ଗତ ଦୁଇ ଦଶନ୍ଧି ଧରି ଉଭୟ ବିଜୁବାବୁ ଓ ନବୀନବାବୁଙ୍କ ଅଧିନରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ବ୍ରହ୍ମପୁରରେ ଆୟୋଜିତ ବିଜୁ ଜନତା ଦଳର ମହା ସମାବେଶରେ (୧୯.୧୦.୨୦୧୨) ଓ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ଦଳର ‘ସଭାପତି’ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘‘ଆମେ ସବୁ ନବୀନ ପଟ୍ଟନାୟକଙ୍କର ଚାକର’’ ବୋଲି ଘୋଷଣା କରିବା ପ୍ରତିପାଦିତ କରୁଛି ଯେ ସୂର୍ଯ୍ୟବାବୁଙ୍କର ଆଚରଣ ଓ ଉଚ୍ଚାରଣରେ କୌଣସି ପାର୍ଥକ୍ୟ ନାହିଁ । ଏଭଳି ସାଧୁତା ପାଇଁ ସେ ଅଭିନନ୍ଦନର ପାତ୍ର । ଯେଉଁମାନେ ତାଙ୍କୁ ସମାଲୋଚନା କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କର ରାଜନୈତିକ ଖାମିଦ ମାନଙ୍କ ପାଇଁ ଚାକର ସଦୃଶ ଆଚରଣ ପ୍ରଦର୍ଶନ କରୁଥିଲେ ହେଁ ପାତ୍ର ଆଜ୍ଞାଙ୍କ ଭଳି ଉଚ୍ଚାରଣ କରିବାର ସତ୍ସାହସ ଦେଖାଇ ନାହାନ୍ତି । ହୋଇପାରେ ଏପରି ଉଚ୍ଚାରଣ, ପାଖା ପାଖି ଲକ୍ଷେ ଗଞ୍ଜାମବାସୀଙ୍କ ସମ୍ମୁଖରେ କରି, ତାଙ୍କ ପିଠିରେ ବସିଥିବା “ପ୍ୟାରୀ ଅନୁଗତ’’ ର ମୋହରକୁ ଲିଭାଇବା ପାଇଁ ବିକଳ ଉଦ୍ୟମ କରିଛନ୍ତି । କେବଳ ସେତିକି ନୁହେଁ – ପ୍ୟାରୀବାବୁଙ୍କର ରାଜ୍ୟସଭା ସଦସ୍ୟତାକୁ ଉପଲକ୍ଷ କରି, ସେ ନବୀନ ବାବୁଙ୍କ ଉପରେ ଅଭିମାନ ପ୍ରଦର୍ଶନ କରିଛନ୍ତି – ଯାହାର ମର୍ମ ହେଉଛି ନବୀନ ବାବୁ ଜଣେ ଚାକରକୁ ରାଜ୍ୟସଭା ପଠାଇ କାହିଁକି ବଦାନ୍ୟତା ଦେଖାଉଥିଲେ ? ଦଳ ଭିତରେ ସୂର୍ଯ୍ୟ ବାବୁଙ୍କର ପ୍ରତିଦ୍ୱନ୍ଦୀମାନେ ଅବଶ୍ୟ ପ୍ୟାରୀଙ୍କ ପ୍ରତି ସୂର୍ଯ୍ୟଙ୍କର ଆନୁଗତ୍ୟର ବିଭିନ୍ନ ନଜିର ଦେବାରୁ ବିରତ ହେଉ ନାହାନ୍ତି । ଏପରିକି ‘‘ଆମେ ସବୁ ନବୀନବାବୁଙ୍କର ଚାକର’’ କହି ସେ ପ୍ୟାରୀବାବୁଙ୍କ ହାତରେ ଏକ ଅସ୍ତ୍ର ଧରାଇ ଦେଇଛନ୍ତି ଓ ବିଜୁ ଜନତା ଦଳ ଭିତରେ ଏକଛତ୍ରବାଦ ଚାଲିଛି ବୋଲି ଯେଉଁ ଅଭିଯୋଗ ପ୍ୟାରୀବାବୁ ଉଠାଇଛନ୍ତି ତାହା ପାଇଁ ଏକ ପ୍ରାମାଣିକ ଆଧାର ଯୋଗାଇ ଦେଇଛନ୍ତି । ଅର୍ଥାତ୍ ସୂର୍ଯ୍ୟଙ୍କର-ପ୍ୟାରୀଙ୍କ ପ୍ରତି ଆନୁଗତ୍ୟ ଅବ୍ୟାହତ ରହିଛି -ଏହି ସମ୍ବାଦ ଦେବା ପାଇଁ ତାଙ୍କର ପ୍ରତିଦ୍ୱନ୍ଦୀମାନେ ଚାହିଁଛନ୍ତି । ଏହିଭଳି ବ୍ୟୁତ୍ପତ୍ତି ଏକ ଅନନ୍ୟ ସୃଜନଶୀଳତାର ନିଦର୍ଶନ ଏଥିରେ ସନ୍ଦେହ ନାହିଁ । ତେବେ ସୂର୍ଯ୍ୟଙ୍କର ଘୋଷଣାର ଆକ୍ଷରିକ ଅନୁଶୀଳନ ଯଦି କରାଯାଏ, ତାହାଲେ ତାଙ୍କ ଉକ୍ତିରେ ଥିବା ‘ଆମେ’ ଶବ୍ଦ ଭିତରେ ସେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଓ ବିଜୁ ଜନତା ଦଳର କର୍ମୀ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିଦେଇଛନ୍ତି । ଏଯାବତ୍ ଆମେ ସାଧାରଣ ଲୋକ (ଆମ ଆଦମୀ), ଯେଉଁମାନଙ୍କୁ ଜନ ପ୍ରତିନିଧିର ସମ୍ମାନ ଦେଇଥିଲୁ, ଦେଶର ସେବାରେ ‘ଉତ୍ସର୍ଗୀକୃତ’ ବୋଲି ଧାରଣା ପୋଷଣ କରୁଥିଲୁ- ସେମାନେ ଯେ ନବୀନଙ୍କର ଚାକର, ଏହା ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଠାରୁ ଜାଣି ବୁଝିଲୁ ଯେ ବିଜୁ ଜନତା ଦଳ ରାଜ୍ୟର ସ୍ୱାର୍ଥ ଅପେକ୍ଷା ନବୀନଙ୍କର ସେବାରେ ହିଁ ବେଶୀ ମାତିଛି । ଏହା ଭିନ୍ନ କଥା ଯେ ସୂର୍ଯ୍ୟ ପାତ୍ରଙ୍କର ଏହିଭଳି ଘୋଷଣା ପ୍ରତି ଉଦାସୀନ ଥିଲେ ଦର୍ଶକ । ବାରମ୍ବାର କରତାଳି ଓ ହୁଳହୁଳି ଦେବା ପାଇଁ ବକ୍ତାମାନଙ୍କ ପକ୍ଷରୁ ଅନୁରୋଧ ହେଉଥିଲେ ହେଁ- ଉତ୍ତର ଥିଲା ଅତ୍ୟନ୍ତ କ୍ଷୀଣ । ବୋଧହୁଏ ଦର୍ଶକ ଭାବେ ଉପସ୍ଥିତ ସାଧାରଣ ଜନତା ନିଜକୁ କୌଣସି ବ୍ୟକ୍ତି ବିଶେଷର ଚାକର ବୋଲି ବିଚାର କରିବା ସ୍ୱାଭୀମାନ ବିରୋଧୀ ବୋଲି ଭାବୁଥିଲେ । ହୁଏତ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ ସ୍ୱାଭୀମାନୀ ଓଡିଆ ଯେଉଁ ବିଜୁବାବୁଙ୍କର ଲକ୍ଷ୍ୟ ଥିଲା, ତାଙ୍କରି ନାଁ ରେ ଠିଆ ହୋଇଥିବା ଦଳର ଜଣେ ବରିଷ୍ଠ ମନ୍ତ୍ରୀ, ବିଜୁପୁତ୍ର ନବୀନଙ୍କର ଉପସ୍ଥିତିରେ ଓଡିଆର ସ୍ୱାଭିମାନକୁ ପଦଦଳିତ କରୁଛି । ଯଦି ସେମାନଙ୍କ ଭିତରୁ କେହି କେହି କହୁଥିଲେ ଯେ ବିଜୁ ଜନତା ଦଳରୁ “ବିଜ”ୁ ନାଁ କାଢି ନେଇ, ସେ ସ୍ଥାନରେ “ନବୀନ” ଲେଖାଯାଉ- ସେମାନେ ଭୁଲ କହୁନଥିଲେ । ‘ବିଜୁ ଜନତା ଦଳ’ ର ନବୀନ ନାମ ‘ନବୀନ ଜନତା ଦଳ’ ହେଉ ବୋଲି ସେମାନେ ପ୍ରକାରାନ୍ତରେ ଇଙ୍ଗିତ ଦେଉଥିଲେ । ‘ନବୀନ ଜନତା ଦଳ’ ପାଇଁ ସମ୍ବିଧାନରେ ପ୍ରସ୍ତାବନା (Preamble) ର କଥନଟି ତାହାଲେ କିପରି ହୋଇପାରେ (ଭାରତୀୟ ସମ୍ବିଧାନର ପ୍ରସ୍ତାବନାର ଅନୁକରଣରେ) – ତାହା ପାଠକଙ୍କର ଅନୁମାନ ପାଇଁ ଛାଡିଦେବା ଶୁଦ୍ରକ ଉଚିତ ମନେ କରୁଛି ।
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଘଟିବାର (୨୮.୧୦.୨୦୧୨) ୩-୪ଦିନ ପୂର୍ବରୁ ଗଣମାଧ୍ୟମରେ ଅବିରାମ ଚର୍ଚ୍ଚା ଚାଲିଥିଲା, କିଏ ମନ୍ତ୍ରୀ ହେବ, କାହାର ମନ୍ତ୍ରୀମଣ୍ଡଳରେ ପଦୋନ୍ନତି ହେବ, ରାହୁଳ ଗାନ୍ଧୀଙ୍କର ଅନୁଗତମାନେ କେତେ ସୁଯୋଗ ପାଇବେ, ଇତ୍ୟାଦି । କିନ୍ତୁ ଏହି ପୂର୍ବାନୁମାନ ଗୁଡିକ ଯେ ଭିତ୍ତିହୀନ ଥିଲା ତାହା ବିଶେଷ ଭାବେ ବାରି ହୋଇଗଲା ଯେତେବେଳେ ରାହୁଳ ଗାନ୍ଧୀଙ୍କର କୌଣସି ଅନୁଗତ ଏହି ସୁଯୋଗ ପାଇଲେ ନାହିଁ । ସଚିନ ପାଇଲଟ, ମିଲିନ୍ଦ ଦେଓରା, ଜ୍ୟୋତିନ୍ଦ୍ରିୟ ସିନ୍ଧିଆ ଆଦି କ୍ୟାବିନେଟ ମନ୍ତ୍ରୀ ହୋଇପାରିଲେ ନାହିଁ । ରାଷ୍ଟ୍ରମନ୍ତ୍ରୀ ଭାବେ ହିଁ ରହିଲେ,ଅବଶ୍ୟ ସ୍ୱାଧୀନ ଦାୟିତ୍ୱରେ ମଣ୍ଡିତ ହୋଇ । ମୀନାକ୍ଷୀ ନଟରାଜନ, ପ୍ରଦୀପ ମାଝୀ, ଇତ୍ୟାଦି ମନ୍ତ୍ରୀମଣ୍ଡଳରେ ପଶି ପାରିଲେ ନାହିଁ । ସାମ୍ବାଦିକ ବିନୋଦ ମେହେଟ୍ଟା ଏକ ସାକ୍ଷାତକାରରେ ଏହିଭଳି ପୂର୍ବାନୁମାନର ଭିତ୍ତିକୁ ପ୍ରଶ୍ନ କରିଥିଲେ । କେଉଁଠାରୁ ସୂଚନା ପାଇ ସାମ୍ବାଦିକମାନେ ଏପରି ପୂର୍ବାନୁମାନ କରୁଥିଲେ ? ସଂପ୍ରସାରଣ ପୂର୍ବରୁ ରାହୁଳ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟିବା, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ହୁଏତ ଏହିଭଳି ପୂର୍ବାନୁମାନ ପାଇଁ ଆମର ସୃଜନଶୀଳ, ଖବର ବ୍ୟାକୁଳ ସାମ୍ବାଦିକମାନଙ୍କୁ ଖୋରାକ ଯୋଗାଇଥିବ । ଗଣମାଧ୍ୟମରେ ରାହୁଳ ଗାନ୍ଧୀଙ୍କ ଅନୁଗତମାନଙ୍କ ସପକ୍ଷରେ ଏହିଭଳି ଏକ ଅନୁକୂଳ ଆହ୍ୱାନ ସୃଷ୍ଟି କରାଯାଇ, ପରେ ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ନିଯୁକ୍ତି ବା ପଦୋନ୍ନତି ନ ଦେବା ଏକ ସୁଚିନ୍ତିତ ଯୋଜନାର ଅଂଶ ବିଶେଷ ହୋଇଥିବା ବିଚିତ୍ର ନୁହେଁ । ଏହାଦ୍ୱାରା ଉପା ସରକାର ଯିଏ କି ନିକଟ ଅତୀତରେ ରବର୍ଟ ଭାଦ୍ରାଙ୍କର ଦୁର୍ନୀତିକୁ ସୁରକ୍ଷା ଦେଉଛନ୍ତି ବୋଲି ନିନ୍ଦିିତ ହେଉଥିଲେ ଓ ସୋନିଆ ଗାନ୍ଧୀଙ୍କର ପରିବାରର ପ୍ରଭାବରେ ନିଷ୍ପତ୍ତିମାନ ନେଉଛନ୍ତି ବୋଲି ସମାଲୋଚିତ ହେଉଥିଲେ, ସେହି ସରକାର ରାହୁଳ ଗାନ୍ଧୀଙ୍କର ଅନୁଗତ ମାନଙ୍କୁ ବଞ୍ôଚତ କରି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ ଉପା ସରକାର ସୋନିଆଙ୍କ ପରିବାରର ନିୟନ୍ତ୍ରଣରୁ ଉଦ୍ଧ୍ୱର୍ରେ ।
କଂଗ୍ରେସ ଦଳରେ ବହୁ ଚତୁର ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଚତୁରତା କୋକିଶିଆଳୀର ଚତୁରତାକୁ ମାତ୍ ଦେବ । ତେଣୁ ଘଟଣା ପୂର୍ବରୁ ରାହୁଳ ଗାନ୍ଧୀଙ୍କର ପ୍ରଭାବକୁ ପ୍ରଚୁର ପ୍ରଚାର କରି, ବାସ୍ତବ ଘଟଣା ସମୟରେ ଅନ୍ୟଥା କରିବା ପଛରେ ରହିଛି ଦର୍ଶାଇବା ଯେ କଂଗ୍ରେସ ସୋନିଆ ଗାନ୍ଧୀଙ୍କର ହସ୍ତ ମୁଦି ମହାଲ ନୁହେଁ । କଂଗ୍ରେସର ଏହି ଚତୁର ବ୍ୟକ୍ତିମାନେ ବୁଝିଥିଲେ ଯେ ପରିବାରବାଦର ଅପବାଦରେ ଛନ୍ଦି ହୋଇ ରହିବା କଂଗ୍ରେସ ଦଳର ରାଜନୈତିକ ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ । ତେଣୁ ଭିନ୍ନ ଭିନ୍ନ କୌଶଳର ଅବଲମ୍ବନ । ତେବେ ଭାରତର ଆମ ଆଦମୀ ବା ସାଧାରଣ ଜନତାର ରାଜନୈତିକ ପରିପକ୍ୱତା ଏତେ ନିମ୍ନସ୍ତରର ନୁହେଁ ଯେ ଏ’ଭଳି କୌଶଳ ଗୁଡିକୁ ସେ ବୁଝିପାରିବ ନାହିଁ ।
ଓଡିଶାରୁ ରାହୁଳ ଅନୁଗତ ପ୍ରଦୀପ ମାଝୀ ତେଣୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ପାଇବା ସ୍ୱାଭାବିକ । କିନ୍ତୁ ଗତ ୩ବର୍ଷ ଧରି କ୍ୟାବିନେଟ୍କୁ ଉନ୍ନୀତ ହେବା ପାଇଁ ଅପେକ୍ଷା କରିଥିବା ଶ୍ରୀକାନ୍ତ ଉନ୍ନୀତ ହେଉଛନ୍ତି ବୋଲି ପ୍ରଚାର ସତ୍ତେ୍ୱ, ନ ହୋଇ ପାରିବା ବାସ୍ତବିକ ଏକ ନୈରାଶ୍ୟଜନକ ଘଟଣା । ଯେତେବେଳେ ହେଉଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର ହେଉଥିଲା ସେତେବେଳେ କଂଗ୍ରେସ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶାରୁ ଅଧିକ ସଭ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ସ୍ୱାଗତ ଯୋଗ୍ୟ ବୋଲି ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ । ଯେଉଁମାନେ ସ୍ମରଣ କରନ୍ତି ଯେ ଜାନକୀ ପଟ୍ଟନାୟକ ରାଜ୍ୟ କଂଗ୍ରେସର ଲଗାମ ଧରିଥିବା ବେଳେ କେନ୍ଦ୍ରରେ ତାଙ୍କ ଦଳର କେହି କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇ ନଥିଲେ, ସେମାନେ ବୁଝି ପାରୁଥିବେ ଯେ ନିରଞ୍ଜନଙ୍କ ହାତରେ ରାଜ୍ୟ କଂଗ୍ରେସର ଯେତେବେଳେ ଲଗାମ ସେତେବେଳେ ଶ୍ରୀକାନ୍ତ କ୍ୟାବିନେଟ୍ ପାହ୍ୟା ପାଇବାର ସମ୍ଭାବନା ଥିଲା କେତେ ?
ଏକାଠି ହେଲେ ବିଜେପି ଓ କଂଗ୍ରେସ !
ମନେପଡୁଛି ସ୍ତମ୍ଭକାର, କାର୍ଟୁନିଷ୍ଟ ଓ ଏକଦା ଜନତା ପାର୍ଟିର ସଚିବ ରାଜୀନ୍ଦର ପୁରୀଙ୍କର ପ୍ରସ୍ତାବ ଯେ ବିଜେପି ଓ କଂଗ୍ରେସ ମିଳିତ ହୋଇ ସରକାର ଗଢନ୍ତୁ । କାରଣ ଉଭୟଙ୍କର ଅର୍ଥନୈତିକ ଆଦର୍ଶ ସମାନ । ଏହାଦ୍ୱାରା ବିଭିନ୍ନ ଛୋଟ ଛୋଟ ଦଳ ଉପରେ ନିର୍ଭରଶୀଳ ହୋଇ ସରକାର କରିବା ପାଇଁ ମେଣ୍ଟ କରିବା ଆବଶ୍ୟକ ହେବ ନାହିଁ । ତେବେ ଏହି ପ୍ରସ୍ତାବକୁ ଉଭୟ ଯେ ଗ୍ରହଣ କରି ନାହାନ୍ତି- ତାହାର ନଜିର ଅନେକ ଯାହାର ଅବତାରଣାର ଆବଶ୍ୟକତା ନାହିଁ । କିନ୍ତୁ ଏବେ ଯେଉଁ ଘଟଣା ସବୁ ଭାରତୀୟ ରାଜନୀତିରେ ଦୃଶ୍ୟ ହେଉଛି – ସେଥିରୁ ସେମାନେ ଆଉ ଏକ ଦିଗରୁ ଏକାଠି ହେଉଥିବାର ସୂଚନା ମିଳୁଛି । ଏହା ହେଉଛି ଅରବିନ୍ଦ କେଜରିୱାଲଙ୍କର ଅନାମ ରାଜନୈତିକ ଦଳର ସୌଜନ୍ୟରୁ । ଅରବିନ୍ଦ କେଜରିୱାଲଙ୍କର ଟିମ୍ ଗତ (ଅକ୍ଟୋବର) ମାସ ସାରା କଂଗ୍ରେସ ଓ ବିଜେପିର ତୁଙ୍ଗ ନେତା ଓ ସେମାନଙ୍କର ସଂପର୍କିତ ବ୍ୟକ୍ତି ମାନଙ୍କର ଦୁର୍ନୀତି ବିରୋଧରେ ଯେଉଁ ପ୍ରକାର