଷ୍ଠାତା ଥିଲେ ନବବାବୁ, ଯାହାର ନୂତନ ନାଁ ହୋଇଥିଲା  ହୋଇଥିଲା  ‘ଓଡିଶା କଂଗ୍ରେସ ସୋସିଆଲିଷ୍ଟ ପାର୍ଟି’ । କିନ୍ତୁ ୧୯୩୯ ମସିହାରେ ଏହି ସଂଗଠନରେ ଯେତେବେଳେ ବିଭାଜନ ହେଲା-ସାମ୍ୟବାଦୀ ମାନେ ସମାଜବାଦୀଙ୍କଠାରୁ ଅଲଗା ହୋଇଗଲେ, ସେତେବେଳେ ନବବାବୁ ସମାଜବାଦୀଙ୍କ ସହ ରହିଲେ । ପରେ ସମାଜବାଦୀ ମାନଙ୍କ ସାଂଗ ଛାଡିଦେଇ ନବବାବୁ କେବଳ ରହିଲେ କଂଗ୍ରେସରେ ଓ ଏହି ଦଳର ବିଧାୟକ ଭାବେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ । କାହିଁକି ଏପରି ହୋଇଥିଲା ନବବାବୁଙ୍କର ରାଜନୈତିକ ସଂଚାର ପଥ- ତାହାର ଯଥାର୍ଥ ଅନୁଶୀଳନର ଆବଶ୍ୟକତା ଅଛି । ସେ ତ ପୁଣି ୧୯୬୬-୬୭ ମସିହାରେ ଘୋଷଣା କରିଥିଲେ କଂଗ୍ରେସ ବିରୁଦ୍ଧରେ ରାଜସାକ୍ଷୀ ହେବେ ବୋଲି କାରଣ ସେ କଂଗ୍ରେସରେ ରହି ଜାଣିଥିଲେ କଂଗ୍ରେସର ଦୋଷତୃଟି ଓ ତେଣୁ ତାକୁ କ୍ଷମତାରୁ ହଟାଇବାର ଅପରିହାର୍ଯ୍ୟତା । ଜରୁରୀକାଳୀନ ପରିସ୍ଥିତିରେ ତାଙ୍କର ଗିରଫଦାରୀ ତ ସାବ୍ୟସ୍ତ କରିଦେଲା କଂଗ୍ରେସ ଦଳ ପ୍ରତି ନବବାବୁଙ୍କର ବିରୋଧ ର ତୀବ୍ରତା ।   ପୁନଶ୍ଚ ଯାହା ଆମକୁ ନଅର ଭଳି ଦେଖାଯାଉଛି ଓ ନବବାବୁ ସେ ନଅର ଭିତରର ବାବାଜୀ ଭଳି ଦିଶୁଥିଲେ ବୋଲି କୁହାଯାଉଛିି, ନବବାବୁ ତାହାକୁ କଣ କେବେ ନଅର ବୋଲି ଭାବୁଥିଲେ ନା, ଭାବୁଥିଲେ ଘର ଟିଏ ଓ ସେ ତା ଭିତରେ ଆତ ଯାତ ହେଉଥିବା ଜଣେ ମୁରବୀ ? ସେହିଭଳି ଯେଉଁ ମାପକାଠିରେ ନବବାବୁଙ୍କର ରାଜନୈତିକ ଅସଫଳତା ମପା ଯାଉଛି,  ସେହି ମାପକାଠି ଅନୁସାରେ ନବବାବୁ ତାଙ୍କ ରାଜନୈତିକ ଜୀବନ ଗଢିବା ଚାହିଁଥିଲେ କି? ଏହା ତ ଏକ ଅନସ୍ୱୀକାର୍ଯ୍ୟ ତଥ୍ୟ ଯେ ବହୁ ପ୍ରଗତିଶୀଳ ଲୋକଧର୍ମୀ ଆଇନର ପ୍ରବର୍ତ୍ତକ ଥିଲେ ନବବାବୁ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସେ ଏହି ଗୁଡିକର ବିଫଳତା ପ୍ରତି ସଚେତନ ଥିଲେ । ବିଫଳତାର କାରଣ ସଂପର୍କରେ ସେ ନିଜେ କୁହନ୍ତି , ‘ତଳୁ ଲୋକମାନେ ଚାପ ଦେଲେ ନାହିଁ । ଓଡିଆ ଭାଷାରେ ସରକାରୀ କାର୍ଯ୍ୟକ୍ରମ ପ୍ରଚଳନକୁ ଅମଲା ମାନେ ବିରୋଧ କଲେ । ……ଅଂଚଳ ଶାସନ ଆଇନ ପ୍ରଣୟନ ହେଲା । କିନ୍ତୁ ମୁଁ ଯିବାପରେ ମହତାବବାବୁ ଆସି ଆଉ ଏକ କମିଟି ବସାଇଲେ । ଏହା ଉପରେ ଅଫିସର ମାନେ ବସି ରିଭ୍ୟୁ ଆରମ୍ଭ କଲେ । ଅବଶ୍ୟ ଆଜି ଆଉ ଅଂଚଳ ଶାସନର ଚିହ୍ନ ବର୍ଣ୍ଣ ନାହିଁ ।’ (ପାକ୍ଷିକ ‘ବାର୍ତ୍ତାବହ’, ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା ମେ, ୧୯୭୮,ସମ୍ପାଦକ-ଗୁରୁ ମହାନ୍ତି) । ତେଣୁ ନବବାବୁଙ୍କର ସମୁଦାୟ ରାଜନୈତିକ ଆଚରଣ ଉପରେ ଏକ ବ୍ୟାପକ ସମୀକ୍ଷାର ଆବଶ୍ୟକତା ଅଛି; ଅର୍ଥନୈତିକ ଓ ସାମାଜିକ ସ୍ଥିତି ପ୍ରସଂଗରେ ତାଙ୍କର ଦୃଷ୍ଟିକୋଣର ମୂଲ୍ୟାୟନର ଆବଶ୍ୟକତା ଅଛି । ମନ୍ତବ୍ୟ ଇମ୍ପ୍ରେସନିସ୍ଟ (ସଜ୍ଞକ୍ଟ୍ରକ୍ସରଗ୍ଦଗ୍ଦସକ୍ଟଦ୍ଭସଗ୍ଦଗ୍ଧ) ନ ହୋଇ ତଥ୍ୟାଶ୍ରିତ ହେବା ଉଚିତ । କିନ୍ତୁ ନବବାବୁଙ୍କ ବ୍ୟକ୍ତିତ୍ୱର ଏକ ବ୍ୟାପକ ସମୀକ୍ଷା ପାଇଁ ଉପଲବ୍ଧ ତଥ୍ୟ ଯଥେଷ୍ଟ କି , ବିଶେଷତଃ ଯେତେବେଳେ ନବବାବୁ ନିଜେ ତାଙ୍କର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣକୁ ସ୍ୱତନ୍ତ୍ର ଭାବେ ଲିପିବଦ୍ଧ କରିନାହାନ୍ତି ?

ବି:ଦ୍ର: ଲେଖକଙ୍କ ଦ୍ୱାରା ନିଆ ଯାଇଥିବା ସାକ୍ଷାତକାର ଗୁଡିକ ନବକୃଷ୍ଣ ଚୈାଧୁରୀ ଜନ୍ମ ଶତବାର୍ଷିକୀ ପାଳନ ବର୍ଷରେ (୨୦୦୧) ହିଁ ନିଆ ଯାଇଛି । ନବବାବୁଙ୍କ ସହ ସାକ୍ଷାତକାର ପ୍ରକାଶ କରିଥିବା ପାକ୍ଷିକ ‘ବାର୍ତ୍ତାବହ’ ର ପ୍ରକାଶନ ସେହି ସଂଖ୍ୟା ପର ଠାରୁ ହିଁ ବନ୍ଦ ହୋଇଯାଇଛି ।

Print Friendly, PDF & Email