୧୬-୩୦ ଡିସେମ୍ବର, ୨୦୦୮
ବମ୍ବେ ସହରରେ, ପୁଣି ଭାରତବର୍ଷର ସବୁଠାରୁ ବିଳାସପୂର୍ଣ୍ଣ ହୋଟେଲ ତାଜ୍ରେ ସନ୍ତ୍ରାସବାଦୀ ମାନଙ୍କର ତାଣ୍ଡବ ସମାଜର ଅତି ଧନୀବର୍ଗ ଭିତରେ ଆତଙ୍କ ଖେଳାଇଦେଇଛି । ଏହା ପୂର୍ବରୁ ସନ୍ତ୍ରାସବାଦୀ ମାନେ ଭାରତର ବିଭିନ୍ନସ୍ଥାନରେ, ସାଧାରଣ ସ୍ଥାନ ମାନଙ୍କରେ ବିସ୍ଫୋରଣାଦି କରି ବହୁ ଜନଜୀବନ ନଷ୍ଟ କରିଥିଲେ ହେଁ-ଯେପରି ପ୍ରଚାର ପ୍ରସାର ଘରୋଇ ଟି.ଭି ଚ୍ୟାନେଲମାନଙ୍କରେ ତାଜ୍ ହୋଟେଲରେ ଆତଙ୍କର ହୋଇଛି, ତାହା ଅଭୂତପୂର୍ବ । ଏହା ଅବଶ୍ୟ ଅସ୍ୱାଭାବିକ ନୁହେଁ କାରଣ ଏହି ଅତି ଧନୀବର୍ଗଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ନିୟନ୍ତ୍ରଣରେ ହିଁ ରହିଛି ପ୍ରାୟ ସବୁ ଘରୋଇ ଟି.ଭିଚ୍ୟାନେଲ । ଏହି ଚ୍ୟାନେଲଗୁଡ଼ିକ ଉକ୍ତ ଆକ୍ରମଣ ଘଟଣା ତୀବ୍ର ଓ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟିକରିଛି ବୋଲି ଦର୍ଶାଇବାକୁ ଅହରହ ଚେଷ୍ଟା କରିଛନ୍ତି । ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେପରି ସାଧାରଣଲୋକେ ଏହି ଘଟଣା ପାଇଁ ରାଜନୈତିକ ନେତାଙ୍କୁ ହିଁ ଦାୟୀକରନ୍ତି । ରାଜନୈତିକ ବ୍ୟକ୍ତିଙ୍କୁ ଛି’ଛାକର କରୁଥିବା ଲୋକଙ୍କ ଉପରେ ହିଁ କ୍ୟାମେରାର ଆଲୁଅକୁ ବେଶୀ ସମୟ ରଖିଛନ୍ତି । କିନ୍ତୁ ଏହା ସହିତ ଆଉ ଯେଉଁ ପ୍ରତିକ୍ରିୟାକୁ ଏହି ଚ୍ୟାନେଲମାନେ ଗୁରୁତ୍ୱ ଦେଇଛନ୍ତି ତାହା ହେଉଛି ପୁଲିସ, ସୈନ୍ୟବାହିନୀ ଓ କମାଣ୍ଡୋମାନଙ୍କର ଜୟ ଜୟକାର । ମନେହେଉଛି ଯେପରି ଏହି ଚ୍ୟାନେଲ ଗୁଡ଼ିକ କହୁଛନ୍ତି ଯେ ସମାଜରେ ଅତି ଧନୀବର୍ଗଙ୍କୁ ରାଜନୈତିକ ଶକ୍ତି ସୁରକ୍ଷା ଦେବାପାଇଁ ଅସମର୍ଥ – ସାମରିକ ଶକ୍ତିର ଶରଣାଗତ ହିଁ ହେବାକୁ ହେବ । କେହି ଯଦି ଏହି ପ୍ରକ୍ରିୟାକୁ ଆଗେଇ ନେଇ କୁହେ ଯେ ଭାରତର ଧନୀକବର୍ଗ ଓ ତାହାର ଅନୁଗତ ମଧ୍ୟମବର୍ଗ ସାମରିକ ଶାସନକୁ ଆଲିଙ୍ଗନ କରିବା ପାଇଁ ପ୍ରସ୍ତୁତ ହେଉଛି-ତାହା ହେଲେ ଏହା ଅତିଶୟୋକ୍ତି ହେବ କି? ବୋଧହୁଏ ନୁହେଁ କାରଣ ଏକଚ୍ଛତ୍ରବାଦୀ ଶାସନ ବ୍ୟବସ୍ଥାରେ ପୁଞ୍ଜିବାଦୀ ବ୍ୟବସ୍ଥାର ଅପ୍ରତିହତ ବିକାଶର ନଜିର ଦକ୍ଷିଣପୂର୍ବ ଏସୀୟ ଦେଶମାନଙ୍କରେ ଦେଖିବାକୁ ମିଳିଛି । ଏକଛତ୍ରବାଦୀ ସାମରିକ ଶାସନ ବ୍ୟବସ୍ଥାଭିତରେ ପୁଞ୍ଜିବାଦ ବିଶେଷ ସୁରକ୍ଷିତ ରହିପାରେ ବୋଲି ଧାରଣା ଆମ ଦେଶର ପୁଞ୍ଜିପତିମାନଙ୍କ ମନରେ ଜନ୍ମିବା ଅସ୍ୱାଭାବିକ ନୁହେଁ । ତେବେ ପୁଞ୍ଜିପତି ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ରାଜନୈତିକ ନେତୃବୃନ୍ଦଙ୍କୁ ଇତ୍ୟବସରରେ ବଳି ପକାଇ ଦିଆଯାଇଛି । ଏଯାବତ୍ କୌଣସି ଆତଙ୍କବାଦୀ ବିସ୍ଫୋରଣ ଦୋହଲାଇ ପାରିନଥିବା କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କୁ ତାଜ୍ହୋଟେଲ ଘଟଣା ଗାଦିଚୁ୍ୟତ କରିଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ ଆର୍.ଆର୍.ପାଟିଲ ମଧ୍ୟ ସେମାନଙ୍କର ପଦବୀରୁ ବିତାଡ଼ିତ ହୋଇଛନ୍ତି । ତଥାପି ଏହା ଯଥେଷ୍ଟନୁହେଁ ବୋଲି କେତେକ ବମ୍ବେବାସୀ ଯୁକ୍ତି କରନ୍ତି । ସେମାନଙ୍କ ମତରେ ବମ୍ବେକୁ ସମ୍ପୂର୍ଣ୍ଣଭାବେ ରାଜନୈତିକ ଶ୍ରେଣୀର ଶାସନରୁ ମୁକ୍ତକରି ଏହାକୁ ଏକ ସ୍ୱୟଂଶାସିତ (Self Governing) ନଗର-ରାଷ୍ଟ୍ର (City State)ର ମର୍ଯ୍ୟାଦା ଦିଆଯାଉ ଓ ଅମ୍ବାନୀ ଭ୍ରାତାଦ୍ୱୟ, ରତନ ଟାଟାଙ୍କ ଭଳି ଖ୍ୟାତନାମା ଲୋକଙ୍କ ହାତରେ ଏହି ନଗର ରାଷ୍ଟ୍ରର ପରିଚାଳନା ଭାର ନ୍ୟସ୍ତ କରାଯାଉ ।
କହିବାବାହୁଲ୍ୟ ଯେ ଏଭଳି ମାନସିକତା ରାଜନୈତିକ ଶ୍ରେଣୀ ପାଇଁ ଆଦୌ ଅନୁକୂଳ ନୁହେଁ । ଯେଉଁ ଗୋଷ୍ଠୀକୁ ତୁଷ୍ଟ କରିବାକୁ ଯାଇ ଆଜିର ମୁଖ୍ୟ ଧାରାର ରାଜନୈତିକ ଶ୍ରେଣୀ ସାଧାରଣ ଲୋକର ଜୀବନଜୀବିକା ପ୍ରତି ଉଦାସୀନ, ସେହି ଗୋଷ୍ଠୀ ଆଜି ଏହି ରାଜନୈତିକ ଶ୍ରେଣୀଠାରୁ ଦୂରାଇବା ପାଇଁ ନିଜକୁ ପ୍ରସ୍ତୁତ କଲାଣି । ଏହି ପ୍ରକ୍ରିୟାରେ କ୍ରମଶଃ ଗୁରୁତ୍ୱ ଓ ବିଶ୍ୱସନୀୟତା ହରାଉଥିବା ରାଜନୈତିକ ଶ୍ରେଣୀ ସାମରିକ ପ୍ରଶାସନ ଦ୍ୱାରା ପରିଶେଷରେ କବଳିତ ହୋଇଯିବ ନାହିଁ ତ?