ଆକ୍ରମଣ ଚଳାଇଲେ, ତାହା ହିଁ ସେମାନଙ୍କୁ ପରସ୍ପର ପ୍ରତି ସ୍ୱହାନୁଭୂତିଶୀଳ କରି ଦେଇଥିବା ମନେହୁଏ । ଆଗାମୀ ସଂସଦ (ଶୀତକାଳୀନ) ଅଧିବେଶନରେ ରବର୍ଟ ଭାଦ୍ରା ଓ ସଲମାନ ଖୁର୍ସିଦଙ୍କ ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉତ୍ଥାପନ କରିବା ବିଜେପି ଦ୍ୱାରା ଯେ ସମ୍ଭବ ହେବ ନାହିଁ – ତାହା ରାଜନୈତିକ ପର୍ଯ୍ୟବେକ୍ଷକ ମାନେ କହିବା ସ୍ୱାଭାବିକ । କାରଣ ବିଜେପି ଅଧ୍ୟକ୍ଷ ନିତୀନ ଗଡକରୀଙ୍କ ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗ ଓ ଉପା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ତଦନ୍ତ ବିଜେପିକୁ ନୀରବ ରହିବା ପାଇଁ ବାଧ୍ୟ କରିବ । ତେଣୁ ଯେଉଁମାନେ ଆଶା କରୁଛନ୍ତି ଯେ ବର୍ଷାକାଳୀନ ଅଧିବେଶନ ପରି, ଶିତକାଳୀନ ଅଧିବେଶନର ଅବରୋଧ ହେବ ନାହିଁ, ବରଂ ସୁରଖୁରୁରେ ଚାଲିବ- ସେମାନଙ୍କର ଆଶା ନିରର୍ଥକ ହେବ ନାହିଁ । ଅପର ପକ୍ଷରେ ଯେଉଁମାନେ ସଂସଦର ଅବରୋଧକୁ ନେଇ ବିବ୍ରତ ହେଉଥିଲେ, ମିନିଟ୍ ପିଛା ବ୍ୟୟର ଆକଳନ କରୁଥିଲେ, ଉଚ୍ଚଭତ୍ତା ଭୋଗୀ ସାଂସଦ ମାନଙ୍କର କର୍ମସମୟ ଅପଚୟ ବିରୋଧରେ କ୍ଷୋଭୋକ୍ତି କରୁଥିଲେ, ସେମାନଙ୍କୁ ଶୀତକାଳୀନ ଅବସର ଏପରି ଉପଲବ୍ଧି ପାଇଁ ଅବସର ଦେବ ନାହିଁ ବୋଲି ଅନୁମାନ କରାଯାଇପାରେ । ଏହାର ଶ୍ରେୟ ଉଭୟ ଶାସକ ଓ ବିରୋଧୀ ଦଳ ଭିତରେ ଥିବା ଓ କେଜରିୱାଲ ଟିମ୍ ଦ୍ୱାରା ପ୍ରଦର୍ଶିତ ହୋଇଥିବା ସାଧାରଣ ଗୁଣନୀୟକ ଦୁର୍ନୀତି କୁ ହିଁ ଯିବ ଏଥିରେ ସନ୍ଦେହ ନାହିଁ । କହିବା ବାହୁଲ୍ୟ ଯେ କେଜରିୱାଲଙ୍କର ‘ଦୁର୍ନୀତି ବିରୋଧରେ ଭାରତ’ , ‘ଭାରତ ବିରୋଧରେ ଦୁର୍ନୀତି’କୁ ସଂଗଠିତ ହେବା ପାଇଁ ଅବସରଟିଏ ସୃଷ୍ଟି କରିଦେଇଛି ।
ପ୍ୟାରୀଙ୍କ ସମାବେଶ
