୧-୧୬ ଡିସେମ୍ବର, ୨୦୦୮
୧୯୮୯ମସିହାରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ପାଇଁ ଏହି ସ୍ଲୋଗାନ ଦିଆଯାଇଥିଲା । ଭାରତର ଭାଗ୍ୟ ବୋଲି ତାଙ୍କୁ ଚିତ୍ରଣ କରାଯାଇଥିଲା । ଏହାକୁ ଜନସାଧାରଣ ଗ୍ରହଣ କରିଥିଲେ ଓ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ଏହି ପଦବୀରେ ସେ, ୨ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦ ପର୍ଯ୍ୟନ୍ତ, ମାତ୍ର ୧୧ମାସ ପାଇଁ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରବୀଣ ସାମ୍ବାଦିକ ପ୍ରଫୁଲ୍ଲ ବିଦୱାଇ ଲେଖିଥିଲେ ‘ଯଦି ସ୍ୱାଧୀନତା ପରଠାରୁ ଭାରତର ରାଜନୀତିକୁ ଏକ ନିର୍ଣ୍ଣାୟକ ରୂପ ଓ ଏକ ନିର୍ଦ୍ଧିଷ୍ଟ ଚରିତ୍ର ଦେଇଥିବା ୫ଟି ନେତାଙ୍କୁ ବଛାଯାଏ ତା’ହେଲେ ତାଙ୍କ ମଧ୍ୟରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାଁ ରହିବ ।’(If one were to identify just five leaders who have decisively shaped Indian politics since independence, and given it its distinctive character, Viswanath Pratap Singh will surely figure among them)
ବିଡ଼ମ୍ବନା ଯେ ଦୁଇବର୍ଷ ପରେ ୭୭ବର୍ଷ ବୟସରେ ଏହି ବ୍ୟକ୍ତି ଯେତେବେଳେ ଦେହତ୍ୟାଗ କରନ୍ତି(୨୭ ନଭେମ୍ବର୨୦୦୮ ଅପରାହ୍ଣ ୨.୪୫ମିନିଟ)ତାଙ୍କର ମୃତୁ୍ୟଖବର ଗଣମାଧ୍ୟମରେ ଯେପରି ପ୍ରଚାରିତ ହେବାକଥା – ସେପରି ହେଲାନାହିଁ । ଅନେକେ ହୁଏତ ଏବେ ବି ଜାଣି ନଥିବେ ଯେ, ବିଶ୍ୱନାଥପ୍ରତାପ ସିଂ ଇହଜଗତରେ ନାହାନ୍ତି । ଔପଚାରିକତା ରକ୍ଷାକରି ବିଧାନସଭାମାନଙ୍କରେ ବା ସଂସଦରେ ଶୋକପ୍ରସ୍ତାବ ଆଗତ ନିଶ୍ଚିତ ହେବ ବା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଇତ୍ୟାଦିଙ୍କ ଦ୍ୱାରା ଶୋକ ବାର୍ତ୍ତାମାନ ପ୍ରକାଶ ପାଇବ-କିନ୍ତୁ ଏକଦା ଭାରତର ଭାଗ୍ୟ ବୋଲି କୁହାଯାଉଥିବା, ଭାରତୀୟ ରାଜନୀତିକୁ ଏକ ଭିନ୍ନ ମୋଡ଼ ଦେଇଥିବା, ଦୁର୍ନୀତି ବିରୋଧରେ ନିରନ୍ତର ସ୍ୱର ଉତ୍ତୋଳନ କରୁଥିବା,ଜୀବନ-ଜୀବିକା ହରାଉଥିବା ସାଧାରଣ ମଣିଷପାଖରେ ଠିଆ ହେଉଥିବା-ବିଶ୍ୱନାଥ ପ୍ରତାପ ସିଂହଙ୍କର ମୃତୁ୍ୟସମ୍ବାଦକୁ ଗଣମାଧ୍ୟମ ଗୁରୁତ୍ୱ ନ ଦେବା ବୋଧହୁଏ ଏକ ବିଶ୍ଳେଷଣ ଦାବି କରେ ।
ଅବଶ୍ୟ ୨୬ନଭେମ୍ବର ୨୦୦୮ରାତିରୁ ଆରମ୍ଭ ହୋଇଥିବା ସନ୍ତ୍ରାସବାଦୀଙ୍କର ତାରକା ହୋଟେଲ ଉପରେ ଆକ୍ରମଣକୁ ଗଣମାଧ୍ୟମ ଉପଲବ୍ଧ କରି ଭି.ପି.ସିଂହଙ୍କର ମୃତୁ୍ୟସମ୍ବାଦ ପ୍ରତି ଅବହେଳାର ଅଭିଯୋଗକୁ ଅସ୍ୱୀକାର କରିପାରେ । କିନ୍ତୁ ଯଦି ୨୬ ନଭେମ୍ବର ୨୦୦୮ଘଟଣା ଘଟିନଥାନ୍ତା-ତା’ହେଲେ କ’ଣ ଗଣମାଧ୍ୟମ ବିଶ୍ୱନାଥ ପ୍ରତାପ ସିଂହଙ୍କର ମୃତୁ୍ୟସମ୍ବାଦକୁ ଯଥାଯୋଗ୍ୟ ପରିବେଷଣ କରିଥାନ୍ତା? ବୋଧହୁଏ ନୁହେଁ । କାରଣ ଗଣମାଧ୍ୟମ ଯେଉଁମାନଙ୍କ ନିୟନ୍ତ୍ରଣରେ ଅଛି-ସମାଜରେ ଯେଉଁମାନେ ଉଚ୍ଚବର୍ଗ, ଧନୀକଶ୍ରେଣୀ, ସେମାନେ ଚାହାନ୍ତି ଯେ ବିଶ୍ୱନାଥ ପ୍ରତାପ ସିଂହ ଏକ ଉଦାହରଣ ହୋଇ ରୁହନ୍ତୁ ଭାରତୀୟ ଜନସାଧାରଣଙ୍କ ପାଇଁ । ବୋଧହୁଏ ତାଙ୍କ ପୂର୍ବରୁ କୌଣସି ଅର୍ଥମନ୍ତ୍ରୀ ବଡ଼ ବଡ଼ ଶିଳ୍ପପତିଙ୍କ ଉପରେ ଏପରି ଚଢ଼ଉ କରିନଥିଲେ ଯେପରି ସେ କରିଥିଲେ । ସାମ୍ବାଦିକ ବୀର ସିଂଘଭୀଙ୍କ ଭାଷାରେ, ‘ଏହିଭଳି ଚଢ଼ଉ ବ୍ୟବସାୟୀଗୋଷ୍ଠୀ ଭିତରେ ଭୟ ଓ ଆଶଙ୍କା ସୃଷ୍ଟି କରିଥିଲା’ ଯେଉଁ ଧୀରୁଭାଇ ଅମ୍ବାନୀଙ୍କ ପାଖରେ ସବୁ ରାଜନୈତିକ ଦଳର ନେତା (ବାମପନ୍ଥୀଙ୍କୁ ଛାଡ଼ି) ଆଜାନୁନତ ହୋଇ ହାତପତେଇ ଅର୍ଥ ଆଣୁଥିଲେ, ସେହି ଧୀରୁଭାଇ ଅମ୍ବାନୀଙ୍କ ସଂସ୍ଥାଉପରେ ଚଢ଼ଉର ନିଦେ୍ର୍ଧଶ ଦେଇଥିଲେ ବିଶ୍ୱନାଥ ପ୍ରତାପ ସିଂହ । ଧୀରୁଭାଇ ଅମ୍ବାନୀ ବାଧ୍ୟ ହୋଇଥିଲେ ଲାର୍ସନ ଆଣ୍ଡ୍ ଟୁର୍ବୋର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ । ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଘନିଷ୍ଠ ବନ୍ଧୁ ଅମିତାଭ ବଚ୍ଚନଙ୍କ ଉପରେ ମଧ୍ୟ ଚଢ଼ଉ କରିଥିଲେ ସେ । ଶିଳ୍ପପତିମାନଙ୍କ ଉପରେ ଚଢ଼ଉ, ବନ୍ଧୁ ଅମିତାଭଙ୍କ ଉପରେ ଚଢ଼ଉ-ରାଜୀବ ଗାନ୍ଧୀଙ୍କ ପାଇଁ ଅସହ୍ୟ ହୋଇଥିଲା । ବିଶ୍ୱନାଥ ପ୍ରତାପ ସିଂହଙ୍କୁ ଅର୍ଥମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଲା । ରାମବାହାଦୁର ରାୟଙ୍କ ଦ୍ୱାରା ଲିଖିତ ବିଶ୍ୱନାଥ ପ୍ରତାପ ସିଂହଙ୍କର ଜୀବନୀ ‘ମଞ୍ଜିଲ ସେ ଜ୍ୟାଦା ସଫର’ରେ ବିଶ୍ୱନାଥ ପ୍ରତାପ ସିଂହ କୁହନ୍ତି ଯେ,‘ଅମିତାଭଙ୍କର ସେତେବେଳେ ସରକାରରେ ଏତେ ପ୍ରଭାବ ଥିଲା ଯେ ସେ ମୋତେ ଅର୍ଥମନ୍ତ୍ରୀ ପଦରୁ ବାହାର କରିଦେଇ ପାରିଲେ ।’ ତେଣୁ ଶିଳ୍ପପତି ଓ ଧନୀକ ଶ୍ରେଣୀଙ୍କ ପ୍ରତି ତାଙ୍କର ବେସାଲିସ ଆଭିମୁଖ୍ୟ ତାଙ୍କୁ ଏହି ବର୍ଗନିକଟରେ ଅତ୍ୟନ୍ତ ଅପ୍ରିୟ କରିଦେଇଥିବା ସ୍ୱାଭାବିକ ।
ପ୍ରଧାନମନ୍ତ୍ରୀ କାଳରେ ସେ ମଣ୍ଡଳ କମିଶନଙ୍କର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାପାଇଁ ଯେତେବେଳେ ନେଲେ ପଦକ୍ଷେପ, ତାହା ଉଚ୍ଚବର୍ଗମାନଙ୍କୁ ଅସନ୍ତୁଷ୍ଟ କରିଥିଲା । ସେତେବେଳେ ଏହି ପ୍ରସ୍ତାବକୁ ବିରୋଧ ଯେଉଁ ପରିମାଣରେ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ କରାଗଲା – ସେଥିରୁ ଜଣାଯାଏ ବିଶ୍ୱନାଥ ପ୍ରତାପ ସିଂହ ଗଣମାଧ୍ୟମର କେଉଁଭଳି ପ୍ରିୟ ଓ ଗଣମାଧ୍ୟମ କାହାର ନିୟନ୍ତ୍ରଣରେ ।
ପ୍ରଧାନମନ୍ତ୍ରୀ କାଳରେ ସେ ଗିରଫ କରାଇଲେ ଭାରତୀୟ ଜନତାପାର୍ଟିର ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଓ ତାଙ୍କୁ ନିବୃତ୍ତ କଲେ ଅଯୋଧ୍ୟା ପହଞ୍ଚôବାରୁ । ଯଦି ଏହି ପଦକ୍ଷେପ ନେଇନଥାନ୍ତେ, ତା’ହେଲେ ବାବ୍ରିମସ୍ଜିଦ ତାଙ୍କରି ପ୍ରଧାନମନ୍ତ୍ରୀତ୍ୱ କାଳରେ ହୁଏତ ଧ୍ୱଂସ ପାଇଥାନ୍ତା । ଏହା କରି ତାଙ୍କ ସରକାରଙ୍କୁ ବାହାରୁ ସମର୍ଥନ ଦେଇଥିବା ଭାରତୀୟ ଜନତା ପାର୍ଟିକୁ ଅସନ୍ତୁଷ୍ଟ କଲେ ଓ ସ୍ୱାଭାବିକ ଯେ ଏଥିପାଇଁ ଭାରତୀୟ ଜନତା ପାର୍ଟି ତା’ର ସମର୍ଥନ ଫେରାଇନେଲା ଓ ବିଶ୍ୱନାଥ ପ୍ରତାପ ସିଂହଙ୍କର ମନ୍ତ୍ରିମଣ୍ଡଳର ପତନ ହେଲା ।
କହିବା ବାହୁଲ୍ୟ ଯେ କ୍ଷମତାରେ ରହିବା ପାଇଁ ନୀତି ସହ ସାଲିସ ନକରୁଥିବା ଏକ ବିରଳ ଉଦାହରଣ ହେଉଛନ୍ତି ବିଶ୍ୱନାଥ ପ୍ରତାପ ସିଂହ । ଭାରତୀୟ ରାଜନୀତିକୁ ଉଚ୍ଚବର୍ଗ, ଧନୀକଶ୍ରେଣୀ, ଶିଳ୍ପପତିଙ୍କର ପ୍ରଭାବରୁ ମୁକ୍ତ କରି – ସାଧାରଣ ଲୋକର ଭୂମିକାକୁ ନିର୍ଣ୍ଣାୟକ ସ୍ତରକୁ ନେବାପାଇଁ ସଚେତନ ଉଦ୍ୟମ ସେ କରିଥିଲେ । ଏହିଭଳି ବ୍ୟକ୍ତିକୁ ମୁଖ୍ୟଧାରାର ଗଣମାଧ୍ୟମ ଗୁରୁତ୍ୱ ନଦେବାରେ କୌଣସି ଅସ୍ୱାଭାବିକତା ନାହିଁ । କିନ୍ତୁ ଯେଉଁମାନେ ସାଧାରଣ ଲୋକର ଭୂମିକା ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ହେଉ ବୋଲି ବିଚାର କରନ୍ତି ସେମାନେ ‘ଫକୀର’ ବିଶ୍ୱନାଥ ପ୍ରତାପ ସିଂହଙ୍କର ଉଦାହରଣକୁ ଜାଗ୍ରତ କରାଇ ଭାରତର ‘ତକଦୀର୍’କୁ ସାଧାରଣ ଜନତାର ଭାଗ୍ୟ ସହ ଯୋଡ଼ିବା କାର୍ଯ୍ୟକରିବେ, ଏହାହିଁ ଶୁଦ୍ରକର କାମନା ।