ବିଜୁ ଜନତା ଦଳ ଭିତରେ ସଂସ୍କାର ଆଣିବା ପାଇଁ, ଗଣତନ୍ତ୍ରର ପ୍ରତିଷ୍ଠା, ଏକଛତ୍ରବାଦର ବିଲୋପ ତଥା ଦଳ ପ୍ରତିନିଧି ମାନଙ୍କର ଆତ୍ମସମ୍ମାନର ପୁନରୁଦ୍ଧାର ପାଇଁ ସୃଷ୍ଟ ଓଡିଶା ଜନମୋର୍ଚ୍ଚା ଇତ୍ୟବସରରେ (୨୮.୧୦.୨୦୧୨) ଏକ ବିଶାଳ ସମାବେଶ ସଂଘଟିତ କରିବାରେ ସଫଳ ହୋଇଛି । ୫୦,୦୦୦ ସମର୍ଥକ ଏହି ସମାବେଶରେ ଯୋଗ ଦେବେ ବୋଲି ଘୋଷଣା କରିଥିବା ମୋର୍ଚ୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର, ପ୍ରାୟଃ ୨୦ରୁ ୨୫ହଜାର ସମର୍ଥକ, ବିଭିନ୍ନ ପ୍ରତିବନ୍ଧକ ସତ୍ତେ୍ୱ, ଯୋଗାଡ କରିପାରିବା- କମ ବଡ ସଫଳତା ନୁହେଁ । ନବୀନ ବାବୁଙ୍କର ଭାବମୁର୍ତ୍ତିକୁ ତିଆରି କରିଥିବା ପ୍ୟାରୀମୋହନ, ତାହାକୁ ଭାଙ୍ଗିବାରେ ପ୍ରବୃତ୍ତ ହେବ. ତାହା ପୁଣି ପ୍ରଥମଥର ପାଇଁ ସର୍ବସାଧାରଣରେ, ନିଶ୍ଚିତଭାବେ ସମସ୍ତଙ୍କ ପାଇଁ ଥିଲା ଅପ୍ରତ୍ୟାଶିତ । ଯେଉଁମାନେ ଭାବିଥିଲେ ଯେ ନିଲମ୍ବିତ ପ୍ୟାରୀମୋହନ, ପୂର୍ବରୁ ନିଲମ୍ବିତ ହୋଇଥିବା ସଭ୍ୟମାନଙ୍କ ଭଳି, କୈଫୟତ ନେଇ, ନିଲମ୍ବନ ଉଠାଇନେବା ପାଇଁ ଅନୁରୋଧ କରିବେ । ସେମାନଙ୍କୁ ଏହି ସମାବେଶ ସ୍ତବ୍ଧ କରିଦେଇଛି । ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପରି ସେମାନେ ପ୍ୟାରୀଙ୍କର ବହିଷ୍କାର ଦାବି କରି ନିଜର ସ୍ତବ୍ଧତାକୁ ଘୋଡାଇ ପକାଇବାକୁ ଚାହିଁଛନ୍ତି । ପ୍ୟାରୀ ବହିଷ୍କାର ଆଦେଶକୁ ସ୍ୱାଗତ କରିବା ନିଶ୍ଚିତଭାବେ ସେମାନଙ୍କୁ ଆହୁରି ଆଶ୍ଚର୍ଯ୍ୟ କରୁଥିବ । କିନ୍ତୁ ସହସା ନିଷ୍ପତ୍ତି ନେବା (ବିଶେଷତଃ ନିଲମ୍ବନ ଓ ବହିଷ୍କାର ଆଦିରେ) ରେ ନିପୂଣ ନବୀନ କାହିଁକି ଏଯାବତ୍ ପ୍ୟାରୀଙ୍କୁ ବହିଷ୍କାର କରୁନାହାନ୍ତି ତାହାହିଁ ତାତ୍ପର୍ଯ୍ୟ ପୂର୍ଣ୍ଣ ; ଯଦି ପ୍ୟାରୀଙ୍କୁ ଏକ ରାଜନୈତିକ ଦଳ ଗଠନ କରିବାର ସୁଯୋଗ ନ ଦେବା ପାଇଁ – ତାହାଲେ ତ କଥା ଦୋସରା । ବା ନବୀନ ଅପେକ୍ଷା କରୁଛନ୍ତି କି ପ୍ୟାରୀ ରାଜନୈତିକ ଦଳଟିଏ ଗଠନ କରି- ବହିଷ୍କାର ହେବାର ବାଟ ନିଜେ ଫିଟାଇବେ ?
ତେବେ ପ୍ୟାରୀଙ୍କର ସମାବେଶ ଓ ଏହି ସମାବେଶର ସଫଳତା ଦ୍ୱାରା ଉତ୍ସାହିତ ହୋଇ ଓଡିଶାରେ ବିଭିନ୍ନ ସ୍ଥାନରେ ସମାବେଶ କରିବାର ଘୋଷଣା, ବିଜୁ ଜନତା ଦଳ ଭିତରେ ଯେ ଏକ କମ୍ପନ ସୃଷ୍ଟି କରିଛି ଏହା କହିବା ବାହୁଲ୍ୟ ମାତ୍ର ।